Unknown

 

 

 

 

 

 

 

 

 

୧୦୫ତମ ସଂଖ୍ୟା କୋଣାର୍କ ୧୯୯୭

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସୌଜନ୍ୟ ସଂପାଦକ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ସଂପାଦକ

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ସଚିବ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ଭାରାପ୍ରାପ୍ତ ସଭାପତି

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

 

ସଂପାଦକୀୟ

ଏହି ସଂଖ୍ୟା କୋଣାର୍କ - ଗତସଂଖ୍ୟା ପୂର୍ବଭାଗ ହେଲେ ଏହା ଉତ୍ତରଭାଗ । ମାତ୍ର ଏହାର ଅନ୍ତ ନାହିଁ । କାରଣ ଏହାର କୌଣସି ଅନ୍ତ ନାହିଁ । ଓଡ଼ିଆ ସାହିତ୍ୟରେ ଅନ୍ତତଃ ସମକାଳୀନ ରଚନାର, କତିପୟ, ପ୍ରବନ୍ଧ ସମାଲୋଚନାକୁ ଛାଡ଼ିଦେଲେ, ସାର୍ଥକ ସମୀକ୍ଷା ସମାଲୋଚନା ହେଉ ନାହିଁ ବୋଲି ଅନ୍ତତଃ ସୃ‌ଜନଶୀଳ କବି ଲେଖକ ଅଭିଯୋଗ କରନ୍ତି - ଏହା ସତ୍ୟ । କିଛି ପରିମାଣରେ ଏ ଦିଗରେ କିଞ୍ଚିତ କାର୍ଯ୍ୟ ହେଉ ବୋଲି ଇଚ୍ଛାକରି ବହୁ ପ୍ରବୁଦ୍ଧ ନିବନ୍ଧକାରଙ୍କୁ ଅନୁରୋଧ କରି ଆଶାନୁରୂପ ଫଳପ୍ରାପ୍ତି ମଧ୍ୟ ହୋଇ ନାହିଁ । ଏପରିକି ପୂର୍ବ କେତୋଟି ସଂଖ୍ୟାରେ ଆମେ ପାଠକୀୟ ପ୍ରତିକ୍ରିୟା ଲୋଡ଼ିଛୁଁ, ମାତ୍ର ପାଇ ନାହୁଁ । ଏହା ଅବଶ୍ୟ ଆମକୁ ପରିମାର୍ଜିତ କରିଥାନ୍ତା । ଏହି ପ୍ରଚେଷ୍ଟା ଚାଲିଥି‌ବ, କାରଣ ଏହାହିଁ ଏକମାତ୍ର ମାଧ୍ୟମ ଯାହାଦ୍ୱାରା ସ୍ରଷ୍ଟାର ଭାବ କଳ୍ପନାର ବିଶ୍ଳେଷଣ କରିହେବ, ନିକଟବର୍ତ୍ତୀ ହେବା ସଂଭବ ହେବ ।

 

କୌଣସି ସାରସ୍ଵତ - ସ୍ରଷ୍ଟା ତା’ର ଅନ୍ତିମ ପଦର ଉଚ୍ଚାରଣ କରିପାରେ ନାହିଁ । ପରମାୟୁର ଶେଷ ମୁହୂର୍ତ୍ତରେ ବି ତା’ର କିଛି ନା କିଛି କହିବାକୁ ବାକି ଥାଏ । ସେଭଳି କୌଣସି ଟୀକା କିମ୍ବା ବ୍ୟାଖ୍ୟା ଶେଷ ବିଶ୍ଳେଷଣ ନୁହେଁ, ଆହୁରି କିଛି କହିବାର ବାକି ଥାଏ । କାଳର ମଧ୍ୟ କିଛି ସମୟାନୁସାରୀ ଦାବୀ ଥାଏ । ଶ୍ରୀମଦ୍‌ ଭଗବତ ଗୀତାର ଶାୟଣାଚାର୍ଯ୍ୟ, ଶଂକରାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଶ୍ରୀଧରାଚାର୍ଯ୍ୟଙ୍କ ପରେ ମଧ୍ୟ ଆଉ କିଛି କଥନ ବାକି ରହିଥି‌ଲା କି ଯାହା ଫଳରେ ସର୍ବପଲ୍ଲୀ ଡକ୍ଟର ରାଧାକୃଷନ, ବିନୋବାଜୀ ଏପରି କି ଉତ୍କଳୀୟ ଟୀକା ଏବଂ ସମକାଳୀନ ଆଲୋଚନା ବିଶ୍ଳେଷଣର ଆବଶ୍ୟକତା ରହିଛି । ଏ ପ୍ରକ୍ରିୟା ଏକ ଅସରନ୍ତି ପ୍ରକ୍ରିୟା । ଏହା ମଧ୍ୟ ସତ୍ୟ ଯେ, ଯେ ଯେତେ ଏ ଉଡ଼ିପାରିବ ଉପରକୁ ସେ ସେତେ ବ୍ୟାପ୍ତିକୁ ଦେଖିବ ଏବଂ ଯେ ଯେତେ ବୁଡ଼ିବ ସେ ସେତିକି ମୁକ୍ତାର ନିକଟବର୍ତ୍ତୀ ହେବ ଏବଂ ସର୍ଜନାତ୍ମକ ରଚନା କ୍ଷେତ୍ରରେ ପାଠକ ଭାବଭୂମି ଓ ରଚନାକାରର ଭାବଭୂମି ଏକ ହେଲେ ପଠନ ଅପୂର୍ବ ଆନନ୍ଦ ଦେବ ... ଅଥବା ଯେତେ ସାମୀପ୍ୟ ରହିବ ଆନନ୍ଦର ପରିମାଣ ସେଭଳି ହେବ । ତେଣୁ ସତ୍‌ ଆଲୋଚକ, ଲେଖକ ଓ ପାଠକ ମଧ୍ୟରେ ଏକ ଯଥାର୍ଥ ସୁନ୍ଦର ସେତୁବତ୍‌ କାର୍ଯ୍ୟ କରିଥାନ୍ତି ।

 

ଆଲୋଚନାର ପରିସରକୁ ସମକାଳୀନ ସର୍ଜନାତ୍ମକ ସାହିତ୍ୟର ବୃହତ୍ତମ ସ୍ଵାର୍ଥ ଏବଂ ଓଡ଼ିଆ ଭାଷାର ପ୍ରୟୋଗାତ୍ମକ ବିକାଶ ନିମନ୍ତେ ରଚନା ମଧ୍ୟରେ ଥି‌ବା କେତୋଟି ଅର୍ନ୍ତନିହିତ ସତ୍ୟର ବିଶ୍ଳେଷଣ ଆବଶ୍ୟକ ବୋଲି ମନେ କରୁଛି । ଅତୀତ ଓ ବର୍ତ୍ତମାନର, ଆଦିମ ମଣିଷ ଓ ସଭ୍ୟ ସାଂସ୍କୃତିକ । ମଣିଷର, ଶାସକ ଓ ଶାସିତର, ଶୋଷକ ଓ ଶୋଷିତ ଆଦି ଆଦିର ମଧ୍ୟରେ ସତରେ ସଂଘର୍ଷ ସାହିତ୍ୟର ମଧ୍ୟରେ ପ୍ରକାଶିତ ହେଉଛି କି ? କିପରି ?

 

ଶବ୍ଦର ଆଭିଧାନିକ ଅର୍ଥର ଅବଲମ୍ବନରେ ରଚନାର ଆତ୍ମାକୁ ବୁଝି ହୁଏ ନାହିଁ । ଓଡ଼ିଆ ସାହିତ୍ୟର ଆଲୋଚନାରେ ଭାବକଳ୍ପନାର ବିଶ୍ଳେଷଣାତ୍ମକ ରଚନା କେତେଦୂର ସଫଳ ?

 

କେତେକଙ୍କର ଅଭିଯୋଗ ଯେ ଶବ୍ଦ କମିକମି ଯାଉଛି । ଏହା କଣ ସତ୍ୟ ? ପାଣ୍ଡିତ୍ୟପୂର୍ଣ୍ଣ ସଂସ୍କୃତନିଷ୍ଠ ଭାଷାର ବହୁଳ ବ୍ୟବହାର ତା’ର କାରଣ କି ? ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଅନେକ ଏଭଳି ମୌଳିକ ଓ ଅର୍ଥବୋଧକ ଶବ୍ଦ ଅଛି ଯେଉଁମାନଙ୍କୁ ଆପଣାର କଲେ ଓଡ଼ିଆ ଅଧିକତର ସଂବୃଦ୍ଧ ହେବ କି ?

 

ସଂପ୍ରତି ସଭ୍ୟତାର ଉତ୍ତରଣ ଏବଂ ବୈଜ୍ଞାନିକ ବିକାଶ ମଣିଷକୁ ଉଡ଼ିବା, ପହଁରିବା ଶିଖେଇଛି । ଜୀଇଁବା ? ଦୂରତା ଅତିକ୍ରମ କରି ଚନ୍ଦ୍ର ମଙ୍ଗଳ ପର୍ଯ୍ୟନ୍ତ ପହଞ୍ଚିଛି । ମାତ୍ର ହୃଦୟ ହୃଦୟର ଦୂରତା ସତରେ ଯେମିତି ଅନତିକ୍ରମ୍ୟ । ସାହିତ୍ୟର ଧର୍ମ ସହିତତା ସ୍ଥାପନ । ଭାବାତ୍ମକ ଐକ୍ୟର ପ୍ରତିଷ୍ଠା ସାହିତ୍ୟର ଧ୍ୟେୟ । ଆମେ କେତେଦୂର ନିଷ୍ଠାପର ଓ ସଫଳ ?

 

ଏଭଳି ଅନେକ କଥା ଉପରେ ଆଲୋଚନା କରାଯାଇ ପାରେ ଯାହା ଯଥାର୍ଥ ହେବ-ମାତ୍ର ଗୋଟାଏ କଥା କହିବି । ଏହା ସ୍ଥୂଳତଃ ସାହିତ୍ୟୋତ୍ତର ପ୍ରସଙ୍ଗ ଭଳି ମନେ ହେଲେ ମଧ୍ୟ ସାରସ୍ଵତ ଅଂଗୀକାର ଭାବରେ ଉପାଦେୟ ଓ ଗ୍ରହଣୀୟ । ଗୁରୁ ଶିଷ୍ୟଠାରୁ ପରାଜୟକୁ ବିଜୟ ବୋଲି ମନେ କରନ୍ତି । ଜ୍ୟେଷ୍ଠ କନିଷ୍ଠର ସଂବନ୍ଧ ସଂପର୍କରେ ଆଲୋଚନା କରିବା ନାହିଁ ! ଏହାର ପ୍ରଭୂତ ନିଦର୍ଶନ । ଅନ୍ତତଃ ଡକ୍ଟର ହରେକୃଷ୍ଣ ମହତାବଙ୍କ ପର୍ଯ୍ୟନ୍ତ ଅଛି । ଲେଖକ ଭାବରେ ସ୍ଵର୍ଗତ ଗୋଲକ ବିହାରୀ ଧଳ, ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଅତ୍ୟନ୍ତ ଉଦାର । କନିଷ୍ଠମାନେ କଳା ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ହଏତ ଅପରିଣତ । ମାତ୍ର ସେମାନଙ୍କ ସ୍ଵରରେ ପ୍ରଚଣ୍ଡ ସମକାଳୀନ ଚିନ୍ତନୀୟ କଥାର ବିଚାର କରିବା ନାହିଁ ! ଜ୍ୟେଷ୍ଠ-କନିଷ୍ଠର ଭାବ ସଂବନ୍ଧକୁ ଆଲୋଚନା କରିବା ନାଇଁ ! ସାହିତ୍ୟ ପ୍ରବୀଣଙ୍କଦ୍ୱାରା ହୁଏତ ସ୍ମରଣୀୟ ହୋଇ ରହିବ... ମାତ୍ର ମଶାଲଧରି ଆଗଇେ ନେବେ କ୍ରାନ୍ତଦର୍ଶୀ ତରୁଣମାନେ.....

 

ଏହି ସଂଖ୍ୟା କୋଣାର୍କ ଏ ଦିଗରେ ଅନ୍ତିମ କାର୍ଯ୍ୟ ନୁହେଁ - ଆହୁରି ଅନେକ କରିବାକୁ ଅଛି....

 

ଶ୍ରୀନିବାସ ଉଦ୍‌ଗାତା

 

ସୂଚୀପତ୍ର

୧.

ସଂପାଦକୀୟ

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

୨.

ଉଦ୍ଭଟ ନାଟକ : ଉତ୍ପତ୍ତି ବିସ୍ତୃତି ଓ ବିଲୁପ୍ତି

ଡକ୍ଟର ପ୍ରାଣକୃଷ୍ଣ ଗିରି

୩.

ସାହିତ୍ୟରଥୀ ଶ୍ୟାମସୁନ୍ଦର ରାଜଗୁରୁ

ଡକ୍ଟର ହରିହର କାନୁନ୍‌ଗୋ

୪.

ଓଡ଼ିଶାର ଯାତ୍ରା : ସ୍ଵରୂପ ଓ ପ୍ରକାର୍ଯ୍ୟ

ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀ

୫.

ଗୋପୀନାଥଙ୍କ ଉପନ୍ୟାସରେ

ସାମାଜିକ ଦାୟିତ୍ୱବୋଧ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

୬.

ଶୃଙ୍ଗାର ଶତକ : ଏକ ଦୃଷ୍ଟିପାତ

ଡକ୍ଟର ହରେକୃଷ୍ଣ ମେହେର

୭.

ସଚ୍ଚି ରାଉତରାୟଙ୍କ କଥା ସାହିତ୍ୟ

ଶ୍ରୀ କୃଷ୍ଣ ଚରଣ ବେହେରା

୮.

କଥାକାର ବୈଷ୍ଣବଚରଣ :

ଜୀବନ ଓ ସାହିତ୍ୟ

ଡକ୍ଟର ମନୀନ୍ଦ୍ର ମହାନ୍ତି

୯.

ଈଶପ୍‌ଙ୍କ ନୀତି କଥା : ଓଡ଼ିଆ

ଅନୁବାଦ ଓ ଅନୁସୃଜନ

ଶ୍ରୀ କୃପାସିନ୍ଧୁ ମହାଳିକ

୧୦.

ସମାଲୋଚନାର ଦିଗନ୍ତ

ଡକ୍ଟର ଚକ୍ରପାଣି ମହାପାତ୍ର

୧୧.

ଉପନ୍ୟାସ ତଥ୍ୟ, ତତ୍ତ୍ୱ ସମୀକ୍ଷା

ଶ୍ରୀ ରମାକାନ୍ତ ରାଉତ

୧୨.

ସାକ୍ଷାତ୍‌କାର

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

୧୩.

ଏକାଡେମୀ ସମାଚାର

 

 

ଉଦ୍ଭଟ ନାଟକ: ଉତ୍ପତ୍ତି, ବିସ୍ତୃତି ଓ ବିଲୁପ୍ତି

ଡକ୍ଟର ପ୍ରାଣକୃଷ୍ଣ ଗିରି

 

‘ଆବ୍‌ସାର୍ଡ଼’ (Absurd) ନାମକ ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାନ୍ତର ହେଉଛି ‘ଉଦ୍ଭଟ’ ଯାହାର ଅର୍ଥ ସାଙ୍ଗୀତିକତାର ବିପରୀତ ଭାବଦ୍ୟୋତକ ଅମେଳ, ବେସୁର, ବେତାଳ, ବେଖାପ କିମ୍ବା ଖାପଛଡ଼ା ପ୍ରଭୃତି ଶବ୍ଦମାନଙ୍କର ଅନୁରୂପକ । ଇଂରାଜୀ ଶବ୍ଦକୋଷର ବ୍ୟାଖ୍ୟାରେ ଏହା ଅବାନ୍ତର, ଅଦ୍ଭୁତ, ଅଶାଳୀନ, ଅସଙ୍ଗତ କିମ୍ବା ଓଲଟଚିନ୍ତା ଆଦି ଭାବନା ସୂଚିତ କରୁଥିଲାବେଳେ ବ୍ୟବହାରିକ ଅର୍ଥରେ ଏହା ହାସ୍ୟୋଦ୍ଦୀପକ କିମ୍ବା ବ୍ୟଙ୍ଗାତ୍ମକ ପ୍ରକାଶଭଙ୍ଗୀର ମାନସିକତାକୁ ଚିହ୍ନିତ କରେ । କଳା-ଶୈଳୀର ବିଶ୍ଳେଷଣ, ଦର୍ଶନର ସଂଜ୍ଞା ନିରୂପଣ କିମ୍ବା ସାହିତ୍ୟର ସମାଲୋଚନାରେ ଉପରୋକ୍ତ ମର୍ମରେ ଶବ୍ଦଟି ପ୍ରୟୋଗିତ ହୋଇ ନାହିଁ । ନିର୍ଦ୍ଦିଷ୍ଟ ଜୀବନଦର୍ଶନର ଏହା ଏକ ସାହିତ୍ୟିକ ଅଭିବ୍ୟକ୍ତି ଯାହାକି ଚଳିତ ଶତାବ୍ଦୀର ମଧ୍ୟଭାଗରେ ଫରାସୀ ସାହିତ୍ୟରେ ସଂଘଟିତ ହୋଇଥିଲା । ଯାହା ନିରୁଦ୍ଦିଷ୍ଟ ଲକ୍ଷ୍ୟହୀନ ଓ ଦିଗଚ୍ୟୁ ତା’କୁ ଏହି ଦର୍ଶନ ଉଦ୍ଭଟ ରୂପେ ବର୍ଣ୍ଣନା କରି ସଂସାରର ପ୍ରତ୍ୟେକ ଘଟଣାକୁ ଅପ୍ରାସଙ୍ଗିକ ଦର୍ଶାଇବା ସଙ୍ଗେ ସଙ୍ଗେ ସାମାଜିକ ଜୀବନକୁ ମଧ୍ୟ ଅନାବଶ୍ୟକ ପ୍ରମାଣିତ କରିଥିଲା । ମାନବର ଆତ୍ମାରେ ଆଜି ଯେଉଁ ନିରାଶାର ଅନ୍ଧକାର ଘୋଟିଯାଇଛି ତା’ର ବିଷମଞ୍ଜି ପାଶ୍ଚାତ୍ୟ ଶିଳ୍ପ-ସଭ୍ୟତାର ବିଶୃଂଖଳା ମଧ୍ୟରୁ ନିଷ୍ପନ୍ନ ହୋଇଥିଲା । ବିଜ୍ଞାନର ଶକ୍ତିରେ ଉନ୍ମତ୍ତ ମନୁଷ୍ୟ ଯେପରି ସ୍ଵୈରାଚାରର ବଶବର୍ତ୍ତୀ ହୋଇ ଆଧ୍ୟାତ୍ମିକ ଦିଗପ୍ରତି ଆଖି ବୁଜି ଦେଇଛି ତାହା ନାସ୍ତିକତାର ଧ୍ଵଂସାତ୍ମକ ମନସ୍ତତ୍ତ୍ଵକୁ ଉତ୍ସାହିତ କରି ସଭ୍ୟତାର କେନ୍ଦ୍ରରେ ଘୋର ଅସ୍ଥିରତା ସୃଷ୍ଟି କରିଅଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ଧ୍ୱଂସଲୀଳା ଥିଲା ତା’ର ଏକ ସାମୟିକ ବିସ୍ଫୋରଣ ! ଯୁଦ୍ଧର ପାଉଁଶଗଦା ମଧ୍ୟରେ ବଂଚିରହିବାର ନାରକୀୟ ଅନୁଭୂତି ଯୁଦ୍ଧୋତ୍ତର ସମାଜରେ ମନୁଷ୍ୟକୁ ମୃତ୍ୟୁର ଚିନ୍ତାରେ କେବଳ ବୁଡ଼ାଇ ଦେଇ ନଥି‌ଲା, ତା’ର ଉଦ୍‌ବେଗପୂର୍ଣ୍ଣ ମନରେ ମଧ୍ୟ ଉଦ୍ଭଟ ଭାବନାର ମୂଳଦୁଆ ପକାଇଥିଲା । ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ନାଟକ ଏହି ମାନସିକ ସଂକଟପ୍ରତି ଅଧିକ ସଚେତନ ହେବାର କାରଣ ଏହି ଯେ ନାଟକର ସାମାଜିକ ଦାୟିତ୍ୱବୋଧ ସର୍ବାଧିକ ଏବଂ ସାହିତ୍ୟରେ ରୁଚିର ପରିବର୍ତ୍ତନକୁ ଲୋକଲୋଚନକୁ ଆଣିବାରେ ରଙ୍ଗମଞ୍ଚର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

 

ଚଳିତ ଶତାବ୍ଦୀର ଚତୁର୍ଥ ଦଶକରେ ଉଦ୍ଭଟ ଚେତନାର ଯେଉଁ କ୍ଷୀଣଧାରା ଫରାସୀ ସାହିତ୍ୟରେ ଆତ୍ମପ୍ରକାଶ କରିଥିଲା, ତାହା ଚାହୁଁ ଚାହୁଁ ଏକ ପ୍ରଖର ସ୍ରୋତରେ ପରିଣତ ହୋଇ ଷଷ୍ଠଦଶକ ବେଳକୁ ୟୁରୋପ ଓ ଆମେରିକାର ମୁଖ୍ୟ ସହରମାନଙ୍କର ପ୍ରେକ୍ଷାଳୟଗୁଡ଼ିକୁ ପ୍ଲାବିତ କରିଦେଇଥିଲା । ରକ୍ତାକ୍ତ ଇତିହାସର ରଙ୍ଗମଞ୍ଚ ଏହି ପ୍ୟାରିସ୍‌ ସହର କଳା ଓ ସାହିତ୍ୟର ପ୍ରୟୋଗଶାଳା ଭାବରେ ବିଶ୍ଵସାହିତ୍ୟକୁ ସମୃଦ୍ଧ କରିଆସୁଅଛି । ଫରାସୀ ବିପ୍ଳବର ଅଗ୍ନିଯୁଗ ସମୟରୁ ଆଜିପର୍ଯ୍ୟନ୍ତ ପୃଥି‌ବୀରେ ଯେତେ ସାଂସ୍କୃତିକ ବିପ୍ଲବ ଓ କଳାଆନ୍ଦୋଳନ ସଂଘଟିତ ହୋଇଅଛି ତା’ର ଅନ୍ତୁଡ଼ିଶାଳ ଥିଲା ପ୍ୟାରିସ୍‌ । ଏହି ସହରର ଉଦାର ଚେତନା ଓ ସହନଶୀଳ ବାୟୁମଣ୍ଡଳ ସ୍ଵାଧୀନଚିନ୍ତାର ଅବାଧ ଅଭିବ୍ୟକ୍ତି ପାଇଁ କେବଳ ସୁଯୋଗ ସୃଷ୍ଟି କରି ନଥିଲା, କଳାକୃତିର ଗଠନମୂଳକ ସମାଲୋଚନାର ସାମାଜିକ କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରିଥି‌ଲା । ୟୁରୋପ ଓ ଆମେରିକାର ବିଶିଷ୍ଟ କବି, ଲେଖକ, ଔପନ୍ୟାସିକ, ସମାଲୋଚକ, ପ୍ରକାଶକ, ନାଟ୍ୟକାର, ଚିତ୍ରକର, ଗବେଷକ, ମଞ୍ଚନିର୍ଦ୍ଦେଶକ କଳାପ୍ରେମୀ ବୁଦ୍ଧିଜୀବୀମାନେ ଏହିଠାରେ ମିଳିତ ହୋଇ ସ୍ଵଚ୍ଛନ୍ଦ କଳା-ସାଧନରେ କେବଳ ପ୍ରବୃତ୍ତ ହୋଇ ନଥିଲେ, ସାହିତ୍ୟ କଳା ଓ ଦର୍ଶନରେ ନେତୃତ୍ୱ ନେଇ ସମାଲୋଚନାରେ ତୁମୂଳ ବାଦାନୁବାଦର କ୍ଷେତ୍ର ପ୍ରସ୍ତୁତ କରିଥି‌ଲେ । ଟ୍ରିଷ୍ଟ୍ରାମ ଜାରା (Tristram Tzara), ହେମିଂୱେ (Hemingway) ଜେମ୍‌ସ ଜୟସି (James Jyoce) ଓ ପିକାସୋ (Picasso) ପ୍ରଭୃତି ବିଶ୍ଵବିଶ୍ରୁତ ଲେଖକମାନେ ଏହି ସାଂସ୍କୃତିକ ମିଳନ ପୀଠରେ ଏକଜୁଟ ହୋଇ ବିଭିନ୍ନ ପରୀକ୍ଷାମୂଳକ କଳାରୀତିର ଆବିଷ୍କାର ଓ ପ୍ରବର୍ତ୍ତନ କରିଥି‌ଲେ । ଆଇରିସ୍‌ ସାମୁଏଲ ବିକେଟ୍‌, (Samuel Beckett), ରୁମାନୀୟ ଆୟୋନେସ୍କୋ (Eugene lonesco) ଓ ରୁଷୀୟ ଆଡାମୋଭ୍‌ (Arthur Adamov) ପ୍ରଭୃତି ବିଖ୍ୟାତ ନାଟ୍ୟକାରମାନେ ଏହି ସହରରେ ନିରବଚ୍ଛିନ୍ନ ସାହିତ୍ୟ ସାଧନାର ଫଳସ୍ୱରୂପ ମାନବସଭ୍ୟତାର ଅଧଃପତନ ଉପରେ ଉଦ୍ଭଟ ନାମକ ଯେଉଁ ସାହିତ୍ୟିକ ଦସ୍ତାବିଜ୍‌ ପ୍ରସ୍ତୃତ କରିଥି‌ଲେ ତାହା ପ୍ୟାରିସ୍‌ ଭୂମିରେ ସଂଘଟିତ ହୋଇଥି‌ବା ସାଂସ୍କୃତିକ ମହାସଙ୍ଗମର ଅଂଶବିଶେଷ ଥିଲା ।

 

ବିଜ୍ଞାନର ଉଗ୍ର ବିକାଶ ଓ ତା’ସହିତ ତାଳଦେଇ ନିରୀଶ୍ଵରବାଦୀ ମନସ୍ତତ୍ତ୍ୱର ଦ୍ରୁତ ପ୍ରସାର ଏ ଦୁଇ ସମାନ୍ତରାଳ ଘଟଣା ଥିଲା ଉଦ୍ଭଟ ଅନୁଚିନ୍ତନର ପ୍ରସୂତିଶାଳା । ଊନବିଂଶ ଶତାବ୍ଦୀର ସୂର୍ଯ୍ୟ ଅସ୍ତାଚଳ ଉପରେ ନଇଁ ଆସୁଥିବାର ଅଶୁଭ ମୁହୂର୍ତ୍ତରେ (1887) ଜର୍ମାନ ଦାର୍ଶନିକ ଫ୍ରେଡ଼୍ରିକ୍‌ ନିଜସେ (Friedrich Nietzsche) ଯେପରି ଭଗବାନଙ୍କ ମୃତ୍ୟୁ ହୋଇଥିବାର ଅତର୍କିତ ଘୋଷଣା କରିଦେଇ ବିଶ୍ୱାବାସୀଙ୍କୁ ସ୍ତମ୍ଭୀଭୂତ କରିଦେଲେ ତାହାଥି‌ଲା ଭଗବତ୍‌ବିଶ୍ଵାସୀ ମାନବ ଭାଗ୍ୟ ଉପରେ ଅଚାନକ ବଜ୍ରପାତ । ଧର୍ମବିଶ୍ଵାସର ପ୍ରେରଣାବିନା ପଲକ ସୁଦ୍ଧା ବଞ୍ଚି ଶିଖି ନଥିବା ମନୁଷ୍ୟ ପ୍ରଥମ ଥର କରି ଈଶ୍ଵରହୀନ ପୃଥି‌ବୀରେ ତିଷ୍ଠିବାର ଯେଉଁ ପ୍ରାଣାନ୍ତକ ଉଦ୍ୟମ କରିଥିଲା ସେହି ଗୋପନୀୟ ଅନୁଭୂତିର ବଳିଷ୍ଠ ଅଭିବ୍ୟକ୍ତି କଳାର ଗତାନୁଗତିକ ଧାରାରେ ଓ ନିତ୍ୟ ପ୍ରଚଳିତ ଭାଷାରେ ସମ୍ଭବ ହୋଇ ନଥି‌ଲା । ଅଲବର୍ଟ କାମ୍ୟୁ (Albert Camus) ଓ ଯାଁ ପା ସାରତ୍ରେ (Jean paul sartre) ପ୍ରଭୃତି ଫରାସୀ ସାହିତ୍ୟର ପ୍ରମୁଖ ଲେଖକମାନେ ମନୁଷ୍ୟର ଜୀବନ ସଂକ୍ରାନ୍ତ ମୌଳିକ ତଥ୍ୟକୁ ଭିତ୍ତିକରି ମହାନୁଭବ ନିଜ୍‌ସେଙ୍କ ଆଦର୍ଶରେ ଯେଉଁ ଦିଗ୍‌ଦର୍ଶନର ଖସଡ଼ା ପ୍ରସ୍ତୁତ କରିଥି‌ଲେ ତାହା କେବଳ ସ୍ଥିତିବାଦ (Exisentialism) ଦର୍ଶନର ମାନ୍ୟତା ହାସଲ କରି ସମାଲୋଚନାର ପୃଷ୍ଠାରେ ସୀମିତ ରହି ନଥିଲା, କ୍ରମେ କ୍ରମେ ପ୍ରଚଣ୍ଡ ଆବେଦନର କାୟା ବିସ୍ତାର କରି । ଅଳ୍ପସମୟ ମଧ୍ୟରେ ସାରା ବିଶ୍ଵସାହିତ୍ୟକୁ ସଂକ୍ରମିତ କରିଥିଲା-। ଏହି ଜୀବନଧର୍ମୀ ଓ ଆକର୍ଷଣୀୟ ଦର୍ଶନର ପ୍ରଭାବଶାଳିତାକୁ ଆଧାର କରି ସ୍ଥିତିବାଦୀ ଦାର୍ଶନିକମାନେ ଯେ କେବଳ ନିଜ ବ୍ୟକ୍ତିତ୍ୱକୁ ସଭ୍ୟତାର କେନ୍ଦ୍ରରେ ଆଲୋକସ୍ତମ୍ଭ ଭଳି ପ୍ରତିଷ୍ଠିତ କରିଥି‌ଲେ ତାହା ନୁହେଁ, ମୋହାଚ୍ଛନ୍ନ ସମାଜକୁ ଅନ୍ଧବିଶ୍ୱାସର ଖାପ୍‌ଚାରୁ ଉଦ୍ଧାର କରି ଅଜ୍ଞାନତାର ଅନ୍ଧକାର ମଧ୍ୟରେ ଜ୍ଞାନର ଆଲୋକବର୍ତ୍ତିକା ଜଳାଇ ଦେଇଥିଲେ । ଧର୍ମାନ୍ଧତା, କୁସଂସ୍କାର, ଅଶିକ୍ଷା ଓ ମାୟାମୋହର ଭ୍ରମାତ୍ମକ ଭାବନାର ଧ୍ୱଂସସାଧନ ଦ୍ୱାରା ଜୀବନଧାରଣର ମୌଳିକ ସମସ୍ୟାପ୍ରତି ସଚେତନତା ଜାଗ୍ରତ କରାଇଦେଇ ଦୁନିଆର ଦାରୁଣ ବିପତ୍ତିର ସମ୍ମୁଖୀନ ହେବାପାଇଁ ମନୁଷ୍ୟକୁ ପ୍ରେରଣା ଯୋଗାଇ ଦେବାର ଲକ୍ଷ୍ୟ ରଖି ସାର୍‌ତ୍ରେ ସ୍ଥିତିବାଦ ଦର୍ଶନର ଶକ୍ତିଶାଳୀ ପ୍ରବକ୍ତା ହୋଇଥି‌ଲେ ।

 

ଧର୍ମର ଖୋଳପା ତଳେ ଲୁଚିଥି‌ବା ଅନ୍ଧବିଶ୍ଵାସ ଉପରେ କୁଠାରାଘାତ କରି ସାର୍‌ତ୍ରେ ନିର୍ବିକାର ଚିତ୍ତରେ ଓ ନିର୍ଭିକ ଭାବରେ ଘୋଷଣା କରିଥି‌ଲେ ଯେ ସଂସାରରେ ମନୁଷ୍ୟର ମୌଳିକ ସମସ୍ୟା ଗୋଟିଏ ଏବଂ ତାହା ହେଉଛି ଅସ୍ତିତ୍ୱକୁ ସୁରକ୍ଷିତ ରଖିବାର ପ୍ରାଥମିକ ଦାୟିତ୍ୱ ଯାହାର ସଂପାଦନରେ ମୂଲ୍ୟବୋଧର ପ୍ରଶ୍ନ ଗୌଣ ।

 

      ମନୁଷ୍ୟର ବ୍ୟକ୍ତିତ୍ୱ ଏକ ସ୍ଵୟଂସମ୍ପୂର୍ଣ୍ଣ ଓ ଅପରିବର୍ତ୍ତନୀୟ ସତ୍ତା କିମ୍ବା ଅବିଧ୍ୱଂସିତ ଆତ୍ମା ଯାହାର ପ୍ରଚ୍ଛନ୍ନ ଶକ୍ତି ହେଉଛି ତା’ର ସଂଜ୍ଞା । ଏହା ନୈତିକମାନ ନିର୍ଦ୍ଧାରଣରେ କିମ୍ବା ଜୀବନର ଉତ୍କର୍ଷ ସାଧନରେ ଏକ ସ୍ଵାଧୀନ ଶକ୍ତି ହୋଇଥି‌ଲେ ହେଁ ଭାଗ୍ୟ ବିପର୍ଯ୍ୟୟର ମଧ୍ୟ ଉତ୍ତରଦାୟୀ । ବିପଦଶଂକୂଳ ପୃଥି‌ବୀରେ ଜୀବନରକ୍ଷାର ମୌଳିକ ଦାୟିତ୍ୱ ସଂପର୍କରେ ମୋହଶୂନ୍ୟ ମନୁଷ୍ୟକୁ ସଚେତନ କରି ତା’ର ସଂଗ୍ରାମୀ ଶକ୍ତିକୁ ଉଦ୍ଦୀପିତ କରିବା ସାର୍‌ତ୍ରେଙ୍କ ଆତ୍ମଦର୍ଶନର ମୂଳପ୍ରେରଣା-। ବିଗତ ଦୁଇ ଶତାବ୍ଦୀ ମଧ୍ୟରେ ଉତ୍ଥାନ-ପତନ ଦେଇ ଯାଇଥିବା ଅସଂଖ୍ୟ ଦାର୍ଶନିକବାଦରୁ ଭିନ୍ନ ଭିନ୍ନ ଭାବନାର ଖିଅ ଧରି ସାମୁଏଲ ବିକେଟ୍‌ ଓ ତାଙ୍କ ସହଯୋଗୀ ଲେଖକମାନେ ଉଦ୍ଭଟ ନାଟକ (The Theatre of the Absurd)ର ବିସ୍ମୟକର ରଚନାରୀତି ପ୍ରଣୟନ କରିଥିଲେ ମଧ୍ୟ ପ୍ରଜ୍ଞାପୁରୁଷ କାମ୍ୟୁଙ୍କ ପ୍ରଣୀତ ‘ଦି ମିଥି‌ ଅଫ୍‌ ସିସିଫସ’ (The Myth of Sisyphus 1942) ନାମକ ପୁସ୍ତକଟିକୁ ଏହି ଅଭିନବ ତଥା ‘ଅନର୍ଥକ’ ଚିନ୍ତାପ୍ରଣାଳୀର ମୂଳ ସୂତ୍ରଧର ବୋଲି ଗ୍ରହଣ କରିଥିଲେ ।

 

ଅଲବର୍ଟ୍‌ କାମ୍ୟୁ ଥି‌ଲେ ସ୍ଥିତିବାଦ୍‌ ଦର୍ଶନର ଜନକ ଓ ଉଦ୍ଭଟ ଚିନ୍ତାର ପିତାମହ । ତାଙ୍କର ଯେଉଁ ମୌଳିକ ଅନୁଚିନ୍ତନରୁ ସାରସଂଗ୍ରହ କରି ଉଦ୍ଭଟ ନାଟକର ଚମକପ୍ରଦ କଳାଭଙ୍ଗୀ ବିକାଶ ଲାଭ କରିଥିଲା, ତାହା ହେଉଛି ଏହି ଯେ ଶିଳ୍ପସଭ୍ୟତାର ପ୍ରାକ୍‌କାଳରେ ମନୁଷ୍ୟ ଇହଧାମରେ ଯେତେବେଳେ ପଦାର୍ପଣ କରିଥିଲା ସେତେବେଳେ ଏକ ହେମବର୍ଣ୍ଣ ଚେତନାର ଅମଳିନ ସ୍ମୃତିରେ ତା’ର ଆତ୍ମା ପୁଲକିତ ହେଉଥିଲା । ପ୍ରମତ୍ତ ଜୀବନର ସୌଗନ୍ଧରେ ମହକି ଉଠୁଥିବା ତା’ସ୍ମୃତିର ସବୁଜ ବସୁନ୍ଧରା ଆଜି ଭାଗ୍ୟର ବିପର୍ଯ୍ୟୟରେ ଏକ ଧୂସରମରୁ ଉପତ୍ୟକା ଯେଉଁଠି ମନୁଷ୍ୟ ନିଃସଙ୍ଗ- ନିର୍ବାସିତର ବିଳାପ କରୁଛି । ଧର୍ମବିଶ୍ଵାସର ଅବକ୍ଷୟ ଯୋଗୁଁ ସ୍ଵର୍ଗ ହରାଇଥି‌ବା ମନୁଷ୍ୟ ଆଜି ତା’ର ଶୈଶବର ସାଥୀକୁ ହରାଇ ନିଜକୁ ମହାଶୂନ୍ୟର ପଥଚାରୀ କରିଦେବା ସଙ୍ଗେ ସଙ୍ଗେ ପ୍ରତି ମୁହୂର୍ତ୍ତରେ ଜୀବନ୍ମୃତ୍ୟୁର ଉତ୍କଟ ଯନ୍ତ୍ରଣା ଭୋଗକରୁଅଛି । ବିଶ୍ଵଯୁଦ୍ଧର ଧକ୍କା ଯେତେବେଳେ ଧର୍ମ ଓ ଦର୍ଶନର ଅର୍ଥହୀନତା ପ୍ରମାଣ କରି ମାନବର ମୋହଭଙ୍ଗ କରୁଥିଲା, ସେତିକିବେଳେ ସ୍ଥିତିବାଦୀ ଦାର୍ଶନିକର ଅଗ୍ନିବର୍ଷା ଉଦ୍‌ବୋଧନ ବାରୁଦଗଦାରେ ନିଆଁଝୁଲର ସଂଯୋଗ ଭଳି ସଭ୍ୟତାର କେନ୍ଦ୍ରରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥି‌ଲା । ଯୁଦ୍ଧର ପ୍ରଥମ ତୋପଗର୍ଜନ ସହିତ ତାଳଦେଇ ସ୍ଥିତିବାଦ ଶୈଳୀର ବିଶ୍ଵକର୍ମା କାମ୍ୟୁ ବଜ୍ରକଣ୍ଠରେ ଯେଉଁ ଅନହୁତି ଘୋଷଣା କଲେ, ଯେ ଅସାର୍ଥକ ଜୀବନର ଶୂନ୍ୟତାଠାରୂ ମୃତ୍ୟୁର ଶୂନ୍ୟତା ଅଧିକ ସ୍ୱାଗତଯୋଗ୍ୟ ଏବଂ ବ୍ୟର୍ଥତାର ଯନ୍ତ୍ରଣାରୁ ମୁକ୍ତି ପାଇଁ ଆତ୍ମହତ୍ୟାର ପଥ ଉନ୍ମୁକ୍ତ, ତାହାଥି‌ଲା ସଭ୍ୟତାର ଇତିହାସରେ ଚରମ ଦୂର୍ଭାଗ୍ୟର ମୁହୂର୍ତ୍ତ । କାମ୍ୟୁ ପ୍ରଥମଥର ପାଇଁ ମନୁଷ୍ୟର ମନସ୍ତତ୍ତ୍ଵରେ କେବଳ ମୃତ୍ୟୁର ମଞ୍ଜି ବୁଣିଦେଇ ନଥି‌ଲେ, ସାର୍ଥକତାର ଭାବନାରୁ ନୈତିକତାର ପ୍ରଶ୍ନ ଅଲଗା କରିଦେଇ ମୃତ୍ୟୁକୁ ଜୀବନଠାରୁ ଅଧିକ ଆକର୍ଷଣୀୟ କରିଥିଲେ । ମନୁଷ୍ୟ ତା’ର ପରିଚିତ ପରିବେଶରୁ ମାନସିକ ସ୍ତରରେ ଥରେ ବିଚ୍ଛିନ୍ନ ହୋଇଗଲେ ପୃଥି‌ବୀର ଦୈନନ୍ଦିନ ଘଟଣା ଓ ବସ୍ତୁ ସବୁ ଦୁର୍ବୋଧ୍ୟ ହୋଇଯିବା ସଙ୍ଗେ ସଙ୍ଗେ ଆତ୍ମିୟତାର ଭାବନା ମଧ୍ୟ ପ୍ରହେଳିକା ପରି ମନେହୁଏ । ଯେତେବେଳେ ମନୁଷ୍ୟ ଓ ତା’ର ଜୀବନ ମଧ୍ୟରେ ସଂପର୍କ ଛିନ୍ନ ହୋଇଯାଏ କିମ୍ବା ଇନ୍ଦ୍ରିୟାନୂଭୂତି ଓ ବିବେକ ମଧ୍ୟରେ ସଂଘର୍ଷ ତୀବ୍ରତର ହୁଏ ସେହିସବୁ ଅସ୍ଵସ୍ତିକର ବାୟୁମଣ୍ଡଳର ଖାପଛଡ଼ା ଅନୁଭୂତି କାମ୍ୟୁଙ୍କ ବ୍ୟାଖ୍ୟାରେ ଉଦ୍ଭଟ ଦର୍ଶନର ଅନ୍ତଃସ୍ଥଳ । କାମ୍ୟୁଙ୍କ ଭାବନାକୁ ଅଧିକ ପ୍ରାଞ୍ଚଳ ଭାବରେ ପାଠକ ଆଗରେ ଥୋଇବା ପାଇଁ ବିଶିଷ୍ଟ ଫରାସୀ ଲେଖକ ଓ ‘ଦି ଚେୟାରସ୍‌’ (The Chairs) ନାମକ ପ୍ରସିଦ୍ଧ ଭଦ୍ଭଟନାଟକର ସ୍ରଷ୍ଟା ଆଉ ପାଦେ ଆଗକୁ ଯାଇ ଦର୍ଶାଇଛନ୍ତି ଯେ ମନୁଷ୍ୟ ଆଧ୍ୟାତ୍ମିକ ଓ ପରମାର୍ଥି‌କ ପ୍ରେରଣାର ମୂଳସ୍ରୋତରୁ ଅଲଗାହୋଇ ଆଜି ଯେ କେବଳ ଗୋଟିଏ ମୂଳହୀନ ଗଣ୍ଡି ଭଳି ଆକାଶରେ ଝୁଲୁଛି ତାହା ନୁହେଁ, ଅସୀମର ଆହ୍ୱାନ ପ୍ରତି କର୍ଣ୍ଣପାତ ନ କରିବାଦ୍ୱାରା ତା’ର ପ୍ରତ୍ୟେକ କାର୍ଯ୍ୟକୁ ଅନର୍ଥକ ଓ ତାତ୍ପର୍ଯ୍ୟହୀନ କରିଦେଇଛି । ନିରର୍ଥକତାର ମହାଶୂନ୍ୟରେ ବୁଡ଼ି ଯାଇଥି‌ବା ମନୁଷ୍ୟର ଜୀବନ ବ୍ୟର୍ଥ ଓ ଉପହସନୀୟ ହୋଇଥିବାରୁ ତା’ର ଯନ୍ତ୍ରଣା ମଧ୍ୟ କରୁଣା କିମ୍ବା ସମ୍ବେଦନାର ଉଦ୍ରେକ ପାଇଁ ଅସମର୍ଥ ହୋଇଥାଏ । ପ୍ରାଚୀନ ଭାରତୀୟ ସଂସ୍କୃତିର ଶ୍ରେଷ୍ଠ କାବ୍ୟକଳା ମହାଭାରତରେ ଉଦ୍ଭଟ ଭାବନାର ଏକ ନଜିର ଦେଖବାକୁ ମିଳେ । ବିଶାଳ କୌରବସେନାର ସମ୍ମୁଖୀନ ହେଲାବେଳେ ଅର୍ଜୁନ କେବଳ ଅନୁଶୋଚନାର ଗ୍ଲାନିରେ ଜର୍ଜରିତ ହୋଇ ନଥିଲେ, ବିଜୟର ଦ୍ୱାରଦେଶରେ ଛିଡ଼ା ହୋଇ ସଭ୍ୟତାର ଶ୍ମଶାନ ଉପରେ ଅହମିକାର ନିରର୍ଥକତା ଓ ବଞ୍ଚିରହିବାର ଅର୍ଥହୀନତା ଉପଲବ୍ଧି କରିଥିଲେ ଏବଂ ଏହି ଆତ୍ମବିଷାଦର ମାନସିକ ସ୍ଥିତି ହେଉଛି ଉଦ୍ଭଟ କଳ୍ପନାର ଅଙ୍କୁରୋଦ୍‌ଗମ ପାଇଁ ଉର୍ବର କ୍ଷେତ୍ର । ଅର୍ଜୁନଙ୍କ ଧର୍ମ-ସଂକଟର ମାନସିକ ଦ୍ୱନ୍ଦ୍ୱ ଥିଲା ବିଶ୍ଵଚେତନାର ଅନ୍ତଃସ୍ରୋତରେ ମାନବାତ୍ମାର ପ୍ରଥମ ପ୍ରତିଧ୍ଵନି ଯାହାକି ପରବର୍ତ୍ତୀ ଯୁଗରେ ମାନବିକତାର ଉପାଦାନ ରୂପେ ସଭ୍ୟତାର ନୈତିକ ପୃଷ୍ଠଭୂମିରେ ସାମିଲ ହୋଇଥିଲା ।

 

ସ୍ଥିତିବାଦ ଓ ଉଦ୍ଭଟ ଏ ଦୁଇ ପ୍ରକାରର ଜୀବନଦର୍ଶନ ଗୋଟିଏ ସାଂସ୍କୃତିକ ପୃଷ୍ଠଭୂମିରୁ ନିଃସୃତ ହୋଇଥି‌ଲେ ମଧ୍ୟ ଦୃଷ୍ଟିଭଙ୍ଗୀର ତାରତମ୍ୟରେ ଅନତିକ୍ରମ୍ୟ ବ୍ୟବଧାନ ରହିଅଛି । ଅସ୍ତିତ୍ଵସମ୍ବନ୍ଧୀୟ ସୂକ୍ଷ୍ମ ବିଶ୍ଳେଷଣକୁ କଳାର ମାଧ୍ୟମ କରିଥି‌ଲେ ମଧ୍ୟ ସ୍ଥିତିବାଦର ନାଟ୍ୟକାର ନିଗୂଢ଼ ଜୀବନତତ୍ତ୍ୱର କୁହୁଡ଼ିରେ ବାଟ ହୁଡ଼ି ନଥିଲେ ବରଂ ସ୍ପଷ୍ଟଦିବାଲୋକରେ ମନୁଷ୍ୟର ଉଜ୍ଜ୍ୱଳ ମୁହଁ ଯେ କେବଳ ଦେଖି ପାରିଥିଲେ ତାହା ନୁହେଁ, ତା’ଠାରେ ଆତ୍ମବିଶ୍ଵାସର ସ୍ଵାଭିମାନ ଫେରାଇଆଣି ସଭ୍ୟତାର ଗୁଣାତ୍ମକମାନ ବୃଦ୍ଧିପାଇଁ ଉଦ୍ୟମ କରିଥିଲେ । ବୁଦ୍ଧିର କ୍ଷମତା ଓ ବର୍ଣ୍ଣନାକ୍ଷମ ଭାଷୀର ମୂଲ୍ୟନିର୍ଣ୍ଣାୟକ ଶକ୍ତିର ପ୍ରୟୋଗରେ ଅନେକ ଜଟିଳ ସମସ୍ୟାର ସହଜ ସମାଧାନର ପନ୍ଥା ନିରୂପଣ କରିବା ସଙ୍ଗେ ସଙ୍ଗେ ବୌଦ୍ଧିକ ଶକ୍ତିର ମୂଲ୍ୟନିର୍ଦ୍ଧାରଣ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ପ୍ଲାଟୋଙ୍କ ମୌଳିକ ଅନୁଚିନ୍ତାର ପ୍ରାମାଣିକ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇପାରିବ ବୋଲି ସ୍ଥିତିବାଦର ଦାର୍ଶନିକମାନେ ଦୃଢ଼ମତ ପୋଷଣ କରିଥିଲେ । ଉଦ୍ଭଟ ନାଟ୍ୟକାରମାନେ ସମାଜର ଚିତ୍ର କିମ୍ବା ଜୀବନର ତତ୍ତ୍ୱ ପ୍ରଦାନ କରିବାର ଅପଚେଷ୍ଟାରୁ ଦୂରରେ ରହି କେବଳ ପ୍ରେରଣାର ଅନ୍ତର୍ଦୃଷ୍ଟିରେ ମୁହୂର୍ତ୍ତକ ପାଇଁ ଉଦ୍‌ଭାସିତ ହୋଇଥିବା ଏକ ଦୁଷ୍ପ୍ରାପ୍ୟ ମାନସିକ ସ୍ଥିତିକୁ କଳାର ଗଣ୍ଡି ମଧ୍ୟରେ ଚିରକାଳ ଅଟକାଇ ରଖିବାର ସଫଳ ଉଦ୍ୟମ କରିବାକୁ ଯାଇ ଏପରି ଏକ ଆକସ୍ମିକ ମଞ୍ଚଶୈଳୀ ଆବିଷ୍କାର କରିଥି‌ଲେ ଯାହାଫଳରେ ମନୁଷ୍ୟ ଓ ତା’ର ଘନିଷ୍ଠ ପରିବେଶ, କିମ୍ବା ବୌଦ୍ଧିକ ଦର୍ଶନ ଓ ସାଂସାରିକ ଜୀବନ କିମ୍ବା ଅଭିନେତା ଓ ରଙ୍ଗମଞ୍ଚ ମଧ୍ୟରେ ଅଭୂତପୂର୍ବ ଐକ୍ୟବୋଧ ପ୍ରତିଷ୍ଠିତ ହୋଇପାରିଥିଲା ।

 

ବିଶ୍ଵସୃଷ୍ଟି ମୂଳରେ ଆଧ୍ୟାତ୍ମିକ ପ୍ରଭାବକୁ ଅସ୍ଵୀକାର କରି ପ୍ରକୃତିବାଦ (Naturalism) ନାମକ ଯେଉଁ ଉପନ୍ୟାସଶୈଳୀ ଫରାସୀ ସାହିତ୍ୟରେ ପ୍ରସାରିତ ହୋଇଥିଲା, ସେଥି‌ରୁ ଉପାଦାନ ସଂଗ୍ରହ କରି ସ୍ଵୀଡେନ ଲେଖକ ଷ୍ଟ୍ରିଣ୍ଡବର୍ଗ (Strindburg) ଅନ୍ତରଙ୍ଗ ନାଟକ (Intimate Drama) ନାମକ ଏକ ଜଟିଳ କଳାରୀତି ପ୍ରସ୍ତୁତ କରିଥି‌ଲେ ଏବଂ ଉଦ୍ଭଟ ନାଟକର କଳାଦର୍ଶନ ସେହି ନାଟ୍ୟଶୈଳୀଦ୍ଵାରା କେବଳ ପ୍ରଭାବିତ ହୋଇ ନଥିଲା, ନୂତନତ୍ୱର ଘୋଡ଼ା ଦୌଡ଼ରେ ତାକୁ ଟପି ଯାଇଥିଲା । ପାଶ୍ଚାତ୍ୟ ସଂସ୍କୃତିର ପରମ୍ପରା ମଧ୍ୟରେ ସଂଘଟିତ ହୋଇଥିବା ଏକ୍ସପ୍ରେସନିଜମ୍‌ Expressiomsim) ଦାଦା (dada) ଓ ସର୍ରିୟଲିଜମ୍‌ (Surrealism) ପରି ‘ଅଣବୌଦ୍ଧିକ’ ସାହିତ୍ୟିକ ଆନ୍ଦୋଳନ ଉଦ୍ଭଟ ଶୈଳୀର ବିକାଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ହେଁ ଦ୍ଵିତୀୟ ଦଶକରେ ଅଷ୍ଟ୍ରିୟାର ଲେଖକ ଫ୍ରାଞ୍ଜ କାଫ୍‌କାଙ୍କ ରଚିତ ‘ଦି ଟ୍ରାଏଲ’ (The Trial) ଓ ମେଟାମୋରଫସିସ (Metamorphosis) ପ୍ରଭୃତି ଉପନ୍ୟାସ ପ୍ରକୃତ ପକ୍ଷେ ଏହି ଦର୍ଶନର ଶକ୍ତିଶାଳୀ, ଆତ୍ମପ୍ରକାଶ ପାଇଁ ପଥ ସୁଗମ କରିଥିଲା । ସ୍ଵପ୍ନଲୋକ ଓ ମର୍ତ୍ତ୍ୟଲୋକକୁ ମିଶାଇ ଦେଇ କଳ୍ପନାର ଅନ୍ଧକାରମୟ ପୃଥିବୀରେ କାଫକା ଯେପରି ସ୍ଵପ୍ନ ଓ ବାସ୍ତବର ଗୋଲକଧନ୍ଦା ସୃଷ୍ଟି କଲେ ତାହା ପାଶ୍ଚାତ୍ୟ ସାହିତ୍ୟରେ ଉଦ୍ଭଟ ଦର୍ଶନର ମୂଳଦୂଆ ପକାଇଥିଲା । ଏହିସବୁ ଅତ୍ୟାଧୁନିକ କଳା ଆନ୍ଦୋଳନରୁ ଭିନ୍ନ ଭିନ୍ନ ଭାବନାର ଖିଅ ଧରି ଫରାସୀ ଲେଖକ ରବି-ଗ୍ରିଲେଟ୍‌ (Robbe - Grillet) ‘ନି ଉ ନଭେଲ’ ନାମକ ଯେଉଁ ଉପନ୍ୟାସଶୈଳୀ ପ୍ରବର୍ତ୍ତନ କରିଥି‌ଲେ ତାହାର ଆଭିମୁଖ୍ୟ ଏହି ଯେ ଉପନ୍ୟାସର ପରିକଳ୍ପନାରେ ଚରିତ୍ର-ଚିତ୍ରଣ ଓ ବିଷୟବସ୍ତୁ ପ୍ରଭୃତି ଗତାନୁଗତିକ ଉପାଦାନଗୁଡ଼ିକର ପ୍ରାସଙ୍ଗିକତା ନାହିଁ, କାରଣ ଚରିତ୍ର ଓ ଘଟଣା ଲେଖକଙ୍କ ନିୟନ୍ତ୍ରଣର ପରିସରଭୁକ୍ତ ନୁହେଁ । ଜଗତରେ ବାସ୍ତବତାର ସ୍ଥିତି ସ୍ଵତନ୍ତ୍ର ଯାହା ଉପରେ ମନୁଷ୍ୟ ତା’ର କର୍ତ୍ତୃତ୍ୱ ଜାହିର୍‌ କରିବା ଅସମ୍ଭବ । ମନୁଷ୍ୟର କଳ୍ପନା ଓ ଅନୁଭବ କେବଳ ତା’ର ବ୍ୟକ୍ତିତ୍ୱରେ ଚୌହଦୀ ମଧ୍ୟରେ ସୀମିତ । ୟୁରୋପୀୟ ଚେତନାର ବୃହତ୍ତର ପରିସର ମଧ୍ୟରେ ‘ଅନ୍ତରଙ୍ଗ ନାଟକ’ ‘ନିଉ ନଭେଲ୍‌’, ‘ଦାଦା’, ସର୍‌ରିୟଲିଜମ୍‌ ଓ ପିକାସୋଙ୍କ ଅତ୍ୟାଧୁନିକ ଚିତ୍ରକଳା ଶୈଳୀର ଯେଉଁସବୁ ନୂତନ ଚିନ୍ତାପ୍ରବାହ କଳା ଜଗତକୁ ଆଚ୍ଛାଦିତ କରିଥିଲା, ଉଦ୍ଭଟ ନାଟକ ସେସବୁର ଏକ ସମନ୍ୱିତ ଓ ମାର୍ମିକ ରୂପାନ୍ତରୀକରଣ । ଆଲୋକ ଓ ଛାୟାର କଠୋର ନିୟନ୍ତ୍ରଣ ଦ୍ୱାରା ପିକାସୋ ପୃଷ୍ଠଭୂମି ଓ ବିଷୟବସ୍ତୁର ଆତ୍ମିକ ଅବିଚ୍ଛିନ୍ନତା ପ୍ରତିପାଦିତ କରୁଥି‌ଲା ପରି ଉଦ୍ଭଟ ନାଟ୍ୟକାର ଚରିତ୍ରକୁ ମଳିନରୁ ମଳିନତର ଏବଂ କ୍ରମଶଃ ଅସ୍ପଷ୍ଟରୁ ଅସ୍ପଷ୍ଟତର କରିଦେଇ ଦିଗ୍‌ବଳୟରେ ନିଶ୍ଚିହ୍ନ କରିଦିଏ । ବ୍ୟକ୍ତିତ୍ୱହୀନ ଉଦ୍ଭଟ ଚିରିତ୍ର ଏକ ବିରଳ ବ୍ୟକ୍ତିତ୍ୱ ।

 

ସଂସାରର ଲୋକମାନଙ୍କୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇ ଥାଏ । ପ୍ରଥମ ଶ୍ରେଣୀର ଲୋକମାନେ କର୍ମରେ ବିଶ୍ଵାସ ରଖି ଶାରୀରିକ ସ୍ତରରେ କିଛି ନା କିଛି କାର୍ଯ୍ୟ କରିବାକୁ ସୁଖ ପାଆନ୍ତି । ଦ୍ୱିତୀୟ ଶ୍ରେଣୀର ଲୋକେ କେବଳ କର୍ମରେ ସନ୍ତୁଷ୍ଟ ହୋଇ ନପାରି ସ୍ୱପ୍ନର ସୁନ୍ଦର ଦୁନିଆଁ ପ୍ରତି ଆକୃଷ୍ଟ ହୁଅନ୍ତି । ତୃତୀୟ ଶ୍ରେଣୀର ଲୋକେ କର୍ମରୁ ଆଖି ଫେରେଇ ନେଇ କେବଳ ସ୍ଵପ୍ନ ଦେଖିବାକୁ ଭଲ ପାଆନ୍ତି ଏବଂ ସ୍ଵପ୍ନ ଦେଖିବା ମନୁଷ୍ୟର ପ୍ରଧାନ କର୍ତ୍ତବ୍ୟ ବୋଲି ବିଚାର କରନ୍ତି । ଚତୁର୍ଥ ଶ୍ରେଣୀଭୁକ୍ତ ମନୁଷ୍ୟ କର୍ମ ଓ ସ୍ଵପ୍ନ ଉଭୟ ପ୍ରତ୍ୟାଖ୍ୟାନ କରି ନିଜ ମନର ଅନ୍ଧକୂପ ମଧ୍ୟରେ ଲୁଚି ରହେ ଯେଉଁଠି ବାହ୍ୟ ଜଗତର ପବନ ଓ ଆଲୋକର ସନ୍ଧାନ ମିଳେ ନାହିଁ । ସାହିତ୍ୟରେ ଚରିତ୍ରର ଚିତ୍ରଣ ପାଇଁ ଏହି ସ୍ଵଭାବର ମନୁଷ୍ୟମାନଙ୍କର ପ୍ରାସଂଗିକତା ଅଧିକ ଏବଂ ଆଧୁନିକ ଉପନ୍ୟାସ ଓ ନାଟକର ଆଗଧାଡ଼ି ଚରିତ୍ରମାନଙ୍କ ସହିତ ତାଙ୍କର ଘନିଷ୍ଠ ଆତ୍ମୀୟତା ରହିଅଛି । ଉଜ୍ଜ୍ୱଳ ଓ ସୂର୍ଯ୍ୟାଲୋକର ଆଢୁଆଳରେ ରହୁଥି‌ବା ଏ ଚରିତ୍ରମାନେ ନିଜ ବ୍ୟକ୍ତିତ୍ୱର ବନ୍ଦୀଶାଳାରେ ଆବଦ୍ଧ ହୋଇ କଳ୍ପନାର ଏପରି ଏକ ନିଷିଦ୍ଧ ଅଞ୍ଚଳରେ ବିଚରଣ କରନ୍ତି ଯେଉଁଠି ନୀରବତା ଓ କୋଳାହଳର ମଧ୍ୟସ୍ଥଳରେ ଜୀବନର ତନ୍ଦ୍ରାଳୁସ୍ଥିତି ସ୍ଵତନ୍ତ୍ର । ତାଙ୍କ ବ୍ୟକ୍ତିତ୍ଵର ପ୍ରତିରୂପ ହେଉଛି ଅସଂଖ୍ୟ ଅଇନା ଖଞ୍ଜା ହୋଇଥିବା ଏକ କୋଠରୀ, ଯେଉଠି ନିଜସ୍ୱ ରୂପର ଅଜସ୍ର ପ୍ରତିଛବି ମଧ୍ୟରେ ମନୁଷ୍ୟ ତା'ର ନିଜ ମୁହଁକୁ ମଧ୍ୟ ଚିହ୍ନିପାରେ ନାହିଁ ।

 

ଉଦ୍ଭଟ ନାଟକର ଅସାଧାରଣ ଶୈଳୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ହେଲେ ସାଧାରଣ ନାଟକଠାରୁ ଏହାର ଦୁରତ୍ୱର ଗୁଣାତ୍ମକ ବିଶ୍ଳେଷଣ କରିବା ଆବଶ୍ୟକ । ସାମାଜିକ ଜୀବନର ପରିପ୍ରେକ୍ଷୀରେ ଏକ ଉପଭୋଗ୍ୟ କାହାଣୀ ଛଳରେ ଚରିତ୍ର ଚିତ୍ରଣ ଓ ସମାଲୋଚନାର କ୍ଷେତ୍ର ପ୍ରସ୍ତୁତ କରିବା ପରମ୍ପରାପୁଷ୍ଟ ନାଟକର ଫର୍ମୁଲା ହୋଇଥି‌ଲା ବେଳେ ଉଦ୍ଭଟ ଶୈଳୀର ଅବାନ୍ତର ନାଟକ ଝଙ୍କାର ବାହାରପଟ କିମ୍ବୁତ ପୃଥିବୀର ଏକ ଝଲକ ଦେଖାଇ ଦେବାର ଉଦ୍ୟମ କରିଥାଏ । ଏହି ଅପାଂକ୍ତେୟ ରଚନାରେ ସାମାଜିକ କିମ୍ବା ନୈତିକ ମୂଲ୍ୟବୋଧର ଗମ୍ଭୀର ସମସ୍ୟା ଉତ୍‌ଥାପିତ ହୋଇ ନଥାଏ ଏବଂ ସାଂସାରିକ ଜୀବନକୁ ସ୍ପର୍ଶ କରୁଥିବା କୌଣସି ଘଟଣା ପ୍ରସଙ୍ଗର ଆଭାସ ମଧ୍ୟ ନଥାଏ । ଏଥି‌ରେ କୌଣସି ଘଟଣା ଘଟେ ନାହିଁ ଏବଂ ଘଟଣା ଓ ଚରିତ୍ରର ସଂଘର୍ଷ ଅଭାବରେ ଜୀବନ ପ୍ରବାହର ତୀବ୍ରତା ହାସଲ ପାଇଥାଏ । ଘଟଣାର ଜଟିଳତା ମଧ୍ୟରେ ଚରିତ୍ରର ଅଭିବୃଦ୍ଧି ସାଧନ ପାରମ୍ପରିକ ନାଟକର ଆଭିମୁଖ୍ୟ ହୋଇଥିଲା ବେଳେ ଘଟଣାହୀନତା ମଧ୍ୟରେ ଚରିତ୍ରର ବିଲୁପ୍ତିସାଧନ ଓ ଜାଗତିକ ସ୍ଥାଣୁତ୍ୱର ଭାବନା ଉଦ୍ଭଟ ଅନୁଚିନ୍ତାର ଅନୁଜୀବ୍ୟ । ଏଇ ନାଟକ ଦୃପ୍ତ ଜୀବନର ସ୍ପଷ୍ଟଚିତ୍ର ପରିବର୍ତ୍ତେ ଅବଚେତନର ଅସ୍ପଷ୍ଟସ୍ଥିତି ରୂପାୟନ କରି କେବଳ ସ୍ୱପ୍ନ ଓ ଦୁଃସ୍ଵପ୍ନର ସୀମା ସରହଦ ଉଠାଇ ଦେଇ ନାହିଁ, ନାଟକର ପରିକଳ୍ପନାରେ ମାନବିକତାର ଉପାଦାନ ଗୌଣ କରିଦେଇ କଳାର କେନ୍ଦ୍ରରେ ଶୂନ୍ୟତାର ଅନ୍ଧକାର ସୃଷ୍ଟି କରିଅଛି । ରଙ୍ଗମଞ୍ଚ ଉପରେ ଏକ ପ୍ରକାର ଦୃଶ୍ୟ ଦୀର୍ଘ ସମୟ ପ୍ରଦର୍ଶିତ ହେବାର ତାତ୍ପର୍ଯ୍ୟ ଏହି ଯେ ପରିଦୃଷ୍ଟ ଘଟଣା ପ୍ରବାହର ଅନ୍ତରାଳରେ ମନୁଷ୍ୟର ମୌଳିକ ସ୍ଥିତି ଅପରିବର୍ତ୍ତିତ ଓ ଅପରିବର୍ତ୍ତନୀୟ ରହିଅଛି ଓ ରହିଥିବ । ପୃଥିବୀରେ ମୂଲ୍ୟର ଅନ୍ୱେଷଣ ଅମୂଳକ । ପୂର୍ବକାଳରେ ପାରମ୍ପରିକ ନାଟକ ମାନବ ସଭ୍ୟତାକୁ ବିଶ୍ଵଗୋଲକର ଅଂଶ ରୂପେ ଗ୍ରହଣ କରି ମନୁଷ୍ୟକୁ ଯେ କେବଳ ନୈସର୍ଗିକ ଶକ୍ତିର ପ୍ରତୀକ ରୂପେ ଦେଖିଲା ତାହା ନୁହେଁ, ଭାଗ୍ୟ ବିପର୍ଯ୍ୟୟର ପରାଜୟରେ ମଧ୍ୟ ତାହାକୁ ଗୌରବରେ ବିମଣ୍ଡିତ କରିଥିଲା । କିନ୍ତୁ ଉଦ୍ଭଟ ନାଟକର ପରିକଳ୍ପନାରେ ବିଶ୍ଵଗୋଲକ ଥିଲା ଏକ ମୂଲ୍ୟହୀନ, ଅକାରଣ ଓ ଅନାବଶ୍ୟକ ସ୍ଥିତି ଯେଉଁଠି ମନୁଷ୍ୟ ମଧ୍ୟ ଏକ ଆତ୍ମାହୀନ, ଅର୍ଥହୀନ ଓ କ୍ଲେଦାନ୍ତ ଜୈବିକ ସତ୍ତା । ମହାଶୂନ୍ୟରୁ ମନୁଷ୍ୟର ଉତ୍ପତ୍ତି ଏବଂ ମୁହୂର୍ତ୍ତର ବ୍ୟବଧାନ ପରେ ପୁଣି ସେହି ଅନନ୍ତ ଶୂନ୍ୟତାରେ ତା’ର ବିଲୁପ୍ତି । ଏହି ଉତ୍ପତ୍ତି ଓ ବିଲୁପ୍ତିକୁ ସଂଯୋଗ କରୁଥିବା କ୍ଷୀଣ ଜୀବନରେଖା ସଂପୂର୍ଣ୍ଣ ଅନିଶ୍ଚିତ ଓ ଉଦ୍ଭଟ ।

 

କେତେକ ଅଦୂରଦର୍ଶୀ ପାଠକ ଓ ସମାଲୋଚକ ମତପୋଷଣ କରନ୍ତି ଯେ ଉଦ୍ଭଟ ନାଟକ ଓ ଆଧୁନିକ ଚିତ୍ରକଳା ଦାୟିତ୍ୱଶୂନ୍ୟ ରଚନାପ୍ରକ୍ରିୟାକୁ ଉତ୍ସାହିତ କରୁଥିବାରୁ ତାହା ଆଦର୍ଶକଳାର ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହୋଇ ନପାରେ । କଳାର ରଚନା ପଦ୍ଧତି ଯେତେ କଠିନ ଓ କଷ୍ଟସାଧ୍ୟ ହେବ ତା’ର ଉପଭୋଗ୍ୟତା ଓ ସାରଗର୍ଭକତା ସେହି ଅନୁପାତରେ ବୃଦ୍ଧି ପାଇଥି‌ବାର ଅନେକ ନଜିର୍‌ ରହିଅଛି । ସେହି ଦୃଷ୍ଟିରୁ ଅଯତ୍ନଲବ୍ଧ ଓ ସହଜସାଧ୍ୟ କଳାକୃତି ଅନାକର୍ଷଣୀୟ ଓ ଅନାଦୃତ ହେବା ଅସ୍ଵାଭାବିକ ନୁହେଁ । ଏହି ଯୁକ୍ତି ଆପାତତଃ ଗ୍ରହଣୀୟ ମନେ ହେଉଥିଲେ ହେଁ ଉଦ୍ଭଟ ନାଟକର ନିର୍ମାଣଶୈଳୀକୁ ଅଯତ୍ନ - ସମ୍ଭୂତ ଓ ଅନାୟାସଲବ୍ଧ କହି ଏବଂ ଉଦ୍ଭଟ ଦର୍ଶନକୁ ଦାୟିତ୍ୱହୀନତାର ବଦନାମ ଦେଇ ତାକୁ ଉଚ୍ଚକୋଟରକଳାର ମର୍ଯ୍ୟାଦାରୁ ବଂଚିତ କରିବାରେ କୌଣସି ଯଥାର୍ଥତା ନାହିଁ । ବାଚାଳର ବାଜେ କଥା କିମ୍ବା ପାଗଳ ଗାରଦର ପ୍ରଳାପଗୁଡ଼ିକୁ ଆକ୍ଷରିକ ସଂକଳିତ କରିଦେଲେ ଗୋଟିଏ ଉଦ୍ଭଟ ନାଟକ ଲେଖା ହୋଇଯିବ ନାହିଁ, ଯେପରି ଚଗଲା ପିଲାଟିଏ କାଗଜ ଉପରେ ମନଇଚ୍ଛା ଆଡ଼ୁସାଡ଼ୁ ପେନ୍‌ସିଲ୍‌ ଗାର ଟାଣିଦେଲେ ମଡର୍ଣ୍ଣ ଆର୍ଟ ହୋଇଯିବ ନାହିଁ । ପ୍ରତିଷ୍ଠିତ ପରମ୍ପରାର ପରିସର ମଧ୍ୟରେ ଉଚ୍ଚକୋଟୀ ନାଟକର ପରିକଳ୍ପନା ଅପେକ୍ଷାକୃତ ସହଜ ହୋଇପାରେ କିନ୍ତୁ ଆଖିଆଗରେ ଆଦର୍ଶର ପ୍ରେରଣା ନଥାଇ କିମ୍ବା ସାଂସ୍କୃତିକ ମୂଲ୍ୟବୋଧର ଉର୍ଦ୍ଧ୍ୱରେ ଲେଖାହୋଇଥିବା ନାଟକ ସାହିତ୍ୟ ଜଗତର ସ୍ଵୀକୃତି ପାଇବାକୁ ହେଲେ ପାଠକର ରୁଚି ଓ ସମାଲୋଚକର ମାନର କଷଟିରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ-। ଇନ୍ଦ୍ରିୟାନୁରକ୍ତ ପୃଥିବୀର ଉର୍ଦ୍ଧ୍ୱରେ ଅତିମାନସ ଚେତନାର ଝଲକରେ ମନୁଷ୍ୟର ତମସାଚ୍ଛନ୍ନ ପ୍ରାଣରେ ଆଶାର ଆଲୋକ ଶିଖା ଜଳାଇଦେବାର ପ୍ରବୃତ୍ତି ଉଦ୍ଭଟ ନାଟ୍ୟକାରକୁ ଅନୁପ୍ରେରିତ କରିଥି‌ବାରୁ ଗତାନୁଗତିକ ସମାଲୋଚନାର ପ୍ରଚଳିତ ମାନ ତା’ ପ୍ରତି ପ୍ରଯୁଜ୍ୟ ନୁହେଁ । ଆଖିଆଗର ଅର୍ଥହୀନ ଦୃଶ୍ୟାବଳୀର ନେପଥ୍ୟ ମୁହ୍ୟମାନ ହେଉଥି‌ବା ଏକ ଅପହଞ୍ଚ ସ୍ଥିତିର ନିକଟବର୍ତ୍ତୀ ହେବା ଉଦ୍ଭଟ ଦର୍ଶନର ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟସାଧନରେ ଉଦ୍ଭଟ ନାଟକ ଏକ ଚମତ୍କାର ଫନ୍ଦି । ଏହି ଅଜବ ରଚନାଭଙ୍ଗୀ ଇତିହାସ ଓ ସମାଜର ପ୍ରସଙ୍ଗରୁ ଅଲଗା ରହି ଅପସଂସ୍କୃତିର ଅପକୀର୍ତ୍ତି ଅର୍ଜନ କରିଥିଲେ ମଧ୍ୟ ଏହା ଧର୍ମ ଓ ସଂସ୍କୃତିର ପରମ୍ପରାରୁ ବିଚ୍ୟୁତ ହୋଇ ନାହିଁ । ସାହିତ୍ୟର ପ୍ରଚଳିତ ରୀତିରେ ଉଦ୍ଭଟ ନାଟକର ଗଠନ ପ୍ରଣାଳୀ ନିର୍ଣ୍ଣିତ ହୋଇ ନଥି‌ବାରୁ ରକ୍ଷଣଶୀଳ ସମାଲୋଚକର କଠୋର ଦୃଷ୍ଟିରେ ଖାମଖିଆଲି ଓ ଦାୟିତ୍ୱଶୂନ୍ୟ ରୂପେ ଅବଧାରିତ ହେବା ସ୍ଵାଭାବିକ । ଏହାର ଅଣସାହିତ୍ୟିକ, ଅଣସାଂସ୍କୃତିକ, ଅଣଧର୍ମୀଣ, ଅଣପାରମ୍ପରିକ, ଅଣବୌଦ୍ଧିକ, ଅଣମାନବିକ, ଏପରିକି ଅଣଜୀବନଧର୍ମୀ ଜୀବନପ୍ରକ୍ରିୟା ଅର୍ଥହୀନତାର ଏକ ଘଟାଟୋପ ଯାହାର ଅନ୍ତରାଳରେ ମହତ୍ତର ସତ୍ତା ଅନୁସନ୍ଧାନ ଏହି ନାଟକର ଅଭିପ୍ରେତ ଏବଂ ଚେତନାର ଏକ ସମୁଜ୍ଜ୍ୱଳ ସ୍ଥିତିକୁ ଉତ୍ପତିତ ହୋଇ ଏହି ନାଟକ ଗ୍ରୀକ୍‌ ଟ୍ରାଜେଡ଼ିର ମାନସିକ ସ୍ତରରେ ପହଞ୍ଚି ପାରିଥିଲା କିନ୍ତୁ ପାର୍ଥକ୍ୟ ଏହି ଯେ ଗ୍ରୀକ୍‌ ସାହିତ୍ୟର ସାରଥୀମାନେ ତାଙ୍କ ଆତ୍ମଦର୍ଶନ, ଧର୍ମଚେତନା ଓ ସମାଜଶୃଙ୍ଖଳର ସୀମା ସରହଦ ମଧ୍ୟରେ ସୀମିତ କରିଥିଲାବେଳେ ଉଦ୍ଭଟ ଦର୍ଶନର ବ୍ୟାଖ୍ୟାକାରମାନେ ଏକ ଧର୍ମବିବର୍ଜିତ ଓ ସମାଜ-ବହିର୍ଭୂତ ଚିନ୍ତାଧାରା ମଧ୍ୟରେ କେବଳ ନୂତନ ମାନବ-ଧର୍ମର ପରିକଳ୍ପନା କରି ନଥିଲେ, ଆତ୍ମନିଃସାରିତ ପୃଥିବୀବକ୍ଷରେ ପୁଣିଥରେ ସବୁଜ ଜୀବନର ଢେଉ ଖେଳାଇ ଦେବାର ଦୁଃସାହସିକ ପଦକ୍ଷେପ ନେଇଥିଲେ ।

 

ପ୍ରେରଣାର ଅନୁରକ୍ତି ଓ ଲକ୍ଷ୍ୟସାଧନର ଆତ୍ମ-ନିବିଷ୍ଟତା ଉଦ୍ଭଟ ଶୈଳୀକୁ ଆଧ୍ୟାତ୍ମିକ ଚେତନାର ମହିମ୍ମ ସ୍ଥିତିକୁ ପହଞ୍ଚାଇବା ସଙ୍ଗେ ସଙ୍ଗେ ରଙ୍ଗମଞ୍ଚକୁ ଗୀର୍ଜା, ମନ୍ଦିର କିମ୍ବା ମସ୍‌ଜିଦ୍‌ ପ୍ରଭୃତି ଧର୍ମପୀଠର ମର୍ଯ୍ୟାଦାରେ ଭୂଷିତ କରିଥିଲା । ପ୍ରେକ୍ଷାଳୟରେ ସମବେତ ଦର୍ଶକମାନେ ମୁନିୠଷିଙ୍କ ଦିବ୍ୟଜ୍ଞାନପ୍ରାପ୍ତି ଭଙ୍ଗୀରେ ଆଦିମ ପ୍ରବୃତ୍ତିର ରହସ୍ୟ କେବଳ ଭେଦ କରିବାକୁ ସମର୍ଥ ହୋଇ ନଥିଲେ, ଦୂଷୀତ ବାୟୁମଣ୍ଡଳର ଉର୍ଦ୍ଧ୍ୱରେ ଏକ ମହାଜାଗତିକ ମୌଳିକ ସତ୍ୟର ଧାରଣା ମଧ୍ୟ ଅର୍ଜନ କରିପାରିଥି‌ଲେ । ଏକ ମହାନ୍‌ ସତ୍ତାର ଅଙ୍ଗୀଭୂତ ଅନୁଭବ ପ୍ରତ୍ୟେକ ଧର୍ମର ଅନ୍ତଃସ୍ଥଳକୁ ସିକ୍ତ କରିଥିଲା ବେଳେ ମନ୍ତ୍ରୋଚ୍ଚାରଣ, ପୂଜାର୍ଚ୍ଚନା, ଆରାଧନା ଓ ଅନ୍ୟାନ୍ୟ ଧର୍ମୀଣ ଉପଚାର ମାନବପ୍ରାଣରେ ଶାଶ୍ୱତ ଜୀବନର ମହାନୁଭୂତି ସଞ୍ଚାର କରେ । ଭଗବତ୍‌ ଚେତନାର ଦ୍ରୁତ ଅବକ୍ଷୟ ସଭ୍ୟତାର କେନ୍ଦ୍ରରେ ଯେଉଁ ଫାଟ ସୃଷ୍ଟି କରିଥିଲା ତାହାକୁ ବିଜ୍ଞାନ କିମ୍ବା ଦର୍ଶନ ଏଯାବତ୍‌ ସମତୁଲ କରିପାରି ନାହିଁ । ନିଃସଙ୍ଗତାବୋଧ ଏପରି ଏକ ଦୁରାରୋଗ୍ୟ ବ୍ୟାଧି ଯାହାର ବିଷାକ୍ତ ଜୀବାଣୁଦ୍ୱାରା ଥରେ ଆକ୍ରାନ୍ତ ହେଲେ ତାର ବିଷଚକ୍ରରୁ ଆଜୀବନ ନିସ୍ତାର ମିଳେ ନାହିଁ । ନିଃସଙ୍ଗତାର ଉତ୍‌ପୀଡ଼କ ଅନୁଭୂତି ମନୁଷ୍ୟର ମନସ୍ତତ୍ତ୍ୱରେ ବୁଣିଦିଏ ଧ୍ଵଂସାତ୍ମକ ନାସ୍ତିକତାର ବିଷମଞ୍ଜି ଯେଉଁଥିରୁ ଉଦ୍ଭଟ ଚିନ୍ତାର ଭାବସ୍ରୋତ ନିଃସୃତ ହୋଇଥାଏ । ଯେଉଁ ନିଃସଙ୍ଗତାବୋଧର ମ୍ୟାଜିକ ବଳରେ ସେକ୍‌ସପିଅରଙ୍କ ହାମଲେଟ, କିଂ ଲିୟର ଓ ରିଚାର୍ଡ଼ ଦ୍ୱିତୀୟ ପ୍ରଭୃତି ଚରିତ୍ର ଅନନ୍ତ ଜୀବନ ସହିତ ସଂଯୋଗିତ ହୋଇଥିବାରୁ ନାଟକର ପୃଷ୍ଠାରୁ ବାହାରି ଆସି ମାନବର କାଳଜୟୀ ଆତ୍ମାର ପ୍ରତୀକ ସ୍ଵରୂପ ପାଠକର ମନସ୍ତତ୍ତ୍ୱରେ ଯୁଗଯୁଗାନ୍ତର ଜୀବିତ ରହିଛନ୍ତି, ସେହି ମାନସିକତାର ପ୍ରତିନିଧିତ୍ୱ କରିଥିଲେ ବିଂଶ ଶତାବ୍ଦୀର ଉଦ୍ଭଟ ନାଟ୍ୟକାରମାନେ । ଯେନ୍‌ବୌଦ୍ଧ ଧର୍ମଗୁରୁମାନଙ୍କ ଶିକ୍ଷାଦାନ ବ୍ୟବସ୍ଥା ଓ ଉଦ୍ଭଟ ନାଟକର ଜ୍ଞାନମାର୍ଗ ପ୍ରଦର୍ଶନ ମଧ୍ୟରେ ସାମଞ୍ଜସ୍ୟ ଏହି ଯେ ଯେନ୍‌ ଧର୍ମଗୁରୁ ଆତ୍ମୋପଲବ୍‌ଧିର ଅଭ୍ୟୁଦୟ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଲା ବେଳେ ଆକସ୍ମିକ ପଦାଘାତ, ମୁଷ୍ଟିପ୍ରହାର କିମ୍ବା ଅଯଥା ଅବାନ୍ତର ପ୍ରଳାପ କଲାପରି ଉଦ୍ଭଟ ଭାବନାର ଦାର୍ଶନିକ ମାନବଭାଗ୍ୟର ଗୁରୁତର ପ୍ରଶ୍ନଗୁଡ଼ିକ ଉତ୍‌ଥାପନ କରିବାକୁ ଯାଇ ଅମୂଳକ ଘଟଣା ଓ ନିର୍ବୋଧ ଚରିତ୍ରର ଅବତାରଣା କରିଛନ୍ତି । ଗ୍ରୀକ୍‌ ଟ୍ରାଜେଡ଼ିର ବିଶ୍ଳେଷଣ ପାଇଁ ଅରିଷ୍ଟୋଟଲ (Arisotstle)ଙ୍କଦ୍ୱାରା ପ୍ରଣୀତ ‘କାଥାରସିସ’ (Catharsis) ନାମକ ସମାଲୋଚନାର ସୂତ୍ର ଉଦ୍ଭଟ ନାଟକର ଗୁଣାତ୍ମକ ମାନ ନିର୍ଣ୍ଣୟରେ ପ୍ରୟୋଗିତ ହେବା ବିଧେୟ । ରଙ୍ଗମଞ୍ଚରେ ପ୍ରଦର୍ଶିତ ରୋମାଞ୍ଚକର ଦୃଶ୍ୟ ଦର୍ଶକର ମନକୁ ଭୟ ଓ କରୁଣାର ଭାବସ୍ରୋତରେ ଆନ୍ଦୋଳିତ କରି ନୂତନ ପ୍ରେରଣାର ବାଟ ଫିଟାଇ ଦେଲାପରି ଉଦ୍ଭଟ ନାଟକର ଉଦ୍‌ବେଗପୂର୍ଣ୍ଣ ଛବି ଦର୍ଶକକୁ କେବଳ ଅଭିଭୂତ କରେ ନାହିଁ, ସୌନ୍ଦର୍ଯ୍ୟ ଓ ବିଭତ୍ସତା କିମ୍ବା ମାଧୁର୍ଯ୍ୟ ଓ ବିକଟତା କିମ୍ବା ହାସ୍ୟ ଓ ପୌଶାଚିକତା ଆଦି ପରସ୍ପରବିରୋଧୀ ପ୍ରକ୍ରିୟାର ସମକାଳୀନ ପ୍ରଦର୍ଶନ ମାଧ୍ୟମରେ ମାନସିକ ରୋଗର ଆରୋଗ୍ୟ ବ୍ୟବସ୍ଥା ମଧ୍ୟ କରିଦିଏ । ମନୋବିଜ୍ଞାନର ନିଦାନ ରୀତିରେ, ଉଦ୍ଭଟ ନାଟକ ପାଶବିକ ପ୍ରବୃତ୍ତି ସହିତ ମହତ୍ତର କଳ୍ପନାର ସଂଯୋଗ କରିବାଦ୍ୱାରା ଦୁଇଟି ଓଲଟ ଚିନ୍ତାର ସମ୍ମିଳନ ବାସ୍ତବତାର ପରିବୃତ୍ତକୁ ଆହୁରି ବିସ୍ତାରିତ କରିଥାଏ ।

 

ଉଦ୍ଭଟ ନାଟ୍ୟକାର ଜୀବନକୁ ତନ୍ନତନ୍ନ ପରୀକ୍ଷା କଲା ପରେ ମନୁଷ୍ୟର ବେଦନାକୁ ଯେପରି ଅନୁଭବ କରିଥିଲେ ତାହାର ବିଶ୍ଵସନୀୟ ତଥ୍ୟକୁ ନାଟକୀୟ ଭଙ୍ଗୀରେ ପ୍ରକାଶ କରିବା ପାଇଁ ଦୁଇଟି ଉପାୟ ଅବଲମ୍ବନ କରିଥିଲେ । ପ୍ରଥମଟି ହେଉଛି ପ୍ରଚଳିତ ଭାଷାର ଦୁରବସ୍ଥାପ୍ରତି ସଚେତନତା ଉଦ୍ରେକ ମାଧ୍ୟମରେ ସଭ୍ୟତାର ଉନ୍ମେଷ ସାଧନ ଓ ଦ୍ଵିତୀୟଟି, ଜାଗତିକ ସମସ୍ୟାପ୍ରତି ଭାବାବିଷ୍ଟ ଦୃଷ୍ଟିପାତଦ୍ଵାରା ମାନବ ଆତ୍ମାର ମହାଜାଗରଣ ପାଇଁ କ୍ଷେତ୍ରପ୍ରସ୍ତୁତି । ସାଂସ୍କୃତିକ ଅବକ୍ଷୟର ମୂଳ କାରଣ ଭାଷାର ଦ୍ରୁତ ଅବନତି । ଯେଉଁଭାଷା ଦିନେ ଆତ୍ମିକ ମିଳନର କ୍ଷେତ୍ର ଥିଲା ତାହା ଆଜି ବିଚ୍ଛିନ୍ନତାର ପ୍ରାଚୀରରୂପେ ଛିଡ଼ାହୋଇ ଯୋଗାଯୋଗର ପ୍ରତିବନ୍ଧକତା ସୃଷ୍ଟି କରିଅଛି । ସାମାଜିକ ଭାଷା ଯେ ଆଜି କେବଳ ଭାବନାର ଅନୁଗାମୀ କିମ୍ବା ପରିପୂରକ ହୋଇ ରହିନାହିଁ ତାହା ନୁହେଁ, ବାକ୍ୟବହୁଳତାଦ୍ୱାରା ପ୍ରକୃତ ଅର୍ଥକୁ ଶବ୍ଦର ଆଢ଼ୁଆଳରେ ଢାଙ୍କି ଦେବା ସଙ୍ଗେ ସଙ୍ଗେ ତା’ ଉପରେ ବିପରୀତ ମାନେ ଆରୋପ କରି ଭାଷାକୁ ଅକର୍ମଣ୍ୟ ଓ ବିକଳାଙ୍ଗ କରିଦେଇଛି । ଉଚ୍ଚାରିତ ଶବ୍ଦର ଆକ୍ଷରିକ ଅର୍ଥ ଓ ତା’ର ଅନୁଚ୍ଚାରିତ ବିପରୀତ ଅର୍ଥ ବିନିମୟ ପ୍ରକ୍ରିୟାକୁ ଯେପରି ବିକୃତ କରିଦେଇଛି ତାହା ଯଦି ଅବ୍ୟାହତ ରହିବାକୁ ଦିଆଯାଏ ତେବେ ଦିନ ଆସିବ ଯେତେବେଳେ ଛଳନା, ମିଥ୍ୟା ଓ ପ୍ରତାରଣା ଭାଷାର ମୁଖ୍ୟ ଉପାଦାନ ରୂପେ ସତ୍ୟକୁ ଚିରକାଳ ଉହାଡ଼ରେ ରଖିଦେବ । ଗୋଟିଏ ଭଙ୍ଗା ଦଦରା ନୌକା ସାହାଯ୍ୟରେ ମହାସାଗର ପାରିହେବାର ଉଦ୍ୟମ ଯେପରି ଦୁଃସାହସିକ ଏକ ତେଜୋହୀନ ଭାଷା ଉପରେ ମାନବ ସମାଜର ଗୁରୁଦାୟିତ୍ୱ ଲଦିଦେବା ସେହିପରି ଅପରିଣାମଦର୍ଶୀ । ବିଜ୍ଞାପନ ଶିଳ୍ପଗୁଡ଼ିକ ଯେପରି ଆକାଶବାଣୀ, ଦୂରଦର୍ଶନ, ଖବର କାଗଜ, ରଙ୍ଗୀନ ମ୍ୟାଗାଜିନ୍‌ର ପୃଷ୍ଠା ଓ ପ୍ରାଚୀରପତ୍ର ପ୍ରଭୃତି ଗଣମାଧ୍ୟମ ସାହାଯ୍ୟରେ ଅହର୍ନିଶ ସତ୍ୟକୁ ବିକୃତ କରି ଭାଷାର ବିଶ୍ଵସନୀୟତା ଧ୍ୱଂସ କରୁଛନ୍ତି ତାହା ସଭ୍ୟତାର ଚରମ ଅଧୋଗତିର ଲକ୍ଷଣ । ଉଦ୍ଭଟ ନାଟ୍ୟକାରମାନେ ଭାଷାସଂକଟ ଉପରେ ଗଭୀର ଅନୁଧ୍ୟାନ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ପ୍ରତ୍ୟେକ ଦାର୍ଶନିକ ମନନର ଅନ୍ତିମ ପର୍ଯ୍ୟାୟରେ ଭାଷାକୁ ସାମାଜିକ ସଂସ୍କୃତି ଓ ବ୍ୟାକରଣର ନୀଗଡ଼ରୁ ମୁକ୍ତକରି ଶବ୍ଦର ବ୍ୟୁତ୍ପତ୍ତି ଓ ପ୍ରୟୋଗରେ ସ୍ଵଚ୍ଛନ୍ଦତା ଅବଲମ୍ବନ କରିବା ପ୍ରୟୋଜନ । ମନୋବିଜ୍ଞାନର ବିଶ୍ଳେଷଣରେ ଏହା ପ୍ରମାଣିତ ହୋଇଯାଇଛି ଯେ ଜାଗ୍ରତାବସ୍ଥାରେ ମନୁଷ୍ୟ ଯେଉଁ ସୁସଙ୍ଗତ ଚିନ୍ତା ପ୍ରକଟ କରେ ତା’ର ବିପରୀତ ଭାବନା ପର୍ଦ୍ଦାର ପଛପଟେ ଲୁଚି ରହିଥାଏ ଏବଂ ଆଧୁନିକ ସମାଜର ରୁଚିପୂର୍ଣ୍ଣ ଭାଷା କେବଳ ସଚେତନ ମନର ପ୍ରତିଧ୍ଵନି ହୋଇଥି‌ଲାବେଳେ ଅବଚେତନର ଅତଳ ଅନ୍ଧକାରରେ ବୁଡ଼ି ରହିଥି‌ବା ଅସଂଯତ ମନଃସ୍ତତ୍ତ୍ୱର ପାଖ ସୁଦ୍ଧା ମାଡ଼ି ପାରେ ନାହିଁ । ଭାଷାର ଆମୂଳଚୂଳ ସଂସ୍କାର ଦ୍ୱାରା ଶବ୍ଦଗୁଡ଼ିକର ପୁନର୍ଗଠନ ହୋଇ ପାରିଲେ ଭାବନାର ଅଭିବ୍ୟକ୍ତିରେ ସ୍ଵାଭାବିକତା ଫେରିଆସିବା ସଙ୍ଗେ ସଙ୍ଗେ ତା’ର ପ୍ରଭାବ ଦ୍ୱିଗୁଣିତ ହୋଇପାରିବ । ଶବ୍ଦର ସଂକୋଚନ ଓ ପ୍ରସାରଣ ମାଧ୍ୟମରେ ପ୍ରକାଶଭଙ୍ଗୀର ପୁନର୍ବିନ୍ୟାସଦ୍ୱାରା ସଭ୍ୟତାର ମାନବୃଦ୍ଧି କରିବା ପାଇଁ ଉଦ୍ଭଟ ଶୈଳୀର ରଚୟିତାମାନେ ଅଣ୍ଟାଭିଡ଼ି ବାହାରିଥି‌ଲେ ।

 

ସମାଜର ସଂକଟ ଏକ ଭାଷାର ସଂକଟ ଏବଂ ନିପତିତ ଭାଷାର ପୁନଃଜାଗରଣ ବ୍ୟତୀତ ପ୍ରକୃତ ମାନବବାଦର ଅଭ୍ୟୁଦୟ ସମ୍ଭବ ହେବ ନାହିଁ । ସ୍ଵର୍ଣ୍ଣକାର ପୁରୁଣା ଗହଣାକୁ ଆଉଟି ନୂଆଗହଣା ଗଢ଼ିଲା ଭଳି ଉଦ୍ଭଟ ଲେଖକ ଭଙ୍ଗାରୁଜା, ଟୁକୁରା ଓ ଖଣ୍ଡବିଖଣ୍ଡିତ ଶବ୍ଦଗୁଡ଼ିକର କେବଳ ମରାମତି କରି ନାହାନ୍ତି, ଜଙ୍କଖିଆ ଭାଷାର ଅଳିଆଗଦା ସଫାକରି ନୂତନ ନିର୍ମାଣର ମୂଳଦୁଆ ପକାଇଛନ୍ତି ଯାହାଫଳରେ ଆମ ଉଚ୍ଛନ୍ନ ସମାଜ ପୁଣିଥରେ ତାଜା ଜୀବନର ଉଷ୍ମ ପ୍ରବାହରେ ତେଜୋଦୀପ୍ତ ହୋଇପାରିବ । ଭାଷା ଯେତିକି ପ୍ରକାଶକ୍ଷମ, ଅହଂଦୀପ୍ତ ଓ ପ୍ରାଣଚଞ୍ଚଳ ହେବ ସଭ୍ୟତା କଳାସଂସ୍କୃତିର ସମ୍ପଦରେ ସେତିକି ଏଶ୍ଵର୍ଯ୍ୟଶାଳୀ ହୋଇପାରିବ । ବହୁସନ୍ତାନର ଜନନୀ ବୟସାଧିକ୍ୟ ଶିଥିଳତାରେ ଯୌବନର ଉତ୍ତେଜନା ହରାଇଲାପରି ଶହ ଶହ ବର୍ଷର ମଥିତ, ଧର୍ଷିତ ଆମ ଭାଷା କ୍ଳାନ୍ତି ଓ ଅବସାଦରେ କେବଳ କ୍ଳୀବତ୍ୱପ୍ରାପ୍ତ ହୋଇ ନାହିଁ, ପ୍ରକାଶଶକ୍ତିର ହ୍ରାସତାରେ ସକ୍ରିୟ ଜୀବନରୁ ଓହରି ଯାଇଅଛି । କୀଟଦ୍ରଷ୍ଟ ଗୋଲାପ କଢ଼ର ଅକାଳମୃତ୍ୟୁ ହେଲାପରି ଜୀବନର ମହକରେ ସୁଗନ୍ଧିତ ଶବ୍ଦଗୁଡ଼ିକ ମନୁଷ୍ୟର ଛଳପ୍ରକୃତିରେ ବିଷଗ୍ରସ୍ତ ହୋଇ ଆଦିମ ପ୍ରବୃତ୍ତିର ଉଦ୍ଦାମତା ଓ ଅମଳିନ ଜୀବନର ସୌଗନ୍ଧ ହରାଇ ଦେଇଛି । ଏନ୍ତୁଡ଼ିଶାଳର ସଦ୍ୟଜାତ ଶିଶୁ ତା’ର କୋମଳ ତନ୍ତ୍ରୀର ମୃଦୁ କମ୍ପନରେ ଅପରିଜ୍ଞାତ ପୃଥି‌ବୀକୁ ସ୍ଵାଗତ କରୁଥି‌ଲା ପରି ମନରେ ସଦ୍ୟ ଅଙ୍କୁରିତ ଭାବନାଟି ରକ୍ତମାଂସର ଜୀବନ୍ତ କଣ୍ଢେଇଟି ପରି କଳ୍ପନାର ପ୍ରେରଣାକୁ ଆଲିଙ୍ଗନ କରେ । ଆତ୍ମା ଓ ପରମାତ୍ମାର ମହାମିଳନ ପରି ମନୁଷ୍ୟ ଓ ତା’ର ଭାଷା ଏକୀଭୂତ ହୋଇ ଦୁଜ୍ଞେୟ ରହସ୍ୟଗୁଡ଼ିକର ଅନୁସନ୍ଧାନ କରିପାରିଲେ ଏହି ଅନ୍ଧକାର ବିକଟ ପୃଥି‌ବୀରେ ପୁଣିଥରେ ଆଶାର ମଶାଲ ଜଳି ଉଠିବ ।

 

ଉଦ୍ଭଟ ନାଟକର ଦ୍ୱିତୀୟ ମୁଖ୍ୟ ଅବଦାନ ହେଉଛି ସାଂସାରିକ ଦୁଷ୍କର୍ମର ଉର୍ଦ୍ଧ୍ୱରେ ଆତ୍ମଜ୍ଞାନ ପ୍ରାପ୍ତିର ସୁଯୋଗ ସୃଷ୍ଟି । ଧ୍ୟାନମଗ୍ନ ତପସ୍ଵୀ ଏକନିଷ୍ଠତାର ଶକ୍ତିବଳରେ ଦିବ୍ୟଜ୍ଞାନ ଲାଭ କଲାପରି ଜୀବନର ମହାମନ୍ତ୍ରରେ ଦୀକ୍ଷିତ ମନସ୍ଵୀ ଉଦ୍ଭଟ ନାଟ୍ୟକାର ପ୍ରଗାଢ଼ ନିଷ୍ଠାର ସହ ଯେ କେବଳ ମନୁଷ୍ୟର ସମସ୍ୟା ଅନୁଧ୍ୟାନ କରୁଥିଲେ ତାହା ନୁହେଁ, ତାଙ୍କ ଦୁର୍ଲଭ ଅନୁଭବର ସଫଳ ରୂପାୟନ ପାଇଁ ନାଟକର ଆଭିମୁଖ୍ୟରେ ମଧ୍ୟ ମୌଳିକ ପରିବର୍ତ୍ତନ ଆଣିଥି‌ଲେ । କାବ୍ୟରଚନାର ସବୁ ଆନୁଷଙ୍ଗିକ ଉପାଦାନ ସହିତ ଏହି ନାଟକର ଅଣାକାର ଗଠନ ପ୍ରକ୍ରିୟା ଓତପ୍ରୋତ ଜଡ଼ିତ । ଗଦ୍ୟ ସାହିତ୍ୟଠାରୁ କାବ୍ୟକଳାର ବ୍ୟବଧାନ ଏହି ଯେ ପ୍ରେରଣାର ପୂର୍ଣ୍ଣ ଜାଗରଣ ଦ୍ଵାରା କଳ୍ପନାର ସାଂଗିତିକ ସ୍ଥିତିରେ କାବ୍ୟକାର ଜୀବନର ମୂଲ୍ୟାଙ୍କନ କରୁଥି‌ଲାବେଳେ ଗଦ୍ୟ ସାହିତ୍ୟର ଲେଖକ ସାଂସାରିକ ଅଭିଜ୍ଞତାର ବୌଦ୍ଧିକ ବିଶ୍ଳେଷଣ କିମ୍ବା ବାସ୍ତବଧର୍ମୀ ଚରିତ୍ର ଚିତ୍ରଣ ମାଧ୍ୟମରେ ବୁଦ୍ଧିମତ୍ତାର ପୂର୍ଣ୍ଣ ବିନିଯୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥି‌ଲେ । ସାମାଜିକ ଓ ପାରମ୍ପରିକ ରୀତିରେ ଲିଖିତ ନାଟକ ଗଦ୍ୟସାହିତ୍ୟର ଅଂଶ-ବିଶେଷ ହୋଇଥିଲାବେଳେ ଉଦ୍ଭଟ ନାଟକ ବର୍ଣ୍ଣନାତ୍ମକ ଭାଷା ପରିହାର କରି କେବଳ କାବ୍ୟରୀତିର ନିକଟବର୍ତ୍ତୀ ହୋଇ ନାହିଁ, ସାମାଜିକ ରୀତିନୀତିର ଉର୍ଦ୍ଧ୍ୱରେ ଅନୁପ୍ରେରଣାର ଏକ ମାନସିକ ସ୍ଥିତିକୁ ରେଖାଙ୍କିତ କରି ଗଦ୍ୟ- ସାହିତ୍ୟର ପରମ୍ପରାରୁ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି ।

 

ଅନ୍ତର୍ଲବ୍ଧ ଜ୍ଞାନ ବିଦ୍ୟୁତର ସ୍ଫୁଲିଙ୍ଗ ଭଳି ଅକସ୍ମାତ ଆତ୍ମପ୍ରକାଶ କରି ଆଖିପିଛୁଳାକେ ଅନ୍ତର୍ଦ୍ଧାନ ହୋଇଯାଏ ଏବଂ ସେହି ବିରଳ ଅନୁଭବକୁ ଭାଷାର ବାକ୍ୟ ଓ ଶବ୍ଦ ଅପେକ୍ଷା ସଂଗୀତର ସୁର ଓ ତାଳ କିମ୍ବା ଚିତ୍ରକରର ତୂଳୀ ଓ ରଙ୍ଗ ମାଧ୍ୟମରେ ପ୍ରକାଶ କରିବାର ପ୍ରଚେଷ୍ଟା ଅଧିକ ଫଳପ୍ରଦ ହେଉଥି‌ବାରୁ ଉଦ୍ଭଟ ନାଟକରେ ଚିତ୍ରକଳ୍ପର ମାନସଭଙ୍ଗୀ କଥାବସ୍ତୁର ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି । ଭାଷାର ସଙ୍କୋଚନଦ୍ୱାରା ଚେତନା ପ୍ରସାରଣର ଅଭିନବ ପନ୍ଥା ଆବିଷ୍କାର କରି ଏହି ନାଟକ ଯେ କେବଳ ଜୀବନ ଶିକ୍ଷାର ନୂତନ ମାର୍ଗ ଖୋଲି ଦେଇଛି ତାହା ନୁହେଁ, ସଂଗୀତ ଓ ଚିତ୍ରକଳାର ଭାବଗତ ସ୍ତରକୁ ଉଠିବାର ଚେଷ୍ଟାରେ ଶବ୍ଦସ୍ଫୀତିକୁ ରସୋତ୍ତୀର୍ଣ୍ଣତାର ପରିପନ୍ଥୀ ରୂପେ ଗ୍ରହଣ କରିଛି । ମଞ୍ଚସଜ୍ଜାର ଆଦବକାଇଦା କିମ୍ବା ସେଟିଂ ହେଉଛି ଉଦ୍ଭଟ ନାଟକର ପ୍ରାଣକେନ୍ଦ୍ର ଯାହାର ପୂର୍ଣ୍ଣ ଅକ୍ତିଆର କେବଳ ମଞ୍ଚପରିଚାଳନାର ଚାବିକାଠି ନୁହେଁ, ଉଦ୍ଭଟ ଦର୍ଶନ ପାଇଁ ଲକ୍ଷ୍ୟ ସାଧନର ବ୍ରହ୍ମାସ୍ତ୍ର ମଧ୍ୟ । ନାଟକର ପ୍ରତ୍ୟେକ ଘଟଣା ଗୋଟିଏ ଗୋଟିଏ ଛବି ଏବଂ ସମୁଦାୟ ନାଟକଟି ଅସଂଖ୍ୟ ଖଣ୍ଡିତ ଚିତ୍ରର ସମାହାର । ଟି.ଭି. କ୍ୟାମେରାର ସଟ୍‌ଗୁଡ଼ିକ ରିଲ୍‌ ଉପରେ ଗଳ୍ପର କ୍ରମିକତାରେ ଖଞ୍ଜାହେଲା ଭଳି ଉଦ୍ଭଟ ନାଟକର ବିକ୍ଷିପ୍ତ ଛବିଗୁଡ଼ିକ ଭିନ୍ନ ଭିନ୍ନ ଆବେଗିକ ସ୍ଥିତିର ରୂପାୟନ କରିବା ସଙ୍ଗେ ସଙ୍ଗେ ସାମଗ୍ରିକ ଆବେଦନରେ ସିସ୍ଵୋଲିଷ୍ଟ କିମ୍ବା ଇମେଜିଷ୍ଟ୍‌ କାବ୍ୟରୀତିର ଆବେଦନର ସ୍ତରକୁ ଛୁଇଁ ପାରିଥି‌ଲା । ଅପରେସନ୍‌ ଟେବୁଲ ଉପରେ ଶଲ୍ୟଚିକିତ୍ସକ ଅସ୍ତ୍ରୋପଚାରିତ ଶରୀରରୁ ପୀଡ଼ିତ ଅଂଶଟିକୁ ଅଲଗା କରି ଫୋରସେପ୍‌ ସାହାଯ୍ୟରେ ଟେକି ଧରିଲାପରି ଟିକିନିଖି ପରୀକ୍ଷାନିରୀକ୍ଷା ପରେ ଉଦ୍ଭଟ ନାଟ୍ୟକାର ମନୁଷ୍ୟମନରେ ନିଃସଙ୍ଗତାର ସ୍ଵରୂପକୁ କେବଳ ଚିହ୍ନଟ କରେ ନାହିଁ, ଉପଯୁକ୍ତ ରୂପକଳ୍ପ ମାଧ୍ୟମରେ ତା’ର ଜୀବନ୍ତ ବିଗ୍ରହ ଆଙ୍କି ଦେଇପାରେ ।

 

ଉଦ୍ଭଟ ନାଟକର ଗୁଣାତ୍ମକ ମାନ ନିର୍ଦ୍ଧାରଣ ପାଇଁ ସ୍ଥିତିବାଦ ନାଟକଠାରୁ ଏହାର ବ୍ୟବଧାନ ସଂପର୍କରେ । ସଂପୂର୍ଣ୍ଣ ଅବହିତ ରହିବା ଆବଶ୍ୟକ । ସ୍ଥିତିବାଦ ଓ ଉଦ୍ଭଟ ଦର୍ଶନ ମଧ୍ୟରେ ରହିଥିବା ପାର୍ଥକ୍ୟ ବୌଦ୍ଧିକ ଶକ୍ତି ଓ ସ୍ଵଭାବସୁଲଭ ଅନୁପ୍ରେରଣା ମଧ୍ୟରେ ରହିଥିବା ପାର୍ଥକ୍ୟର ଅନୁବର୍ତ୍ତୀ । ସ୍ଥିତିବାଦର ଲେଖକ ପ୍ରଖର ବୁଦ୍ଧିର ପ୍ରତିଭା ବଳରେ ଗମ୍ଭୀର ସମସ୍ୟାର ସୂକ୍ଷ୍ମ‌ ବିଶ୍ଳେଷଣ କରୁଥି‌ଲା ବେଳେ ଉଦ୍ଭଟ ଲେଖକ କଳ୍ପନାର ଉଜ୍ଜୀବିତ ଚେତନାରେ ଜୀବନର ଜଟିଳ ରହସ୍ୟ ଅନାବୃତ୍ତ କରିଦେବାର ଚେଷ୍ଟା କରିଥିଲେ । କାମ୍ୟୁ ଓ ସାର୍‌ତ୍ରେ ପ୍ରଭୃତି ସ୍ଥିତପ୍ରଜ୍ଞ ଲେଖକମାନେ ଦାର୍ଶନିକ ଦୂରଦୃଷ୍ଟି ଦ୍ଵାରା ମାନବ ସମାଜର ପଥପ୍ରଦର୍ଶକ ହୋଇପାରିଥିଲେ କିନ୍ତୁ ବିକେଟ ଓ ଆୟୋନେସ୍କୋ ପ୍ରଭୃତି ଉଦ୍ଭଟ ନାଟ୍ୟକାର ସମାଜର ତ୍ରାଣକର୍ତ୍ତା ହେବାର ପ୍ରବଞ୍ଚିତ ପ୍ରୟାସରେ ଲକ୍ଷ୍ୟଭ୍ରଷ୍ଟ ନ ହୋଇ କେବଳ ଦୁରନ୍ତା ପ୍ରେରଣାର ଅପ୍ରକାଶ୍ୟ ଅନୁଭବ ନୂତନ ଭଙ୍ଗୀରେ ପ୍ରକାଶ କରିବାକୁ ଚେଷ୍ଟା କରି ନଥିଲେ, ଭାବତନ୍ମୟ ଦର୍ଶକର ଆଖିଆଗରେ ପୃଥିବୀର ବୃହତ୍ତମ ରହସ୍ୟ ଉନ୍ମୋଚିତ ହେଉଥି‌ବାର ମାନସିକତା ସୃଷ୍ଟି କରିଥି‌ଲେ । ନାଟକର ଲେଖକ ଭାବରେ ସାହିତ୍ୟର ସମୃଦ୍ଧି ସାଧନ କରିବା କିମ୍ବା ଏକ ଅଭାବିତ ମଞ୍ଚ-କାର୍ସାଦି ଦ୍ୱାରା ଦର୍ଶକକୁ ଭୂତେଇବାର ଭାବନା ଅଥବା ଦୂର୍ଭାବନା ତାଙ୍କୁ ସ୍ପର୍ଶ କରି ନଥିଲା । ଭକ୍ତ ଓ ଭଗବାନଙ୍କ ଆତ୍ମିକ ସଂଯୋଗର କିୟଦଂଶ ଦର୍ଶକ ଓ ଉଦ୍ଭଟ ନାଟ୍ୟକାରଙ୍କ ସମ୍ପର୍କରେ ପ୍ରତିଫଳିତ ହୋଇ ନପାରିଲେ ନାଟକରେ ରସାସ୍ଵାଦନର ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସ୍ଵାଭାବିକ । ମଞ୍ଚପ୍ରଦର୍ଶିତ ଘଟଣା-ନିରସ ଓ ଅନାକର୍ଷଣୀୟ ହୋଇପାରେ କିନ୍ତୁ ତାହା ଦର୍ଶକର ଦୃଷ୍ଟି ନିକ୍ଷେପଣର ସ୍ଥଳ ନୁହେଁ । ରାସ୍ତାକଡ଼ର ଗଛମୂଳରେ ଦୁଇ ପଥକ୍ଲାନ୍ତ ପଥିକ ଚୁପ୍‌ଚାପ୍‌ ବସିରହି ବେଳେବେଳେ ଅଯଥା ବାକ୍ୟାଳାପ କରୁଥିବାର ନିକୃଷ୍ଟ ଦୃଶ୍ୟ କିମ୍ବା ଗୋଟିଏ ଶ୍ରୋତାହୀନ ହଲ୍‌ ମଧ୍ୟରେ ଅସଂଖ୍ୟ ଶୂନ୍ୟ ଚେୟାର ଆଡ଼କୁ ଚାହିଁ ଜଣେ ଅନର୍ଗଳ ଭାଷଣ ଦେଉଥି‌ବାର ଅଭାବିତ ଓ ଅସଙ୍ଗତ ଦୃଶ୍ୟ (The Chairs) ଗୁଡ଼ିକୁ ଜୀବନଧର୍ମୀ ନାଟକର ରୀତିରେ ଦେଖୁଥି‌ବା ଦର୍ଶକ ଘୋର ବିରକ୍ତିରେ ପ୍ରେକ୍ଷାଳୟ ଛାଡ଼ି ପଳାଇ ଯିବା ଆଶ୍ଚର୍ଯ୍ୟର କଥା ନୁହେଁ । ଏହିସବୁ ଶୁଷ୍କ ଘଟଣାବଳୀର ଉର୍ଦ୍ଧ୍ୱକୁ ଉଠିବାର ଚେଷ୍ଟାରେ ନାଟ୍ୟକାରଙ୍କର ପିଛା । କରିବାକୁ ହେଲେ ଦର୍ଶକଠାରେ କଳ୍ପନାଶକ୍ତିର ପୂର୍ଣ୍ଣ ଜାଗରଣ ହେବା ପ୍ରୟୋଜନ ।

 

ନୂତନ ଦାର୍ଶନିକ ଆଭିମୁଖ୍ୟ ଏହି ‘ଅଣସାହିତ୍ୟିକ’ ନାଟକର ମୁଖ୍ୟ ଆକର୍ଷଣ । ସାହିତ୍ୟ ଓ ଦର୍ଶନରେ କିଛି ନୂଆ କଥା କହିବାର ନାହିଁ । ସତ୍ୟର ନୂତନତ୍ୱ ନାହିଁ । କେବଳ ପୁରାତନ ସତ୍ୟ ସଂପର୍କରେ ନୂତନ । ତଥ୍ୟ ଆହରଣ କରାଯାଇପାରେ ଯେପରି ପୁରୁଣା କଥାକୁ ସାହିତ୍ୟରେ ନୂଆ ଢଙ୍ଗରେ କୁହାଯାଇପାରେ । ଗବେଷଣାତ୍ମକ ଉଦ୍ଭଟ ନାଟକର ନୂତନତା ହେଉଛି ନିଃସଙ୍ଗତାର ଅନୁଭବ ମଧ୍ୟରେ ଉଦ୍ଭଟ ଦର୍ଶନର ସୂତ୍ରପାତ ଓ ଉଦ୍ଭଟତାର ପରିକଳ୍ପନା ମଧ୍ୟରେ ଜୀବନର ମୂଲ୍ୟ ଅନୁସନ୍ଧାନ । ନିଃସଙ୍ଗତା ଜୀବନର ଶେଷ ପର୍ଯ୍ୟାୟ ହୋଇଥିଲାବେଳେ ମୃତ୍ୟୁଞ୍ଜୟୀ କଳାର ପ୍ରଥମ ଅଧ୍ୟାୟ ହୋଇପାରେ । ଉଦ୍ଭଟ ଦର୍ଶନର ଯାଦୁ ବିଦ୍ୟାବଳରେ ଏହାର ବିଚକ୍ଷଣ ପ୍ରବକ୍ତାମାନେ ନିଃସଙ୍ଗତାର ଉପଲବ୍ଧିକୁ କେବଳ କଳାର ହୃତ୍‌ପିଣ୍ଡ କରି ନଥିଲେ, ମୂଲ୍ୟହୀନତାର ମନସ୍ତତ୍ୱ ମଧ୍ୟରେ କଳ୍ପନାର ସୁନାଖିଅଧରି ଚେତନାର ପାହାଚରୁ ପାହାଚ ଡେଇଁ ଯିବାର ଅସୀମ ପ୍ରେରଣା ଆହରଣ କରି ସେକ୍‍ସପିଅର୍‌ କିମ୍ବା ଚେକଭଙ୍କ କଳ୍ପନାର ରଙ୍ଗକୁ ମଧ୍ୟ ଫିକା କରିଦେଇଥିଲେ ।

 

ସାମୁଏଲ ବିକେଟ୍‌, ଇଉଜିନ ଆୟୋନେସ୍ନୋ, ଏଡ଼ଓ୍ୟାର୍ଡ଼ ଅଲବି, ସିମ୍ପସନ୍‌, ଜିନେଟ, ବୁଜାଟି ଓ ପିଣ୍ଟର ପ୍ରଭୃତି .‘ଉଦ୍ଭଟ’ର ପ୍ରବର୍ତ୍ତକମାନେ ଦୁର୍ଗତ ମନୁଷ୍ୟର ମର୍ମଭେଦୀ ଦୃଶ୍ୟ ମାଧ୍ୟମରେ ନୈତିକ ଜୀବନର ଦୁର୍ଗତିକୁ ଯେ କେବଳ ପଦାକୁ ଆଣିଥିଲେ ତାହା ନୁହେଁ, ମହାକାଳ ସହିତ ମୁହାଁମୁହିଁ ସଂଘର୍ଷର ତୀବ୍ର ଅନୁଭୂତି ଦର୍ଶକର ମନସ୍ତତ୍ତ୍ୱରେ ଖୋଲି ଦେବାର ଅପୂର୍ବ କଳାକୁଶଳତା ହାସଲ କରିଥିଲେ । ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ମାନସିକ ସ୍ଥିତି ଅନାବୃତ କରି ଉଦ୍ଭଟ କଳାରୀତିର ଲେଖକ ବିଫଳତାର ପରାଜୟକୁ ଦର୍ଶକର ଚେତନାରେ ଜୀବନ୍ତ ଭାବରେ ଫୁଟାଇ ଦେବା ସଙ୍ଗେ ସଙ୍ଗେ ନିଃସଙ୍ଗତାର ଦୁରନ୍ତ ଅନୁଭବକୁ କଳାର ରତ୍ନସିଂହାସନରେ ବସାଇ ଦେଇଛନ୍ତି । କେଉଁଠି କାଳର ଜନ୍ତାରୁ ଖସିଯିବାର ଅପଚେଷ୍ଟାରେ ହତାଶ ହୋଇ ମନୁଷ୍ୟ ମୃତ୍ୟୁର ଶୀତଳ ଆଲିଙ୍ଗନ ଅନୁଭବ କରୁଛି ତ କେଉଁଠି ମୃତ୍ୟୁ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ନୈରାଶ୍ୟରେ ମହାକାଳକୁ ପ୍ରଣାମ କରୁଛି । ପୁଣି କେଉଁଠି ଆଶାର ମରୀଚିକା ପଛରେ ଧାଇଁ ଧାଇଁ-। ଅବସନ୍ନତାରେ ମନୁଷ୍ୟ ଥକି ଯାଉଛି ତ ଅନ୍ୟ କେଉଁଠି ସ୍ଵାଧୀନତାର ସ୍ଵପ୍ନ ଦେଖି ପରାଧୀନତାର ନାଗପାଶରେ ଛନ୍ଦିହୋଇ ଯାଉଛି । କେଉଁଠି ମୃତ୍ୟୁର ଭୟ ଅତିକ୍ରାନ୍ତ କରିବାର ଆସ୍ଫାଳନ କରି ଶେଷରେ ଆତ୍ମପ୍ରବଞ୍ଚନାର ମୁଖା ଖୋଲି ଦେଉଛି ଅଥବା ସାମାଜିକ ଯଶକୀର୍ତ୍ତିର ଅନ୍ତରାଳରେ ଅଧଃପତନର ନର୍କ କୁଣ୍ଡ ମଧ୍ୟକୁ ଅବତରଣ କରୁଛି କିମ୍ବା ସମାଜର ନୈତିକ ମାନଗୁଡ଼ିକର ରହସ୍ୟ ଭେଦ କରିବାର ଅସଫଳ ପ୍ରୟାସ କରୁଛି ତ କେଉଁଠି ସମୟର ଘାତପ୍ରତିଘାତରେ ଲହୁଲୁହାଣ ହୋଇ ଆତ୍ମ- ସମର୍ପଣର ପଥ ବାଛି ନେଉଛି । କେଉଁଠି ନିରୂପାୟ ମାନବ ଦୁର୍ବିପାକର ସାହସିକ ମୁକାବିଲା କରିବାକୁ ଯାଇ ନିଷ୍କ୍ରିୟତାରେ ସ୍ଥାଣୁତ୍ୱ ପ୍ରାପ୍ତ ହେଉଛି ତ କେଉଁଠି ଦର୍ପିତ ବ୍ୟକ୍ତିତ୍ୱର ଅହଙ୍କାରରେ ଦୁର୍ଗମ ପଥ ଅତିକ୍ରମ କରିବାର ନିଷ୍ଫଳ ପ୍ରଚେଷ୍ଟାରେ ହତାଶ ହେଉଛି କିମ୍ବା ଅନ୍ୟ କେଉଁଠି ତତ୍ପରତା ଓ ନିଷ୍କ୍ରିୟତା ମଧ୍ୟରେ କୌଣସି ପାର୍ଥକ୍ୟ ନ ଦେଖି ବ୍ୟର୍ଥତା ହିଁ ଜୀବନର ଶେଷ ପରିଣତି ବୋଲି ଧରିନେଉଛି । ପରିଣତିର ବିଭିନ୍ନତା ମଧ୍ୟରେ ଗୋଟିଏ ସତ୍ୟ ଅପରିବର୍ତ୍ତିତ ରହେ ଯେ ଏହି ସବୁ ନାଟ୍ୟକାରଙ୍କ ମୁଖ୍ୟଚରିତ୍ରମାନେ ନିଃସଙ୍ଗ ଏବଂ ସାମାଜିକ ସଂପର୍କ ସ୍ଥାପନରେ ଅସମର୍ଥ । ସମସ୍ତେ ବ୍ୟକ୍ତିତ୍ୱର ରୁଦ୍ଧ ପିଞ୍ଜରା ମଧ୍ୟରେ ଆବଦ୍ଧ ଏବଂ ସମସ୍ତେ ମୃତ୍ୟୁପଥର ଯାତ୍ରୀ । ସମସ୍ତେ ମହାକାଳ ହାତରେ ଗୋଟିଏ ଗୋଟିଏ କଣ୍ଢେଇ । ପ୍ରତ୍ୟେକେ ଏପରି ଏକ ମାନସିକ ଦୋଛକିରେ ଉପନୀତ ହୋଇଛନ୍ତି ଯେଉଁଠି ମୃତ୍ୟୁ ଜୀବନର ପରିଭାଷା ଓ ମନୁଷ୍ୟର ପରିଚୟ ।

 

ଏହା କହିବା ବାହୁଲ୍ୟ ଯେ ସାମୟିକ ଆଲୋଡ଼ନ ସୃଷ୍ଟି କରିଥି‌ବା ଉଦ୍ଭଟ ନାଟକ ସାହିତ୍ୟଜଗତରେ ବେଶିଦିନ ତିଷ୍ଠି ନଥି‌ଲା । ସାହିତ୍ୟ, କଳା ଓ ଦର୍ଶନର ଗୋଟିଏ ଶୈଳୀ ଚିରସ୍ଥାୟୀ ହୋଇ ନପାରେ । ପରିଧାନର ଫେସନ ଯେପରି କ୍ଷଣସ୍ଥାୟୀ, କଳାର ଶୈଳୀ ସେହିପରି କ୍ଷଣଭଙ୍ଗୁର । କାଳର ପରିବର୍ତ୍ତନରେ ମନୁଷ୍ୟର ରୁଚି ବଦଳିଗଲାପରି ଏକ ନିର୍ଦ୍ଦିଷ୍ଟ ସାହିତ୍ୟିକ ଶୈଳୀ ସମୟର ଡାକରାରେ ଅକସ୍ମାତ୍‌ ଲୋକପ୍ରିୟତା ହାସଲ କରି ପୁଣି ସମୟର ଖିଆଲରେ ପ୍ରତ୍ୟାଖ୍ୟାତ ହୋଇଥାଏ । ଏକ ନୂଆ ଚିନ୍ତାଧାରା ମୁଣ୍ଡଟେକିଲେ ପୁରୁଣାଟି ଅନାଦୃତ ହେବା କଳାର ଇତିହାସରେ ନିତ୍ୟ ନୈମିତ୍ତିକ ଘଟଣା । ଯାହା ପର୍ଯ୍ୟୁଷିତ ତାହା ପରିତ୍ୟାଯ୍ୟ । ପୁରାତନକୁ ପଛରେ ପକାଇ ଆଗେଇଚାଲେ ନୂତନର ଜୟଯାତ୍ରା ଏବଂ ତାହାହିଁ ପ୍ରକୃତି ଓ କଳାର ଅଲଂଘ୍ୟ ନିୟମ । ଦ୍ୱିତୀୟ ଓ ତୃତୀୟ ଦଶକରେ ସମଗ୍ର ବିଶ୍ଵରେ ଚହଳ ପକାଇଥିବା ସ୍ଥିତିବାଦର ଶକ୍ତିଶାଳୀ ଓ ସୁଦୂରପ୍ରସାରୀ ଦର୍ଶନକୁ ଚତୁର୍ଥ ଓ ପଞ୍ଚମ ଦଶକରେ ଉଦ୍ଭଟ ଶୈଳୀର ଛାୟା ଯେ ସଂପୂର୍ଣ୍ଣ ଢାଙ୍କି ଦେଇଥିଲା ତାହା ନୁହେଁ, ଏହି ସ୍ଵଳ୍ପ ସମୟ ମଧ୍ୟରେ ଜନପ୍ରିୟତାର ଶିଖର ଦେଶରେ ପହଞ୍ଚି ଷଷ୍ଠ ଦଶକର ଆଦ୍ୟଭାଗରେ ପ୍ରେକ୍ଷାଳୟରୁ ଅପସୃତ ହୋଇଥିଲା । ରୁଚିର ଉତ୍‌ଥାନ ଓ ପତନ ଏକମାତ୍ର କ୍ଷେତ୍ର ଯାହା ମାଧ୍ୟମରେ ମୂଲ୍ୟବୋଧର ପରିବର୍ତ୍ତନକୁ ବୁଦ୍ଧିଜୀବୀ ମହଲରୁ ସମାଜର ତଳସ୍ତରକୁ ପହଞ୍ଚାଇ ହୁଏ । ଅସଂଖ୍ୟ ଭୂଇଁଫୋଡ଼ କଳାଆନ୍ଦୋଳନ ସମୟର ଆହ୍ୱାନରେ ହଠାତ୍‌ ସାମାଜିକ ସ୍ଵୀକୃତି ଲାଭକରି ପୁଣି ଚାହୁଁ ଚାହୁଁ ଲୋକଲୋଚନରୁ ଅନ୍ତର୍ଦ୍ଧାନ ହୋଇଯାଏ । କିନ୍ତୁ ମନୁଷ୍ୟ ଚେତନାକୁ ବିସ୍ତାରିତ କରିଦେବାର ଯଦି କିଛି ଶକ୍ତିଶାଳୀ ଦିଗ୍‌ଦର୍ଶନ ସେଥିରେ ଉତ୍‌କୀର୍ଣ୍ଣ ହୋଇଥାଏ ତେବେ ତାହା ମହାଶୂନ୍ୟରେ ବିଲୀନ ନ ହୋଇ ସଭ୍ୟତାର ଅବଚେତନରେ କାଳାନ୍ତର ଗଚ୍ଛିତ ରହେ । ପ୍ରତ୍ୟେକ ପରୀକ୍ଷା- ମୂଳକ ନାଟକ ପାଇଁ ଶୁଭ ମହୁରତର ରଜନୀ ଏକ ଐତିହାସିକ ଘଟଣା । ‘ଓ୍ୱେଟିଂ ଫର୍‌ ଗୋଦତ୍‌ ' ପରି ଶ୍ରେଷ୍ଠ ଉଦ୍ଭଟ ନାଟକର ଦ୍ୱିତୀୟ ରାତ୍ରି ମଞ୍ଚାଭିନୟ ବେଳେ ପ୍ରେକ୍ଷାଳୟର ଦର୍ଶକମାନଙ୍କଠାରେ ପ୍ରଥମ ରାତ୍ରିର କୌତୂହଳତା ପରିଲକ୍ଷିତ ହୋଇ ନଥି‌ବାର କାରଣ ଏହି ଯେ ମହୁରତ ଉତ୍ସବର ଚବିଶ ଘଣ୍ଟା ବ୍ୟବଧାନ ମଧ୍ୟରେ ଏହି ଚମକପ୍ରଦ ଘଟଣାର ସମ୍ବାଦ ବିଦ୍ୟୁତ୍‌ ବେଗରେ ଟେଲିଭିଜନ ମାଧ୍ୟମରେ ପ୍ରସାରିତ ହୋଇଯିବା ଫଳରେ ନବାଗତ ଦର୍ଶକ ପାଇଁ ତାହା ନୂତନତ୍ୱର ଆକସ୍ମିକତା ହରାଇ ଦେଇଥିଲା । କିନ୍ତୁ ଏହି କଳାରୀତିରେ ଏପରି କିଛି କାଳଜୟୀ ଉପାଦାନ ନିମଜ୍ଜିତ ରହିଛି ଯାହାଫଳରେ ମଞ୍ଚର ଶୈଳୀ ଭାବରେ ତାହାର ଆବେଦନ ଅକ୍ଷୁଣ୍ଣ ରହି ନଥିଲେ ମଧ୍ୟ ଜୀବନର ଦର୍ଶନ ଭାବରେ ଆଜସୁଦ୍ଧା ଯେ କେବଳ ମନୁଷ୍ୟକୁ ଉତ୍ତେଜିତ କରି ଆସୁଅଛି ତାହା ନୁହେଁ, ମନସ୍ତତ୍ତ୍ୱର ଏକ ଅଂଶ ଭାବରେ ଆଧୁନିକ ସଭ୍ୟତାର ସାଂସ୍କୃତିକ ପୃଷ୍ଠଭୂମିରେ ସାମିଲ ହୋଇଯାଇଛି । ଉଦ୍ଭଟ ନାଟକର ଆଦୃତି ଓ ବିସ୍ତୃତି ଏକ ରସାତଳଗାମୀ ସମାଜର ସତର୍କଘଣ୍ଟି ନୁହେଁ, ଠିକ୍‌ ଯେପରି ଅସୁସ୍ଥତାର ଆରୋଗ୍ୟ ପାଇଁ ପ୍ରତିକାର ବ୍ୟବସ୍ଥା ମୃତ୍ୟୁର ନିମନ୍ତ୍ରଣ ନୁହେଁ । ଏହାକୁ ଗୋଟିଏ ରୁଗ୍‌ଣ ମନର ପ୍ରତିଚ୍ଛଦି ରୂପେ ଦେଖିବା ପରିବର୍ତ୍ତେ ଆମ ପୀଡ଼ିତ ସମୟର ମୁଖଦର୍ପଣ ରୂପେ ଗ୍ରହଣ କରିବା ଯଥାର୍ଥ ହେବ-। ଏହି ନିର୍ମାଣ ଶୈଳୀର କଳାନୈପୁଣ୍ୟ ସମସ୍ତ ବିଶ୍ଵଚେତନାକୁ ‌ଆକର୍ଷିତ କରି ନପାରିବାର କାରଣ ଏହି ଯେ ଏହି ଅଭିନବ ଶୈଳୀର ତାତ୍ପର୍ଯ୍ୟ କେବଳ ସାରଗ୍ରାହୀ ଦର୍ଶକ ମହଲରେ ସୀମିତ ରହିଯିବା ଫଳରେ ସାଧାରଣ ଲୋକଙ୍କ ସ୍ତରକୁ ଛୁଇଁ ନଥିଲା । ଏହି ପରୀକ୍ଷାମୂଳକ ନାଟକର ଉଚ୍ଚକୋଟୀର ଚିନ୍ତା ଓ ସୂଷ୍ମ-ବିଶ୍ଳେଷଣ ପ୍ରଣାଳୀ ଆପାତତଃ ଦୁର୍ବୋଧ୍ୟ ହୋଇଥିବାରୁ ଏହା ଅର୍ଦ୍ଧଶିକ୍ଷିତ ସାଧାରଣ ଜନତାକୁ ପ୍ରଭାବିତ କରି ନଥିଲା କିମ୍ବା ଗଣଆନ୍ଦୋଳନର ବ୍ୟାପକତା ହାସଲ କରି ନଥିଲା । ପ୍ରକାଶଭଙ୍ଗୀ, ଦୃଷ୍ଟିକୋଣ ଓ ସାମାଜିକ ପୃଷ୍ଠଭୂମିର ବିଭିନ୍ନତା ଦୃଷ୍ଟିରୁ ଉଦ୍ଭଟ କଳ୍ପନାର ନାଟକରେ ମତୈକ୍ୟ ପ୍ରତିଷ୍ଠିତ ହୋଇ ନପାରିବା ଫଳରେ ଏହାର ନିଧାର୍ଯ୍ୟ ସଂଜ୍ଞା ନିର୍ଦ୍ଧାରିତ ହୋଇ ପାରି ନାହିଁ କିମ୍ବା ରଚନାପଦ୍ଧତିର ମୁଖପତ୍ର ପ୍ରସ୍ତୁତ ହୋଇ ନାହିଁ । ତେଣୁ ଲବ୍‌ଧପ୍ରତିଷ୍ଠ ଓ ରକ୍ଷଣଶୀଳ ଲେଖକର ଉଚ୍ଚମାନଦ୍ୱାରା ମୂଲ୍ୟାଙ୍କନ କଲେ ଉଦ୍ଭଟଶୈଳୀ ଏକ ଅବାଞ୍ଛିତ ଅବୋଧ୍ୟ, ତାଛଲ୍ୟପୂର୍ଣ୍ଣ କିମ୍ବା ପ୍ରତାରକର ଭେଳିକି ଭଳି ପ୍ରତିଭାତ ହେବା ଅସ୍ଵାଭାବିକ ନୁହେଁ ।

 

୧୯୫୭ ମସିହା ନଭେମ୍ବର ୧୯ ତାରିଖଟି ଉଦ୍ଭଟ ନାଟକର ଇତିହାସରେ ଏକ ସ୍ମରଣୀୟ ଦିବସ । ସେହିଦିନ ସାନଫ୍ରାନ୍‌ସିସ୍‌କୋ ସହରର ଏକ ନାଟ୍ୟସଂସଦର ଆନୁକୂଲ୍ୟରେ ସାନ- କ୍ୱେନ୍‌ଟିନ୍‌ ନାମକ ବନ୍ଦୀଶାଳାର ୧୪୦୦ ବିଚାରାଧୀନ ଅପରାଧୀଙ୍କ ସମ୍ମୁଖରେ ସାମୁଏଲ ବିକେଟ୍‌ଙ୍କ ସର୍ବଶ୍ରେଷ୍ଠ ଉଦ୍ଭଟ ନାଟକ ‘ଓ୍ୱେଟିଂ ଫର ଗୋଦତ୍‌’ (Waiting for godot) ପ୍ରଶଂସାର ହର୍ଷଧ୍ୱନି ଓ କରତାଳି ମଧ୍ୟରେ ଅଭିନୀତ ହୋଇଥିଲା । ଏହା ପୂର୍ବରୁ ପ୍ୟାରିସ୍‌ ଓ ନ୍ୟୁୟର୍କ ସହରର ବିଭିନ୍ନ ପ୍ରେକ୍ଷାଳୟମାନଙ୍କର ଚିନ୍ତାଶୀଳ ଦର୍ଶକ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇସାରିଥି‌ଲେ ମଧ୍ୟ ଜେଲଖାନାର କଏଦୀମାନଙ୍କ ଉଚ୍ଛ୍ୱସିତ ସମର୍ଥନ ଉଦ୍ଭଟ ଶୈଳୀର ସାର୍ବଜନୀନ ଆକର୍ଷଣୀୟତା ପ୍ରମାଣିତ କରିଥି‌ଲା । ଏହି ନାଟକର ସପକ୍ଷବାଦୀ ଜଣେ କଏଦୀ ସମାଲୋଚକର ଭଙ୍ଗୀରେ ମତ ଦେଇଥି‌ଲେ ଯେ ଚକ୍ଷୁ ସାମ୍ନାକୁ ଆସି ନଥିବା ଗୋଦତ୍‌ ନାଟକ ଚରିତ୍ର ଏକ ଚମତ୍କାର କଳ୍ପନା ଏବଂ ଅତ୍ୟନ୍ତ ଉପଭୋଗ୍ୟ । ବନ୍ଦୀଶାଳାର ଜଣେ ଶିକ୍ଷକ ନାଟକର ସାରତତ୍ତ୍ୱ ହୃଦୟଙ୍ଗମ କରି ପ୍ରତିକ୍ରିୟା ପ୍ରକାଶ କରିଥି‌ଲେ ଯେ ଅପେକ୍ଷାରତ ଦୁଇ ଉଦ୍‌ବାସ୍ତୁ ଚରିତ୍ର ସମ୍ଭବତଃ ଅନୁଭବ କରିଥି‌ଲେ ଯେ ସେମାନେ ଯଦି ଦୈବାତ୍‌ ଗୋଦତ୍‍ଙ୍କୁ ମୁହାଁମୁହିଁ ଭେଟନ୍ତି ତେବେ ତାହାହେବ ତାଙ୍କ ଜୀବନର ଚରମ ଦୁର୍ଭାଗ୍ୟର ମୁହୂର୍ତ୍ତ । ଏହି ନାଟକରେ କୌଣସି ଜୀବନଜିଜ୍ଞାସାର ପ୍ରବୃତ୍ତି ସନ୍ନିବେଶିତ ହୋଇ ନାହିଁ କିମ୍ବା ଜୀବନ ଶିକ୍ଷାର କୌଣସି ଅପେକ୍ଷିତ ବାର୍ତ୍ତା ଉପସ୍ଥାପିତ ହୋଇ ନାହିଁ । ଯଦି କିଛି ଥାଏ ତାହା ଦର୍ଶକର ବ୍ୟକ୍ତିଗତ ସମ୍ବେଦନ ଓ ପ୍ରତିକ୍ରିୟା ଉପରେ ନିର୍ଭର କରେ । ବୌଦ୍ଧିକ କିମ୍ବା ନୈତିକ ସ୍ତରରେ ବିକେଟ୍‌ଙ୍କ ନାଟକ କୌଣସି ଗୁରୁତ୍ୱର ପ୍ରଶ୍ନ ଉତ୍‌ଥାପନ କରି ନାହିଁ କିମ୍ବା ମାନବ ଚରିତ୍ରର ଉତ୍କର୍ଷ ସାଧନାର ନୂତନ ଆଶା ସଂଚାର କରି ନାହିଁ । ଆମେ ସମସ୍ତେ ଗୋଦତ୍‌ଙ୍କୁ ଅପେକ୍ଷା କରିଛୁ ଏବଂ ଅପେକ୍ଷା କରିଥିବୁ । କିନ୍ତୁ ମଜାର କଥା ହେଉଛି ଯେ ଗୋଦତ୍‌ଙ୍କ ସଂପର୍କରେ କାହାରି କିଛି ସଠିକ୍‌ ଧାରଣା ନାହିଁ କିମ୍ବା କାହାରି କିଛି ଜାଣିବାର ଆଗ୍ରହ ମଧ୍ୟ ନାହିଁ । ସେ ଖୋଦ ଈଶ୍ଵର, କିମ୍ବା ମୃତ୍ୟୁର ପ୍ରତୀକ ହୋଇ ପାରନ୍ତି; ତାହା ମଧ୍ୟ ଆମ ମନସ୍କାମର ସଫଳତା କିମ୍ବା କପାଳଲିଖନର ଅଲଂଘ୍ୟତା ହୋଇପାରେ-। ଗୋଦତ୍‌ଙ୍କୁ ସାମ୍ନା କରିବାକୁ ଅନେକ ସାହସ କରୁ ନଥିଲେ ମଧ୍ୟ ସମସ୍ତେ ସେହି ମୁହୂର୍ତ୍ତ ପାଇଁ ଚାହିଁ ବସିବାକୁ ବାଧ୍ୟ । ତାହା ଭାଗ୍ୟ ପରିବର୍ତ୍ତନର ଆକାଙ୍‌କ୍ଷିତ ମୁହୂର୍ତ୍ତ- ଏକ ବିସ୍ଫୋରଣର ମୁହୂର୍ତ୍ତ-। ନାଟକର ଗତିଶୀଳତା କ୍ରମଶଃ ମନ୍ଥର ହୋଇଗଲେ କିମ୍ବା ଘଟଣା-ହୀନତା ଅସହ୍ୟ ହୋଇଉଠିଲେ କିମ୍ବା ପ୍ରତୀକ୍ଷାର ଅଧୈର୍ଯ୍ୟ ତୀବ୍ରତର ହେଲେ ଆମେ ଯେ କେବଳ ହତାଶରେ ବ୍ୟତିବ୍ୟସ୍ତ ହେଉ ତାହା ନୁହେଁ ବିରକ୍ତିରେ ପରସ୍ପରକୁ ଗାଳିଗୁଳଜ କରୁ ଏବଂ ଏପରିକି ଚିରଦିନ ପାଇଁ ବିଦାୟ ନେଇ ପ୍ରେକ୍ଷାଳୟ ଛାଡ଼ି ଚାଲି ଯିବାର ଧମକ ମଧ୍ୟ ଦେଉ, କିନ୍ତୁ ଯିବୁ କୁଆଡ଼େ ? ପଳାୟନର ସବୁରାସ୍ତା ଅବରୁଦ୍ଧ’ । ଉଦ୍ଭଟ ନାଟକର ଜୀବନ-ଶୈଳୀ ସହିତ ସାଂସାରିକ ଜୀବନର ସ୍ଥିତି ସମାନ୍ତରାଳ । ଜୀବନ ଅନିଶ୍ଚିତ କିନ୍ତୁ ପ୍ରତୀକ୍ଷା ଅନିବାର୍ଯ୍ୟ ।

 

କଏଦୀମାନେ ଏହି ନାଟକର ଦୃଶ୍ୟ ମଧ୍ୟରେ ସମ୍ଭବତଃ ନିଜ ନିଜ ଦୁର୍ଗତିର ସମାନ୍ତରାଳ ପରିସ୍ଥିତି ପ୍ରତିଫଳିତ ହୋଇଥି‌ବାର ଲକ୍ଷ୍ୟ କରିଥି‌ଲେ । ମନୋବିଜ୍ଞାନୀ ଫ୍ରଏଡ଼ଙ୍କ ସୂକ୍ଷ୍ମ ବିଶ୍ଳେଷଣ ପଦ୍ଧତି, ସ୍ଥିତିବାଦର ଦର୍ଶନ ଓ ଖ୍ରୀଷ୍ଟିୟ ଧର୍ମତତ୍ତ୍ୱରୁ ଉପାଦାନ ସଂଗ୍ରହ କରି ବିକେଟ୍‌ ଯେଉଁ ଉଦ୍ଭଟ ଶୈଳୀର ଖସଡ଼ା ପ୍ରସ୍ତୁତ କରିଥି‌ଲେ ତାହାର ପ୍ରାମାଣିକ ପ୍ରୟୋଗ ହେଉଛି ‘ଓ୍ୱେଟିଂ ଫର ଗୋଦତ୍‌’ ଯାହାର କଥାବସ୍ତୁ ଦୁଇଜଣ ଅଭାଗା ଓ ନିକମା ମଣିଷର ଜୀବନ ଗାଥାକୁ ଭିତ୍ତିକରି ପ୍ରସ୍ତୁତ ହୋଇଅଛି । ଇଷ୍ଟ୍ରାଗନ (Estragon) ଓ ଭ୍ଲାଡ଼ିମିର (Vladimir) ନାମକ ଦୁଇ ହତଭାଗ୍ୟ ଓ ଦୁର୍ଜନ ଚରିତ୍ର ଦୁଃଖ ଓ ଦାରିଦ୍ର୍ୟର ସମସ୍ୟାପ୍ରତି ଯେ କେବଳ ଉଦାସୀନ ହୋଇଥିଲେ ତାହା ନୁହେଁ, କ୍ଷୁଧାର ଯନ୍ତ୍ରଣାରେ ଜର୍ଜରିତ ହେଉଥି‌ଲାବେଳେ ମଧ୍ୟ ଦୁର୍ଗତିର ତାଡ଼ନାରେ ବିଚଳିତ ହୋଇ ନଥି‌ଲେ । ଦୁର୍ଦ୍ଦିନର କାଳରାତ୍ରୀ ପରେ ସୁଦିନର ସକାଳକୁ ଧୈର୍ଯ୍ୟର ସହ ଅପେକ୍ଷା କରିବା ଛଡ଼ା ଅସହାୟ ମନୁଷ୍ୟ ହାତରେ ପ୍ରତିକାରର ଆଉ କଣ ପନ୍ଥା ଅଛି ? ଜୀବନର ଅନ୍ୟନାମ ପ୍ରତୀକ୍ଷା । ଆମେ ସମସ୍ତେ କୌଣସି ଏକ କାମ୍ୟବସ୍ତୁପାଇଁ ଜୀବନସାରା ଅପେକ୍ଷାରତ ରହିଅଛୁ ଏବଂ ଭାଗ୍ୟର ବିଡ଼ମ୍ବନା ଏହି ଯେ ଯାଚିତ ବସ୍ତୁ ଯେତିକି ଅମୀମାଂସିତ ରହିବ ପ୍ରତୀକ୍ଷା ସେହି ଅନୁପାତରେ ବିଳମ୍ବିତ ଓ ଉଦ୍‌ବେଗପୂର୍ଣ୍ଣ ହୋଇଯିବ । କେବଳ ପ୍ରତୀକ୍ଷମାଣବ୍ୟକ୍ତି ବୁଝିପାରେ ପ୍ରତୀକ୍ଷାର ମୁହୂର୍ତ୍ତଗୁଡ଼ିକ କିପରି ଉତ୍‌ପୀଡ଼କ ଓ ସମୟର ପ୍ରବହମାନ ଗତି କିପରି ନିର୍ବିରୋଧ । ଘଣ୍ଟାର ପ୍ରତିଟି ଟିକ୍‌ ଟିକ୍‌ ଶବ୍ଦ ମାନବର ଛାତି ଉପରେ ମହାକାଳର ଅବିରାମ ପ୍ରହାର ଯାହାର ଆଘାତରେ ମାନବ ନିରନ୍ତର କ୍ଷତବିକ୍ଷତ ହେବା ସଙ୍ଗେ ସଙ୍ଗେ ସମୟର ଅପ୍ରତିରୋଧ୍ୟ ଶକ୍ତି ସଂପର୍କରେ ଅହରହ ସଚେତନ ହେଉଥାଏ ।

 

ମହାପ୍ରଳୟର କଳ୍ପଦ୍ରୁମ ପରି ନିଷ୍ପନ୍ଦ ଦିଗ୍‌ବଳୟର ଏକ ଜୀବନ୍ତ ବଟବୃକ୍ଷ ତଳେ ସାମୁଏଲ ବିକେଟ୍‌ଙ୍କ ଅକିଞ୍ଚନ ଚରିତ୍ରଦ୍ୱୟ ଯେପରି ଲକ୍ଷ୍ୟହୀନ ପ୍ରତୀକ୍ଷାରେ ବସି ରହିଥି‌ଲେ ତାହା ସଂସାର ସୃଷ୍ଟି ମୂଳରେ ତଥାକଥିତ ଆଧ୍ୟାତ୍ମିକ ପ୍ରେରଣାର ବ୍ୟର୍ଥତା ପ୍ରତିପାଦନ କରିବା ସହିତ ମନୁଷ୍ୟ ଜୀବନର ଚରମ ନିଷ୍ଫଳତାର ସୂଚନା ଦିଏ । ବେସାହାରା ଜୀବନର ଅନ୍ଧକାର ମଧ୍ୟରେ ମୃତ୍ୟୁର ଗହ୍ୱର ଆଡ଼କୁ ଅଗ୍ରସର ହେବାର ଯମଯନ୍ତ୍ରଣା ଅପେକ୍ଷା ଫାଶୀଖୁଣ୍ଟର ଭାବନା ପ୍ରତି ବିକେଟ ଚରିତ୍ର ଆକୃଷ୍ଟ ହୋଇଥି‌ଲା ପରି ଆଧୁନିକ ମନୁଷ୍ୟ ମୁକ୍ତିର ପଥରୂପେ ଆତ୍ମହତ୍ୟାର ଚିନ୍ତା ପ୍ରତି ଆକର୍ଷିତ ହେଉଥି‌ବାର ମନେହୁଏ । କିନ୍ତୁ ତା’ର ପ୍ରତୀକ୍ଷା ଶେଷ ହୋଇ ନାହିଁ । କାଳାନ୍ତରସ୍ଥାୟୀ କଳ୍ପବଟତଳେ ଅଭୀଷ୍ଟଲିପ୍ସୁ ଜନ୍ମ ଜନ୍ମାନ୍ତର ବସିଥି‌ଲା ପରି ମନୁଷ୍ୟ ଦୁର୍ଭାଗ୍ୟର କଚରା ମଧ୍ୟରୁ ସୌଭାଗ୍ୟର ଆବିର୍ଭାବକୁ ଅସୀମ ଧୈର୍ଯ୍ୟର ସହ ଆହୁରି ଅପେକ୍ଷା କରିଅଛି । ଗ୍ରୀକ ପୁରାଣର ଟ୍ୟାରେସ୍‌ସ୍‌ (Tiresias) ନାମକ କ୍ଲୀବଚରିତ୍ର ପୁରୁଷତ୍ୱ ଓ ନପୁଂଷକତ୍ୱ, ପୂର୍ଣ୍ଣତା ଓ ଶୂନ୍ୟତା, ଯୌବନ ଓ ବାର୍ଦ୍ଧକ୍ୟ କିମ୍ବା ମର୍ତ୍ତ୍ୟଲୋକ ଓ ମୃତ୍ୟୁଲୋକର ମଝିରେ ଅଟକି ରହି ସ୍ଵର୍ଗ ଓ ନର୍କ ଅଙ୍ଗେ ନିଭେଇଲା ଭଳି ଆଧୁନିକ ଯୁଗର ମନୁଷ୍ୟ ମତାନ୍ଧତାରେ ବୁଡ଼ିରହି ମଧ୍ୟ ମହତ୍ତର ମାନବତାର ସଚେତନତା ହରାଇ ନାଇଁ ଏବଂ ଜାଗ୍ରତ ଅନ୍ତର୍ବିବେକର ଦଂଶନରେ ମାନବାତ୍ମାର ରୋଦନ ଶୁଣିପାରୁଛି । ସମ୍ଭବତଃ ମନୁଷ୍ୟ ଆଜି ଅନୁଶୋଚନାର ଗ୍ଲାନିରେ ପରିତ୍ରାଣର ପଥ ଖୋଜି ବୁଲୁଛି ଏବଂ କଳିଯୁଗର ଦୁଷ୍କୃତି ମଧ୍ୟରୁ ଏକ ନୂତନ ସମାଜର ଅଭ୍ୟୁଦୟ ପାଇଁ ଦଶମ ଅବତାର କଳକି ଦେବତାଙ୍କ ଆକସ୍ମିକ ଆବିର୍ଭାବକୁ ଉଦ୍‌ଗ୍ରୀବତାର ସହ ପ୍ରତୀକ୍ଷା କରିଛି । ଅନ୍ତଃହୀନ ମନୁଷ୍ୟର ପ୍ରତୀକ୍ଷା । ମୃତ୍ୟୁ ମୁହଁରେ ଏକ ସଂଗ୍ରାମୀ ସତ୍ତା ଭାବରେ ସେ ତିଷ୍ଠି ରହିଅଛି ଓ ତିଷ୍ଠି ରହିଥି‌ବ । ଏକ ଅନ୍ତଃସାରଶୂନ୍ୟ ପୃଥି‌ବୀରେ ଅନର୍ଥକ ଜୀବନ ଯାପନ କରୁଥି‌ଲେ ସୁଦ୍ଧା ଅନର୍ଥକତାର ଅନୁଭବ ମଧ୍ୟରେ ମନୁଷ୍ୟ ମୂଲ୍ୟ ଖୋଜି ବାହାର କରିବାର ଉଦ୍ୟମ କରିଚାଲିଥିବ । ଏବଂ ସେହି ଉଦ୍ୟମର ଗୋପନୀୟ ଓ ଅପ୍ରକାଶ୍ୟ ଅନୁଭୂତିକୁ କଳାରେ ପ୍ରକାଶ କରିବାର ଚେଷ୍ଟା ଚାଲୁରଖିଥିବ । କାଳର ବିପର୍ଯ୍ୟୟ ତାକୁ ସାମୟିକ ପଙ୍ଗୁ କରିଥି‌ଲେ ମଧ୍ୟ ସଂପୂର୍ଣ୍ଣ ଧ୍ୱଂସ କରିପାରି ନାହିଁ । ସେ ମୃତ୍ୟୁର ରକ୍ତବୀଜ ।

 

ଚାରୋଟି ପର୍ଯ୍ୟାୟରେ ଉଦ୍ଭଟ ନାଟକର ମୂଲ୍ୟାଙ୍କନ କରାଯାଇପାରେ । ପ୍ରଥମତଃ, ସାମୁଏଲ ବିକେଟ୍‌ଙ୍କ ନାଟ୍ୟରୀତିରେ ରକ୍ଷଣଶୀଳ ସମାଲୋଚକ ଗଠନମୂଳକ ଅନୁଚିନ୍ତା ପରିବର୍ତ୍ତେ କେବଳ ଧ୍ଵଂସାତ୍ମକ ପ୍ରବୃତ୍ତିର ଅବାଧ ଆତ୍ମପ୍ରକାଶ ଲକ୍ଷ୍ୟ କରିଥି‌ବାରୁ ଉଦ୍ଭଟ ନାଟକକୁ ମୃତ୍ୟୁ - ପଞ୍ଜିକା ଆଖ୍ୟା ଦେଇଛନ୍ତି । ଏଥିରେ ଯେ କେବଳ ମନୁଷ୍ୟକୁ ବଞ୍ଚିବାରେ ନିରୁତ୍ସାହିତ କରାଯାଏ ତହା ନୁହେଁ, ତା’ର ଆଶାଭରସା, ଶକ୍ତିସାମର୍ଥ୍ୟ, ପ୍ରେରଣା ଓ କଳ୍ପନା ସବୁ ଧ୍ୱଂସକରି ଶେଷରେ ପଙ୍ଗୁତ୍ୱର ସ୍ଥିତିରେ ତା’କୁ ହାଣ ମୁହଁକୁ ଠେଲି ଦିଆଯାଏ । ମୃତ୍ୟୁର ପଞ୍ଜୀକାର ଭାବରେ ଉଦ୍ଭଟ ନାଟ୍ୟକାର ମାନବଜାତିର ଚିତ୍ରଗୁପ୍ତ ସାଜି ସଭ୍ୟତାର ଶବକୁ ଉଦ୍ଭଟ ଦର୍ଶନର କଳାକନାରେ ଢାଙ୍କି ଦେଇଛନ୍ତି । ଏହି ପ୍ରସଙ୍ଗରେ ବିକେଟ୍‌ଙ୍କ ଏକ ନାଟ୍ୟଚରିତ୍ରର ସ୍ଵୀକାରୋକ୍ତି । ପ୍ରଣିଧାନ - ଯୋଗ୍ୟ । ଗୋଦତ୍‌ଙ୍କ ଅପେକ୍ଷାରେ ବସିରହିଥିବା ‘ଓ୍ୱେଟିଂ ଫର୍‌ ଗୋଦତ୍‌’ ନାଟକର ମୁଖ୍ୟ ନାୟକ ବିରକ୍ତି ଓ କ୍ଷୋଭରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ‘ଏଠି କିଛି ଘଟେ ନାହିଁ, କେହି ଆସନ୍ତି ନାହିଁ, କେହି ଯାଆନ୍ତି ନାହିଁ, ଏହା ଏକ ଭୟଙ୍କର ସ୍ଥିତି’, ତାହା ଉଦ୍ଭଟ ନାଟକର ଅସାମାଜିକତା, ଘଟଣାହୀନତା ଓ ଗତିହୀନତାର ଉପାଦାନ ପଦାକୁ ଆଣିବା ସହିତ ସାମୁଏଲ ବିକେଟ୍‌ଙ୍କ ଦର୍ଶନର ଆଧିଭୌତିକ ଓ ଆଧିଦୈବିକ ମାର୍ଗ ସ୍ପଷ୍ଟ କରିଦେଇଛି । ଦ୍ଵିତୀୟରେ, ଏହା ମଧ୍ୟ କେବଳ ଏକ ଆମୋଦଦାୟକ ଓ ଉଦ୍ଦେଶ୍ୟହୀନ ରମ୍ୟରଚନା ହୋଇପାରେ ଯେଉଁଥି‌ରେ ସଂପୂର୍ଣ୍ଣ ନିରର୍ଥକ, ହାସ୍ୟୋଦ୍ଦୀପକ ଓ ପରିଣତିବିହୀନ ଜୀବନପ୍ରକ୍ରିୟାର କଳ୍ପନା କରାଯାଇଅଛି । ସର୍କସର ଜୋକର କିମ୍ବା ଭୋଜବାଜି ଦେଖାଉଥି‌ବା ଯାଦୁକର ପରି ଏହାର ଚରିତ୍ର ଦର୍ଶକମାନଙ୍କୁ ଭୂଆଁବୁଲିବା ପାଇଁ ରଙ୍ଗମଞ୍ଚ ଉପରେ କେତୋଟି ‘ଟ୍ରିକ୍‌’ ପ୍ରଦର୍ଶନ କରିବା ଛଡ଼ା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିନଥିବାରୁ ଏଥି‌ରେ ନିଗୂଢ଼ ଦର୍ଶନର ଖୋଳତାଡ଼ କରିବାର ଆବଶ୍ୟକତା ନାହିଁ । ତୃତୀୟରେ, ଉଦ୍ଭଟ ନାଟକ ଏକ ବ୍ୟଙ୍ଗରଚନା ଏବଂ ଏହାର ବ୍ୟଙ୍ଗକାର ଜଣେ କଠୋର ସମାଜ ସଂସ୍କାରକ ଭାବରେ କେବଳ ସାମାଜିକ ମନୁଷ୍ୟର ଦୁଷ୍କର୍ମ ପ୍ରତି ବିଦ୍ରୂପର କଟାକ୍ଷପାତ କରିନାହାନ୍ତି, ମାନବ ସଭ୍ୟତାର ଅବନତି ଉପରେ ମଧ୍ୟ ଶ୍ଳେଷାତ୍ମକ ଆକ୍ରମଣ କରିଛନ୍ତି । ଫାଶୀଖୁଣ୍ଟରେ ଚଢ଼ିବାକୁ ଯାଉଥି‌ବା ଲୋକର ଅଟ୍ଟହାସ ମୃତ୍ୟୁକୁ ତାଚ୍ଛଲ୍ୟ କରୁଥି‌ଲା ପରି ସାମୁଏଲ ବିକେଟଙ୍କ ଉଦ୍ଭଟ ନାଟକ ପ୍ରଗତିର ଶିଖର ଦେଶରେ ଉପନୀତ ହୋଇଥି‌ବା ପାଶ୍ଚାତ୍ୟ ମନୁଷ୍ୟର ସ୍ପର୍ଦ୍ଧିତ ଅହମିକା ପ୍ରତି ଏକ ତାଚ୍ଛଲ୍ୟର ଆହ୍ୱାନ । ଚତୁର୍ଥରେ, ସାହିତ୍ୟରେ ବିଭାଗୀକରଣର ଯଥାର୍ଥତା ଅସ୍ଵୀକାର କରି ଉଦ୍ଭଟ ନାଟ୍ୟକାର ଉପନ୍ୟାସ, ନାଟକ, ଗଳ୍ପ, ପ୍ରବନ୍ଧ, ସମାଲୋଚନା, ରମ୍ୟରଚନା, ଟ୍ରାଜେଡ଼ି, ବ୍ୟଙ୍ଗରଚନା, ସ୍ଲାପ୍‌ଷ୍ଟିକ୍‌ ଓ ଆତ୍ମଜୀବନୀ ପ୍ରଭୃତି ଶ୍ରେଣୀଭୁକ୍ତ କଳାରଚନାର ସ୍ଵତନ୍ତ୍ରତା କେବଳ ନିଶ୍ଚିହ୍ନ କରି ନଥିଲେ, ଏସବୁର ମିଳିତ ପ୍ରକ୍ରିୟାରେ ଯେଉଁ ଅଜବ ରଚନାସୂତ୍ର ବାହାର କରିଥି‌ଲେ ତାହା ନାଟକ ଲେଖାର ପ୍ରଚେଷ୍ଟାକୁ ଉପହାସ କରିବା ସଙ୍ଗେ ସଙ୍ଗେ ସାହିତ୍ୟର ପରିକଳ୍ପନାକୁ ମଧ୍ୟ ତାଚ୍ଛଲ୍ୟ କରିଥି‌ଲା । ଭାଷାର ବ୍ୟବଧାନ ଅତିକ୍ରମ କରି ସାହିତ୍ୟସୃଷ୍ଟିର କଳ୍ପନା ଯେପରି ହାସ୍ୟାସ୍ପଦ, ନିଭୃତ ଅନୁଭବକୁ ପଦାକୁ ଆଣିବାର ଉଦ୍ୟମ ସେହିପରି ଦୁଃସାହସିକ ।

 

ଗଠନମୂଳକ ସମାଲୋଚନା ନାମରେ ଉଦ୍ଭଟ ସାହିତ୍ୟର ମାନ ନ୍ୟୁନ କରିବା ପାଇଁ ଯେତେ ଅପଚେଷ୍ଟା ହୋଇଥି‌ଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଉଦ୍ଭଟ ଭାବନାର ପ୍ରାସଙ୍ଗିକତା କେହି ଅସ୍ଵୀକାର କରିପାରିବେ ନାହିଁ । ବିଶ୍ଵ ସାହିତ୍ୟର ଏକ ମାଇଲଖୁଣ୍ଟି ପରି ଏହା ମନୁଷ୍ୟର ଚେତନାକୁ ଆହୁରି ବିସ୍ତାରିତ କରି ସଂସ୍କୃତିର ଇତିହାସରେ ନୂତନ ଅଧ୍ୟାୟ ଆରମ୍ଭ କରିଥି‌ଲା । ଉଦ୍ଭଟ ନାଟ୍ୟକାର ପ୍ରତାରକ ନୁହନ୍ତି, ସେ କଳାର ଜଣେ ନିଷ୍ଠାପର ସାଧକ ଯେକି କଲମ ମୁନରେ ମାନବଜାତିର କଲ୍ୟାଣ ସାଧନର ସ୍ଵପ୍ନ ଦେଖିଥି‌ଲେ । ଉଦ୍ଭଟ ନାଟକ ସଭ୍ୟତାର ଅମାବାସ୍ୟା ନୁହେଁ, ବରଂ ତମସାର କେନ୍ଦ୍ରରେ ଏକ ପ୍ରଜ୍ଜ୍ୱଳିତ ଆଲୋକ ସ୍ତମ୍ଭ । ଭ୍ରଷ୍ଟ ମନୁଷ୍ୟର ଶୋଚନୀୟ ଗତି ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖି ଉଦ୍ଭଟ ନାଟ୍ୟକାର ଆଧୁନିକ ସଭ୍ୟତାର ଯେଉଁ ନୈତିକ ମାନଚିତ୍ର ତିଆରି କରିଥି‌ଲେ ତାହା ଯେ କେବଳ ପାପାଚାରୀ ମାନବର ବିବେକ ଉପରେ ପ୍ରଚଣ୍ଡ ଆଘାତ କରିଥିଲା ତାହା ନୁହେଁ, ଅନୁଶୋଚନା ମଧ୍ୟରେ ପ୍ରାୟଶ୍ଚିତର ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ସାହିତ୍ୟରେ ମୂଲ୍ୟବୋଧର ପୁନର୍ବିଚାର ପାଇଁ ଆତ୍ମ-ସମୀକ୍ଷାର ବିପୁଳ ସୁଯୋଗ ଆଣି ଦେଇଥିଲା-। ସଭ୍ୟତାର ନଚିକେତା ପରି ଉଦ୍ଭଟ ନାଟ୍ୟକାର ମୃତ୍ୟୁର ବ୍ରହ୍ମଜ୍ଞାନ ମଧ୍ୟରେ ଜୀବନଶିକ୍ଷାର ଯେଉଁ ପ୍ରଗାଢ଼ ନିଷ୍ଠା ପ୍ରଦର୍ଶନ କରିଥି‌ଲେ ତାହା କଦାପି ବ୍ୟର୍ଥ ହୋଇ ନାହିଁ ।

 

ସହାୟକ ପୁସ୍ତକ ସୂଚୀ:

1.

Waiting For Godot (1956)

Samuel Beckett

2.

The Chairs (1958)

Eugene lonesco

3.

The Theatre of the Absurd (1968)

Martin Esslin

4.

The Myth of Sisyphus (1955)

Albert Camus

5.

The Symbolist Movement

in Literature (1919)

Arthur Symons

 

 

ପ୍ରାଧ୍ୟାପକ ଇଂରାଜୀ ବିଭାଗ,

ବି.ଜେ.ବି. ପ୍ରାତଃ ମହାବିଦ୍ୟାଳୟ,

ଭୁବନେଶ୍ୱର

 

***

 

Unknown

ସାହିତ୍ୟରଥୀ ଶ୍ୟାମସୁନ୍ଦର ରାଜଗୁରୁ

ଡକ୍ଟର ହରିହର କାନୁନ୍‌ଗୋ

 

ଊନବିଂଶ ଶତାବ୍ଦୀର ଶେଷପାଦରେ ଉପାନ୍ତ ଅଞ୍ଚଳରେ ଜନ୍ମଲାଭ କରିଥିବା ଯେଉଁ ବିଶିଷ୍ଟ ସାଧକମାନେ ନିଜର କୃତି ଓ କୀର୍ତ୍ତି ଦ୍ୱାରା ଓଡ଼ିଆ ସାହିତ୍ୟ, ସଂସ୍କୃତି, ସ୍ଵାଭିମାନ ଏବଂ ଓଡ଼ିଆତ୍ୱର ପ୍ରତିଷ୍ଠାକରି ଚିରବନ୍ଦନୀୟ ଓ ଚିରସ୍ମରଣୀୟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଶ୍ୟାମସୁନ୍ଦର ରାଜଗୁରୁ ଏକ ପ୍ରବାଦପୁରୁଷ । ସେ ଏକାଧାରାରେ ଥିଲେ କବି - ସଂଗୀତଜ୍ଞ - ସାମାଲୋଚକ- ପ୍ରାବନ୍ଧିକ ଏବଂ ଭାଷାତତ୍ତ୍ୱ‌ବିତ୍‌ । ଗଞ୍ଜାମ ଜିଲ୍ଲାର (ବର୍ତ୍ତମାନ ଗଜପତି ଜିଲ୍ଲା) ପାରଳାଖେମୁଣ୍ଡି ଚିତ୍ରକାର ସାହି ରାଜଗୁରୁ ପରିବାରରେ ସେ ଜନ୍ମ । ୧୮୬୬ ମସିହା ଫେବୃୟାରୀ ୧୨ ତାରିଖରୁ ୧୯୦୯ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ମାତ୍ର ୪୩ ବର୍ଷ ସେ ବଞ୍ଚିଲେ । ଡଃ. ସତ୍ୟନାରାୟଣ ରାଜଗୁରୁ ଶ୍ୟାମସୁନ୍ଦରଙ୍କର ଜନ୍ମ ୧୮୬୨ରେ ହୋଇଥିଲା ବୋଲି ମତ ଦେଇଛନ୍ତି ।୧। କିନ୍ତୁ ସେ ତାଙ୍କର History of Ganges, Vol.II. P. 170 (a) ରେ ରାଜଗୁରୁଙ୍କର ଜନ୍ମ ୧୮୬୩ ବୋଲି ଉଲ୍ଲେଖ କରିଛନ୍ତି । ମୃତ୍ୟୁ ତାରିଖ ସଂପର୍କରେ କେହି ଭିନ୍ନ ମତ ପୋଷଣ କରି ନାହାନ୍ତି । ଶ୍ୟାମସୁନ୍ଦରଙ୍କ ପିତା ପାରଳା ବ୍ରାହ୍ମଣ ସମାଜର ଥି‌ଲେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ମାତା ରାଧିକା ଦେବୀ ଥିଲେ ଧର୍ମପ୍ରାଣା ମହିଳା । ପିତା ମାତାଙ୍କ ସୁକୃତରୁ ଶ୍ୟାମସୁନ୍ଦର ବିଜ୍ଞ ଓ ପଣ୍ଡିତ ହୋଇପାରିଥି‌ଲେ । ପ୍ରାଥମିକ ଶିକ୍ଷାପରେ ସେ କିଶୋର ବୟସରେ ସଂସ୍କୃତ ଓ ବୈଦିକ କର୍ମକାଣ୍ଡ ଅଧ୍ୟୟନ କଲେ । ତାହା ଥିଲା ସେତେବେଳେ ବ୍ରାହ୍ମଣ ପରିବାରର କୁଳଧର୍ମ । ବ୍ରାହ୍ମଣ୍ୟ ଧର୍ମର କୁଳବୃତ୍ତିରେ ତାଙ୍କୁ କେହି ବାନ୍ଧି ରଖିପାରିଲେ ନାହିଁ । ସେ ଯେ ପାଠପଢ଼ି ବଡ଼ ମଣିଷ ହେବେ ଓ ଏ ଜାତିର ଉନ୍ନତି କରିବେ ଏହାତ ବିଧିର ବିଧାନ । ରାଜଗୁରୁ ବଂଶର ସେ ହେଲେ କୁଳପ୍ରଦୀପ । ରାଜଗୁରୁ ଶ୍ୟାମସୁନ୍ଦର ଇଂରାଜୀ ଶିକ୍ଷା ପ୍ରତି ଆକୃଷ୍ଟ ହୋଇ ୧୮୮୨ରେ ଇଂରେଜୀ ପଢ଼ିଲେ । ୧୮୮୭ରେ ପାରଳା ଉଚ୍ଚ ବିଦ୍ୟାଳୟରୁ ପ୍ରବେଶିକା ପରୀକ୍ଷାରେ ପ୍ରଥମ ହେଲେ । ୧୮୯୦ରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରୁ ଏଫ.ଏ. ଓ ୧୮୯୨ରେ ସରକାରୀ ମହାବିଦ୍ୟାଳୟ, ରାଜମହେନ୍ଦ୍ରୀରୁ ସ୍ନାତକ ଡିଗ୍ରୀ ହାସଲ କଲେ । ସେତେବେଳେ ସେ ହେଲେ ଗଂଜାମର ପ୍ରଥମ ଗ୍ରାଜୁଏଟ୍‌ । ଏ କଥା ବାଇକୋଳି ମହାପାତ୍ର ତାଙ୍କର ଓଡ଼ିଆ ଆନ୍ଦୋଳନର ଇତିହାସ, ୧୯୭୮, ପୃ ୫୯ରେ ବର୍ଣନା କରିଛନ୍ତି । ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଶ୍ୟାମସୁନ୍ଦର ଉଚ୍ଚପ୍ରାଥମିକ ସ୍ତରରେ ଡବଲ ପ୍ରମୋଶନ ପାଇ ୨୧ ବର୍ଷ ବୟସରେ ମେଟ୍ରିକ୍ୟୁଲେସନ ପାଶକରି ପ୍ରଥମେ ବ୍ରହ୍ମପୁରରେ ଓ ତାପରେ ରାଜମହେନ୍ଦ୍ରୀ କଲେଜରୁ ୨୫ ବର୍ଷ ବୟସରେ ବି.ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ୍‌ କଲେ । ଏହା ଯଦି ଠିକ୍‌ ହୁଏ ତେବେ ୧୮୮୩ ରେ ପାରଳା ଉଚ୍ଚ ବିଦ୍ୟାଳୟରୁ ପ୍ରବେଶିକା ପରୀକ୍ଷାରେ ପ୍ରଥମ ହୋଇ ୧୮୮୫ରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରୁ ଏଫ୍‌.ଏ, ଓ ୧୮୮୭ରେ ରାଜମହେନ୍ଦ୍ରୀ କଲେଜରୁ ବି.ଏ. ପାଶ୍‌ କଲେ । ପ୍ରକୃତରେ ସେ ୧୮୮୭ରେ କି ୧୮୯୨ରେ ବି.ଏ. ପାଶ୍‌ କଲେ ତାହା ସଠିକ୍‌ ଜାଣିହୁଏ ନାହିଁ । କିନ୍ତୁ ଆଲୋଚନାରୁ ଜଣାପଡ଼େ ଯେ ସେ ୧୮୯୨ ରେ ବି.ଏ. ପାଶ୍‌ କଲେ । ସେହିବର୍ଷ ମାର୍ଚ୍ଚ ୫ ତାରିଖରେ ପାରଳାର ରାଜକୁମାର ପଦ୍ମନାଭ ଗଜପତିଙ୍କର ସେ ଘରୋଇ ଗୁରୁ ହେଲେ । ରାଜଗୁରୁଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଇଂରାଜୀ ବ୍ୟାକରଣ ଓ ସେକ୍‌ସପିୟରଙ୍କ ନାଟକଗୁଡ଼ିକ ପଢ଼ି ଭଲ ଭାବରେ ବୁଝିପାରିଲେ । ତା’ ସାଙ୍ଗକୁ ଶିଖିଲେ ଗଣିତ ଓ ଶରୀରବିଜ୍ଞାନ । ରାଜଗୁରୁଙ୍କ ନୀତି ଓ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ପଦ୍ମନାଭଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିଲା । ତାଙ୍କ ପ୍ରେରଣାରେ ପଦ୍ମନାଭ ସାହିତ୍ୟ ସାଧନାରେ ବ୍ରତୀ ହେଲେ । ମଣିଷ ଭଳି ମଣିଷଟିଏ ଥିଲେ ରାଜଗୁରୁ । ଜୀବନର ଲକ୍ଷ୍ୟ ଥିଲା ସମସ୍ତଙ୍କୁ ଭଲ ମଣିଷଟିଏ କରି ଗଢ଼ି ତୋଳିବା । ଆତ୍ମସଚେତନ ସ୍ଵାଭିମାନୀ ଯୁବକ ରାଜଗୁରୁ ସରକାରୀ ଚାକିରୀକୁ ତୁଚ୍ଛ କରି ଆଜୀବନ ସେ ଆର୍ଥି‌କ ଅନଟନ ଭିତରେ ଗତି କଲେ ସତ କିନ୍ତୁ ଅର୍ଥ ଓ କ୍ଷମତା ପଛରେ ଧାଇଁଲେ ନାହିଁ । ଶିକ୍ଷାର ମୂଲ୍ୟବୋଧ ଓ ଶିକ୍ଷିତର କର୍ତ୍ତବ୍ୟ ସଂପର୍କରେ ସଚେତନ ହୋଇ ଜୀବନ ଗଢ଼ଣର ମାର୍ଗରେ ନିଜକୁ ବ୍ରତୀ କରିନେଲେ ।

 

ଶିକ୍ଷା ପାଇଁ ଗଢ଼ିଲେ ସ୍କୁଲ କଲେଜ । ଗମନାଗମନ ପାଇଁ ପାରଳାରୁ ନୌପଡ଼ା ରେଳପଥର ପରିକଳ୍ପନା କରି ରାଜା ଗୌରଚନ୍ଦ୍ରଙ୍କୁ ପରାମର୍ଶ ଦେଲେ । ଜନ୍ମମାଟିର ମାୟାମୋହରେ ସେ ବାନ୍ଧି ହୋଇଗଲେ । ନିଜ ଅଞ୍ଚଳ ସମେତ ସମଗ୍ର ଓଡ଼ିଆ ଜାତିର ଉନ୍ନତିପାଇଁ ସେ ହେଲେ ସଂକଳ୍ପବଦ୍ଧ । ଦେଶସେବା ଓ ସାହିତ୍ୟ ସେବା ହେଲା ତାଙ୍କ ଜୀବନର ଲକ୍ଷ୍ୟ । ପାରଳା ରାଜପରିବାରର ସେ କେବଳ ଗୁରୁଦେବ ନଥି‌ଲେ ସେ ଥି‌ଲେ ବନ୍ଧୁ- ଦାର୍ଶନିକ ଓ ମାର୍ଗଦର୍ଶକ । ଉଦ୍ଦେଶ୍ୟଥି‌ଲା ପାରଳାଖେମୁଣ୍ଡିକୁ ଓଡ଼ିଶାର ପ୍ରଥମ ଓ ପ୍ରଧାନ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ।

 

ଜନସେବାରୁ ରାଜନୀତି :

ତୁଳସୀ ଦୁଇ ପତ୍ରରୁ ବାସିଲାଭଳି ଛାତ୍ରାବସ୍ଥାରୁ ରାଜଗୁରୁଙ୍କର ଜନସେବା ଓ ରାଜନୀତି ପ୍ରତି ଅନୁରାଗ ଥିଲା । ସେତେବେଳେ ଗଂଜାମ ଜିଲ୍ଲା ମାନ୍ଦ୍ରାଜ ପ୍ରେସିଡେନ୍‌ସୀ ଅଧୀନରେ ଥାଏ । କୋର୍ଟ କଚେରୀ ଓ ପ୍ରାଥମିକ ସ୍କୁଲରେ ଓଡ଼ିଆ ଭାଷା ପରିବର୍ତ୍ତେ ଥି‌ଲା ତେଲୁଗୁ । ତେଣୁ ଓଡ଼ିଆ ଭାଷାର ପ୍ରଚଳନ ପାଇଁ କଲେଜପଢ଼ା ବେଳଠାରୁ ରାଜଗୁରୁ ଉଦ୍ୟମ କରୁଥାନ୍ତି । ପଢ଼ା ସରିଲା ପରେ ଚାଙ୍ଗୁଡ଼ିର ଗଙ୍ଗାଧର ଖାଡ଼ଙ୍ଗା ଓ ପାରଳା ରାଜାଙ୍କ ମ୍ୟାନେଜର ଦ୍ଵେପାୟନ ରାଓଙ୍କୁ ଧରି ପଦ୍ମନାଭ ଗଜପତିଙ୍କ ପୃଷ୍ଠପୋଷକତାରେ ୧୮୮୫ ରେ ଓଡ଼ିଆମାନଙ୍କ ଏକତ୍ରୀକରଣ ଓ ସ୍ଵାର୍ଥରକ୍ଷା ନିମନ୍ତେ ପାରଳାରେ ଗଢ଼ିଲେ ଉତ୍କଳ ହିତୈଷିଣୀ ସମାଜ । ସେ ହେଲେ ଏହି ଅନୁଷ୍ଠାନର ସଭାପତି ।।୨। ଉଦ୍ଦେଶ୍ୟଥି‌ଲା ଦକ୍ଷିଣ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଚେତନାର ବିକାଶ । ସଂକଳ୍ପବଦ୍ଧ ହୋଇ ସେ ନିଜକୁ ଉତ୍ସର୍ଗ କଲେ । ଏହି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆମାନଙ୍କ ନ୍ୟାଯ୍ୟଦାବିକୁ ଆନ୍ଦୋଳନ ଦ୍ୱାରା ରୂପାୟିତ କଲେ । ରାଜଗୁରୁଙ୍କ ଜ୍ଞାନ ଓ ପଦ୍ମନାଭଙ୍କ ଧନ ଏକତ୍ର ମିଶି ପାରଳାର ବିଲୁପ୍ତ ଜାତୀୟ ଶକ୍ତିକୁ ଉଜ୍ଜୀବିତ କଲା । ରାଜଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଧାଚରଣ ଅଧିକାରୀ, ବୃନ୍ଦାବନ ଦାସ, ଗୋବିନ୍ଦ ପଣ୍ଡା, ନୀଳମଣି ପରିଚ୍ଛା, ନରସିଂହ ନାୟକ, ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ, ଅନାମ ପାଣିଗ୍ରାହୀ, ବଳରାମ ମହାପାତ୍ର ଓ ଜଗନ୍‌ମୋହନ ଦାସ ପ୍ରଭୃତି ଏହି ଅନୁଷ୍ଠାନରେ ସାମିଲ ହେଲେ । ଏପରିକି ପାରଳାର ତତ୍କାଳୀନ ଗଜପତି ଗୌରଚନ୍ଦ୍ର ଓ ଜୟପୁରର ରାଜା ବିକ୍ରମ ଦେବ ଏହି ଅନୁଷ୍ଠାନର ପୃଷ୍ଠପୋଷକତା କଲେ । ଗୁମ୍ମା, ସେରଙ୍ଗ, ଜିରାଙ୍ଗ ଓ ରାୟଗଡ଼ର ବିଷୋୟୀମାନେ ଏହି ହିତୈଷିଣୀ ସମାଜରେ ରହି ଓଡ଼ିଆମାନଙ୍କ ସ୍ଵାର୍ଥରକ୍ଷା ଦିଗରେ ମନୋନିବେଶ କଲେ ।

 

୧୮୮୫ରେ ବମ୍ବେରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ଅଧିବେଶନରେ ଓଡ଼ିଆଙ୍କ ପକ୍ଷରୁ ପାରଳାର ରାଜକୁମାର ପଦ୍ମନାଭ ଗଜପତିଙ୍କ ଅନୁରୋଧକ୍ରମେ କଂଗ୍ରେସ ନୀତିରେ ଅନୁପ୍ରାଣିତ ହୋଇ ଯୋଗଦେଲେ । ତାଙ୍କ ସହିତ ପାରଳା ଚାଙ୍ଗୁଡ଼ି ଶାସନର ଗଙ୍ଗାଧର ଖାଡ଼ଙ୍ଗା ଓ ରାଜାଙ୍କ ମ୍ୟାନେଜର ଦ୍ଵେପାୟନ ରାଓ ମଧ୍ୟ ବମ୍ବେ ଯାଇଥିଲେ । ସରକାରଙ୍କ ବିରୋଧରେ କୌଣସି ପ୍ରସ୍ତାବ ସେଥିରେ ଗୃହୀତ ନହେବାରୁ ବରଂ ବ୍ରିଟିଶ ସରକାରଙ୍କୁ ସନ୍ତୁଷ୍ଟ କରି ଦେଶମିଶ୍ରଣ ଆନ୍ଦୋଳନ ଚଳାଇବା ଉଚିତ୍‌ ବୋଲି ରାଜଗୁରୁଙ୍କ ସହିତ ଓଡ଼ିଶାର ନେତାମାନେ ମତ ଦେଲେ ।

 

୧୮୮୬ରେ ଅପନ୍ନା ପଣ୍ଡା ହିତୈଷିଣୀ ସମାଜ ପକ୍ଷରୁ ଏକ ପ୍ରସ୍ତାବ ଆଣିଲେ, ‘‘ଗଂଜାମ ଜିଲ୍ଲାର ପ୍ରତି ସରକାରୀ ଅଫିସରେ ତେଲୁଗୁ ଭାଷା ପରି ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ସ୍ଵାକ୍ଷର ସଂଗ୍ରହ କରି ମାନ୍ଦ୍ରାଜ ସରକାରଙ୍କୁ ଗୋଟିଏ ଆବେଦନପତ୍ର ପଠାଯାଉ’’ । ଏହି ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହେଲାପରେ ରାଜଗୁରୁ ଏହାର ନେତୃତ୍ୱ ନେଲେ ଏବଂ ଆବେଦନ ପତ୍ରଟି ଇଂରେଜୀରେ ଲେଖି କଟକରେ ଛପାଇଲେ । ରାଜଗୁରୁ ସେତେବେଳେ ଅନ୍ୟ ସଭ୍ୟମାନଙ୍କୁ ଧରି ସମଗ୍ର ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ସ୍ଵାକ୍ଷର ସହିତ ଆବେଦନପତ୍ରଟି ଗଭର୍ଣ୍ଣରଙ୍କୁ ଦେଇଥିଲେ । ତା’ପରେ ଏହା ବିରୁଦ୍ଧରେ ଆନ୍ଦୋଳନ ଚାଲିଲା । ଦୀର୍ଘ ତିନି ବର୍ଷ ପରେ ୧୮୮୬ରେ ତତ୍କାଳୀନ ମାନ୍ଦ୍ରାଜ ଗଭର୍ଣ୍ଣର ଲର୍ଡ଼ କାନମୋରା ଗଂଜାମ ଭ୍ରମଣରେ ଆସି ସୋମପେଟା ନିକଟବର୍ତ୍ତୀ କାଞ୍ଚୁଲିରେ ଗୋଟିଏ ସଭା ଡାକିଲେ । ଏହି ସଭାରେ ରାଜଗୁରୁ ନିଜର ବଳିଷ୍ଠ ବ୍ୟକ୍ତିତ୍ଵ, ଦୃଢ଼ ଯୁକ୍ତିବଳରେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ପ୍ରଭାବିତ କରି ଜିଲ୍ଲାର ସମସ୍ତ ସରକାରୀ ଅଫିସ, କୋର୍ଟକଚେରୀ ଓ ସ୍କୁଲରେ ଓଡ଼ିଆ ଭାଷାର ପ୍ରଚଳନ କଲେ । କିନ୍ତୁ ଗଂଜାମ ଜିଲ୍ଲାର ସମସ୍ତ କଚେରୀ ଓ ସ୍କୁଲମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ ଆଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ । “In 1890, the Oriya language was ordered by the Madras Government Go No. 2024 Judicial Dt. 15.12.1890 to be used in the Court and Government Offices but for reasons inherent in a system of filling of the public officially non-Oriyas, this government order ruined Go remained inoperative.’’ ।୩। ତାପରେ ଚାଲିଲା ପୁଣି ଆନ୍ଦୋଳନ । ଓଡ଼ିଆଭାଷୀ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଲେ । ବ୍ରହ୍ମପୁର, ରସୁଲକୋଣ୍ଡା (ଘୁମୁସର) ଓ ଶ୍ରୀକାକୁଲମ୍‌ ଅଞ୍ଚଳରେ ଓଡ଼ିଆ କର୍ମଚାରୀ ନିଯୁକ୍ତ ହେଲେ । କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ହେଲା । ସେତେବେଳେ ବିଲାତରେ ଭାରତମନ୍ତ୍ରୀମାନେ ଗଞ୍ଜାମର ଓଡ଼ିଆ ସ୍ଵାର୍ଥରକ୍ଷା କାର୍ଯ୍ୟକହିଲେ ପାରଳାଖେମୁଣ୍ଡିର ଏହି ସଭାକୁ କେବଳ ବୁଝୁଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ସମାଜର ଖ୍ୟାତି ଥିଲା । ଓଡ଼ିଶାର ଉତ୍ତରରେ ବାଲେଶ୍ଵର ଓ ଦକ୍ଷିଣରେ ପାରଳାଖେମୁଣ୍ଡିରୁ ଯେଉଁ ଭାଷା ଆନ୍ଦୋଳନ ସୃଷ୍ଟି ହେଲା, ତାର ପ୍ରଭାବ ପଶ୍ଚିମରେ ସମ୍ବଲପୁରକୁ ବ୍ୟାପିଲା । ମଧ୍ୟପ୍ରଦେଶରେ ଥିବା ଓଡ଼ିଆଭାଷୀ ଗଡ଼ଜାତରେ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ଆନ୍ଦୋଳନ ଚାଲିଲା । ବାମଣ୍ଡାରୁ ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶ ପାଇଲା ସାପ୍ତାହିକ ପତ୍ରିକା ‘ଗଡ଼ଜାତବାସିନୀ’ । ଏହି ପତ୍ରିକା ମାଧ୍ୟମରେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ସରକାରଙ୍କଠାରେ ଦାବି ଉପସ୍ଥାପିତ କରାଯାଉଥିଲା । ଗଞ୍ଜାମ ଓ ସମ୍ବଲପୁର ଓଡ଼ିଆମାନଙ୍କ ପକ୍ଷରୁ ଯେଉଁ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ତାହାକୁ ସମର୍ଥନ କରି ଓଡ଼ିଶାର କମିଶନର ମିଃ. କୁକ୍‌ ୧୮୯୪-୯୫ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ସମ୍ବଲପୁର ଓ ଗଂଜାମକୁ ଓଡ଼ିଶାରେ ମିଶାଇ ଏକ ଶାସନାଧୀନ କଲେ ସେମାନଙ୍କ ଭାଷାର ଉନ୍ନତି ସମ୍ଭବ ହେବ । ସେହି ରିପୋର୍ଟକୁ ଭିତ୍ତିକରି କଟକର ‘ଓଡ଼ିଆ ସମାଜ’ ପକ୍ଷରୁ ଏକ ସ୍ମାରକପତ୍ର ମଧୁବାବୁଙ୍କ ଅଧ୍ୟକ୍ଷତାରେ ୧୮୯୭ରେ ଲଣ୍ଡନର ତତ୍କାଳୀନ ସେକ୍ରେଟେରୀ ଅଫ୍‌ ଷ୍ଟେଟ ଲର୍ଡ଼ ଜର୍ଜ ହେମିଲଟନଙ୍କଠାରେ ଉପସ୍ଥାପିତ କରାଗଲା । ଏଣେ ଓଡ଼ିଶାରେ ଗଂଜାମର ମିଶ୍ରଣ ବିରୁଦ୍ଧରେ ମାନ୍ଦ୍ରାଜ ସରକାର ଆପତ୍ତି ଉଠାଇଲେ । ଫଳରେ ଓଡ଼ିଆ ସମସ୍ୟାର ସମାଧାନ କିଛି ହୋଇପାରିଲା ନାହିଁ । ୧୮୯୩ ନଭେମ୍ବରରେ ପଦ୍ମନାଭ ଗଜପତି ନିଜର ଘରୋଇ ଗୁରୁ ରାଜଗୁରୁଙ୍କ ସହିତ ମାନ୍ଦ୍ରାଜ, ବମ୍ୱେ, ବରୋଦା, ଜୟପୁର, ଦିଲ୍ଲୀ, ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଆଗ୍ରା, ବାରାଣାସୀ, କଲିକତା ପ୍ରଭୃତି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କଲେ । ।୪। ୧୮୯୪ରେ ମାନ୍ଦ୍ରାଜ ଜାତୀୟ କଂଗ୍ରେସ ଅଧି‌ବେଶନ, ୧୮୯୫ରେ ପୁନା ଅଧି‌ବେଶନ ଓ ୧୮୯୭ରେ ଅମରାବତୀ ଅଧିବେଶନରେ ମଧ୍ୟ ରାଜଗୁରୁ ଯୋଗ ଦେଲେ । ଅମରାବତୀ ଅଧିବେଶନରେ ଜାତୀୟ କଂଗ୍ରେସର ବିଷୟ ନିର୍ବାହିକା ସମିତିର ସଭ୍ୟରୂପେ ସେ ନିର୍ବାଚିତ ହେଲେ । ଭାରତ ଭ୍ରମଣ କରି ରାଜଗୁରୁ ଆପଣାର ଅନୁଭୂତି ଓ ପ୍ରତିଭାକୁ ପୁଞ୍ଜି କରି ଉଭୟ କାର୍ଯ୍ୟ କରିବାକୁ ମନ ବଳାଇଲେ ଏବଂ ଓଡ଼ିଆଭାଷୀ ଅଂଚଳର ଏକତ୍ରୀକରଣ ପାଇଁ ପଦକ୍ଷେପ ନେଲେ । ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ଉତ୍କଳ ସମ୍ମିଳନୀ ପ୍ରମୁଖ ଭୂମିକା ନେଇଥିଲା, ତା’ର ଅୟମାରମ୍ଭ ହୋଇଥିଲା ରାଜଗୁରୁଙ୍କ ସଭାପତିତ୍ୱରେ ।

 

ପୁରାତନ ପୌରସଂସ୍ଥା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ୨୮.୧୨. ୧୮୮୫ରେ ସ୍ଥାପିତ ହେଲା । ନିଜର ଅସାଧାରଣ ପାଣ୍ଡିତ୍ୟ, ବିଦ୍‌ବତ୍ତା ଓ କଠିନ ପରିଶ୍ରମ ଫଳରେ ୫.୯.୧୮୯୪ ରୁ ୧୭.୪.୧୯୦୯ ପର୍ଯ୍ୟନ୍ତ ଦୀର୍ଘ ପନ୍ଦରବର୍ଷ କାଳ ରାଜଗୁରୁ ଏହାର ଚେୟାର୍‌ମ୍ୟାନ ରହିଲେ ଏବଂ ଜନ୍ମଭୂମିର ସେବା କଲେ ।୫। ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଡାକ୍ତରଖାନା ନିର୍ମାଣ, ସହରର ରାସ୍ତାଘାଟଗୁଡ଼ିକର ପ୍ରସାର ସଂଗେ ପରିବେଶର ସୁରକ୍ଷା ଓ ଉନ୍ନତିରେ ନିଜକୁ ସାମିଲ୍‌ କରିଦେଲେ-। ପାଶ୍ଚାତ୍ୟ ଇଂରେଜୀ ଶିକ୍ଷାରେ ସେ ଉଦ୍‌ବୁଦ୍ଧ ହୋଇଥିଲେ ସତ, ମାତ୍ର ଜାତିପ୍ରୀତି ଥିଲା ତାଙ୍କର ପ୍ରବଳ । ରାଜଗୁରୁଙ୍କର ଏଭଳି କର୍ତ୍ତବ୍ୟନିଷ୍ଠା, ଆନ୍ତରିକତା ଓ ପ୍ରଶାସନିକ ଦକ୍ଷତା ଚାରିଆଡ଼େ ମହକିଲା । ଫଳରେ, ସେ ପୁଣି ହେଲେ ଗଞ୍ଜାମ ଜିଲ୍ଲାବୋର୍ଡ଼ ଓ ଶ୍ରୀକାକୁଲମ୍‌ ତାଲୁକାବୋର୍ଡ଼ିର ସଭ୍ୟ । ସେଠି ମଧ୍ୟ ଆପଣାର କର୍ମଦକ୍ଷତା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହେଲେ-

 

ରାଜପୃଷ୍ଠପୋଷକତାରେ ଏବଂ ରାଜଗୁରୁଙ୍କ ଉଦ୍ୟମରେ ୧୮୯୬ରେ ପାରଳାଖେମୁଣ୍ଡିରେ ସ୍ଥାନିତ ହେଲା ପ୍ରଥମ ସ୍ଥାୟୀ ରଂଗମଞ୍ଚ ‘ପଦ୍ମନାଭ ରଙ୍ଗାଳୟ’ । ଏହାର ପରିଚାଳନା ଦାୟିତ୍ୱ ପ୍ରଥମେ ନେଲେ ରାଜଗୁରୁ । କିନ୍ତୁ ଏହାର ବହୁ ପୂର୍ବରୁ ୧୮୮୩ରେ ସାଧାରଣ ଲୋକଙ୍କଠାରୁ ଚାନ୍ଦା ଆଦାୟ କରାଯାଇ ସେତେବେଳର ଧର୍ମଶାଳା (ବର୍ତ୍ତମାନର RCMS) ରେ ଖାଲି ଜାଗା ଉପରେ ଗୋଟିଏ ଛପର ଘରେ ଅସ୍ଥାୟୀ ନାଟ୍ୟଶାଳା ପରିଚାଳିତ ହୋଇ ବହୁ ନାଟକ ମଞ୍ଚସ୍ଥ ହୋଇଥିଲା । ସେତେବେଳେ ନାଟ୍ୟଶାଳାର ଉଦ୍ୟୋକ୍ତା ଥିଲେ ଶ୍ୟାମସୁନ୍ଦର ରାଜଗୁରୁ, ବଳଭଦ୍ର ନନ୍ଦ, ଅପନ୍ନା ପରିଚ୍ଛା ଓ ନୀଳମଣି ପରିଚ୍ଛା । ଏହି ନାଟ୍ୟଶାଳାର ନାମ ଥିଲା ‘‘ଶ୍ରୀ ଶ୍ରୀ ରସିକରାଜ ପ୍ରସାଦୈକ ସୁଜନ ମନୋରଂଜନ ନାଟ୍ୟସଂଘ ।’’ ଅସ୍ଥାୟୀ ରଙ୍ଗମଞ୍ଚଟି ୧୮୯୩ରେ ଭାଙ୍ଗି ପଡ଼ିବାରୁ ତା’ର ତିନିବର୍ଷ ପରେ ୧୮୯୬ରେ ଗୌରଚନ୍ଦ୍ର ଗଜପତି ରାଜଗୁରୁ ଆଦି ଉଦ୍ୟୋକ୍ତାମାନଙ୍କ ସହାୟତାରେ ସ୍ଥାୟୀ ମଞ୍ଚ ନିର୍ମାଣ କଲେ । ଏହି ମଞ୍ଚରେ ପାରଳାରୁ ସୃଷ୍ଟ ବହୁ ନାଟକ ମଞ୍ଚସ୍ଥ ହୋଇ ଆପଣା ଜନ୍ମମାଟିର ଗୌରବ ବୃଦ୍ଧି କରିଥିଲା । ୧୯୧୩ରେ ମହାରାଜା କୃଷ୍ଣଚନ୍ଦ୍ର ପାରଳା ରାଜଗାଦିରେ ଆସୀନ ହେଲାପରେ ନୂତନ ଢାଞ୍ଚାରେ ଆଧୁନିକ ରଙ୍ଗାଳୟ ଗଢ଼ିବା ପାଇଁ ଉଦ୍ୟମ କଲେ । ମହାରାଜା ନିଜର ପିତୃବ୍ୟ ପଦ୍ମନାଭ ଗଜପତିଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଧୁନିକ ଶୈଳୀରେ ନବନିର୍ମିତ ରଙ୍ଗାଳୟର ନାମ ରଖିଲେ ପଦ୍ମନାଭ ରଙ୍ଗାଳୟ । ପାରଳାଭଳି ଉପାନ୍ତ ଅଂଚଳରେ ନାଟ୍ୟକଳାର ବିକାଶ ନିମନ୍ତେ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ନାଟକ ମଞ୍ଚସ୍ଥ କରାଇ ଦର୍ଶକମାନଙ୍କ ମନରେ ଗୋଟିଏ ସାଂସ୍କୃତିକ ଚେତନା ସୃଷ୍ଟି କଲେ । ପରବର୍ତ୍ତୀ କାଳରେ ୧୯୨୭-୨୮ରେ ପାରଳା ରାଜନଅରର ପୁରନାରୀମାନେ ପଦ୍ମନାଭ ରଙ୍ଗାଳୟକୁ ଯାଇ ମଞ୍ଚସ୍ଥ ନାଟକ ଦେଖିବା ସମ୍ଭବପର ନ ହେବାରୁ ନଅର ପରିସର ମଧ୍ୟରେ ଏକ ନାଟ୍ୟସଭା ନିର୍ମାଣ କରି ଗଜପତି କୃଷ୍ଣଚନ୍ଦ୍ର ଶ୍ରେଷ୍ଠ ନାଟକଗୁଡ଼ିକ ପ୍ରଦର୍ଶନ କରାଉଥିଲେ । ଏହି ଉଭୟ ରଙ୍ଗମଞ୍ଚରେ ଓଡ଼ିଆ, ତେଲୁଗୁ, ସଂସ୍କୃତ ଓ ଇଂରେଜୀ ଭାଷାରେ ନାଟକ ମଞ୍ଚସ୍ଥ କରାଯାଇ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ତା’ର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପଡ଼ଥିଲା ।

 

୧୮୮୭ରେ ଟେଲର୍‌ ସାହେବ ଓ ଶ୍ୟାମସୁନ୍ଦର ରାଜଗୁରୁଙ୍କ ପରାମର୍ଶକ୍ରମେ ଇଷ୍ଟେଟ୍‌ ପକ୍ଷରୁ ପାରଳାଖେମୁଣ୍ଡିରେ ଏକ ହାଇସ୍କୁଲ ଖୋଲିଲା । ସ୍କୁଲ ପରିଚାଳନା ପାଇଁ ଜଣେ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତ କରାଗଲା । କାରଣ ସେତେବେଳେ ରାଜଗୁରୁଙ୍କ ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ବି ଅନ୍ୟ କେହି ଓଡ଼ିଆ ଗ୍ରାଜୁଏଟ୍‌ ନଥିଲେ । କୁହାଯାଏ ଚାଙ୍ଗୁଡ଼ି ଶାସନର ଜଷ୍ଟିସ୍‌ ଅଭିମନ୍ୟୁ ମିଶ୍ରଙ୍କ ପିତା ଭିକାରୀ ମିଶ୍ର ପ୍ରଥମ ଗ୍ରାଜୁଏଟ୍‌ ଥିଲେ ବୋଲି । କିନ୍ତୁ ସେ ପ୍ରଥମ ନୁହଁନ୍ତି । ରାଜଗୁରୁଙ୍କ ପରାମର୍ଶକ୍ରମେ ରାଜା ଗୌରଚନ୍ଦ୍ର ମାନ୍ଦ୍ରାଜରୁ କେତେକ ଗ୍ରାଜୁଏଟ୍‌ ଓ ଅଣଗ୍ରାଜୁଏଟ୍‌ ତେଲୁଗୁ ଶିକ୍ଷକଙ୍କୁ ଅଣାଇ ହାଇସ୍କୁଲରେ ନିଯୁକ୍ତି ଦେଲେ । ଓଡ଼ିଆଙ୍କ ମଧ୍ୟରୁ ଅପନ୍ନା ପଣ୍ଡା ଓ ଗୋପୀନାଥ ନନ୍ଦ ପରେ ହାଇସ୍କୁଲରେ ଶିକ୍ଷକ ରହିଲେ । ଅପନ୍ନା ପଣ୍ଡା ମାର୍ଟ୍ରିକ ପାସ୍‌ କରିଥିବା ଜଣେ ଓଡ଼ିଆ ଶିକ୍ଷକ ହୋଇଥିବାରୁ ରାଜଗୁରୁଙ୍କ ପରାମର୍ଶକ୍ରମେ ତାଙ୍କୁ କୃଷ୍ଣଚନ୍ଦ୍ରଙ୍କ ଗୃହ ଶିକ୍ଷକ ରୂପେ ନିଯୁକ୍ତ କରାଗଲା । ଦିନେ କୃଷ୍ଣଚନ୍ଦ୍ରଙ୍କ ଗୃହଶିକ୍ଷକ ଅପନ୍ନା ପଣ୍ଡା ରାଜଗୁରୁଙ୍କୁ ଅଭିଯୋଗ କରି କହିଲେ, ‘‘ରାଜକୁମାର ପୁରାଣ ଗଳ୍ପ ଓ ଇତିହାସ ପ୍ରିୟ । ରାଣା ପ୍ରତାପ, ଶିବାଜୀ, ଆକବର, ଟିପୁସୁଲତାନ୍‌ଙ୍କର କାହାଣୀ ଶୁଣିବାକୁ ସେ ଯେମିତି ଆଗ୍ରହୀ, ସେମିତି ଅଙ୍କରେ ତାଙ୍କର ଆଦୌ ଶ୍ରଦ୍ଧା ନାହିଁ । ଏକଥା ଶୁଣିବା ପରେ ରାଜଗୁରୁ ଆଠବର୍ଷୀୟ ବାଳକ କୃଷ୍ଣଚନ୍ଦ୍ରଙ୍କ ହାତଧରି ଥଟ୍ଟାକରି କହିଲେ, ‘‘ଭଜାମୁନିଗା ଖାଇବାପରି ଅଙ୍କ ଶିକ୍ଷା ନୁହେଁ ଜାଣ ?’’ ଏତିକି କଥାରେ ତାଙ୍କ ଆଖି ଛଳ ଛଳ ହୋଇଗଲା । ସେଠାରୁ ଉଠିଯାଇ ନିଜ କାନରୁ ହୀରାର ଫୁଲ ବାହାର କରି ଶିଳପୁଆରେ ଛେଚି ଗିଳିଦେଲେ । କଥାଟି ଚାରିଆଡ଼େ ପ୍ରଘଟ ହେବାରୁ ଡାକ୍ତର ଆସି ଔଷଧ ଦ୍ଵାରା ବାନ୍ତି କରାଇ ପେଟରୁ ହୀରାଖଣ୍ଡ ବାହାର କଲେ । ସେଦିନ ଇଷ୍ଟଦେବୀ ମାଣିକେଶ୍ଵରୀ ଓ କୁଳଦେବତା ରାମସ୍ଵାମୀ ଓ ଜଗନ୍ନାଥ ମନ୍ଦିରରେ ଭୋଗରାଗ କରି କୃଷ୍ଣଚନ୍ଦ୍ରଙ୍କ ରିଷ୍ଟଶାନ୍ତି କରାଯାଇଥିଲା । କାଳକ୍ରମେ କୃଷ୍ଣଚନ୍ଦ୍ର ବଡ଼ ହେବାରୁ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢ଼ାର ବ୍ୟବସ୍ଥା ହେଲା । ଅନ୍ୟ ଛାତ୍ରମାନଙ୍କ ସାଥୀରେ ମିଶି ପାଠପଢ଼ିବା ଓ ଖେଳିବା ଅଭ୍ୟାସ ରାଜକୁମାରଙ୍କ ପକ୍ଷରେ ଆବଶ୍ୟକ ବୋଲି ରାଜଗୁରୁ ଗୌରଚନ୍ଦ୍ରଙ୍କୁ ପରାମର୍ଶ ଦେଲେ । ଫଳରେ କୃଷ୍ଣଚନ୍ଦ୍ର ନିୟମିତ ହାଇସ୍କୁଲକୁ ଯାଇ ପାଠ ପଢ଼ିଲେ । ଅତଏବ ରାଜଗୁରୁଙ୍କ ଅଧ୍ୟବସାୟ, କର୍ତ୍ତବ୍ୟନିଷ୍ଠା ଓ ମାନସିକ ଦୃଢ଼ତା ହଁ ତାଙ୍କୁ ଗୁରୁପଦବାଚ୍ୟ କରି ପାରିଥିଲା । ସେ ରକ୍ଷଣଶୀଳତା ଓ କୁସଂସ୍କାର ପ୍ରତି ବୀତସ୍ପୃହ ଥିଲେ । ହିନ୍ଦୁ ଧର୍ମରେ ସେ ସଂସ୍କାର ଚାହୁଁଥିଲେ । ବ୍ରାହ୍ମଣ କୂଳରେ ଜନ୍ମହୋଇ ନିଶ ରଖିବା ପରମ୍ପରାବିରୋଧୀ କାର୍ଯ୍ୟ ହେଲେ ମଧ୍ୟ ସେ ନିଶ ରଖୁଥିଲେ । ପରବର୍ତ୍ତୀ କାଳରେ ତା’ର ପ୍ରଭାବ ପଣ୍ଡିତ ନୀଳକଣ୍ଠଙ୍କ ଭଳି ସଂସ୍କାରବାଦୀ କବିଙ୍କ ଉପରେ ପଡ଼ିଥିଲା । ରାଜଗୁରୁ ବାସ୍ତବରେ ଥିଲେ ରାଜ ପରିବାରର ଗୁରୁ- ରାଜଗୁରୁ ।

 

୧୯୦୨ ଅପ୍ରେଲ ମାସରେ ଗଂଜାମର ଓଡ଼ିଆମାନେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ସଭାପତିତ୍ୱରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ନେତୃତ୍ୱରେ, ନରସିଂହ ଦାସ, ନୀଳମଣି ବିଦ୍ୟାରତ୍ନ, ସଦାଶିବ ବିଦ୍ୟାଭୂଷଣ ଆଦି କର୍ମୀ-ଦେଶସେବୀଙ୍କ ଉଦ୍ୟମରେ ‘ଗଂଜାମ ଜିଲ୍ଲା ସମ୍ମିଳନୀ’ ଗଠିତ ହେଲା । ଏହି ଅନୁଷ୍ଠାନ ମାଧ୍ୟମରେ ସରକାରଙ୍କଠାରେ ଓଡ଼ିଆ ଲୋକ ନିଯୁକ୍ତି, କୋର୍ଟ ଭାଷାରୂପେ ଓଡ଼ିଆ ଭାଷାର ପ୍ରଚଳନ, ଶିକ୍ଷା ବିସ୍ତାର ନିମନ୍ତେ ସ୍କୁଲ ପ୍ରତିଷ୍ଠା ଆଦି ଦାବି ଉପସ୍ଥାପନ କରାଯାଇଥିଲା । ଯେତେ ତୀବ୍ର ପ୍ରତିବାଦ ହେଲେ ମଧ୍ୟ ଓଡ଼ିଆମାନଙ୍କ ସ୍ଵାର୍ଥରକ୍ଷା ହୋଇପାରିଲା ନାହିଁ । ସ୍ଵାର୍ଥପର ଇଂରେଜମାନଙ୍କ ପ୍ରଭୁତ୍ୱ ବଳରେ ଓଡ଼ିଆଙ୍କ ଦାବି ହାସଲ ହୋଇପାରିଲା ନାହିଁ । ଏଣେ ପଡ଼ୋଶୀ ଜାତିମାନଙ୍କର ପ୍ରବଳ ପ୍ରଭାବରେ ଓଡ଼ିଆ ସମସ୍ୟାର ସମାଧାନ ଆଶା ମଉଳିଗଲା । ତଥାପି ବିଛିନ୍ନ ଉତ୍କଳର ଓଡ଼ିଆମାନେ ବିଭିନ୍ନ ଶାସନଗତ ଅସାରତାକୁ ପୁଞ୍ଜିକରି ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ନିମନ୍ତେ ପ୍ରଥମେ ଏହି ସମ୍ମିଳନୀ ମାଧ୍ୟମରେ ଦାବି ଉପସ୍ଥାପନ କଲେ । ବହୁଦିନର ଦାବୀକୁ ସରକାର ଗ୍ରହଣ କଲେ ନାହିଁ । ଫଳରେ ଖଲ୍ଲିକୋଟ୍‌ର ହରିହର ମର୍ଦ୍ଦରାଜଙ୍କ ଆନୁକୁଲ୍ୟରେ ୧୯୦୩ରେ ରମ୍ଭା ପ୍ରସାଦରେ ‘ଗଂଜାମ ଜାତୀୟ ସମିତି’ ଆଲୋଚନାର ଆୟୋଜନ ହେଲା । ଓଡ଼ିଆ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଗଲା । ମାତୃଭାଷାରେ କଥୋପକଥନ ଓ ପତ୍ରାଦି ଲିଖନ, ଓଡ଼ିଆ ଜାତିର ବିଦ୍ୟା - ଉନ୍ନତି, ଜାତୀୟ ସାହିତ୍ୟର ଅଭିବୃଦ୍ଧି, ଜାତୀୟ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କର ସମାଦର ଓ ସ୍ମୃତିରକ୍ଷା, ବିଦ୍ୟାଳୟରେ ଉପଯୁକ୍ତ ପାଠ୍ୟପୁସ୍ତକ ନିର୍ବାଚନ ଆଦି ବିଷୟରେ ଏ ଜାତିର ଆଭ୍ୟନ୍ତରୀଣ ଉନ୍ନତି ନିର୍ଭର କରୁଥିବାରୁ ସମିତି ଏଗୁଡ଼ିକ ଉପରେ ଗୁରୁତ୍ୱ ଦେଉଥିଲା । ପ୍ରାକୃତିକ ଓଡ଼ିଶାରେ ମିଶିବା ନିମନ୍ତେ ଗଂଜାମବାସୀ ଓଡ଼ିଆମାନଙ୍କର ପ୍ରାଣର ବ୍ୟାକୁଳତା ପ୍ରକାଶକ ଥିଲା, ଏହି ଜାତୀୟ ସମିତି ।୬। ଏହି ଜାତୀୟ ସମିତିରେ ଯୋଗଦେଲେ ବାରିଷ୍ଟର ମଧୁସୂଦନ ଦାସ, ଶ୍ୟାମସୁନ୍ଦର ରାଜଗୁରୁ, ଫକୀର ମୋହନ ସେନାପତି, ବିଶ୍ଵନାଥ କର ଓ ଗୋପବନ୍ଧୁ ଦାସ ଆଦି । ୧୯୦୨ ଶେଷ ଆଡ଼କୁ ବଡ଼ଲାଟ ଲର୍ଡ଼ କର୍ଜନ ଗଂଜାମ ଗସ୍ତରେ ଆସି ଓଡ଼ିଆଙ୍କଠାରୁ ସ୍ମାରକପତ୍ର ଗ୍ରହଣ କଲେ । ସେଥିରେ ଉଲ୍ଲେଖ ଥିଲା ଯେ ଓଡ଼ିଆମାନେ ଏ ଦେଶର ଏକ ଉନ୍ନତ ଓ ପ୍ରଗତିଶୀଳ ଜାତି । ତେଣୁ ସମଗ୍ର ଓଡ଼ିଆଭାଷୀ ଅଞ୍ଚଳକୁ ମିଶାଇ ଏକ ପ୍ରାଦେଶିକ ଶାସନର ଅନ୍ତର୍ଭୁକ୍ତ କରାଯାଉ । ଏଣେ ପାରଳାର ‘ଉତ୍କଳ ହିତୈଷିଣୀ ସମାଜ’ ପକ୍ଷରୁ ଓଡ଼ିଆ ଭାଷାକୁ ଗଂଜାମ ବିଶାଖାପାଟଣା ସମେତ ଓଡ଼ିଆ ଅଞ୍ଚଳର କୋର୍ଟକଚେରୀମାନଙ୍କରେ ଚଳାଇବା ପାଇଁ ଏବଂ ସ୍କୁଲକଲେଜରେ ଓଡ଼ିଆ ଶିକ୍ଷାର ବ୍ୟବସ୍ଥା ପାଇଁ ବାରମ୍ବାର ସ୍ମାରକପତ୍ରମାନ ଦିଆଯାଉଥିଲା-। ମାନ୍ଦ୍ରାଜର ଗଭର୍ଣ୍ଣର ଲର୍ଡ ଆମ୍ପଥିଲ ଆନ୍ଧ୍ରମାନଙ୍କ ଦାବିର ଦୃଢ଼ ସମର୍ଥନ କରି ଗଂଜାମ ବିଶାଖାପାଟଣା ଜିଲ୍ଲାରେ ଜୟପୁର ଜମିଦାରୀ ପ୍ରସ୍ତାବିତ ଓଡ଼ିଶାରେ ମିଶିବା ବିରୁଦ୍ଧରେ ମତ ଦେଲେ । ମାନ୍ଦ୍ରାଜ ସରକାରଙ୍କ ସେହି ବିରୁଦ୍ଧାଚରଣ ତତ୍କାକାଳୀନ ଓଡ଼ିଆ ରାଜା ଓ ଜମିଦାରମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା । ଫଳରେ ରାଜଗୁରୁଙ୍କ ବଳିଷ୍ଠ ନେତୃତ୍ୱରେ ହିତୈଷିଣୀ ସମାଜପକ୍ଷରୁ ମାନ୍ଦ୍ରାଜର ସରକାରଙ୍କଠାରେ ଦେଶ ମିଶ୍ରଣ ପାଇଁ ଦୃଢ଼ଦାବି ଉପସ୍ଥାପିତ କରିବା ସଂଗେ ସଂଗେ ସମୁଦାୟ ଓଡ଼ିଆଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ସକାଶେ ସ୍ମାରକପତ୍ରମାନ ଦିଆଗଲା । ସେହି ସ୍ମାରକପତ୍ର ରାଜଗୁରୁ ନିଜେ ଲେଖିଥିଲେ ଏବଂ ଓଡ଼ିଆମାନଙ୍କ ଦାବିଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ପ୍ରତିପାଦିତ କରିବା ନିମନ୍ତେ ୧୮୮୬ରୁ ଇଂରାଜୀ ସାପ୍ତାହିକ ପତ୍ରିକା 'The Ganjam News' ର ସଂପାଦନା କଲେ । ତାହା ଚାରିବର୍ଷ ପର୍ଯ୍ୟନ୍ତ ପ୍ରକାଶ ପାଇଲା । ‘ହିତୈଷିଣୀ ସମାଜ’ ମାଧ୍ୟମରେ ଦେଶମିଶ୍ରଣ ପାଇଁ ମାନ୍ଦ୍ରାଜ ସରକାର ତଥା ଆନ୍ଧ୍ରମାନଙ୍କ ବିରୁଦ୍ଧରେ ଲଢ଼ି ଓଡ଼ିଆଙ୍କ ସ୍ଵାର୍ଥରକ୍ଷା କରିବାକୁ ରାଜଗୁରୁ ଉତ୍ସାହିତ କରୁଥିଲେ । ସମଗ୍ର ଓଡ଼ିଆଭାଷୀ ଅଞ୍ଚଳକୁ ମିଶାଇ ଏକ ଜାତୀୟ ସମ୍ମିଳନୀ ଗଠନ କରିବା ଆବଶ୍ୟକ ବୋଲି ମଧୁସୂଦନ ଦାସ ମତ ଦେବାରୁ କାଳକ୍ରମେ ଗଂଜାମ ଜାତୀୟ ସମିତି ଉତ୍କଳ ସମ୍ମିଳନୀ ରୂପନେଲା-

 

ରାଜନୀତିରୁ ସାହିତ୍ୟ :

କେବଳ ଜନସେବା ଓ ରାଜନୀତି ଭିତରେ ଆବଦ୍ଧ ନରହି ସେସବୁର ସଫଳ ରୂପାୟନ ନିମନ୍ତେ ସୃଷ୍ଟି କରିଛନ୍ତି ସାହିତ୍ୟ । ସେ ଥିଲେ ସାହିତ୍ୟର ସ୍ରଷ୍ଟା ଏବଂ ସମାଲୋଚକ । ସେ ଯେପରି ନୂତନ ସୃଷ୍ଟି କରିଛନ୍ତି, ସେହିପରି ସେ ସମାଲୋଚନା/ବ୍ୟାଖ୍ୟା ଓ ବିଶ୍ଳେଷଣ କରିଛନ୍ତି । ସମାଲୋଚନା ଦୃଷ୍ଟିଭଂଗୀର ସଂପ୍ରସାରଣ କରି ଏ କ୍ଷେତ୍ରରେ ଏକ ମୂଳଦୁଆ ସେ ପକେଇ ଯାଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଓ ଅନୁରାଗ ଥିଲା । ଭାଷା ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ସେ ଥିଲେ ସଫଳ ସ୍ରଷ୍ଟା । ସାହିତ୍ୟରଥୀ ଭାବରେ ନିଜେ ଅଣ୍ଟାଭିଡ଼ି ଆଗକୁ ବାହାରିଛନ୍ତି ଏବଂ ଅନ୍ୟମାନଙ୍କୁ ସାହିତ୍ୟାଲୋକରେ ଉଦ୍‌ବୁଦ୍ଧ କରିଛନ୍ତି । କିନ୍ତୁ ସବୁଠି ତାଙ୍କର ଦୃଷ୍ଟିଭଂଗୀ ନିରପେକ୍ଷ ଓ ତାଙ୍କ କାବ୍ୟ ବିଚାରର ଏକ ସ୍ଵତନ୍ତ୍ରତା ରହିଛି । କାରଣ ସେତେବେଳେ ଶିକ୍ଷିତ ଓଡ଼ିଆଙ୍କ ସାହିତ୍ୟରୁଚିରେ ପରିବର୍ତ୍ତନ ଦେଖାଦେଇଛି । ସଂସ୍କୃତ ସାହିତ୍ୟ ଓ ପ୍ରାଚୀନ ଓଡ଼ିଆ କାବ୍ୟକବିତା ପ୍ରତି ରାଜଗୁରୁଙ୍କ ପରି ଇଂରାଜୀ ଶିକ୍ଷାପ୍ରାପ୍ତ ଲେଖକଙ୍କ ପ୍ରତିକ୍ରିୟାରେ ପରିବର୍ତ୍ତନ ଆସିଛି । ନୂତନ ଦୃଷ୍ଟିଭଂଗୀରେ ଓଡ଼ିଆ ସାହିତ୍ୟକୁ ପ୍ରକାଶକରି ତା’ର ପ୍ରଚାର ପ୍ରସାର କରାଇଛନ୍ତି ରାଜଗୁରୁ ଗଜପତି ପ୍ରେସ୍‌ ପ୍ରତିଷ୍ଠା କରି । ଏହି ପ୍ରେସ କିଛିକାଳ ତାହାଙ୍କ ଦାୟିତ୍ୱରେ ପରିଚାଳିତ ହୋଇଛି । ଧ୍ରୁବ, ଉଷାପରିଣୟ, ଚନ୍ଦ୍ରାବତୀ ସ୍ୱୟମ୍ବର, ସଂଗୀତ ପ୍ରହ୍ଲାଦ, ବାଣଦର୍ପଦଳନ, ଅହଲ୍ୟାଶାପ ବିମୋଚନ, ଦାନପରୀକ୍ଷା ଓ ଦ୍ରୌପଦୀ ବସ୍ତ୍ରହରଣ ଆଦି ନାଟକ ପ୍ରକାଶିତ ହୋଇ ଓଡ଼ିଆ ନାଟକର ଅଭାବକୁ ଦୂର କରିପାରିଛି । ଏତଦ୍‌ବ୍ୟତୀତ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ, ନବାନୁରାଗ, ଗୀତରତ୍ନାବଳୀ, ଗୀତସ୍ତବକ, ରାଧାଗୋବିନ୍ଦ ଜଣାଣ, ଅନ୍ତର୍ଦାହ ଚଉତିଶା, କବିତା କଳିକା, କବିଜୀବନୀ, ପଦ୍ମନାଭଙ୍କ ଜୀବନୀ, ଢଗମାଳିକା ତତ୍ତ୍ୱବୋଧିନୀ ଓ କଳାବତୀ (ଉପନ୍ୟାସ) ଆଦି ବିଭିନ୍ନ କାବ୍ୟ, ଉପନ୍ୟାସ ଓ ଆଲୋଚନା ଗ୍ରନ୍ଥମାନ ଏହି ପ୍ରେସରେ ଛପାଯାଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି ।

 

ସାହିତ୍ୟ ସୃଷ୍ଟି ଓ ସମାଲୋଚନା ବ୍ୟତୀତ ସଂଗୀତ କ୍ଷେତ୍ରରେ ମଧ୍ୟ ରାଜଗୁରୁଙ୍କ ଦକ୍ଷତା କମ୍‌ ନୁହେଁ । କର୍ଣ୍ଣାଟ ରାଗରାଗିଣୀରେ କେତେକ ସଂଗୀତ ସୃଷ୍ଟିକରି ଓଡ଼ିଆ ସଂଗୀତରେ ଦାକ୍ଷିଣାତ୍ୟ ସଂଗୀତର ପ୍ରୟୋଗ କରିଛନ୍ତି । ତାଙ୍କର କେତେକ ସଂଗୀତ ପଦ୍ମନାଭଙ୍କ ‘ସଂଗୀତ ପ୍ରହ୍ଲାଦ’ ନାଟକରେ ସୁସ୍ପଷ୍ଟ ।୭। ଗୌରଚନ୍ଦ୍ର, ଗଜପତିଙ୍କ ‘ଧ୍ରୁବ’ ନାଟକର କେତେକ ସଂଗୀତ ରାଜଗୁରୁଙ୍କ ଦ୍ୱାରା ରଚିତ ବୋଲି କୁହାଯାଏ ।୮।୩ ୧୮୯୯ ରେ ପଦ୍ମନାଭଙ୍କ ‘ଗୀତସ୍ତବକ’ ଓ ୧୯୦୦ରେ ଗୌଚଚନ୍ଦ୍ରଙ୍କ ‘ଗୀତ ରତ୍ନାବଳୀ’ ପ୍ରାଚୀନ ରାଗରାଗିଣୀ ସମ୍ବଳିତ ଆଦିରସାତ୍ମକ ସଂଗୀତ ଗ୍ରନ୍ଥ । ଏହି ଗ୍ରନ୍ଥ ଦୁଇଟି ରାଜଗୁରୁଙ୍କ ଦ୍ୱାରା ସଂଗୃହୀତ ଓ ପ୍ରକାଶିତ । ଏହାର ସଂଗୀତ ଗୁଡ଼ିକ ନିଜେ ରାଜଗୁରୁ ରଚନା କରି ଗୌରଚନ୍ଦ୍ର ଓ ପଦ୍ମନାଭଙ୍କ ନାମରେ ଉତ୍ସର୍ଗ କରିଥିବା ସମ୍ଭବପର । କାରଣ ପ୍ରହ୍ଲାଦ ନାଟକର ମୁଖବନ୍ଧରେ ଏକଥା ପଦ୍ମନାଭ ସ୍ଵୀକାର କରିଛନ୍ତି, ‘‘ମୋର ଶିକ୍ଷକ ଭକ୍ତିଭାଜନ ବାବୁ ଶ୍ୟାମସୁନ୍ଦର ରାଜଗୁରୁ ବି.ଏ. ପୁସ୍ତକଟିକୁ ଆମୂଳାନ୍ତ ସଂଶୋଧନ ଓ କେତେଗୋଟି ଗୀତ ରଚନା କରିଦେଇ ମୋତେ ଚିରବାଧିତ କରିଛନ୍ତି ।’’ ଗୀତ ସ୍ତବକର ସଂଗୀତ ଗୁଡ଼ିକ ପ୍ରାଚୀନ ଉତ୍କୃଷ୍ଟ ଓଡ଼ିଆ ସଂଗୀତମାନଙ୍କ ସଂଗରେ ଆସନ ପାଇବାର ଯୋଗ୍ୟ ।୯। କାରଣ ପାରଳାଖେମୁଣ୍ଡି ଓଡ଼ିଶୀ ସଂଗୀତର ପୀଠସ୍ଥଳୀ । ଗୋପାଳକୃଷ୍ଣ, ରଘୁନାଥ, ଗୌରହରି, ଗୌରଚରଣ, ହରିବନ୍ଧୁ ବେବର୍ତ୍ତା ଓ ଦୟାନିଧି ପ୍ରଭୃତି କବିଙ୍କ ଲଳିତ ସଂଗୀତର ମୂର୍ଚ୍ଛନାରେ ମୁଖରିତ । ଏହିଭଳି ସାଂଗୀତିକ ପରିବେଶ ରାଜଗୁରୁଙ୍କୁ ପ୍ରଭାବିତ କରିଥିବା ସମ୍ଭବପର । ସେ ପୁଣି ଥିଲେ ଇନ୍ଦ୍ରଧନୁ ବିଜୁଳି ବିବାଦର ସେନାପତି । ଇନ୍ଦ୍ରଧନୁ ପକ୍ଷରେ ଥାଇ ତୀର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଲେ । ଭଞ୍ଜୀୟ ଶୈଳୀର ପ୍ରଭାବରେ ସଂଗୀତ ରଚନା ପାଇଁ ରାଜଗୁରୁ ପ୍ରୋତ୍ସାହିତ ହୋଇଥିବା ସମ୍ଭବପର । ତେଣୁ ଗୀତରତ୍ନାବଳୀର ଗୀତ ଗୁଡ଼ିକ ରାଜଗୁରୁଙ୍କ ଦ୍ୱାରା ରଚିତ ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଗୀତାବଳୀରେ ଥିବା ରାଧାକୃଷ୍ଣଙ୍କ ଅନୁରାଗ, ପ୍ରଣୟ ବିରହ ଓ ମିଳନ ଆଦି ଗୀତ ଗୁଡ଼ିକର ସ୍ଵାତନ୍ତ୍ର୍ୟ ସୁସ୍ପଷ୍ଟ ଏବଂ ତାହା ରାଜଗୁରୁଙ୍କ ସୃଷ୍ଟି ବୋଲି କୁହାଯାଇପାରେ । କେବଳ ସମାଲୋଚନା ଓ ସଂଗୀତ ସୃଷ୍ଟିରେ ରାଜଗୁରୁ ନିମଜିତ ରହିନାହାଁନ୍ତି, ବରଂ ଓଡ଼ିଆ ସମାଜରେ ପ୍ରଚଳିତ ଓଷାବ୍ରତ, ଯାନିଯାତ୍ରା ଓ ପର୍ବପର୍ବାଣିର ପାଳନବିଧି, ତାର ମାହାତ୍ମ୍ୟ ଆଦିକୁ ଇଂରେଜୀରେ ଲିପିବଦ୍ଧ କରି ‘Feasts and Fasts of the Oriyas’. ଏଥିରେ ବିଭିନ୍ନ ରକମର ସତଷଠିଟି ଓଷାବ୍ରତର ସଂକ୍ଷିପ୍ତ ବର୍ଣ୍ଣନା କରି ଓଡ଼ିଆ ଧର୍ମ ଓ ସଂସ୍କୃତିର ପ୍ରଚାର, ପ୍ରସାର ଘଟାଇଛନ୍ତି ।

 

ଉପାନ୍ତ ଅଞ୍ଚଳ ତାହାଙ୍କ ଜନ୍ମଭୂମି ହେଲେ ମଧ୍ୟ ତାହାଙ୍କ ସାହିତ୍ୟ ସୃଷ୍ଟି ବଣମଲ୍ଲୀ ଭଳି ବଣରେ ଝାଉଁଳି ପଡ଼ିନାହିଁ, ତାହାର ପ୍ରଚାର ପ୍ରସାର ହୋଇଛି । ମାସିକ ସାହିତ୍ୟ ପତ୍ରିକା ‘ଉତ୍କଳସାହିତ୍ୟ’ରେ ଧାରାବାହିକ ସେ ଲେଖି ଚାଲିଛନ୍ତି । ୧୯୦୩ ଜୁଲାଇରୁ ୧୯୦୫ ଡିସେମ୍ୱର ପର୍ଯ୍ୟନ୍ତ ପ୍ରବନ୍ଧ ଗୁଡ଼ିଏ ଲେଖି ଧାରାବାହିକ ପ୍ରକାଶ କରିଛନ୍ତି । ମୃତ୍ୟୁ (୧୯୦୯) ର ଚାରିବର୍ଷ ପୂର୍ବରୁ ତାଙ୍କର ଆଉ କୌଣସି ଲେଖା ପତ୍ରପତିକାରେ ପ୍ରକାଶିତ ହୋଇ ନାହିଁ । କିନ୍ତୁ ତାଙ୍କର ଉଦ୍ୟମ ବ୍ୟର୍ଥ ହୋଇ ନାହିଁ । ଓଡ଼ିଆ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ରାଜଗୁରୁ ଯେଉଁ ଯୁକ୍ତିପ୍ରବଣ ବିଚାରଶୀଳ ଆଧୁନିକ ମାନର ସୂତ୍ରପାତ କରିଛନ୍ତି, ଇତିହାସ ସଚେତନ ଗବେଷଣତ୍ମାକ ଦୃଷ୍ଟି ଭଂଗୀ ସହିତ ଯେପରି ସୂକ୍ଷ୍ମ ସାହିତ୍ୟବୋଧର ସଂଯୋଗ ଘଟାଇଛନ୍ତି ସେ ସବୁର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିଛି । ଓଡ଼ିଆ ସମାଲୋଚନାର ଐତିହାସିକ ପଦ୍ଧତିକୁ ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରୟୋଗ କରିଛନ୍ତି । ଐତିହାସିକ ପଦ୍ଧତିରେ ବିଷୟ ପ୍ରାଧାନ୍ୟ ଯଦିଓ ମୁଖ୍ୟ ତଥାପି ପ୍ରଥମେ ସେ ଲେଖକର ସନ୍ଧାନ ରଖେ । ଲେଖକଙ୍କୁ ବିଚାର କରିବାକୁ ଯାଇ ତାଙ୍କ ଆବିର୍ଭାବ କାଳ ନିରୂପଣ କରେ । ତାଙ୍କ ଜାତି ଚରିତ୍ର ଓ ଦେଶର ପରିଚୟ ଖୋଜେ । ଏଭଳି ଉତ୍‌କୃଷ୍ଟ ସାହିତ୍ୟର ସେ ହେଉଛନ୍ତି ସ୍ରଷ୍ଟା । ଏଥିରେ ପୁଣି ସେ ଗବେଷଣାକୁ ଯୋଡ଼ିଛନ୍ତି । ବିଦଗ୍‌ଧ ସାହିତ୍ୟ ଆଲୋଚନାରେ ଲୋକସାହିତ୍ୟର ବଳିଷ୍ଠ ଭୂମିକାକୁ କଳନା କରିଛନ୍ତି । ଭାବ ପ୍ରବଣତାକୁ କେଉଁଠି ହେଲେ ସେ ପ୍ରଶ୍ରୟ ଦେଇନାହାନ୍ତି । ବରଂ ସେ Textual Criticism ର ସୂତ୍ରପାତ କରିଛନ୍ତି ।୧୦। ସଂପାଦକ ବିଶ୍ଵନାଥ କର ରାଜଗୁରୁଙ୍କର ତଥ୍ୟପୂର୍ଣ୍ଣ ଗବେଷଣାମୂଳକ ପ୍ରବନ୍ଧ ଓ ସାହିତ୍ୟ ସାଧନାର ଐତିହାସିକ ପଦ୍ଧତିରେ ବିଶ୍ଲେଷଣକୁ ଆଖି ଆଗରେ ରଖି ତାଙ୍କୁ ସେ ‘ଧୂରନ୍ଧର ସାହିତ୍ୟିକ’ ଆଖ୍ୟା ଦେଇଥିଲେ । ରାଜଗୁରୁଙ୍କ ସାହିତ୍ୟ ପ୍ରତିଭାରେ ଆକର୍ଷିତ ହୋଇ ପାରଳାର ଗୌରଚନ୍ଦ୍ର ଗଜପତି ତାଙ୍କୁ ରାଜଦରବାରରେ ସ୍ଵତନ୍ତ୍ର ଆସନ ଦେଇଥିଲେ । ରାଜଗୁରୁଙ୍କ ପ୍ରଭାବରେ ପାରଳା ଓ ତାର ଆଖପାଖ ଅଞ୍ଚଳରେ ସାହିତ୍ୟ ସୃଷ୍ଟି ଓ ଚର୍ଚ୍ଚାର ପରଂପରା ସୃଷ୍ଟିହେଲା-। ଫଳରେ ପାରଳାଖେମୁଣ୍ଡି ହେଲା ଓଡ଼ିଶାର ସାହିତ୍ୟ ସଂସ୍କୃତିର ପ୍ରାଣକେନ୍ଦ୍ର । ଏହାକୁ ଲକ୍ଷ୍ୟକରି ବ୍ୟାସକବି ଫକୀରମୋହନ ‘ଉତ୍କଳ ଭ୍ରମଣ’ରେ ଲେଖିଥିଲେ -

 

‘‘ପଶ୍ଚିମରେ ପେଟ୍ରିୟଟ ଦକ୍ଷିଣେ ନିଉଜ

ଉତ୍ତରେ ଏସବୁକଥା ମୂଳରୁ ରିଫ୍ୟୁଜ୍‌

ଏହିପରି ଜଣେ ଯେବେ ଥାଆନ୍ତେ ଉତ୍ତରେ

ବୁଲୁଥାନ୍ତି ମୁହିଁ ହାତ ପକାଇ ନିଶରେ ।

ମେକ୍‌ଡୋନାଲ ସାହେବ ଆଉ ଲର୍ଡ କନିଂମରା

ତୁମ୍ଭ ଦୁଇଜଣ ତୁମ୍ଭ ଦୁଇଜଣ ପରା

ଉଡ଼ାଇଛ ଯେଉଁ ବାନା ଗଞ୍ଜାମ ଜିଲ୍ଲାରେ

ଇତିହାସେ ଲେଖାହେବ ସୁବର୍ଣ୍ଣ ଅକ୍ଷରେ

ଓଡ଼ିଆ ମା ବାପ ଥିଲେ ସେ ଦୁଇ ସାହେବ

ଚାଲିଯାଇଛନ୍ତି ଛାଡ଼ି ଭାଳିଲେ କି ହେବ ।

ଗଞ୍ଜାମକୁ ଆସିଥିଲେ ଦେବଦୂତ ପ୍ରାୟ

ଚାଲିଯାଇଛନ୍ତି ଛାଡ଼ି ହାୟ ହାୟ ହାୟ ।’’ ।୧୧।

 

କାଳକ୍ରମେ ରାଜଗୁରୁ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ହୋଇଗଲେ । ସାହିତ୍ୟ ସୃଷ୍ଟି ଓ ଆଲୋଚନା ପାଇଁ ପରିବେଶ ତାଙ୍କୁ ଆହୁରି ଅନୁକୂଳ ହେଲା । ବାଗ୍ମୀ ପଣ୍ଡିତ ନୀଳକଣ୍ଠ ଦାସ ରାଜଗୁରୁଙ୍କ ପାଣ୍ଡିତ୍ୟ ଓ ଭାଷା ସାହିତ୍ୟ ସାଧନାରେ ମୁଗ୍ଧ ହୋଇ କହିଲେ, ‘‘ଦକ୍ଷିଣ ଭାରତର ଭାଷାମାନଙ୍କ ମଧ୍ୟରେ ବିଶେଷରେ ତେଲୁଗୁ ଆର୍ଯ୍ୟଭାଷା ଚଳୁଥିବା ପ୍ରଦେଶକୁ ଲାଗିରହିଛି । ତେଣୁ ରକ୍ଷଣଶୀଳତା ଓ କୃତ୍ରିମତା ସେ ଭାଷାରେ ବଂଗଳା ଓଡ଼ିଆ ଠାରୁ ଅଧିକ ଦେଖିବାକୁ ମିଳେ । ଏପରିକି ସେ ଭାଷାରେ ଲେଖକମାନେ ଏବେ ମଧ୍ୟ ନିଜ ଲେଖାରେ ସାମାନ୍ୟ ଚଳିତ ଭାଷାର ପଦ୍ଧତି ଓ ଶବ୍ଦମାନ ପ୍ରୟୋଗ କରିବା ନିମନ୍ତେ ପ୍ରାଚୀନ ପନ୍ଥୀମାନଙ୍କ ସଂଗେ ଘୋର ସଂଗ୍ରାମ କରୁଛନ୍ତି । ସେ ସଂଗ୍ରାମ ମଧ୍ୟ ବଡ଼ ନୂତନ । ବଙ୍ଗ ଦେଶରେ ରବୀନ୍ଦ୍ରନାଥ କେତେକ ପ୍ରବନ୍ଧରେ ସ୍ଵାଧୀନ ବଂଗଭାଷାଚର୍ଚ୍ଚାର ଗଭୀର ଇଙ୍ଗିତ ଦେଇଥିଲେ ଏବଂ ଏବେ ବିଜୟଚନ୍ଦ୍ର ମଜୁମଦାର ବଙ୍ଗ ଭାଷାର ଇତିହାସରେ ପ୍ରାକୃତିକ ଚଳିତ ଭାଷାର ମର୍ଯ୍ୟାଦା ଦେଖାଇବାର ଭୂୟଃ ପ୍ରଯତ୍ନ କରିଛନ୍ତି । ମାତ୍ର ସେ ପ୍ରଦେଶରେ ମଧ୍ୟ କେହି ଏପର୍ଯ୍ୟନ୍ତ ସ୍ଵତନ୍ତ୍ର ଓ ସମୂହଭାବରେ ଭାଷାତତ୍ତ୍ୱ ତଥା ବ୍ୟାକରଣର ସମ୍ୟକ ସ୍ଵାଧୀନ ପରିଶୀଳନ କରିବାର ଜଣା ନାହିଁ । ଓଡ଼ିଆରେ ଏ ଉଦ୍ୟମ ପ୍ରଥମେ ପାରଳାର ସୁଲେଖକ ସୁପଣ୍ଡିତ ଶ୍ୟାମସୁନ୍ଦର ରାଜଗୁରୁ ଆରମ୍ଭ କରିଥିଲେ । ଉଜ୍ଜ୍ୱଳ ସାହିତ୍ୟ ପତ୍ରରେ ଓଡ଼ିଆ ଭାଷା ଓ ଛନ୍ଦ ସମ୍ବନ୍ଧରେ କେତୋଟି ମାତ୍ର ମୌଳିକ ପ୍ରବନ୍ଧ ପ୍ରକାଶ କରି ସେ ଅକାଳରେ ଇହଧାମ ତ୍ୟାଗ କଲେ । ତାଙ୍କ ପରେ ପଣ୍ଡିତ ଗୋପୀନାଥ ନନ୍ଦ ଓଡ଼ିଆ ତଥା ପ୍ରାକୃତ ଭାଷାତତ୍ତ୍ଵର ସ୍ଵାଧୀନ ପରିଶୀଳନରେ ଅଦ୍ୟାପି ଅଦ୍ୱିତୀୟ କହିଲେ ଚଳେ-। ବଙ୍ଗଦ୍ୱାରା ସାକ୍ଷାତ ପ୍ରଭାବିତ ଉତ୍କଳ ଖଣ୍ଡରେ ଜନ୍ମ ହୋଇଥିଲେ କିଏ କହିପାରେ ଶ୍ୟାମ ସୁନ୍ଦର ଓ ଗୋପୀନାଥ ପିଲାଦିନୁ ହୁଏତ ଭାଷାକୁ ଭିନ୍ନ ଭାବରେ ଦେଖିଥାଆନ୍ତେ । କିନ୍ତୁ ଗଂଜାମରେ ପ୍ରାକୃତିକ ଉତ୍କଳର ପ୍ରାୟ ଦକ୍ଷିଣ ସୀମାରେ ରହି ସେମାନେ ଭାଷାକୁ ପ୍ରାଣରୁ ଅଧିକ ମଣି ଆରାଧନା କରୁଥିଲେ । ତାହା ତାଙ୍କ ଭାଷା ଚର୍ଚ୍ଚାର ସ୍ଵାଧୀନତାରେ ପ୍ରଧାନ ଉପାଦାନ ଥିଲା ।୧୨।-। ସାହିତ୍ୟ କ୍ଷେତ୍ରରେ ଭାଷାଚର୍ଚ୍ଚାର ପରଂପରା ପ୍ରଥମେ ରାଜଗୁରୁ ହିଁ ସୃଷ୍ଟିକଲେ । ତାଙ୍କପରେ ପଣ୍ଡିତ ଗୋପୀନାଥ ନନ୍ଦ ଓଡ଼ିଆ ଭାଷାତତ୍ତ୍ଵକୁ ରାଜଗୁରୁଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପୂର୍ଣ୍ଣାଙ୍ଗ କଲେ । ଅତଏବ ରାଜଗୁରୁ ହେଲେ ଏ କ୍ଷେତ୍ରରେ ପଥ ପ୍ରଦର୍ଶକ । ଏହା ବ୍ୟତୀତ ଅବସର ସମୟରେ ଅସଂଖ୍ୟ ପ୍ରାଚୀନ ତାଳପତ୍ରପୋଥିର ପୁନରୁଦ୍ଧାର ଓ ଅଧ୍ୟୟନ ତାଙ୍କର ଆଉ ଏକ ବିଶେଷତ୍ୱ ।’ ୧୯୧୭ରେ ପାରଳା ଗଜପତି ପ୍ରେସରେ ପ୍ରକାଶିତ ରାଜଗୁରୁଙ୍କର ପ୍ରବନ୍ଧାବଳୀ ଏକ ଉତ୍‌କୃଷ୍ଟ ଗବେଷଣାଧର୍ମୀ ସମାଲୋଚନା ଗ୍ରନ୍ଥ । ପରେ ୧୯୬୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁନଃ ପ୍ରକାଶିତ । ଏକାଡେମୀ ଏହାକୁ ପ୍ରଶଂସାକରି ମତ ଦେଇଛନ୍ତି ଯେ ଏହା -ଏକ ଦୀପ୍ତିମନ୍ତ ଜ୍ୟୋତିଷ୍କ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ଛାନ୍ଦର ଇତିହାସ ବିଚାରରେ ଏକ ସାର୍ଥକ ସୃଷ୍ଟି । ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଧାରାବାହିକ ପ୍ରକାଶିତ ପ୍ରବନ୍ଧର ସମାହାର ହେଉଛି ‘ପ୍ରବନ୍ଧାବଳୀ’ । କବିବର ରାଧାନାଥ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ବାର୍ଷିକ ଅଧିବେଶନରେ କହିଥିଲେ, ‘‘ଓଡ଼ିଶାର ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ବାବୁ ଶ୍ୟାମସୁନ୍ଦର ରାଜଗୁରୁ ବି.ଏ. ମହାଶୟ ଉତ୍କଳ ସାହିତ୍ୟ ଇତିହାସ ପ୍ରଣୟନ ବିଷୟରେ ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କର ଧନ୍ୟବାଦାର୍ହ ହୋଇଛନ୍ତି । ମାତ୍ର ଏପରି ଦୁର୍ବହଭାର ତାହାଙ୍କ ଉପରେ ନ୍ୟସ୍ତକରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚଳିବ ନାହିଁ’’ ।୧୩। ବାସ୍ତବିକ ଓଡ଼ିଆ ସାହିତ୍ୟରେ ଏଭଳି ଉଦ୍ୟମ ପ୍ରଶଂସନୀୟ ।

 

ସାହିତ୍ୟ ସମାଲୋଚନାର ଧାରା :.

ଇନ୍ଦ୍ରଧନୁ ବିଜୁଳି ବିବାଦପରେ ଓଡ଼ିଆ ସମାଲୋଚନା ସାହିତ୍ୟର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲା । ଏହି ସାହିତ୍ୟ ସୃଷ୍ଟି ଓ ଆଲୋଚନାର ଉତ୍ସ ହେଲା ଉତ୍କଳ ସାହିତ୍ୟ (ଜାନୁୟାରୀ ୧୮୯୭) । କବିଜୀବନୀ ସଂକଳନ, ଭାଷା ଓ ଭାଷାତତ୍ତ୍ୱର ବିଶ୍ଳେଷଣ, ଛନ୍ଦର ସ୍ଵରୁପ ନିର୍ଣ୍ଣୟ, ସାହିତ୍ୟର ଇତିହାସ ସଂକଳନ ପୁରାତନ ଓ ଆଧୁନିକ ସାହିତ୍ୟକୁ କେନ୍ଦ୍ରକରି ଏଥିରେ ପ୍ରକାଶିତ ହେଲା । ଦୀର୍ଘ ବର୍ଷର ପରାଧୀନତା ପରେ ଉନବିଂଶ ଶତାବ୍ଦୀର ଶେଷଭାଗରେ ଉଗ୍ରଜାତୀୟତାଭାବର ପ୍ରଚାର ହେତୁ ବିଜ୍ଞାନଭିତ୍ତିକ ଆଲୋଚନା ନିମନ୍ତେ ଏ ଜାତି ଆତ୍ମସଚେତନ ହୋଇଉଠିଲା ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠା କରି ଏ ଜାତିକୁ ମହାନ୍‌ କରିବାରେ ଜାଗ୍ରତ କଲା । ସେତେବେଳେ ସମାଲୋଚନାର ଧାରା ଥିଲା ବୈଜ୍ଞାନିକ ପଦ୍ଧତିରେ ନୂତନ ଆଲୋକର ସନ୍ଧାନ । ଯେଉଁମାନେ ସଂସ୍କୃତ ଓ ଇଂରାଜୀ ଉଭୟ ସାହିତ୍ୟରେ ପ୍ରବୀଣ ଓ ଉଚ୍ଚଶିକ୍ଷିତ ଥିଲେ ସେହିମାନେ ହିଁ ପ୍ରଥମେ ସମାଲୋଚନା କ୍ଷେତ୍ରରେ କୃତିତ୍ୱ ଅର୍ଜନ କଲେ । ରାଜଗୁରୁ ସେହିଭଳି ସମାଲୋଚନା ସାହିତ୍ୟରେ ଏକ ନୂଆ ମୋଡ଼ ସୃଷ୍ଟିକଲେ । ବିଷୟ ବସ୍ତୁର ପରିକଳ୍ପନାରେ ନୂଆ ଦୃଷ୍ଟିଭଂଗୀ, ଭାଷା ଓ ଭାବର ସଂଯତ ପରିପ୍ରକାଶ, ବିଷୟ ଗ୍ରନ୍ଥନ କୌଶଳ, ଉଚ୍ଚଚିନ୍ତା, ସମାଲୋଚକର ବ୍ୟକ୍ତିକ ଭାବନାକୁ ରୂପାୟନ କରିବାରେ ଅପୂର୍ବ ପାରଦର୍ଶିତା ରାଜଗୁରୁଙ୍କ ଲେଖନୀରେ ରୂପାୟିତ ହେଲା । ସତ୍ୟ କହିବାରେ ନିର୍ଭୀକତା, ବିଷୟ ବସ୍ତୁ ଉପସ୍ଥାପନରେ ଚମତ୍‌କାରିତା, ସଂକ୍ଷିପ୍ତତା ଓ ବିଚାରବୋଧ ତାହାଙ୍କ ପ୍ରବନ୍ଧ ଆଲୋଚନାରେ ପ୍ରତିଫଳିତ ହେଲା । ଓଡ଼ିଆ ସମାଲୋଚନା ସାହିତ୍ୟର ଏହି ଅରୁଣୋଦୟ ଫଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟାନୁଶୀଳନର ପରଂପରା ପ୍ରତିଷ୍ଠା ଲାଭ କରିବାକୁ ଆରମ୍ଭ କରୁଥିବାରୁ ସେଥିରେ ବହୁ ଅପୂର୍ଣ୍ଣତା ପରିଦୃଷ୍ଟ ହେଲେ ହିଁ ରାଜଗୁରୁଙ୍କର ମାନସିକ ସ୍ଵଚ୍ଛତା ଓ ପରିପକ୍ୱତାର ଅଭାବ ଦୃଷ୍ଟିଗୋଚର ହୁଏ ନାହିଁ । ଓଡ଼ିଆ ସାହିତ୍ୟର କାଳାନୁକ୍ରମିକ ପ୍ରକାଶ ହୋଇ ନଥିବା ଯୋଗୁଁ ଐତିହାସିକ ଧାରାରେ ବିଭିନ୍ନ କବି ଓ ସେମାନଙ୍କ କାବ୍ୟକୃତିର ପରିଚିତି ପ୍ରଦାନ ହିଁ ଥିଲା ପ୍ରଥମ କର୍ତ୍ତବ୍ୟ । ତା’ ସହିତ କବିମାନଙ୍କର କାଳ ନିରୂପଣ ମଧ୍ୟ ଥିଲା ସମାଲୋଚନା ଧାରାର ଆଉ ଏକ ଅଂଗ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଆ ସାହିତ୍ୟର ସାମଗ୍ରିକ ଅନୁଧ୍ୟାନ ପ୍ରୟାସ ରାଜଗୁରୁଙ୍କ ଲେଖନୀରେ ସ୍ପଷ୍ଟ । ବିଶେଷକରି ଓଡ଼ିଆ କବିତା କ୍ଷେତ୍ରରେ ଉପଧାମେଳ ଓ ଅମିତ୍ରାକ୍ଷର ଛନ୍ଦକୁ ନେଇ ତର୍କ ବିତର୍କ ଏବଂ ପଦ୍ୟାବୃତ୍ତି କ୍ଷେତ୍ରରେ ଛନ୍ଦ ଓ ଯତିପାତ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଓଡ଼ିଆଛନ୍ଦର ଆଲୋଚନା ଚାଲିଲା । ରାଜଗୁରୁଙ୍କ ଓଡ଼ିଆ ଛନ୍ଦ (ଉତ୍କଳ ସାହିତ୍ୟ ୭/୭, ଅକ୍ଟୋବର ୧୯୦୩, ୭/୧୦, ଜାନୁୟାରୀ ୧୯୦୪, ୭/୧୧ -ଫ୍ରେବୃୟାରୀ ୧୯୦୪) ପ୍ରବନ୍ଧ ଗୁଡ଼ିକ ଛନ୍ଦର ଗତି ପ୍ରକୃତି ଓ ରୂପଧାରା ବିଶ୍ଳେଷଣରେ ପ୍ରାଧାନ୍ୟ ଲାଭ କଲା । ପ୍ରାକୃତ ଛନ୍ଦର ଆଶ୍ରୟରେ ଓଡ଼ିଆଛନ୍ଦର ବିକାଶଧାରା ପର୍ଯ୍ୟାଲୋଚନା କରିବା ସବୁ ସମୟରେ ନିରାପଦ ନହେଲେ ହେଁ ରାଜଗୁରୁଙ୍କ ଲେଖାରେ ଚିନ୍ତାର ମୌଳିକତା ସହ ବିଷୟ ପର୍ଯ୍ୟବେକ୍ଷଣର ବ୍ୟାପକତା ଅନୁଭୂତ ହୋଇଥାଏ । ଓଡ଼ିଆ ଛନ୍ଦର ପ୍ରକାରଭେଦ, ସଂସ୍କୃତ ଓ ପ୍ରାକୃତ ଛନ୍ଦ ସହ ଓଡ଼ିଆ ଛନ୍ଦର ତୁଳନାତ୍ମକ ବିଚାର ତାହାଙ୍କ ଛନ୍ଦ ପ୍ରବନ୍ଧରେ ନିହିତ । ଛନ୍ଦ ଆଲୋଚନାବେଳେ ସେ ଭାଗବତ, ସାରଳା ମହାଭାରତ, ଲାବଣ୍ୟବତୀ, ବିଦଗ୍‌ଧ ଚିନ୍ତାମଣି, ବିଚିତ୍ର ରାମାୟଣ ଓ କୃଷ୍ଣଲୀଳା ପ୍ରଭୃତି ବିଭିନ୍ନ ଗ୍ରନ୍ଥରୁ ଉଦାହରଣ ଦେଇଛନ୍ତି । ଓଡ଼ିଆ ଛନ୍ଦ ସଂପର୍କରେ ଏପରି ମୌଳିକ ପ୍ରବନ୍ଧ ପରବର୍ତ୍ତୀ ସମୟରେ କେବଳ ନୀଳକଣ୍ଠ ଦାସଙ୍କ କେତୋଟି ଲେଖାରେ ଦେଖିବାକୁ ମିଳେ । ପଣ୍ଡିତ ଗୋପୀନାଥ ନନ୍ଦଙ୍କ ‘ଗଣ ନିୟମ କବିତା (ଉତ୍କଳ ସାହିତ୍ୟ, ଧମ ବର୍ଷ, ୭ମ ସଂଖ୍ୟା) ପ୍ରବନ୍ଧଟି ସଂସ୍କୃତ ଛନ୍ଦ ଉପରେ କୌଣସି ବିଶେଷ ଆଲୋକପାତ କରୁ ନଥିଲେ ହେଁ ସେ ସବୁରେ ସେଇ ସେଇ କ୍ଷେତ୍ରରେ ଏକ ସାମାନ୍ୟ ପଦକ୍ଷେପ । ଧ୍ଵନିତତ୍ତ୍ଵ ସହିତ ଓଡ଼ିଆ ଭାଷାର ବିକାଶଧାରା ଓ ଭାଷାର ବ୍ୟାକରଣ ନିୟମ ପଦ୍ଧତି ଆଲୋଚନା ଏହି ସମୟରେ ଅତି ଉଚ୍ଚକୋଟିର ଥିଲା । ରାଜଗୁରୁଙ୍କର ଓଡ଼ିଆ ବିଭକ୍ତି, ସର୍ବନାମ, ଅବ୍ୟୟ (ଉତ୍କଳ ସାହିତ୍ୟ ୯/୬, ୯/୭ ଓ ୯/୧୦) ଆଦି ଭାଷାତାତ୍ତ୍ୱିକ ଆଲୋଚନାର ଅବ୍ୟବହିତ ପରେ ପଣ୍ଡିତ ନନ୍ଦଙ୍କ ଓଡ଼ିଆ ତଦ୍ଧିତ ପ୍ରଭୃତି ପ୍ରବନ୍ଧ (ଉତ୍କଳ ସାହିତ୍ୟ ୯/୧୧ ଠାରୁ ଆରମ୍ଭ) ପ୍ରକାଶ ପାଇଲା । ରାଜଗୁରୁଙ୍କ ମୌଳିକତା ଓ ନୂତନତା ଓଡ଼ିଆ ଭାଷାର ସ୍ଵରୁପ ଆଲୋଚନାରେ ସ୍ୱତନ୍ତ୍ର ସ୍ଥାନ ଦାବିକରେ । ଓଡ଼ିଆ ବିଭକ୍ତିର ଆଲୋଚନା ପ୍ରସଂଗରେ ରାଜଗୁରୁଙ୍କ ମତ ହେଉଛି, ‘‘କେବଳ ଶବ୍ଦଗତ ସାଦୃଶ୍ୟ ଦେଖି କେହି କେହି କହନ୍ତି ଓଡ଼ିଆ ଭାଷା ସଂସ୍କୃତରୁ ଜାତ । ଆଉ କେତେକଙ୍କ ଧାରଣା ଯେ ଓଡ଼ିଆ ଭାଷାର ଆଦି କେବଳ ପ୍ରାକୃତ । ଏ ବିଷୟ ଘେନି ହଠାତ୍‌ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ନିରାପଦ ନୁହେଁ । ବ୍ୟାକରଣ ଭାଷାର ମେରୁଦଣ୍ଡ । କୌଣସି ଭାଷାର ଆଦି ନିର୍ଦ୍ଦେଶ କରିବା ପୂର୍ବରୁ ସେହି ଭାଷାର ବ୍ୟାକରଣ, ପ୍ରତ୍ୟୟ ସବୁ ଉଦ୍‌ଘାଟନ କରି ଦେଖିବା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ଓଡ଼ିଆ ବିଭକ୍ତି ପ୍ରତ୍ୟୟମାନଙ୍କର ଯତ୍‌ସାମାନ୍ୟ ବିବରଣ ଏଠାରେ ଦିଆଗଲା । କ୍ରମଶଃ ଅନ୍ୟାନ୍ୟ ପ୍ରତ୍ୟୟମାନଙ୍କର ଇତିହାସ ଲେଖିବାର ବାସନା ରହିଲା ।’’ ।୧୪। ଓଡ଼ିଆ ବିଭକ୍ତି ପ୍ରୟୋଗର ସ୍ଵାତନ୍ତ୍ର୍ୟ ନିର୍ଣ୍ଣୟ, ସଂସ୍କୃତ ଓ ପ୍ରାକୃତର ତୁଳନାତ୍ମକ ଉଦାହରଣ ସହ ଓଡ଼ିଆ ସର୍ବନାମର ଆଲୋଚନା, ବିଭିନ୍ନ ଅବ୍ୟୟର ବ୍ୟୁତ୍ପତ୍ତି ନିର୍ଣ୍ଣୟ ମଧ୍ୟରେ ରାଜଗୁରୁଙ୍କ ବ୍ୟାକରଣଗତ ବିଶ୍ଳେଷଣ ସାଂଗକୁ ତଥ୍ୟାନୁସନ୍ଧିତ୍ସା ଏଥିରେ ନିହିତ । ସେ ବିମ୍‌ସଙ୍କ ମତକୁ କେତେକ ସ୍ଥଳରେ ଆଲୋଚନା କରି ଖଣ୍ଡନ କରିଛନ୍ତି । ବିମ୍‌ସଙ୍କର ‘A comparative Grammar of Modern Aryan Languages of India’ ଗ୍ରନ୍ଥକୁ ସେ ଭଲଭାବରେ ଅଧ୍ୟୟନ କରିଛନ୍ତି । ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ସଂପର୍କରେ ସେ ସର୍ବଦା ସଚେତନ ଥାଇ ଭାଷାର ମୌଳିକତା ପ୍ରତି ଦୃଷ୍ଟି ନିକ୍ଷେପ କଲେ । ତେଣୁ ସେ ସମାଲୋଚନା ସାହିତ୍ୟର ପଥପ୍ରଦର୍ଶକ ଓ ଗୋପୀନାଥ ନନ୍ଦ ତାଙ୍କର ସୁଯୋଗ୍ୟ ଉତ୍ତର ସାଧକ । ଛନ୍ଦ ଓ ଭାଷା ଆଲୋଚନା ସହିତ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ । ପୁରାତନ ସାହିତ୍ୟର ଇତିହାସ ସଂପର୍କରେ କୌଣସି ସ୍ଵତନ୍ତ୍ର ପୁସ୍ତକ କିମ୍ବା ପ୍ରବନ୍ଧ ଆକାରରେ ପ୍ରକାଶ ଲାଭ ନକଲେ ମଧ୍ୟ ଇତିହାସ ପ୍ରଣୟନ ଦିଗରେ ରାଜଗୁରୁ ବିଭିନ୍ନ କବି ଓ ତାଙ୍କ କୃତି ଉପରେ କରିଥିବା ଆଲୋଚନା ଏକ ସ୍ଵତନ୍ତ୍ର ଆସନ ଦାବି କରେ । ଓଡ଼ିଆ ଭାଷାର ମୂଳସ୍ଵରୁପ, ପ୍ରକୃତି ଓ ବୈଶିଷ୍ଟ୍ୟ ନିର୍ଦ୍ଧାରଣରେ ରାଜଗୁରୁଙ୍କ ଉଦ୍ୟମ ଉଲ୍ଲେଖନୀୟ । ପୁରାତନ ସାହିତ୍ୟର ଗବେଷଣା ଓ ବିଶ୍ଳେଷଣ ଦିଗରେ ସେ ମନୋନିବେଶ କଲେ-। ଶୂଦ୍ର ମୁନି ସାରଳାଦାସ, ଦୀନକୃଷ୍ଣ ଦାସ, ଅରକ୍ଷିତ ଦାସ, ଦ୍ୱାରକା ଦାସ, ବଳରାମ ଦାସ, ଧନଞ୍ଜୟ ଭଂଜ, ନିଶଙ୍କରାୟ ରାଣୀ, ହଳଧର ଦାସ, ଗୋପାଳକବି, କୃଷ୍ଣ ସିଂହ, ଦାଶରଥି ଦାସ, କୃପାସିନ୍ଧୁ ଦାସ, କବି ହରିକୃଷ୍ଣ, ରାମଦାସ ଓ କାହ୍ନୁ ଦାସ ଆଦି ପ୍ରବନ୍ଧ (ଉତ୍କଳ ସାହିତ୍ୟ - ୭/୪, ୭/୫, ୭/୬,୭/୭, ୭/୮, ୭/୧୦, ୭/୧୧, ୮/୧, ୮/୨, ୮/୪, ୮/୮, ୮/୯, ୯/୭, ୯/୯) ଗୁଡ଼ିକରେ କବିକୃତିର ଅଧ୍ୟୟନ ଓ ବିଶ୍ଳେଷଣ ସହିତ ଐତିହାସିକ ଗବେଷଣାର ପରିଚୟ ମିଳେ । କବିଙ୍କ ଆବିର୍ଭାବର ସମୟ ନିର୍ଣ୍ଣୟ ସମସାମୟିକ ସାମାଜିକ ଓ ରାଜନୈତିକ ପରିବେଶ ପର୍ଯ୍ୟାଲୋଚନା, ଜଣେ କବିଙ୍କ ଉପରେ ଅନ୍ୟ କବିଙ୍କ ପ୍ରଭାବ, କବିଜୀବନୀ ବିଶ୍ଳେଷଣ ଆଦି ସମାଲୋଚନାର ମୌଳିକ ଉପାଦାନ ଉପରେ ଗୁରୁତ୍ୱାରୋପ କରି ସମାଲୋଚନାର ମୂଳଭିତ୍ତି ପ୍ରତିଷ୍ଠା କରିଯାଇଛନ୍ତି । ରାଜଗୁରୁଙ୍କ ଆଲୋଚନାରେ ଥିଲା କବିଜୀବନୀ, ସମାଜିକ, ରାଜନୈତିକ ଓ ଧର୍ମଗତ ପରିବେଶ ପର୍ଯ୍ୟାଲୋଚନା, ସମୟ ନିର୍ଣ୍ଣୟ, ସାହିତ୍ୟିକ ରସସୌନ୍ଦର୍ଯ୍ୟ ପରିଶୀଳନ ସହିତ ଐତିହାସିକ ଭିତ୍ତିରେ କୃତିର ମୌଳିକ ସମୀକ୍ଷା । କବିମାନଙ୍କ ଜାତି ଓ ଚରିତ୍ରର ସନ୍ଧାନ ମଧ୍ୟ ସେ କରିଛନ୍ତି । ରାଜଗୁରୁଙ୍କ ସାରସ୍ଵତ ଯୁକ୍ତିଶୀଳ ବିଚାର ଅବିସ୍ମରଣୀୟ । ଅସୀମ ଅଧ୍ୟବସାୟ, ଗଭୀର ପାଣ୍ଡିତ୍ୟ, ବିଶ୍ଳେଷଣାତ୍ମକ ସୂକ୍ଷ୍ମଦୃଷ୍ଟିଭଂଗୀ ଓ ବିଶେଷ କରି ପାଶ୍ଚାତ୍ୟ ସମୀକ୍ଷା ପଦ୍ଧତିର ଅନୁସରଣ ରାଜଗୁରୁଙ୍କ ସାହିତ୍ୟ ସୃଷ୍ଟିକୁ ମହାନ୍‌ କରି ପାରିଛି । ସାରଳା ଦାସ, ବଳରାମ ଦାସ କିମ୍ୱା ଦୀନକୃଷ୍ଣଦାସଙ୍କ ସାହିତ୍ୟର ଯଥାର୍ଥ ସମାଲୋଚନା ରାଜଗୁରୁ କରିଥିଲାବେଳେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ସେତେଟା ଦୃଷ୍ଟିପାତ କରିନାହାଁନ୍ତି । ଧନଞ୍ଜୟ ଭଞ୍ଜଙ୍କ ‘ରାଘବ ବିଳାସ’ରେ ଗୋଟିଏ ଯୁଗର ଅସ୍ତ ଓ ଅନ୍ୟ ଯୁଗର ଆହ୍ୱାନ ଆସୁଛି । ଏକ ପକ୍ଷରେ ଅଛି ନୈସର୍ଗିକ ଜୀବନ୍ତ ଭାଷା ତ ଅନ୍ୟପକ୍ଷରେ ସଂସ୍କୃତ ଅଳଂକାରରେ ଭୂଷିତ ନିର୍ଜୀବ ଭାଷା । ଶବ୍ଦାଡ଼ମ୍ବର ଓ ପାଣ୍ଡିତ୍ୟରେ କିନ୍ତୁ ତାହା ଭାରାକ୍ରାନ୍ତ । ଓଡ଼ିଆ କାବ୍ୟର ଗୋଟିଏ ଅଧ୍ୟାୟ ଶେଷ ହୋଇ ଆରମ୍ଭ ହୋଇଛି ଅନ୍ୟ ଅଧ୍ୟାୟର । ଅତୀତ ସରସ ଥିଲାବେଳେ ଭବିଷ୍ୟତ ରସହୀନ । ‘ରାଘବ ବିଳାସ’ କାବ୍ୟର ଆଲୋଚନା କଲାବେଳେ ରାଜଗୁରୁ ନିର୍ଜୀବ ଓ ରସହୀନ ଛତ୍ର ଗୁଡ଼ିକୁ ଚିହ୍ନାଇ ରାଗଦ୍ୱେଷ ବର୍ଜିତ ଭାଷାରେ ମନ୍ତବ୍ୟ ଦେଇଛନ୍ତି, ‘‘ଏଥିଦ୍ୱାରା କବି ଯେ ଆପଣାର ପାଣ୍ଡିତ୍ୟ ଦେଖାଇ ଅଛନ୍ତି ଏମନ୍ତ ନୁହେଁ, ଭାବୀ ଭଞ୍ଜୀୟ ଯୁଗର ସୂତ୍ରପାତ କରିଦେଇ ଅଛନ୍ତି’’ ।୧୫। । ଅତଏବ ଭଞ୍ଜ ସାହିତ୍ୟ ପ୍ରତି ରାଜଗୁରୁଙ୍କ ମନୋଭବ ଥିଲା ସ୍ପଷ୍ଟ । ତେଣୁ ଉପେନ୍ଦ୍ରଭଞ୍ଜଙ୍କ ଉପରେ ଆଉ ଆଲୋଚନା କରି ନାହାଁନ୍ତି । ସେତେବେଳେ ଭଞ୍ଜଙ୍କ ସାହତ୍ୟ ଆଲୋଚନା ମଧ୍ୟ କମ୍‌ ଦେଖି‌ବାକୁ ମିଳେ ।

 

ଷୋଡ଼ଶ ଶତାବ୍ଦୀର ବଳରାମ ଦାସ ଓ ଦ୍ଵାରକା ଦାସଙ୍କୁ ରାଜଗୁରୁ ଏକ ଓ ଅଭିନ୍ନ ବୋଲି କହିଛନ୍ତି । କାରଣ ସେତେବେଳେ ଦ୍ୱାରକା ଦାସ ନିଜକୁ ବଳରାମ ଦାସ ବୋଲି କହିବାକୁ କୁଣ୍ଠିତ ହୋଇ ନାହାଁନ୍ତି । କାରଣ ଅନାମଧ୍ୟେୟ କବିମାନେ ପ୍ରତିଷ୍ଠିତ କବିଙ୍କ ନାମ ଭଣି ବଞ୍ଚିବାକୁ ଭଲ ପାଉଥିଲେ । ସମାଲୋଚନା ସାହିତ୍ୟର ପ୍ରବୃତ୍ତି ରାଜ ଗୁରୁଙ୍କ ସୃଷ୍ଟିରେ ପରିସ୍ଫୁଟ । ଦୀନକୃଷ୍ଣଙ୍କ ସଂଖ୍ୟା ଓ ସାରଳା ଦାସଙ୍କ ଜନ୍ମସ୍ଥାନ ଏଇ ଉଭୟ ସମସ୍ୟା ଉପରେ ବହୁବର୍ଷ ଧରି ଯେଉଁ ମସୀ ଆନ୍ଦୋଳନ ଚାଲିଥିଲା, ତାର ଜନ୍ମଦାତା ହେଉଛନ୍ତି ରାଜଗୁରୁ । ବିଷୟ ନିର୍ବାଚନରେ ରାଜଗୁରୁଙ୍କ ମୌଳିକତା ଏ କ୍ଷେତ୍ରରେ ଉଲ୍ଲେଖନୀୟ । ସେ ନୂତନ ସୃଷ୍ଟିପାଇଁ ଲେଖକଙ୍କ ମନରେ ପ୍ରତ୍ୟୟ ସୃଷ୍ଟିକରି ଓଡ଼ିଆ ସମାଲୋଚନା ସାହିତ୍ୟକୁ ନିର୍ଦ୍ଦିଷ୍ଟ ରୂପ ଦେଇଛନ୍ତି । ଭବିଷ୍ୟତର ଦାୟାଦମାନଙ୍କ ପାଇଁ ସମାଲୋଚନାର ଧାରା ନିରୂପଣ କରିଛନ୍ତି । ସାରଳା ଦାସଙ୍କ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି, ‘‘ଓଡ଼ିଶାର ଭାଷା କବିମାନଙ୍କ ମଧ୍ୟରେ ଶୂଦ୍ରମୁନି ସାରଳା ଦାସ ସର୍ବପ୍ରଥମ କବି । ଏହାଙ୍କ ପୂର୍ବେ କୌଣସି କବି ଥାଇ ପାରନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ ମହାଭାରତ ପରି ପ୍ରକାଣ୍ଡ ଗ୍ରନ୍ଥ ରଚନା କରିଥିଲା ପରି ବୋଧହୁଏ ନାହିଁ’’ ।୧୬। ସେହିଭଳି ଦାଣ୍ଡି ରାମାୟଣ ରଚୟିତା କବି ବଳରାମ ଦାସଙ୍କ ସଂପର୍କରେ ରାଜଗୁରୁ ତାହାଙ୍କ ପ୍ରବନ୍ଧରେ ମତ ଦେଇଛନ୍ତି, ‘‘ବଙ୍ଗରେ କୃତ୍ତିବାସ ଯେପରି, ଉତ୍ତର ଦେଶରେ ତୁଳସୀଦାସ ଯେପରି, ଦକ୍ଷିଣରେ ଭାସ୍କର ଯେପରି, ଓଡ଼ିଶାରେ ବଳରାମ ଦାସ ସେହିପରି । ବାସ୍ତବିକ ଏହାଙ୍କୁ ଉତ୍କଳ ବାଲ୍ମୀକି କହିଲେ ଅତ୍ୟୁକ୍ତି ହେବ ନାହିଁ’’ ।୧୭। । ସାରଳା ଦାସ ଓ ବଳରାମ ଦାସଙ୍କୁ ରାଜଗୁରୁ ତାଙ୍କ ପ୍ରବନ୍ଧରେ ପ୍ରଶଂସା କରିଛନ୍ତି ଯେଉଁ ରଚନାର ଭାଷା ସରଳ ଓ ସୁନ୍ଦର ବର୍ଣ୍ଣନା ସ୍ଵାଭାବିକ, ଆଡ଼ମ୍ବରଶୂନ୍ୟ ଓ ଭାବପୂର୍ଣ୍ଣ ତାହାହିଁ ଉଚ୍ଚକୋଟିର ସାହିତ୍ୟ ବୋଲି ରାଜଗୁରୁଙ୍କ ମତ । ସେଥିରେ ସ୍ଵଚ୍ଛଳ କଳ୍ପନାଶକ୍ତିର ଓ କହିବାର ଭୂମିକା ଅଛି । ନିଶଙ୍କରାୟ ରାଣୀ ତାଙ୍କ ‘ପଦ୍ମାବତୀ ଅଭିଳାଷ’ରେ ପିଲାଦିନେ ଶୁଣିଥିବା କାହାଣୀ ଗୁଡ଼ିକୁ ଏକତ୍ର କରି ତାର ପ୍ରଶଂସା କରିଛନ୍ତି । କବି ଉପେନ୍ଦ୍ରଭଞ୍ଜଙ୍କୁ ଯେଉଁଠି ଅତିକ୍ରମ କରି ଶୁଦ୍ଧସରଳ ଭାଷାରେ ବିଷୟ ବର୍ଣ୍ଣନା କରିଛନ୍ତି ସେଇଠି ତାଙ୍କ ଆଲୋଚନା ହୋଇଛି ଉପାଦେୟ । ‘ପଦ୍ମାବତୀ ଅଭିଳାଷ’ଟି ରାଜଗୁରୁଙ୍କର ଏକ ଅପୂର୍ବ ଆବିଷ୍କାର । ଏବେ ତାର ପାଣ୍ଡୁଲିପି ମିଳୁନି । ସାହିତ୍ୟ ଇତିହାସରେ ରାଜଗୁରୁ କବିଜୀବନୀ ଓ କାଳକଳନା କଲାବେଳେ କାହାକୁ ହେୟଜ୍ଞାନ କରିନାହାଁନ୍ତି । ବରଂ କାବ୍ୟ ସୃଷ୍ଟିର ମୂଲ୍ୟାୟନରେ ସେ ନିରପେକ୍ଷ ଓ ସ୍ପଷ୍ଟବାଦୀ ହୋଇଛନ୍ତି । କବି ଦ୍ଵାରକା ଦାସଙ୍କ କଥା କହିଲାବେଳେ ସେ ତାଙ୍କୁ ଜଣେ ନିମ୍ନସ୍ତରର କବିବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ଦ୍ୱାରକା ଦାସ ଗ୍ରନ୍ଥଲେଖି ଓଡ଼ିଆ ଭାଷାକୁ ଚଳପ୍ରଚଳ ରଖି‌ପାରି ନାହାନ୍ତି । କିନ୍ତୁ ତାଙ୍କର କବିତ୍ୱ କାହିଁ ? ରାଜଗୁରୁ ବ୍ୟକ୍ତିତ୍ୱ ଓ କବିତ୍ୱର ମୂଲ୍ୟାୟନ କରିଛନ୍ତି । ଆଜିର ସମାଲୋଚନା ସାହିତ୍ୟ ବୋଧହୀନ ଭାବ ପ୍ରବଣତାରେ ପୂର୍ଣ୍ଣ । ଅସଲ ଭାବଟିକୁ ଭୁଲି ନକଲି ଭାବରାଜ୍ୟର ବିଶ୍ଳେଷଣ ଓ ସାହିତ୍ୟର ଚର୍ଚ୍ଚା ଚାଲିଛି । ରାଜଗୁରୁଙ୍କ ଭଳି ସମାଲୋଚକ ଓଡ଼ିଆ ସାହିତ୍ୟରେ ଆଜି ବିରଳ । ସେହିପରି କବି ଦୀନକୃଷ୍ଣ ଦାସ ଜଣେ ନା ଦୁଇଜଣ - ଏହି ବିବଦମାନ ପ୍ରଶ୍ନଟିକୁ ରାଜଗୁରୁ ପ୍ରଥମେ ଓଡ଼ିଆ ସମାଲୋଚନା କ୍ଷେତ୍ରରେ ଉତ୍‌ଥାପନ କରିଛନ୍ତି । ତୁଳନାତ୍ମକ ଭାବରେ ସମସ୍ୟାର ସମୀକ୍ଷା କରି ସିଦ୍ଧାନ୍ତ ନେଇଛନ୍ତି । ଅନ୍ୟପକ୍ଷରେ ଦାଶରଥି ଦାଶ ଓ କୃପାସିନ୍ଧୁ ଗୋଟିଏ ନାମରେ ଦୁଇଟି ଗ୍ରନ୍ଥ ବ୍ରଜବିହାର ଲେଖିଛନ୍ତି । ତେଣୁ ଦୁଇକବିଙ୍କ ସମୟ, ରଚନା ଶୈଳୀ ଓ ବିଷୟବସ୍ତୁର ତୁଳନାତ୍ମକ ବିଶ୍ଳେଷଣ ସେ କରିଛନ୍ତି । ସେହିଭଳି ନିଶଙ୍କ ରାୟରାଣୀଙ୍କ ରଚନାରେ ଭଞ୍ଜୀୟ ପ୍ରଭାବର ଅନୁସନ୍ଧାନ କରିଛନ୍ତି । ମୂଳଗ୍ରନ୍ଥ ସହିତ ମିଳାଇ ଅନୁଶୀଳନ କରିଛନ୍ତି । ସଂସ୍କୃତ ଆଳଙ୍କାରିକ ରୀତିରେ ବିଶ୍ଳେଷଣ ନକରି ସେ ସମାଲୋଚନା ଶୈଳୀରେ ନୂତନ ଦୃଷ୍ଟିଭଂଗୀର ପରିଚୟ ଦେଇଛନ୍ତି । ବିଭିନ୍ନ ସମସ୍ୟା ଉପସ୍ଥାପନ କରି ତାର ସମାଧାନ ପାଇଁ ଭବିଷ୍ୟତ ସମାଲୋଚକଙ୍କ ପାଖରେ ଛାଡ଼ିଦେଇଛନ୍ତି । ପାରଳାର ରାଜା ଗୌରଚନ୍ଦ୍ର ଗଜପତିଙ୍କ ରଚିତ ଧ୍ରୁବ (୧୯୦୭) ନାଟକରେ ଆଞ୍ଚଳିକ ଓ ପ୍ରାଦେଶିକ ଭାଷା ପ୍ରୟୋଗର ଆଧିକ୍ୟ ଓ ଚରିତ୍ରମାନଙ୍କର ବୈଶିଷ୍ଟ୍ୟହୀନତା ଉତ୍କଳ ସାହିତ୍ୟ ପତ୍ରିକାରେ (ନବମ ଭାଗ, ଦ୍ୱାଦଶ ସଂଖ୍ୟା) ତାର ସମାଲୋଚନା କରାଗଲା । ତାର ପ୍ରତିବାଦ ରାଜଗୁରୁ ଉତ୍କଳ ସାହିତ୍ୟ (୫/୧୧-୧୨, ୬/୭-୮) ପତ୍ରିକାରେ ପ୍ରକାଶ କଲେ । ତାଙ୍କର ମତରେ ପ୍ରାଦେଶିକତା ଦୋଷ ନୁହେଁ, ବରଂ ଗୁଣ । ଏହି ବଳିଷ୍ଠ ଯୁକ୍ତିକୁ ପ୍ରମାଣ କରିବାକୁ ଯାଇ ସେ Maxmuller ଙ୍କ “Science of Language’’, Whitneyଙ୍କ “Life and Growth of Language’’ ଏବଂ Beams ଙ୍କ “A Comparative Grammar of Modern Aryan Languages of India’’ ଗ୍ରନ୍ଥରୁ ତଥ୍ୟ ଉଦ୍ଧାର କରି ଆପଣା ମତର ପ୍ରତିଷ୍ଠା କଲେ । ଓଡ଼ିଆ ଭାଷା ବିଭିନ୍ନ ଭାଷାର ପ୍ରଭାବରେ ପରିବର୍ତ୍ତନଶୀଳ । ଭାଷା ମଧ୍ୟରେ ବିଭିନ୍ନ ଶବ୍ଦର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ବିଶେଷକରି ଗଂଜାମରେ ଅନେକ ବିଶୁଦ୍ଧ ଓଡ଼ିଆ ଶବ୍ଦ ଓ ତାର ଶୈଳୀ ଅବିକଳ ଭାବରେ ପ୍ରଚଳିତ ଅଛି । ତେଣୁ ଭାଷା ସୂତ୍ରରେ ବିଚ୍ଛିନ୍ନ ଓଡ଼ିଆଭାଷୀ ପ୍ରଦେଶମାନଙ୍କର ସମ୍ମିଳନର ସୂତ୍ରପାତ ହୋଇ ପରସ୍ପର ମଧ୍ୟରେ ଭାବବିନିମୟ ସଂଘଟିତ ହେଲେ ସମସ୍ତ ଅଞ୍ଚଳର ଓଡ଼ିଆ ଭାଷା ଶୁଦ୍ଧ ହୋଇ ଏକ ଭାବାପନ୍ନ ହୋଇପାରିବ । ଫଳରେ ଓଡ଼ିଆ ଭାଷାରେ ଆଉ ପ୍ରାଦେଶିକତାର ପାର୍ଥକ୍ୟ ପରିଲକ୍ଷିତ ହେବ ନାହିଁ । ଲୋକ ପ୍ରଚଳିତ ଅପଭ୍ରଂଶ ଭାଷା ପ୍ରାଦେଶିକତା ନୁହେଁ । ତେଣୁ ଉପାନ୍ତ ଅଞ୍ଚଳରେ ବ୍ୟବହୃତ ଭାଷାକୁ ପ୍ରାଦେଶିକତା କହି ସମାଲୋଚନା କରିବା ବିଜ୍ଞତାର ପରିଚାୟକ ନୁହେଁ । ତେଣୁ ଭାଷା ପ୍ରୟୋଗ କ୍ଷେତ୍ରରେ ରାଜଗୁରୁଙ୍କ ବଳିଷ୍ଠ ଯୁକ୍ତି, ଅନୁସନ୍ଧାନ ସ୍ପୃହା, ମୌଳିକ ବିଚାରଧାରା, ତୁଳନାତ୍ମକ ଅଧ୍ୟୟନ, ଅନୁଶୀଳନ ପ୍ରବୃତ୍ତି ଓ ଭାଷାତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ତାହାଙ୍କ ଧ୍ରୁବ ନାଟକ ଆଲୋଚନାର ପ୍ରତିବାଦରୁ ସ୍ପଷ୍ଟ ହୁଏ । ରାଜଗୁରୁଙ୍କ ରଚନାବଳୀ ସରଳ- ସୁବୋଧ ଓ ଗ୍ରାମ୍ୟଭାଷା ପ୍ରୟୋଗରେ ରଦ୍ଧିମନ୍ତ । ଗୋପୀନାଥ ନନ୍ଦ ରାଜଗୁରୁଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ଭାଷା ସାହିତ୍ୟ କ୍ଷେତ୍ରରେ ଯଶସ୍ଵୀ । ସମାଲୋଚନା କ୍ଷେତ୍ରରେ ପ୍ରବନ୍ଧାବଳୀର ସ୍ଵତନ୍ତ୍ର ଭୂମିକା ରହିଛି । ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ରାଜଗୁରୁ ଓଡ଼ିଆ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରି ଯାଇଛନ୍ତି ।

 

ଛନ୍ଦ ବିଚାରକ ରାଜଗୁରୁ :

ଶ୍ୟାମସୁନ୍ଦର ରାଜଗୁରୁ ସଂସ୍କୃତ ପ୍ରାକୃତ ଛନ୍ଦ ସହିତ ତୁଳନା କରି ଓଡ଼ିଆ ଛନ୍ଦର ଉଦ୍‌ଭବ ଓ ଇତିହାସ ନିରୂପଣ କରିଛନ୍ତି । ଓଡ଼ିଆ ଛନ୍ଦ ସଂପର୍କରେ ତାଙ୍କର ପ୍ରବନ୍ଧକୁ ତିନିଭାଗ କରାଯାଇପାରେ - ସମବୃତ୍ତ, ବିଷମ ବୃତ୍ତ ଓ ସଂସ୍କୃତ ପ୍ରାକୃତ ବୃତ୍ତ । ଏଥିବାରେ ଛନ୍ଦ ପଙ୍‌କ୍ତିର ଆୟତନ ମେଳ, ପଙ୍‌କ୍ତି ବା ପଦର ଅକ୍ଷର ସଂଖ୍ୟା ଓ ଯତିପାତ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଛନ୍ଦ ଆଲୋଚନା କରିବା ପୂର୍ବରୁ ରାଜଗୁରୁ ସଂସ୍କୃତ- ପ୍ରାକୃତ ଛନ୍ଦଶାସ୍ତ୍ର (ପ୍ରାକୃତ ଫିଙ୍ଗଳମ୍‌, ଛନ୍ଦୋମଞ୍ଜରୀ), ଗୀତ ଗୋବିନ୍ଦ, ବିଚିତ୍ର ରାମାୟଣ, ବିଦଗ୍‌ଧ ଚିନ୍ତାମଣି, ଲାବଣ୍ୟବତୀ, ବ୍ରଜବିହାର, ରସକଲ୍ଲୋଳ, ଗୋପୀଭାଷା, କୃଷ୍ଣଲୀଳା, ଭାଗବତ, କେଶବକୋଇଲି ଆଦି କାବ୍ୟଗ୍ରନ୍ଥ ଓ ଗୋପୀନାଥ ବଲ୍ଲଭ ନାଟକ ପଢ଼ି ହୃଦୟଙ୍ଗମ କରିଥିଲେ । ଏତଦ୍‌ବ୍ୟତୀତ ଢଗଢମାଳି, ବଚନିକା, ଚଉତିଶା, କୋଇଲି ପ୍ରଭୃତି ଲୋକଗୀତି ସଂଗ୍ରହ ଓ ବିଶ୍ଳେଷଣ ମଧ୍ୟ କରିଥିଲେ । ସାରଳା ଦାସଙ୍କ ମହାଭାରତ ଅଧ୍ୟୟନ କରି ତାଙ୍କ ଲିଖିତ ଛନ୍ଦରେ ଶେଷାକ୍ଷର ମେଳର ସୂଚନା ରାଜଗୁରୁ ଦେଇଛନ୍ତି । ମହାଭାରତରେ ବାରରୁ ଚବିଶ ଅକ୍ଷର ପର୍ଯ୍ୟନ୍ତ ପଙ୍‌କ୍ତି ରହିଛି । ସେତେବେଳେ ଓଡ଼ିଆ ଢଗଢମାଳି ସାରଳାଙ୍କର ପ୍ରଧାନ ଆଦର୍ଶଥିଲା । ଅନେକ ଓଡ଼ିଆ ଢଗରେ ଅନ୍ତ୍ୟମେଳ ଭିନ୍ନ ଅକ୍ଷର ନିୟମ ଦୃଷ୍ଟ ହୁଏ ନାହିଁ ।୧୮। । ବେଳେବେଳେ ସମାନାକ୍ଷର ବିଶିଷ୍ଟ ପଙ୍‌କ୍ତି ଢଗଢମାଳିରେ ମିଳିଥାଏ । ଢଗଢମାଳି ଛନ୍ଦ ଆଦର୍ଶ ହିଁ ଦାଣ୍ଡିବୃତ୍ତ ରୂପ ଲାଭ କରିଛି-। ରାଜଗୁରୁଙ୍କ ମତରେ, ‘‘ଢଗବୃତ୍ତ ନୀଚବୃତ୍ତ ନୁହେଁ, ଅନ୍ୟାନ୍ୟ ଖ୍ୟାତନାମା କବିମାନେ ମଧ୍ୟ ଢଗ ବୃତ୍ତରେ ଛାନ୍ଦ ଚୌପଦୀ ଲେଖିଥିବାର ଦେଖାଯାଏ’’ ।୧୯। । ଅତଏବ ସାରଳା ଦାସଙ୍କ ଛନ୍ଦରେ ଓଡ଼ିଆ ଢଗଢମାଳିର ପ୍ରଭାବ ସୁସ୍ପଷ୍ଟ ।

 

କବି ଦୀନକୃଷ୍ଣ ଦାସଙ୍କ ଛନ୍ଦ ବିଷୟରେ ରାଜଗୁରୁ କହିଛନ୍ତି ଯେ କବିଙ୍କର କୌଣସି ଗ୍ରନ୍ଥ ରସକଲ୍ଲେୋଳ ପରି ବିବିଧ ଛନ୍ଦୋବଦ୍ଧରେ ଲିଖିତ ହୋଇ ନାହିଁ । ତାହାଙ୍କ ଗ୍ରନ୍ଥମାନଙ୍କରେ ବିଂଶାକ୍ଷରୀ, ଚତୁର୍ଦ୍ଦଶାକ୍ଷରୀ, ଏକାଦଶାକ୍ଷରୀ ଓ ନବାକ୍ଷରୀ ବୃତ୍ତର ପ୍ରୟୋଗ ହୋଇଛି । ରସକଲ୍ଲୋଳ ସହିତ ଦୀନକୃଷ୍ଣଙ୍କ ରଚନା ଗୁଡ଼ିକର ଛନ୍ଦକୁ ତୁଳନା କଲେ ଜଣାଯାଏ ରସକଲ୍ଲୋଳରେ ବହୁ ଛନ୍ଦର ପ୍ରୟୋଗ ଘଟିଛି । ଛନ୍ଦରୂପ ବା ଛନ୍ଦୋବଦ୍ଧରେ ତାହାଙ୍କ ଆଲୋଚନା ସୀମିତ । ବଳରାମ ଦାସଙ୍କ ଗୁପ୍ତଗୀତାରେ କେତୋଟି ସମାନାକ୍ଷରବିଶିଷ୍ଟ ଛନ୍ଦ ଭାରତବୋଲି (ବଂଗଳାଶ୍ରୀ), ଜଳକ୍ରୀଡ଼ାବାଣୀ (ଚନ୍ଦ୍ରକେଳି), ଭାଗବତ ବାଣୀ (ଗୁଜ୍ଜରୀ)ର ବ୍ୟବହାର କରିଛନ୍ତି । ଦ୍ୱାରକାଦାସ ମଧ୍ୟ ଏଥିରୁ ଅନେକ ଛନ୍ଦ ତାହାଙ୍କ ପ୍ରେମରସ ଚନ୍ଦ୍ରିକାରେ ପ୍ରୟୋଗ କରିଛନ୍ତି ।୨୦। ସାରଳା ଦାସଙ୍କ ଛନ୍ଦପରି ବଳରାମ ଦାସଙ୍କ ଛନ୍ଦ ମଧ୍ୟ ସମାନାକ୍ଷର ବିଶିଷ୍ଟ ନୁହେଁ । କେତେକ ପଙ୍‌କ୍ତିରେ ୧୨- ୧୩ କିମ୍ବା ୧୪-୧୬ ଅକ୍ଷର ଥିବାର ଜଣାଯାଏ । ତେଣୁ ସେ ସାରଳା ଦାସଙ୍କ ଛନ୍ଦକୁ ଅନୁକରଣ କରିଥିବା ସମ୍ଭବପର । ଏହି ସମୟବେଳକୁ ରାଜଗୁରୁ ଓଡ଼ିଆ କାବ୍ୟରେ ପ୍ରଯୁକ୍ତ ଛନ୍ଦ ବିଷୟରେ ବିଚାର ବିଶ୍ଳେଷଣ କରି ବିଭିନ୍ନ ଛନ୍ଦ ପ୍ରୟୋଗରେ ସାମ୍ୟ ବୈଷମ୍ୟ ପ୍ରତିପାଦନ କରିଛନ୍ତି । ସେହିପରି କବି ହଳଧରଦାସଙ୍କ ‘ଆଧ୍ୟାତ୍ମରାମାୟଣ’ରେ ଚତୁର୍ଦ୍ଦଶାକ୍ଷରୀ ଓ ନବାକ୍ଷରୀ ଦୁଇଗୋଟି ଛନ୍ଦର ପ୍ରୟୋଗ ଦେଖିବାକୁ ମିଳେ । ନବାକ୍ଷରୀ ଛନ୍ଦରେ ଅନେକ ସ୍ଥଳରେ ଓ ଚତୁର୍ଦ୍ଦଶାକ୍ଷରୀ ଛନ୍ଦରେ କେତେକ ସ୍ଥାନରେ ଯତିଭଂଗ ହେବାର ଦେଖାଯାଏ । ଗୋଟିଏ ଭାଷା ଓ ଛନ୍ଦରୁ ଅନ୍ୟଭାଷା ଓ ଛନ୍ଦରେ ଅନୁବାଦ ସମୟରେ ଛନ୍ଦ କି ପ୍ରକାର ହୋଇପାରେ କି କି ଦୋଷ ଘଟିପାରେ ଏ ଦିଗରେ ମଧ୍ୟ ରାଜଗୁରୁଙ୍କର ସଜାଗ ଦୃଷ୍ଟି ଥିଲା ଓ ଛାନ୍ଦସିକର ଉଦାରତା ମଧ୍ୟ ଥିଲା ।୨୧। । ଗୋପାଳ କବିଙ୍କ ଅନୂଦିତ ଅଧ୍ୟାତ୍ମ ରାମାୟଣ ନବାକ୍ଷରି ଛନ୍ଦରେ ରଚିତ ହେଲେ ହେଁ ଯତିପାତ ଦିଆଯାଇ ନାହିଁ । କୃଷ୍ଣ ସିଂହ ଯେଉଁ ଛନ୍ଦର ଆଦର୍ଶ ଧରି ମହାଭାରତ ଲେଖିଲେ ତାହା ରାଜଗୁରୁ ଉଲ୍ଲେଖ କରି ନାହାନ୍ତି । କିନ୍ତୁ କବି ସଂଗୀତ ବିଦ୍ୟାରେ ପ୍ରବୀଣ ଥିବାରୁ ଛନ୍ଦ ଅପେକ୍ଷା ଜ୍ଞାନ ଉପରେ ଦୃଷ୍ଟି ରଖି ଧରାବନ୍ଧା ଅକ୍ଷର ନିୟମ ଉପରେ ଗୁରୁତ୍ୱ ଦେଇ ନାହାନ୍ତି । କିନ୍ତୁ ଓଡ଼ିଆ ଛନ୍ଦମାନଙ୍କ ମଧ୍ୟରେ କୃଷ୍ଣ ସିଂହ ଭାରତବାଣୀ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ।୨୨। । ଛନ୍ଦ କହିଲେ ରାଜଗୁରୁ କେବଳ ଅକ୍ଷର ସଂଖ୍ୟାର ନିୟମ ଉପରେ ଗୁରୁତ୍ୱ ଦେଇଛନ୍ତି । କବି କୃପାସିନ୍ଧୁଙ୍କ ୨୧ ଛାନ୍ଦ ମଧ୍ୟରୁ ମାତ୍ର ୮ଟି ସମଛନ୍ଦ ଓ ବାକି ସବୁ ବିଷମ ଛନ୍ଦ । କିନ୍ତୁ ଦାଶରଥିଙ୍କର ‘ବ୍ରଜବିହାର’ରେ ସମଛନ୍ଦ ବିନା ଗୋଟିଏ ହେଲେ ବିଷମ ଛନ୍ଦ ଦେଖାଯାଏ ନାହିଁ । ସମ ଛନ୍ଦ ଅପେକ୍ଷା ବିଷମ ଛନ୍ଦରେ ଗ୍ରନ୍ଥ ଲେଖିବା ଶ୍ରମ-ସାପେକ୍ଷ । ଭାବ ଓ ବିଷୟ ପ୍ରତି ଯେତେ ଲକ୍ଷ୍ୟ ରଖିବାକୁ ହୁଏ, ବର୍ଣ୍ଣବିନ୍ୟାସ ପ୍ରତି ମଧ୍ୟ ସେତିକି ଦୃଷ୍ଟି ରଖିବାକୁ ହୁଏ ।୨୩। ଓଡ଼ିଆ ଛନ୍ଦର ମୂଳ ଖୋଜିବାକୁ ଯାଇ ସେ କହିଛନ୍ତି ଯେ, ସଂସ୍କୃତ ବା ପ୍ରାକୃତରୁ ଏହା ଆସିଛି କହିବା ଅନାବଶ୍ୟକ । ଓଡ଼ିଆ ଛନ୍ଦର ସଂସ୍କୃତ-ପ୍ରାକୃତ ବର୍ଣ୍ଣ ବୃତ୍ତ ଓ ଅକ୍ଷରବୃତ୍ତ ସହିତ ଅନେକାଂଶରେ ସାଦୃଶ୍ୟ ଥିଲେ ହେଁ ତା’ର ସ୍ଵାତନ୍ତ୍ର୍ୟ ସଂପର୍କରେ ସେ ସଜାଗ ରହିଛନ୍ତି ଏବଂ ଛନ୍ଦକୁ ସମ ଓ ବିଷମ ଦୁଇଭାଗରେ ବିଭକ୍ତ କରିଛନ୍ତି । ଅକ୍ଷର ସଂଖ୍ୟା ସମାନ ଥିଲେ ମଧ୍ୟ ଅନେକ ଓଡ଼ିଆ ଛନ୍ଦ ଯତିପାତ ଦୃଷ୍ଟିରୁ ପ୍ରାକୃତଠାରୁ ଭିନ୍ନ । ଅନ୍ତ୍ୟବର୍ଣ୍ଣର ମେଳ, ଗୁରୁ ବର୍ଣ୍ଣର ଲଘୁ ଉଚ୍ଚାରଣ ଓ ଲଘୁବର୍ଣ୍ଣର ଗୁରୁ ଉଚ୍ଚାରଣ ଓଡ଼ିଆ ଛନ୍ଦର ବିଶେଷତ୍ୱ । ଯେଉଁ ଛନ୍ଦର ଅକ୍ଷର ସଂଖ୍ୟା, ଯତିପାତ ଓ ସଂଜ୍ଞା ବିଚାରରେ ପ୍ରାକୃତ ଛନ୍ଦର ଅନୁରୂପ ମନେ ହୋଇଛି ସେଗୁଡ଼ିକୁ ପ୍ରାକୃତାଗତ ଓ ଅନ୍ୟଗୁଡ଼ିକୁ ଅପରାପର ଓଡ଼ିଆ ଛନ୍ଦ ବା ଲୋକ ଛନ୍ଦ ରୂପେ ରାଜଗୁରୁ ଅଭିହିତ କରିଛନ୍ତି । ଢଗ-ଢମାଳି, ବଚନିକା ଓ କଳସା ଆଦି ଲୋକଗୀତିର ଛନ୍ଦ କାଳକ୍ରମେ ଓଡ଼ିଆ ଛନ୍ଦ ସାହିତ୍ୟରେ ଲିଖିତ ରୂପରେ ସ୍ଵୀକୃତି ପାଇଛି । କୋଡ଼ିଏ ପ୍ରକାର ଛନ୍ଦର ନିଦର୍ଶନ ରାଜଗୁରୁ ଦେଇଛନ୍ତି । ଓଡ଼ିଆ କାବ୍ୟରେ ପ୍ରଯୁକ୍ତ ସଂସ୍କୃତ ବର୍ଣ୍ଣବୃତ୍ତ, ଢଗବୃତ୍ତ ଆର୍ଯ୍ୟମାତ୍ରାବୃତ୍ତ ଓ ତେଲୁଗୁଛନ୍ଦ ପ୍ରୟୋଗର ଉଦାହରଣ ମଧ୍ୟ ସେ ରଘୁନାଥ ପରିଚ୍ଛାଙ୍କ ‘ଗୋପୀନାଥ ବଲ୍ଲଭ'’ ନାଟକରୁ ଦେଇଛନ୍ତି । ପରବର୍ତ୍ତୀ କାଳରେ ଅମିତ୍ରାକ୍ଷର ଛନ୍ଦକୁ ଇଂରାଜୀ ଛନ୍ଦରୂପେ ଅଭିହିତ କରିଛନ୍ତି । କାରଣ ସେତେବେଳକୁ ସମ୍ଭବତଃ ଓଡ଼ିଆରେ ଗଦ୍ୟଛନ୍ଦ ବା ପଦ୍ୟ କବିତାର ପ୍ରଚଳନ ହୋଇ ନଥିଲା । ସେଇଥିପାଇଁ ସେ ବର୍ଣ୍ଣବୃତ୍ତ ଓ ମାତ୍ରାବୃତ୍ତ ରୀତିର ପ୍ରକୃତି ସଂପର୍କରେ କିଛି କହି ନାହାନ୍ତି । ଏପରିକି ଢଗବୃତ୍ତ ବା ଦାଣ୍ଡିବୃତ୍ତର ଉଚ୍ଚାରଣ ପ୍ରକୃତି ସଂପର୍କରେ ସେ ନୀରବ ରହିଛନ୍ତି । ଅତଏବ ସେ ଛନ୍ଦର ବନ୍ଧ ବା ଆକୃତି ଆଲୋଚନା ଉପରେ ସ୍ପଷ୍ଟମତ ଦେଇଥିବାବେଳେ ପ୍ରକୃତି ବିଷୟରେ କିଛି ମତ ଦେଇ ନାହାନ୍ତି । ଛନ୍ଦର ରୂପ ବୈଚିତ୍ର୍ୟ ବିଶେଷ କରି ଛନ୍ଦ ପଙ୍‌କ୍ତିର ଅକ୍ଷର ସଂଖ୍ୟା ଓ ଯତିପାତ ହିଁ ତାଙ୍କର ପ୍ରଧାନ ଆଲୋଚ୍ୟ ବିଷୟ ହୋଇ ରହିଛି ‘ଓଡ଼ିଆ ଛନ୍ଦ’ ପ୍ରବନ୍ଧରେ ।

 

୧୯୦୪ ଜାନୁଆରୀ ୨୨ରେ ରାଜକୁମାର ପଦ୍ମଲାଭ ଗଜପତି ଇହଧାମ ତ୍ୟାଗ କରିବାରୁ ରାଜଗୁରୁ ମ୍ରିୟମାଣ ହୋଇ ଦୁଃଖରେ ଭାଙ୍ଗି ପଡ଼ିଲେ । ଏଇଠି ତାଙ୍କର ଜନସେବା ଓ ସାହିତ୍ୟ ଚର୍ଚ୍ଚାରେ ଭଟ୍ଟା ପଡ଼ିଲା । ରାଜନୀତି ପ୍ରତି ତାଙ୍କର ଆଉ ସ୍ପୃହା ରହିଲା ନାହିଁ । ପଦ୍ମନାଭ ଗଜପତିଙ୍କ ପରେ ପରେ ତାଙ୍କ ଭାଗ୍ୟାକାଶରେ ଛାଇ ହୋଇଗଲା କଳାହାଣ୍ଡିଆ ବାଦଲ । ଜୀବନର ଉତ୍‌ଥାନ ପତନ ଭିତରେ ପ୍ରତ୍ୟେକ ମଣିଷ ଭାଗ୍ୟରେ ସେଇ ଅମା ଅନ୍ଧକାର ଘୋଟି ଆସେ । ୧୯୦୫ରେ ରାଜା ଗୌରଚନ୍ଦ୍ର ଗଜପତିଙ୍କର ଅକାଳ ବିୟୋଗ ହେବାରୁ ନାବାଳକ ଯୁବରାଜ କୃଷ୍ଣଚନ୍ଦ୍ର ମାନ୍ଦ୍ରାଜର ନ୍ୟୁଂଟନ ରାଜକୁମାର ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭକଲେ । ସେହିଦିନ ଠାରୁ ରାଜଗୁରୁଙ୍କର ରାଜକୀୟ ସଂପର୍କ କାଳକ୍ରମେ ଛିନ୍ନ ହୋଇଗଲା । ଜରା, ବ୍ୟାଧି ବିଶେଷକରି ବହୁମୂତ୍ର ରୋଗରେ ପୀଡ଼ିତ ହେଲେ । ମନୋବଳ ତାଙ୍କର ଭାଙ୍ଗିଗଲା । ୧୯୦୯ ଜୁଲାଇ ୧୭ରେ ରାଜଗୁରୁ ପାରଳାଖେମୁଣ୍ଡି ଜନ୍ମପୀଠରୁ ସବୁଦିନ ପାଇଁ ବିଦାୟ ନେଲେ । ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନା କ୍ଷେତ୍ରରେ ସେ ଯେଉଁ ପଦକ୍ଷେପ ନେଇଛନ୍ତି, ତାର ପଟାନ୍ତର ନାହିଁ-। ସେ ଏ ଜାତିର ନମସ୍ୟ । ରାଜଗୁରୁଙ୍କ ପ୍ରତିଭାର ଏକ ଯଥାର୍ଥ ଝଲକ କବିଶେଖର ଚିନ୍ତାମଣିଙ୍କ ସୃଷ୍ଟିରେ ପରିଲକ୍ଷିତ ।

 

ଯେପରି -

‘‘ବିଚକ୍ଷଣ ରାଜଗୁରୁ ହେ ଶ୍ୟାମ ସୁନ୍ଦର

ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର

ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି

ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି’’

 

ରାଜଗୁରୁ ଥିଲେ ଜଣେ ସଚେତନ ବ୍ୟକ୍ତିତ୍ୱ । ମାତୃଭାଷା ପ୍ରତି ଅନୁରାଗ ଥିବା ହେତୁ ପୁରାତନ ସାହିତ୍ୟକୁ ନୂତନ ଦୃଷ୍ଟି ସହିତ ପାରଳାଖେମୁଣ୍ଡି ସମେତ ଓଡ଼ିଶାର ପ୍ରତିଭାବାନ କୃତିକୁ ଲୋକଲୋଚନକୁ ଆଣିପାରିଥିଲେ ଗଜପତି ପ୍ରେସ ମାଧ୍ୟମରେ । ଅତଏବ ସେ ଅନ୍ୟମାନଙ୍କ ସୃଷ୍ଟିର ସହାୟକ । ପ୍ରେସ ପ୍ରତିଷ୍ଠା ମାଧ୍ୟମରେ ନିଜ ସୃଷ୍ଟି ସହିତ ଅନ୍ୟାନ୍ୟ ସୃଷ୍ଟିର ପ୍ରଚାର ଓ ପ୍ରସାର ମଧ୍ୟ କରିଛନ୍ତି । ଓଡ଼ିଆଙ୍କ ଭିତରେ ସ୍ଵାଭିମାନ ସୃଷ୍ଟି କରିବା ପାଇଁ ଉତ୍କଳହିତୈଷିଣୀ ସମାଜ ପ୍ରତିଷ୍ଠା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟଏକ ଦିଗ । ଓଡ଼ିଆ ଜାତିର ସାଂସ୍କୃତିକ ଅଭ୍ୟୁଦୟ ପାଇଁ ତାହାଙ୍କ ଦୃଢ଼ ପ୍ରଚେଷ୍ଟା ପ୍ରଶଂସନୀୟ । ବାସ୍ତବିକ ସେ ଏ ଦେଶର ବରପୁତ୍ର ।

 

ପାଦଟୀକା :

୧.

(କ)

ରାଜଗୁରୁ, ସତ୍ୟ ନାରାୟଣ-ଶ୍ୟାମସୁନ୍ଦର ରାଜଗୁରୁ : ଜୀବନୀ ଓ କୃତିତ୍ଵ In ଭଞ୍ଜଭାରତୀ, ଏପ୍ରିଲ-ସେପ୍ଟେମ୍ୱର, ୧୯୯୨, ଓଡ଼ିଆ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ପୃ ୪

 

(ଖ)

ମହାପାତ୍ର, ବାଇକୋଳି- ଓଡ଼ିଆ ଆନ୍ଦୋଳନର ଇତିହାସ, ୧୯୭୮, ପୃ ୫୯ରେ - ରାଜଗୁରୁଙ୍କ ଜନ୍ମ ୧୮୬୬ ମସିହା ବୋଲି ଉଲ୍ଲେଖ ଅଛି/ପ୍ରବନ୍ଧାବଳୀ ରାଜଗୁରୁ ଶ୍ୟାମସୁନ୍ଦର (ସଂକ୍ଷିପ୍ତ ଜୀବନୀ) ୧୯୧୭, ପୃ. ୧

୨.

ପଣ୍ଡା ଅପନ୍ନା - ନବ ଗଞ୍ଜାମ, ପୃ. ୧୨

୩.

Patnaik, Niranjan - Oriya Movement, P. 23 & 24.

୪.

ପଣ୍ଡା, ଅପନ୍ନା- ଶ୍ରୀ ପଦ୍ମନାଭ ନାରାୟଣ ଦେବଙ୍କ ଜୀବନୀ, ପ୍ରଥମ ସଂସ୍କରଣ ୧୯୧୫, ଜଗନ୍ନାଥ ପ୍ରେସ, ପୁରୀ, ପୃ.୬

୫.

ରାଜଗୁରୁ, ଶ୍ୟାମସୁନ୍ଦର- ପ୍ରବନ୍ଧାବଳୀ (ସଂକ୍ଷିପ୍ତ ଜୀବନୀ), ଉତ୍କଳ ସାହିତ୍ୟ ପ୍ରେସ, କଟକ,

୬.

ଉତ୍କଳ ସାହିତ୍ୟ - ୭ମ ଭାଗ, ୧ମ ସଂଖ୍ୟା (ବିବିଧ ପ୍ରସଂଗ) ୧୯୧୭, ପୃ.୧

୭.

ଗଜପତି, ପଦ୍ମନାଭ - ‘ସଂଗୀତ ପ୍ରହ୍ଲାଦ’ (ନାଟକ) - ଭୂମିକା ପୃ.୧, ୨ୟ ସଂସ୍କରଣ, ଗଜପତି ପ୍ରେସ, ପାରଳା ଖେମୁଣ୍ଡି

୮.

ପଣ୍ଡା, ଅପନ୍ନା- ଉତ୍କଳ ସାହିତ୍ୟର ଇତିହାସ, ୨ୟ ଭାଗ ୧୯୨୬, ଆସା ପ୍ରେସ, ବ୍ରହ୍ମପୁର, ପୃ. ୭୯

୯.

ଉତ୍କଳ ସାହିତ୍ୟ (ସଂପାଦକ-ବାଳକୃଷ୍ଣ କର) - ୩/୬, ପୃ. ୧୪୦

୧୦.

ଦାସ, ଦାଶରଥି - ସାହିତ୍ୟ ସମାଲୋଚକ ଶ୍ରୀ ଶ୍ୟାମସୁନ୍ଦର ଅଭିନବ ଭାତରୀ - ଓଡ଼ିଆ ବିଭାଗ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ, ୧୯୯୨, ପୃ ୧୭.

୧୧.

ସେନାପତି, ଫକୀର ମୋହନ - ଉତ୍କଳ ଭ୍ରମଣ, ଅରୁଣୋଦୟ ପ୍ରେସ୍‌, କଟକ, ୧୮୯୯, ପୃ. ୪୭ ଓ ୪୮

୧୨.

ଦାସ, ନୀଳକଣ୍ଠ - ଗ୍ରନ୍ଥ ପ୍ରବେଶ (୧୫.୧୧.୧୯୨୭) ଗୋପୀନାଥ ନନ୍ଦଙ୍କ ଓଡ଼ିଆଭାଷାତତ୍ତ୍ୱ, ପ୍ରକାଶନ : ବଳଭଦ୍ର ନନ୍ଦ ଶର୍ମା, ମୁକୁର ପ୍ରେସ, କଟକ, ୧୯୨୭, ପୃ. ୫

୧୩.

ରାଧାନାଥ ଗ୍ରନ୍ଥାବଳୀ, ୧୪ଶ ସଂସ୍କରଣ, କଟକ ଟ୍ରେଡିଙ୍ଗ କମ୍ପାନୀ, ୧୯୬୬ ପୃ. ୪୮୫

୧୪.

ରାଜଗୁରୁ, ଶ୍ୟାମସୁନ୍ଦର - ପ୍ରବନ୍ଧାବଳୀ, ପ୍ରଥମ ସଂସ୍କରଣ, ୧୯୧୭, ଉତ୍କଳ ସାହିତ୍ୟ ପ୍ରେସ, କଟକ ପୃ.୧୨୯ ।

୧୫.

ରାଜଗୁରୁ, ଶ୍ୟାମ ସୁନ୍ଦର - ପ୍ରବନ୍ଧାବଳୀ, ଉତ୍କଳ ସାହିତ୍ୟ ପ୍ରେସ, କଟକ, ପ୍ରଥମ ସଂସ୍କରଣ, ୧୯୧୭, ପୃ.୭୬ ।

୧୬.

ଏଜନ୍‌ - ପୃ. ୪୫ ।

୧୭.

ଏଜନ୍ – ପୃ.୫୬

୧୮.

ରାଜଗୁରୁ, ଶ୍ୟାମସୁନ୍ଦର - ପ୍ରବନ୍ଧାବଳୀ, ଉତ୍କଳ ସାହିତ୍ୟ ପ୍ରେସ, କଟକ, ପ୍ରଥମ ସଂସ୍କରଣ, ୧୯୧୭, ପୃ.୫୨

୧୯.

ଏଜନ୍‌ - ପୃ.୫୩

୨୦.

ଏଜନ୍‌ - ପୃ. ୭୦

୨୧.

ରାଜଗୁରୁ, ଶ୍ୟାମ ସୁନ୍ଦର ପ୍ରବନ୍ଧାବଳୀ, ଉତ୍କଳ ସାହିତ୍ୟପ୍ରେସ, କଟକ, ପ୍ରଥମ ସଂସ୍କରଣ, ୧୯୧୭, ପୃ.୮୫ ଓ ୮୬.

୨୨.

ଏଜନ୍‌ - ପୃ. ୧୦୦-୧୦୧

୨୩.

ଏଜନ୍‌- ପୃ.୧୦୩-୧୦୪

 

 

ସ୍ନାତକୋତ୍ତର ଓଡ଼ିଆ ବିଭାଗ,

ସରକାରୀ ମହାବିଦ୍ୟାଳୟ,

ଅନୁଗୋଳ

 

***

 

ଓଡ଼ିଶାର ଯାତ୍ରା : ସ୍ୱରୂପ ଓ ପ୍ରକାର୍ଯ୍ୟ

ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀ

 

ଓଡ଼ିଶାରେ ‘ଯାତ୍ରା’ ଶବ୍ଦର ପ୍ରଚଳନ ପ୍ରାଚୀନ କାଳରୁ ହୋଇ ଆସୁଥିବାର ଜଣାଯାଏ । ଏହା ଏକ ଲୋକପ୍ରିୟ ଶବ୍ଦ । ଏହି ଶବ୍ଦ ସହିତ ଓଡ଼ିଶାର ଲୋକସଂସ୍କୃତିର ନିବିଡ଼ ସଂପର୍କ ବିଦ୍ୟମାନ । ରଥଯାତ୍ରା, ଜାଗରଯାତ୍ରା, ଠାକୁରାଣୀଯାତ୍ରା, ବଏଲଯାତ୍ରା, ଦୋଳଯାତ୍ରା, ମକରଯାତ୍ରା, ଶୀତଳଷଷ୍ଠୀଯାତ୍ରା, ଧନୁଯାତ୍ରା ଭଳି ଅସଂଖ୍ୟ ଛୋଟବଡ଼ ଯାତ୍ରାର ଉଦାହରଣ ଓଡ଼ିଶାର କ୍ଷୁଦ୍ର ଗ୍ରାମରୁ ଆରମ୍ଭ କରି ବୃହତ୍‌ ସହର ପର୍ଯ୍ୟନ୍ତ ରହିଛି । ଏହି ସମସ୍ତ ଯାତ୍ରା ଧର୍ମୀୟ ଉତ୍ସବ ଭାବରେ ଲୋକମାନଙ୍କ ଦ୍ୱାରା ବର୍ଷବ୍ୟାପୀ ବିଭିନ୍ନ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଆସୁଛି । ଏହା ସତ୍ତ୍ୱେ, ଏହି ସମସ୍ତ ଯାତ୍ରା ଧର୍ମୀୟ ଉତ୍ସବ ଭାବରେ ଲୋକମାନଙ୍କ ଦ୍ୱାରା ଗୃହୀତ ହେଉଥିଲେ ମଧ୍ୟ, ପ୍ରତ୍ୟେକ ଧର୍ମୀୟ ଉତ୍ସବକୁ ‘ଯାତ୍ରା’ ବୋଲି ଗ୍ରହଣ କରାଯାଏ ନାହଁ । ‘ଯାତ୍ରା’ ଏକ ବିଶେଷ ଧରଣର ଧର୍ମୀୟ ଉତ୍ସବ ଭାବରେ ଲୋକମାନଙ୍କ ଦ୍ୱାରା ସମର୍ଥିତ ।

 

‘ଯାତ୍ରା'ର ଅର୍ଥ ଅନ୍ୱେଷଣ କଲେ, ଉକ୍ତ ଶବ୍ଦର ବ୍ୟାଖ୍ୟା ଆବଶ୍ୟକ ମନେହୁଏ । ଏହା ଏକ ତତ୍‌ସମ ଶବ୍ଦ । ଏହାର ଗଠନ ‘ଯା’ ଧାତୁରୁ ହୋଇଛି, ଯଥା - ଯା-ତ୍ର-ଆ । ‘ଯା’ ଧାତୁ ଯିବା ଅର୍ଥାତ୍‌ ଗମନ ବା ପ୍ରସ୍ଥାନ ଅର୍ଥରେ ବ୍ୟବହୃତ ହୁଏ । ପୂର୍ଣ୍ଣଚନ୍ଦ୍ର ଭାଷା କୋଷକାର ଗୋପାଳଚନ୍ଦ୍ର ପ୍ରହରାଜ ଯାତ୍ରାର ଅନେକ ଅର୍ଥ ସଂପର୍କରେ ସୂଚନା ଦେବାକୁ ଯାଇ ପ୍ରଥମ ଅର୍ଥରେ ଉଲ୍ଲେଖ କରିଛନ୍ତି - ଭ୍ରମଣ, ଗମନ, going, travelling, moving, journey.ଏହାର ଦ୍ୱିତୀୟ ଅର୍ଥରେ ଉଲ୍ଲେଖ ଅଛି, କୌଣସି ଉଦ୍ଦେଶ୍ୟରେ କୌଣସି ସ୍ଥାନକୁ ବାହାରିବା, ସପ୍ତମ ଅର୍ଥ ହେଉଛି, ଦେବତାଙ୍କ ଉତ୍ସବ । ଏହାର ଉଦାହରଣ ଦେବାକୁ ଯାଇ ପ୍ରହରାଜ ଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା, ସ୍କନ୍ଦ ପୁରାଣ ବର୍ଣ୍ଣିତ ବିଷ୍ଣୁଙ୍କ ଦ୍ଵାଦଶ ଯାତ୍ରା, ଲିଂଗରାଜ ପ୍ରଭୁଙ୍କର ଚତୁର୍ଦ୍ଦଶ ଯାତ୍ରାର ତାଲିକା ପ୍ରସ୍ତୁତ କରିଛନ୍ତି । ଯାତ୍ରାର ଅଷ୍ଟମ ଅର୍ଥ ହେଉଛ ଧର୍ମ ସମ୍ବନ୍ଧୀୟ ମେଳା । ଦଶମ ଅର୍ଥ ହେଉଛି, ନୃତ୍ୟ ବାଦ୍ୟାଦି ସହିତ ସାଡ଼ମ୍ବର ଯାତ୍ରା ଶୋଭାଯାତ୍ରା । (୧) ଗୋପୀନାଥ ନନ୍ଦଶର୍ମା ‘ଶବ୍ଦ ତତ୍ତ୍ୱବୋଧ ଅଭିଧାନ’ରେ ଯାତ୍ରା ଶବ୍ଦର ଅର୍ଥ ଉତ୍ସବ, ଦେବୋତ୍ସବ, ନୃତ୍ୟୋତ୍ସବ ଭାବରେ ଗ୍ରହଣ କରିଛନ୍ତି । (୨) ଉପରୋକ୍ତ ବିଚାରରୁ ଏହା ସ୍ପଷ୍ଟ ହୁଏ ଯେ ଯାତ୍ରା ମୁଖ୍ୟତଃ ବହିର୍ଗମନ ଓ ଦେବୋତ୍ସବକୁ ବୁଝାଇଥାଏ । ଯାତ୍ରାର ଗୋଟିଏ ଅର୍ଥରେ ପ୍ରହରାଜ ‘ଏକ ପ୍ରକାର ନାଟକାଭିନୟ’ ବୋଲି ଉଲ୍ଲେଖ କରି ତାହାର ସୂଚନା ନିମ୍ନୋକ୍ତ ଭାବରେ ପ୍ରଦାନ କରିଅଛନ୍ତି । ପଟହୀନ ଗ୍ରାମ୍ୟ ନାଟ୍ୟାଭିନୟ, ନୃତ୍ୟ, ଗୀତାଦି ଅଭିନୟ, ଯେଉଁ ନୃତ୍ୟ ଗୀତାଦିରେ ଓ ଅଭିନୟରେ ରଂଗମଂଚ ପ୍ରସ୍ତୁତ କରିବାକୁ ହୁଏ ନାହିଁ ଓ ଅଭିନେତୃଗଣଙ୍କ ସାଜସଜ୍ଜାର ପ୍ରତି ନାଟକାଭିନୟ ଭଳି ଦୃଷ୍ଟି ଦିଆଯାଏ ନାହିଁ । (୩) ଏଠାରେ ପ୍ରହରାଜ ‘ଯାତ୍ରା’କୁ ଗ୍ରାମ୍ୟ ନାଟକ ଭାବରେ ଗ୍ରହଣ କରିଅଛନ୍ତି । ଯାହା ମନେହୁଏ, ଉପକୂଳବର୍ତ୍ତୀ ଓଡ଼ିଶାରେ ନାଟକ ଅର୍ଥରେ ‘ଯାତ୍ରୀ’ ଶବ୍ଦର ପ୍ରଚଳନକୁ ଲକ୍ଷ୍ୟ କରି ସେ ଏତାଦୃଶ ଅର୍ଥ କରି ଅଛନ୍ତି । ନାଟକ ଅର୍ଥରେ ‘ଯାତ୍ରା’ ଶବ୍ଦର ପ୍ରଚଳନ ବଂଗଳା ବ୍ୟତୀତ ଭାରତର ଅନ୍ୟତ୍ର ପରିଲକ୍ଷିତ ହୁଏ ନାହିଁ । ଲୋକ ନାଟକ ବା କୌଣସି ଗ୍ରାମ୍ୟ ନାଟକକୁ ‘ଯାତ୍ରା’ ବୋଲି ଉଲ୍ଲେଖ କରିବା ପଶ୍ଚାତ୍‌ରେ ସେଭଳି କୌଣସି ଭାଷାତାତ୍ତ୍ୱିକ ସାଂସ୍କୃତିକ ବା ଐତିହାସିକ ପରଂପରା

 

‘ଯାତ୍ରା’ ଭାବରେ ନାଟକ, ଥିଏଟର, ସୁଆଙ୍ଗ, ଲୀଳା, ଗୀତିନାଟ୍ୟ ପ୍ରଭୃତିକୁ ଗହଣ କରି ଅନେକ ବିଦ୍ୱାନ ଆଲୋଚନା କରିଥିଲେ ମଧ୍ୟ ଏସବୁକୁ କାହିଁକି ‘ଯାତ୍ରା’ ବୋଲି କୁହାଯିବ, ସେ ସଂପର୍କରେ କୌଣସି ଯୁକ୍ତି ଯୁକ୍ତ କାରଣ ଦର୍ଶାଇ ନାହାନ୍ତି । ପୁନଶ୍ଚ, ଉପରୋକ୍ତ ନାଟ୍ୟାନୁଷ୍ଠାନ ଗୁଡ଼ିକର ସ୍ଵତନ୍ତ୍ର ନାମ ପୂର୍ବରୁ ପ୍ରଚଳିତ ହୋଇ ଆସୁଥିଲେ ମଧ୍ୟ ସେସବୁ ‘ଯାତ୍ରା’ ନାମରେ ନାମିତ କରିବାର ଯାଥାର୍ଥ୍ୟ କଣ ? ଏଣୁ ଏହି ପ୍ରବଂଧରେ ଏହି ମତକୁ ସ୍ଵୀକାର କରାଯାଇ ନାହିଁ । କାରଣ ‘ଯାତ୍ରା’ ଶବ୍ଦର ଅର୍ଥ ବହୁ ପ୍ରାଚୀନ ସମୟରୁ ଓଡ଼ିଶାରେ ଏକ ବିଶେଷ ଧରଣର ଧର୍ମୀୟ ଉତ୍ସବକୁ ବୁଝାଇ ଆସୁଛି ଏବଂ ଏହି ଶବ୍ଦାର୍ଥ ସହ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ପାରଂପରିକ ଓ ସାଂସ୍କୃତିକ ଭାବରେ ସଂପୃକ୍ତ ଅଟନ୍ତି ।

 

‘ଯାତ୍ରା’ ଶବ୍ଦର ସ୍ୱତନ୍ତ୍ର ଅର୍ଥ :-

‘ଯାତ୍ର।’ ଶବ୍ଦର ଏହି ସ୍ଵତନ୍ତ୍ର ଅର୍ଥକୁ ଆସିବା ପୂର୍ବରୁ ଦେବୋତ୍ସବ ଅନ୍ତର୍ଗତ ‘ପର୍ବ’ ଓ ମେଳା ସଂପର୍କରେ ସାମାନ୍ୟ ସୂଚନା ଦେବା ଆବଶ୍ୟକ । ‘ପର୍ବ’ ସାଧାରଣତଃ ପବିତ୍ର ତଥା ଧର୍ମୀୟ ଉତ୍ସବକୁ ବୁଝାଏ । ଏହି ଉତ୍ସବ ଆନନ୍ଦଦାୟକ ଏବଂ ଓଷାବ୍ରତଧର୍ମୀ । ଏହାର କେତେକ ଉଦାହରଣ ହେଲା, ଚୈତ୍ରପର୍ବ, ନବାନ୍ନ ପର୍ବ, ବିଷୁବ ସଂକ୍ରାନ୍ତ ପର୍ବ ପ୍ରଭୃତି । ସାଧାରଣ ଭାବରେ ପ୍ରତ୍ୟେକ ଧର୍ମୀୟ ଉତ୍ସବକୁ ପୂର୍ବ ରୂପେ ଗ୍ରହଣ କରାଯାଇପାରେ ।

 

‘ମେଳା’ ର ବିଶେଷ ଅର୍ଥ ହେଉଛି, କୌଣସି ଧର୍ମୀୟ ଉତ୍ସବ ଛଳରେ ବହୁ ସଂଖ୍ୟାରେ ଜନ ସମାବେଶ ଘଟିବା । ଉଦାହରଣ ସ୍ଵରୂପ ଶିବରାତ୍ରି ମେଳା, ନୃସିଂହ ଚତୁର୍ଦ୍ଦଶୀ ମେଳା ପ୍ରଭୃତି । ଏକ ନିର୍ଦ୍ଦିଷ୍ଟ ଦେବତା ଆସ୍ଥାନରେ ଏକ ବିଶେଷ ଧର୍ମୀୟ ଉତ୍ସବ ସମୟରେ ବା ପର୍ବ ସମୟରେ ଦେବତାଙ୍କ ଅଚଳ ମୂର୍ତ୍ତିକୁ ଦର୍ଶନ କରିବା ନିମନ୍ତେ ବହୁସଂଖ୍ୟକ ଭକ୍ତଙ୍କର ସମାଗମ ମେଳାରେ ହଁ ହୋଇଥାଏ । ଏଠାରେ ଏହା କୁହାଯାଇପାରେ ଯେ, ସମସ୍ତ ‘ମେଳା’ ପର୍ବ ଅଟେ, କିନ୍ତୁ ସବୁ ପର୍ବ ମେଳା ନୁହେଁ । କାରଣ, ବହୁ ‘ପର୍ବ’ ବ୍ୟକ୍ତିଗତ ତଥା ପାରିବାରିକ ସ୍ତରରେ ହିଁ ସଂପନ୍ନ ହୋଇଥାଏ-

 

‘ଯାତ୍ରା’ ଏକ ଦେବୋତ୍ସବ; ମାତ୍ର ଏହା ବିଶେଷ ଧରଣର ଦେବୋତ୍ସବ । ଏହାକୁ ଏକ ‘ପର୍ବ’ ତଥା ମେଳା ମଧ୍ୟ କୁହାଯାଇ ପାରିବ । ଏହି ଦୃଷ୍ଟିରୁ ପ୍ରତ୍ୟେକ ଯାତ୍ରା ପର୍ବ ହୋଇ ପାରିବ, ମେଳା ମଧ୍ୟ ହୋଇପାରିବ; କିନ୍ତୁ ସବୁ ପର୍ବ କିମ୍ବା ସବୁ ମେଳାକୁ ଯାତ୍ରା କୁହାଯାଇ ପାରିବ ନାହିଁ । ଯେଉଁ ଏକ ପବିତ୍ର ଦିନରେ (ପର୍ବ) ଦେବୋତ୍ସବ ଅନୁଷ୍ଠିତ ହୁଏ ଏବଂ ସେଠାରେ ବହୁ ଲୋକଙ୍କ ସମାଗମ (ମେଳା) ହୁଏ; ସେହି ଅବସରରେ ଉତ୍ସବର ମୁଖ୍ୟ ଚରିତ୍ର (ଦେବତା ବା ଦେବୀ) ସ୍ଵସ୍ଥାନ (ଆସ୍ଥାନ ବା ମନ୍ଦିର) ତ୍ୟାଗ କରି ଲୋକଙ୍କ ମେଳରେ ଅନ୍ୟତ୍ର ଗମନ କରନ୍ତି, ସାଧାରଣ ଲୋକଙ୍କ ସହିତ ମିଶନ୍ତି, ସେମାନଙ୍କର ସୁଖ ଦୁଃଖ ତଥା ହାରି ଗୁହାରି ଶୁଣନ୍ତି; ସେହି ଉତ୍ସବକୁ ‘ଯାତ୍ରା’ ବୋଲି କୁହାଯାଏ । ଲୋକେ ଏତାଦୃଶ ଦେବୋତ୍ସବକୁ ହିଁ ‘ଯାତ୍ରା’ ଭାବରେ ବହୁପ୍ରାଚୀନ କାଳରୁ ଓଡ଼ିଶାରେ ଗ୍ରହଣ କରି ଆସୁଛନ୍ତି ।

 

‘ଯାତ୍ରା’ର ମୁଖ୍ୟ ଚରିତ୍ର ହେଉଛନ୍ତି ଦେବତା । ଏଣୁ ଯାତ୍ରାରେ ଦେବତା ହୁଁ ବହିର୍ଗମନ ପୂର୍ବକ ଅଂଶ ଗ୍ରହଣ କରନ୍ତି । ଲୋକମାନଙ୍କ ଗମନାଗମନ ସହିତ ଏହାର କୌଣସି ସଂପର୍କ ନାହିଁ-। ଯାତ୍ରା ସମୟରେ ଲୋକେ ଦେବତାଙ୍କ ସହିତ ଗମନ କରିଥାନ୍ତି ।

 

ଯାତ୍ରାର ସଂଜ୍ଞା :

ଯାତ୍ରା ଦେବତାଙ୍କ ଏକ ଉତ୍ସବ ହୋଇଥିବାରୁ ଏଥିରେ ପୂଜାବିଧି ଅବଶ୍ୟ ଏକ ମୁଖ୍ୟ ଅଂଶ ଅଟେ । ମୁଖ୍ୟ ଓ ପାର୍ଶ୍ଵ ଦେବତାମାନଙ୍କର ପାରଂପରିକ ପୂଜାବିଧି ସଂପନ୍ନ କରାଯାଇ ସାରିବା ପରେ ହିଁ ଯାତ୍ରା ଆରମ୍ଭ ହୁଏ । ଏଣୁ ଯାତ୍ରାରେ ପୂଜକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ଭକ୍ତି ଭାବନାରୁ ‘ଯାତ୍ରା’ର ଉଦ୍ଭବ ହୋଇଥିଲେ ହେଁ ଏହା ଲୋକଙ୍କ ହୃଦୟର ସେହି ଭାବନାକୁ ଉଜ୍ଜୀବିତ ଓ ଦୃଢ଼ କରିଥାଏ ଏବଂ ତା ସହିତ ଆନନ୍ଦ ପ୍ରଦାନ କରିଥାଏ । ତେବେ ଆନନ୍ଦ ନିମିତ୍ତ ଲୋକ ଇଚ୍ଛାନୁସାରେ ପାରଂପରିକ ଯାତ୍ରାର ଅନୁଷ୍ଠାନ ସମୟକୁ ବଦଳାଇ ପାରେ ନାହିଁ । ‘ଯାତ୍ରା’ କୌଣସି ବ୍ୟକ୍ତିର ଇଚ୍ଛା ଉପରେ ମଧ୍ୟ ନିର୍ଭର କରେ ନାହିଁ । ବ୍ୟକ୍ତିଟି ଯେତେ ଧନଶାଳୀ ବା ଶକ୍ତିଶାଳୀ ହୋଇଥାଉନା କାହିଁକି, ଯାତ୍ରାର ସମୟକୁ ନିଜ ଇଚ୍ଛା ମୁତାବକ ବଦଳାଏ ନାହିଁ । କାରଣ, ଯାତ୍ରା ଗୋଟିଏ ଅଂଚଳର କିମ୍ବା ରାଜ୍ୟର ସମୂହ ଜନତାର ଭକ୍ତିପୂତ ମାନସିକତାର ଅଭିବ୍ୟକ୍ତି; ଯାହାକି କୌଣସି ବ୍ୟକ୍ତି ବିଶେଷର ସ୍ୱାର୍ଥକୁ ସ୍ଵୀକାର କରେ ନାହିଁ ।

 

‘ଯାତ୍ରା’ ଆୟୋଜନ ନିମିତ୍ତ ନିର୍ଦ୍ଦିଷ୍ଟ ଦିନ ପରଂପରାକ୍ରମେ ପ୍ରଚଳିତ । ଉଦାହରଣ ସ୍ଵରୁପ, ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ଅବଶ୍ୟ ଆୟୋଜିତ ହୁଏ । ସେହିଭଳି, ବିଭିନ୍ନ ଯାତ୍ରା ପାଇଁ; ନିର୍ଦ୍ଦିଷ୍ଟ ଦିବସ ସ୍ଥିର ହୋଇରହିଛି । ଏହି ଦିବସମାନ ପ୍ରାୟତଃ ଅପରିବର୍ତ୍ତନୀୟ-। ଯାତ୍ରାରେ ଦେବତା ବାହାରକୁ ଆସି ଲୋକଙ୍କ ସହିତ ମିଶିଥାନ୍ତି । ଲୋକ ବିଶ୍ଵାସ ରହିଛି ଯେ ଯାତ୍ରା କରୁଥିବା ବା ଦେବତାଙ୍କ ଦର୍ଶନ ଅଧିକ ପବିତ୍ର ଓ ଲାଭପ୍ରଦ । ସେହି କାରଣରୁ ହୁଏତ ଜଗନ୍ନାଥଙ୍କୁ ପ୍ରତିଦିନ ବା ଅନେକ ଥର ଦର୍ଶନ କରିଥିବା ବ୍ୟକ୍ତି ମଧ୍ୟ ଆଗ୍ରହର ସହିତ ରଥଯାତ୍ରା ସମୟରେ ରଥାରୁଢ଼ ଦେବତାଙ୍କୁ ଦର୍ଶନ ନିମନ୍ତେ ଅପେକ୍ଷା କରି ରହିଥାଏ ।

 

ବସ୍ତୁତଃ, ଉକ୍ତ ତଥ୍ୟାବଳୀ ଭିତ୍ତିରେ ଯାତ୍ରାର ସଂଜ୍ଞା ହେବ ‘‘ଯେଉଁ ଧର୍ମୀୟ ଉତ୍ସବରେ କୌଣସି ଦେବତା ବା ଦେବୀ ସ୍ଵସ୍ଥାନ ତ୍ୟାଗ କରି ଲୋକଙ୍କ ମେଳରେ ବାଦ୍ୟ, ଗୀତ ଓ ନୃତ୍ୟ ସହିତ ଅନ୍ୟତ୍ର ଗମନ କରନ୍ତି’’ । ଏହା ପୂର୍ଣ୍ଣତଃ ଲୋକ ବିଶ୍ଵାସ ଆଧାରିତ । ଏଣୁ ଏଠାରେ ଯାତ୍ରାର ମୂଳ ଲକ୍ଷଣ ହେଉଛି ମୁଖ୍ୟ ଚରିତ୍ର ଅର୍ଥାତ୍‌ ଦେବତାଙ୍କ ଗମନା- ଗମନ । ଏହା ଲୋକଙ୍କ ପାଇଁ ପବିତ୍ର ଓ ଆକର୍ଷଣୀୟ ଦୃଶ୍ୟ ।

 

ଯାତ୍ରାର ସ୍ୱରୂପ :-

ଓଡ଼ିଶାରେ ପ୍ରଚଳିତ ଯାତ୍ରା ସମୂହକୁ ଅନୁଧ୍ୟାନ କଲେ ନାୟକ/ମୁଖ୍ୟ ଚରିତ୍ରର ସ୍ଵରୁପ ଭିତ୍ତିରେ ସେ ସବୁକୁ ସାଧାରଣତଃ ଛ’ଟି ଭାଗରେ ବିଭକ୍ତ କରାଯାଇ ପାରିବ । ଯଥା (୧) ଦେବତାଙ୍କ ଜଡ଼ ପ୍ରତୀକ (ମୂର୍ତ୍ତିନୁହେଁ); ଉଦାହରଣସ୍ୱରୂପ କନ୍ତକୁଆଁରୀ ଯାତ୍ରା (ବଣାଇଗଡ଼ ଅଂଚଳ)କୁ ଗ୍ରହଣ କରାଯାଇ ପାରେ । ଏଥିରେ ଏକ ‘ସମା’ (ଢେଙ୍କିର ମୁହଁରେ ଯେଉଁ ଗୋଲ ଲୁହା ବଳୟଟି ଲାଗେ) କୁ ଦେବୀଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଏ । (୨) ଦେବତାଙ୍କ ମୂର୍ତ୍ତି ଅଂଶ ଗ୍ରହଣ କରୁଥିବା ଯାତ୍ରା । ଏହାର ଉଦାହରଣ ହେଉଛି ଜଗନ୍ନାଥଙ୍କ ରଥଯାତ୍ରା, ଶୀତଳଷଷ୍ଠୀ ଯାତ୍ରା ପ୍ରଭୃତି । (୩) ଦେବତା ସ୍ଵୟଂ ବରୁଆ ଶରୀରରେ ଅବତ୍ତୀର୍ଣ୍ଣ ହୋଇ ଯାତ୍ରାରେ ଅଂଶ ଗ୍ରହଣ କରନ୍ତି । ଏତାଦୃଶ ଯାତ୍ରାର ଉଦାହରଣ ହେଉଛି - ପାଟଣେଶ୍ଵରୀ ଯାତ୍ରା (ପାଟଣାଗଡ଼), ବଏଲଯାତ୍ରା (ସୋନପୁର) ପ୍ରଭୃତି । (୪) ଦେବତା ସ୍ୱୟଂ ବରୁଆ ଶରୀରରେ ଆବିର୍ଭୂତ ହୋଇ ଯାତ୍ରାରେ ଅଂଶ ଗ୍ରହଣ କରୁଥିଲେ ମଧ୍ୟ ତାଙ୍କର ପ୍ରତୀକ ମଧ୍ୟ ସଂଗରେ ଥାଏ । ଏଭଳି ଯାତ୍ରା ହେଉଛି, ପାଟଖଣ୍ଡା ଯାତ୍ରା (ଜରାସିଂହା), ଶୂଳିଆ ଯାତ୍ରା (କୁମୁରିଆ) ପ୍ରଭୃତି । (୫) ପ୍ରତୀକ ଓ ଅଭିନେତା ଅଂଶ ଗ୍ରହଣ କରୁଥିବା ବେଳେ ତେର ଜଣ ଭୋକ୍ତା ମଧ୍ୟ ଅଭିନୟ କରିଥାନ୍ତି । (୬) ଦେବତାଙ୍କ କାର୍ଯ୍ୟାବଳୀକୁ ଅନୁସରଣ କରି ଅଭିନୟ କରୁଥିବା ଅଭିନେତା ଅଂଶ ଗ୍ରହଣ କରୁଥିବା ଯାତ୍ରା । ଏହାର ଉଦାହରଣ ହେଉଛି, ଧନୁଯାତ୍ରା (ବରଗଡ଼) ଗୋଚାରଣ ଯାତ୍ରା (ମେଣ୍ଡା) ପ୍ରଭୃତି ।

 

ଯେଉଁ ଯାତ୍ରାରେ ଲୋକ ଦେବଦେବୀ ଅଂଶ ଗ୍ରହଣ କରନ୍ତି, ସେଥିରେ ପ୍ରାୟତଃ ସାଧାରଣ ପ୍ରତୀକ ହିଁ ଯାତ୍ରା କରିଥାନ୍ତି । ଏହି ପ୍ରତୀକ ବିଭିନ୍ନ ପ୍ରକାରର ହୋଇପାରେ, ଯଥା - ଛତର ବା ଛତ୍ର, (ଛତ୍ରଯାତ୍ରା, ଛତର ବାଉତି ଯାତ୍ରା) ଲାଠି (ବୁଢ଼ୀ ଡେ।କରୀ ଯାତ୍ରା), ଟାଂଗୀ (ଶୂଳିଆଯାତ୍ରା), ସମା (କନ୍ତକୁଆଁରୀ ଯାତ୍ରା) ପନକି (ପାଟଖଣ୍ଡା ଯାତ୍ରା), ଶଲାକା (ମାହେଶ୍ଵରୀଯାତ୍ରା), କରମା ଡାଳ (କରମାଯାତ୍ରା), ଖଣ୍ଡା (ଖଣ୍ଡାଧୁଆ ଯାତ୍ରା), କଳସ (କଳାସୀଯାତ୍ରା) ପ୍ରଭୃତି ।

 

ସେହିଭଳି ଯେଉଁ ଯାତ୍ରାରେ ପୌରାଣିକ ଦେବାଦେବୀ ଅଂଶ ଗ୍ରହଣ କରନ୍ତି, ସେଥିରେ ସାଧାରଣତଃ ମୂର୍ତ୍ତି ଯାତ୍ରା କରନ୍ତି । ଯଥା - ରାମକୃଷ୍ଣ ମୂର୍ତ୍ତି (ଦୋଳଯାତ୍ରା), ଶିବ ଓ କୃଷ୍ଣ ମୂର୍ତ୍ତି (ମକର ଯାତ୍ରା) ନାଗନାଗୁଣୀ ମୂର୍ତ୍ତି (ନାଗେନ୍‌ ଯାତ୍ରା) ଶିବ ଓ ପାର୍ବତୀ ମୂର୍ତ୍ତି (ଶୀତଳ ଷଷ୍ଠୀ ଯାତ୍ରା) ପ୍ରଭୃତି ।

 

ତୃତୀୟ ପ୍ରକାରର ଯାତ୍ରାରେ ସ୍ଵୟଂ ଦେବତା ଜଣେ ବିଶେଷ ବ୍ୟକ୍ତିର ଶରୀର ଭିତରେ ଆବିର୍ଭୂତ ହୋଇ ଅଂଶ ଗ୍ରହଣ କରନ୍ତି । ଏତାଦୃଶ ଯାତ୍ରାର ସଂଖ୍ୟା ଓଡ଼ିଶାରେ ସର୍ବାଧିକ । ଏହି ଧରଣର ଯାତ୍ରାରେ ସାଧାରଣତଃ ଲୋକଦେବତା ହିଁ ମୁଖ୍ୟ ଚରିତ୍ର ଭାବରେ ଗୃହୀତ । ଆଦିବାସୀ ପରଂପରାରେ ଏହା ଅତ୍ୟନ୍ତ ଲୋକପ୍ରିୟ । ଯେଉଁ ବ୍ୟକ୍ତି ଶରୀରରେ ଦେବତା ପ୍ରବେଶ କରନ୍ତି, ସେହି ବ୍ୟକ୍ତିକୁ ଓଡ଼ିଶାର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇ ଥାଏ । ଯଥା - ବରୁଆ, ଡାଙ୍ଗୁଆ, ବେଜି, କଳାସୀ, ବିହାରୀ, ଜାନୀ ପ୍ରଭୃତି । ଲୋକ ବିଶ୍ୱାସରେ ସ୍ଵୟଂ ଦେବତା ବରୁଆ ଶରୀରରେ ପ୍ରବେଶ କରି ଯାତ୍ରାରେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରୁଥିବାରୁ, ଏତାଦୃଶ ଯାତ୍ରାରେ ଗୁହାରି କରିବା ବ୍ୟକ୍ତିଙ୍କ ସମାବେଶ ଅଧିକ ଭାବରେ ହୋଇଥାଏ । ଏହି ଶ୍ରେଣୀର କେତୋଟି ଯାତ୍ରାର ଉଦାହରଣ ହେଉଛି- ବଏଲଯାତ୍ରା (ସୋନପୁର), ପାଟଣେଶ୍ୱରୀ ଯାତ୍ରା (ପାଟଣାଗଡ଼), ଦ୍ୱାରସେନୀ ଯାତ୍ରା (ସିନ୍ଧେକେଲା), ଘଣ୍ଟାସୁଣୀ ଯାତ୍ରା (ଟିଟିଲା ଗଡ଼), ଘସିଏନ୍‌ ଯାତ୍ରା (ଚନ୍ଦନ ଭାଟି) ପ୍ରଭୃତି ।

 

ଚତୁର୍ଥ ପ୍ରକାରର ଯାତ୍ରାରେ ଉଭୟ ବରୁଆ ଓ ପ୍ରତୀକ ଅଂଶ ଗ୍ରହଣ କରନ୍ତି ଏବଂ ଏତାଦୃଶ ଯାତ୍ରା ସମୂହ ଲୋକ ଦେବତା କୈନ୍ଦ୍ରିକ । ଏଭଳି ଯାତ୍ରାରେ ବରୁଆ ଲୋକଙ୍କ ହାରିଗୁହାରି ଶୁଣି ସେସବୁର ପ୍ରତିକାରର ବ୍ୟବସ୍ଥା କଲେ ମଧ୍ୟ ପ୍ରତୀକର ଗୁରୁତ୍ଵପୂର୍ଣ ଭୂମିକା ରହିଥାଏ । ତୃତୀୟ ଓ ଚତୁର୍ଥ ଶ୍ରେଣୀର ଯାତ୍ରାରେ ବରୁଆ ଶରୀରରେ ସ୍ଵୟଂ- ଦେବତା ଆବିର୍ଭୂତ ହେଉଥିବାରୁ, ଲୋକେ ନିଜର ଶାରୀରିକ ଅସୁବିଧା ସହିତ ଅନ୍ୟାନ୍ୟ ବିପଦ ସଂପର୍କରେ ସୂଚନା ଦେଇ ତାହାର ପ୍ରତିକାର ପାଇଁ ଦେବତାଙ୍କୁ ପ୍ରାର୍ଥନା କରନ୍ତି । ଏହାର ଏକ ସୁନ୍ଦର ଉଦାହରଣ ଏଠାରେ ପ୍ରଦତ୍ତ ହେଲା । ବଲାଂଗିର ଜିଲ୍ଲାଅନ୍ତର୍ଗତ ସିନ୍ଧେକେଲା ଜମିଦାରୀରେ ‘ପାଟଖଣ୍ଡା’ ଯାତ୍ରା ଆଶ୍ଵିନ ମାସରେ ଅନୁଷ୍ଠିତ ହୁଏ । ଏହି ଦେବତାଙ୍କ ଯାତ୍ରା ସମୟରେ ଦୁଇଟି ବିଶେଷକାର୍ଯ୍ୟ ଦେବତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ସଂପନ୍ନ ହୋଇଥାଏ । ସେହି କାର୍ଯ୍ୟ ଦୁଇଟି ହେଲା ‘ଫଲଦିଆ’ ଓ ‘ବଅରାପିଟା’ । ‘ଫଲଦିଆ’ କାର୍ଯ୍ୟକ୍ରମରେ ଦେବତା ବନ୍ଧ୍ୟା ଦମ୍ପତିଙ୍କୁ ସଂତାନ ପ୍ରଦାନ କରନ୍ତି । ଅର୍ଥାତ୍‌ ନିଜସ୍ଵ ଶୈଳୀରେ ସେମାନଙ୍କର ଚିକିତ୍ସା କରନ୍ତି । ‘ବଅରପିଟା’ କାର୍ଯ୍ୟକ୍ରମରେ ବଅରା ଅର୍ଥାତ୍‌ ପାଗଳ ଚିକିତ୍ସା କରାଯାଏ । ଏହା ପଶ୍ଚାତରେ କୌଣସି ବୈଜ୍ଞାନିକ କାରଣ ଥାଉ ବା ନଥାଉ, ସେହି ଅଂଚଳରେ ଦୃଢ଼ ଲୋକ-ବିଶ୍ଵାସ ଉପରେ ହିଁ ଏହି କାର୍ଯ୍ୟକ୍ରମ ଆଧାରିତ । ପୁନଶ୍ଚ, ଏହି କାର୍ଯ୍ୟକ୍ରମ ଦ୍ୱୟର ଚିକିତ୍ସାଗତ ତାତ୍ପର୍ଯ୍ୟ ଯାହା ଥାଉ ନା କାହିଁକି, ଯାତ୍ରା ସମୟରେ ଏହି ଦୃଶ୍ୟ ଅତ୍ୟନ୍ତ ଲୋକପ୍ରିୟ ଓ କୌତୁହଳ ପ୍ରଦ । ଉଭୟ ବରୁଆ ଓ ପ୍ରତୀକ ଅଂଶ ଗ୍ରହଣ କରୁଥିବା କେତେକ ଯାତ୍ରାର ଉଦାହରଣ ହେଉଛି - ପାଟଖଣ୍ଡାଯାତ୍ରା (ଜରାସିଂହା) ମାହେଶ୍ୱରୀ ଯାତ୍ରା (କିରାବାହାଲ୍‌) ଶୂଳିଆ ଯାତ୍ରା (କୁମୁରିଆ) କଳାସୀଯାତ୍ରା (ଚର୍ଦ୍ଦା) ପ୍ରଭୃତି ।

 

ପଞ୍ଚମ ଶ୍ରେଣୀର ଯାତ୍ରାରେ ଉଭୟ ପ୍ରତୀକ ଓ ଅଭିନେତା ଅଂଶଗ୍ରହଣ କରନ୍ତି । ଏହା ପୂର୍ବୋକ୍ତ ଯାତ୍ରାମାନଙ୍କ ଅପେକ୍ଷା ଅର୍ବାଚୀନ ମନେହୁଏ । ‘ଦଣ୍ଡଯାତ୍ରା’ ଏହାର ଉଦାହରଣ । ଓଡ଼ିଶାର ବହୁସ୍ଥାନରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ପଶ୍ଚିମାଂଚଳରେ ଏହା ଅତ୍ୟନ୍ତ ଲୋକପ୍ରିୟ । ବଉଦରୁ ଦଣ୍ଡ ଯାତ୍ରାର ଉଦ୍ଭବ ହୋଇଥିବା ବିଶ୍ଵାସ କରାଯାଏ । ଏଥିରେ ପ୍ରତୀକ ଭାବରେ ଚାରିଦଂଡ (ଚାରିଶମ୍ଭୁଙ୍କ ପ୍ରତୀକ), ଗୌରୀବେତ, କଳସ, ପ୍ରଭା ପ୍ରଭୃତି ଅଂଶ ଗ୍ରହଣ କରୁଥିବା ବେଳେ ତେରଜଣ ଭୋକ୍ତା ମଧ୍ୟ ଅଭିନେତା ଭାବରେ ଅଂଶଗ୍ରହଣ କରିଥାଆନ୍ତି । ଏହି ଯାତ୍ରା ଶୈବ ଓ ଶାକ୍ତ ସଂପ୍ରଦାୟର ଧର୍ମୀୟ ବିଶ୍ଵାସ ଉପରେ ଆଧାରିତ ଏବଂ ଏହା ଲୌକିକ ଯାତ୍ରା ଶୈଳୀରେ ଅନୁଷ୍ଠିତ ହୋଇଥାଏ । ବିଷୁବ ସଂକ୍ରାନ୍ତିର ସାତ, ତେର କିମ୍ବା ସର୍ବାଧିକ ଏକୋଇଶ ଦିନ ପୂର୍ବରୁ ଗତବର୍ଷ କୌଣସି ଶିବା ବା ଦେବୀ ମନ୍ଦିର ନିକଟରେ ପୋଡ଼ା ହୋଇଥିବା ଚାରିଦଣ୍ଡକୁ ପୂଜାବିଧି ସହକାରେ ବାହାର କରାଯାଏ ଏବଂ ଦଣ୍ଡକୁ ଜୀଆଇଁ ‘ଦଣ୍ଡଯାତ୍ରା’ର ସୂତ୍ରପାତ ବିଧି ଅନୁସାରେ କରାଯାଏ । ଦଣ୍ଡ ନିର୍ଦ୍ଧାରିତ ଦିବସ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମଯାତ୍ରା କରି ବିଷୁବ ସଂକ୍ରାନ୍ତି ଦିନ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ଯାତ୍ରା ସଂପନ୍ନ ପରେ ପୂଜା ବିଧି ଅନୁସାରେ ଦଣ୍ଡକୁ ନୂଆ ପାତ୍ରରେ ଭରି ପୋତି ଦିଆଯାଏ ।

 

ଷଷ୍ଠ ଶ୍ରେଣୀର ଯାତ୍ରାରେ ଅଭିନେତାମାନେ ଦେବତାଙ୍କ ସ୍ଥାନରେ ଅଭିନୟ କରନ୍ତି । ସାଧାରଣତଃ ଏତାଦୃଶ ଯାତ୍ରାରେ ପୌରାଣିକ ଦେବଦେବୀ ହିଁ ଚରିତ୍ର ହୋଇଥାନ୍ତି । ଏହି ଯାତ୍ରା ପୂର୍ବୋକ୍ତ ଯାତ୍ରା ସମୂହ ଅପେକ୍ଷା ଅର୍ବାଚୀନ । ଏଥିରେ ପାରଂପରିକ ଯାତ୍ରାର ପ୍ରାଚୀନତା ତଥା ମାନସିକତା ଅନୁଭୂତ ହୁଏ ନାହିଁ । କୌଣସି ପୁରାଣର କଥାକୁ ନେଇ, ବିଶେଷତଃ ରାମାୟଣ, ମହାଭାରତ ତଥା ଭାଗବତର କାହାଣୀ ହିଁ ଏତାଦୃଶ ଯାତ୍ରାର ବିଷୟବସ୍ତୁ ହୋଇଥାଏ । ଏହାର ଉଦାହରଣ ହେଉଛି ଧନୁଯାତ୍ରା (ବରଗଡ଼), ଗୋଚାରଣ ଯାତ୍ରା (ମେଣ୍ଡା) ଗୋକୁଳାଷ୍ଟମୀ ଯାତ୍ରା (ବିନିକା) ପ୍ରଭୃତି । ରାମନବମୀ ଯାତ୍ରା ସଂପ୍ରତି ‘ଯାତ୍ରା’ ଶୈଳୀରେ ଅନୁଷ୍ଠିତ ନହୋଇ ଗୋଟିଏ ନିର୍ଦ୍ଦିଷ୍ଟ ଖୋଲା ମଞ୍ଚରେ ମଞ୍ଚସ୍ଥ ହେଉଛି । ଏହି ସବୁ ଯାତ୍ରାରେ ପୂଜାବିଧିର ସାମାନ୍ୟ ସୂଚନାଥିଲେ ମଧ୍ୟ, ଏହା ଏକ ଗୁରୁତ୍ଵପୂର୍ଣ୍ଣ ଦୃଶ୍ୟ ନୁହେଁ । ତେବେ, ଏହା ପରିଲକ୍ଷିତ ହୁଏ ଯେ ଦର୍ଶକମାନେ ଦେବତାଙ୍କ ସ୍ଥାନରେ ଅଭିନୟ କରୁଥିବା ଅଭିନେତାଙ୍କୁ ମଧ୍ୟ ଦେବତା ଜ୍ଞାନରେ ଭକ୍ତି ପ୍ରଦର୍ଶନ କରିଥାନ୍ତି । ଧନୁଯାତ୍ରାରେ ଏହି ଦୃଶ୍ୟ ବହୁଳ ଭାବରେ ଦେଖାଯାଏ । ମଥୁରା (ବରଗଡ଼)ରେ ବୁଲୁଥିବାବେଳେ କୃଷ୍ଣ ଓ ବଳରାମଙ୍କୁ ପ୍ରତ୍ୟେକ ଘରେ ପୂଜା କରାଯାଇଥାଏ । ଏହି ଅବସରରେ ଦର୍ଶକମାନେ ମଧ୍ୟ ଯାତ୍ରାର ଏକ ଏକ ଚରିତ୍ର ହୋଇଯାଆନ୍ତି । ମୋଟରେ ଦେଖିବାକୁ ଗଲେ, ପ୍ରତ୍ୟେକ ଯାତ୍ରାରେ ଦର୍ଶକମାନେ ଅନେକ ସମୟରେ ପ୍ରତ୍ୟକ୍ଷ ଭାବରେ ଯାତ୍ରାର ଚରିତ୍ର ହୋଇଯାଆନ୍ତି ।

 

ବିଷୟବସ୍ତୁ ଦୃଷ୍ଟିରୁ ଯାତ୍ରାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ପାରିବ; ଯଥା ଲୌକିକ ବା ଆଂଚଳିକ ଲୋକବିଶ୍ଵାସ ଆଧାରିତ ଯାତ୍ରା ଏବଂ ପୌରାଣିକ କଥାବସ୍ତୁ ଆଧାରିତ ଯାତ୍ରା । ଲୋକଦେବତା ଅଂଶ : ଗ୍ରହଣ କରୁଥିବା ଯାତ୍ରା ସମୂହର କଥାବସ୍ତୁ ଅଂଚଳ ଭିତ୍ତିକ ଲୋକବିଶ୍ଵାସ ଉପରେ ଆଧାରୀଭୂତ ହୋଇଥାଏ । ପୌରାଣିକ ଦେବତାଙ୍କ ଯାତ୍ରାରେ ପୁରାଣକଥା ଲୌକିକ ଶୈଳୀରେ ଅଭିବ୍ୟକ୍ତି ଲାଭ କରିଥାଏ ।

 

ଲୋକଦେବତାଙ୍କ ପୂଜା ସାଧାରଣତଃ ଅବ୍ରାହ୍ମଣ, ବିଶେଷକରି ଆଦିବାସୀ ଓ ଚତୁର୍ଥ ବର୍ଗର ଲୋକେ କରିଥାନ୍ତି । ପୌରାଣିକ ଦେବତାଙ୍କ ପୂଜା ବ୍ରାହ୍ମଣମାନେ କରନ୍ତି । ମାତ୍ର ଏହା ଅନୁମିତ ହୁଏ ଯେ ଓଡ଼ିଶାରେ ଲୋକ-ଦେବତା କୈନ୍ଦ୍ରିକ ଯାତ୍ରା ଅଧିକ ପ୍ରାଚୀନ ଏବଂ ଏହା ସହିତ ଓଡ଼ିଶାର ଅଧିକାଂଶ ଲୋକ ଧର୍ମୀୟ, ସାଂସ୍କୃତିକ ତଥା ସାମାଜିକ ଭାବରେ ସଂଶ୍ଳିଷ୍ଟ ।

 

ଯାତ୍ରାର ସ୍ୱରୁପରୁ ମନେହୁଏ, ପ୍ରାଚୀନ କାଳରୁ ପ୍ରବାହିତ ଦୁଇଟି ଧାରା ଲୋକଧାରା ବା ଲୌକିକଧାରା (Folk Tradition) ଓ ବେଦ-ଧାରା ବା ବୈଦିକ ଧାରା (Elit Tradition); ସମୟାନୁକ୍ରମରେ ଉଭୟେ ଉଭୟଙ୍କୁ ନାନା ଭାବରେ ଓ ନାନା ଦିଗରୁ ପ୍ରଭାବିତ କରି ଚାଲିଛନ୍ତି ଏବଂ ଫଳସ୍ଵରୂପ, ଆଉ ଦୁଇଟି ନୂତନ ଶାଖା ସୃଷ୍ଟି ହୋଇ ସମତାଳରେ ପ୍ରବାହିତ ହେବାକୁ ଆରମ୍ଭ କରିଛି । ସେହି ଦୁଇଟି ମୁଖ୍ୟ ଧାରାକୁ ଉପଲୋକ-ଧାରା ବା ବୈଦିକ ଲୋକ-ଧାରା ଓ ଉପବୈଦିକ ଧାରା ବା ଲୌକିକବେଦ-ଧାରା ବୋଲି କୁହାଯାଇ ପାରିବ । ଏତାଦୃଶ ମିଶ୍ରିତ ଧାରା ସମଗ୍ର ବିଶ୍ଵର ମାନବ-ସମାଜରେ ପରିଲକ୍ଷିତ ହୁଏ । ଭାରତବର୍ଷରେ ମଧ୍ୟ ଏହା ଆର୍ଯ୍ୟ- ଅନାର୍ଯ୍ୟ ସହାବସ୍ଥାନ କାଳରୁ ଚଳି ଆସୁଛି । ଅନ୍ୟଥା ସହାବସ୍ଥାନ ସମ୍ଭବପର ନୁହେଁ । ସମୟର ପରିବର୍ତ୍ତନରେ ଏଇ ଦୁଇ ନୂତନ ଧାରା ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ସଂପୂର୍ଣ୍ଣ ଲୋକଧାରାର ଆଦିମତା ଏବେ କ୍ଷୀଣତର ହେଉଥିବାବେଳେ, ବୈଦିକଧାରାର ଶାସ୍ତ୍ରୀୟତା ମଧ୍ୟ କ୍ରମଶଃ ସୀମିତ ହୋଇଯାଉଛି; ତେବେ ଏହାଦ୍ୱାରା ଯେ ପୂର୍ବୋକ୍ତ ଦୁଇଟି ମୁଖ୍ୟଧାରା ଲୁପ୍ତ ହୋଇଯାଇଛି ବା ଯିବ ଏପରି ନୁହେଁ; ବରଂ ସେହି ଧାରାଦ୍ଵୟ ଅଧିକ ଶକ୍ତିଶାଳୀ ଓ ସମୟାନୁସାରି ହୋଇପାରିଛି । ଫଳ ସ୍ଵରୂପ ଭାରତୀୟ ଧର୍ମୀୟ ପରଂପରାରେ ଆର୍ଯ୍ୟ ଓ ଅନାର୍ଯ୍ୟମାନଙ୍କ ଉତ୍ସବରେ ଉଭୟେ ଯୋଗ ଦେଉଥିବା ବେଳେ ଉଭୟଙ୍କର ଦେବତାଙ୍କୁ ଉଭୟେ ଅନ୍ତରର ସହିତ ସ୍ଵୀକାର କରିନେଇଛନ୍ତି ।

 

ଓଡ଼ିଶାରେ ପ୍ରଚଳିତ ଅନାର୍ଯ୍ୟମାନଙ୍କର ଯାତ୍ରାରେ ବ୍ରାହ୍ମଣମାନେ ମଧ୍ୟ ଯୋଗ ଦିଅନ୍ତି । ଏପରି କି ଅନାର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ପଶୁବଳି ଦେବାର ଅସଂଖ୍ୟ ଉଦାହରଣ ରହିଛି । ପାଟଖଣ୍ଡା ଯାତ୍ରାରେ ‘ଫଲଦିଆ’ ଓ ‘ବଅରା ପିଟା’ ସମୟରେ ଆର୍ଯ୍ୟମାନେ ମଧ୍ୟ ନିଜର କାମନା ଦେବତାଙ୍କୁ ଜଣାଇଥାନ୍ତି ।

 

‘ଯାତ୍ରା’ର ଉପରୋକ୍ତ ସଂଜ୍ଞା ଓ ବିଭିନ୍ନ ସ୍ଵରୁପ ଦୃଷ୍ଟିରୁ ଏହା ଅବଶ୍ୟ କୁହାଯାଇପାରିବ ଯେ ‘ଯାତ୍ରା’ ଏକ ବ୍ୟବସାୟିକ ପ୍ରଦର୍ଶନୀ ନୁହେଁ କିମ୍ବା ନିଚ୍ଛକ ଆନନ୍ଦ ଉପଭୋଗର ଅନୁଷ୍ଠାନ ନୁହେଁ-। ବୈଦିକ, ପୌରାଣିକ, ରାଜ୍ୟ ଜମିଦାରୀ ତଥା ଗ୍ରାମର ଦେବଦେବୀଙ୍କୁ କେନ୍ଦ୍ରକରି ଏହି ବିଶେଷ ଧରଣର ଧର୍ମୀୟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହା ସାମୂହିକ ଲୋକ ବିଶ୍ଵାସ ଆଧାରିତ ଧର୍ମୀୟ ଉତ୍ସବ ହୋଇଥିବାରୁ ଦର୍ଶକମାନଙ୍କ ମାନସିକତା ଲୋକ-ଧାରାର ସମସ୍ତ ବିଭାବ ସହିତ ସଂପୃକ୍ତ ଥାଏ । ଏଠାରେ 'Folk lore'ର ଓଡ଼ିଆ ପ୍ରତିଶବ୍ଦ ଭାବରେ ‘ଲୋକଧାରା’କୁ ଗ୍ରହଣ କରାଯାଇଛି-। (୪) ଲୋକଧାରାର ପରିସର ନିର୍ଣ୍ଣୟ କରିବା ଏକ କଷ୍ଟକର ବ୍ୟାପାର; କାରଣ ‘ଲୋକ’ ଏକ ବ୍ୟାପକ ଅର୍ଥ ବହନକରେ; ଏଣୁ ଲୋକ ହିଁ ଲୋକଧାରାର ପରିସରଭୁକ୍ତ । ସମଗ୍ର ବିଶ୍ଵର ଲୋକର ପ୍ରତ୍ୟେକଟି ବିଶ୍ଵାସ, ଆଚାର ବ୍ୟବହାର, ଚିନ୍ତା ଓ କଳ୍ପନା ଅଭିବ୍ୟକ୍ତି ପ୍ରଭୃତିର ସାମଗ୍ରିକ ସ୍ଵରୁପ ଲୋକଧାରାର ପ୍ରବାହରେ ପ୍ରବାହିତ । ଏହାର ପରିସରଭୁକ୍ତ ସମସ୍ତ ବିଷୟ ପରସ୍ପର ସାପେକ୍ଷ, କେହି ସଠିକ୍‌ ଭାବରେ ସ୍ୱତନ୍ତ୍ର ନୁହେଁ । ପ୍ରତ୍ୟେକ ବିଷୟ ଆଦିମ ଲୋକ-ମାନସ ଆଧାରିତ । ଏଣୁ ଲୋକ-ଧାରାର ଅନ୍ତର୍ଭୁକ୍ତ ବିଷୟ ସମୂହରେ ଲୋକମାନସର ସ୍ଵରୂପ ଅନ୍ୱେଷଣ ହିଁ ଲୋକଧାରା ଅଧ୍ୟୟନର ମୁଖ୍ୟଲକ୍ଷ୍ୟ । ଏହି ଦୃଷ୍ଟିରୁ ଲୋକର ସାଧାରଣ ବାହ୍ୟକ ଆଚାର ଲୋକ-ଧାରାର ବିଷୟନୁହେଁ; ବରଂ ସେହି ଆଚାର ପଶ୍ଚାତରେ ଥିବା ପାରମ୍ପରିକ ବିଶ୍ଵାସ ତଥା ଲୋକ-ମାନସର ଅଭିବ୍ୟକ୍ତି ହିଁ ଲୋକଧାରାର ବିଷୟ ।

 

ଏହି ପରିପ୍ରେକ୍ଷୀରେ, ଲୋକଧାରାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇ ପାରିବ । ଯଥା (କ) ଲୋକ ସଂସ୍କୃତି (ଖ) ଲୋକ ଅଭିବ୍ୟକ୍ତି ଓ (ଗ) ଲୋକ ବିଜ୍ଞାନ ।

 

(କ) ଲୋକ-ସଂସ୍କୃତିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଯଥା ଲୋକାଚାର ଓ ଲୋକ ବିଶ୍ଵାସ । ପୁନଶ୍ଚ, ଲୋକାଚାରକୁ ଦୁଇ ଭାଗରେ, ଯଥା ସାମାଜିକ ଆଚାର ଓ ଧର୍ମୀୟ ଆଚାର ଏବଂ ଲୋକ ବିଶ୍ୱାସକୁ ତିନି ଭାଗରେ: ଯଥା - ଅସାଧାରଣ ବିଶ୍ଵାସ, ଭୌତିକ ବିଶ୍ଵାସ ଓ ଆଧିଭୌତିକ ବିଶ୍ଵାସ ଭାବରେ ବିଭକ୍ତ କରାଯାଇପାରିବ । ‘ଯାତ୍ରା’ ଗୁଡ଼ିକରେ ଲୋକଧାରାର ଏହି ବିଭାବ ସ୍ପଷ୍ଟତଃ ବିସ୍ତୃତ ଭାବରେ ବିଦ୍ୟମାନ ଥାଏ । ଯାତ୍ରା ସହିତ ଧର୍ମୀୟ ଆଚାରର ସଂପର୍କ ଅଧିକ ଥିବାବେଳେ ସାମାଜିକ ଆଚାର ମଧ୍ୟ ନିହିତ ଥାଏ । ଯାତ୍ରା ଅନୁଷ୍ଠାନ ରାଜା, ଜମିଦାର କିମ୍ବା ଗ୍ରାମମୁଖ୍ୟଙ୍କ ଏକ ସାମାଜିକ କର୍ତ୍ତବ୍ୟ । ଏଥିରେ ଦର୍ଶକ ଧର୍ମୀୟ ଆକାଂକ୍ଷାର ପୂର୍ତ୍ତି ନିମିତ୍ତ କେବଳ ନୁହେଁ, ସାମାଜିକ ବ୍ୟବସ୍ଥା ପ୍ରତି ମଧ୍ୟ ସଚେତନ ଥାଏ । ପୁଣ୍ୟ ପ୍ରାପ୍ତି ସହିତ ଆନନ୍ଦ ଲାଭ ମଧ୍ୟ ଅନ୍ୟତମ ପ୍ରଧାନ ଲକ୍ଷ୍ୟ । ପାଟଖଣ୍ଡା ଦେବତାଙ୍କୁ ହରିଜନମାନେ କନ୍ୟା ଦାନ ଦେବା (୫), ଘସିଏନ ଦେବୀଙ୍କୁ ବାହ୍ମଣ କନ୍ୟା ରୂପେ ଗ୍ରହଣ କରିବା (୬) ପ୍ରଭୃତି ଯାତ୍ରାରେ ସାମାଜିକ ଆଚାର ଅତ୍ୟନ୍ତ ସ୍ପଷ୍ଟ । ସେହିଭଳି, ବିଶ୍ଵାସ ହେଉଛି ଯାତ୍ରାର ମୂଳପିଣ୍ଡ । ଅସାଧାରଣ ଲୋକ - ବିଶ୍ଵାସ ହେଉଛି, ଭୂତ-ପ୍ରେତ-ଭାଗ୍ୟ, ଶକୁନ ଇତ୍ୟାଦି ଥିବା ବିଶ୍ଵାସ । ଯାତ୍ରାରେ ଏଭଳି ବିଶ୍ଵାସର ଆଦୌ ଅଭାବ ନାହିଁ । ଭୌତିକ ବିଶ୍ୱାସର ଉଦାହରଣ ହେଉଛି, ପଶୁପକ୍ଷୀ, ସରୀସୃପ, ବୃକ୍ଷ, ଜଡ଼ବସ୍ତୁ ପ୍ରଭୃତିରେ ଅଲୌକିକ ଆତ୍ମା ବା ଶକ୍ତିର ଆରୋପଣ କରିବା । ରୋଗ, ମରୁଡ଼ି ପ୍ରଭୃତି ଦେବତାଙ୍କ କୋପରୁ ସୃଷ୍ଟି ବୋଲି ବିଶ୍ଵାସ କରିବା । ସନ୍ତାନ, ଧନ ସମ୍ପତ୍ତି, ଫସଲ ପ୍ରଭୃତି ଦେବତାଙ୍କ ଦୟାରୁ ମିଳୁଥିବାର ବିଶ୍ଵାସ । ଯାତ୍ରା ଗୁଡ଼ିକରେ ଏହି ଆଦିମ ଧାରା ଅଦ୍ୟାବଧି ଅନାହତ ଭାବରେ ରହିଥିବା ପରିଲକ୍ଷିତ ହୁଏ ଏବଂ ଏହି ବିଶ୍ଵାସ ଭିତରେ ଯାତ୍ରାର ମହତ୍ତ୍ୱ ଆହୁରି ବୃଦ୍ଧିପ୍ରାପ୍ତ ହୋଇଥାଏ ।

 

ଆଧିଭୌତିକ ବିଶ୍ଵାସ ମଧ୍ୟରେ ସ୍ଵର୍ଗ, ନର୍କ, ପାତାଳ, ଦେବଦେବୀ, ତଥା ସୃଷ୍ଟି ସଂପର୍କୀୟ ବିଶ୍ୱାସକୁ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଏହି ସବୁ ବିଶ୍ଵାସ ଯାତ୍ରାରେ ଅତ୍ୟନ୍ତ ସ୍ପଷ୍ଟ ।

 

ସଂସ୍କୃତିର ସଂଜ୍ଞା ନିରୂପଣ କରିବାକୁ ଯାଇ ଏଡଓ୍ୱାର୍ଡ ଟେଲର୍‌ (୧୮୭୧) କହନ୍ତି ଯେ, ଏହା ଏକ ସମଗ୍ରତାକୁ ବୁଝାଏ; ଯେଉଁଥିରେ କି ଜ୍ଞାନ, ବିଶ୍ଵାସ, କଳା, ନୀତିନିୟମ, ପ୍ରଥା ଓ ପରମ୍ପରା ତଥା ମଣିଷ ଦ୍ୱାରା ଆଚରିତ ସମସ୍ତ କ୍ରିୟାପ୍ରତିକ୍ରିୟା ନିହିତ ଥାଏ । (୭) ଅତ୍ୟାଧୁନିକ ନୃତତ୍ତ୍ଵବିତ୍‌ମାନେ ସଂସ୍କୃତିର ସଂଜ୍ଞା ସଂପର୍କରେ କହନ୍ତି ଯେ, ସଂସ୍କୃତ ଏପରି ଏକ ବିଷୟ ଯାହା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ମଣିଷର ବ୍ୟବହାର, ଚଳଣି, କିୟା-ପ୍ରତିକିୟାକୁ ପ୍ରତିଫଳନ କରେ । (୮) ଉପରୋକ୍ତ ଉଭୟ ସଂଜ୍ଞା ଲୋକସଂସ୍କୃତି ପାଇଁ ମଧ୍ୟ ପ୍ରଯୁଜ୍ୟ । ଲୋକ-ସଂସ୍କୃତି ଲୋକର ଉଭୟ ଶାରୀରିକ ଓ ମାନସିକ ଆଚାର ପଦ୍ଧତି ତଥା ଧାରାକୁ ବୁଝାଇ ଥାଏ, ଯେଉଁଥିରେ କି ତାହାର ଆଚାର, ବିଚାର ତଥା ବିଶ୍ଵାସ ଲୋକ-ମାନସ ଆଧାରିତ ହୋଇ ସ୍ପଷ୍ଟ ହୋଇଥାଏ ଏବଂ ଗୋଟାଏ ଗୋଷ୍ଠୀ, ଜାତି ବା ଅଞ୍ଚଳର ବିଶେଷତ୍ୱକୁ ପ୍ରକଟିତ କରିଥାଏ । ଲୋକସଂସ୍କୃତିରେ ଅଞ୍ଚଳ ବା ସ୍ଥାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଣୁ ଏହା ସ୍ଥାନଭେଦରେ ମଧ୍ୟ ଭିନ୍ନ ଭିନ୍ନ ସ୍ଵରୂପ ଗ୍ରହଣ କରିଥାଏ ।

 

(ଖ) ଲୋକାଭିବ୍ୟକ୍ତି ଲୋକଧାରାର ଅଭିବ୍ୟକ୍ତଗତ ବିଭାବ । ଲୋକ ଯେତେବେଳେ ସ୍ଵୀୟ ମାନସିକତାକୁ ଅନ୍ୟ ସମ୍ମୁଖରେ ବ୍ୟକ୍ତ କରିବାର ଇଚ୍ଛା ପ୍ରକାଶ କରେ ଏବଂ ବ୍ୟକ୍ତ କରେ, ସେତେବେଳେ ସେହି କାର୍ଯ୍ୟାବସ୍ଥାକୁ ଲୋକାଭିବ୍ୟକ୍ତି ବୋଲି କହିପାରିବା । ଏହି ବିଭାବକୁ ନିମ୍ନୋକ୍ତ ଭାବରେ ବିଭକ୍ତ କରାଯାଇପାରେ ଯଥା- ଧ୍ଵନିମୂଳକ ଅଭିବ୍ୟକ୍ତି, ଚିତ୍ରମୂଳକ ଅଭିବ୍ୟକ୍ତି ଓ ସଙ୍କେତଧର୍ମୀ ଅଭିବ୍ୟକ୍ତି । ପୁନଶ୍ଚ, ଧ୍ଵନିମୂଳକ ଅଭିବ୍ୟକ୍ତିକୁ ତିନୋଟି ଭାଗରେ ବିଭକ୍ତ କରାଯାଇ ପାରିବ; ଯଥା- ଭାଷା, ସ୍ଵର ଓ ସଂଗୀତ । ଚିତ୍ରମୂଳକ ଅଭିବ୍ୟକ୍ତି ଦୁଇଭାଗରେ; ଯଥା- ‘ଅଙ୍କନ’ ଓ ‘ସ୍ଥାପତ୍ୟ’ ଏବଂ ସଙ୍କେତଧର୍ମୀ ଓ ଅଭିବ୍ୟକ୍ତିକୁ ମଧ୍ୟ ଦୁଇଭାଗରେ; ଯଥା- ‘ଠାର’ ଓ ‘ଅଭିନୟ’ ଭାବରେ ବିଭକ୍ତ କରାଯାଇ ପାରିବ ।

 

ଅଭିବ୍ୟକ୍ତିର ମାଧ୍ୟମରୂପେ ଧ୍ଵନିମୂଳକ ଅଭିବ୍ୟକ୍ତି ସାଧାରଣ ଭାବରେ ସବୁଠାରୁ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ମଧ୍ୟ । ମଣିଷର କଳାତ୍ମକ ଅଭିବ୍ୟକ୍ତି ଯେତେବେଳେ ଭାଷାରେ ପ୍ରକଟିତ ହୁଏ, ସେତେବେଳେ ନାନା କାହାଣୀ, ଗୀତ ପ୍ରଭୃତିର ସୃଷ୍ଟି ହୋଇଥାଏ । ଏହି ଶ୍ରେଣୀରେ ସମସ୍ତ ପ୍ରକାର ସାହିତ୍ୟିକ ଅଭିବ୍ୟକ୍ତି ଅନ୍ତର୍ଭୁକ୍ତ । ଯାତ୍ରାଗୁଡ଼ିକରେ ‘ଭାଷା’ର ବ୍ୟବହାର ବିଭିନ୍ନ ଭାବରେ ପରିଲକ୍ଷିତ ହୁଏ । ଯେଉଁ ଯାତ୍ରାରେ ‘ବରୁଆ’ ଅଂଶ ଗ୍ରହଣ କରେ, ସ୍ୱୟଂ ଦେବତା ଭାଷାର ବ୍ୟବହାର କରନ୍ତି । ଅନ୍ୟ ଯାତ୍ରା ସମୂହରେ ଯାତ୍ରା ସହିତ ସଂଶ୍ଳିଷ୍ଟ ପୂଜକ ଓ କର୍ମକର୍ତ୍ତାମାନେ ଏବଂ ଅର୍ବାଚୀନ ଯାତ୍ରା (ଧନୁଯାତ୍ରା, ଗୋକୁଳାଷ୍ଟମୀ ଯାତ୍ରା ପ୍ରଭୃତି) ମାନଙ୍କରେ ଅଭିନେତା ମାନେହିଁ ଏହାର ବ୍ୟବହାର କରିଥାନ୍ତି । ଯାତ୍ରାରେ ‘ସଂଳାପ’ର ଅଭାବ ନାହିଁ, କିନ୍ତୁ କେତେକ ସଂଳାପ ‘ନାଟ୍ୟଧର୍ମୀ’ ହୋଇଥିବାବେଳେ (ଅର୍ବାଚୀନ ଯାତ୍ରାଗୁଡ଼ିକରେ) ଆଉ କେତେକ ସଂଳାପ ଅତ୍ୟନ୍ତ କୌତୂହଳପ୍ରଦ ହେଲେ ମଧ୍ୟ ସାଧାରଣ ବ୍ୟାବହାରିକ ସଂଳାପ ଅଟେ । ବରୁଆ ଅଂଶ ଗ୍ରହଣ କରୁଥିବା ଯାତ୍ରାସବୁକୁ ଉଦାହରଣ ସ୍ଵରୂପ ନିଆ ଯାଇପାରେ ।

 

ଭାଷା ସହିତ ସ୍ଵରର ଯେତେବେଳେ ସମ୍ମିଶ୍ରଣ ଘଟେ, ସେତେବେଳେ ଏକ ଅଲୌକିକ ମଧୁର ପରିବେଶ ସୃଷ୍ଟି ହୋଇଥାଏ । ଏହି ଅବସରରେ ଭାଷା ‘ସାଧାରଣ ନହୋଇ ଅସାଧାରଣ’ ’ବ୍ୟାବହାରିକ ନହୋଇ ସାହିତ୍ୟିକ’, ଗଦ୍ୟ ନ ହୋଇ ପଦ୍ୟ; ‘ପଦ’ ନହୋଇ ‘ଗୀତ’ ଓ କଥା ନହୋଇ ‘ଗାଥା’ ହୋଇଥାଏ । ଯାତ୍ରାରେ ବରୁଆର ସ୍ଵତନ୍ତ୍ର ସ୍ଵରଭିତ୍ତିକ ଚିତ୍‌କାର ଥାଏ । ଗୀତର ବ୍ୟବହାର ପ୍ରାୟ ଅଧିକାଂଶ ଯାତ୍ରାରେ ହୁଏ ।

 

ଗୀତ ସହିତ ସଂଗୀତର ସଂପର୍କ ସର୍ବଦା ସୁମଧୁର । ଗୀତକୁ ପ୍ରଭାବଶାଳୀ ଓ ମୂର୍ଚ୍ଛନାକୁ ଅଧିକ ଜୀବନ୍ତ କରିବା ପାଇଁ ବାଦ୍ୟଯନ୍ତ୍ର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଯାତ୍ରା ମାନଙ୍କରେ ବାଦ୍ୟଯନ୍ତ୍ରର ବ୍ୟବହାର ଅପରିହାର୍ଯ୍ୟ । ଲୋକ ଦେବତାଙ୍କୁ କେନ୍ଦ୍ରକରି ଅନୁଷ୍ଠିତ ଯାତ୍ରାର ସାଧାରଣତଃ ଲୋକବାଦ୍ୟ- ହିଁ ବ୍ୟବହୃତ ହୋଇଥାଏ । ଲୋକଗୀତ ଓ ନୃତ୍ୟରେ ବିଭିନ୍ନ ପ୍ରକାର ଲୋକବାଦ୍ୟ ବ୍ୟବହାରରେ ଲାଗୁଥିଲେ ହେଁ ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ଭାବରେ ଢୋଲ, ନିଶାନ, ତାସା ଓ ମୁହୁରୀ ଅବଶ୍ୟ ବ୍ୟବହାର କରାଯାଇଥାଏ । ପୌରାଣିକ ଦେବତା - କୈନ୍ଦ୍ରିକ ଯାତ୍ରାରେ ମୃଦଙ୍ଗ, ଝାଂଜ, ଗିନି, ଶଂଖ, ଘଂଟ ପ୍ରଭୃତି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ ।

 

ଲୋକ ନିଜର ସୌନ୍ଦର୍ଯ୍ୟବୋଧକୁ ସାହିତ୍ୟ ଭିନ୍ନ ଅଙ୍କନ ମାଧ୍ୟମରେ ମଧ୍ୟ ପ୍ରକାଶ କରିଥାଏ । ବିଭିନ୍ନ ରଂଗ, ହଳଦୀ, ଚୂଳ, ଚାଉଳଗୁଂଡ, ପିଠାଉ ପ୍ରଭୃତିରେ ଲୋକ ଯେଉଁସବୁ ଚିତ୍ର ଅଂକନ କରିଥାଏ, ତାହା ତାହାର ସୌନ୍ଦର୍ଯ୍ୟବୋଧର ପରିଚୟ ଦେବା ସହିତ ତା’ର ମାନସିକତାର ଅଭିବ୍ୟକ୍ତିର ସୂଚନା ମଧ୍ୟ ପ୍ରଦାନ କରିଥାଏ । ସାଜସଜ୍ଜା ଓ ବେଶଭୂଷଣ ଏହାର ଅନ୍ୟତମ ବିଭାବ-। ‘ଯାତ୍ରା’ରେ ଏହାର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହୁଏ । ରଥକୁ ସଜାଇବା, ବରୁଆର ବେଶଭୂଷଣ, ଅଭିନେତାକୁ ନାନା ବେଶରେ ସଜାଇବା ପ୍ରଭୃତିକୁ ଲୋକଧାରାର ଏହି ବିଭାବର ଅନ୍ତର୍ଭୁକ୍ତ କରାଯାଇପାରେ ।

 

କେବଳ ଚିତ୍ର ବା ଅଙ୍କନ ମାଧ୍ୟମରେ ନୁହେଁ; ମୃତ୍ତିକା, ପ୍ରସ୍ତର, କାଷ୍ଠ ବା ଅନ୍ୟାନ୍ୟ ବସ୍ତୁର ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବା ସେଭଳି କଳା ପ୍ରସ୍ତୁତିରେ ମଧ୍ୟ ଲୋକର ମାନସିକ ଅଭିବ୍ୟକ୍ତି ସ୍ପଷ୍ଟ ହୋଇଥାଏ । ସାଧାରଣତଃ ପରିଲକ୍ଷିତ ହୁଏ ଯେ, ଲୋକ କୌଣସି ଶିଳ୍ପ ଶାସ୍ତ୍ରକୁ ଅନୁସରଣ କରି ମୂର୍ତ୍ତିର ପରିକଳ୍ପନା କରି ନଥାଏ । ବରଂ ସେହି ମୂର୍ତ୍ତି ଭିତରେ ଆଦିମ ମାନସିକତାର ସ୍ଵରୂପ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ମୁଖ୍ୟତଃ ପ୍ରତୀକ ଓ ବରୁଆ ଅଂଶ ଗ୍ରହଣ କରୁଥିବା ଯାତ୍ରା ଗୁଡ଼ିକରେ ଆମେ ଏହା ଲକ୍ଷ୍ୟ କରିଥାଉଁ । ଜଗନ୍ନାଥଙ୍କ ମୂର୍ତ୍ତିକୁ ମଧ୍ୟ ଏହି ଦୃଷ୍ଟିରୁ ଗ୍ରହଣ କରାଯାଇ ପାରିବ ।

 

ଠାର ହେଉଛି ଲୋକାଭିବ୍ୟକ୍ତିର ସର୍ବପ୍ରାଚୀନ ମାଧ୍ୟମ । ଭାଷା ସୃଷ୍ଟିର ବହୂପୂର୍ବରୁ ଏହାର ବ୍ୟବହାର ହୋଇ ଆସୁଥିଲେ ମଧ୍ୟ ଏହାର ଗୁରୁତ୍ଵ ବିଶେଷ ସ୍ଥଳରେ ଏବେ ମଧ୍ୟ ପ୍ରଚଣ୍ଡ ଭାବରେ ଅନୁଭୂତ ହୋଇଥାଏ । ‘ଠାର’କୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଯଥା - ଅଂଗ ପ୍ରତ୍ୟଙ୍ଗ ସାହାଯ୍ୟରେ ଓ ଧ୍ଵନି ସାହାଯ୍ୟରେ । ହାତ, ଆଖି ଓ ମୁଖଭଙ୍ଗୀ ସାହାଯ୍ୟରେ ସଂକେତ ପ୍ରଭାବଶାଳୀ ଢଙ୍ଗରେ ଦିଆଯାଉଥିବା ବେଳେ ଗଳାଖଂକାରି, ଅନ୍ୟାନ୍ୟ ବସ୍ତୁ ସାହାଯ୍ୟରେ ଧ୍ଵନି ସୃଷ୍ଟି କରି ମଧ୍ୟ ସଫଳ ସଂକେତ - ଦିଆଯାଇପାରେ । ଯାତ୍ରାରେ ଉଭୟ ପ୍ରକାରର ‘ଠାର’ ର ବ୍ୟବହାର - ଦେଖାଯାଏ । ବରୁଆ ଅନେକ ସମୟରେ ଏତାଦୃଶ ସଙ୍କେତ ମାଧ୍ୟମରେ ନିଜର ମନୋଭାବକୁ ପ୍ରକାଶ କରିଥାଏ ।

 

‘ଅଭିନୟ’ ହେଉଛି କଳାତ୍ମକ ସଂକେତଧର୍ମୀ ଅଭିବ୍ୟକ୍ତି । ଏହି ପ୍ରୟାସର ପରବର୍ତ୍ତୀ କଳା ହେଉଛି ନାଟକ । ଯେ କୌଣସି ନାଟକର ମୂଳ ଆଧାର ହେଉଛି ଅଭିନୟ । ଏହାର ମୂଳତତ୍ତ୍ୱ ହେଉଛି ଅନୁକରଣ । ଏଣୁ କୌଣସି ବ୍ୟକ୍ତି (ମୂଳ ବା ବାସ୍ତବ)ର କାର୍ଯ୍ୟକୁ ଅଭିନୟ କୁହାଯିବ ନାହିଁ, ସେହି ବ୍ୟକ୍ତିର କାର୍ଯ୍ୟକୁ ଅନୁକରଣ କରି ଅନ୍ୟ ଜଣେ ବ୍ୟକ୍ତି ଯଦି କଳାତ୍ମକ ଭାବରେ ପ୍ରକାଶ କରିବାକୁ ସମର୍ଥ ହୁଏ, ସେତେବେଳେ ତାକୁ ଅଭିନୟ ବୋଲି ଗ୍ରହଣ କରାଯାଏ । ସାଧାରଣତଃ ପାରଂପରିକ ପ୍ରାଚୀନ ଯାତ୍ରାରେ ‘ଅଭିନୟର’ ଗୁରୁତ୍ୱ ପ୍ରାୟତଃ ପରିଲକ୍ଷିତ ହେଉନଥିବା ବେଳେ ଅର୍ବାଚୀନ ଯାତ୍ରା (ଧନୁଯାତ୍ରା, ଦଣ୍ଡ ଯାତ୍ରା) ପ୍ରଭୃତିରେ ଅଭିନୟ ହିଁ ମୁଖ୍ୟ ଉପାଦାନ ରୂପେ ଗୃହୀତ ହୋଇଥାଏ ।

 

(ଗ) ଲୋକ ବିଜ୍ଞାନକୁ ସାଧାରଣତଃ ଚାରିଭାଗରେ ବିଭକ୍ତ କରାଯାଇ ପାରିବ; ଯଥା - ଔଷଧ ସଂବଂଧୀୟ, ଗୁଣିଗାରେଡ଼ି, ଯାଦୁ ଓ ବୈଷୟିକ ଜ୍ଞାନ ।

 

ଔଷଧ ସଂବଧୀୟ ଜ୍ଞାନ ଆଦିମ କାଳରୁ ପ୍ରଚଳିତ ହୋଇ ଆସୁଛି । ବୃକ୍ଷ, ଲତାର ଫଳ, ପୁଷ୍ପ, ପତ୍ର, ଡାଳ, ଚେର ପ୍ରଭୃତିକୁ ଔଷଧ ରୂପେ ବ୍ୟବହାର କରିବା ପରଂପରା ଏବେ ମଧ୍ୟ ଲୋକରେ ପ୍ରଚଳିତ । ଯାତ୍ରାରେ ବରୁଆମାନେ ଆରୋଗ୍ୟ କାମନାରେ ଆସିଥିବା ଭକ୍ତମାନଙ୍କୁ ଅନେକ ସମୟରେ ଏତାଦୃଶ ଔଷଧ ବ୍ୟବହାର କରିବାକୁ ଉପଦେଶ ପ୍ରଦାନ କରିଥାନ୍ତି । ଗୁଣି ଗାରେଡ଼ି ପ୍ରତି ଲୋକଙ୍କର ପ୍ରଗାଢ଼ ବିଶ୍ଵାସ ଥିବା ଜଣାଯାଏ । ଏହାର ପ୍ରଭାବ ଏବେ ମଧ୍ୟ ବଳବତ୍ତର ରହିଛି । ଏହା ତନ୍ତ୍ର ମନ୍ତ୍ର ଆଧାରିତ । ବରୁଆ ଅଂଶ ଗ୍ରହଣ କରୁଥିବା ସମସ୍ତ ଯାତ୍ରାରେ ଏହି ଲୋକ ବିଦ୍ୟାର ପ୍ରୟୋଗ ବହୁଳ ଭାବରେ ହୋଇଥାଏ ।

 

ଯାଦୁବିଦ୍ୟା ଦ୍ୱାରା ଅନେକ ଅଦ୍ଭୁତ କାର୍ଯ୍ୟ ପ୍ରଦର୍ଶିତ ହୋଇଥାଏ । କେତେକ ଯାତ୍ରାରେ, ବିଶେଷତଃ ଲୋକ-ଦେବତା ଅଂଶଗ୍ରହଣ କରୁଥିବା ଯାତ୍ରାରେ ଯାଦୁବିଦ୍ୟାର ପ୍ରୟୋଗ ପୂଜକମାନେ ତଥା ବରୁଆ କରିଥା’ନ୍ତି (କନ୍ଧେନ୍‌ ବୁଢ଼ୀ ଯାତ୍ରା, ମହୁଲ ପୁଡ଼ା ଯାତ୍ରା ଇତ୍ୟାଦି) ବୈଷୟିକ ଜ୍ଞାନାଲୋକର ଦୈନନ୍ଦିନ କାର୍ଯ୍ୟରେ ପ୍ରଭୂତ ସାହାଯ୍ୟ କରିଥାଏ । ଗୋପାଳନ, କୃଷିକାର୍ଯ୍ୟ, ଗୃହନିର୍ମାଣ, ବ୍ୟବହାର୍ଯ୍ୟ ବସ୍ତୁର ନିର୍ମାଣ କୌଶଳ, ବାଦ୍ୟଯନ୍ତ୍ର ନିର୍ମାଣ ପଦ୍ଧତି ପ୍ରଭୃତିକୁ ଏହାର ଅନ୍ତର୍ଭୁକ୍ତ କରାଯାଇପାରେ, ଯାତ୍ରାରେ ଏହି ଜ୍ଞାନର ବ୍ୟବହାର ସାଧାରଣ କଥା ।

 

ଉପରୋକ୍ତ ବିଭାବସମୂହ ଲୋକଧାରାର ସାମଗ୍ରିକ ସ୍ଵରୂପକୁ ପ୍ରକଟିତ କରନ୍ତି । ସେଗୁଡ଼ିକ ପରସ୍ପରଠାରୁ ନିହାତିଭାବରେ ସ୍ଵତନ୍ତ୍ର ନୁହଁନ୍ତି ବରଂ ଏକ ବଳିଷ୍ଠ ସୂତ୍ରରେ ଗୁନ୍ଥା ହୋଇ ରହିଛନ୍ତି । ଲୋକବିଶ୍ଵାସ ଓ ଲୋକାଭିବ୍ୟକ୍ତିର ସମ୍ମିଶ୍ରଣରୁ ଲୋକମିଥ୍‌ର ସୃଷ୍ଟି ହୋଇଥାଏ । ଧର୍ମୀୟ ପୃଷ୍ଠଭୂମି ଓ ପରଂପରାରେ ଏହାର ପ୍ରକାଶ ହୋଇଥାଏ ଏବଂ ଏହା ଏକ ସୁ ଶୃଙ୍ଖଳାବଦ୍ଧ ବିଶ୍ଵ ସଂପର୍କରେ ଧାରଣା ଦେଇଥାଏ । (୨) ମିଥ୍‌ଲୋକ ବିଶ୍ଵାସର ସନନ୍ଦ ରୂପେ ସାଂସ୍କୃତିକ ନିରବଚ୍ଛିନ୍ନତାର ସଂରକ୍ଷଣ କରେ ଓ ସାଂସ୍କୃତିକ ସମତା ରକ୍ଷା କରେ । (୧୦) ଏହା କାହାଣୀଧର୍ମୀ ଏବଂ ଧର୍ମୀୟ ଉତ୍ସବ ଅନୁଷ୍ଠାନରେ ଆବୃତ୍ତି ହୋଇଥାଏ (ଜଡ଼େନ ଯାତ୍ରା) (୧୧) ଧର୍ମୀୟ ରୀତିନୀତି ସହିତ ଏହାର ଗଭୀର ସଂପର୍କ ବିଦ୍ୟମାନ ଓ ଏହାକୁ ବୁଝିବାକୁ ହେଲେ ସଂପୃକ୍ତ ରୀତିନୀତି ଓ ଉତ୍ସବ ଅନୁଷ୍ଠାନର ମୂଳଉତ୍ସ ଓ ସ୍ଵରୂପକୁ ଅନ୍ୱେଷଣ କରିବାକୁ ହେବ । (୧୨) ଯେହେତୁ, ମିଥ୍‌ ଦେବଦେବୀ ଓ ଧର୍ମଭିତ୍ତିକ, ସେହେତୁ ଏହା ଲୋକବିଶ୍ଵାସକୁ ଦୃଢ଼ୀଭୂତ କରେ । ଲୋକେ ଏହାକୁ ପରମ ସତ୍ୟ ବୋଲି ମନେ କରନ୍ତି । ମିଥ୍‌ର ନାୟକ ନାୟିକା ଦେବତା ବା ଦେବୀ-। ଏହା ନ ହେଲେ ମିଥ୍‌ ଲୋକକଥା ହୋଇଥାଏ । (୧୩) ଏହି ଦୃଷ୍ଟିରୁ ଦେଖିଲେ ପ୍ରତ୍ୟେକ ଯାତ୍ରାରେ ମିଥ୍‌ର ପ୍ରଚଳନ ରହିଛି । ଲୋକମିଥ୍‌ ସାଧାରଣତଃ ଆଞ୍ଚଳିକ ଭିତ୍ତିରେ ଗଢ଼ିଉଠିଥାଏ, କାରଣ ଲୋକଦେବତାମାନେ ମୁଖ୍ୟତଃ ଏକ ଏକ ନିର୍ଦ୍ଦିଷ୍ଟ ଅଂଚଳର ଲୋକ ବିଶ୍ୱାସରେ ଆସ୍ଥାନ ଜମାଇ ରହିଥାନ୍ତି । ସେହି ଦେବତା ସଂପର୍କୀୟ ମିଥ୍‌ ଅନ୍ୟ ଅଂଚଳ ପାଇଁ ଦୁର୍ବୋଧ୍ୟ ହୋଇପାରେ । ମାତ୍ର ପ୍ରତ୍ୟେକ ମିଥ୍‌ ଭିତରେ ଲୋକ-ମାନସର ସାଧାରଣ ଧର୍ମୀୟ ତତ୍ତ୍ୱ କାର୍ଯ୍ୟ କରୁଥିବାରୁ ପ୍ରତ୍ୟେକ ଆଂଚଳିକ ଲୋକ-ମିଥ୍‌ର ବାହ୍ୟ କାହାଣୀରେ ବୈଷମ୍ୟ ପରିଲକ୍ଷିତ ହେଲେ ମଧ୍ୟ ଆନ୍ତରିକ ସାମ୍ୟ ସ୍ପଷ୍ଟତଃ ରହିଥାଏ । ପ୍ରତ୍ୟେକ ଯାତ୍ରାରେ ଏହି ଲୋକମିଥ୍‌ ଅବଶ୍ୟ ଥାଏ ।

 

ଏଣୁ, ମୋଟ୍‌ରେ ଏହା କୁହାଯାଇ ପାରିବ ଯେ ଯାତ୍ରା ଉପରୋକ୍ତ ଲୋକଧାରାର ସମସ୍ତ ବିଭାଗକୁ ଅବଶ୍ୟ ସ୍ପର୍ଶ କରିଥାଏ । ଏହି ଦୃଷ୍ଟିରୁ ବିଚାର କଲେ, ‘ଯାତ୍ରା’ ଲୋକଧାରାର ଏକ ବିଶେଷ ଅଂଶ ବା ଏକ ସ୍ଵତନ୍ତ୍ର ଧରଣର ଲୋକାଭିବ୍ୟକ୍ତି, ଯାହାର ଆଧାର ହେଉଛି ଲୋକସଂସ୍କୃତି ଓ ଲୋକବିଜ୍ଞାନ ।

 

ଯାତ୍ର। ଓ ଲୋକନାଟକ :

ପୂର୍ବୋକ୍ତ ପଂଚମ ଓ ଷଷ୍ଠ ଶ୍ରେଣୀର ଯାତ୍ରାକୁ ବାଦ୍‌ ଦେଲେ, ଅନ୍ୟ ଚାରିଶ୍ରେଣୀର ଯାତ୍ରାକୁ ‘ନାଟକ’ ଆଖ୍ୟା ପ୍ରଦାନ କରାଯାଇ ପାରିବ ନାହିଁ । ଏତାଦୃଶ ଯାତ୍ରାରେ ନାଟକର ବିଭିନ୍ନ ଉପାଦାନ ଅମାର୍ଜିତ ଓ ବିଶୃଙ୍ଖଳିତ ଭାବରେ ରହିଥିଲେ ମଧ୍ୟ, ଏହାକୁ ସାହିତ୍ୟର ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ । ନାଟ୍ୟ ସାହିତ୍ୟ ଏକ ଲୋକପ୍ରିୟ କଳା-ବିଭବ । ନାଟକର ଦୁଇଟି ମୁଖ୍ୟ ବିଭବ, ଯିଏ କି ନାଟକକୁ କଳା ବା ସାହିତ୍ୟ ସ୍ତରକୁ ଉନ୍ନୀତ କରିବାରେ ସାହାଯ୍ୟ କରେ । ଅନୁକରଣ ଓ ଅଭିନୟ ଆଦିମ ବିଶ୍ଵାସ ଆଧାରିତ ପାରଂପରିକ ଯାତ୍ରାରେ ଦେଖାଯାଏ ନାହିଁ ।

 

‘ଅନୁକରଣ’ ସାହିତ୍ୟ ତଥା ନାଟକରେ ଅନିବାର୍ଯ୍ୟ (୧୪) ପୁନଶ୍ଚ ନାଟକରେ ‘ଅଭିନୟ’ ହେଉଛି ଏକ ମୁଖ୍ୟ ବିଭାବ । ଅଭିନୟ ଅନୁକରଣରୁ ହିଁ ସମ୍ଭବ ହୋଇଥାଏ । ଏହା ବାସ୍ତବ ନୁହେଁ, ବାସ୍ତବତାର ଅନୁକରଣଜନିତ ପ୍ରକାର୍ଯ୍ୟ । ତେବେ, ଏହା ଯେତେବେଳେ ‘କଳା’ ସ୍ତରକୁ ଉନ୍ନୀତ ହୁଏ, ସେତେବେଳେ ଅନୁକରଣ କରୁଥିବା ବ୍ୟକ୍ତିର ପ୍ରତିଭା, କ୍ଷମତା, ସାଧନା, କଳ୍ପନା ପ୍ରଭୃତି ଯୋଗୁଁ ଖୁବ୍‌ ପ୍ରଭାବଶାଳୀ ମନେ ହୋଇଥାଏ । ଏହି କଳାତ୍ମକ ଅନୁକରଣ ଯେତେବେଳେ ଆଂଗିକ ଓ ବାଚିକ ସ୍ଵରୂପ ନେଇ ପ୍ରକଟିତ ହୁଏ, ସେତେବେଳେ ତାହା ଅଭିନୟ, ପର୍ଯ୍ୟାୟଭୁକ୍ତ ହୁଏ । ସେଥିପାଇଁ ବୁଚର୍‌ ଆରିଷ୍ଟଟଲଙ୍କ ଅନୁକରଣତତ୍ତ୍ୱକୁ ବିଶ୍ଳେଷଣ କରିବାକୁ ଯାଇ ତାହାକୁ ‘ସାଦୃଶ୍ୟବିଧାନ’ ଅଥବା ଆଦି ଘଟଣାର ପୁନରୁତ୍ପାଦକ ବୋଲି ଉଲ୍ଲେଖ କରିଅଛନ୍ତି । (୧୫)

 

ପାରଂପରିକ ପ୍ରାଚୀନ ଯାତ୍ରା (ପ୍ରଥମରୁ ଚତୁର୍ଥ ଶ୍ରେଣୀ)ରେ ଏହି ଅନୁକରଣ କିମ୍ବା ‘ଅଭିନୟ’ର କଳାତ୍ମକତାର ଅଭାବ ପରିଲକ୍ଷିତ ହୁଏ । ମୂର୍ତ୍ତି ବା ପ୍ରତୀକକୁ ଯାତ୍ରାର ନାୟକ ମନେକଲେ, ସେଗୁଡ଼ିକୁ ଯାତ୍ରାରେ ନେବା ଆଣିବା କରିବା ସମୟରେ ଲୋକେ କାର୍ଯ୍ୟରତ ଥାନ୍ତି, କେହି ଅଭିନୟ କରନ୍ତି ନାହିଁ । ତିନିରଥରେ ଗଜପତିଙ୍କ ଛେରାପହରା ଅଭିନୟ ନୁହେଁ; ଏହା ପାରଂପରିକ କାର୍ଯ୍ୟ ସଂପାଦନ ।

 

‘ବରୁଆ’ ଅଂଶଗ୍ରହଣ କରୁଥିବା ଯାତ୍ରାରେ ନାଟକୀୟ ପରିବେଶ ତଥା ଅବସ୍ଥା ଅଧିକ ମାତ୍ରାରେ ସ୍ପଷ୍ଟ ହୋଇଥାଏ । କାରଣ ଦେବତା ଏଥିରେ ପ୍ରତ୍ୟକ୍ଷଭାବରେ ଜୀବନ୍ତ ରୂପରେ ଆବିର୍ଭୂତ ହୋଇଥା’ନ୍ତି । ଏଣୁ ସେ ସ୍ଵୟଂ କାର୍ଯ୍ୟରତ ଥା’ନ୍ତି । ଏ ସଂପର୍କରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ମତ ହେଉଛି, ମନୁଷ୍ୟ ଆଦିମ କାଳରୁ ନିଜକୁ ଅକ୍ଷମ ଓ ଦୁର୍ବଳ ବୁଝେ । ଅଦୃଶ୍ୟ ଶକ୍ତି ଓ ଦେବତା କଳ୍ପନା କରିଛି । ସେହିଦିନୁ ଦେବତା ମନୁଷ୍ୟଠାରେ ‘ଉଭା’ ହୋଇ ସେହି ‘କାଳେସୀ’ ଦ୍ୱାରା ଲୋକଙ୍କୁ ଆଦେଶ ଦେଉଛି ଫଳାଫଳ କହି ଆସୁଛି । (୧୬) ଏଠାରେ ବରୁଆ ଅଭିନୟ କରେ ନାହିଁ କିମ୍ବା ସେଥିପାଇଁ ତାକୁ ପୂର୍ବରୁ ଅଭ୍ୟାସ କରିବାକୁ ହୋଇ ନଥାଏ । ସ୍ଥାନ, କାଳ, ପାତ୍ର ଭେଦରେ ବରୁଆ (ଦେବତା) ସ୍ଵୟଂ କାର୍ଯ୍ୟ ସଂପାଦନ କରନ୍ତି । ଏଣୁ ଏଠାରେ କୌଣସି ବ୍ୟକ୍ତିର ଅନୁକରଣ କରାଯାଏ ନାହିଁ । କାର୍ଯ୍ୟ ହିଁ ସଂପାଦନ କରାଯାଏ । ସେହିଭଳି କୌଣସି ବାଚିକ ଅନୁକରଣ ମଧ୍ୟ କରାଯାଏ ନାହିଁ । ବରୁଆ ଆବଶ୍ୟକ ଅନୁସାରେ ‘ସଂଳାପ’ ବ୍ୟବହାର କରେ । ଏହା ପୂର୍ବନିର୍ଦ୍ଦିଷ୍ଟ ନୁହେଁ ବା କାହାଦ୍ୱାରା ରଚିତ ନୁହେଁ । ଏହି ଦୃଷ୍ଟିରୁ ଦେଖାଗଲେ, ଯାତ୍ରା ଏକ ଧର୍ମୀୟ ଉତ୍ସବ ହେଲେ ହେଁ ସେଥିରେ ଲୋକମାନଙ୍କର ଧର୍ମୀୟ ମନୋଭାବ ସହିତ ସାମାଜିକ ଆବଶ୍ୟକତାର କାମନା, କୌତୂହଳତା, ଆନନ୍ଦ ପ୍ରଭୃତିର ସମ୍ମିଳିତ ରୂପ ପ୍ରକଟିତ ହୋଇଥାଏ । ଆଦିମ ପରଂପରାକ୍ରମରେ ଧର୍ମ ଓ ସମାଜ ଓତପ୍ରୋତ ଭାବରେ ଜଡ଼ିତ ଥିଲା । ପରସ୍ପର ଠାରୁ କାହାକୁ ଭିନ୍ନ କରିବା ସମ୍ଭବପର ନଥିଲା । ଧର୍ମଥିଲା ସମସ୍ତ ପ୍ରକାରର ଆଚାର ବ୍ୟବହାରର ମୁଖ୍ୟ ଆଧାର । କୃଷି, ଶିକାର, ବିହାର, ରୋଗ, ମୃତ୍ୟୁ, ଆନନ୍ଦ ଓ ବିଷାଦ, ସବୁ କିଛି ଧର୍ମୀୟ ବିଶ୍ଵାସ ଆଧାରିତ ଥିଲା । ଏଣୁ ଲୋକର ଆନନ୍ଦ ଉତ୍ସବକୁ ମଧ୍ୟ ଧର୍ମଠାରୁ ଅଲଗା କରିବା ସମ୍ଭବପର ନଥିଲା । ‘ଯାତ୍ରା’ ଏଭଳି ଏକ ଧର୍ମୀୟ ଉତ୍ସବ, ଯାହାର ସଂପର୍କ ଲୋକର ସମସ୍ତ ଧର୍ମୀୟ, ସାମାଜିକ ତଥା-ମାନସିକ ଭାବଧାରା ସହିତ ସଂପୂର୍ଣ୍ଣ ରୂପେ ସଂଶ୍ଲିଷ୍ଟ ।

 

ଏଣୁ, ଉପରୋକ୍ତ ସୂଚନା ଆଧାରରେ କୁହାଯାଇ ପାରିବ ଯେ ଯାତ୍ରାରେ ନାଟକର ଅଶୋଧିତ ତଥା ଆଦିମ ରୂପର କଳ୍ପନା କରାଯାଇପାରେ । ମୁଖ୍ୟ ଚରିତ୍ର ଦେବତାଙ୍କ କାର୍ଯ୍ୟରୁ ଅଭିନୟର କଳ୍ପନା କରାଯାଇ ପାରିବ । ବରୁଆର ଆଦିମ ନୃତ୍ୟ ଓ ଅସାଧାରଣ କଥୋପକଥନ ପରବର୍ତ୍ତୀ କାଳରେ ନାଟକରେ ନୃତ୍ୟ ଓ ସଂଳାପର ସୂଚନା ହୁଏତ ଦେଇଥାଏ । ଯାତ୍ରାର ଦୀର୍ଘ ଓ ବିସ୍ତୃତ ମଞ୍ଚ ସୀମିତ ହୋଇ ପରିବର୍ତ୍ତୀ ନାଟ୍ୟ-ମଞ୍ଚ ପ୍ରସ୍ତୁତିର ସୂଚନା ଦିଏ । ମୋଟ୍‌ରେ ‘ଯାତ୍ରା’ର କଳାତ୍ମକ ଅନୁକରଣ ପରବର୍ତ୍ତୀ ସମୟରେ ନାଟକ ସୃଷ୍ଟି କଳ୍ପନାର ପ୍ରେରଣା ହୋଇଥିବ । ଏତାଦୃଶ ଯାତ୍ରାର ଅନୁକରଣରେ ଅଭିନୟ କରିବାର ପରଂପରା ଅର୍ବାଚୀନ । ଯାତ୍ରାରେ ଆମେ ଦେଖୁଛୁ; ଯଥା - ଦଣ୍ଡଯାତ୍ରା, ଧନୁଯାତ୍ରା ପ୍ରଭୃତି ।

 

ଏତାଦୃଶ ଯାତ୍ରାର ପ୍ରାଚୀନ ପରଂପରା ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ଅଭିନୀତ ହେଉଥିବାର ଉଦାହରଣ ରହିଛି; ଯଥା - ଦି ବ୍ରାଭାରିଏନ୍‌ ଓ୍ୱାଇଲ୍‌ଡ଼ ମ୍ୟାନ (The Bravarian Wild Man), ଦି ପ୍ୟାଡ଼ଷ୍ଟୋ ହର୍ଷ (The Padstow Horse) ଦି ବ୍ରିଟିଶ ମମ୍ମରସ ପ୍ଲେ (The British Mummer’s Play ପ୍ରଭୃତି । (୧୭)

 

ଅନେକ ବିଦ୍ୱାନ ଧର୍ମୀୟ ଉତ୍ସବରୁ ନାଟକର ସୃଷ୍ଟି ବୋଲି ସ୍ଵୀକାର କରିଛନ୍ତି । ସେମାନଙ୍କ ମଧ୍ୟରେ ଆରିଷ୍ଟଟଲ (୧୮) ତଥା ଗିଲବର୍ଟ ମୁରେ, ଜେନ୍‌ ହାରିସନ, ବର୍ନ ଫର୍ତ ଓ ଥିଓଡ଼ର ଗାଷ୍ଟର ପ୍ରମୁଖ ଗବେଷକଗଣ ପ୍ରଧାନ । ଯାତ୍ରା ଧର୍ମୀୟ ଉତ୍ସବ ମଧ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥାଏ ଏବଂ ଦେଖାଯାଏ ଯେ, ଏହି ‘ଯାତ୍ରା’ରେ ହିଁ ନାଟକର ଜନ୍ମଜାତକ ରହିଛି । ପୂର୍ବୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୋଇଥାଏ ।

 

ଯାତ୍ରାରେ ରହିଥିବା ପ୍ରକାର୍ଯ୍ୟଗୁଡ଼ିକୁ ନିମ୍ନୋକ୍ତ ଭାବରେ ସୂଚିତ କରାଯାଇ ପାରେ । ।

 

୧-.

ଦେବତା ଅଂଶ ଗ୍ରହଣ କରନ୍ତି ।

୧.୧.

ବୈଦିକ ଦେବତା ।

୧.୨.

ପୁରାଣ ଦେବତା

୧.୩.

ଲୋକ ଦେବତା

୧.୪.

ଆଦିବାସୀ ଦେବତା

୨.

ଦେବତା ବିଭିନ୍ନ ସ୍ଵରୂପରେ ଅଂଶ ଗ୍ରହଣ କରନ୍ତି

୨.୧.

ପ୍ରତୀକ

୨.୧.୧.

ଲାଠି (ବୁଢ଼ୀ ଡୋକରୀ ଯାତ୍ରା)

୨.୧.୨.

ଛତର (ଛତର ଯାତ୍ରା)

୨.୧.୩.

ସମା-ଧାତୁ (କନ୍ତକୁଆଁରୀ ଯାତ୍ରା)

୨.୧.୪.

ପନକୀ-ଧାତୁ (ପାଟଖଣ୍ଡା ଯାତ୍ରା)

୨.୧.୫.

ଟାଂଗୀ (ଶୂଳିଆ ଯାତ୍ରା)

୨.୧.୬.

ଖଣ୍ଡା-ଧାତୁ (ଖଣ୍ଡାଧୁଆ ଯାତ୍ରା)

୨.୧.୭.

କଳସ (କଳସୀ ଯାତ୍ରା)

୨.୨.

ମୂର୍ତ୍ତି

୨.୨.୧.

କାଷ୍ଠମୂର୍ତ୍ତି (ରଥଯାତ୍ରା)

୨.୨.୨.

ଧାତୁମୂର୍ତ୍ତି (ଦୋଳଯାତ୍ରା)

୨.୩.

ବରୁଆ (ପାଟଣେଶ୍ୱରୀ, ବଏଲ ଯାତ୍ରା)

୨.୪.

ବରୁଆ ଓ ପ୍ରତୀକ (ପାଟଖଣ୍ଡା, ଶୂଲିଆଯାତ୍ରା)

୨.୫.

ପ୍ରତୀକ ଓ ଅଭିନେତା (ଦଣ୍ଡଯାତ୍ରା)

୨.୬.

ଅଭିନେତା (ଧନୁଯାତ୍ରା, ଗୋଚାରଣ ଯାତ୍ରା)

୩.

ଦେବତା ସ୍ଵସ୍ଥାନ ତ୍ୟାଗକରି ଦାଣ୍ଡରେ ଭ୍ରମଣ କରନ୍ତି ଏବଂ ଯାତ୍ରାପରେ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

୪.

ଯାତ୍ରା ସମୟରେ ଦେବତା ଉପସ୍ଥିତ ଲୋକଙ୍କ ହାରିଗୁହାରି ଶୁଣନ୍ତି ।

୫.

ଯାତ୍ରାରେ ପୂଜାବିଧି ଅବଶ୍ୟ ରହେ, ଏଣୁ ପୂଜକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି-

୬.

ଯାତ୍ରାରେ ଜନତା କର୍ତ୍ତା ରହନ୍ତି

୬.୧.

ଶାସନ କର୍ତ୍ତା

୬.୧.୧.

ରାଜା

୬.୧.୨.

ଜମିଦାର

୬.୧.୩.

ଗୌନ୍ତିଆ

୬.୧.୪.

ସର୍ଦାର

୬.୨.

ଜାତିର ମୁଖ୍ୟ

୬.୩.

ଅଂଚଳର ମୁଖ୍ୟ

୭.

ଯାତ୍ରାର ଦିନ । ତିଥି ନିର୍ଦ୍ଦିଷ୍ଟ ଥାଏ ।

୮.

ଯାତ୍ରାର ମଂଚ ପ୍ରାକୃତିକ

୮.୧.

ଗ୍ରାମଦାଂଡ (ରଥଯାତ୍ରା)

୮.୨.

ସମଗ୍ର ଗ୍ରାମ (ବଏଲ ଯାତ୍ରା)

୮.୩.

ଏକାଧିକ ଗ୍ରାମ (ଧନୁଯାତ୍ରା, କଳାସୀଯାତ୍ରା, ଦଣ୍ଡଯାତ୍ରା)

୯.

ଯାତ୍ରାରେ ଏକ ମିଥ୍‌ ଥାଏ

୧୦.

ପାରଂପରିକ ବାଦ୍ୟ ଅଂଶ ଗ୍ରହଣ କରିଥାଏ

୧୦.୧.

ଲୋକବାଦ୍ୟ

୧୦.୧.୧.

ନିଶାନ

୧୦.୧.୨.

ଢୋଲ

୧୦.୧.୩.

ତାସା

୧୦.୧.୪.

ମାନ୍ଦଲ

୧୦.୧.୫.

ମୁହୁରୀ

୧୦.୨.

ସାଧାରଣ ବାଦ୍ୟ

୧୦.୨.୧.

ମୃଦଂଗ

୧୦.୨.୨.

ଘଣ୍ଟ

୧୦.୨.୩.

ଶଂଖ

୧୦.୨.୪.

କାହାଳୀ

 

ଉପର୍ଯ୍ୟୁକ୍ତ ପ୍ରକାର୍ଯ୍ୟଗୁଡ଼ିକ ବ୍ୟତୀତ ଆହୁରି ପ୍ରକାର୍ଯ୍ୟ ଯାତ୍ରାରେ ଥାଇପାରେ । ଓଡ଼ିଶାରେ ପ୍ରଚଳିତ ଯାତ୍ରା ସମୂହରେ ଉପରୋକ୍ତ ପ୍ରକାର୍ଯ୍ୟ ସବୁ ଅପରିବର୍ତ୍ତନୀୟ ଭାବରେ ଅବଶ୍ୟ ରହିଥାଏ-

 

1.

ପ୍ରହରାଜ ଗୋପାଳଚନ୍ଦ୍ର - ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପ୍ର.ସଂ, ଷଷ୍ଠ ଖଣ୍ଡ

2.

ନନ୍ଦଶର୍ମା ଗୋପୀନାଥ - ଶବ୍ଦତତ୍ତ୍ୱବୋଧ ଅଭିଧାନ, ୧୯୬୨, ପୃ.୮୭୫

3.

ପ୍ରହରାଜ ଗୋପାଳଚନ୍ଦ୍ର - ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପ୍ର. ସଂ. ଷଷ୍ଠଖଣ୍ଡ

4.

ପାଣିଗ୍ରାହୀ କୁମୁଦରଂଜନ - ଲୋକଧାରା ! ଏକ ବିଶ୍ଳେଷଣ, ସମାଲୋଚନା, ପ୍ରଥମ ସଂଖ୍ୟା-ଅଗଷ୍ଟ ୧୯୯୦

5.

ପାଟଖଣ୍ଡା ଯାତ୍ରା- ସପ୍ତର୍ଷି, ସେପ୍ଟେମ୍ବର - ୧୯୮୮

6.

ପସିଏନ୍‌ ଯାତ୍ରା, କାନ୍ତିସୁଧା, ସେପେମ୍ବର - ୧୯୮୮

7.

Toylor E.b. Primitive Culture, \/ଠା.-I, 1874, p.1

8.

Harviland A.O. - Cultural Anthropology 1981. p. 29

9.

Ibid - p. 393

10.

Thapur, Romila, Ancient Indian Social History 1984. pp. 294.

11.

Ibid- p. 295

12.

Ibid- p. 295

13.

ଦାଶ କୁଞ୍ଜବିହାରୀ, ଲୋକଗଳ୍ପ ସଂଚୟନ, ୧୯୭୭, ପୃ.କ.

14.

Colder wood, S.L. (E.d.) Perspectives on Dramas. Aristotle poetics, 1968. p.5.1

15.

Butcher. Aristotle's theroy of poetry of Fine Arts, 1927, p.118

 

Southern, Richard - The costumed Player perspectives of drams, 1968 p.p. 64-88

 

Colder wood, S.C. perspective on Hrmo, 1968.p.49

16.

ଦାଶ ନୀଳକଣ୍ଠ - ଓଡ଼ିଆ ସାହିତ୍ୟର କ୍ରମ ପରିଣାମ, ୧୯୭୭, ପୃ. ୨୯

17.

Southern Richard - The Costumed Player, Perspectives of Drama, 1968. pp 64-88

18.

Colder wood S.L.Perspective on Drama, 1968, o, 49

 

 

ପ୍ରାଧ୍ୟାପକ,

ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ଵବିଦ୍ୟାଳୟ

ଜ୍ୟୋତିବିହାର, ସମ୍ବଲପୁର - ୭୬୮୦୧୯

 

***

 

Unknown

ଗୋପୀନାଥଙ୍କ ଉପନ୍ୟାସରେ ସାମାଜିକ ଦାୟିତ୍ୱବୋଧ

ଡକ୍‌ଟର ସୁରେନ୍ଦ୍ର କୁମାର ମହାରଣା

 

ସାହିତ୍ୟ ଗୋଷ୍ଠୀର ନୁହେଁ, ବ୍ୟଷ୍ଟିର । ତଥାପି ସାହିତ୍ୟ ସର୍ବଦା ଗୋଷ୍ଠୀଚେତନା ତଥା ଗୋଷ୍ଠୀଜୀବନର ପ୍ରତ୍ୟେକ କ୍ରିୟାକଳାପକୁ ପ୍ରକାଶ କରେ କଳାତ୍ମକ ରୀତିରେ । ତେଣୁ ସାହିତ୍ୟ- ସ୍ରଷ୍ଟା ବ୍ୟଷ୍ଟିରେ ନୁହେଁ, ଗୋଷ୍ଠୀରେ ହିଁ ବିଶ୍ଵାସୀ, ଧ୍ଵସଂ ନୁହେଁ, ସର୍ଜନାହିଁ ତା’ର ଏକାନ୍ତ କାମ୍ୟ । ସମାଜ କଥା କହିଲାବେଳେ ସାହିତ୍ୟ-ସ୍ରଷ୍ଟା ସାମାଜିକ ମୂଲ୍ୟବୋଧ ବିଷୟରେ ସଚେତନ, ଥାଏ, ସାମାଜିକ ଦାୟିତ୍ୱ ବିଷୟରେ ମଧ୍ୟ ଅବହିତ ଥାଏ । ସଚେତନ ସ୍ରଷ୍ଟାର ସୃଷ୍ଟିରେ ସମାଜ ସ୍ଵତଃ ଆତ୍ମପ୍ରକାଶ କରେ । ସ୍ରଷ୍ଟାର ସମାଜପ୍ରତି ସହାନୁଭୂତି ଓ ସମ୍ବେଦନଶୀଳତା ସେତେ ଗଭୀର ହୋଇ ନଥିଲେ, ତା’ର ସୃଷ୍ଟିରେ ସମାଜର ସମ୍ୟକ୍‌ ପ୍ରତିଫଳନ ଦେଖିବାକୁ ମିଳେ ନାହିଁ ।

 

ସାହିତ୍ୟ- ସ୍ରଷ୍ଟା ଏକ ସାମାଜିକ ପ୍ରାଣୀ । ସମାଜ ପାଇଁ ତା’ର ଦାୟିତ୍ୱ ବହୁବିଧ । ସାହିତ୍ୟ କେବଳ ସମାଜର କଥା ପ୍ରକାଶ କଲେ ତାହା ପ୍ରଚାରଧର୍ମୀ ହୋଇଯାଏ । ସେହିପରି ସ୍ରଷ୍ଟା ଯଦି କେବଳ ‘କଳାପାଇଁ କଳାର ସୃଷ୍ଟି’ କରେ, ତେବେ ତା’ ର ସୃଷ୍ଟି ଚିରନ୍ତନ ମୂଲ୍ୟବୋଧ ହରାଇଥାଏ । ଏହି ସୃଷ୍ଟି ସାମୟିକ ଆନନ୍ଦ ଦାନ କରିପାରେ; ମାତ୍ର ମନୁଷ୍ୟ ଜାତି ବା ସମାଜ ପାଇଁ ବିଶେଷ ବାର୍ତ୍ତା ବହନ କରେ ନାହିଁ ଏବଂ ବାସ୍ତବତାରହିତ ହୋଇ ସାମାଜିକ ଆଭିମୁଖ୍ୟଠାରୁ ଦୂରେଇଯାଏ । ଏହି ଦୃଷ୍ଟିରୁ, ସାହିତ୍ୟକୁ ଆନନ୍ଦପ୍ରଦ କରିବାରେ ଏବଂ ସମାଜାଭିମୁଖୀ କରିବାରେ ସାହିତ୍ୟିକର କର୍ତ୍ତବ୍ୟ ନିହିତ ଥାଏ । ସମାଜର ଅଂଶବିଶେଷ ଭାବରେ ସାହିତ୍ୟିକ ସମାଜର ପ୍ରଗତି ପାଇଁ ସର୍ବଦା ଚେଷ୍ଟିତ ଏବଂ ସମାଜ ସହିତ ନିଜକୁ ଏକାତ୍ମ କରିଦେବାରେ ତା’ର ଆନନ୍ଦ ଏହି ଏକାତ୍ମ ଭାବରୁ ସୃଷ୍ଟି ହୁଏ ସାହିତ୍ୟରେ ସାମାଜିକ ଦାୟିତ୍ୱବୋଧ ଏବଂ ଏହିଭଳି ସାହିତ୍ୟ ମାଧ୍ୟମରେ ସମାଜରୁ କୁସଂସ୍କାର ଦୂରୀଭୂତ ହୋଇ ଏକ ସୁସ୍ଥ ସାମାଜିକ ବାତାବରଣର ସୂତ୍ରପାତ ହୁଏ, ସାହିତ୍ୟ- ସ୍ରଷ୍ଟାର ଉଦ୍ଦେଶ୍ୟ ଚରିତାର୍ଥ ହୁଏ ।

 

ଗୋପୀନାଥ ମହାନ୍ତି ଏହିପରି ଜଣେ ସମାଜ-ସଚେତନ ସାହିତ୍ୟ- ଶିଳ୍ପୀ, ଯେ ସର୍ବଦା ଏକ ସୁନ୍ଦର ତଥା ସୁସ୍ଥ ସମାଜର ସ୍ଵପ୍ନ ଦେଖୁଥିଲେ । ଦେଶର ଜଣେ ସଚେତନ ନାଗରିକଭାବେ ସମାଜପ୍ରତି ତାଙ୍କର କିଛି କର୍ତ୍ତବ୍ୟ ଯେ ରହିଛି, ତାହା ସେ ଭଲଭାବେ ହୃଦୟଙ୍ଗମ କରି ପାରିଥିଲେ-। ସମାଜ ପ୍ରତି ଥିବା ତାଙ୍କର ଏହି ଦାୟିତ୍ୱବୋଧର ତୀବ୍ରତା ତାଙ୍କୁ ଜଣେ ସମାଜର ଶୁଭଚିନ୍ତକ ତଥା ଜୀବନବାଦୀ ସାହିତ୍ୟିକ ଭାବରେ ପ୍ରତିଷ୍ଠା ଦେଇଛି ।

 

ଗୋପୀନାଥ ମହାନ୍ତି ଲେଖନୀ ଚାଳନା ଆରମ୍ଭ କରନ୍ତି ଛାତ୍ରାବସ୍ଥାରେ । ୧୯୩୦ ଖ୍ରୀଷ୍ଟାବ୍ଦରେ ସେ ମାଟ୍ରିକ୍‌ ଓ ୧୯୩୬ରେ ଏମ୍‌.ଏ ପାସ୍‌ କରନ୍ତି; ୧୯୩୮ରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦିଅନ୍ତି । ‘ରେଭେନ୍ସାଭିଆନ୍‌’ରେ ମଧ୍ୟ ତାଙ୍କ ଲେଖା ପ୍ରକାଶିତ ହେଉଥିଲା । ‘ଆଧୁନିକ’ ନାମକ ମାସିକ ପତ୍ରିକାରେ ତାଙ୍କ ଗଳ୍ପ ପ୍ରକାଶିତ ହୋଇଥିଲା । ଏହା ଥିଲା ୧୯୩୩ ଖ୍ରୀଷ୍ଟାବ୍ଦର ଘଟଣା । ୧୯୩୪ରୁ ମାସିକ ପତ୍ରିକା ‘ସହକାର’ରେ ସେ ଧାରାବାହିକ ଭାବରେ ସାହିତ୍ୟିକ ପ୍ରବନ୍ଧମାନ ଲେଖିଥିଲେ । ସମକାଳୀନ ମାସିକ ପତ୍ରିକା ‘ନବଭାରତ’ରେ ମଧ୍ୟ ତାଙ୍କର କେତୋଟି ଲେଖା ସ୍ଥାନ ପାଇଥିଲା । ସେ ଥିଲେ ଇଂରାଜୀ ସାହିତ୍ୟର ଛାତ୍ର । ଏହି ସୁଯୋଗରେ ସେ ଏହି ଉନ୍ନତ ଭାଷା ମାଧ୍ୟମରେ ବିଭିନ୍ନ ଭାଷାର ପୁସ୍ତକ ଅଧ୍ୟୟନ କରିଥିଲେ ଏବଂ ବିଶ୍ଵର ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଏ ସମ୍ବନ୍ଧରେ ତାଙ୍କର ସ୍ଵୀକାରୋକ୍ତି ହେଉଛି ‘‘ବିଦେଶୀ ସାହିତ୍ୟ, ଦର୍ଶନ ଓ ବିଜ୍ଞାନ ମୋତେ ଶିଖାଇଛି ଅନାଇବାର, ଭାବିବାର, ତଉଲିବାର କେତୋଟି ନୂଆ ବାଗ । ଆପେ ଖୋଜିବାକୁ ମଧ୍ୟ ପ୍ରେରଣା ଦେଇଛି; କିନ୍ତୁ ଅନାଇସାରି ଭାବିବାରେ ମୋ’ ଚୈତନ୍ୟରେ କିଭଳି Idea in art ର ରୂପ ଗଢ଼ିହେବ ସେ ମୋ’ ନିଜର, ଅନ୍ୟମାନଙ୍କ ଆଖିରେ ତା ମୂଲ୍ୟ ଅତି ତୁଚ୍ଛ ହେଉ ଅଥବା ଅଧିକ ହେଉ ।’’ (ଗଳ୍ପ, ପ୍ରଥମ ସଂକଳନ, ମେ-ଜୁଲାଇ, ‘୧୯୭୦, ସାକ୍ଷାତକାର, ପୃ. ୮୫) ବିଦେଶୀ ସାହିତ୍ୟ ଦ୍ୱାରା ପ୍ରଭାବିତ ଗୋପୀନାଥ ସହଳ ଓ ସରଳ ଭାଷାରେ ପ୍ରବନ୍ଧ ଲେଖିବାକୁ ଆରମ୍ଭ କଲେ, ଯାହା କେବଳ ଗଭୀର ଦୃଷ୍ଟି ଓ ବୌଦ୍ଧିକ ଚିନ୍ତା ସମନ୍ୱିତ ନଥିଲା, ନୂତନ ଶୈଳୀବିମଣ୍ଡିତ ମଧ୍ୟ ଥିଲା । ଏ ସଂପର୍କରେ ସେ ନିଜେ ପ୍ରକାଶ କରିଛନ୍ତି- ‘‘ମୁଁ ମୋ’ର ସାହିତ୍ୟିକ ଜୀବନର ଆରମ୍ଭ ବେଳେ ନୂଆ ନୂଆ ଗଢ଼ିଥିବା ଅଭିରୁଚି ଓ ଦୃଷ୍ଟିଭଙ୍ଗୀ ଘେନି ଗୋଟିଏ ନୂଆ ଉଦ୍ୟମରେ ସତରଟି ପ୍ରବନ୍ଧ ଲେଖିଥିଲି । ‘ବାଇଆ କକ’ ରୁ ତାହା ଆରମ୍ଭ ହୋଇଥିଲା । ସବୁଗୁଡ଼ିକ ସେ କାଳର ପ୍ରସିଦ୍ଧ ସାହିତ୍ୟପତ୍ରିକା ‘ସହକାର’ରେ ଛପା ହୋଇଥିଲା । ତହିଁରୁ ପ୍ରତ୍ୟେକ ପ୍ରବନ୍ଧ ସାହିତ୍ୟିକ ତତ୍ତ୍ୱମୂଳକ ଆଲୋଚନା । କିନ୍ତୁ ଜାଣି ଜାଣି ତା ଚେହେରାକୁ ଏପରି ଗଢ଼ିବାକୁ ଚେଷ୍ଟା କରାଯାଇଥିଲା, ଯହିଁରେ ନାଁ ଧରି ପ୍ରବନ୍ଧଗୁଡ଼ିକ କାହାରିକୁ ହୁରୁଡ଼େଇବ ନାହିଁ । ପଢ଼ାଳିଙ୍କ ଆଗ୍ରହ ସୃଷ୍ଟି କରିବ, କ୍ଲାନ୍ତି ନୁହେଁ । ପ୍ରକୃତରେ ସେ ଉଦ୍ୟମ କିଭଳି ହେଲା, ତା କହିବା ମୋ କାମ ନୁହେଁ, ମୋର ଖାଲି କ’ଣ ଉଦ୍ଦେଶ୍ୟ ଥିଲା ସେତିକି କହିପାରିବି ।” (କଳାଶକ୍ତି, ଗୋପୀନାଥ ମହାନ୍ତି, ଦି’ ପଦ ପଦେ, ପୃ.୧) ସେ ନିଜେ ଯେଉଁ ଅଭିରୁଚି ଓ ଦୃଷ୍ଟିଭଙ୍ଗୀ ସମ୍ବନ୍ଧରେ କହିଛନ୍ତି, ସେସବୁର ସାର୍ଥକ ପ୍ରତିଫଳନ ଲକ୍ଷ୍ୟ କରାଯାଏ ‘କଳାଶକ୍ତି’ରେ ଗର୍ଭିତ ପ୍ରବନ୍ଧଗୁଡ଼ିକରେ ।

 

ଛାତ୍ରଜୀବନ ପରେ ୧୯୩୮ ଖ୍ରୀଷ୍ଟାବ୍ଦରୁ ଗୋପୀନାଥଙ୍କର ଚାକିରି ଜୀବନ ଆରମ୍ଭ ହୁଏ । ଆପଣା ସାହିତ୍ୟକୁ ଅନ୍ୟାନ୍ୟ ପ୍ରାନ୍ତୀୟ ସାହିତ୍ୟ ଓ ଏହି କ୍ରମରେ ବିଶ୍ଵସାହିତ୍ୟ ସହିତ ସମକକ୍ଷ କରିବାର ଯେଉଁ ଉଦ୍ଦେଶ୍ୟ ସେ ଛାତ୍ରାବସ୍ଥାରୁ ପୋଷଣ କରିଥିଲେ, ତାହା ଚାକିରି ଜୀବନରେ ମଧ୍ୟ ତାଙ୍କ ମନରେ ଉଦ୍‌ଜୀବିତ ଥିଲା । ଓଡ଼ିଆ ସାହିତ୍ୟକୁ ଜୀବନ୍ତ ଓ ବାସ୍ତବରୂପ ଦେବା ନିମନ୍ତେ ଓ ଏ ସାହିତ୍ୟରେ ଥିବା ବିବିଧ ଅଭାବର ପରିପୂରଣ ନିମନ୍ତେ ସେ ସଚେଷ୍ଟ ଥିଲେ । ପୂର୍ବୋକ୍ତ ପ୍ରବନ୍ଧ ବ୍ୟତୀତ ସେ କ୍ଷୁଦ୍ରଗଳ୍ପ ରଚନାରେ ହାତ ଦେଇଥିଲେ ଏବଂ ସେଥିରେ ମଧ୍ୟ କୃତିତ୍ୱ ହାସଲ କରିଥିଲେ । ଏସବୁ ବ୍ୟତୀତ ଉପନ୍ୟାସ, ଜୀବନୀ, ନାଟକ, ଅନୁବାଦ ଇତ୍ୟାଦି କ୍ଷେତ୍ରରେ. ମଧ୍ୟ ତାଙ୍କ ଲେଖନୀଚାଳନା ଅବ୍ୟାହତ ଥିଲା କିନ୍ତୁ ତାଙ୍କର ସମଗ୍ର ସୃଷ୍ଟି ମଧ୍ୟରେ ଉପନ୍ୟାସ ସଂଖ୍ୟାରେ ସର୍ବାଧିକ ଓ ଏହି ଉପନ୍ୟାସ ରଚନା ହିଁ ତାଙ୍କୁ ସଫଳତାର ଶୀର୍ଷ ଦେଶକୁ ଉନ୍ନୀତ କରିଛି । ତାଙ୍କ ଉପନ୍ୟାସ ‘ଅମୃତର ସନ୍ତାନ’ ୧୯୫୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଓଡ଼ିଆ ସାହିତ୍ୟ କୃତି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛି । ୧୯୭୪ରେ ତାଙ୍କୁ ମିଳିଛି ମର୍ଯ୍ୟାଦାବନ୍ତ ଜ୍ଞାନପୀଠ ପୁରସ୍କାର, ତାଙ୍କ ଅମର- କୃତି ‘ମାଟିମଟାଳ’ ଉପନ୍ୟାସ ପାଇଁ । ତାଙ୍କ ଉପନ୍ୟାସଗୁଡ଼ିକ ବହୁ ସାମାଜିକ ସମସ୍ୟାକୁ ନେଇ ରଚିତ । କେବଳ ଆଦିବାସୀ ଓ ହରିଜନମାନଙ୍କ ସମସ୍ୟା ନୁହେଁ, ସହରୀ ସଭ୍ୟତା ଓ ପଲ୍ଲୀଜୀବନର ବିଭିନ୍ନ ଦିଗକୁ ସେ ନିଜର ଉପନ୍ୟାସମାନଙ୍କରେ ଆଲୋକିତ କରିଛନ୍ତି ।

 

ଗୋପୀନାଥ ଥିଲେ ଜୀବନବାଦୀ ଶିଳ୍ପୀ । ଆଦିବାସୀ, ହରିଜନ ଓ ସାଧାରଣ ମଣିଷ ଜୀବନର ସୁଖ-ଦୁଃଖକୁ ସେ ନିଜେ ପରଖି ଥିଲେ ସେମାନଙ୍କ ସହିତ ମିଶି ଓ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଥିଲେ ସେମାନଙ୍କ ସହିତ ଏକାତ୍ମ ହୋଇ । ନିଜର ଅନୁଭୂତିକୁ ପୁଞ୍ଜିକରି ସେ ନିଜର କଥାବସ୍ତୁର ସୌଧ ଗଢ଼ୁଥିଲେ । ତେଣୁ ସେମାନଙ୍କ କଥା କହିଲାବେଳେ ସେ ଅଙ୍ଗେ ନିଭାଇବା କଥା କହୁଥିଲେ । ଫଳରେ ସେମାନଙ୍କ ଜୀବନାଲେଖ୍ୟର ଏକ ବାସ୍ତବ ଓ ମର୍ମସ୍ପର୍ଶୀ ଚିତ୍ର ତାଙ୍କ ଉପନ୍ୟାସରେ ଉପଲବ୍‌ଧ ହୁଏ ।

 

ଗୋପୀ ବାବୁଙ୍କର ‘ପରଜା’ (୧୯୪୫), ‘ହରିଜନ’ (୧୯୪୮) ଓ ‘ଦାନାପାଣି’ (୧୯୫୫) ଉପନ୍ୟାସତ୍ରୟ ସମାଜର ତିନୋଟି ବିଭିନ୍ନ ଶ୍ରେଣୀର ପ୍ରତିନିଧିତ୍ୱ କରନ୍ତି । ‘ପରଜା’ ଉପନ୍ୟାସ ଆଦିବାସୀ ପରଜା ଜାତିର ଶାଶ୍ଵତ ମହାକାବ୍ୟ । ‘ଅମୃତର ସନ୍ତାନ’ , ‘ଅପହଞ୍ଚ’ ଆଦି ଉପନ୍ୟାସଗୁଡ଼ିକ ଆଦିବାସୀ ଜୀବନଭିତ୍ତିକ ଏବଂ ଏଗୁଡ଼ିକରେ ଆଦିବାସୀ ଜୀବନର କ୍ରମୋନ୍ନତି କଥା ସୂଚିତ । ଗୋପୀ ବାବୁ ଚାକିରି ଜୀବନର ଏକତୃତୀୟାଂଶ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଓ ଅନ୍ୟାନ୍ୟ ସ୍ଥାନରେ କଟାଇଛନ୍ତି ଏବଂ ଆଦିବାସୀ ସଂସ୍କୃତି ସହିତ ଘନିଷ୍ଠ ସଂପର୍କ ସ୍ଥାପନ କରିଛନ୍ତି । ଆଦିବାସୀମାନଙ୍କ ସହିତ ତାଙ୍କର ନିବିଡ଼ତା ଓ ଆନ୍ତରିକତା ସମ୍ବନ୍ଧରେ ସେ କହନ୍ତି- ‘‘ସେମାନେ ପ୍ରକୃତିର ସନ୍ତାନ- ଶିଶୁପରି ସରଳ, ନିଷ୍କପଟ । ପ୍ରକୃତିର ସମସ୍ତ ଐଶ୍ଵର୍ଯ୍ୟ ସଂପଦରୁ ସେମାନେ ବଞ୍ଚିତ, ସମାଜରେ ଅବହେଳିତ ନିର୍ଯାତିତ । ଚାକିରି ଜୀବନକାଳରୁ ଅର୍ଥାତ୍‌ ପ୍ରାୟ ୧୯୩୯ରୁ ଆଦିବାସୀମାନଙ୍କ ସହିତ ମୋର ସଂପର୍କ । ମୁଁ ସେମାନଙ୍କ ସହିତ ମିଶିଛି । ଏକ ସାଂଗରେ ବସି ମାଣ୍ଡିଆ ଯାଉ, ସୁଆଁ ଜାଉ, ଆମ୍ବଟାକୁଆ ଯାଉ ଖାଇଚି । ଚଟେଇ ପାରି ଏକାଠି ବସି ସୁଖଦୁଃଖ ହୋଇଚି । ସେମାନେ ମଦ ପିଅନ୍ତି । ମୁଁ ପିଇପାରି ନାହିଁ । ମୋ’ର ଘୃଣା ହୋଇ ନାହିଁ ସେଥିପାଇଁ, ବରଂ ମୋ’ର ଭଲ ପାଇବା ବଢ଼ିଛି- ପ୍ରତିଦାନରେ ପାଇଚି ମଧ୍ୟ ପ୍ରଚୁର ।’’ (ନବପତ୍ର, ନବମ ବର୍ଷ, ତୃତୀୟ ସଂଖ୍ୟା, ୧୯୭୪, ଗୋପୀନାଥ ମହାନ୍ତି ବିଶେଷାଙ୍କ, ପୃ.୧୬) ଏ ଦୃଷ୍ଟିରୁ ବିଚାର କଲେ ତାଙ୍କର ରଚନାବଳୀରେ ତାଙ୍କ ଜୀବନର ପ୍ରତ୍ୟକ୍ଷ ଅନୁଭୂତି ହଁ କଳାତ୍ମକ ପରିପ୍ରକାଶ ଲାଭ କରିଛି । ସେ ଆଦିବାସୀ ଜୀବନଯାତ୍ରାକୁ ଯେପରି ପ୍ରତ୍ୟକ୍ଷ କରିଛନ୍ତି, ସେହିପରି ରୂପ ଦେଇଛନ୍ତି ‘ଅମୃତର ସନ୍ତାନ’, ‘ପରଜା’ ଆଦି ଉପନ୍ୟାସରେ । ଏହି ଉପନ୍ୟାସମାନ ତାଙ୍କ ଆଦିବାସୀ ଜନଜୀବନର ଜଣେ ବିଶିଷ୍ଟ ରୂପକାରର ମର୍ଯ୍ୟାଦା ଦିଏ ।

 

ସମାଜରେ ଅବହେଳିତ ମେହେନ୍ତରମାନଙ୍କ ଜୀବନାଲେଖ୍ୟ ହେଉଛି ତାଙ୍କ ‘ହରିଜନ’ ଉପନ୍ୟାସ । ଏଥିରେ ତାଙ୍କ ବିଚିତ୍ର ଅନୁଭୂତିର ସ୍ପଷ୍ଟ ପ୍ରତିଫଳନ ଲକ୍ଷ୍ୟ କରାଯାଏ । ଆଦିବାସୀମାନଙ୍କ ସହିତ ମିଶି ସେମାନଙ୍କ ଜୀବନଯାତ୍ରା ସହିତ ଏକାତ୍ମ ହେଲାଭଳି ହରିଜନମାନଙ୍କ ଚଳଣି ସଂପର୍କରେ ଜାଣିବା ପାଇଁ ଗୋପୀ ବାବୁଙ୍କୁ ମେହେନ୍ତର ବସ୍ତିକୁ ଯିବାକୁ ହୋଇଛି ଓ ସେମାନଙ୍କ ସହିତ ମେହେନ୍ତର ହେବାକୁ ପଡ଼ିଛି । ମେହେନ୍ତରାଣୀର ଅନୁଭୂତି ଆହରଣ ପାଇଁ ସେ ମଇଳା ପରୀକ୍ଷା କରିବାକୁ ପଛେଇ ନାହାଁନ୍ତି । ଏ ସଂପର୍କରେ ତାଙ୍କର ବକ୍ତବ୍ୟ ହେଉଛି - ‘‘ଆଦିବାସୀ ଘରେ ମୁଁ ଆଦିବାସୀ ପରି ରହିଛି ବହୁତଥର, ବହୁତ ଦିନ, ବହୁତ କାଳ । ସେମିତି ହରିଜନ ସଂଗରେ । ନିଜେ ସର୍ବସାଧାରଣ ପାଇଖାନାମାନ ଯାଞ୍ଚ କରି ବୁଲି ବୁଲି ନଇଁ ନଇଁ ଦେଖୁଛି ମେହେନ୍ତ୍ରାଣୀ ନଇଁପଡ଼ି ଘୁଅ ଉଠେଇଲା ବେଳେ ଘୁଅ ତା’ ନାକରୁ କେତେ ଇଞ୍ଚ ତଳେ ଥାଏ, ମଇଳା ଡମଘରେ ବଳାଗଣ୍ଠିଯାକେ ଘୁଅରେ ଚାଲି ଦେଖିଛି ସେ ଦୃଶ୍ୟ, ମଣିଷର ଚମଡ଼ା ଉପରେ, ନାକ ଉପରେ, ତା’ର ପ୍ରଭାବ କ’ଣ ?” (ପ୍ରଜ୍ଞା, ଜାନୁଆରୀ, ୧୯୭୫, ପୃ. ୩୫)

 

ନିଜ ଚାକିରି ଜୀବନର ଅନୁଭୂତିକୁ ଗୋପୀନାଥ ‘ଦାନାପାଣି’ ଉପନ୍ୟାସର ପୂର୍ବ ପୀଠିକା ରୂପେ ମଧ୍ୟ ଗ୍ରହଣ କରିଛନ୍ତି । ସହରୀ ସଭ୍ୟତାକୁ ନେଇ ରଚିତ ଏହି ଉପନ୍ୟାସ ଅମଲାତନ୍ତ୍ରରେ ଅହରହ ଲାଗିରହିଥିବା ଦାନାପାଣି ସଂଗ୍ରାମର ଏକ ରଙ୍ଗିଳ ଚିତ୍ରପଟ ।

 

ବିଭିନ୍ନ କ୍ଷେତ୍ରରୁ ଆହରିତ ବ୍ୟକ୍ତିଗତ ଅନୁଭୂତିକୁ ସେ ନିଜର ସୃଷ୍ଟିସମ୍ଭାରରେ ରୂପାୟିତ କରିଛନ୍ତି । ଏ ସଂପର୍କରେ ସେ ଗୋଟିଏ ସ୍ଥାନରେ କହିଛନ୍ତି- ‘‘ମୋ ଜୀବନର ବିଶିଷ୍ଟ ସୁଯୋଗ, ଗାଁ’ ଗହଳିଠୁ ସହରଯାକେ ନାନା ଆଡ଼ର ନାନା ଅଂଚଳରେ ମୁଁ ଚିହ୍ନି ସାରିଥିଲି; ଘୂରି ବୁଲିଥିଲି, ବୁଲୁଥିଲି, ମହାବଳୀ ପର୍ବତମାଳ, ଅଗ୍ନାଅଗ୍ନି ବନସ୍ତ, ବାଘ, ସାପ, ହାତୀ, ପାହାଡ଼ୀ ନଈ, ପାହାଡ଼ୀ ମେଲେରିଆ, ମଡ଼କ, ଆକସ୍ମିକ ମୃତ୍ୟୁ, ଭୟ ଓ ସୌନ୍ଦର୍ଯ୍ୟର ସମାବେଶ, ତୋଫାନ, ଶୀତ, ଖରା, ବରଷା, କୁଆପଥର, ଅନ୍ଧାର, ବଣନିଆଁ, ବଢ଼ିପାଣି, ନାନା ଋତୁରେ ଦିନରେ ରାତିରେ ଘଡ଼ି ଘଡ଼ିକେ ନାନା ଦୃଶ୍ୟ-ଏସବୁ ମୋ ପଢ଼ାକଥା ନୁହେଁ, ଶୁଣା କଥା ନୁହେଁ, ମୋ ଜୀଅନ୍ତା ଜୀବନର କଥା, ଯାହାକୁ ପଦାରେ ବୁଲିବୁଲି ମୁଁ ଅଙ୍ଗେ ନିଭେଇଛି, ଯାହା ସଙ୍ଗେ ମୋ ଜୀବନକୁ ଯୋଡ଼ିଦେଇଛି ।’ (ପ୍ରଜ୍ଞା, ପୂର୍ବୋକ୍ତ ସଂଖ୍ୟା, ପୃ. ୩୫) ଆଲୋଚ୍ୟ ତିନିଗୋଟି ଉପନ୍ୟାସ ତେଣୁ କେବଳ ସାମାଜିକ ପ୍ରଚାରପତ୍ର ନ ହୋଇ ଅନୁଭବସିକ୍ତ ସୁଖପାଠ୍ୟ ସାହିତ୍ୟରେ ପରିଣତ ହୋଇପାରିଛନ୍ତି ।

 

ଗୋପୀନାଥଙ୍କ ବିଦେଶୀ ସାହିତ୍ୟପ୍ରୀତି କଥା ପୂର୍ବରୂ କୁହାଯାଇଛି । ବିଦେଶୀ ଲେଖକମାନଙ୍କ ଲେଖାମାନ ପାଠକରିବା ଫଳରେ ସେ ସମକାଳୀନ ସାମାଜିକ ରାଜନୈତିକ ଓ ସାହିତ୍ୟିକ ବାତାବରଣ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ଏହି କ୍ରମରେ ଯେଉଁ ଦୁଇଟି ସମକାଳୀନ ବିଶେଷ ସାମାଜିକ ବିପ୍ଳବ ତାଙ୍କୁ ପ୍ରଭାବିତ କରିଥିଲା, ତାହା ହେଉଛି (କ) କାର୍ଲମାକ୍‌ସ ଓ ରୁଷୀୟ ସାମ୍ୟବାଦ ବିପ୍ଳବ ଏବଂ (ଖ) ଗାନ୍ଧିଜୀଙ୍କ ଜାତୀୟତାବାଦୀ ଆନ୍ଦୋଳନ । ‘ପରଜା’ ଉପନ୍ୟାସରେ ସେ ବିପ୍ଳବର ସ୍ଵର ଶୁଣାଇଛନ୍ତି, ଶୁଣାଇଛନ୍ତି ସାମ୍ୟବାଦୀର ବାଣୀ । ଶୋଷିତ, ଅତ୍ୟାଚାରିତ ଏବଂ ଅବହେଳିତ ପରଜା ଆଦିବାସୀମାନଙ୍କର ଦୁଃଖ, ଯାତନା, କ୍ଳେଶଆଦିକୁ ସେ ରୂପାୟିତ କରିଛନ୍ତି ଏହି କୃତିରେ । ପୁନଶ୍ଚ ଶୋଷଣ ତଥା ଅତ୍ୟାଚାରୀ ବିରୋଧରେ ସେ ବିଦ୍ରୋହ ତଥା ବିପ୍ଳବର ସୂଚନା ଦେଇଛନ୍ତି । ଯୁଗୀୟ ଚେତନାର ଏହି ଆହ୍ୱାନ ସଂସ୍କାରବାଦୀ ଗୋପୀନାଥଙ୍କ ଲେଖନୀରେ ଫୁଟିଉଠିଛି ଏବଂ ତାଙ୍କ ଆଭିମୁଖ୍ୟକୁ ଚରିତାର୍ଥ କରିବା ସଂଗେ ସଂଗେ ଲୋକଚିତ୍ତକୁ ଆକୃଷ୍ଟ କରିଛି ।

 

କୋରାପୁଟ ଜିଲ୍ଲା ଶରଶୁପଦର ଗାଁ’ର ଏକ ପରଜା ଆଦିବାସୀ ପରିବାରର ଅଶ୍ରୁଳ କାହାଣୀକୁ ଉପଜୀବ୍ୟକରି ‘ପରଜା’ ଉପନ୍ୟାସ ରଚିତ । ଶୋଷଣ ଓ ଅତ୍ୟାଚାରର ଶିକାର ହୋଇ ଏହି ପରିବାରଟି ଅତିଷ୍ଠ ହୋଇପଡ଼ିଛି । ଏହି ପରିବାରର ମୁଖ୍ୟ ହେଉଛି ସୁକୃଜାନି । ଅନ୍ୟ ଯେଉଁମାନେ ଏହି ପରିବାରର ସଦସ୍ୟ, ସେମାନେ ହେଲେ ସୁକୃଜାନିର ଦୁଇ ପୁଅ ମାଣ୍ଡିଆ ଓ ଟିକ୍ରା ଏବଂ ଦୁଇ ଝିଅ ଜିଲି ଓ ବିଲି । ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସେବାରେ ନିଜର ଝିଅ ଜିଲିକୁ ଲଗାଇ ନ ପାରିବାରୁ ସୁକୃଜାନି ମିଛ ଅଭିଯୋଗରେ ଦଣ୍ଡିତ ହୁଏ । ଜୋରିମାନା ଦେବାପାଇଁ ସେ ଗୋତି ଖଟେ ରାମ ବିଶେଇ ସାହୁକାରର । ଘଟଣାକ୍ରମେ ତା’ର ଦୁଇ ପୁଅ ମଧ୍ୟ ତା ସହିତ ଗୋତି ଖଟନ୍ତି, ସେ ଜମି ବନ୍ଧକ ଦିଏ ରାମ ସାହୁକାରକୁ ଏବଂ ତା’ର ବଡ଼ ଝିଅ ରାମ ସାହୁକାରର ରକ୍ଷିତା ହୁଏ । ଶେଷରେ ସାହୁକାର ଟଙ୍କା ନେଇ ଜମିଫେରାଇ ଦେବାକୁ ରାଜି ହୁଏ ନାହିଁ । ସୁକୃଜାନି ମକଦ୍ଦମା କରେ ସାହୁକାର ନାମରେ; କିନ୍ତୁ କୁଚକ୍ରୀ ସାହୁକାରର ଧନ ଓ ବୁଦ୍ଧି ଏହି ନିରୀହ ଆଦିବାସୀକୁ ମକଦ୍ଦମାରେ ଜୟଯୁକ୍ତ କରାଇଦିଏ ନାହିଁ । ମକଦ୍ଦମାରେ ହାରିଯିବା ପରେ ସାହୁକାର ପାଖରେ ବାପପୁଅ ତିନିଜଣ ପହଞ୍ଚି ବିନୀତ ପ୍ରାର୍ଥନା ଜଣାନ୍ତି ସେମାନଙ୍କ ଜମି ଫେରାଇଦେବା ପାଇଁ । ମାତ୍ର ନିର୍ଦ୍ଦୟ ସାହୁକାର ସେମାନଙ୍କୁ କୁଭାଷାରେ ଗାଳିଗୁଲଜ କରେ । ମାଣ୍ଡିଆ ସହିପାରେ ନାହିଁ । ତା’ ହାତର ଟାଙ୍ଗିଆ ଚୋଟ ସାହୁକାରର ଗଳା ସ୍ପର୍ଶ କରେ । ସୁକୃ ଓ ଟିକ୍ରା ମଧ୍ୟ ତା ସହିତ ଯୋଗ ଦିଅନ୍ତି । ସାହୁକାର କଟାଗଛ ଭଳି ତଳେ ପଡ଼ିଯାଏ । କ୍ଷଣିକର ଉତ୍ତେଜନାବଶତଃ ନରହତ୍ୟା କରିଥିବାରୁ ସେମାନେ ଅନୁତାପ କରନ୍ତି ଏବଂ ଲକ୍ଷ୍ମୀପୁର ଯାଇ ଥାନାରେ ଆତ୍ମସମର୍ପଣ କରନ୍ତି ।

 

ଏହି ଉପନ୍ୟାସରେ ଦୁଇଟି କଥା ଦେଖବାକୁ ମିଳେ । ଲେଖକଙ୍କ ବାହ୍ୟ ସାମାଜିକ ମନର ଅନ୍ତରାଳରେ ଏକ ଉଦ୍ଦେଶ୍ୟଧର୍ମ । ଅନ୍ତଃମନ ପ୍ରଚ୍ଛନ୍ନ ରହିଥିବା ସ୍ପଷ୍ଟ ହୋଇଯାଏ । ପରଜା ଆଦିବାସୀ ଜୀବନକୁ ଗଭୀରଭାବେ ଅନୁଧ୍ୟାନ କରି ସେଥିରେ ସେ ଅଭିଭୂତ ହୋଇଛନ୍ତି ଏବଂ ସମଦୁଃଖୀ ହୋଇ ସେମାନଙ୍କ ସମସ୍ୟାକୁ ଏବଂ ଶୋଷିତ ହେବାର ଚିତ୍ରକୁ ରୂପଦେଇଛନ୍ତି । ଏହା ତାଙ୍କ ବାହ୍ୟ ମନର ପରିପ୍ରକାଶ । ଏତିକି କରିବାପରେ ତାଙ୍କ ଅନ୍ତଃମନ ଖୋଜିଚାଲିଛି ଏହି ସମସ୍ୟାର ସାମାଧାନ, ନିରୀହ ପରଜାମାନଙ୍କୁ ଶୋଷଣରୁ ମୁକ୍ତ କରିବାର ଉପାୟ । ତେଣୁ ସେ ମାର୍କସୀୟ ସମାଧାନ ପ୍ରଣାଳୀର ଆଶ୍ରୟ ଗ୍ରହଣ କରିଛନ୍ତି ପ୍ରପୀଡ଼ିତ ପରଜାର ଟାଙ୍ଗିଆ ଚୋଟରେ ସାହୁକାରର ଶିରଚ୍ଛେଦ କରାଇ । ଏ ଦୃଷ୍ଟିରୁ ଏଥିରେ ପରଜା ଜାତିର ଶୋଷଣର ଚିତ୍ର ଅଛି; ଅଛି ପୁଣି ସେମାନଙ୍କ ପ୍ରତିଶୋଧ ନେବାର ଚିତ୍ର । ଔପନ୍ୟାସିକ ଗୋପୀନାଥ ଶୋଷଣ ବିରୋଧରେ ସେମାନଙ୍କ ମଧ୍ୟରେ ଜଗାଇ ଦେଇଛନ୍ତି ନବଚେତନା ଏବଂ ସେମାନଙ୍କ ସ୍ୱାଧିକାର ଓ ସ୍ୱାଭିମାନର ପ୍ରତିଷ୍ଠା ନିମନ୍ତେ ସେମାନଙ୍କ ହସ୍ତରେ ଧରାଇ ଦେଇଛନ୍ତି ଶାଣିତ ଅସ୍ତ୍ର । ଶୋଷକର ମଥା ଧରାଶାୟୀ ହୋଇଛି ସେମାନଙ୍କ ସ୍ଵାଧିକାର ସାବ୍ୟସ୍ତ କରିବା କାଳରେ । ଏହିପରି ଗୋପୀନାଥ ଏକ ଶୋଷଣହୀନ ସମାଜର ସ୍ଵପ୍ନ ଦେଖିଛନ୍ତି ‘ପରଜା’ ଉପନ୍ୟାସରେ । ଏହାର ନିଃସ୍ଵ ଚରିତ୍ରମାନଙ୍କ ମନରେ ସେ ଭରିଦେଇଛନ୍ତି ପ୍ରଚୁର ଆଶା । ଆଶାର ଆଲୋକରେ ଉଦ୍ଭାସିତ ସେମାନଙ୍କ ହୃଦୟରେ ତେଣୁ ସକଳ ବାଧାବନ୍ଧନକୁ ଉପେକ୍ଷାକରି କ୍ରାନ୍ତିପଥରେ ଆଗେଇ ଯିବାର ପ୍ରବଳ ଆକାଙ୍‌କ୍ଷା ଉଦ୍ରେକ ହୋଇଛି । ପ୍ରାକ୍‌-ସ୍ଵାଧୀନତା କାଳରେ ଆଦିବାସୀ ପରଜା ଜାତିର ସାମାଜିକ ଜୀବନର ସୁନ୍ଦର ଚିତ୍ର ଅଙ୍କିତ ହୋଇଛି ଏହି ଉପନ୍ୟାସରେ । ସମକାଳୀନ ସାମାଜିକ ପରିବେଶ ଓ ପରିସ୍ଥିତିର ଅନୁରୋଧରେ ରଚିତ ଏହି ଉପନ୍ୟାସଟି ତେଣୁ ଯଥାର୍ଥତଃ ହୋଇପାରିଛି ପରଜାମାନଙ୍କ ସାମାଜିକ ଜୀବନର ଏକ ଗଦ୍ୟ ମହାକାବ୍ୟ ।

 

କୋରାପୁଟ ଅଞ୍ଚଳର ପ୍ରକୃତିର ସନ୍ତାନ ଆଦିବାସୀ ପରଜାମାନଙ୍କ ଜୀବନଗାଥା ଉପସ୍ଥାପନ କରି ଔପନ୍ୟାସିକ ଗୋପୀନାଥ ଦୃଷ୍ଟି ଫେରାଇଛନ୍ତି ସହରତଳି ଅଞ୍ଚଳରେ ବାସ କରୁଥିବା ହରିଜନ ବସ୍ତିକୁ ଏବଂ ଏହି ପରିବର୍ତ୍ତିତ ଦୃଷ୍ଟିପାତର ଫଳଶ୍ରୁତି ହେଉଛି ‘ହରିଜନ’ ଉପନ୍ୟାସ । ଏହି ଉପନ୍ୟାସରେ ମଧ୍ୟ ଔପନ୍ୟାସିକ ଏକ ଶୋଷଣମୁକ୍ତ ସମାଜ ଗଠନର ଆଶା ପୋଷଣ କରିଛନ୍ତି । ଏଥିରେ ଏକ ସହରତଳି ହରିଜନ ବସ୍ତିର ଅବହେଳିତ ଅଚ୍ଛବ ହରିଜନ ଗୋଷ୍ଠୀ ଉପରେ ପ୍ରାସାଦବାସୀ ସଭ୍ୟ ସମାଜର ଅତ୍ୟାଚାର ଏବଂ ସେମାନଙ୍କୁ ଶୋଷଣ କରିବାର ଚିତ୍ର ଅଙ୍କିତ । ପରାଧୀନ ଭାରତରେ ଏପରିକି ସ୍ଵାଧୀନ ଭାରତରେ ଜାତିପ୍ରଥା ଏକ ବିଶେଷ ସମସ୍ୟା ଥିଲା । ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟଭଳି ତଥାକଥିତ କେତେକ ଉଚ୍ଚଜାତି ସେବାକାର ଜାତିର ବା ଶୂଦ୍ର ଜାତିର କେତେକ ଗୋଷ୍ଠୀକୁ ଅସ୍ପୃଶ୍ୟ ବା ଅଚ୍ଛବ କହୁଥିଲେ, ସେମାନଙ୍କୁ ସାମାଜିକ ମର୍ଯ୍ୟାଦା ଦେଉ ନ ଥିଲେ । ମାହାତ୍ମା ଗାନ୍ଧୀ ହୃଦୟଙ୍ଗମ କରିଥିଲେ ଯେ ଭାରତରେ ଇଂରେଜ ସରକାର ଶାସନର ସୁବିଧା ନିମିତ୍ତ ଜାତିପ୍ରଥାକୁ ପ୍ରୋତ୍ସାହନ ଯୋଗାଉଥିଲେ । ଫଳରେ ଜାତି ଜାତି ମଧ୍ୟରେ ଐକ୍ୟଭାବ ଜାତ ହେଉ ନ ଥିଲା । ଆହୁରି ମଧ୍ୟ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ସମାଜର ସବୁ ଶ୍ରେଣୀର ଲୋକଙ୍କ ଭିତରେ ଏକତା ଆଣି ନ ପାରିଲେ ଏବଂ ସାମ୍ୟଭାବ ସୃଷ୍ଟି କରି ନ ପାରିଲେ, ଭାରତର ସ୍ଵାଧୀନତା ଆଣିବା ସମ୍ଭବ ନୁହେଁ । ତେଣୁ ସମାଜରେ ଏହି ଅବହେଳିତ ଗୋଷ୍ଠୀକୁ ସେ ଅନ୍ୟମାନଙ୍କ ସ୍ତରକୁ ଆଣିବା ଉଦ୍ଦେଶ୍ୟରେ ଆନ୍ଦୋଳନ ଆରମ୍ଭ କଲେ । ସେ ଏମାନଙ୍କୁ ଆଖ୍ୟାଦେଲେ ହରିଜନ ଅର୍ଥାତ୍‌ ଭଗବାନଙ୍କ ଲୋକ । ହରିଜନମାନଙ୍କ ବିକାଶକଳ୍ପେ ସେ ‘ହରିଜନ’ ଓ ‘ହରିଜନ ବନ୍ଧୁ’ ନାମକ ଦୁଇଟି ପତ୍ରିକା ପ୍ରକାଶ କଲେ । ୧୯୨୧ ଖ୍ରୀଷ୍ଟାବ୍ଦ ମଇ ୪ ତାରିଖ Young India ପତ୍ରିକାରେ ସେ ଭାବପ୍ରବଣ ହୋଇ ଲେଖିଥିଲେ ଯେ, ଯଦି ତାଙ୍କୁ ଆଉଥରେ ଜନ୍ମଗ୍ରହଣ କରିବାକୁ ପଡ଼େ, ତେବେ ସେ ଜଣେ ହରିଜନ ହୋଇ ଜନ୍ମଗ୍ରହଣ କରିବେ ।

 

ଅସ୍ପୃଶ୍ୟତା ନିବାରଣ କରିପାରିଲେ ମଣିଷସମାଜ ମଧ୍ୟରେ ଥିବା ପ୍ରଭେଦକୁ ଦୂର କରାଯାଇ ପାରିବ ବୋଲି ତାଙ୍କର ବିଶ୍ଵାସ ଥିଲା । ୧୯୩୨ ସେପ୍ଟେମ୍ବର ୨୦ ତାରିଖରୁ ୟାରବାଡ଼ା ଜେଲ୍‌ରେ ସେ ଯେଉଁ ଆମରଣ ଅନଶନ ଆରମ୍ଭ କରିଥିଲେ, ତାହା ଜାତିଗତ ସଂକୀର୍ଣ୍ଣତାର ପାଚେରୀ ଭାଙ୍ଗିଦେଇ ଯୁଗ ଯୁଗ ଧରି ଭାରତୀୟ ସମାଜର ଆବିଳତାପୂର୍ଣ୍ଣ ଜୀବନପ୍ରବାହକୁ ପରିଶୁଦ୍ଧ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା । ଗାନ୍ଧିଜୀ ଦେଶର ବିଭିନ୍ନ ପ୍ରାନ୍ତ ବୁଲି ଅସ୍ପୃଶ୍ୟତା ନିବାରଣ ମନ୍ତ୍ର ଶୁଣାଇଥିଲେ । ୧୯୩୪ ଖ୍ରୀଷ୍ଟାବ୍ଦ ମଇ ମାସରେ ସେ ଏହି ଉଦ୍ଦେଶ୍ୟରେ ଓଡ଼ିଶା ଆସି ପଦଯାତ୍ରା ଆରମ୍ଭ କରିଥିଲେ । ଭଦ୍ରକଠାରେ ସେହିବର୍ଷ ଜୁନ୍‌ ୭ ତାରିଖରେ ଅନୁଷ୍ଠିତ ଏକ ସଭାରେ କହିଥିଲେ ଯେ ଗ୍ରାମ ହେଉଛି ହରିଜନମାନଙ୍କର ବାସସ୍ଥଳୀ । ସେହିଠାରେ ଅସ୍ପୃଶ୍ୟତାର ଚେର ଖୁବ୍‌ ଗଭୀର । ଦାରିଦ୍ର୍ୟ ମଧ୍ୟ ସେଠାରେ ଅତି ଉତ୍କଟ । ଏଣୁ ଗ୍ରାମମାନଙ୍କୁ ଉତ୍ତମ କର୍ମୀମାନ ପଠାଇ ହରିଜନ ଓ ସବର୍ଣ୍ଣ ଉଭୟଙ୍କ ସେବା କରିବା ଉଚିତ । ହରିଜନମାନଙ୍କ ସେବା କହିଲେ ସେ ବୁଝୁଥିଲେ ଯୁବକ ଓ ବୃଦ୍ଧ ସମସ୍ତଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା, ପରିଷ୍କୃତ ଜଳଯୋଗାଣ ଏବଂ ପୂତିମାଂସ ଭକ୍ଷଣ, ମାଦକ ଦ୍ରବ୍ୟ ସେବନ ଭଳି ମନ୍ଦ ଅଭ୍ୟାସଗୁଡ଼ିକର ଦୂରୀକରଣ । ଓଡ଼ିଶାରେ ଏହି ହରିଜନ ଆନ୍ଦୋଳନର ଯଥେଷ୍ଟ ପ୍ରଭାବ ପଡ଼ିଥିଲା; କିନ୍ତୁ ଯୁଗ ଯୁଗ ଧରି ଗଡ଼ିଆସି ଘନୀଭୂତ ହୋଇଥିବା ରକ୍ଷଣଶୀଳ ମନୋଭାବ ସମାଜରୁ ସମ୍ପୂର୍ଣ୍ଣଣୂରୂପେ ଦୂରୀଭୂତ ହୋଇ ନ ଥିଲା । ନୀଚବର୍ଣ୍ଣର ଲୋକେ ଉଚ୍ଚବର୍ଣ୍ଣର ଲୋକଙ୍କ ଦ୍ୱାରା ନାନା ଭାବରେ ନିର୍ଯାତିତ ହେଉଥିଲେ । ଉଚ୍ଚବର୍ଣ୍ଣ ପାଇଁ ଯାବତୀୟ ହୀନକାର୍ଯ୍ୟ କରି ମଧ୍ୟ ନୀଚବର୍ଣ୍ଣର ଲୋକେ ପେଟ ପୋଷିପାରୁ ନଥିଲେ । ସେମାନେ ଜୀବନରେ ସୁଖ ବୋଲି କିଛି ଜାଣି ନ ଥିଲେ । ମଣିଷ ହୋଇ ମଧ୍ୟ ସମାଜରେ ସେମାନେ ପଶୁଭଳି ବାସ କରୁଥିଲେ । ସ୍ଵାଧୀନତା ପୂର୍ବକାଳୀନ ରାଜନୀତିକ ପରିବେଶ ହରିଜନମାନଙ୍କ ଉନ୍ନତି ପାଇଁ ବିଶେଷ ସହାୟକ ନଥିଲା । ୧୯୩୬ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାପରେ ଶାସନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଲୋକପ୍ରତିନିଧିମାନ ନିର୍ବାଚିତ ହେଲେ । ଏହି ଲୋକପ୍ରତିନିଧିମାନେ ନିଜ ନିଜ ସ୍ଵାର୍ଥ ପଛରେ ଧାଇଁଲେ; ଦରିଦ୍ର ତଥା ଅବହେଳିତ ଲୋକଙ୍କ ପାଇଁ କିଛି କରିବାର ମନୋବୃତ୍ତି ସେମାନଙ୍କର ନ ଥିଲା । ଅବସ୍ଥାସଂପନ୍ନ ହେବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଲା-। ଯୋଗ୍ୟତମର ଉଦ୍‌ବର୍ତ୍ତନ ପର୍ଯ୍ୟାୟରେ ଏହି ଚିର ନିର୍ଯାତିତ ମାନବଗୋଷ୍ଠୀ ଜୀବନଯୁଦ୍ଧରେ ହାରିଗଲେ ଏବଂ ସମାଜଠାରୁ ବଛିନ୍ନ ହୋଇଗଲେ । ଧନିକର କୋଠା ଉପରେ କୋଠା ମୁଣ୍ଡ ଟେକିଲା, କିନ୍ତୁ ଦରିଦ୍ର ନିଜର ଛୋଟ କୁଡ଼ିଆଖଣ୍ଡିକୁ ଖରା ବର୍ଷା ଦାଉରୁ ରକ୍ଷା କରିବାକୁ ସମର୍ଥ ହେଲା ନାହିଁ । ଦୁସ୍ଥ ହରିଜନମାନଙ୍କ କୁଡ଼ିଆରେ ନିଆଁ ଲଗାଇ ପ୍ରତିପତ୍ତିଶାଳୀ ବ୍ୟକ୍ତିବିଶେଷ ସେମାନଙ୍କୁ ବାସହରା କରାଇଥିଲେ ଏବଂ ସେମାନଙ୍କ ଦ୍ୱାରା ବହୁଦିନରୁ ଅଧିକୃତ ସ୍ଥାନରେ ନୂତନ ପ୍ରାସାଦ ଗଠନର ଶୁଭାରମ୍ଭ କଲେ ।

 

ହରିଜନ ଭାବେ କଥିତ ମେହେନ୍ତର ଗୋଷ୍ଠୀର ତାତ୍କାଳିକ ସାମାଜିକ ଜୀବନକୁ ବାସ୍ତବବାଦୀ ସ୍ରଷ୍ଟା ଗୋପୀନାଥ କଳାତ୍ମକ ରୂପ ଦେଇଛନ୍ତି ‘ହରିଜନ’ ଉପନ୍ୟାସରେ । ନିଜର ଚାକିରିକାଳ ମଧ୍ୟରେ ବିଭିନ୍ନ ସ୍ଥାନରେ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟକରିବା ସମୟରେ ହରିଜନମାନଙ୍କ .ଜୀବନଯନ୍ତ୍ରଣାକୁ ସେ ମର୍ମେ ମର୍ମେ ଉପଲବ୍‌ଧି କରିଛନ୍ତି-। ତାଙ୍କ ସ୍ରଷ୍ଟାମାନସର ଯଥାର୍ଥ ପ୍ରତିଫଳନ ଘଟିଛି ଏହି ଉପନ୍ୟାସରେ ।

 

ସହର ଉପକଣ୍ଠରେ ନାକଧରାପୁର ମେହେନ୍ତର ବସ୍ତି ଓ ତା ପାଖକୁ ଲାଗି ଧନାଢ଼୍ୟ ସଭ୍ୟ ସମାଜର ବିଶିଷ୍ଟ ବ୍ୟକ୍ତି ଅବିନାଶ ବାବୁଙ୍କ ଦ୍ୱିତଳପ୍ରାସାଦ । ସେଥିରେ ଅବିନାଶ ବାବୁଙ୍କ ପତ୍ନୀ ରମା, ପୁତ୍ର ଅଘୋର, କନ୍ୟା ମାନମୟୀ ଓ ଚାକରାଣୀ ଯଶୋଦା ବାସ କରନ୍ତି । ଏକଦା ଅବିନାଶ ବାବୁଙ୍କ କାମନାର ଶିକାର ହୋଇ ପତ୍ନୀର ମର୍ଯ୍ୟାଦା ପାଇବା ଆଶାରେ ନିଜ ଘରୁ ଗୋଡ଼ କାଢ଼ି ଆସିଥିବା ଯଶୋଦା ରହିଯାଇଛି ଚାକରାଣୀ ହୋଇ । ସାମନ୍ତ ଶ୍ରେଣୀର ଅବିନାଶ ବାବୁ ଯଶୋଦାକୁ ଗ୍ରହଣ କରିପାରି ନାହାନ୍ତି ସେ ବିବାହ କରିଛନ୍ତି ରମାକୁ ।

 

ମେହେନ୍ତର ବସ୍ତିର ଜେମା ମେହେନ୍ତରାଣୀ । ସେ ବି ଦିନେ ଅବିନାଶ ବାବୁଙ୍କ କାମନାଗ୍ନିରେ ଝାସ ଦେଇ ଜନ୍ମ ଦେଇଛି ପୁନିକୁ । ଜେମା ପୁନିର ମୁହଁକୁ ଚାହିଁ ସବୁ କଥା ଭୁଲି ଯାଇଛି । ନିଜେ କାମକୁ ଯାଇ ଯାହା ଉପାର୍ଜନ କରେ ସେଥିରେ ପୁନିକୁ ଚଳାଇ ନେଇଛି, ପୁନିକୁ କେବେହେଲେ କାମକୁ ପଠାଇ ନାହିଁ । ଏକଦା ତା’ର ଅସୁସ୍ଥତା କାରଣରୁ ପୁନି କାମକୁ ଯାଇଛି ଏବଂ ଏକ ଦୁର୍ବଳ ମୁହୂର୍ତ୍ତରେ ଅଘୋର ବାବୁଙ୍କ ନିକଟରେ ନିଜକୁ ସମର୍ପି ଦେଇଛି । ତା ଯୌବନପରିଧି ମଧ୍ୟକୁ ମିସ୍ତ୍ରୀ ଓ ସନିଆ ମଧ୍ୟ ଟାଣିହୋଇ ଆସିଛନ୍ତି । ରଙ୍ଗ, ଟଭା, କଜଳମତୀ ପ୍ରଭୃତି ବସ୍ତିର ଅନ୍ୟ ନଷ୍ଟଚରିତ୍ର ଯୁବତୀମାନଙ୍କ ସହିତ ପୁନି ଘୂରିବୁଲିଛି ।

 

ସହରତଳି ଅଞ୍ଚଳରୁ ଏହି ଅସଭ୍ୟ ଓ ଅପରିଷ୍କାର ବସ୍ତିକୁ ଉଠାଇ ଦେବା ପାଇଁ ଅବିନାଶ ବାବୁଙ୍କ ପରିବାର ଚକ୍ରାନ୍ତ ଚଳାଇଛି । ରାଜନୈତିକ ନେତା ଶୈଳେନ୍ଦ୍ର ବାବୁଙ୍କ ସହାୟତାକ୍ରମେ ହରିଜନ ବସ୍ତିରେ ନିଆଁ ଲଗାଇ ଗରିବ ହରିଜନମାନଙ୍କୁ ଗୃହହୀନ କରାଯାଇଛି । ସେଠାରେ ଶୁଭ ଦିଆଯାଇଛି ଅବିନାଶ ବାବୁଙ୍କ ପରିକଳ୍ପିତ ଶିଳ୍ପ ପ୍ରତିଷ୍ଠାନର ।

 

ଏ ପରିସ୍ଥିତିରେ ନିଃସ୍ଵ ତଥା ଅଶିକ୍ଷିତ ହରିଜନମାନେ କିଛି କରିପାରିବେ ନାହିଁ ବୋଲି ମାନବତାବାଦୀ ଔପନ୍ୟାସିକ ଉପଲବ୍‌ଧି କରିପାରିଛନ୍ତି । ସେମାନଙ୍କ ସ୍ଵାର୍ଥରକ୍ଷା ଲାଗି ଏବଂ ସେମାନଙ୍କ ପାଇଁ ଆହା ପଦଟିଏ କହିବା ପାଇଁ ସେ ଏହି ଉପନ୍ୟାସରେ ଅବତାରଣା କରିଛନ୍ତି ଧନୀବୁଢ଼ା ଚରିତ୍ରଟି । ଏହା ତାଙ୍କର ଏକ ସ୍ଵତନ୍ତ୍ର ସୃଷ୍ଟି । ଗାନ୍ଧିଜୀଙ୍କ ନୀତି ଅନୁସରଣ କରି ସେ କାମ ବନ୍ଦ କରିବା ପାଇଁ ମେହେନ୍ତରମାନଙ୍କୁ ଉପଦେଶ ଦେଇଛି; ଘର ଘର ବୁଲି ମେହେନ୍ତରମାନଙ୍କୁ ଏକତ୍ରକରି ଜାଗା ନ ଛାଡ଼ିବା ପାଇଁ ଶିକ୍ଷା ଦେଇଛି । ସେମାନଙ୍କୁ ସେ ବୁଝାଇ କହିଛି ଯେ, ଚୋରିକଲେ ପାପ ହୁଏ ନାହିଁ, ହାରିଗଲେ ପାପ ହୁଏ । ସମାଜର ଜଣେ ସଚେତନ ପ୍ରହରୀଭାବରେ ଔପନ୍ୟାସିକ ଏହି ଚରିତ୍ରଟି ସୃଷ୍ଟିକରି ସ୍ଵବୈପ୍ଲବିକ ସ୍ରଷ୍ଟାମାନସର ପରିଚୟ ଦେଇଛନ୍ତି । ସାମ୍ୟବାଦୀ ଚେତନାର ବାହକ ଧନୀ ବୁଢ଼ା କିନ୍ତୁ ହାରିଯାଇଛି । ସାମନ୍ତବାଦ ଚକ୍ରାନ୍ତର ଶିକାର ହୋଇଛି ସାମ୍ୟବାଦ । ମେହେନ୍ତର ବସ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଧନୀବୁଢ଼ାର ସମ୍ବେଦନଶୀଳ ପ୍ରାଣ ବିକଳ ହୋଇଉଠିଛି ଏହି ଦଳିତ ଗୋଷ୍ଠୀର ଥଇଥାନ ନିମନ୍ତେ । ସେ ପ୍ରଥମେ ବସ୍ତିଛାଡ଼ି ଚାଲିଯାଇଛି ଆଗେ ଆଗେ । ତା’ ପଛରେ ଚାଲିଛନ୍ତି ତା’ର ଦରିଦ୍ର ତଥା ଅତ୍ୟାଚାରିତ ସାଥୀମାନେ ଅନ୍ୟ ଏକ ଅପନ୍ତରା ଭୂଇଁର ସନ୍ଧାନରେ । ଆଲୋଚ୍ୟ ଉପନ୍ୟାସରେ ସାମନ୍ତବାଦୀ ଶୋଷଣର ଚିତ୍ର ଦେଇ ଅବହେଳିତ ହରିଜନମାନଙ୍କ ଉପରେ ସବର୍ଣ୍ଣର ଅତ୍ୟାଚାରକୁ ଔପନ୍ୟାସିକ ସୁନ୍ଦରଭାବେ ଫୁଟାଇ ପାରିଛନ୍ତି । ସମାଜର ଏହି ଅବହେଳିତ ଗୋଷ୍ଠୀର ଜଣେ ଶୁଭଚିନ୍ତକ ହିସାବରେ ସେମାନଙ୍କ ବହୁବିଧ ସାମାଜିକ ସମସ୍ୟାକୁ ଆଲୋକକୁ ଆଣିବା ଦ୍ୱାରା ତାଙ୍କ ସାମାଜିକ ଆଭିମୁଖ୍ୟ ସ୍ପଷ୍ଟ ହୋଇଉଠିଛି ।

 

ଔପନ୍ୟାସିକ ଗୋପୀନାଥ ଶାସନ କଳରେ ଅବସ୍ଥାପିତ ଥାଇ ଯେଉଁ ଦୀର୍ଘ ଅଭିଜ୍ଞତା ଓ ଅନୁଭୂତି ଲାଭକରିଥିଲେ ତାହାକୁ ସ୍ଵରଚିତ ‘ଦାନାପାଣି’ ଉପନ୍ୟାସରେ କଳାତ୍ମକ ରୂପଦେଇଛନ୍ତି ବୋଲି ପୂର୍ବରୁ କୁହାଯାଇଛି । ଯୁଦ୍ଧ ପରବର୍ତ୍ତୀ କାଳରେ ଗ୍ରାମ୍ୟ ସଭ୍ୟତାର ପତନ ଘଟିଛି ଓ ଶିଳ୍ପାଞ୍ଚଳକୁ କେନ୍ଦ୍ରକରି ଗଢ଼ିଉଠିଛି ସହର । ଯନ୍ତ୍ର ସଭ୍ୟତା ମଧ୍ୟରେ ସହରୀ ଜୀବନଯାପନ କରୁଥିବା ଆଧୁନିକ ମଣିଷର ଜୀବନ ଯନ୍ତ୍ରଣା ଏହି ଉପନ୍ୟାସରେ ରୂପପାଇଛି । ଯନ୍ତ୍ରସଭ୍ୟତା ମଣିଷର ମାନବିକତା, ବୁଦ୍ଧି ଓ ବିବେକକୁ ଅପହରଣ କରିନେଇଛି । ଶାସନ କ୍ଷେତ୍ରରେ ଲାଞ୍ଚ, ଅନୀତି, ଦୁର୍ନୀତି, ତୋଷାମଦ, ପରଶ୍ରୀକାତରତା ଇତ୍ୟାଦି କାୟା ବିସ୍ତାର କରି ସାମାଜିକ ଜୀବନକୁ କଳୁଷିତ କରିଛି । ଚାକିରି କ୍ଷେତ୍ରରେ ଉଚ୍ଚପଦବୀକୁ ଉନ୍ନୀତ ହେବା ନିଶାରେ ମଣିଷ ହିତାହିତ ଜ୍ଞାନ ଭୁଲିଯାଇଛି । ସମ୍ମାନ, ଇଜ୍ଜତକୁ ଜଳାଞ୍ଜଳି ଦେଇ ସେ ପଦୋନ୍ନତିର ପାହାଚ ଉପରେ ଚଢ଼ିବାକୁ ଲାଗିଛି । ଆଧୁନିକ - ଶିକ୍ଷାପାଇ ଦେଶୀ ମଣିଷ ବିଦେଶୀ ହେବାକୁ ଚେଷ୍ଟାକରିଛି । ସମାଜର ଉଚ୍ଚ ପଦବୀ ମଣ୍ଡନ କରୁଥିବା ତଥାକଥିତ ବ୍ୟକ୍ତିଗଣଙ୍କଠାରେ ଆଦିମ ଜାନ୍ତବ କ୍ଷୁଧା ପ୍ରବଳ ହୋଇ ଉଠିଛି । ସମାଜସଚେତନ ଓ ଔପନ୍ୟାସିକ ଏହି ସାମାଜିକ ଅବକ୍ଷୟଗୁଡ଼ିକୁ ଖୁବ୍‌ ନିକଟରୁ ନିରୀକ୍ଷଣ କରିଛନ୍ତି ଏବଂ ଆଲୋଚ୍ୟ ଉପନ୍ୟାସରେ ସେସବୁର ଅସାରତା ପ୍ରଦର୍ଶନ କରି ସାମାଜିକ ମଣିଷକୁ ସତର୍କ କରିଦେଇଛନ୍ତି, ଜଣେ ସମାଜସଚେତନ ତଥା ସଂସ୍କୃତିପ୍ରେମୀ ନାଗରିକର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ।

 

ଆଲୋଚ୍ୟ ଉପନ୍ୟାସର ପ୍ରତ୍ୟେକ ଚରିତ୍ର ଆଧୁନିକ ଜୀବନର ବିଭିନ୍ନ ଅବସ୍ଥା ଓ ସମସ୍ୟାର ସୂଚନା ଦିଅନ୍ତି । ଯୁଦ୍ଧ-ବିଧ୍ଵସ୍ତ ବିଶ୍ଵରେ ମଣିଷର ସ୍ଥିତି ଜୀବନ ଜୀବିକା ପାଇଁ ତା’ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ଓ ସମସ୍ୟାର ଉଗ୍ରରୂପ ଏଥିରେ ବିବୃତ । ଏହାର ନାୟକ ବଳୀଦତ୍ତ ଜଣେ ସାମାନ୍ୟ କିରାଣୀ ଭାବରେ କମ୍ପାନୀରେ ଯୋଗଦେଇଛି ଏବଂ ପଦୋନ୍ନତି ଆଶାରେ ଆତ୍ମସମ୍ମାନବୋଧକୁ ଉପେକ୍ଷାକରି ଉପରିସ୍ଥ କର୍ମକର୍ତ୍ତାଗଣଙ୍କ ଭୃତ୍ୟ ପାଲଟିଛି । ଏପରିକି ନିଜର ଧର୍ମପତ୍ନୀ ସରୋଜିନୀର ସତୀତ୍ୱ ବିନିମୟରେ ସେ ପଦୋନ୍ନତି ପଛରେ ଧାଇଁଛି । ତା’ର ଆଶା ପୂର୍ଣ୍ଣହୋଇଛି, ସେ ପଦୋନ୍ନତି ପାଇଛି; କିନ୍ତୁ ଯାହା ହରାଇଛି, ତାହା ତାକୁ ଚିରଦିନ ପାଇଁ ମାନସିକ ସନ୍ତୁଳନ ମଧ୍ୟକୁ ପେଲିଦେଇଛି । ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାରେ । ଆଲୋକିତ ମିଷ୍ଟର ଶ’ ନିଜର ବଂଶଗତ ’ସାହୁ’ ସଂଜ୍ଞା ତ୍ୟାଗକରି ଶ’ ସଂଜ୍ଞା ଗ୍ରହଣ କରିଛନ୍ତି, ସାହେବ ପାଲଟିବାକୁ ଚେଷ୍ଟା କରିଛନ୍ତି । ଏହା ସଂସ୍କୃତି ନୁହେଁ, ଅପସଂସ୍କୃତି ବୋଲି ଔପନ୍ୟାସିକ ଜ୍ଞାନ କରିଛନ୍ତି ଏବଂ ମିଷ୍ଟର ଶ’ ବୋଲାଉଥିବା ଏହି ଦେଶୀ ସାହେବଙ୍କ ସାହେବୀ ଆଦବ କାଇଦାକୁ ବ୍ୟଙ୍ଗ ବିଦ୍ରୂପାତ୍ମକ ଭାଷାରେ ପ୍ରକାଶ କରିଛନ୍ତି । ସମସ୍ତ ଲଜ୍ଜା ଓ ସଂଭ୍ରମକୁ ଭୁଲିଯାଇଥିବା ନାରୀମାନଙ୍କର ଆଧୁନିକ ସଂକ୍ଷିପ୍ତବାସ ପରିଧାନକୁ ମଧ୍ୟ ସେ ପସନ୍ଦ କରିପାରି ନାହାନ୍ତି । ଯାହା ସମାଜ ପାଇଁ ଅହିତକର, ତାହାକୁ ସମାଜରୁ ଦୂରକରି ଏକ ସୁସ୍ଥ ତଥା ସଂସ୍କୃତିସଂପନ୍ନ ସମାଜ ଗଢ଼ିବା ପାଇଁ ଔପନ୍ୟାସିକ ସତତ ଯତ୍ନ କରିଛନ୍ତି ନିଜର ଲେଖନୀରେ ସମାଜର ତ୍ରୁଟି-ବିଚ୍ୟୁତିକୁ ପ୍ରଦର୍ଶନକରି ଏବଂ ସେ ସବୁର କୁପରିଣତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ସେ ସାମାଜିକ ମଣିଷକୁ ଚେତାବନୀ ଶୁଣାଇଛନ୍ତି । ସତ୍ୟ-ଶିବ-ସୁନ୍ଦରର ଉପାସକ ହେବାକୁ ପ୍ରଚ୍ଛନ୍ନ ଇଙ୍ଗିତ ଦେଇଛନ୍ତି ।

 

ଗୋପୀନାଥ ମହାନ୍ତି ଜଣେ ଦରଦୀ ସାହିତ୍ୟଶିଳ୍ପୀ କେବଳ ନୁହନ୍ତି, ଜଣେ ନିଷ୍ଠାବାନ ସମାଜସଂସ୍କାରକ ମଧ୍ୟ । ସମାଜର ଯେଉଁ ଶ୍ରେଣୀରେ ସେ ସମାଜ ଓ ସଂସ୍କୃତି ସମ୍ପର୍କୀୟ ଅସଙ୍ଗତି ଲକ୍ଷ୍ୟ କରିଛନ୍ତି, ତାହାକୁ ନିଜ ବଳିଷ୍ଠ ଲେଖନୀରେ ରୂପ ଦେଇଛନ୍ତି ଏବଂ ଏହିପରି ନିଜର ସାମାଜିକ ଦାୟିତ୍ୱବୋଧର ସୁଚାରୁ ସମ୍ପାଦନ କରିପାରିଛନ୍ତି । ଆଞ୍ଚଳିକତା ଭିତ୍ତିରେ ଉପେକ୍ଷିତ ତଥା ଅବହେଳିତ ଗୋଷ୍ଠୀର ଜୀବନାଲେଖ୍ୟକୁ ସାହିତ୍ୟିକ ରୂପଦେଇ ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି ଏବଂ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି ।

 

 

ଅର୍ଥ ବିଭାଗ,

ଓଡ଼ିଶା ସଚିବାଳୟ,

ଭୁବନେଶ୍ଵର - ୭୫୧୦୦୧

 

***

 

ଶୃଙ୍ଗାର ଶତକ : ଏକ ଦୃଷ୍ଟିପାତ

ଡକ୍ଟର୍‌ ହରେକୃଷ୍ଣ ମେହେର

କବି ଭର୍ତ୍ତୃହରି :

‘ଶୁଙ୍ଗାର- ଶତକ’ର ରଚୟିତା ଭର୍ତ୍ତୃହରି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀର କାବ୍ୟକାର । ତାଙ୍କ ଜୀବନ-ଚରିତ ସଂସ୍କୃତ ସାହିତ୍ୟରେ ଅଦ୍ୟାବଧି ବିଶେଷ ଉପଲବ୍‌ଧ ନୁହେଁ । ନୀତି ଶତକ, ଶୃଙ୍ଗାର-ଶତକ ଓ ବୈରାଗ୍ୟଶତକର କବି ଭର୍ତ୍ତୃହରି ଏବଂ ପ୍ରସିଦ୍ଧ ବ୍ୟାକରଣ ଗ୍ରନ୍ଥ ‘ବାକ୍ୟପଦୀୟ’ର ପ୍ରଣେତା ଭର୍ତ୍ତୃହରି ଏକ ଓ ଅଭିନ୍ନ ବ୍ୟକ୍ତି ବୋଲି ଅଧିକାଂଶ ଆଲୋଚକ ସ୍ଵୀକାର କରନ୍ତି । ଭର୍ତ୍ତୃହରିଙ୍କ ରଚନାରୁ ଜଣାଯାଏ, ସେ ଥିଲେ ଜଣେ ନିଷ୍ଠାପର ଅଦ୍ୱୈତବାଦୀ । ବୈଦିକ ଧର୍ମ ଓ ସଂସ୍କୃତିରେ ତାଙ୍କର ଗଭୀର ଆସ୍ଥା ଥିଲା । ସେ ଅଦ୍ୱୈତ ବେଦାନ୍ତ ଦର୍ଶନର ସମର୍ଥକ ହେଲେହେଁ ନିଜ ଅନୁଭୂତିରୁ ସାମାଜିକ ତତ୍ତ୍ଵର ସ୍ୱାକ୍ଷର ତାଙ୍କ ଶତକତ୍ରୟରେ ଉପସ୍ଥାପନ କରି ଯାଇଛନ୍ତି । ତାଙ୍କର ଅମର ଲେଖନୀ ନୀତି, ଶୃଙ୍ଗାର ଓ ବୈରାଗ୍ୟ ରୂପକ ପ୍ରସଙ୍ଗତ୍ରୟର କାବ୍ୟ-ପ୍ରବାହରେ ତ୍ରିବେଣୀ-ସଂଗମର ମାଧୁରୀ ବହନ କରିଛି କହିଲେ ଅତ୍ୟୁକ୍ତି ହେବ ନାହଁ ।

 

ଶୃଙ୍ଗାର-ଶତକର ଗୀତିକାବ୍ୟ-ଧର୍ମିତା :

ଆଲୋଚ୍ୟ ‘ଶୃଙ୍ଗାର-ଶତକ’ ସଂସ୍କୃତ ସାହିତ୍ୟର ଗୀତିକାବ୍ୟ ଗଗନରେ ଏକ ଜ୍ୟୋତିଷ୍ମାନ୍‌ ନକ୍ଷତ୍ର ରୂପରେ ଚିତ୍ତାକର୍ଷକ । ସାହିତ୍ୟ-ଜଗତରେ ଗୀତିକାବ୍ୟର ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ରହିଛି । ଭାବାତ୍ମକତା ବା ଭାବମୟତା ଏହି କାବ୍ୟର ଅପରିହାର୍ଯ୍ୟ ଉପାଦାନ । ସାଂଗୀତିକତା ଏହାର ଅନ୍ୟ ଏକ ବିଶିଷ୍ଟ ଅଙ୍ଗ । କବି ନିଜ ଅନ୍ତରର ରାଗାତ୍ମିକା ଅନୁଭୂତିକୁ ପ୍ରକାଶ କରିଥାଏ ସରସ, ସୁକୁମାର, ସୁନ୍ଦର ଭାବମୟ ପଦ ମାଧ୍ୟମରେ । କାବ୍ୟ ଓ ସଂଗୀତର ମଧୁମୟ ସମନ୍ୱୟ ଗୀତିକାବ୍ୟରେ ଚରିତାର୍ଥ ହୋଇଥାଏ । ଅନ୍ତରର ଭାବୋଚ୍ଛ୍ୱାସ ଓ ଭାବପୂର୍ଣ୍ଣ ଭାଷା ଦୃଷ୍ଟିରୁ ଗୀତିକାବ୍ୟର ଭାବପକ୍ଷ ଓ କଳାପକ୍ଷ ରସାଳ ଓ ହୃଦୟସ୍ପର୍ଶୀ ।

 

ଗୀତିକାବ୍ୟ ଦ୍ୱିବିଧ, ମୁକ୍ତକ ଓ ପ୍ରବନ୍ଧ । ମୁକ୍ତକ ଗୀତି ବାହ୍ୟ ଉପାଦାନ ଉପରେ ନିର୍ଭର ନ କରି ନିଜେ ହିଁ ରସମୟ ପ୍ରତିଭାତ ହୋଇଥାଏ । ମୁକ୍ତକ କାବ୍ୟର ଉଜ୍ଜଳ ଦୃଷ୍ଟାନ୍ତ ହେଉଛି ଭର୍ତ୍ତୃହରିଙ୍କ ଶତକତ୍ରୟ ଏବଂ ଅମରୁକ କବିଙ୍କ ‘ଅମରୁକ- ଶତକ’ । ପ୍ରବନ୍ଧାତ୍ମକ ଗୀତି ମୁଖ୍ୟତଃ ବାହ୍ୟ ଉପାଦାନର ଭିତ୍ତିରେ ପ୍ରତିଷ୍ଠିତ । ଏହାର ନିଦର୍ଶନ ହେଉଛି କାଳିଦାସଙ୍କ ‘ମେଘଦୂତ’ ଓ ତାର ଅନୁସରଣରେ ରଚିତ ଅନ୍ୟାନ୍ୟ ଦୂତକାବ୍ୟ । ଲୌକିକ ଓ ଧାର୍ମିକ ଭେଦରେ ମୁକ୍ତକ ଗୀତି ଦ୍ୱିବିଧ । ଜାଗତିକ ବିଷୟ ସହ ସଂପୃକ୍ତ ହେଉଛି ଲୌକିକ ମୁକ୍ତକ । ଧାର୍ମିକ ମୁକ୍ତକ ପ୍ରଧାନତଃ ଦେବଦେବୀଙ୍କ ସ୍ତୃତି-ପରକ । ରସପୁଷ୍ଟି ନିମନ୍ତେ କେବଳ ପ୍ରବନ୍ଧ କାବ୍ୟର ନୁହେଁ, ମୁକ୍ତକ କାବ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଧ୍ୱନ୍ୟାଚାର୍ଯ୍ୟ ଆନନ୍ଦବର୍ଦ୍ଧନ ମୁକ୍ତକଣ୍ଠରେ ମୁକ୍ତକ ଗୀତିର ପ୍ରଶଂସାପୂର୍ବକ ଦର୍ଶାଇଛନ୍ତି ଯେ ପ୍ରବନ୍ଧ ପରି ମୁକ୍ତକ ଗୀତିକାବ୍ୟରେ ମଧ୍ୟ ରସପୁଷ୍ଟି ପାଇଁ ମନୋନିବେଶ କରିଥିବା କବିବୃନ୍ଦ ଦୃଷ୍ଟିଗୋଚର ହୁଅନ୍ତି ଓ ଏ ପ୍ରସଙ୍ଗରେ ଦୃଷ୍ଟାନ୍ତ ସ୍ଵରୂପ ଅମରୁକ କବିଙ୍କର ମୁକ୍ତକ ଗୀତି ଶୃଙ୍ଗାର-ପ୍ରବାହୀ ପ୍ରବନ୍ଧରେ ରୂପାୟିତ ହୋଇ ସୁପ୍ରସିଦ୍ଧି ଲାଭ କରିଛି (୧) । ଗୀତିକାବ୍ୟ ଏ ପରିପ୍ରେକ୍ଷୀରେ ଭର୍ତ୍ତୃହରିଙ୍କ ଶୃଙ୍ଗାରଶତକ ଲୌକିକ ମୁକ୍ତକ ଗୀତିର ରସଭାବମୟତା ବହନ କରିଛି ।

 

ବୈଦିକ ସାହିତ୍ୟରେ ଦେବ-ଦେବୀ-ସ୍ତୁତି- ପ୍ରଧାନ ସାଂଗୀତିକ ମନ୍ତ୍ରରାଜି ବିଦ୍ୟମାନ । ଏ ଦୃଷ୍ଟିରୁ ବିଚାର କଲେ ଗୀତିର ଉତ୍ସ ହେଉଛି ଭାରତୀୟ ଆର୍ଯ୍ୟ ପରଂପରାର ମୂଳଗ୍ରନ୍ଥ ‘ବେଦ’ । ସଂସ୍କୃତର ଗୀତିକାବ୍ୟମାନଙ୍କରେ ବର୍ଣ୍ଣ ବିଷୟ ମୁଖ୍ୟରୂପରେ ଶୃଙ୍ଗାର, ନୀତି, ବୈରାଗ୍ୟ ଓ ପ୍ରକୃତିର ମଞ୍ଜୁଳ ବିଭାବ ଉପରେ ଆଧାରିତ । କବି ଭର୍ତ୍ତୃହରିଙ୍କ ଶତକତ୍ରୟରେ ପ୍ରତ୍ୟେକ ନାମକରଣରୁ ହିଁ ବର୍ଣ୍ଣ୍ୟ ବସ୍ତୁର ବିଶେଷତ୍ୱ ହୃଦୟଙ୍ଗମ କରାଯାଇପାରେ । ସାମାଜିକ ରୀତିନୀତି, ଧର୍ମନୀତି, ପ୍ରସଙ୍ଗାନୁରୂପ ବ୍ୟଙ୍ଗ୍ୟୋକ୍ତି, ବିଦ୍ୟାଧନ ପ୍ରଭୃତି ତଥା ଈଶ୍ଵର-ଭକ୍ତି ଆଦି ମାନବଜୀବନ ସହ ସଂପୃକ୍ତ ନାନା ବିଷୟ ସାବଲୀଳ ଭାଷାରେ ଲିପିବଦ୍ଧ । ଆଲୋଚ୍ୟ ଶୃଙ୍ଗାର-ଶତକରେ ନାରୀର ସମ୍ମୋହନ ଓ ଆକର୍ଷଣ କବିଙ୍କ ଲେଖନୀର ମୁଖ୍ୟସ୍ଵର । ଏ ରଚନାରେ କବି ବିଭିନ୍ନ ସଂସ୍କୃତ ମାତ୍ରା ଛନ୍ଦ ଓ ବର୍ଣ୍ଣଛନ୍ଦର ପ୍ରୟୋଗ କରିଛନ୍ତି । ମାତ୍ରାଛନ୍ଦ ମଧ୍ୟରେ ଆର୍ଯ୍ୟା, ଗୀତି ଏବଂ ବର୍ଣ୍ଣଛନ୍ଦ ମଧ୍ୟରେ ବସନ୍ତତିଳକ, ବଂଶସ୍ଥ, ଶାଳିନୀ, ଶିଖରିଣୀ, ଶାର୍ଦ୍ଦୂଳ-ବିକ୍ରୀଡ଼ିତ, ଅନୁଷ୍ଟୁପ୍‌, ହରିଣୀ, ଉପଜାତି, ମାଳିନୀ ଓ ସ୍ରଗ୍‌ଧରା ପ୍ରଭୃତି କବିଙ୍କ ରଚନା ମାଧୁରୀର ପ୍ରଦ୍ୟୋତକ । ପ୍ରାସଙ୍ଗିକ ଉପମା, ରୂପକ, ଶ୍ଳେଷ ଓ ଅନୁପ୍ରାସାଦି ଅଳଂକାର ଆକର୍ଷଣୀୟ ଭାବରେ ଗୁଂଫିତ ହୋଇ ଏହି ଗୀତିକାବ୍ୟର ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଛି ।

 

ଶୃଙ୍ଗାର ଓ ସାହିତ୍ୟ :

ପ୍ରାଣୀର ବିଭିନ୍ନ ମନୋଭାବ ଓ ଅନୁଭୂତିକୁ ଆଧାର କରି ନାଟ୍ୟ ଓ ସାହିତ୍ୟଶାସ୍ତ୍ରରେ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବୀଭତ୍ସ, ଅଦ୍‌ଭୁତ ଓ ଶାନ୍ତ, ଏହି ନବରସର ନିରୂପଣ କରାଯାଇଛି । ବିଭାବ, ଅନୁଭାବ ଓ ବ୍ୟଭିଚାରୀ ଭାବର ସଂଯୋଗରେ ରସ-ନିଷ୍ପତ୍ତି ହୋଇଥାଏ (ବିଭାବାନୁଭାବ - ବ୍ୟଭିଚାରୀ-ସଂଯୋଗାଦ୍‌ ରସ- ନିଷ୍ପତ୍ତିଃ) ବୋଲି ଭରତମୁନି ସ୍ଵୀୟ ‘ନାଟ୍ୟଶାସ୍ତ୍ର’ର ଷଷ୍ଠଅଧ୍ୟାୟରେ ପ୍ରତିପାଦନ କରିଯାଇଛନ୍ତି । ନବରସର ଯେଉଁ ବିଶେଷ କ୍ରମ ବିବେଚିତ ହୋଇଛି, ତାର ନିର୍ଦ୍ଦିଷ୍ଟ ପ୍ରୟୋଜନ ରହିଛି । ନାଟ୍ୟଶାସ୍ତ୍ରର ବିଖ୍ୟାତ ବ୍ୟାଖ୍ୟାକାର ଅଭିନବଗୁପ୍ତ ନବରସର କ୍ରମନିରୂପଣର ଉଦ୍ଦେଶ୍ୟ ସଂପର୍କରେ ସ୍ପଷ୍ଟ ଆଲୋକପାତ କରିଛନ୍ତି । ଶୃଙ୍ଗାର ସମସ୍ତ ପ୍ରାଣୀଜାତିର ମୁଖ୍ୟ ପ୍ରବୃତ୍ତି ଓ ଏହାପ୍ରତି ସମସ୍ତଙ୍କର ଆକର୍ଷଣ ରହିଛି ବୋଲି ନବରସରେ ଶୃଙ୍ଗାରର ସ୍ଥାନ ପ୍ରଥମ (୨) । ଧ୍ଵନ୍ୟାଚାର୍ଯ୍ୟ ଆନନ୍ଦବର୍ଦ୍ଧନ ଶୃଙ୍ଗାରର ଶ୍ରେଷ୍ଠତ୍ଵ ପ୍ରତିପାଦନ କରି କହିଛନ୍ତି ଯେ. ପ୍ରାଣୀଜାତିର ଅନୁଭବ ବିଷୟ ଶୃଙ୍ଗାର ସମସ୍ତ ରସମଧ୍ୟରେ କମନୀୟ ହୋଇଥବା ଯୋଗୁଁ ପ୍ରାଧାନତ୍ୱ ଲାଭ କରିଛି (୩) । ଶୃଙ୍ଗାର ହିଁ ମଧୁର, ଶ୍ରେଷ୍ଠ ଓ ଆନନ୍ଦଦାୟକ ରସ ଏବଂ ଶୃଙ୍ଗାରମୟ କାବ୍ୟର ଆଶ୍ରୟରେ ମାଧୁର୍ଯ୍ୟ ପ୍ରତିଷ୍ଠିତ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି (୪) । କବି ନିଜେ ଯଦି କାବ୍ୟରେ ଶୃଙ୍ଗାରୀ, ତେବେ ସାରା ବିଶ୍ଵ ରସମୟ ପ୍ରତିଭାତ ହୋଇଥାଏ ବୋଲି କହି ଅଗ୍ନିପୁରାଣକାର ଦ୍ଵୈପାୟନ ମୁନି ଶୃଙ୍ଗାରର ମହତ୍ତ୍ୱକୁ ବିଶେଷ ବର୍ଦ୍ଧିତ କରିଛନ୍ତି (୫) ।

 

ପ୍ରତ୍ୟେକ ରସର ସ୍ଥାୟୀଭାବ ରହିଛି । ଆଦିରସ ଓ ରସରାଜ ରୂପରେ ପରିଚିତ ଶୃଙ୍ଗାରର ସ୍ଥାୟୀଭାବ ହେଉଛି ‘ରତି’ । ପ୍ରେମ-ମିଳନ ପ୍ରସଙ୍ଗରେ ସମ୍ଭୋଗ ଶୃଙ୍ଗାରର ଓ ବିରହ ପ୍ରସଙ୍ଗରେ ବିପ୍ରଲମ୍ଭ ଶୃଙ୍ଗାରର ବୈଶିଷ୍ଟ୍ୟ ରହିଛି । ସୌନ୍ଦର୍ଯ୍ୟ, ଆକର୍ଷଣ, ମିଳନ ଓ ସୃଷ୍ଟିର କ୍ରମ ଆଦିରସରୁ ଉପଲବ୍ଧ । ବିରହ ଓ ମିଳନର ଜୀବନାନୁଭୂତି ଉପରେ ସାହିତ୍ୟ ଆଧାରିତ । ଏଣୁ ଶୃଙ୍ଗାର ବର୍ଣ୍ଣନାକୁ ଅସାର ଅରୂଚିପୂର୍ଣ୍ଣ ତତ୍ତ୍ୱ ବୋଲି କୁହାଯାଇ ନ ପାରେ । ଉଭୟ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦିଗରେ ସଂସ୍କୃତ- ସାହିତ୍ୟ- ଶିଳ୍ପୀମାନେ ସ୍ଵକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଯାଇଛନ୍ତି । ମହାମୁନି ବାଲ୍ମୀକି ଓ ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି କାଳିଦାସ, ଭାରବି, ମାଘ, ଶ୍ରୀହର୍ଷ ପ୍ରମୁଖ ମହାକବିମାନଙ୍କ ରଚନାରେ ଉଭୟ ଶୃଙ୍ଗାରର ହୃଦ୍ୟ ରୂପାୟନ ଅନୁଭୂତ ହୋଇଥାଏ । ବାଣଭଟ୍ଟ ଓ ଦଣ୍ଡୀ ପ୍ରଭୃତି ଗଦ୍ୟ-କାବ୍ୟଶିଳ୍ପୀଙ୍କ ଲେଖନୀରେ ମଧ୍ୟ ଶୃଙ୍ଗାରର ବର୍ଣ୍ଣନା ହୃଦୟ-ହାରିଣୀ । ସଂସ୍କୃତ ସାହିତ୍ୟର ଶୃଙ୍ଗାର-ପ୍ରାଚୁର୍ଯ୍ୟପୂର୍ଣ୍ଣ କାବ୍ୟ-କବିତାବଳୀ ଓଡ଼ିଆ ପ୍ରମୁଖ ଅନ୍ୟଭାଷା ସାହିତ୍ୟରେ ଗଭୀର ପ୍ରଭାବ ବିସ୍ତାର କରିଛି । ଉନ୍ମୁକ୍ତ ଶୃଙ୍ଗାରର ଚିତ୍ରଣ ସ୍ଥଳବିଶେଷରେ ସ୍ପୃହଣୀୟ ନ ହୋଇ ପାରିଲେ ସମାଲୋଚନାକୁ ସ୍ଵତଃ ବରଣ କରିଥାଏ । କବି ଭର୍ତ୍ତୃହରି କେବଳ କାମଶାସ୍ତ୍ରସମ୍ମତ ବିଷୟ ନେଇ ଶୃଙ୍ଗାର-ଶତକ କାବ୍ୟ ରଚନା କରିଥିବାରୁ ଏଥିରେ ଅଶ୍ଳୀଳତାଦି ଦୋଷାରୋପର କୌଣସି ଅବକାଶ ନାହିଁ । ସମ୍ଭୋଗ ଓ ବିପ୍ରଲମ୍ଭ, ଉଭୟ ଶୃଙ୍ଗାର ନେଇ ତାଙ୍କ ଲେଖନୀ ନାରୀ ଓ ପ୍ରେମର ଅଦ୍‌ଭୂତ ମହିମା ବର୍ଣ୍ଣନାରେ ନୈପୁଣ୍ୟ ପ୍ରଦର୍ଶନ କରିଛି ।

 

ଶୃଙ୍ଗାର ଶତକର ବିଷୟଚର୍ଚ୍ଚା :

ସାଂସାରିକ ଜୀବନରେ ଅନୁଭୂୟମାନ ସୌନ୍ଦର୍ଯ୍ୟ ଓ ଶୃଙ୍ଗାରର ଏକ ବାସ୍ତବ ସମୁଜ୍ଜ୍ୱଳ ସ୍ଵାକ୍ଷର ବହନ କରିଛି ଭର୍ତ୍ତୃହରିଙ୍କ ଶୃଙ୍ଗାର - ଶତକ ଏକଶତ ଶ୍ଳୋକ ମାଧ୍ୟମରେ ।

 

ଶୃଙ୍ଗାର-ଶତକର ନମସ୍କାରାତ୍ମକ ଗ୍ରନ୍ଥାରମ୍ଭରେ ସୌନ୍ଦର୍ଯ୍ୟ ଓ ଶୃଙ୍ଗାରର ଦେବତା କାମଦେବଙ୍କ ଅଜେୟ ମହିମା କୀର୍ତ୍ତିତ । ନାରୀର ଗୁଣଦୋଷାଦି ବିବେଚନା କରିବାରେ କବି ସିଦ୍ଧହସ୍ତତାର ପରିଚୟ ପ୍ରଦାନ କରିଛନ୍ତି । ନାରୀ କାମଦେବଙ୍କ ଅମୋଘ ଅସ୍ତ୍ର । ଭ୍ରୂଭଙ୍ଗୀ, ବକ୍ରଚାହାଣୀ, ସଲ୍ଲଜ ଲଳିତ ହାସ, ସ୍ନିଗ୍ଧ ବଚନ, ବିଳାସମୟ ମନ୍ଦଗମନ ଓ ଧୀର ପଦସ୍ଥାପନ ଏ ସମସ୍ତ ହେଉଛି ନାରୀର ଅଳଙ୍କାର ଓ ଅସ୍ତ୍ର । କାମିନୀର ମୋହିନୀ ଶକ୍ତି, ସୌନ୍ଦର୍ଯ୍ୟ ଓ ରୂପ ବର୍ଣ୍ଣନାରେ କବିଙ୍କ ଲେଖନୀ ମୁଖରା ହୋଇ ଉଠିଛି । ନବଯୌବନରେ ସହୃଦୟ ରସିକ ପକ୍ଷେ ଦର୍ଶନୀୟ ବସ୍ତୁରେ ଶ୍ରେଷ୍ଠ ହେଉଛି ତରୁଣୀର ପ୍ରେମ-ପ୍ରସନ୍ନ ମୁଖ, ଆଘ୍ରାଣଯୋଗ୍ୟ ବସ୍ତୁରେ ଶ୍ରେଷ୍ଠ ହେଉଛି ତାର ମୁଖ-ପବନ, ଶ୍ରବଣୀୟ ବସ୍ତୁରେ ଶ୍ରେଷ୍ଠ ହେଉଛି ତାର ମଧୁର ବାଣୀ, ଆସ୍ଵାଦନୀୟ ବସ୍ତୁରେ ଶ୍ରେଷ୍ଠ ହେଉଛି ତାର ଅଧରରସ, ସ୍ପୃଶ୍ୟ ବସ୍ତୁରେ ଶ୍ରେଷ୍ଠ ହେଉଛି ତାର କଳେବର ଓ ଧ୍ୟେୟ ବସ୍ତୁରେ ଶ୍ରେଷ୍ଠ ହେଉଛି ତାର ଶୃଙ୍ଗାର-ବିଭ୍ରମ । କବି ପ୍ରଶ୍ନୋତ୍ତର ମାଧ୍ୟମରେ ଏପରି ଇନ୍ଦ୍ରୀୟ-ଗ୍ରାହ୍ୟ ବିଷୟର ସରସ ଉପସ୍ଥାପନ କରିଛନ୍ତି ।

 

କଙ୍କଣର ରୁଣୁଝୁଣୁ ଧ୍ଵନି, କାଞ୍ଚୀର କିଣିକିଣି, ନୂପୁରର ଶିଞ୍ଜନ ଓ କଟାକ୍ଷଦ୍ୱାରା ଲାବଣ୍ୟମୟୀ ତରୁଣୀ ପୁରୁଷ-ମନକୁ ବିବଶ କରିଥାଏ । ଯେଉଁ କବିବୃନ୍ଦ ‘ନାରୀ’କୁ ‘ଅବଳା’ ବୋଲି କହିଯାଇଛନ୍ତି, ସେମାନେ ପ୍ରକୃତରେ ବିପରୀତ କଥା ପ୍ରକାଶ କରିଛନ୍ତି । କାରଣ, ଯାହାର ଚଞ୍ଚଳ ନୟନ ଇନ୍ଦ୍ରାଦି ଦେବତାଙ୍କୁ ମଧ୍ୟ ବଶ କରିପାରିଛି, ସେହି ଅଙ୍ଗନା ପାଇଁ ‘ଅବଳା’ ଆଖ୍ୟା ନିତାନ୍ତ ଅସଂଗତ ବୋଲି ଭର୍ତ୍ତୃହରି ନାରୀର ସମ୍ମୋହନ ଶକ୍ତି ସଂପର୍କରେ ସୂଚାଇଛନ୍ତି । କାମଦେବ ନିଜେ ସୁନ୍ଦରୀର ଆଜ୍ଞାବହ ଭୃତ୍ୟ । ତରୁଣୀର ଚଞ୍ଚଳ ନୟନ ଯେଉଁ ଦିଗର ସୂଚନା ଦିଏ, ପୁଷ୍ପଧନୁ ସେହି ଦିଗକୁ ଗତି କରେ । ନାରୀଠାରେ ଅଦ୍‌ଭୁତ ଧନୁର୍ବିଦ୍ୟା ରହିଛି ଏବଂ ଶର ବିନା ମଧ୍ୟ କେବଳ ଗୁଣବଳରେ ସେ ଅନ୍ୟର ମନକୁ ଅନାୟାସରେ ଭେଦ କରିପାରେ । ଦୀପ, ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି, ତାରା ପ୍ରଭୃତି ନିଜର ଜ୍ୟୋତିବଳରେ ଉଜ୍ଜ୍ଵଳ ଥିଲେ ମଧ୍ୟ ହରିଣାକ୍ଷୀ ସୁନ୍ଦରୀ ବିନା ନିଖିଳ ବିଶ୍ଵ ଘନ ଅନ୍ଧକାରରେ ଆଚ୍ଛାଦିତ ବୋଲି କବିଙ୍କ ମତ । ଚନ୍ଦ୍ରକାନ୍ତ ମୁଖ, ମହାନୀଳ କେଶ, ପଦ୍ମରାଗ ହସ୍ତ ଯୋଗୁଁ ସୁନ୍ଦରୀ ରତ୍ନମୟୀ ପରି ପ୍ରତିଭାତ । ଗୁରୁ ସ୍ତନଭାର, ଚନ୍ଦ୍ର- ମୁଖ ଓ ଶନୈଶ୍ଚର (=ଧୀରଗାମୀ) ପାଦ ଘେନି ସେ ଗ୍ରହମୟୀ ତୁଲ୍ୟା । ବିନା ପୁଣ୍ୟରେ ମନୋବାଞ୍ଛା ପୂର୍ଣ୍ଣ ହୁଏ ନାହିଁ, ତେଣୁ ସୁନ୍ଦରୀ ଲାଭର ଅଭିଳାଷ ପୂରଣ ପାଇଁ ମନକୁ ପୁଣ୍ୟାର୍ଜନର ଉପଦେଶ ପ୍ରଦାନ କରାଯାଇଛି-

 

ନାରୀ-ପ୍ରଶଂସା ଓ ନାରୀ-ନିନ୍ଦା ଉଭୟ ବିଷୟ କବି ଭର୍ତ୍ତୃହରିଙ୍କ ରଚନାରେ ଚର୍ଚ୍ଚିତ । ଅନର୍ଥ-ରାଶିର ଭଣ୍ଡାର ରୂପେ ନବଯୌବନ ଚିତ୍ରିତ । କବି ସଂସାରରେ ଯୋଗ ଓ ଭୋଗ ଉଭୟ ମାର୍ଗର ଦିଗ୍‌ଦର୍ଶନ ଦେଇଛନ୍ତି । ବୈରାଗ୍ୟପକ୍ଷେ, ଜ୍ଞାନଚର୍ଚ୍ଚା ଦ୍ୱାରା ତପସ୍ୟା ଉଦ୍ଦେଶ୍ୟରେ ଅରଣ୍ୟର ଆଶ୍ରୟ ନେବା କିମ୍ବା ଅନୁରାଗ ପକ୍ଷେ, ବିଳାସିନୀ ରମଣୀର ସାନ୍ନିଧ୍ୟ ଭୋଗ କରିବା ବିଧେୟ । ପୁଣ୍ୟତୋୟା- ଗଙ୍ଗା-ତୀରରେ ବାସ ଅଥବା ହାର-ମଣ୍ଡିତ ନାରୀ-ବକ୍ଷୋଜରେ ବାସ କରିବା ବାଞ୍ଛନୀୟ । ତେଣୁ କବି ଯୌବନ ଓ ବନ ମଧ୍ୟରୁ କୌଣସି ଗୋଟିକର ଅବଲମ୍ବନ କାମ୍ୟ ବୋଲି ମତପୋଷଣ କରିଛନ୍ତି । ସୁନ୍ଦରୀ ତରୁଣୀ ଅନୁରାଗିଣୀ ଥିଲେ ଅମୃତୋପମା ଓ ବିରାଗିଣୀ ହେଲେ ବିଷଲତା । ନାରୀ ସକଳ ସୁଖର ଓ ଦୁଃଖର କାରଣ । ପରୋପକାରଠାରୁ ଦୁନିଆରେ ମହାନ୍‌ ପୁଣ୍ୟ କିଛି ନାହିଁ ଓ କମଳାକ୍ଷୀ ତରୁଣୀ ଠାରୁ ଶ୍ରେଷ୍ଠ ରମଣୀୟ ଅନ୍ୟ କିଛି ନାହିଁ । ବିଜ୍ଞଜନ ମଧ୍ୟ ବିବେକ ହରାଇ କାମିନୀଠାରେ ମନ ମଜ୍ଜାଇଥାଏ । ନାରୀର ସ୍ମରଣ, ଦର୍ଶନ ଓ ସ୍ପର୍ଶ ପୁରୁଷକୁ ମୋହଗ୍ରସ୍ତ କରାଇଥାଏ; ଏଥିଯୋଗୁଁ ନାରୀକୁ ‘ଦୟିତା’ (=ପ୍ରିୟା) ବୋଲି କୁହାଯିବ କେମିତି ? ନାରୀକୁ ବଚନରେ ଅମୃତ ଓ ହୃଦୟରେ ଗରଳ ପୂରି ରହିଥିବାରୁ ତାର ମଧୁର ଅଧର ପାନ କରାଯାଏ ଓ ହୃଦୟରେ ମୁଷ୍ଟି ତାଡ଼ନା କରାଯାଏ । ପୁରୁଷର ମହତ୍ତ୍ୱ, ପାଣ୍ଡିତ୍ୟ, କୁଳୀନତା, ବିବେକିତା ଆଦି ସୁଗୁଣ ସେତେବେଳ ଯାଏ ତିଷ୍ଠି ରହେ, ଯେତେବେଳ ଯାଏ ପଞ୍ଚଶରର ବହ୍ନି ପ୍ରଜ୍ଜ୍ୱଜିତ ହୋଇ ନାହଁ । ରମଣୀର ଦର୍ଶନ ପୁରୁଷର ଜ୍ଞାନ-ଦୀପକୁ ନିର୍ବାପିତ କରି ଆସକ୍ତିରେ ମଜ୍ଜାଇ ଦେଇଥାଏ ।

 

ପ୍ରସଙ୍ଗକ୍ରମେ ଗଣିକାର ନିନ୍ଦା ମଧ୍ୟ ବର୍ଣ୍ଣିତ । ବେଶ୍ୟା ହେଉଛି ରୂପ-ଇନ୍ଧନରେ ପ୍ରଜ୍ଜ୍ୱଳିତ କାମାନଳ-ଶିଖା, ଯେଉଁଥିରେ କାମୀ ପୁରୁଷମାନେ ନିଜର ଧନ ଓ ଯୌବନ ଆହୁତି ଦେଇଥାନ୍ତି । ତରୁଣୀର ଦର୍ଶନରେ ମଧ୍ୟ ଯେଉଁ ପୁରୁଷର ହୃଦୟ ନିର୍ବିକାର ରହେ, ସେ ପ୍ରକୃତରେ ଭାଗ୍ୟବାନ୍‌ । କବି ପ୍ରସଙ୍ଗାନୁସାରେ ନାରୀ, କୋକିଳ ଓ କାମଦେବଙ୍କୁ ବୃଥା ଚେଷ୍ଟା ନକରିବା ଲାଗି କହିଛନ୍ତି କାରଣ ନିଜ ମନ ଚନ୍ଦ୍ରମୌଳି ମହାଦେବଙ୍କ ଚରଣରେ ଧ୍ୟାନ- ଲଗ୍ନ ଓ ସାରା ବିଶ୍ଵ ବ୍ରହ୍ମମୟ ପ୍ରତିଭାତ ହୋଇଛି ।

 

ଶତକର ଅନ୍ତିମ ପର୍ଯ୍ୟାୟରେ ଷଡ଼ଋତୁର ବର୍ଣ୍ଣନା ଶୃଙ୍ଗାରମୟୀ ହୋଇ ଉଠିଛି । ଋତୁରାଜ ବସନ୍ତ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ ଓ ଶିଶିର କାଳରେ କାମୀ ଓ କାମିନୀଙ୍କ ପ୍ରେମ-ବିଳାସ ସମେତ ଉଦ୍ଦୀପକ ପ୍ରାକୃତିକ ବିଭାବ ସହୃଦୟ-ଭାବ୍ୟ । କାଳିଦାସଙ୍କ ‘ଋତୁସଂହାର’ କାବ୍ୟରେ ଷଡ଼ଋତୁର ଶୃଙ୍ଗାର-ସିକ୍ତ ଚିତ୍ରଣ ଉପଲବ୍ଧ ହୋଇଥାଏ । ଭର୍ତ୍ତୃହରିଙ୍କ ଶୃଙ୍ଗାର-ଶତକରେ ମଧ୍ୟ ଷଡ଼ଋତୁର ଶୃଙ୍ଗାରୋଦ୍ଦୀପକ ମନୋଜ୍ଞ ଭାବ ଓତପ୍ରୋତ । ସାମଗ୍ରିକ ଦୃଷ୍ଟିରୁ କାମକଳାର ରସାଳ ରୂପାୟନରେ କବି ଭର୍ତ୍ତୃହରିଙ୍କ ଲେଖନୀ ସୁଚରିତାର୍ଥ ହୋଇଛି ।

 

ଶୃଙ୍ଗାର-ଶତକର କେତେକ ସୁନିର୍ବାଚିତ ପ୍ରସଙ୍ଗ :

ଶୃଙ୍ଗାର-ଶତକର ବିଷୟବସ୍ତୁ ବିବେଚନା ପରେ କେତେକ ସୁନିର୍ବାଚିତ ପ୍ରସଙ୍ଗର ଅବତାରଣା କରାଯାଉଛି, ଯେଉଁଥିରୁ କବି ଭର୍ତ୍ତୃହରିଙ୍କ କାବ୍ୟ-ଚାତୁରୀ ଓ ବର୍ଣ୍ଣନା-ନୈପୁଣ୍ୟ ବିଶେଷରୂପରେ ହୃଦୟଙ୍ଗମ କରାଯାଇପାରେ । ବନାରସ୍‌ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଗବେଷଣା ସମୟରେ ୧୯୭୭ ମସିହାରେ କୃତ ମଦୀୟ ଶୃଙ୍ଗାର- ଶତକ-ଓଡ଼ିଆ ପଦ୍ୟାନୁବାଦର ପ୍ରସଙ୍ଗାନୁକୂଳ ପଂକ୍ତି ମଧ୍ୟ ସହୃଦୟମାନଙ୍କ ରସାସ୍ଵାଦନ ନିମନ୍ତେ ମୂଳ ଶ୍ଳୋକ ସମେତ ଉପସ୍ଥାପନ କରାଯାଉଛି ।

 

ଶତକର ପ୍ରାରମ୍ଭରେ ମଙ୍ଗଳାଚରଣ ରୂପେ ବିଶ୍ଵବିଜୟୀ କାମଦେବଙ୍କ ମହିମା ଉଦ୍‌ଘୋଷିତ । କାମଦେବ ନିଜର ପୁଷ୍ପଧନୁ-ଶର ବଳରେ ପ୍ରଜାପତି ବ୍ରହ୍ମା, ପାଳନ-କର୍ତ୍ତା ବିଷ୍ଣୁ ଓ ସଂହାରକ ମହାଦେବଙ୍କୁ ମଧ୍ୟ କାମିନୀମାନଙ୍କର ଗୃହ-ସେବକ କରାଇ ପାରିଛନ୍ତି । କବି ଭର୍ତ୍ତୃହରି ସେହି ଶୃଙ୍ଗାର-ଦେବତା ଭଗବାନ୍‌ ମନ୍ମଥଙ୍କୁ ପ୍ରଣିପାତ ଜଣାଇ କାବ୍ୟାରମ୍ଭ କରିଛନ୍ତି । କବିଙ୍କ ଲେଖନୀରେ,

 

ଶମ୍ଭୁ-ସ୍ଵୟଂଭୁ-ହରୟୋ ହରିଶେକ୍ଷଣାନାଂ

ଯେନାକ୍ରିୟନ୍ତ ସତତଂ ଗୃହ-କର୍ମ-ଦାସାଃ ।

 

ବାଚାମଗୋଚର -ଚରିତ୍ର - ବିଚିତ୍ରିତାୟ

ତସ୍ମୈ ନମୋ ଭଗବତେ କୁସୁମାୟୁଧାୟ ।।

 

(ମଞ୍ଜୁଳା ମୃଗ -      ନୟନୀଙ୍କର

ଗୃହ - ଜଞ୍ଜାଳେ କିଙ୍କର,

ସାଜିଛନ୍ତି ଯା’      ଇଙ୍ଗିତେ ସଦା

ବ୍ରହ୍ମା ବିଷ୍ଣୁ ଶଙ୍କର ।

 

ଯାର ଚରିତ୍ର ବର୍ଣ୍ଣି ନ ପାରେ ଭାରତୀ

ବିରାଜେ ଏଘେନି ଯାର ବିଚିତ୍ର ମୂରତି,

ଫୁଲଧନୁ-ଶର      ହସ୍ତେ ଯାର,

ସେ ମହାମହିମ      କାମଦେବ-ପାଦେ

ମୋର ସବିନୟ ନମସ୍କାର ।)

 

ପ୍ରେମିକ-ପ୍ରେମିକାମାନଙ୍କ ପରସ୍ପର-ଦର୍ଶନରେ ହୃଦୟରେ ଅପୂର୍ବ ଆନନ୍ଦ ସଞ୍ଚାରିତ ହୁଏ-। ପ୍ରିୟତମର ବିରହରେ ପ୍ରିୟତମାର ଅନ୍ତରରେ ଉତ୍‌କଣ୍ଠା ଜାଗି ଉଠେ କେବଳ ନୟନ ପୂରାଇ ଦେଖିବା ନିମନ୍ତେ । ଦର୍ଶନ ପରେ ଆଲିଙ୍ଗନ ପାଇଁ ବ୍ୟଗ୍ରତା ଓ ପରସ୍ପର-ଆଶ୍ଲିଷ୍ଟ ତନୁ-ଯୁଗଳର ଅଭିନ୍ନ ଭାବ ଦର୍ଶାଇ କବି କହିଛନ୍ତି,

 

ଅଦର୍ଶନେ ଦର୍ଶନ-ମାତ୍ର -କାମା

ଦୃଷ୍ଟା ପରିଷ୍ଵଙ୍ଗ -ସୁଖୈକଲୋଳା ।

ଆଳିଙ୍ଗିତାୟା ପୁନରାୟତାକ୍ଷ୍ୟା -

ମାଶାସ୍ମହେ ବିଗ୍ରହୟୋରଭେଦମ୍‌ ।।

 

(ନ ଦେଖିଲେ ପାଶେ ନାଗର,

ବଲ୍ଲଭୀ ଚାହେଁ      ଲଭିବା ସକାଶେ

ପ୍ରିୟ- ଦର୍ଶନ -ମାତର ।

ଦର୍ଶନ ପରେ ପ୍ରିୟା,

ପ୍ରେମାଲିଙ୍ଗନ-      ସୁଖ ଲାଗି ଏକା

ଚଞ୍ଚଳ କରେ ହିୟା ।

 

ବିଶାଳାକ୍ଷୀର      ବକ୍ଷେ ବକ୍ଷ

ଲାଗିଲେ ନିବିଡ଼ ନବାନୁରାଗେ,

ଭିନ୍ନ ନ ହେଉ      ଶରୀର-ଯୁଗଳ

ଏଇ ଆଶା ଆମ ଚିତ୍ତେ ଜାଗେ ।)

 

କବି ଭର୍ତ୍ତୃହରି ସାଂସାରିକ ଜୀବନରେ ପରସ୍ପର ପ୍ରେମମୟ ହୃଦୟ-ଦ୍ୱୟର ମିଳନ ସହ ଶାରୀରିକ ମିଳନର ଏକ ମନୋରମ ଆଲେଖ୍ୟ ଅଙ୍କନ କରିଛନ୍ତି । ନାରୀ-ହୃଦୟର ଏକ ମନୋବୈଜ୍ଞାନିକ ବିଶ୍ଳେଷଣ (ବାହ୍ୟପ୍ରଦର୍ଶନରେ ‘ନାହିଁ’ ‘ନାହିଁ’ ବୋଲି ନିଷେଧ -ବଚନ, କିନ୍ତୁ ଅନ୍ତରର ଗଭୀର କୋଣରେ ପ୍ରିୟ-ମିଳନର ଅଭୀପ୍‌ସା ପୋଷଣ) କବିଙ୍କ ଉକ୍ତିରେ ସୁପ୍ରତିଫଳିତ । ଗୃହସ୍ଥ ଜୀବନରେ ପତିବ୍ରତା କୁଳ-ବଧୂର ସରସ ଏକାନ୍ତ ମଧୁର ଦାଂପତ୍ୟପ୍ରେମର ମୁକ୍ତ ଚିତ୍ରଣ କବିଙ୍କ ଲେଖନୀରେ ଏହିପରି :-

 

ପ୍ରାଙ୍‌ ମାମେତି ମନାଗନାଗତ-ରସଂ

ଜାତାଭିଳାଷଂ ତତଃ

ସବ୍ରୀଡ଼ଂ ତଦନୁ ଶ୍ଲଥୋଦ୍ୟମମଥ

ପ୍ରଧ୍ୱସ୍ତ -ଧୈର୍ଯ୍ୟଂ ପୁନଃ ।

ପ୍ରେମାର୍ଦ୍ରଂ ସ୍ପୃହଣୀୟ-ନିର୍ଭର-ରହଃ

କ୍ରୀଡ଼ା-ପ୍ରଗଲ୍‌ଭଂ ତତୋ

ନିଃସଙ୍ଗାଙ୍ଗ-ବିକର୍ଷଣାଧିକ- ସୁଖଂ

ରମ୍ୟଂ କୁଳ-ସ୍ତ୍ରୀ-ରତମ୍ ।

 

(‘ନାହଁ ନାହିଁ’ ଭାଷା ପ୍ରଥମେ,

ଅଳପେ ରସ ନ      ଜନମେ ତା’ପରେ

ବାସନା ଜାଗଇ ମରମେ ।

ଲଜ୍ଜା-ବିବଶେ ଶିଥିଳତା ଆସେ ଶରୀରେ

ଧୈର୍ଯ୍ୟ ଆହୁରି ହୃଦୁଁ ହଜିଯାଏ ଅଚିରେ ।

ଦୃଢ଼-ବାଞ୍ଛିତ      ବିଜନ-ଲବ୍ଧ

ପ୍ରଣୟାଞ୍ଚିତ କେଳି-ବିଦଗ୍ଧ

ଗୋପନ ରଙ୍ଗେ      ଅଙ୍ଗ-ଛନ୍ଦା-

ଛନ୍ଦିରେ ବହୁ ଆନନ୍ଦର,

କୁଳାଙ୍ଗନାର      ଶୃଙ୍ଗାରମୟ

ସଙ୍ଗମ ଏତ କି ସୁନ୍ଦର ।)

 

କୁଳ-ରମଣୀର ସାମାନ୍ୟ ରତି ପ୍ରସଙ୍ଗ ପରେ କବି କାମଶାସ୍ତ୍ର ପ୍ରତିପାଦିତ ବିପରୀତ - ରତିର ଏକ ରମ୍ୟ ଚିତ୍ର ପ୍ରଦାନ କରିଛନ୍ତି । ବିପରୀତ ରତି ବା ପୁରୁଷାୟିତ ବନ୍ଧରେ ରତି- କ୍ଲାନ୍ତା ପ୍ରିୟତମାର ଅଧରାମୃତ ଆସ୍ଵାଦନ କରୁଥିବା ରସିକ ପୁରୁଷମାନେ ବାସ୍ତବରେ ଭାଗ୍ୟଶୀଳ ବୋଲି କବିଙ୍କ ମତ । ସେ କହିଛନ୍ତି,

 

ଉରସି ନିପତିତାନାଂ ସ୍ରସ୍ତ-ଧମ୍ମିଲ୍ଲକାନାଂ

ମୁକୁଳିତ-ନୟନାନାଂ କିଂଚିଦୁନ୍ମାଳିତାନାମ୍‌।

ଉପରି ସୁରତ- ଖେଦ- ସ୍ୱିନ୍ନ- ଗଣ୍ତସ୍ଥଳାନା-

ମଧର- ମଧୁ ବଧୂନାଂ ଭାଗ୍ୟବନ୍ତଃ ପିବନ୍ତି !

 

(ଲୋଟି ରହିଛି ଯେ      ବକ୍ଷ- ତଳପେ

ଫିଟିଅଛି ଯାର ଅଳକ,

ନେତ୍ର ମୁଦି ଯେ      ଅଳପେ ଅଳପେ

ଅନାଇଛି ମେଲି ପଲକ ।

 

ବିପରୀତ-ରତି-      ଶ୍ରମେ ଯା’କପୋଳେ

ଜାଗିଛି ଘର୍ମ- ବିନ୍ଦୁମାନ,

ଏପରି ବଧୂର      ଅଧର-ମଧୁ ଯେ

ପାନ କରେ ସେତ ଭାଗ୍ୟବାନ ।)

 

ସାଂସାରିକ କ୍ଷେତ୍ରରେ ନର-ନାରୀଙ୍କ ଶାରୀରିକ ସୌନ୍ଦର୍ଯ୍ୟର ବୃଦ୍ଧି ନିମନ୍ତେ ସ୍ଵର୍ଣ୍ଣାଦି-ନିର୍ମିତ ଅଳଙ୍କାରର ଯେପରି ଉପାଦେୟତା ରହିଛି, ସାହିତ୍ୟ କ୍ଷେତ୍ରରେ କାବ୍ୟ-ପୁରୁଷର ବା କବିତା-କାମିନୀର ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ଅନୁପ୍ରାସ, ଉପମା, ଯମକ, ରୂପକ ପ୍ରଭୃତି ଅଳଙ୍କାରର ସେପରି ଉପଯୋଗିତା ରହିଛି । ସ୍ଵାନୁଭୂତି ଓ କଳ୍ପନା-ଜଗତରୁ ବିଷୟ ଆହରଣପୂର୍ବକ କବି ଆପଣାର ଅମର-ଲେଖନୀ ମାଧ୍ୟମରେ ସମାଜ-ସମ୍ମୁଖରେ ବାସ୍ତବ ଚିତ୍ରର ମଧୁରିମା ପରିବେଷଣ କରିଥାଏ । ସେଥିପାଇଁ ସ୍ଵାନୁଭୂତି-ପ୍ରସୂତ ସାହିତ୍ୟ ସରସ, ଭାବଗର୍ତ୍ତକ, ହୃଦୟସ୍ପର୍ଶୀ ଓ ଆଦରଣୀୟ ହୋଇଥାଏ ।

 

ପୁରୁଷ ଓ ନାରୀ ପ୍ରାଣୀ - ଜଗତର ଅବିଚ୍ଛେଦ୍ୟ ଅଙ୍ଗଦ୍ୱୟ । ଏକ ବିନା ଅପରର ଜୀବନ ଅପୂର୍ଣ୍ଣ । ନାରୀ ଅନୁରାଗିଣୀ ଥିଲେ ଅମୃତ ତୁଲ୍ୟା ଓ ବିରାଗିଣୀ ହେଲେ ବିଷତୁଲ୍ୟା ବୋଲି କବି ଭର୍ତ୍ତୃହରିଙ୍କ ମତ । ପ୍ରସଙ୍ଗକ୍ରମେ ରୂପକ-ଅଳଂକାର-ସଂଯୋଜନାରେ ନାରୀକୁ ଏକ ଶୃଙ୍ଗାରମୟୀ ତରଙ୍ଗିଣୀ ରୂପରେ ବର୍ଣ୍ଣନା କରି କବି ତା’ର ଆକର୍ଷଣଠାରୁ ଦୂରରେ ରହିବା ଲାଗି ପୁରୁଷକୁ ପ୍ରବର୍ତ୍ତାଇଛନ୍ତି । ନାରୀର ତ୍ରିବଳୀ ନଦୀର ଉଚ୍ଛଳ ଲହରୀ । ବକ୍ଷୋଜଦ୍ୱୟ କ୍ରୀଡ଼ାରତ ଚକ୍ରବାକ ଯୁଗଳ । ନାରୀର କୁଟିଳ ଗତି ନଦୀର ବକ୍ରଧାରା; ନାରୀର ରମଣୀୟ ମୁଖ ନଦୀର ପ୍ରସ୍ଫୂଟିତ ପଦ୍ମ । କବି ଭର୍ତ୍ତୃହରିଙ୍କ ବର୍ଣ୍ଣନାରେ,

 

ଉନ୍ମୀଳତ୍‌-ତ୍ରିବଳୀ-ତରଙ୍ଗ-ନିଳୟା ପ୍ରୋତ୍ତୁଙ୍ଗ-ପୀନ-ସ୍ତନ-

ଦ୍ୱନ୍ଦ୍ୱେନୋଦ୍‌ଗତ - ଚକ୍ରବାକ - ଯୁଗଳା ବକ୍ରାମ୍ବୁଳୋଦ୍‌ଭାସିନୀ

କାନ୍ତାକାର-ଧରା ନଦୀୟମଭିତଃ କ୍ରୂରାତ୍ର ନାପେକ୍ଷତେ

ସଂସାରାର୍ଣ୍ଣବ-ମଜ୍ଜନଂ ଯଦି ତଦା ଦୂରେଣ ସଂତ୍ୟଜ୍ୟତାମ୍‌।।

 

(ଏଇ ଅଙ୍ଗନା-ସରିତା ବହେ କି ରଙ୍ଗରେ,

ତ୍ରିବଳୀ ଉଚ୍ଛୁଳା ତରଙ୍ଗାବଳୀ ଅଙ୍ଗରେ ।

ଉନ୍ନତ ପୀନ ପୟୋଧର ବେନି

ଚକ୍ରବାକ- ଯୁଗଳ,

କୁଟିଳଚାରିଣୀ      ବହିଛି ବଦନ

ମଞ୍ଜୁଳ ଶତଦଳ ।

 

ବନ୍ଧୁ ରେ ! ଭବ- ସିନ୍ଧୁରେ ତବ

ନାହିଁ ବୁଡ଼ିବାର ବାଞ୍ଛା ଯଦି,

ମୁଞ୍ଚି ରହ ତା’ ସଙ୍ଗ ଦୂରରୁ,

ଏକାନ୍ତେ ଥାଉ କାନ୍ତା-ନଦୀ ।)

 

ନାରୀର ଆକର୍ଷଣ ଓ ବିକର୍ଷଣ ଉଭୟ ଦିଗ ପ୍ରତି ସଚେତନତା ଆବଶ୍ୟକ । ନାରୀକୁ, ଏକ ବିଷଧର ସର୍ପ ଭାବରେ କବି ଚିତ୍ରଣ କରିଛନ୍ତି ରୂପକ-ସଂଯୋଜନାରେ । ନାରୀ ହେଉଛି ଏକ ସର୍ପ, ଯାହାର କଟାକ୍ଷ ହେଉଛି ବିଷମୟ ଅଗ୍ନିକଣା । ତା’ର ସ୍ଵଭାବ କୁଟିଳ । ନାରୀର ଶୃଙ୍ଗାର-ବିଳାସ ହେଉଛି ଫଣା । ସାଧାରଣ ସର୍ପ ଦଂଶନ କଲେ ଔଷଧଦ୍ୱାରା ଗରଳ-କ୍ଲେଶ ଦୂର କରାଯାଇ ପାରେ । କିନ୍ତୁ ଚତୁର ନାରୀ-ସର୍ପ ଦଂଶନ କଲେ ମାନ୍ତ୍ରିକ ବା ବିଷବୈଦ୍ୟ ଯେତେ ମନ୍ତ୍ରୌଷଧ୍‌ ଉପଚାର କଲେ ମଧ୍ୟ ଚେଷ୍ଟା ବିଫଳ ହୋଇଥାଏ । ଚିକିତ୍ସାର ବିଫଳତା ଜାଣି ବିଷବୈଦ୍ୟ ଏପରି ସର୍ପ-ଦଷ୍ଟ ପୁରୁଷକୁ ଛାଡ଼ି ଚାଲିଯାଆନ୍ତି । କବିଙ୍କ ଉକ୍ତିରେ,

 

ଅପସର ସଖେ ! ଦୂରାଦସ୍ମାତ୍‌ କଟାକ୍ଷ-ବିଶାଳାନଳାତ୍‌

ପ୍ରକୃତି-ବିଷମାତ୍‌ ଯୋଷିତ୍‌ ସର୍ପାତ୍‌ ବିଳାସ-ଫଣାଭୃତଃ ।

ଇତର-ଫଣିନା ଦଷ୍ଟଃ ଶକ୍ୟ ଶ୍ଲିକିସ୍ତିତୃମୌଷଧି-

ଶ୍ଚତୁର–ବନିତା– ଭୋଗି - ବ୍ରସ୍ତଂ ତ୍ୟଜନ୍ତି ହି ମନ୍ତ୍ରିଣଃ ।।

 

(ଏଇ ତ କାମିନୀ ଅହି,

ଘୁଞ୍ଚି ତା’ ପାଶୁଁ ବହୁଦୂରେ ଥାଅ ରହି ।

ଜାଣିଛ ବନ୍ଧୁ ! କଟାକ୍ଷ ତାର

ଗରଳ-ବହ୍ନି-କଣା,

ସ୍ଵଭାବ କୁଟିଳ      ବହିଛି ଦର୍ପେ

ଵିଭ୍ରମ ତା’ର ଫଣା

ଇତର ସର୍ପ ଦଂଶିଲେ ସିନା ନର-ଦେହରେ,

ଔଷଧବଳେ ଚିକିତ୍ସା ତା’ର ଗରଳ ହରେ ।

ଦଂଶିଛି ଯାର ଅଙ୍ଗେ ଚତୁର

ଏଇ ଅଙ୍ଗନା-ଭୁଜଙ୍ଗମ,

ଜାଙ୍ଗଳିକ ତା’ ସଂଗ ତେଜଇ

ଜାଣି ନିଷ୍ଫଳ ପରିଶ୍ରମ ।)

 

ନାରୀ ହେଉଛି ପ୍ରେମ-ଦେବତା କାମଦେବଙ୍କ ଅମୋଘ ଅସ୍ତ୍ର, ଯାହାଦ୍ୱାରା ପୁରୁଷ ଅଚିରେ ବଶୀଭୂତ ହୋଇ ନିଜତ୍ୱ ହରାଇଥାଏ । କବି ଭର୍ତ୍ତୃହରି ରୂପକ-ମାଧ୍ୟମରେ ମତ୍ସ୍ୟ-ରନ୍ଧନର ଏକ କମନୀୟ ପ୍ରକ୍ରିୟା ଉପସ୍ଥାପନ କରିଛନ୍ତି । ସଂସାର-ରୂପକ ସମୁଦ୍ରରେ ମକରଧ୍ଵଜ କାମଦେବ ଏକ ଧୀବର, ଯେ କାମିନୀରୂପକ ବନଶୀ ପକାଇ ବସିଥାଏ ଏବଂ କାମିନୀର ଅଧର-ମାଂସ-ଲୋଭୀ ପୁରୁଷ-ମୀନମାନଙ୍କୁ ଟାଣି ନେଇ ପ୍ରେମ-ଅଗ୍ନିରେ ରନ୍ଧନ କରିଥାଏ । ଏ ପ୍ରସଙ୍ଗରେ ଧୀବର ଓ କାମଦେବଙ୍କ ପାଇଁ ପ୍ରଯୁକ୍ତ ‘ମକର-କେତନ’ ଶବ୍ଦ ଔଚିତ୍ୟପୂର୍ଣ୍ଣ । ନାରୀକୁ ଆକର୍ଷଣର ସାଧନ କରି କାମଦେବ ପୁରୁଷମାନଙ୍କୁ କିପରି ଦୟନୀୟ ଅବସ୍ଥାରେ ପତିତ କରାଇଥାନ୍ତି, ତାହା ବାସ୍ତବ କ୍ଷେତ୍ରରେ ଚିନ୍ତନୀୟ । କବି ଭର୍ତ୍ତୃହରିଙ୍କ ଲେଖନୀରେ,

 

ବିସ୍ତାରିତଂ କମରକେତନ-ଧୀବରେଣ

ସ୍ତ୍ରୀ-ସଂଜ୍ଞିତଂ ବଡ଼ିଶମତ୍ର ଭବାମ୍ବୁରାଶୌ ।

ଯେନାଚିରାତ୍ ତଦଧରାମିଷ-ଲୋଳ-ମର୍ତ୍ତ୍ୟ

ମତ୍ସ୍ୟାନ୍ ବିକୃଷ୍ୟ ବିପଚତ୍ୟନୁରାଗ-ବହ୍ନୌ ।।

 

(ଧୀବର ମୂର୍ତ୍ତି      ଧରି ଏ ମର୍ତ୍ତ୍ୟ-

ବାରିଧିରେ ମୀନ-କେତନ,

ବିସ୍ତାରି ଅଛି      କାମିନୀ ନାମ୍ନୀ

ବନଶୀକି କରି ଯତନ ।

 

ବେଗେ ଆକର୍ଷି      ସେ ନାରୀ-ଅଧର-

ମାଂସ-ଲୋଲୁପ ପୁଂସ-ମୀନ,

କ୍ଷେପି ଅନୁରାଗ-      ଅଗ୍ନିରେ ବଳେ

ଭାଜିଦିଏ ନିଜ ଇଚ୍ଛାଧୀନ ।)

 

କାମିନୀର ଶରୀର ହେଉଛି ଏକ ଘନ ଅରଣ୍ୟ । କୁଚରୂପୀ ପର୍ବତ ଆବୋରି ରହିଥିବାରୁ ତାହା ଦୁର୍ଗମ । ସେଥିରେ କାମଦେବ-ଦସ୍ୟୁ ଲୁଚି ରହିଛି । ଦସ୍ୟୁ- ଆକ୍ରମଣରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ସେହି ବନରେ ବିଚରଣ ନ କରିବା ଲାଗି ମନ-ରୂପୀ ପଥିକକୁ କବି ଚେତାବନୀ ଦେଇଛନ୍ତି । କବିଙ୍କ ରୂପକ-ଅଳଂକାର-ସଂବଳିତ ଭାଷାରେ,

 

କାମିନୀ-କାୟ-କାନ୍ତାରେ କୁଚ-ପର୍ବତ-ଦୁର୍ଗମେ ।

ମା ସଞ୍ଚର ମନଃ- ପାନ୍ଥ ! ତତ୍ରାସ୍ତେ ସ୍ମର – ତସ୍କରଃ ।।

 

(ଘୋର ବନସ୍ତ କାମିନୀର କଳେବର,

ରେ ମନ-ଯାତ୍ରୀ ! ଗମନ ତହିଁ ନ କର ।

 

କୁଚ-ପରବତ      ଥିବାରୁ ଗହନ

ତାର ପଥ,

ଲୁଚି ରହିଅଛି      ଭିତରେ ଦସ୍ୟୁ

ମନ୍ମଥ ।)

 

କି ମାନବ କି ପଶୁ ସମସ୍ତ ପ୍ରାଣୀଙ୍କ ଉପରେ କାମଦେବଙ୍କ ଅବ୍ୟର୍ଥ ପ୍ରହାର ଓ ପ୍ରଭାବ । କୁକୁରୀର ଅନୁଧାବନ କରୁଥିବା ଜୀର୍ଣ୍ଣଶୀର୍ଣ୍ଣ ଅଥଚ କାମାତୁର କୁକୁରର ଶୋଚନୀୟ ଅବସ୍ଥା ସ୍ଵଭାବୋକ୍ତି ଅଳଙ୍କାରର ସମାବେଶରେ ବର୍ଣ୍ଣିତ । ଏକେ ତ ଦୁର୍ବଳ ତନୁ, କର୍ଣ୍ଣ-ବିହୀନ, କାଣ, ଖଞ୍ଜ, ଛିନ୍ନ-ଲାଙ୍ଗୁଳ, ରୁଗ୍‌ଣ ଓ କ୍ଷୁଧିତ ଶ୍ଵାନ ; କେଉଁଠି ଭଙ୍ଗାହାଣ୍ଡିରେ ନିଜର ଶୁଖିଲା କଣ୍ଠକୁ ପୂରାଇ ଆହାର ଖୋଜୁଛି ଉଦର-ପୂର୍ତ୍ତି ପାଇଁ । ଏମିତି ଅବସ୍ଥାରେ ମଧ୍ୟ ନିଜର କାମ-ବାସନାକୁ ଚରିତାର୍ଥ କରିବା ଲାଗି କୁକୁରୀ-ପଛରେ ଧାଇଁବାରେ ଲାଗିଛି । ଏପରି ବିକଳାଙ୍ଗ ସ୍ଵାନର ଦୁର୍ଦ୍ଦଶା ଦର୍ଶାଇ କବି କହିଛନ୍ତି,

 

କୃଶଃ କାଣଃ ଖଞ୍ଜଃ ଶ୍ରବଣ-ରହିତଃ ପୁଚ୍ଛ-ବିକଳୋ

ବ୍ରଣୀ, ପୂୟ-କ୍ଲିନ୍ନଃ କୃମି-କୁଳ-ଶତୈରାବୃତ-ତନୁଃ ।

କ୍ଷୁଧା-କ୍ଷାମୋ ଜୀର୍ଣ୍ଣଃ ପିଠରକ-କପାଳାର୍ପିତ-ଗଳଃ

ଶୁନୀମନ୍ୱେତି ଶ୍ଵା ହତମପି ଚ ହନ୍ତ୍ୟେବ ମଦନଃ ।।

 

(ଶୀର୍ଣ୍ଣ-ଶରୀର କାଣ ସେ କର୍ଣ୍ଣହୀନ

ଖଞ୍ଜ ଆବର ଲାଞ୍ଜ-ବିହୀନ ଦୀନ,

ବ୍ରଣ-ବିକ୍ଷତ ପୂୟ-ରାଶି-ଜରଜର

କୃମି-ଶତ-ଶତ- ବିଗଳିତ କଳେବର;

କ୍ଷୁଧାରେ ବିକଳ ଜୀର୍ଣ୍ଣ ଅଙ୍ଗ ଚଳାଇ

ଖଣ୍ଡିତ ମାଟି-ଭାଣ୍ଡେ କଣ୍ଠ ଗଳାଇ

ଶ୍ଵାନ ଚାଲିଥାଏ ଅଥୟେ ଶୁନୀର

ପଶ୍ଚାତେ ତରତର,

ମରିଅଛି ସେ ତ, ତାହାରେ ଆହୁରି

ମାରଇ ପଞ୍ଚଶର ।)

 

କାମ ଅନ୍ଧକାର - ଜନିତ ଅଜ୍ଞାନ ଯୋଗୁଁ ସାରାଜଗତ୍ ନାରୀମୟ ଦୃଶ୍ୟମାନ ହେଉଥଲା; କିନ୍ତୁ ସଂପ୍ରତି ବିବେକ-ଅଞ୍ଜନ ସେବନ କରିବା ଫଳରେ ଆମ ନୟନରେ ତ୍ରିଭୁବନ ମଧ୍ୟ ବ୍ରହ୍ମମୟ ଗୋଚର ହେଉଛି ବୋଲି କବି ଭର୍ତ୍ତୃହରି ସ୍ଵାନଭୂତି ପ୍ରକାଶ କରିଛନ୍ତି । ସାଂସାରିକ ଆସକ୍ତି ପରେ ଅଜ୍ଞାନର ଅପସାରଣ ଯୋଗୁଁ ବୈରାଗ୍ୟ ଓ ପରମାନନ୍ଦର ଅନୁଭୂତି ବ୍ୟକ୍ତ କରି କବି ଲେଖିଛନ୍ତି,

 

ଯଦାସୀଦଜ୍ଞାନଂ ସ୍ମର-ତିମିର- ସଂଚାର- ଜନିତଂ

ତଦା ଦୃଷ୍ଟଂ ନାରୀମୟମଶେଷଂ ଜଗଦିତି ।

ଇଦାନୀମସ୍ମାକଂ ପଟୁତର-ବିବେକାଂଜନ-ଜୁଷାଂ

ସମୀଭୂତା ଦୃଷ୍ଟି-ସ୍ତ୍ରିଭୁବନମପି ବ୍ରହ୍ମ ମନୁତେ ॥

 

(ଭରି ରହିଥିଲା      ହୃଦେ ଅଜ୍ଞାନ

ଘୋଟିବାରୁ କାମ-ଅନ୍ଧାର,

ପ୍ରତିଭାତ ଥିଲା      ନାରୀମୟ ବୋଲି

ସେକାଳେ ଏ ସାରା ସଂସାର ।

 

ଏବେ ସୁନିପୁଣ-      ବିବେକାଞ୍ଜନ

ରଞ୍ଜନେ ଆମ ଲାଗିଛି ଲୟ,

ନେତ୍ରେ ଆହୁରି      ଭୁବନ-ତ୍ରୟ

ଦିଶୁଛି ପରଂବ୍ରହ୍ମମୟ ।)

 

ଚୁମ୍ବକ ଲୌହକୁ ଆକର୍ଷଣ କରିବା ପରି ପୁରୁଷକୁ ଆକର୍ଷଣ କରିବା ପାଇଁ ନାରୀଠାରେ ସମ୍ମୋହନ ଶକ୍ତି ରହିଛି । ଫଳମୂଳାହାରୀ ମୁନି-ଋଷିମାନେ ମଧ୍ୟ କାମିନୀର ମୋହ-ଜାଲରେ ଛନ୍ଦି ହୋଇଛନ୍ତି । ବିଶ୍ଵାମିତ୍ରଙ୍କ ତପୋଭଙ୍ଗ ହୋଇଥିଲା ଅପ୍‌ସରା ମେନକାଙ୍କ ଆକର୍ଷଣରେ । ଋଷି ପରାଶର ଧୀବର-କନ୍ୟା ସତ୍ୟବତୀଙ୍କ ପ୍ରେମ-ପାଶରେ ଆବଦ୍ଧ ହୋଇଥିଲେ । ତପସ୍ୱୀମାନଙ୍କ ନିଦର୍ଶନରୁ ଉପଲବ୍‌ଧି କରାଯାଇପାରେ ଯେ ସମୟକ୍ରମେ ସଂଯମ ବା ଜିତେନ୍ଦ୍ରିୟତା ପଞ୍ଚଶରର ପ୍ରତାପ ସମ୍ମୁଖରେ ପରାଜୟ ସ୍ଵୀକାର କରିଥାଏ । ଏହାର ବ୍ୟତିକ୍ରମ ମଧ୍ୟ ରହିଛି; ଯଥା, ଅପ୍‌ସରା ରମ୍ଭାର ଆକର୍ଷଣରେ ଶୁକମୁନି ମୋହିତ ବା ବଶୀଭୂତ ହୋଇ ନଥିଲେ । ତେବେ କାମଦେବଙ୍କ ଅଲଂଘନୀୟ ପ୍ରହାରରୁ ବର୍ତ୍ତିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । କବି ଭର୍ତ୍ତୃହରିଙ୍କ ଭାଷାରେ,

 

ବିଶ୍ଵାମିତ୍ର – ପରାଶର - ପ୍ରଭୃତୟୋ ବାତାମ୍ବପର୍ଣ୍ଣାଶନା-

ସ୍ତେଽପି ସ୍ତ୍ରୀ – ମୁଖ - ପଙ୍କଜଂ ସୁଲଳିତଂ ଦୃଷ୍ଟୈବ ମୋହଂ ଗତାଃ ।

ଶାଲ୍ୟନ୍ନଂ ସଘୃତଂ ପୟୋଦଧି - ଯୁ ତଂ ଯେ ଭୁଞ୍ଜତେ ମାନବା-

ସ୍ତେଷାମିନ୍ଦ୍ରିୟ - ନିଗ୍ରହୋ ଯଦି ଭବେତ୍ ବିନ୍ଧ୍ୟଃ ପ୍ଲବେତ୍ ସାଗରେ ।।

 

(ବିଶ୍ଵାମିତ୍ର      ପରାଶର ଆଦି ଯା

ତପଶ୍ଚାରୀ

ହେଲେବି ଏମାନେ      ସଛଲିଳ-ପବନ-

ପତ୍ରାହାରୀ,

 

କାମିନୀଙ୍କର କମନୀୟ ମୁଖ - କମଳ

ଚାହିଁଲା ମାତ୍ରେ ବିମୋହିତ ହେଲେ ସକଳ ।

ଦୁଗ୍ଧ – ଦଧିରେ      ସ୍ନିଗ୍ଧ ଆବର

ଘୃତ-ମିଶ୍ରିତ      ଶାଳି-ଅନ୍ନର-

ଭୋଜନରେ ଯେଉଁ            ନରେ ମଜ୍ଜିତ,

ସେମାନେ ଏ ଭୋଗ-ବନ୍ଧନୀରେ,

ଇନ୍ଦ୍ରୀୟ ଯଦି ରୋଧିବା ତେବେ ତ

ବିନ୍ଧ୍ୟ ଭାସିବ ସିନ୍ଧୁ-ନୀରେ ।)

 

କବିଙ୍କ କଥନର ତାତ୍ପର୍ଯ୍ୟ ହେଉଛି, ସାଂସାରିକ ବିଳାସପୂର୍ଣ୍ଣ ଉଦ୍ଦୀପକ ଆହାର ଗ୍ରହଣ କରୁଥିବା ମାନବମାନେ ଇନ୍ଦ୍ରିୟ ଦମନ କରିବାକୁ ସମର୍ଥ । ବନ୍ୟ-ଫଳମୂଳାହାରୀ ତପସ୍ଵୀମୁନିଗଣ ଯେତେବେଳେ ଇନ୍ଦ୍ରୀୟ ସଂଯମ ପାଇଁ ସବୁମତେ ଚେଷ୍ଟା କରି ମଧ୍ୟ ସମୟ-ଚକ୍ରରେ ପଡ଼ି ନାରୀମୋହରେ ବଶୀଭୂତ ହୋଇଛନ୍ତି, ସେ ପ୍ରସଙ୍ଗରେ ଗୃହସ୍ଥ ଜୀବନରେ ଥିବା ସାଧାରଣ ମନୁଷ୍ୟଙ୍କ କଥା ଆଉ କ’ଣ କହିବା ? ଦୁଗ୍ଧ-ଦଧି-ଘୃତ ସମେତ ଉତ୍‌କୃଷ୍ଟ ଶାଳି ଧାନ୍ୟର ସୁସ୍ୱାଦୁ ଅନ୍ନଭୋଜନରେ ମଜ୍ଜି ରହି ମନୁଷ୍ୟମାନେ ଯଦି ଇନ୍ଦ୍ରୀୟ ନିଗ୍ରହ କରିବେ, ତେବେ ବିନ୍ଧ୍ୟ ପର୍ବତ ସମୁଦ୍ରରେ ଭାସିବ ଅର୍ଥାତ୍ ଏକ ସଂପୂର୍ଣ୍ଣ ଅସମ୍ଭବ କଥା ସମ୍ଭବ ହେବ । ପର୍ବତ ନିଜର ଗୁଣ ଅନୁସାରେ ସମୁଦ୍ର-ଗର୍ତ୍ତରେ ବୁଡ଼ି ରହିବା ସ୍ଵାଭାବିକ । ସମୁଦ୍ର–ଜଳରେ ଭାସିବା ପର୍ବତର ସ୍ଵାଭାବିକ ଧର୍ମ ନୁହେଁ । କିନ୍ତୁ ଏ ପ୍ରସଙ୍ଗରେ ସମୁଦ୍ର-ଜଳରେ ପର୍ବତର ‘ଭାସିବା’ ଅର୍ଥ ଆବଶ୍ୟକ । ଲୋକୋକ୍ତିରେ ଯେମିତି ଉଦାହରଣ ଛଳରେ ବେଳେ ବେଳେ କୁହାଯାଏ, ‘‘ସେ ଯଦି ଏମିତି କାମ କରିବେ, ତେବେ ତ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଇଁବେ’’ ବା ‘‘ପର୍ବତ- ଶିଖରରେ ପଦ୍ମ ଫୁଟିବ’’ ଅର୍ଥାତ୍ କେବେ ନ ଘଟିବା କଥା ଘଟିବ । ମନୁଷ୍ୟର ସ୍ଵଭାବଗତ ଭୋଗ-ପ୍ରବଣତା ଅପରିହାର୍ଯ୍ୟ ବୋଲି କବିଙ୍କ ଅଭିବ୍ୟକ୍ତିରେ ପ୍ରତିପାଦିତ । ଉପର୍ଯ୍ୟୁକ୍ତ ପ୍ରସଙ୍ଗମାନଙ୍କରେ ବର୍ଣ୍ଣିତ ଶୃଙ୍ଗାର-ଚେତନା ବାସ୍ତବରେ ମନୋହାରିଣୀ ଓ ସଫଳରୂପା ।

 

Unknown

ଉପସଂହାର:-

ଭାରତୀୟ ବେଦାନ୍ତ-ଦର୍ଶନାଦି-ସମ୍ମତ ମୁକ୍ତି ପରିପ୍ରେକ୍ଷୀରେ ନାରୀ ପ୍ରଧାନ ଅନ୍ତରାୟ ଭାବରେ ବର୍ଣ୍ଣିତ । କବି ଭର୍ତ୍ତୃହରି ନିଜେ ବେଦାନ୍ତୀ ଓ ଶିବଭକ୍ତ । ତାଙ୍କ ଶୃଙ୍ଗାରଶତକରେ ନାରୀ-ପ୍ରଶଂସା ଓ ନାରୀ-ନିନ୍ଦା ଉଭୟ ବିଷୟ ପ୍ରସଙ୍ଗମତେ ସ୍ଥାନିତ । ନାରୀ-ନିନ୍ଦା, ଏକପ୍ରକାର ବୈରାଗ୍ୟଗତ ବିଷୟ ହେଲେ ମଧ୍ୟ ବୈରାଗ୍ୟଶତକର ଅନ୍ତର୍ଗତ ହେବା ଆବଶ୍ୟକ ବୋଲି ଭାବିବା ଉଚିତ ନୁହେଁ । କବି ଶୃଙ୍ଗାର ପ୍ରସଙ୍ଗରେ ନାରୀର ଉଭୟ ଦିଗ ପ୍ରତି ସମୀକ୍ଷାତ୍ମକ ଅବଲୋକନ ପୂର୍ବକ ଲେଖନୀ ଚାଳନା କରିଛନ୍ତି । ନାରୀ-ସଂସର୍ଗର ପରିଣାମ ପ୍ରତି ସଚେତନ ରହି ଭୋଗ ଓ ଯୋଗ ଭିତରୁ ନିଜର ଅଭୀଷ୍ଟ ପନ୍ଥା ଗ୍ରହଣ କରିବା ଲାଗି ସେ ଜନ-ସମାଜକୁ ପରାମର୍ଶ ଦେଇଛନ୍ତି-। ଯୌବନର ପ୍ରେମମାଧୁରୀ ଓ ଅନର୍ଥକାରିତା ଉଭୟ ଦିଗ କବିଙ୍କ ରଚନାରେ ରୂପାୟିତ ହୋଇଛି-। ଯୌବନ ଆଲୋଚନାରେ ବାଣଭଟ୍ଟଙ୍କ ଶ୍ରେଷ୍ଠ ଉପନ୍ୟାସ ‘କାଦମ୍ବରୀ’ ଅନ୍ତର୍ଗତ ‘ଶୁକନାସୋପଦେଶ’ ପ୍ରଣିଧାନ-ଯୋଗ୍ୟ । ବିଷ୍ଣୁଶର୍ମାଙ୍କ ପ୍ରଣୀତ ‘ପଞ୍ଚତନ୍ତ୍ର’ରେ ପ୍ରସଙ୍ଗକ୍ରମେ ନାରୀ-ଚରିତ୍ରର ମନୋଜ୍ଞ ବର୍ଣ୍ଣନା ଦୃଷ୍ଟିପଥାରୂଢ଼ ହୋଇଥାଏ । ଏଥିରେ କେତେକ ଶ୍ଳୋକ ସହ ନୀତିଶତକ, ଶୃଙ୍ଗାରଶତକ ଓ ବୈରାଗ୍ୟଶତକର ଅନ୍ତର୍ଗତ କେତେକ ଶ୍ଳୋକ ସାମଞ୍ଜସ୍ୟ ବହନ କରିଥିବା ପରିଲକ୍ଷିତ ହୋଇଥାଏ । କାଳିଦାସଙ୍କ ଶ୍ରେଷ୍ଠ ଗୀତିକାବ୍ୟ ‘ମେଘଦୂତ’ ପରେ ଭର୍ତ୍ତୃହରିଙ୍କ ଶତକ-ତ୍ରୟ ଗୀତିକାବ୍ୟ ଜଗତରେ ଗୌରବମୟ ସ୍ଥାନର ଅଧିକାରୀ । ଭର୍ତ୍ତୃହରିଙ୍କ ଏହି ରସମୟ କୃତି ବିବିଧ ଭାରତୀୟ ଓ ବିଦେଶୀୟ ଭାଷାରେ ଅନୂଦିତ ହୋଇ ବିଶ୍ଵରେ ବହୁ ଆଦୃତି ଓ ଖ୍ୟାତି ଲାଭ କରି ପାରିଛି । ସଂସ୍କୃତ ସାହିତ୍ୟ ପ୍ରତି ସେହି ଅମର କବି ଭର୍ତ୍ତୃହରିଙ୍କ ଅବଦାନ ବାସ୍ତବରେ ଅକ୍ଷୟ ଓ ଅବିସ୍ମରଣୀୟ ।

 

ପାଦଟୀକା

(୧)

ମୁକ୍ତକେଷୁ ହି ପ୍ରବନ୍ଧେଷୁ ଇବ ରସ-ବନ୍ଧାଭିନିବେଶିନଃ କବୟୋ ଦୃଶ୍ୟନ୍ତେ । ଯଥା ହିଁ ଅମରୁକସ୍ୟ କବେର୍ମୁକ୍ତକାଃ ଶୃଙ୍ଗାର-ରସ- ସ୍ୟନ୍ଦିନଃ ପ୍ରବନ୍ଧାୟମାନାଃ ପ୍ରସିଦ୍ଧା ଏବ । (ଧ୍ଵନ୍ୟାଲୋକ, ୩/୬୩)

(୨)

ଅଭିନବଭାରତୀ, ୬/୧୭ ।

(୩)

ଶୃଙ୍ଗାର-ରସୋ ହି ସଂସାରିଣାଂ ନିୟମେନ ଅନୁଭବ–ବିଷୟତ୍ୱାତ୍ ସର୍ବ-ରସେଭ୍ୟଃ କମନୀୟତୟା ପ୍ରଧାନଭୂତଃ ।) ଧ୍ଵନ୍ୟାଲୋକ, ୩/୮୫) ।

(୪)

ଧ୍ୱନ୍ୟାଲୋକ, ୨/୩୦ ।

(୫)

ଶୃଙ୍ଗାରୀ ଚେତ୍ କବିଃ କାବ୍ୟେ ଜାତଂ ରସମୟଂ ଜଗତ୍ । (ଅଗ୍ନିପୁରାଣ, ୩୩୯/୧୧) ।

 

 

ଅଧ୍ୟାପକ, ସଂସ୍କୃତ ବିଭାଗ

ଫକୀର ମୋହନ ମହାବିଦ୍ୟାଳୟ

ବାଲେଶ୍ଵର-୭୫୬୦୦୧

 

 

***

 

ସଚ୍ଚି ରାଉତରାୟଙ୍କ କଥା ସାହିତ୍ୟ

ଶ୍ରୀ କୃଷ୍ଣ ଚରଣ ବେହେରା

 

କବିତା ରଚନାରେ ସଚ୍ଚି ରାଉତରାୟ (୧୯୧୬) ଯେପରି ବହୁପ୍ରସୂ, ଗଳ୍ପ-ଉପନ୍ୟାସ ରଚନାରେ ସେପରି ହୋଇପାରି ନାହାନ୍ତି । ଏଯାବତ୍ ପ୍ରକାଶିତ ତାଙ୍କର ପ୍ରାୟ ପଚାଶଗୋଟି ଗଳ୍ପ ଏବଂ ଉପନ୍ୟାସ ଅଭିଧାରେ ଚିହ୍ନିତ ‘ଚିତ୍ରଗ୍ରୀବ’ ଗ୍ରନ୍ଥଟି ଆମେ ପାଇଛୁ । କିନ୍ତୁ ପରିମାଣ, ପ୍ରକର୍ଷ ବା ପ୍ରତିଭାର ପରିଚାୟକ ନୁହେଁ । ଅଳ୍ପ ମଧ୍ୟ ମାନ ବା ଗୁଣର ତଳ୍ପ ହୋଇପାରେ । ରାଉତରାୟଙ୍କର ଏହି ନାତିପ୍ରତୁଳ କଥାସାହିତ୍ୟ ଆତ୍ମିକ ତଥା ଆଙ୍ଗିକ ଉଭୟ ଦିଗରୁ ସାହିତ୍ୟ କ୍ଷେତ୍ରରେ ନୂତନତାର ସ୍ଵାକ୍ଷର ଅଙ୍କିତ କରି ପାରିଛି ।

 

ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ କଥାକାର ଭାବରେ ରାଉତରାୟଙ୍କର ଆତ୍ମପ୍ରକାଣ । ସେତେବେଳକୁ ଆମର ଆଧୁନିକ କଥା ସାହିତ୍ୟର ଜୟଯାତ୍ରା ଆରମ୍ଭ ହୋଇ ଯାଇଥିଲା । ରାମଶଙ୍କର ରାୟ (୧୮୫୭-୧୯୩୧), ଉମେଶ ଚନ୍ଦ୍ର ସରକାର (୧୮୫୭-୧୯୧୪), ଫକୀର ମୋହନ ସେନାପତି (୧୮୪୩-୧୯୧୮), ଚନ୍ଦ୍ରଶେଖର ନନ୍ଦ (୧୮୭୧-୧୯୩୩), ଚିନ୍ତାମଣି ମହାନ୍ତି (୧୮୬୭-୧୯୪୩), ଗୋଦାବରୀଶ ମିଶ୍ର (୧୮୮୬-୧୯୫୬), ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩), ଦୟାନିଧି ମିଶ୍ର (୧୯୮୧-୧୯୫୫), ରାମଚନ୍ଦ୍ର ଆଚାର୍ଯ୍ୟ (୧୮୯୩-୧୯୫୧), କୁନ୍ତଳାକୁମାରୀ ସାବତ (୧୯୦୦-୧୯୩୮) ପ୍ରମୁଖ ବିଭିନ୍ନ ଲେଖକ-ଲେଖିକା ସେହି ଜୟଯାତ୍ରାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ‘ଉତ୍କଳ ସାହିତ୍ୟ’ (୧୮୯୭), ‘ମୁକୁର’ (୧୯୦୬), ‘ସହକାର’ (୧୯୧୯) ପ୍ରଭୃତି ପତ୍ରିକାରେ ଧାରାବାହିକ ଉପନ୍ୟାସ ଓ ଗଳ୍ପମାନ ତ ପ୍ରକାଶ ପାଇବାରେ ଲାଗିଥିଲା ! ତାହା ବ୍ୟତୀତ ‘ମୁକୁର ଉପନ୍ୟାସ ଗ୍ରନ୍ଥମାଳା’ (୧୯୨୪) ଓ ‘ଆନନ୍ଦଲହରୀ ଉପନ୍ୟାସ ମାଳା’ (୧୯୩୦) ମାସିକ ବା ଦ୍ୱିମାସିକ କିସ୍ତିରେ ଗଳ୍ପ-ଉପନ୍ୟାସମାନ ପ୍ରକାଶ କରୁଥିଲେ । ‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’ (୧୯୨୪), ‘ସବୁଜ ସାହିତ୍ୟ ସମିତି’ (୧୯୨୫), ‘ଭାରତୀ ତପୋବନ’ (୧୯୨୮) ଭଳି କେତେକ ସାଂସ୍କୃତିକ ପ୍ରତିଷ୍ଠାନ କଥାସାହିତ୍ୟର ସୃଷ୍ଟି ଓ ପ୍ରସାର ପାଇଁ ପ୍ରୋତ୍ସାହନ ଯୋଗାଉଥିଲେ । ଏହା ଫଳରେ ଆମ କଥା ସାହିତ୍ୟ ସୃଷ୍ଟିର ପରିମାଣ ବୃଦ୍ଧି ପାଇଥିଲା ଏବଂ ସେହି ସଂଖ୍ୟାଧିକ ସୃଷ୍ଟି ମଧ୍ୟରୁ ଆମେ କେତେକ ଉଚ୍ଚକୋଟୀର ଗଳ୍ପ-ଉପନ୍ୟାସ ପାଇ ପାରିଥିଲୁଁ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ-ପ୍ରଥମାବସ୍ଥାରେ ଆମ ଏଠାରେ ଆଧୁନିକ କଥାସାହିତ୍ୟ ସାଧାରଣତଃ ଲଘୁ, ତରଳ ଓ ଉତ୍ତେଜନାମୂଳକ ରଚନା ବୋଲି ବିବେଚିତ ହେଉଥିଲା, ଏବଂ ତାହା ପାଠକଲେ ପାଠକସମାଜ ବିଶେଷତଃ ତରୁଣ ତରୁଣୀମାନେ ଖରାପ ହୋଇଯିବେ ବୋଲି ମନେ କରାଯାଉଥିଲା । କାବ୍ୟକବିତା, ନାଟକାଦି ପାଠ ଯେପରି ସମ୍ଭ୍ରାନ୍ତ ଅଭିଜାତ ପଠନକ୍ରିୟା ରୂପେ ପ୍ରଚଳିତ ଥିଲା, ଗଳ୍ପ-ଉପନ୍ୟାସ ପାଠ ସେହିପରି ମର୍ଯ୍ୟାଦା ଲାଭ କରି ନଥିଲା । ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ସଂପାଦିତ ‘ସତ୍ୟବାଦୀ’ (୧୯୧୫) ପତ୍ରିକା ପ୍ରଥମେ କବିତା ଓ କଥା ସାହିତ୍ୟ ପ୍ରକାଶ କରିବା ପାଇଁ କୁଣ୍ଠିତ ଥିଲା । କିନ୍ତୁ ପାଠକମାନେ ‘କେବଳ ନିରସ ପ୍ରବନ୍ଧ’ ପଢ଼ିବାକୁ ନ ଚାହିଁବାରୁ ‘ସତ୍ୟବାଦୀ’ରେ ଗଳ୍ପ-କବିତାଦି ପ୍ରକାଶ ସଂପର୍କରେ ସେତେବେଳେ ବରିଷ୍ଠ ସାହିତ୍ୟିକ ଫକୀର ମୋହନଙ୍କର ପରାମର୍ଶ ଲୋଡ଼ାଯାଇଥିଲା । ଫକୀରମୋହନ ମତ ପ୍ରକାଶ କରିଥିଲେ- ‘ସତ୍ୟବାଦୀର ଗୋଟିଏ ବିଶେଷତ୍ୱ ଅଛି । ଆପଣ ପଦ୍ୟ ଆଉ ଗଳ୍ପ ଦେବାକୁ ମନସ୍ଥ କରିଛନ୍ତି; ଏହାର ଯେ ବିଶେଷତ୍ୱ ଗୁରୁମାମ୍ଭୀର୍ଯ୍ୟ ନଷ୍ଟ ହୋଇଯିବ !’ (ସତ୍ୟବ।ଦୀ-୨ୟ ଖଣ୍ଡ, ୧ମ-୨ୟ ସଂଖ୍ୟା - ୧୩୨୩ ଫଗୁଣ-ଚୈତ୍ର) । ଫକୀରମୋହନଙ୍କର ଏହି ପ୍ରତିକୂଳ ଅଭିମତ ସତ୍ତ୍ୱେ ‘ସତ୍ୟବାଦୀ’ ପାଠକ ସମାଜର ରୁଚି ଓ ଆଗ୍ରହ ନିକଟରେ ନତି ସ୍ଵୀକାର କଲା; ପରେ ପରେ ତହିଁରେ ପଦ୍ୟ ଓ ଗଳ୍ପମାନ ପ୍ରକାଶ ପାଇବାରେ ଲାଗିଲା ।

 

ଆମର ମଧ୍ୟଯୁଗୀୟ ସାହିତ୍ୟ ଯେତେ ପରିମାଣରେ ଶିଳ୍ପକଳାନୁଗ ଥିଲା, ସେତେ ପରିମାଣରେ ଜୀବନାଭିମୁଖୀ ନଥିଲା ! ଆଧୁନିକ ସାହିତ୍ୟୟ-ବିଶେଷତଃ କଥାସାହିତ୍ୟର ଜୀବନ-ମୁଖୀନତା ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ବିଚିତ୍ର ବହୁମୁଖୀ ବିଭାବ ଘେନି ଜୀବନ ଓ ସମାଜ ଆମର ଗଳ୍ପ-ଉପନ୍ୟାସମାନଙ୍କରେ ରୂପାୟିତ ହୋଇଥିଲା । ବିଶେଷତଃ ସମାଜର ଜନସାଧାରଣ - ନିପୀଡ଼ିତ ଓ ନିଷ୍ପେଷିତ ମଣିଷ, ଯେଉଁମାନଙ୍କ ପାଇଁ ସାହିତ୍ୟାଙ୍ଗନ ଏକପ୍ରକାର ନିଷିଦ୍ଧ ହୋଇ ରହିଥିଲା, ସେମାନେ ଆସି କଥାସାହିତ୍ୟ କ୍ଷେତ୍ରରେ ଉପଯୁକ୍ତ ଆସନ ଲାଭ କଲେ । ସ୍ଥାନ ପାଇଲେ - ପହଲ ଗୋଛାଏତ-ରାମିୟା ମାଆମାନେ (ପଦ୍ମମାଳୀ), ଆଦିବାସୀ ଭୂଇଁୟା ଗୋଷ୍ଠୀ (ଭୀମା ଭୂଇଁୟା), ଭଗିଆ-ସାରିଆ- ଗୋବରା ଜେନାମାନେ (ଛ’ ମାଣ ଆଠଗୁଣ୍ଠ), ଜଳଧର-ସୌଦାମିନୀ-ରାଣ୍ଡୀପୁଅ ଅନନ୍ତାମାନେ । ସେମାନଙ୍କ ଜୀବନର କେବଳ ସୁଖ-ସମ୍ଭୋଗ ନୁହେଁ - କାରୁଣ୍ୟ, ବେଦନା, ବିଷାଦ ମଧ୍ୟ କଥାକାରମାନଙ୍କ ଲେଖନୀରେ ରୂପାୟିତ ହେଲା । ଏପରି ଟ୍ରାଜିକ୍ ଓ ଦୁଃଖମୟ ସ୍ଵର ଆମର ପ୍ରାଚୀନ କଥାସାହିତ୍ୟରେ ପ୍ରାୟ ଶୁଣାଯାଇ ନଥିଲା । ବ୍ୟକ୍ତି ଚରିତ୍ରର ପରିମାର୍ଜନ, ସମାଜ ସଂସ୍କାର, ସ୍ୱଦେଶ ପ୍ରୀତିର ଉଦ୍‌ବୋଧନ ପ୍ରଭୃତି ଆଭିମୁଖ୍ୟ ପ୍ରତି କଥାକାରମାନଙ୍କର ପ୍ରବଣତା ପ୍ରକାଶ ପାଇଲା । ବାସ୍ତବତା ହିଁ ଥିଲା ଆଧୁନିକ କଥାସାହିତ୍ୟର ଭିତ୍ତିଭୂମି । ଘଟଣା ବର୍ଣ୍ଣନା, ସମାଜ ଚିତ୍ରଣ ତଥା ଚରିତ୍ର ରୂପାୟନରେ ଲେଖକ ଲେଖିକାମାନେ ଯାହା ପ୍ରକୃତ, ସମ୍ଭବ ବା ସ୍ଵାଭାବିକ, ଯଥାସମ୍ଭବ ତାହା ହିଁ ଗ୍ରାହକ ସମାଜ ସମକ୍ଷରେ ଉପସ୍ଥାପନ କଲେ । ଏପରି କି, କିମ୍ବଦନ୍ତୀମୂଳକ ଓ ଐତିହାସିକ କଥାବସ୍ତୁରେ ବାସ୍ତବତା ଉପେକ୍ଷିତ ହେଲା ନାହଁ ।

 

ଉନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଆଧୁନିକ କଥାସାହିତ୍ୟର କଳାପକ୍ଷ ସଂପର୍କ ରେ ଆମ କଥାକାରମାନଙ୍କର ସ୍ପଷ୍ଟ ଧାରଣା ଥିବାର ବୋଲାଯାଇ ନପାରେ । ଲେଖକ ଲେଖିକାମାନେ ବଙ୍ଗଳା, ଇଂରାଜୀ ଆଦି ଉପନ୍ୟାସର ମଡେଲ୍‌ରେ ଉପନ୍ୟାସ ଲେଖୁଥିଲେ । ଉପନ୍ୟାସର ଲକ୍ଷଣ, ସ୍ଵରୂପ-ପ୍ରକୃତି, ରଚନାରୀତି ଆଦି ବିଷୟରେ ନିର୍ଦ୍ଦିଷ୍ଟ ସୂତ୍ର ପ୍ରବର୍ତ୍ତିତ ହୋଇ ନଥିବାରୁ ଉପନ୍ୟାସ-ରଚନା ବହୁ ପରିମାଣରେ ଅନୁଶାସନ-ନିରପେକ୍ଷ ହୋଇ ରହିଥିଲା; ଏପର୍ଯ୍ୟନ୍ତ ମଧ୍ୟ ସେହି ପରିସ୍ଥିତିର ପରିବର୍ତ୍ତନ ହୋଇ ନାହଁ । ସେହିପରି - ଉପନ୍ୟାସ ଓ କାହାଣୀ, କାହାଣୀ ଓ କ୍ଷୁଦ୍ରଗଳ୍ପ ମଧ୍ୟରେ ଭେଦରେଖା ଥଲା ଶିଥିଳ ଓ ଅସ୍ପଷ୍ଟ । ବିଭିନ୍ନ କାହାଣୀ ବା ବଡ଼ ଗଳ୍ପକୁ ସେତେବେଳେ ଉପନ୍ୟାସ ନାମରେ ଚିହ୍ନିତ କରାଯାଇଥିବାର ପରିଲକ୍ଷିତ ହୁଏ । ଏପର୍ଯ୍ୟନ୍ତ ମଧ୍ୟ କେତେକ ସମୀକ୍ଷକ ବିଭିନ୍ନ କାହାଣୀକୁ କ୍ଷୁଦ୍ରଗଳ୍ପ ଭାବରେ ଆଲୋଚନା କରୁଥିବାର ଦେଖାଯାଏ । ଯାହାହେଉ, କ୍ରମେ ଏ ପ୍ରସଙ୍ଗରେ ଆଲୋଚନା- ଚର୍ଚ୍ଚା ହେବାରୁ ଆମର କଥାକାରମାନେ ଗଳ୍ପ-ଉପନ୍ୟାସର କଳାପକ୍ଷ ସଂପର୍କରେ ସ୍ପଷ୍ଟ ଧାରଣା ଘେନି ଲେଖନୀ ଚାଳନା କରିଛନ୍ତି । ଉପନ୍ୟାସ ସଂପର୍କରେ ‘ଉତ୍କଳ ସାହିତ୍ୟ’, ‘ସତ୍ୟବାଦୀ’ ଆଦି ପତ୍ରିକାରେ ଆଲୋଚନା ପ୍ରବନ୍ଧମାନ ପ୍ରକାଶ ପାଇଛି । ୧୯୦୪ ମସିହାରେ ପ୍ରକାଶିତ ଚନ୍ଦ୍ରଶେଖର ନନ୍ଦଙ୍କର କ୍ଷୁଦ୍ରଗଳ୍ପ ସଂପର୍କରେ ସେହିପରି ଏକ ଆଲୋଚନାରୁ କିୟଦଂଶ ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ଉଦ୍ଧାର କରାଯାଉଛି- ‘‘ଉନ୍ନତ ସାହିତ୍ୟ ସଂସାରରେ କ୍ଷୁଦ୍ରଗଳ୍ପର ଆସନ ଉଚ୍ଚ, ଏକଥା କେହି ଅସ୍ଵୀକାର କରିବେ ନାହିଁ । ନାଟକ, ଉପନ୍ୟାସ ଓ ଆଧ୍ୟାତ୍ମିକ ତତ୍ତ୍ୱପୂର୍ଣ୍ଣ ଦାର୍ଶନିକ ପ୍ରବନ୍ଧର ସଂକଳନ ପରି କ୍ଷୁଦ୍ରଗଳ୍ପର ରଚନା ନିଶ୍ଚୟ ନୈପୁଣ୍ୟସାପେକ୍ଷ ଓ କୃତିତ୍ୱର ପରିଚାୟକ । କ୍ଷୁଦ୍ରଗଳ୍ପକୁ ଅଳୀକ କାହାଣୀ ବୋଲି ହେୟଜ୍ଞାନ କରିବା ନିତାନ୍ତ ଅସଙ୍ଗତ । ଉପନ୍ୟାସ ସହିତ ଏହାକୁ ସମାନ କରିବା ସେହିପରି ନାନା ବୈଚିତ୍ର୍ୟମୟ ଓ ନାନା ସଂଘାତମୟ ଜୀବନର ରାଶି ରାଶି କ୍ଷୁଦ୍ର ଘଟନାମାନଙ୍କର ମନୋହର ଚିତ୍ର କ୍ଷୁଦ୍ରଗଳ୍ପର ଅଙ୍ଗୀଭୂତ ଅଟେ ।

 

‘‘ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣନା କ୍ଷୁଦ୍ରଗଳ୍ପର ଉପଯୋଗୀ ନୁହେଁ । ଉପନ୍ୟାସରେ ଯାହା ବିସ୍ତୃତ ବର୍ଣ୍ଣନାସାପେକ୍ଷ, କ୍ଷୁଦ୍ରଗଳ୍ପରେ ତାହା କେତୋଟି କଥାରେ ଏପରି ସୁନିପୁଣ ଭାବରେ ନିବଦ୍ଧ ହେବା ଉଚିତ୍‌, ଯାହା ପାଠ କଲେ ଶବ୍ଦ ସଙ୍ଗେ ସଙ୍ଗେ ଯୁଗପତ୍ ନାନା ଭାବରାଜିର ଉଦୟ ହେବ । କ୍ଷୁଦ୍ରଗଳ୍ପରେ ଶବ୍ଦବିନ୍ୟାସରେ ମଧ୍ୟ ମହାନୈପୁଣ୍ୟ ପ୍ରକାଶିତ ହେବା ବିଧେୟ । କେତେଗୁଡ଼ିଏ କଥା କେବଳ ଦିଓଟି ଗୋଟିଏ ଶବ୍ଦରେ ପ୍ରକାଶିତ ହୋଇ ତାହାର ସୌନ୍ଦର୍ଯ୍ୟ ବର୍ଦ୍ଧିତ କରେ ।

 

‘‘ଲେଖକ କେତେବେଳେ ସଂପୂର୍ଣ୍ଣ ଅଜ୍ଞାତ ତୃତୀୟ ପୁରୁଷ ପରି ରହିଥାନ୍ତି, କେତେବେଳେ ବା ଚିତ୍ରିତ ପୁରୁଷମାନଙ୍କ ମଧ୍ୟରେ ଜଣକର ସ୍ଥାନ ଅଧିକାର କରିଥାନ୍ତି । କଥୋପକଥନ ଛଳରେ କ୍ଷୁଦ୍ରଗଳ୍ପ ସ୍ଥଳବିଶେଷରେ ରଚିତ ହୋଇଥିବାର ଦେଖାଯାଏ । କିନ୍ତୁ ଏହା ଯେ ସୁନିପୁଣ ଲେଖକର କାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ ।

 

କ୍ଷୁଦ୍ରଗଳ୍ପରେ ପ୍ରକୃତିର ବର୍ଣ୍ଣନା ଅତି ସଂକ୍ଷିପ୍ତ ହେବା ବାଞ୍ଛନୀୟ । ସାହିତ୍ୟ ଜଗତରେ ସଂକ୍ଷିପ୍ତତା ଅତି ଆବଶ୍ୟକ, କ୍ଷୁଦ୍ରଗଳ୍ପରେ ତାହା ଅତ୍ୟନ୍ତ ଉପାଦେୟ । ବାଜେ କଥା କହି ସ୍ଥାନ ପୂରଣ କରିବା କ୍ଷୁଦ୍ରଗଳ୍ପରେ ସର୍ବଥା ଦୂଷଣୀୟ । ** ଅତର୍କିତ ଆରମ୍ଭ ଓ ଆକସ୍ମିକ ପରିସମାପ୍ତି କ୍ଷୁଦ୍ରଗଳ୍ପରେ ସୌନ୍ଦର୍ଯ୍ୟର ମାତ୍ରା ବିଶେଷ ବଢ଼ାଇ ଦିଏ’’ ଇତ୍ୟାଦି । (ସାହିତ୍ୟରେ କ୍ଷୁଦ୍ରଗଳ୍ପ - ଉତ୍କଳ ସାହିତ୍ୟ, ୮ମ ଭାଗ ୧ମ ସଂଖ୍ୟା, ବୈଶାଖ ୧୩୧୧)

 

।। ୨ ।।

 

ଏହି ପରିପ୍ରେକ୍ଷୀରେ ରାଉତରାୟଙ୍କର କଥା ସାହିତ୍ୟ* ସମୀକ୍ଷା କରାଯାଇ ପାରେ । ତାଙ୍କର ‘ଚିତ୍ରଗ୍ରୀବ’ (୧୯୩୬) ଏକ ଅଭିନବ ଗଦ୍ୟ ରଚନା । ଉପନ୍ୟାସର ସାଧାରଣ ପ୍ରଚଳିତ ସଂଜ୍ଞା ଓ ସ୍ଵରୂପ-ପ୍ରକୃତି ଅନୁଯାୟୀ ଏହାକୁ ବିଚାର କଲେ, ଆମେ ନିରାଶ ହେବା । ଏହାର ଆଖ୍ୟାନ-ଭାଗ ଦୁର୍ବଳ; ଉପନ୍ୟାସ-ସୁଲଭ ବିଧିବଦ୍ଧ କଥାବସ୍ତୁ ଓ ଚରିତ୍ର ଚିତ୍ରଣ ଏଥିରେ ଅନୁପସ୍ଥିତ । କଲିକତା ଚାଟାର୍ଜି ଷ୍ଟ୍ରିଟ୍ ମେସ୍‌ରେ ରହୁଥିବା ସୌରୀନ୍ଦ୍ର ମହାନ୍ତି ମୃଗାଙ୍କ ପଟ୍ଟନାୟକ, ଗଗନ ରାୟ ଓ ଗଣେଶ ଭୂୟାଁ ନାମକ ବ୍ୟକ୍ତି - ଚତୃଷ୍ଟୟଙ୍କର ‘ଚତୁରଙ୍ଗ ସଂଘ’ ଗଠନ ଏବଂ ବିଭିନ୍ନ ବିଷୟରେ ଅନ୍ତରଙ୍ଗ ଆଳାପ-ଆଲୋଚନା ଏହାର ପ୍ରଧାନ ଉପଜୀବ୍ୟ । ଏହି ଆଳାପ- ଆଲୋଚନା ମଧ୍ୟରେ ପ୍ରେମବିହ୍ୱଳ କବି ଗଣେଶଙ୍କ ପାଇଁ ଅନ୍ୟ ବନ୍ଧୁମାନେ ଯୋଗମାୟା ଦାସ ନାମ୍ନୀ ଜଣେ କାଳ୍ପନିକ ପ୍ରେମିକା ବ୍ୟବସ୍ଥା କରିବା ଏବଂ ଯୋଗମାୟା ନାମରେ ମିଥ୍ୟା ପ୍ରେମପତ୍ର ଲେଖା କରାଇ ଗଣେଶଙ୍କୁ ଡହଳ-ବିକଳ କରିବା ଉପାଖ୍ୟାନଟି ଏକ ସୂତ୍ର ରୂପେ ଗ୍ରଥିତ ହୋଇଛି । ଯୋଗମାୟା ବାସ୍ତବିକ ଏକ ମାୟା- ଅଳୀକ କଳ୍ପନା । ମଣିଷ ବହୁ ସମୟରେ ଯେଉଁ ସ୍ଵପ୍ନ ଓ କଳ୍ପନାକୁ ଘେନି ବଞ୍ଚେ, ଗଣେଶ ଚରିତ୍ର ମଧ୍ୟରେ ରାଉତରାୟ ତାହା ହିଁ ରୂପାୟିତ କରିଛନ୍ତି । ପରିଣତିରେ ଗଣେଶଙ୍କର ଚମତ୍କାର ସ୍ଵୀକାରୋକ୍ତି - ‘‘ଦେଖ ସୌରୀ, ପ୍ରିୟା ବାହାରେ ନଥାଏ, ପ୍ରିୟା ଥାଏ ମଣିଷର ଅନ୍ତରରେ । ଆପଣା ସତ୍ତାରେ ଯେ ପ୍ରିୟାର ଅଖଣ୍ଡ ସ୍ଵରୂପ ଉପଲବ୍ଧି କରିପାରି ନାହିଁ, ସେ ପ୍ରେମିକ ନୁହେଁ । ନିଜର କଳ୍ପନାର ଆନନ୍ଦରେ ମଣିଷ ସୃଷ୍ଟି କରେ ଆପଣା ପ୍ରିୟାକୁ - ତାରି ମନର ଆଦର୍ଶରେ । ସେଥିପାଇଁ ଯେ ପ୍ରେମିକ, ସେ ସ୍ରଷ୍ଟା । ବାହାରେ ଆମେ ଯାହାକୁ ଖୋଜୁଁ- ଯାହାକୁ ମୁଠା ଭିତରେ ପାଉଁ, ସେ ପ୍ରିୟା ନୁହେଁ । ସେ ପ୍ରିୟାର ହାଡ଼, ତାର ମାଂସ, ତାର ନିଃଶ୍ଵାସ । ପ୍ରିୟାର ଆତ୍ମା ସେଥିରେ ନାହିଁ । କ୍ଷଣିକ ଉପଭୋଗ ପରେ ସେ ମାଂସ ହୁଏ ଶୂକର ମାଂସ ପରି ଯାହାକୁ ଖୋଜୁଁ-ଯାହାକୁ ମୁଠା ଭିତରେ ପାଉଁ, ସେ ପ୍ରିୟା ନୁହେଁ । ସେ ପ୍ରିୟାର ହାଡ଼, ତାର ମାଂସ, ତାର ନିଃଶ୍ୱାସ । ପ୍ରିୟାର ଆତ୍ମା ସେଥିରେ ନାହିଁ । କ୍ଷଣିକ ଉପଭୋଗ ପରେ ସେ ମାଂସ ହୁଏ ଶୂକର ମାଂସ ପରି ଦୁର୍ବହ, ପୁଣି କ୍ଲାନ୍ତିକର । ସେ ନିଃଶ୍ଵାସ ହୁଏ ସାପର ନିଃଶ୍ୱାସ ପରି ତୀବ୍ର ! ନାରୀର ମାଂସ ଯେ ଚାହେଁ, ସେ ହିଂସ୍ର ପଶୁଠାରୁ ମାଂସାଶୀ; କିନ୍ତୁ ନାରୀର ଆତ୍ମା ଯେ ଚାହେଁ, ଏହି ମନ୍ଦିର ଦୁଆରେ ଛିଡ଼ା ହୋଇ ତମେ ତାକୁ ନମସ୍କାର କର ।’’ ସେହି କାଳ୍ପନିକ ପ୍ରିୟା ଓ ଅତୀନ୍ଦ୍ରିୟ ପ୍ରେମର ଜୟଗାନ କରି ଶେଷରେ ଗଣେଶ ରହିଛନ୍ତି - ‘‘ମୁଁ ବଞ୍ଚିବାକୁ ଚାହେଁ । ମୋର ଗୋଟାଏ ଅବଲମ୍ବନ ଲୋଡ଼ା । ଚିତ୍ରଗ୍ରୀବ ପରି ମଣିଷ କେବଳ ଶୂନ୍ୟରେ ବିଚରଣ କରିପାରେ ନାହିଁ । ଟିକିଏ ଉଡ଼ିଲା ପରେ ଡେଣା ତାର ହୋଇଯାଏ ଘୋଳି । ସେ ବାଧ୍ୟ ହୁଏ, ଗୋଟାଏ ବାସ୍ତବ ପଦାର୍ଥ ଉପରକୁ ଓହ୍ଲାଇ ଆସେ ହାଲିଆ ମାରିବାକୁ । ତାର ଚାହି ଶାଖା, ତାର ଲୋଡ଼ା ନୀଡ଼ । ସେ ଡାଳ ମିଥ୍ୟା ହେଉ, ଭଙ୍ଗା ହେଉ, ସେ ସେତେବେଳେ କିଛି ବାଛବିଚାର କରେ ନାହିଁ । ମିଥ୍ୟା ମଧ୍ୟ ବେଳେ ବେଳେ ମଣିଷକୁ ବଞ୍ଚାଏ । ସେହି ମଧୁର ମିଥ୍ୟାଟିକ ମୋର ହରଣ କରି ନିଅ ନା ବନ୍ଧୁ ! ତାହା ମୋତେ ବଳ ଦେଉଛି-ଉଡ଼ିବା ପାଇଁ ନୂତନ ସାହସ ଦେଉଛି ।’’ (ଭାଗ - ସତର)

 

(୧) ଚିତ୍ରଗ୍ରୀବ- ୧୯୩୬, (୨) ମଶାଣିର ଫୁଲ (ଗଳ୍ପଗୁଚ୍ଛ)-୧୯୪୫, (୩) ମାଟିର ଚାଳ (ଗଳ୍ପଗୁଚ୍ଛ)- ୧୯୪୫, (୪) ଛାଇ (ଛାୟାନୂଦିତ ଟଳଗୁଚ୍ଛ)- ୧୯୪୯, (୫) ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ - ୧୯୮୪ ଓ (୬) ନୂତନ ଗଳ୍ପ- ୧୯୯୦

 

ଉପାଖ୍ୟାନ-ସୂତ୍ର କ୍ଷୀଣ; ମାତ୍ର ‘ଚିତ୍ରଗ୍ରୀବ’ର ବନ୍ଧୁ ଚତୁଷ୍ଟୟ ନିଜ ନିଜ ମଧ୍ୟରେ ଯେଉଁ ଆଲୋଚନା-ଚର୍ଚ୍ଚା କରିଛନ୍ତି, ତାହା ଆତ୍ମିକ ଦିଗରୁ ଯେପରି ସମୃଦ୍ଧ, ଆଙ୍କିକ ଦିଗରୁ ସେହିପରି ପ୍ରଭାବଶାଳୀ । ସାହିତ୍ୟ, ଇତିହାସ, ରାଜନୀତି, ଧର୍ମ, ଦର୍ଶନ, ବିଜ୍ଞାନ, ଶିକ୍ଷା, ସଙ୍ଗୀତ, ଚିତ୍ରକଳା, ଏପରିକି ଘୋଡ଼ାଦୌଡ଼ - ଢେଙ୍କିଶାଳରୁ ଢେଙ୍କାନାଳ ଯାଏଁ ବହୁ ବିଭିନ୍ନ ବିଷୟ ତହିଁରେ ଅନ୍ତର୍ତ୍ତୁକ୍ତ । ଆଲୋଚନାର ପ୍ରସଙ୍ଗକ୍ରମରେ ମାର୍କ୍ସ, ଲେନିନ୍‌, ଟଲ୍‌ଷ୍ଟୟ, ଫ୍ରୟଡ଼୍‌, ବର୍ଣାଡ଼ ସ, ରବୀନ୍ଦ୍ରନାଥ, ସିଲର୍‌, ଭିକ୍ଟର ହ୍ୟୁଗୋ ପ୍ରଭୃତି ପୃଥିବୀର ବହୁ ମନୀଷୀ, ଜ୍ଞାନୀ-ଗୁଣୀଙ୍କ ଉକ୍ତି ଓ ମତାଦର୍ଶ ଉପସ୍ଥାପିତ ହୋଇଛି । ପୁଣି, ଅଧିକାଂଶ ବିଷୟରେ ବିଂଶ ଶତାବ୍ଦୀର ତୃତୀୟ ଦଶକ ଯାଏଁ ଉପଲବ୍ଧ ସଦ୍ୟତମ ଜ୍ଞାନ ଓ ଧ୍ୟାନ-ଧାରଣା ଏଥିରେ ଅଭିବ୍ୟକ୍ତି ଲାଭ କରିଛି । ଉଦାହରଣ ସ୍ଵରୂପ- “ଗଗନ ତାର ସିଗାରେଟ୍‌ଟାରେ ନିଆଁ ଲଗାଇ ଦୁଇ ଫୁଙ୍କା ଟାଣି କହିଲା - ହିଟ୍‌ଲର୍‌ଙ୍କ ଅପେକ୍ଷା ମୁସୋଲିନୀଙ୍କର କିନ୍ତୁ ପରମାର୍ଥ ବୁଦ୍ଧି ଅନେକ ବେଶି । ନିକଟରେ ପଣ୍ଡିଚେରୀରୁ ଶ୍ରୀ ଅରବିନ୍ଦଙ୍କର ସମସ୍ତ ଯୋଗସଂକ୍ରାନ୍ତ ବହି ମଗାଇନେଇ ସେ ପ୍ରମାଣ କରିଛନ୍ତି ଯେ - ସେ ଖାଲି ଜଣେ ଜବରଦସ୍ତ ଶ୍ରୀପଞ୍ଚ ନୁହନ୍ତି, ସଙ୍ଗେ ସଙ୍ଗେ ସେ ଜଣେ ତତ୍ତ୍ୱାବାଗୀଶ ବୈରାଗୀ ମଧ୍ୟ !

 

ପୁଣି ଗୋଟାଏ ହସର ଦମକା ଚାରିଆଡ଼େ ଖେଳିଗଲା । ମୃଗାଙ୍କ ବାବୁ କହିଲେ - ହାବ୍‌ସିମାନଙ୍କ ମଡ଼ା ଉପରେ ବସି ତାନ୍ତ୍ରିକ ମତରେ ସେ ଶବସାଧନା କରିବେ ନା କଣ ? ଗଗନ କହିଲା - ନା, ନା, ବିମାନ ପୋତରେ ଖୁବ୍ ଉପରକୁ ଉଠି ବାୟୁମଣ୍ଡଳର ଯେଉଁ ଜାଗାରେ ଭଲ ହାଇଡ୍ରୋଜେନ୍ ମିଳେ, ସେଇଠି ବସି ପ୍ରାଣାୟାମ ସାଧନା କରିବେ । ପୁଣି ଆଟ୍‌ଲାଣ୍ଟିକ୍ ମହାସାଗରର ଯେଉଁ ଜାଗାରେ ଗ୍ରୀଷ୍ମ ଉପଦ୍ରବ ଖୁବ୍ କମ୍‌, ସେଠି ଡେକ୍ ଉପରେ ବସି ସେ ଷଟ୍‌ଚକ୍ରଭେଦ ଏବଂ କୁଣ୍ଡଳିନୀ ମନ୍ତ୍ର ଜପ କରିବେ । ଓ୍ୱାଏର୍‌ଲେସ୍ ସାହାଯ୍ୟରେ ଅରବିନ୍ଦଙ୍କଠୁ ସେ ଶୀଘ୍ର ଯୋଗ ସମ୍ବନ୍ଧୀୟ ଗୁହ୍ୟାତ୍ ଗୁହ୍ୟତରଂ ଲୋକାଚାର ଶୁଣିବାକୁ ବ୍ୟବସ୍ଥା ନ କରି ଛାଡ଼ିବେନି ଦେଖୁଛି ।

 

ଆଇନ୍ ଛାତ୍ରଟି କହିଲେ-ତାଙ୍କ ପାଇଁ ମହାତ୍ମା ଗାନ୍ଧୀଙ୍କୁ କହି ଖଣ୍ଡେ ଖଦଡ଼ ଗୈରିକ ବସନ, ଗୋଟାଏ କମଣ୍ଡଳୁ ଏବଂ ଖଣ୍ଡେ ବ୍ୟାଘ୍ରଛାଲ ପାର୍ସଲ୍ କରି ପଠାଇ ଦେବା ଦରକାର । ଗାନ୍ଧିଜୀଙ୍କ ଉପହାରକୁ ଯେ ସେ ଖୁବ୍ ଖାତିର୍ କରିବେ ଏହା ନିଃସନ୍ଦେହ ।’’ ଇତ୍ୟାଦି । (ଭାଗ - ପାଞ୍ଚ)

 

ଏତେଗୁଡ଼ିଏ ତଥ୍ୟର ଉଲ୍ଲେଖ ଓ ତତ୍ତ୍ୱର ଆଲୋଚନା ଥିଲେ ହେଁ, ଆଲୋଚ୍ୟ ବିଷୟରେ ଏକମୁଖୀନତାର

ଅଭାବ ‘ଚିତ୍ରଗ୍ରୀବ’ରେ ପରିଲକ୍ଷିତ ହୁଏ । ତେଣୁ ଏ ଚମତ୍କାର ଆଲୋଚନା-ଚର୍ଚ୍ଚାର ସାମଗ୍ରିକ ପ୍ରଭାବ ପାଠକ ଉପରେ ପଡ଼ିପାରେ ନାହିଁ । ଏହି ଆଲୋଚନାସବୁର ଲକ୍ଷ୍ୟ କଣ ?- ରାଉତରାୟ କି ଉଦ୍ଦେଶ୍ୟରେ ଚାରିଟି ଚରିତ୍ର ଜରିଆରେ ଏହା କରାଇଛନ୍ତି ?- କେଉଁ ପରିଣାମ ଦିଗରେ ସେ ପାଠକ ସମାଜକୁ ଘେନିଯିବା ପାଇଁ ଚାହାନ୍ତି ?- ସମୁଦାୟ ଗ୍ରନ୍ଥରେ ତାଙ୍କର ନିର୍ଦ୍ଦିଷ୍ଟ ମକ୍ତବ୍ୟଟି କଣ-?- ତାହା ସ୍ପଷ୍ଟ ହୁଏ ନାହିଁ ।

 

ଚାରିଟି ମୁଖ୍ୟଚରିତ୍ର ବ୍ୟତୀତ ‘ଚିତ୍ରଗ୍ରୀବ’ରେ ଶ୍ରମିକନେତାଙ୍କଠାରୁ ଚାକର ଚତୁର୍ଭୁଜ ପର୍ଯ୍ୟନ୍ତ ପ୍ରାୟ ଆଠଗୋଟି ଗୌଣ ଚରିତ୍ରର ସମାବେଶ ହୋଇଛି । କିନ୍ତୁ କି ମୁଖ୍ୟ, କି ଗୌଣ - କୌଣସି ଚରିତ୍ରର ବିକାଶ ବା ବିବର୍ତ୍ତନ ପ୍ରଦର୍ଶିତ ହୋଇ ନାହିଁ । ମୁଖ୍ୟ ଚରିତ୍ର- ଚତୁଷ୍ଟୟର ସାଧାରଣ ପରିଚୟରୁ ଜଣାପଡ଼େ- ସୌରୀନ୍ଦ୍ର ମାର୍କ୍ସଭକ୍ତ, ହେତୁବାଦୀ; ସେ କଲିକତାର ଶ୍ରମିକ- ଆନ୍ଦୋଳନ ସହ ସଂପୃକ୍ତ । ମତାଦର୍ଶ ଦିଗରୁ ଗଗନ, ସୌରୀନ୍ଦ୍ରର ସମଧର୍ମୀ । ସୌରୀଠାରୁ ତାହାର ଏକ ଅଧିକ ଗୁଣ - ସେ କବିତା ଲେଖେ । ମୃଗାଙ୍କ ସମସ୍ତଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ; ସେ ବିବାହିତ, ଏକ ବୀମା କଂପାନୀର କିରାଣୀ, ଧାନଧାରଣାରେ ଟିକିଏ ରକ୍ଷଣଶୀଳ । ଗଣେଶ ପ୍ରେମବିହ୍ୱଳ କବି, ମତାଦର୍ଶରେ ଭାବବାଦୀ । ତେଣୁ ପରସ୍ପର ମଧ୍ୟରେ ଆଲୋଚନା- ଚର୍ଚା କାଳରେ ସୌରୀ-ଗଗନ ଯୋଡ଼ି ବରାବର ମୃଗାଙ୍କ-ଗଣେଶ ଯୋଡ଼ି ସହିତ ବିତର୍କ-ଦ୍ୱନ୍ଦ୍ୱରେ ଆସିଥିବାର ଦେଖାଯାଏ । ସାମାଜିକ ବ୍ୟାପାର ସମୂହକୁ ମୃଗାଙ୍କ-ଗଣେଶ ଯୋଡ଼ି ଭାବବାଦୀ ଦୃଷ୍ଟିକୋଣରୁ ଦେଖିଥିଲା ବେଳେ, ସୌରୀ-ଗଗନ ଯୋଡ଼ି ବସ୍ତୁବାଦୀ ଓ ହେତୁବାଦୀ ମନୋଭଙ୍ଗୀରୁ ବିଚାର କରିଛନ୍ତି ।

 

‘ଚିତ୍ରଗ୍ରୀବ’ର ଶୈଳୀଗତ ବୈଶିଷ୍ଟ୍ୟ ବିଶେଷ ଉଲ୍ଲେଖଯୋଗ୍ୟ । ସକଳପ୍ରକାର ତଥ୍ୟ ଓ ତତ୍ତ୍ୱକୁ ବିଦଗ୍ଧ ଭଙ୍ଗୀରେ କହିବାରେ-ରସିକତାରେ ପ୍ରକାଶ କରିବାରେ ରାଉତରାୟଙ୍କର କୃତିତ୍ୱ ଗ୍ରନ୍ଥର ମୂଳରୁ ଚୂଳଯାଏଁ ଲକ୍ଷ୍ୟ କରାଯାଏ । ଶ୍ଳେଷ, ବ୍ୟଙ୍ଗ, ବକ୍ରୋକ୍ତି ଆଦି ପ୍ରୟୋଗରେ ଗ୍ରନ୍ଥ-ଗର୍ଭିତ ଅଧିକାଂଶ ଆଲୋଚନା ସ୍ମିଗ୍ଧମଧୁର । ତାହା ଫଳରେ ବିଭିନ୍ନ ଗୁରୁଗମ୍ଭୀର ବିଷୟ ଯେପରି ପ୍ରାଞ୍ଜଳ ଓ ମନୋରଞ୍ଜକ ହୋଇଛି, ଲଘୁ ତରଳ ବିଷୟ ସେହିପରି ପ୍ରଭାବଶାଳୀ ଓ ଆକର୍ଷଣୀୟ ହୋଇ ପାରିଛି । ଏହାର ବହୁ ଦୃଷ୍ଟାନ୍ତ ମଧ୍ୟରୁ ଗୋଟିଏ ଯୋଡ଼ିଏ ଏଠାରେ ଉଦ୍ଧାର କରାଯାଉଛି ।

 

‘‘ଗଣେଶ ବାବୁ - ଏଇ ବର୍ଷା ଯେ ମୋତେ ଅସ୍ଥିର କରିଛି ସୌରୀ ! ପ୍ରୋଦ୍‌ଭିନ୍ନ କଦମ୍ବର ସୁଗନ୍ଧ ବହିଆସି ମୋ ପ୍ରାଣଟାକୁ ଉଚ୍ଚାଟ କରିଦେଉଛି । ନ୍ୟଗ୍ରୋଧ ତରୁର ମସୃଣ ପତ୍ରବିଭା ମୋତେ ପ୍ରିୟାର କାନ୍ତି ପରି ଜଣାଯାଉଛି ।

 

ସୌରୀ ଗମ୍ଭୀର ହୋଇ କହିଲା-ଏ ସବୁ ଭାବପ୍ରବଣତା ଭଦ୍ରଲୋକଙ୍କ ପକ୍ଷରେ ଶୋଭନୀୟ ନୁହେଁ । ମେଘକୁ ଦେଖି ମୂର୍ଚ୍ଛା ଯିବା, ବର୍ଷାକୁ ଦେଖି ବାନ୍ତି କରିବା, ଚନ୍ଦ୍ରକୁ ଦେଖି ପ୍ରିୟା-ପ୍ରିୟା ବୋଲି ଡାକ ପାରିବା, ଏସବୁ କେବଳ କାବ୍ୟଲୋକରେ ଶୋଭାପାଏ । ଜୀବନର ବାସ୍ତବ ଭୂଇଁର ସୈନିକ ଯେଉଁମାନେ, ସେମାନେ ଏସବୁ ରୋମାଣ୍ଟିସିଜମ୍‌ରୁ ଦୂରରେ ରହିବା ଉଚିତ-। ଏହା ଜଡ଼ତା, ଏହା କ୍ଳାନ୍ତି, ଏହା ତନ୍ଦ୍ରା, ଏହା ନିଷ୍କ୍ରିୟତା । ଏହା ସରୀସୃପର ସ୍ଥବିରତା ।’’ (ଭାଗ - ପନ୍ଦର)

 

ସେହିପରି -

‘‘ମାନବ ! ମାନବ ! ମାନବ !!! ଦୁନିଆର ସବୁଠାରୁ ବଡ଼, ସବୁଠାରୁ ସତ୍ୟ ସେ । ସୟତାନ ଓ ଦେବତାର ମିଶ୍ରିତ ସହଯୋଗରୁ ସେ ଉଦ୍ଭବ । ସେ ଏକାଧାରରେ ଡାକ୍ତର, ଓକିଲ, ପୁଣି ମିଷ୍ଟର ହାଇଡ଼ । ପ୍ରତିକ୍ରିୟାଶୀଳ ଆଦର୍ଶବାଦର ମିଷ୍ଟ ପ୍ରଲୋଭନରେ ସେ ଯେପରି ନ କରେ ନିଜର ଜାଗ୍ରତ ମନୁଷ୍ୟତ୍ୱର ଅପମାନ-ନିଜର ଶୁଭ୍ର ଚେତନାର ଅବମାନନା ! ଏହା ହିଁ ମୋର ଚରମତମ ପରମତମ କାମନା । ମଣିଷ ଜୀବନାକାଶର ମୁକ୍ତ ବିହଙ୍ଗମ । ସେ ଗତିଚଞ୍ଚଳ ପ୍ରାଣର ବିଭା-ଶକ୍ତିର ଭ୍ରାମ୍ୟମାନ ପକ୍ଷ । ସେ ରୁଦ୍ରର ପିଙ୍ଗଳ ଜଟାଭ୍ରଷ୍ଟ ବିଭୂତି ! କିନ୍ତୁ ଆଜି ସେ ଧରାଶାୟୀ, ଶକ୍ତିହୀନ, ସାମର୍ଥ୍ୟହୀନ, ମେରୁଦଣ୍ଡହୀନ !! ଉତ୍ତାପର ପ୍ରାଚୁର୍ଯ୍ୟରେ, ସର୍ବ ଆଚ୍ଛନ୍ନକାରୀ ମହାକ୍ଷୁଧାର ବିରାମବିହୀନ ହାହାକାରରେ ସେ ଚିର ଅଶାନ୍ତ, ଚିତ୍ତ ଅସ୍ଥିର, ଚିର ଉଦ୍‌ଭ୍ରାନ୍ତ । ସେ ରୂଦ୍ର ! ସେ ମହାକାଳର ଶିଂଘା ! ସେ ଆଗାମୀ ଚିନ୍ତାଧାରାର ପ୍ରତୀକ ! ସେ ଅନାଗତର ସୂଚନା ! ସେ ଭବିଷ୍ୟତର ଭୂମିକା !’’ (ଭାଗ-ଅଠର) ଧରଣର ଲେଖା । ବାସ୍ତବିକ ଏପରି ଲିଖନଶୈଳୀ ଆଜିଯାଏଁ କୌଣସି ଓଡ଼ିଆ ଲେଖକ ଆୟତ୍ତ କଲାପରି ଜଣାଯାଏ ନାହିଁ । ଲେଖକ ଅନେକ ଗୁଡ଼ିଏ ବହି ପଢ଼ିଛନ୍ତି ବୋଲି ତାଙ୍କ ଲେଖାରେ ପରିଷ୍କାର ଦେଖାଇ ଦେଇଛନ୍ତି । ଲେଖକ ତରୁଣ, ତେଣୁ ଯାହା ପଢ଼ିଛନ୍ତି, ତାହା ସଂପୂର୍ଣ୍ଣ ଆୟତ୍ତ କରିପାରି ନାହାନ୍ତି । ସଚ୍ଚିବାବୁଙ୍କର ଲେଖାର ଭବିଷ୍ୟତ୍ ଭଲ ଏବଂ ଏଭଳି ଲେଖା ଓଡ଼ିଶାରେ କ୍ରମେ ଆଦର ପାଇବ ନିଶ୍ଚୟ ।’’ (ନବଭାରତ ତୃତୀୟବର୍ଷ, ପ୍ରଥମ ସଂଖ୍ୟା)

 

‘ଚିତ୍ରଗ୍ରୀବ’ କି ପ୍ରକାର ଉପନ୍ୟାସ ? ସାଧାରଣ ପ୍ରଚଳିତ ସଂଜ୍ଞା ଓ ସ୍ଵରୂପ-ପ୍ରକୃତି ଅନୁଯାୟୀ ଏହା ଠିକ୍ ଉପନ୍ୟାସ ପର୍ଯ୍ୟାୟଭୁକ୍ତ ହୋଇ ନ ପାରେ । ଏଥିରେ ପ୍ରବନ୍ଧର ଗାମ୍ଭୀର୍ଯ୍ୟ ରହିଛି; ଗବେଷଣା-ପ୍ରବନ୍ଧ ଭଳି ଗ୍ରନ୍ଥ ମଧ୍ୟରେ ବିଭିନ୍ନ ଆଲୋଚ୍ୟ ବିଷୟର ପାଦଟୀକା ବାରମ୍ବାର ସ୍ଥାନିତ ହୋଇଛି । ପୁଣି, ଏଥିରେ ରମ୍ୟରଚନାର ସ୍ଵାଦ ତଥା କବିତାର ଭାବାବେଗ ମଧ୍ୟ ମିଳିଥାଏ-। ତଥାପି ଏହା ଉପନ୍ୟାସ ନାମରେ ଚିହ୍ନିତ ହେଉଛି କାହିଁକି ? କ୍ଷୀଣ ଓ ଶିଥିଳ ଭାବରେ ହେଲେ ବି ଏହାର ଏକ ଆଖ୍ୟାନ-ଭାଗ ରହିଛି- କିଛି ଚରିତ୍ର ଆବିଷ୍କୃତ ହୋଇଛି । ତେଣୁ ଉପନ୍ୟାସ ରଚନାରେ ଏହା ଏକ ନୂତନ ପରୀକ୍ଷା-ଏକ ଅକୁତୋଭୟ ଅଭିକ୍ରିୟା । ଏହାକୁ ‘ଅଣ-ଉପନ୍ୟାସ’ ବା ଆଣ୍ଟି-ନଭେଲ୍ (Anti- Novel) ବୋଲାଯାଇ ପାରେ । ଏହା ପାରଂପରିକ ଉପନ୍ୟାସ-ରଚନାରୀତି ଭାଙ୍ଗି କେବଳ ଲେଖକର କିଛି ବକ୍ତବ୍ୟ ବା ଆଭିମୁଖ୍ୟ ପ୍ରଭାବଶାଳୀ ଭଙ୍ଗୀରେ ଉପସ୍ଥାପନ କରିଥାଏ । ଇଂରାଜୀରେ ଯାହା ଆଣ୍ଟି-ନଭେଲ, ଫରାସୀରେ ତାହା ‘ନିଉ ନଭେଲ୍‌’ (New Novel Nouveau roman) *। ଚଳିତ ଶତାବ୍ଦୀର ପଞ୍ଚମ ଦଶକରେ ଆଲେନ ରବ୍-ଗ୍ରିଲେ (୧୯୨୨), ନାଥାଲି ସାରାଉଟ୍ (୧୯୨୦) ପ୍ରମୁଖ ଫରାସୀ କଥାକାର ପ୍ରଥମେ ଏହି ଉପନ୍ୟାସ- ରଚନାରୀତି ପ୍ରବର୍ତ୍ତନ କରିଥିଲେ । କିନ୍ତୁ ଏହାର ପ୍ରାୟ ଗୋଟିଏ ଦଶକ ପୂର୍ବରୁ ରାଉତରାୟ ସେହି ଉପନ୍ୟାସ- ଶୈଳୀରେ ହାତ ପାକଳ କରିଥିଲେ । ଆମର ସାହିତ୍ୟ- ଇତିହାସରେ ଏହା ଏକ ଉଲ୍ଲେଖନୀୟ ବିଷୟ । ଏଥିରୁ ରାଉତରାୟଙ୍କର ମୌଳିକତା ଓ ସାହିତ୍ୟିକ ଦୂରଦୃଷ୍ଟିର ପରିଚୟ ମଳିଥାଏ ।

 

।। ୩ ।।

 

ଚିତ୍ରଗ୍ରୀବ’ର ଅଭିନବ ଉପନ୍ୟାସ ରଚନା ଶୈଳୀର ପ୍ରବର୍ତ୍ତନ କରିଥିଲା ପରି ରାଉତରାୟ ନିଜର ଗଳ୍ପସୃଷ୍ଟିରେ ମଧ୍ୟ କିଛି ନୂତନ ପରୀକ୍ଷା-ନିରୀକ୍ଷା କରିଛନ୍ତି । ତାଙ୍କ ପୂର୍ବରୁ ଆମ ସାହିତ୍ୟରେ ସାମାଜିକ ବାସ୍ତବତା, ଏପରି କି ବ୍ୟାଖ୍ୟାତ୍ମକ ବାସ୍ତବତା (Critical Realism) ଭିତ୍ତିରେ କଥାସାହିତ୍ୟ ସୃଷ୍ଟି ହୋଇଥିଲା । ଫକୀର ମୋହନ, କୁନ୍ତଳା କୁମାରୀ ପ୍ରମୁଖଙ୍କର ଗଳ୍ପ-ଉପନ୍ୟାସରେ ତାହାର ଉଦାହରଣ ମିଳେ । କିନ୍ତୁ ସମାଜବାଦୀ ବାସ୍ତବତା ବା Realistic Realism ଆମ କଥା ସାହିତ୍ୟରେ ପ୍ରାୟ ଅନୁସୃତ ହୋଇ ନ ଥିଲା । ୧୯୧୭ ମସିହାରେ ସୋଭିଏଟ୍ ଇଉନିୟନ୍ ଜନ୍ମ ନେଲା ପରେ ସେଠାରେ ବୁର୍ଜୋୟା କଳାସାହତ୍ୟଠାରୁ ଭିନ୍ନ ‘ପ୍ରୋଲେଟ୍‍ କଲ୍ଟ୍‍’ ବା ପ୍ରୋଲିଟେରିୟାନ୍ ନଲଚର୍ ସାଂସ୍କୃତିକ ବିପ୍ଳବର ଆଭିମୁଖ୍ୟ ଭାବରେ ଗୃହୀତ ହେଲା । ସମାଜବାଦୀ ବାସ୍ତବତା ସେହି ପ୍ରୋଲେଟ୍ କଲ୍ଟ୍‌ରହିଁ ରଣଧ୍ଵନି ବା ଘୋଷଣାନାମା । ଏହି ଆଭିମୁଖ୍ୟ ଘେନି ରଚିତ ଗଳ୍ପ- ଉପନ୍ୟାସରେ ବଳିଷ୍ଠ ସାମାଜିକ ଅଙ୍ଗୀକାର ସହିତ ଗଭୀର ଆଶାବାଦ ସ୍ଥାନ ପାଇଥାଏ-ଜୀବନ ଓ ସମାଜ ପ୍ରତି କ୍ରାନ୍ତିକାରୀ ଅସ୍ତିବାଚକ ଦୃଷ୍ଟିକୋଣ ପ୍ରକଟିତ ହୋଇଥାଏ । ରାଉତରାୟ ‘ଚିତ୍ରଗ୍ରୀବ’ ଉପନ୍ୟାସରେ ହେତୁବାଦ, ସାମାଜିକ ବାସ୍ତବତା, ମାର୍କ୍ସବାଦ ପ୍ରଭୃତି ବିଷୟର ଆଲୋଚନା କରିଥିଲା ବେଳେ, ଆପଣା ଗଳ୍ପ ସୃଷ୍ଟିରେ ବ୍ୟାଖ୍ୟାତ୍ମକ ବାସ୍ତବତା ସହିତ ଏହି ସମାଜବାଦୀ ବାସ୍ତବତାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟଖ୍ୟାତ୍ମକ ବାସ୍ତବତା ଭିତ୍ତିରେ ରଚିତ ତାଙ୍କର ‘ବିସର୍ଜନ’, ବାସ୍ତବତାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟାଖ୍ୟାତ୍ମକ ବାସ୍ତବତା ଭିତ୍ତିରେ ରଚିତ ତାଙ୍କର ‘ବିସର୍ଜନ’, ‘ରିକ୍ସାବାଲା’, ‘ଆଙ୍ଗୁଠି’, ‘ଅନ୍ଧାରୁଆ’ ପ୍ରଭୃତି ଗଳ୍ପରେ ଶୋଷଣ-ପୀଡ଼ନର ଚିତ୍ର ସହିତ ତାହାର କାରଣ ସ୍ଵରୂପ ଅନ୍ଧବିଶ୍ଵାସ, ଧର୍ମଭୟ, ଜାତିଭେଦ, ପୁରୋହିତ ପ୍ରଥା, ଶ୍ରେଣୀ ବୈଷମ୍ୟ, ସାମନ୍ତବାଦୀ ମନୋବୃତ୍ତି ପ୍ରଭୃତି ଉପସ୍ଥାପିତ ହୋଇଛି । ଏହା କେବଳ ସ୍ଥିତାବସ୍ଥାର ଚିତ୍ର, ସ୍ଥିତି-ଅତିକ୍ରାନ୍ତ ବିକାଶଶୀଳ ଚିତ୍ର ନୁହେଁ । କିନ୍ତୁ ରାଉତରାୟଙ୍କର ‘ତୃଣ’, ‘ଗଳ୍ପ ନୁହେଁ’, ‘ରାଜା ରାଣୀ ଓ କୁକୁର’ ପ୍ରଭୃତି ଗଳ୍ପ ସମାଜବାଦୀ ବାସ୍ତବତା ଭିତ୍ତିରେ ରଚିତ । ତୃଣଗୁଚ୍ଛ ଜନଗଣଙ୍କ ଶକ୍ତିର ପ୍ରତୀକ । ତୃଣ ସାମାନ୍ୟ ଓ ତୁଚ୍ଛାତିତୁଚ୍ଛ ହୋଇପାରେ; କିନ୍ତୁ ଗଳ୍ପ ମଧ୍ୟରେ ପ୍ରଦର୍ଶିତ ହୋଇଥିବା ପ୍ରକାରେ ତାହା ଏକ ଯୁଦ୍ଧଶିବିର ଏବଂ ତହିଁରେ ଥିବା ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର, ସୈନ୍ୟବାହିନୀକୁ ଧ୍ୱଂସ କରିଦେଇପାରେ । ରାଉତରାୟଙ୍କ ଭାଷାରେ-ଏ ସୃଷ୍ଟିରେ ‘ଅଛି ଅନନ୍ତ ଶକ୍ତି ଏବଂ ଅନନ୍ତ ପ୍ରାଣର ଚେତନାତରଙ୍ଗ’। ତାକୁ ଜାଗ୍ରତ କରିବା ପାଇଁ ଖଣ୍ଡିଆ ଜଳନ୍ତା ସିଗାରେଟ୍‌ର ଅଗ୍ନିକଣାଟିଏ ମାତ୍ର ଆବଶ୍ୟକ ।

 

ସେହିପରି ‘ରାଜା ରାଣୀ ଓ କୁକୁର’ ଗଳ୍ପରେ ରାଜା-ପ୍ରଜାଙ୍କର ଶ୍ରେଣୀସଂଘର୍ଷର ଚିତ୍ର ସୁପରିସ୍ଫୁଟ ଏବଂ ସେହି ସଂଘର୍ଷରେ ପ୍ରଜାମଣ୍ଡଳର ଜୟଲାଭ ସୂଚିତ । କଲିକତାରେ ନିର୍ବାସିତ ରାଜାରାଣୀ, ରେସିଡେଣ୍ଟଙ୍କ ପରାମର୍ଶରେ ନିଜ ଗଡ଼କୁ ବାହୁଡ଼ିବେ; ତହିଁରେ କିନ୍ତୁ ପ୍ରଜାମାନଙ୍କର ସମର୍ଥନ ନାହିଁ । ପ୍ରଜାମାନେ ରାଜ-ବାହୁଡ଼ାକୁ ପ୍ରତିରୋଧ କରିବା ପାଇଁ ପ୍ରସ୍ତୁତ । ସେମାନେ ଚାହାଁନ୍ତି - ‘‘ବ୍ୟିକ୍ତିଗତ ଭାବରେ ଆମେ ରାଜା-ରାଣୀଙ୍କର ସୁଖ ଓ ଶାନ୍ତି କାମନା କରୁଁ । ସେମାନେ ବାହାରେ କିମ୍ବା ରାଜ୍ୟ ଭିତରେ ଦୁନିଆର ଆଉ ପାଞ୍ଚଜଣ ମଣିଷଙ୍କ ଭଳି ସୁଖଶାନ୍ତିରେ ରହନ୍ତୁ ! ସେଥିରେ କାହାରି କିଛି କ୍ଷତି ନାହିଁ । କିନ୍ତୁ ଶାସନ କଳ ପ୍ରଜାହାତକୁ ଆସିବ ହିଁ ଆସିବ । ଏହା ଧ୍ରୁବସତ୍ୟ । ଆମେ ପ୍ରଜାଶାସନ ଚାହୁଁ । ଶୀଘ୍ର ହୁଏତ ପୁଣି ଲଢ଼େଇ ଡାକରା ଆସିବ ।’’ ଗଳ୍ପ ନୁହେଁ’ ସଂପୂର୍ଣ ଭିନ୍ନ ସ୍ଵାଦର । ଏଥିରେ ଅମିତାଭ ଚରିତ୍ରର ବ୍ୟକ୍ତିତ୍ୱରେ କବି ଓ କର୍ମୀର ସଂପର୍କ ପ୍ରଦର୍ଶିତ ହୋଇଛି । କବି ଭାବରେ ଅମିତାଭ ଯେପରି ରୋମାଣ୍ଟିକ୍ ଓ ମୀରାପ୍ରତି ପ୍ରେମପ୍ରବଣ, କର୍ମୀଭାବରେ ସେହିପରି ବିଦ୍ରୋହୀ ଓ ବସ୍ତୁବାଦୀ । ମୀରା ସହ ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ସେ କଲିକତାରୁ କଟକ ପଳାଇ ଆସିଛି । କବି ଓ କର୍ମୀର ଦ୍ୱନ୍ଦ୍ୱରେ କର୍ମୀର ହିଁ ଜୟ ହୋଇଛି । ବିଦାୟ ଲଗ୍ନରେ ଅମିତାଭ ମୀରାକୁ କହିଛି- ‘‘ଯେଉଁଠି ମତର ଐକ୍ୟ ଅଛି, ଯେଉଁଠି କମରେଡ୍‌ସିପ୍ ଅଛି, ଯେଉଁଠି ଜାଣିଶୁଣି ପଥ-ନିର୍ବାଚନ କରିନେବାର ଯୋଗ୍ୟତା ଓ କ୍ଷମତା ଅଛି, ସେଠିକା କଥା ଅଲଗା । କିନ୍ତୁ ତମେ ତ ସଚେତନ ନୁହେଁ ମୀରା ! ତମେ ମୋତେ ଭଲ ପାଇଚ ମତ ବା ପଥର ଆକର୍ଷଣରେ ନୁହେଁ । ଗୋଟାଏ ଅର୍ଦ୍ଧଚେତନ ଭାବପ୍ରବଣତା ଆଉ ସେଣ୍ଟିମେଣ୍ଟ୍‌ର ସ୍ଵପ୍ନରେ ଅନ୍ଧ ହୋଇ ଏତେ ବଡ଼ ବାସ୍ତବତାକୁ ଭୁଲିଗଲେ, ସେ ନିଶ୍ଚୟ ଦିନେ ପ୍ରତିଶୋଧ ନେବ । ବାସ୍ତବତାର କଠିନ ବାଲୁକାପ୍ରାନ୍ତରରେ ତମର ଏ ସ୍ଵପ୍ନର ଲହରୀ ଧକ୍କାଖାଇ କେତେ ଦିନ ତିଷ୍ଠି ପାରିବ ? × × × ପ୍ରେମ ଖାଲି ସେଣ୍ଟିମେଣ୍ଟ୍ ନୁହେଁ, ତାହା ଅପେକ୍ଷା ଢେର୍ ବଡ଼ । ମୋ ପଥ ତମ ପାଇଁ ନୁହେଁ । ତାହା ତମେ ସହ୍ୟ କରିପାରିବ ନାହିଁ । ମୋରି ପରି ହତଭାଗା ଆଉ ଅଲକ୍ଷଣାର ଦଳ ସେଇ ପଥର ଚିରନ୍ତନ ଯାତ୍ରୀ । ତମର ଯେଉଁ ପଥ ସଙ୍ଗେ ଜମାରୁ ପରିଚୟ ନାହିଁ, ମୋ ପାଇଁ ସେ ପଥରେ ଗୋଡ଼ ବଢ଼ାଇଥିଲେ, ଭାଙ୍ଗି ପଡ଼ିଥାନ୍ତ ସିନା, ଚାଲିପାରି ନ ଥାନ୍ତ ।’’

 

ମନସ୍ତାତ୍ତ୍ୱିକ ଗଳ୍ପ ରଚନାରେ ରାଉତରାୟ ବେଶ୍ ଧୁରୀଣତା ପ୍ରକାଶ କରିଛନ୍ତି । ତାଙ୍କର ଅଧିକାଂଶ ଗଳ୍ପରେ ପାତ୍ରପାତ୍ରୀଙ୍କର ଉଭା ଦିଗଠାରୁ ପୋତା ଦିଗର ପ୍ରଦର୍ଶନ ହୋଇଛି ଭଲ ଭାବରେ-ଚରିତ୍ର ସମୂହର ବହିରଙ୍ଗ ଚିତ୍ର ଅପେକ୍ଷା ଅନ୍ତରଙ୍ଗ ଚିତ୍ର ଅଙ୍କିତ ହୋଇଛି ଅଧିକ ନିପୁଣତା ସହକାରେ । ଏଠାରେ ଏହା ଉଲ୍ଲେଖନୀୟ ଯେ- ସେତେବେଳକୁ ମନୋବିଜ୍ଞାନ ବିକାଶ ଲାଭ ପୂର୍ବକ ଚିକିତ୍ସା, ସାହିତ୍ୟ, ଚିତ୍ରକଳାଦି କ୍ଷେତ୍ରରେ ନିଜର ପ୍ରତୁଳ ପ୍ରଭାବ ପକାଇବାରେ ଲାଗିଥିଲା । ରାଉତରାୟ ଏ ବିଷୟରେ କେବଳ ଅବହିତ ନଥିଲେ, କିଛି ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ । ତାଙ୍କର ‘ମଶାଣିର ଫୁଲ’, ‘ଅନ୍ଧାରୁଆ’, ‘ମଲାକଇଁ’, ‘ମାଟିର ତାଜ’ ପ୍ରଭୃତି ଗଳ୍ପରୁ ଏହାର ପ୍ରମାଣ ମିଳିଥାଏ । ଆପଣା ପାପଗର୍ଭ ନଷ୍ଟ କରାଇବାକୁ ଯାଇ ପ୍ରାଣ ହରାଇଥିବା ଜଟିଆ ମା- ବହୂର ଶବ ସତ୍କାର କଲାବେଳେ ତାହାର ନାକଗୁଣାଟି ନେବା ପାଇଁ ଜଗୁତିଆଡ଼ିର ମାନସିକ ଆଲୋଡ଼ନ, ଗୋହତ୍ୟା ପାପରେ ଗରିବ ଚାଷୀ ପହଲି ପଧାନର ଅନ୍ଧବିଶ୍ୱାସ- ଜନିତ ମାନସିକ ଦ୍ୱନ୍ଦ୍ୱ, ପ୍ରେମିକ-ପ୍ରେମିକା ଲୋଚନା-ସୁନ୍ଦରୀଙ୍କର ସାନ ସାନ କଥାରେ ରାଗରୁଷା, ମାନ ଅଭିମାନରୁ ହୃଦୟ-ମନ୍ଥନ, ସ୍ଵାମୀଠାରୁ ତଲାକ୍ ଘେନି ବାପଘରକୁ ପଳାଇ ଆସିଲା ପରେ ଅମିନାର ଆପଣା ପୂର୍ବ ପ୍ରେମିକ ମଦନା ତଥା ତାହାର ସ୍ତ୍ରୀ ଗୁରୁବାରୀକୁ ଘେନି ମାନସିକ ବିକ୍ଷୋଭ ଏହି ଗଳ୍ପଗୁଡ଼ିକ ମଧ୍ୟରେ ଚମତ୍କାର ଭାବରେ ଦର୍ଶାଇ ଦିଆଯାଇଛି । ବିଚାରୀ ଅମିନାର ମନୋବିକଳନର ଚିତ୍ର ଦୃଷ୍ଟାନ୍ତ ରୂପେ ଏଠାରେ ଉଦ୍ଧାର କରାଯାଇପାରେ - ‘‘ଅମିନା ନିଜ ଘରେ କାହା ସାଙ୍ଗେ ପଟେ କଜିଆ ନଗେଇ ସାରିଲାଣି । ଖାଲି ସେତିକି ନୁହେଁ, କଜିଆ କରୁ କରୁ ସେ କୁଆଡ଼େ ବେହୋସ୍ ହୋଇ ତଳେ ପଡ଼ିଗଲା । କେତେ କ’ଣ ବାଉଳି ଚାଉଳି ହେଲା । ସାଦି ହବାର ବର୍ଷ ଗୋଟାଏ ଭିତରେ ଅମିନାର ଯେ କାହିଁକି ଏମିତି ଚିଡ଼ିଚିଡ଼ା ପ୍ରକୃତି ହୋଇଗଲା, ସେ କଥା ମଦନା ଜମା ଠଉରାଇ ପାରିଲା ନାହିଁ । xxx ସମସ୍ତଙ୍କ ଅପେକ୍ଷା ମଦନା ଭାରିଯା ଗୁରୁବାରୀ ଉପରେ ଅମିନାର ଭାରି ରାଗ । ତା’ ସାଙ୍ଗରେ କଜିଆ ନଗେଇ ତାକୁ ପରସ୍ତେ ମନ ପୂରାଇ ଗାଳିଗୁଲଜ ଦବା ପାଇଁ ସେ ଯେମିତି ସବୁବେଳେ ବାର ଆଳ ଖୋଜି ବୁଲୁଥାଏ । ସେ ଦିନ ଅମିନାର କୁକୁଡ଼ାଟା ମଦନା ଘରକୁ କିମିତି ବାଡ଼ ତଳେ ଗଳି ପଳାଇ ଆସିଥିଲା । ଏଇ କଥାକୁ ନେଇ ଅମିନା ଗୁରୁବାରୀର ଚଉଦପୁରୁଷକୁ ଖୋଜି ତାଡ଼ି ଥୋଇଦେଲା । ×× କାହାରି ସାଙ୍ଗରେ ଝଟାପଟା କଜିଆ ନଗାଇଲା ବେଳେ ଅମିନାର ନୁଗାପଟା, ଘରବାହାର କିଛି ଜ୍ଞାନ ରହେ ନାହିଁ । ସେ ଅଣନିଃଶ୍ଵାସୀ ହେଇ ନିଜକୁ ଏକପ୍ରକାର ଭୁଲିଯାଏ । ସେଦିନ ଗୁରୁବାରୀ ସାଙ୍ଗରେ କଜିଆ କରୁ କରୁ ଅମିନା ବେଦମ ହେଇଯାଇ ବେହୋସ ହୋଇ ତଳେ ପଡ଼ିଗଲା । ହାତଗୋଡ଼ ଅଠା ଅଠା ହୋଇଗଲା । ତାର ଗୋରା ମୁହଁଟା କାଳିଆ ଦିଶିଲା । ××× ଏହାର କିଛି ଦିନ ପରେ ଅମିନା ଦିନେ ବେହୋସ ହୋଇ ତଳେ ପଡ଼ିଗଲା । ବେହୋସ ହୋଇ ସେ ଖାଲି ଅନବରତ ପ୍ରଳାପ କରିବାକୁ ଲାଗିଲା । ତା ସ୍ଵାମୀ ଆଉ ଗୁରୁବାରୀ ବିରୁଦ୍ଧରେ ସେ କେବଳ ପ୍ରଳାପର ବିଷ ବାନ୍ତି କରିବାକୁ ଲାଗିଲା । ଗୁରୁବାରୀକୁ ଯେ ସେ ଖୁଣ୍ କରିବାକୁ ଚାହେଁ, ଆଉ ତା ସ୍ୱାମୀକୁ ଜାହାନ୍ନାମକୁ ପଠେଇବାକୁ ଚାହେଁ, କେବଳ ଦିନ ତମାମ୍ ସେ ଏଇଭଳି ଗର୍ଜନ କରିବାକୁ ଲାଗିଲା।’ (ମାଟିର ତାଜ)

 

ଯେଉଁ ଟ୍ରାଜିକ୍ ଓ ଦୁଃଖମୟ ବିଭାବ ଆମର ଆଧୁନିକ କଥାସାହିତ୍ୟରେ ବିକାଶ ଲାଭ କରିଥିଲା, ତାହା ରାଉତରାୟଙ୍କ ଗଳ୍ପସୃଷ୍ଟିରେ ବହୁଗୁଣିତ ହୋଇଥିବାର ଲକ୍ଷ୍ୟ କରାଯାଏ । ବ୍ୟକ୍ତି ତଥା ସମାଜ-ଜୀବନର ନାନା ଗ୍ଲାନି, ପରାଜୟ, ନିରାଶା, ବିଫଳତା, ବିଷାଦ, କାରୁଣ୍ୟ, ବେଦନା ଓ ଦୁଃଖଶୋକ ତାଙ୍କର ଅଧିକାଂଶ ଗଳ୍ପରେ ରୂପାୟିତ ହୋଇଛି । ଫଳରେ ମଣିଷର ବିଚିତ୍ର ବ୍ୟକ୍ତିତ୍ୱକୁ ଚିହ୍ନିବା-ଜୀବନର ବହୁମୁଖୀ ବିଭାବ ବିଷୟରେ ଅବହିତ ହେବା ପାଠକସମାଜ ପକ୍ଷରେ ସହଜ ଓ ସୁକର ହୋଇଛି । ‘ବିସର୍ଜନ’ ଗଳ୍ପରେ ବସ୍ତିନେତା ମିଶ୍ରଙ୍କ ଶଯ୍ୟାସଙ୍ଗିନୀ ହୋଇ ପରେ ଉପେକ୍ଷିତା ଓ ମୃତ ପୁତ୍ରର ଶୋକରେ ବିଧୁରା ଅଇଁଠା ମାଆର ବିଡ଼ମ୍ବିତ ଜୀବନର କାରୁଣ୍ୟ- ‘ରଜାପୁଅ’ ଗଳ୍ପରେ ଭାରତ ଲୀଳାରେ ରାଜକୁମାର ଭୂମିକାର ଅଭିନେତା ନକୁଳା, ମାଣିକକୁ ଘେନି ଦେଖିଥିବା ସ୍ଵପ୍ନ ସହିତ ସାହୁକାର - ଅତ୍ୟାଚାର ଓ ବସନ୍ତ ରୋଗରେ ତା ଜୀବନର ଦୁଃଖମୟ ପରିଣତି- ‘କେହି ନୁହେଁ’ ଗଳ୍ପରେ କଲିକତା- ପ୍ରବାସୀ କୁଞ୍ଜିଆର ଦାମ୍ପତ୍ୟ ଜୀବନର ବେଦନା ଓ ବିଫଳତା, ‘ସାକ୍ଷୀ’ ଗଳ୍ପରେ ମିଥ୍ୟା ସାକ୍ଷ୍ୟ ଦେଇ ଆପଣା ସାଇକେଲ୍‌-ଚୋର ବଇଜୁ ସାମଲକୁ ଚୋରି ଅପରାଧରୁ ଖଲାସ କରିଦେବାରେ ଜିନତାନ ସାହୁ ମନର ବିକ୍ଷୋଭ ଓ ବିଷାଦ- ‘ପଣ୍ଡିତଙ୍କ ମୃତ୍ୟୁ’ ଗଳ୍ପରେ ମୂଲିଆଣୀ ଜାନକୀ ସହ ମୃତଦାର ବିଶ୍ଵମ୍ଭର ନନ୍ଦଙ୍କ ଯୌନସଂପର୍କ ସ୍ଵପୁତ୍ର ସନାତନ ଦ୍ୱାରା ଧରା ପଡ଼ିଯିବାରେ ନୀତିନିଷ୍ଠ ନନ୍ଦଙ୍କର ଆତ୍ମଗ୍ଲାନି ଓ ପରିଶେଷରେ ମୃତ୍ୟୁ- ‘ରଙ୍ଗଲତା’ ଗଳ୍ପରେ ପ୍ରତିଦ୍ୱନ୍ଦ୍ୱୀ ଦୁଇ ସମୁଦୀଙ୍କ ବାସ୍ ଯୋଡ଼ିକର ଦୁର୍ଘଟଣା- ଜନିତ ଶୋଚନୀୟ ପରିଣତି ପ୍ରଭୃତି ଏହାର ଉଜ୍ଜ୍ୱଳ ଉଦାହରଣ । ଏପରିକି ଛାୟାବଲମ୍ବନରେ ଲିଖିତ ରାଉତରାୟଙ୍କର ‘ଅଦୃଶ୍ୟକ୍ଷତ’, ‘ସାତଟଙ୍କା ଛ’ ଅଣା’, ‘କାଳ୍ପନିକ’ ଓ ‘ବାଦସାହା’ ଗଛଗୁଡ଼ିକରେ ନରନାରୀଙ୍କ ଜୀବନର ଟ୍ରାଜିକ୍ ଓ ବେଦନାବିଧୁର ଚିତ୍ର ପ୍ରଭାବଶାଳୀ ରୀତିରେ ଅଙ୍କିତ ହୋଇପାରିଛି ।

 

ଗ୍ରାମୀଣ ପରିବେଶ ଓ ସରଳ ସ୍ଵାଭାବିକ ଜୀବନ-ଯାତ୍ରା ପ୍ରତି ଦରଦ ଓ ଭାବାବେଗ ରାଉତରାୟଙ୍କର କେତେକ ଗଳ୍ପରେ ସୁପରିସ୍ଫୁଟ । ନିଜର ବାଲ୍ୟ ଓ କିଶୋର ଜୀବନ ରାଉତରାୟ ମୁଖ୍ୟତଃ ପଲ୍ଲୀ-ପରିବେଶରେ ଅତିବାହିତ କରିଥିଲେ । ସେହି ପଲ୍ଲୀପରିବେଶର ସ୍ନିଗ୍ଧମଧୁର ସ୍ମୃତି ତଥା ଗ୍ରାମୀଣ ଜୀବନର ଅଭାବ ଅସୁବିଧା, ଅନ୍ୟାୟ ପୀଡ଼ନ ପ୍ରତି ସଂବେଦନା ପୂର୍ବରୁ ତାଙ୍କର ବିଭିନ୍ନ କବିତାରେ (୧୯୪୧ରେ ସେଗୁଡ଼ିକ ‘‘ପଲ୍ଲୀଶ୍ରୀ’ କାବ୍ୟ ସଞ୍ଚୟନରେ ସଂକଳିତ) ପ୍ରକାଶ ପାଇଥିଲା । ପରେ ତାଙ୍କର ବିଭିନ୍ନ ଗଳ୍ପରେ ତାହାରି ସ୍ପଷ୍ଟ ମୁଦ୍ରାଙ୍କ ପରିଲକ୍ଷିତ ହୁଏ । ତାଙ୍କର ‘ମଲାକଇଁ’ ‘ମାଙ୍କଡ଼’, ‘ଗୋଧି’, ‘ପଦ୍ମବୀଜ’ ପ୍ରଭୃତି ଗଳ୍ପରେ ସେହି ନଷ୍ଟାଲ୍‌ଜିକ୍ (Nostalgic) ଭାବାବେଗ ଜୀବନ୍ତ ଭାବରେ ପ୍ରକଟିତ ହୋଇଛି । ଦୃଷ୍ଟାନ୍ତ ସ୍ୱରୂପ - ଅରଖପୁର ଗାଁରେ ‘‘ସେଦିନ ଅଚ୍ୟୁତ ଗୋସେଇଁଙ୍କ ଜନ୍ମତିଥି । ଖୁବ୍ ଜୋର୍‌ରେ ଧୁନି ଲାଗିଥାଏ । ଭଜନ ଚାଲିଥାଏ ଘମାଘୋଟ-। ଦୀପରୁ ତେଲ ସରିଗଲେ ପୁଣି ଟିକିଏ ତେଲ ଢଳା ଯାଉଥାଏ । ମଣ୍ଡଳୀ ଭିତରେ ଚିଲମ ବୁଲୁଥାଏ । ହାତମୁଠା ସନ୍ଧିରେ ଗୋଟାଏ ଗୋଟାଏ ଟାଣ୍ ଦେଇ ଜଣେ ଆଉ ଜଣକ ହାତକୁ ଚିଲମ ବଢ଼ାଇ ଦେଉଥାଏ । ସମସ୍ତଙ୍କ ଆଖି ଧୂସରରୁ ଲାଲ ହୋଇ ଆସିଲାଣି । ସଂସାର ଶୂନ୍ୟମଣ୍ଡଳ ପରି ପ୍ରତେ ହେଉଛି । ତା’ରି ଭିତରେ ବାବା ବୁଝାଉଥାନ୍ତି ଲାଲ ଲାଲ ଆଖିକୁ ବିସ୍ଫାରିତ କରି, ତିନି ନାଡ଼ୀର ରହସ୍ୟ । ଇଡ଼ା, ପିଙ୍ଗଳା, ଶିଶୁମୁନା ଭିତରେ ପବନ ଚାଳନା କରି ମୂଳାଧାରରେ ଶୋଇଥିବା କୁଣ୍ଡଳିନୀ ସାପକୁ କିମିତି ଉଠାଇବାକୁ ହୁଏ - କିମିତି ତାକୁ ଉର୍ଦ୍ଧ୍ୱକୁ ଚାଳନା କରିବାକୁ ହୁଏ ।’’ (ଗୋଧି) ସେହିପରି-‘‘ଗାଁର ସେଇ ପଦ୍ମପୋଖରୀ । ତିନିଟାଯାକ କୂଳରେ ଘନ ପଦ୍ମଫୁଲ ଓ କଇଁଫୁଲର ଲଟାଦଳ ଭର୍ତ୍ତି । XX ପୋଖରୀରେ ମାଛ ଅପେକ୍ଷା ଜୋକ ବେଶି । ଥରେ ଖୁଦୁରୁକୁଣୀ ଓଷାରେ ବନ ଅପା କହିଲା ପଦ୍ମଫୁଲ ଆଣି ଦେବାକୁ ହେବ । ମୋର ମନେ ପଡ଼ିଲା ସାପୁଆ କେଳାର ଗୀତ -

 

ପଦ୍ମାବତୀ ରାଣୀ କଂସର ଘରଣୀ କରିଛି ଧନତ୍ରୀ ଓଷା

ଲକ୍ଷ ଭାର ପଦ୍ମ ଦେବୁରେ କହ୍ନାଇ ପାଖୁଡ଼ା ନଥିବ ମିଶା ।

 

ସବୁ ବାହାଦୁରି ନିଜେ ନେବା ପାଇଁ ମୁଁ କାହାକୁ କିଛି ନ କହି ଭୂଷ୍‌କିନା ପାଣିରେ ପଶିଗଲି । ଦଳରେ ଗୋଡ଼ ଛନ୍ଦି ହୋଇ ଗଲାଣି, ମୋର ହୋସ ନାଇଁ । କିଛି ପଦ୍ମଫୁଲ ତୋଳି ବେକରେ ପକାଇଛି ହଠାତ୍ ମୋ ଦିହସାରା ଜଳି ଉଠିଲା । କିଏ ଯେମିତି ନିଆଁ ଚେଙ୍କି ଦେଲା ପରି ଲାଗିଲା । ମନେ ହେଲା ଦିହସାରା କିଏ ଯେମିତି କାମୁଡ଼ି ଧରିଛି । ମୁଁ ଅସହ୍ୟ ଯନ୍ତ୍ରଣାରେ ପାଟି କଲି । ହାଉ-ହାଉ କରି ଉପରକୁ ଉଠିଆସି ଦେଖେତ ଗୋଡ଼ ହାତ, ବେକ, ଛାତି, ପିଠି, ଗାଲ ସବୁଠିଁ ପନ୍ଦରଟା କି କୋଡ଼ିଏଟା ଜୋକ ଲାଖି ରହିଛନ୍ତି । ମୋ ରକ୍ତ ଝୁଣିବାରେ ଲାଗିଛନ୍ତି।’’ (ପଦ୍ମବୀଜ)

 

ଜଣେ ବହୁପାଠୀ ବ୍ୟକ୍ତି ଭାବରେ ରାଉତରାୟ ବିଶ୍ଵର ବିଭିନ୍ନ ସାହିତ୍ୟର ଗଳ୍ପ-ଉପନ୍ୟାସମାନ ପାଠ କରିଥିଲେ । ତହିଁରୁ ଚେଖଭ୍‌, ଗୋର୍କିଙ୍କ ଭଳି କେତେକ ବିଖ୍ୟାତ ଲେଖକଙ୍କର କେତୋଟି ଗଳ୍ପର ସେ ଛାୟାନୁବାଦ କରିଛନ୍ତି; ସେଗୁଡ଼ିକ ‘ଛାଇ’ ଗଳ୍ପ-ସଞ୍ଚୟନରେ ଏକତ୍ର ସ୍ଥାନିତ ହୋଇଛି । ଚଳିତ ଶତାବ୍ଦୀର ଚତୁର୍ଥ ଦଶକ ପର୍ଯ୍ୟନ୍ତ ଆମ ସାହିତ୍ୟରେ ଅଣ-ଓଡ଼ିଆ ଗଳ୍ପ-ଉପନ୍ୟାସର ଅନୁବାଦ-ଅନୁସରଣ ପ୍ରକାଶ ଅତ୍ୟନ୍ତ ଊଣା ଥିଲା । ସେହି ପରିସ୍ଥିତିରେ ରାଉତରାୟଙ୍କର ଏହି ଛାୟାନୂଦିତ ଗଳ୍ପଗୁଡ଼ିକ ଆମର ପାଠକ ସମାଜକୁ ନୂତନ ସ୍ଵାଦ ଆଣିଦେଇଥିଲା । ରାଉତରାୟଙ୍କ ଲେଖନୀରେ ଏହି ଅଣ-ଓଡ଼ିଆ ଗଳ୍ପଗୁଡ଼ିକର ଉତ୍କଳୀକରଣ ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ଗଳ୍ପଗୁଡ଼ିକ ମଧ୍ୟରେ କଟକ, ଯାଜପୁର ଆଦି ଘଟଣା-ସ୍ଥଳ ଓ ସ୍ଥାନୀୟ ପରିବେଶର ଚିତ୍ର ରହିଛି ଏବଂ ଚରିତ୍ର ଗୁଡ଼ିକର ରେଣୁ, ଗଣପତି ପ୍ରଭୃତି ଓଡ଼ିଆ ନାମକରଣ ହୋଇଛି ।

 

‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ସଞ୍ଚୟନର ପୂର୍ବାଭାସରେ ରାଉତରାୟ ଉଲ୍ଲେଖ କରିଛନ୍ତି - ‘‘ଆଧୁନିକ ଗଳ୍ପ ପ୍ରାୟ ଗଳ୍ପହୀନ ଏବଂ କେତେକାଂଶରେ କାବ୍ୟଧର୍ମୀ । ଆଧୁନିକ ଗଳ୍ପକୁ ପ୍ରତୀକୀ ମଧ୍ୟ କୁହାଯାଇ ପାରେ । ପ୍ରତ୍ୟେକଟି ଗଳ୍ପ ଗୋଟିଏ ଗୋଟିଏ ପ୍ରତୀକରେ ପରିଣତ ହୋଇ ପାରିଲେ ହିଁ ସାର୍ଥକତା ଲାଭ କରେ ।’’ ଏହି ଉକ୍ତିଗୁଡ଼ିକ ରାଉତରାୟଙ୍କ ନିଜର କଥାସାହିତ୍ୟ ସୃଷ୍ଟି ପ୍ରତି ଉଣାଧିକେ ପ୍ରଯୋଜ୍ୟ । ‘ଚିତ୍ରଗ୍ରୀବ’ର କ୍ଷୀଣ ଆଖ୍ୟାନ ମୂଳକତା ବିଷୟ ପୂର୍ବରୁ ଆଲୋଚିତ ହୋଇଛି । ରାଉତରାୟ ଯେପରି ‘ଗୋଧୂଳିର ଆତ୍ମା’ ଭଳି ଗଳ୍ପହୀନ ଗଳ୍ପ ଲେଖିଛନ୍ତି, ସେହିପରି ଲେଖିଛନ୍ତି ‘ରଙ୍ଗଲତା’, ‘ବାଗର୍ଥ’ ଭଳି ଘଟଣାପ୍ରଧାନ ଗଳ୍ପ । ‘ଅସ୍ତରାଗ’, ‘ସୂର୍ଯ୍ୟଙ୍କ ସପ୍ତାଶ୍ୱ’ ଭଳି ପ୍ରତୀକଧର୍ମୀ ଗଳ୍ପ, ତଥା ‘ସହସ୍ରଶଯ୍ୟାର ନାୟିକା’ ଭଳି କାବ୍ୟଧର୍ମୀ ଗଳ୍ପ ମଧ୍ୟ ଲେଖିଛନ୍ତି । ଗଳ୍ପ ରଚନାରେ ସେ ଯାହା ଯେପରି ପରୀକ୍ଷା-ନିରୀକ୍ଷା କରିଥାଆନ୍ତୁ ପଛକେ, ତାଙ୍କର ପ୍ରାୟ ପ୍ରତ୍ୟେକ ଗଳ୍ପରେ କିଛି-ନା-କିଛି ବକ୍ତବ୍ୟ, ମାନସିକ ପ୍ରବଣତା ବା ସମାଜ ପ୍ରତି ଅଙ୍ଗୀକାର ସ୍ପଷ୍ଟ ଲକ୍ଷ୍ୟ କରିହୁଏ ।

 

ରାଉତରାୟଙ୍କର ଅଧିକାଂଶ ଗଳ୍ପ କ୍ଷୁଦ୍ରଗଳ୍ପ - ଶ୍ରେଣୀର । ‘ତୃଣ’, ‘ବାଗର୍ଥ’ ଭଳି କାହାଣୀ ସେ ଖୁବ୍‌ କମ୍ ଲେଖୁଛନ୍ତି । କ୍ଷୁଦ୍ରଗଳ୍ପ-ସୁଲଭ ଜୀବନ ଓ ସମାଜର ଖଣ୍ଡାଂଶ-ଚିତ୍ର ଓ ଭାବର ଏକମୁଖୀନତା ସହିତ ବାହୁଲ୍ୟବର୍ଜିତ ବର୍ଣ୍ଣନା ଓ ଚରିତ୍ରାୟନ ତାଙ୍କର ଅଧିକାଂଶ ଗଳ୍ପ ଗଳ୍ପରେ ପରିଲକ୍ଷିତ ହୁଏ । ପ୍ରଭାବବାଦୀ (Impressionistic) ଶୈଳୀ ରାଉତରାୟ ଆପଣା ଗଳ୍ପରଚନାରେ ଅନେକତ୍ର ବ୍ୟବହାର କରିଛନ୍ତି । ବ୍ୟଞ୍ଜନା ଓ ବକ୍ରୋକ୍ତିରେ ସେ ବହୁ ସ୍ଥଳରେ ନିଜର ବକ୍ତବ୍ୟକୁ ରସୋତ୍ତୀର୍ଣ୍ଣ କରାଇ ପାରିଛନ୍ତି ।

 

କଥାସାହିତ୍ୟର ଭାଷା-ବିନ୍ୟାସରେ ରାଉତରାୟଙ୍କ କୃତିତ୍ୱ ବାରି ହୋଇପଡ଼େ । ମୋଟାମୋଟି ଭାବରେ ଦେଖିଲେ, ଆପଣା ଗଳ୍ପ-ଉପନ୍ୟାସରେ ସେ ସଂସ୍କୃତାନୁଗ ଭାଷା ସହିତ ସାଧାରଣ ଲୋକପ୍ରଚଳିତ ଭାଷାର ସମନ୍ଵୟ ସାଧନ କରି ପାରିଛନ୍ତି । ପୁଣି, ଘଟଣା, ପରିସ୍ଥିତି ଓ ଚରିତ୍ରର ଆବଶ୍ୟକତା ଅନୁଯାୟୀ ଭାଷା-ପ୍ରୟୋଗରେ ରୂପଭେଦ ସେ ପ୍ରାୟ ସର୍ବତ୍ର ଅନୁସରଣ କରିଛନ୍ତି । ଗ୍ରାମୀଣ ପରିବେଶ ଚିତ୍ରଣରେ ଆଞ୍ଚଳିକ ଗାଉଁଲି ଭାଷା, ଗୁରୁଗମ୍ଭୀର ତତ୍ତ୍ୱ ବା ତଥ୍ୟ ଆଲୋଚନାରେ ଇଂରାଜୀ-ସଂସ୍କୃତାଦି ଶବ୍ଦ ବା ବାକ୍ୟମିଶା ଶୁଦ୍ଧ ମାର୍ଜିତ ଭାଷା, ଏବଂ ଇସଲାମୀ ଓ ଖ୍ରୀଷ୍ଟିୟାନ୍ ଜୀବନ ଚିତ୍ରଣରେ ଯଥାକ୍ରମେ ଉର୍ଦ୍ଦୁ ଓ ଇଂରାଜୀ ଶବ୍ଦ ବା ବାକ୍‌ଭଙ୍ଗୀ ସମନ୍ୱିତ ଭାଷା ସେ ସଫଳତାର ସହିତ ବ୍ୟବହାର କରିଛନ୍ତି । ଉଦାହରଣସ୍ଵରୂପ-ଗୁରୁଗମ୍ଭୀର ଆଲୋଚନାର ଭାଷା - ‘‘ଜୀବନ ଗୋଟାଏ ଅବିଚ୍ଛିନ୍ନ ଗତି । ଜୀବନକୁ ପରିବର୍ତ୍ତନଶୀଳ କରିବା ଠିକ୍ ନୁହେଁ । ପରିବର୍ତ୍ତନ ମାନେ କଣ ? ଯାହା ହୋଇଛି ତହିଁରେ କିଛି ନୂଆ ଦେଖିଲେ, ଆମେ କହୁଁ ପରିବର୍ତ୍ତନ । କିନ୍ତୁ ଜୀବନ ଏପର୍ଯ୍ୟନ୍ତ କିଛି ହୋଇନି । ତାହା ବରାବର ହେଉଛି । ତାହା ଗୋଟାଏ ଅସଂପୂର୍ଣ୍ଣ ପ୍ରଣାଳୀ; ପ୍ରତି ମୁହୂର୍ତ୍ତରେ ତାହା କ୍ରମଶଃ ପରିପୂର୍ଣ୍ଣତାର ଅବସ୍ଥାଆଡ଼କୁ ଗତି କରୁଛି । ତାହା ଗୋଟାଏ Unceasing becoming । -ଗତିତତ୍ତ୍ୱର ବ୍ୟାଖ୍ୟାନ ମଝିରେ ତା ମୁହଁରେ ଗୋଟାଏ ସାତ୍ତ୍ୱିକ ନିରାମିଷ ଭାବର ଛାୟା କଲ୍ଲୋଳିତ ହୋଇ ଉଠେ । ଦିନେ ଦିନେ ସୌରୀର ଏହି ଗୁରୁଗମ୍ଭୀର ଶାଙ୍କର ଭାଷ୍ୟ ଶ୍ରୋତୃମଣ୍ଡଳୀର ନିତାନ୍ତ ଅଖାଦ୍ୟ ହୋଇ ଉଠିଲେ, ସେ ଶାସ୍ତ୍ରୀୟ ଗବେଷଣା ଛାଡ଼ି ହଠାତ୍ ଏପରି ଗୋଟିଏ ମଧୁର ଆଲୋଚନାର ଅବତାରଣା କରେ ଯାହା ତାର ନିସ୍ତେଜ ଶ୍ରୋତାମାନଙ୍କ ମଧ୍ୟରେ ପୁଣି ତୀବ୍ର କ୍ଷୁତ୍‌ପିପାସାର ଉଦ୍ରେକ କରିଦିଏ ।’’ (ଚିତ୍ରଗ୍ରୀବ, ଭାଗ - ଏକ)

 

ଇସଲାମୀ ଚରିତ୍ର ଓ ପରିବେଶ ଚିତ୍ରଣରେ ଉର୍ଦ୍ଦୁମିଶା ଭାଷା- ‘‘ଅମିନାର ମୃତଦେହକୁ ପଶ୍ଚିମ ଦିଗକୁ ମୁହଁ

ବୁଲାଇ ଶୁଆଇ ଦିଆଗଲା । ତା’ପରେ ତାକୁ ୱାଜ୍ କରାଇ ନମାଜ ପଢ଼ି, ତାବୁତ୍‌ରେ ଶୁଆଇ କବର ଭୂଇଁକୁ ନିଆଗଲା । ଅମିନାର ଆତ୍ମାର ସଦ୍‌ଗତି ପାଇଁ ମୌଲବୀ ସାହେବ ମସ୍‌ଜିଦ୍ ସାମନାରେ ଜେନାଜା ପଢ଼ିଲେ - ଶୁଭନକା ଆଲମ ହୁମା ବହା ମଜିକା ୱଜ୍ଜଲା ସନାଉକା...’’ (ମାଟିର ତାଜ)

 

ଆଞ୍ଚଳିକ ଗାଉଁଲି ଭାଷା - ‘‘ଦି ସମୁଦି ବେଗି ବେଗି ଚାଲିଛନ୍ତି ବସ୍ ଧରିବାକୁ । ଭୁବନେଶ୍ୱର ଯିବେ । ବଡ଼ ସମୁଦି ଆଗରୁ ପାଟି କରୁଛନ୍ତି: ବେଇକି ବେଇକି ଆସ ହେ । ବାସୁ ଫିଟିଯିବ ହେ । ପଛରୁ ସାନ ସମୁଦି ଜବାବ ଦେଉଛନ୍ତି : ଯାଉଚିତ କିସ କରିବି ହେ । ପାଣ୍ଢେଇ ଯୋଡ଼ାକ ଛାଡ଼ି ଆଇଲି ହେ । xxx ସାନ ସମୁଦି କହିଲେ : ଦଶୁଟା ଅଧରେ ପହଞ୍ଚିଯିବାର ଏକା । ଫାଷ୍ଟୁ ଆୱାରରେ ଆଣ୍ଡାର ସେକ୍ରେଟାରୀକୁ ଭେଟିବାର । ମାତ୍ରକ ଆଗରୁ ଯାଇ ଜଗିବାର ହେ । ବଡ଼ ସମୁଦି ପଚାରିଲେ : ଆଣ୍ଡାର ସେକ୍ରେଟାରୀ କିସ ହେ ? ଜବାବ ମିଳିଲା: ଏତିକି ଜାଣିନା ସମୁଦିଏ, ସେକ୍ରେଟାରୀର ସମାନ ତଳୁଟା ଏକା ।’’ (ରଙ୍ଗଲତା)

 

କିଛି ବଙ୍ଗଳା ଶବ୍ଦ ଓ ବାକ୍‌ଭଙ୍ଗୀ ରାଉତରାୟଙ୍କ କଥା ସାହିତ୍ୟରେ ଲକ୍ଷ୍ୟ କରାଯାଏ । ଏହା ବୋଧହୁଏ ଛାତ୍ରାବସ୍ଥା ଓ କର୍ମଜୀବନରେ ତାଙ୍କର ଦୀର୍ଘକାଳ କଲିକତା- ପ୍ରବାସର ଫଳ । କିନ୍ତୁ ଗଳ୍ପ- ଉପନ୍ୟାସରେ ଏହି ଅଯଥା ପ୍ରଭାବ ସ୍ପୃହଣୀୟ ମନେ ହୁଏ ନାହିଁ । ‘ଭୟ ପାଇବା’ କଥାଟି ରାଉତରାୟ ଆପଣା ଉପନ୍ୟାସ ଓ ଗଳ୍ପରେ ବାରମ୍ବାର ପ୍ରୟୋଗ କରିଛନ୍ତି । ଏହା ଓଡ଼ିଆ ପ୍ରୟୋଗ ନୁହେଁ । ସେହିପରି-ଅଫୁରନ୍ତ, ହାବୁଡ଼ୁବୁ ଖାଇବା, ହାଂପେଇ ଉଠିବା, ଆଁକଡ଼ି ଧରିବା, ପରିହାସ ଏତେଦୂର ଗଡ଼ାଇବ ପ୍ରଭୃତି ବଙ୍ଗଳା ଶବ୍ଦ ଓ ବାକ୍‌ଭଙ୍ଗୀ ଆମ ଭାଷାରେ ଗ୍ରହଣୀୟ ହୋଇ ପାରିବ କି ? ଏଗୁଡ଼ିକର ଓଡ଼ିଆ ପ୍ରତିଶବ୍ଦ ବା ବାକ୍‌ଭଙ୍ଗୀ କଣ ନାହିଁ ?

 

ଇ- ୧, ଉତ୍କଳ ଆପାର୍ଟମେଣ୍ଟସ୍ କଲ୍ୟାଣୀନଗର କଟକ

 

***

 

କଥାକାର ବୈଷ୍ଣବଚରଣ : ଜୀବନ ଓ ସାହିତ୍ୟ

ଡକ୍ଟର ମନୀନ୍ଦ୍ର ମହାନ୍ତି

।। ଏକ ।।

 

ସମୟର ସ୍ରୋତ ‘‘ଅତୀତ’ରୁ ‘‘ବର୍ତ୍ତମାନ’ ଦେଇ ‘ଭବିଷ୍ୟତ’କୁ ପ୍ରବାହିତ ହୋଇଚାଲେ । ‘ଅତୀତ’ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କେତେକ ସମୟରେ ‘ବର୍ତ୍ତମାନ’ରେ ‘ଅତୀତ’ର ଲୋଡ଼ା ପଡ଼ିଥାଏ । କାରଣ, ସେତେବେଳେ ଏହି ‘ଅତୀତ’ଟି ମୂଲ୍ୟବାନ ହୋଇ ପଡ଼ିଥାଏ, ବୈଶିଷ୍ଟ୍ୟମଣ୍ଡିତ ହୋଇ ପଡ଼ିଥାଏ । ‘ଅତୀତ’ର ଏହି ବିନ୍ଦୁ’ଟି ‘ବର୍ତ୍ତମାନ’ ଓ ‘ଭବିଷ୍ୟତ’କୁ ମଧ୍ୟ ପ୍ରଭାବିତ କରି ଦେଇଥାଏ । ଏହିପରି ‘ଅତୀତ’ର ଏକ ବିନ୍ଦୁ ହେଲା-କଥାକାର ବୈଷ୍ଣବ ଚରଣ ଦାସ ।

 

ଏବେ ସମୟ କଡ଼ ମୋଡ଼ିଛି । ପଛକୁ ପେରିବା ପାଇଁ ଏକ ପରିବେଶ ସୃଷ୍ଟି ହୋଇଛି । ଓଡ଼ିଆ ସାହିତ୍ୟରେ ଉପନ୍ୟାସ, ଗଳ୍ପ, କବିତା, ନାଟକ ବିଭାଗରେ ବହୁଦିନରୁ ଲେଖନୀଚଳାଇ ବେଶ୍ ସୁଖ୍ୟାତି ଲାଭ କରିଥିଲେ ମଧ୍ୟ ସମୟ ଯେପରି ତାଙ୍କୁ ପାଶୋରି ପକାଇଥିଲା ! ମାତ୍ର ଏବେ ଅତୀତର ବିସ୍ମୃତିଗର୍ଭରୁ ବୈଷ୍ଣବ ରଚଣ ଦାସଙ୍କୁ ଉଧାର କରିବା ପାଇଁ ‘ବର୍ତ୍ତମାନ’ର ସମୟସ୍ରୋତ ଯେପରି ଶତତ ସକ୍ରିୟ ହୋଇଉଠିଛି ! ଆଶ୍ଚର୍ଯ୍ୟର କଥା, ଏହି ସ୍ମରଣୀୟ ଅତୀତର ଏହି ସ୍ମରଣୀୟ ବିନ୍ଦୁ ଏପର୍ଯ୍ୟନ୍ତ କିପରି ବିସ୍ମରଣୀୟ ହୋଇ ରହିଥିଲା ? ଏଥିପାଇଁ ଦାୟୀ କିଏ ? ଓଡ଼ିଆ ଭାଷା ଓ ସାହିତ୍ୟର ସମାଲୋଚକ, ଗବେଷକ, ପାଠକ ନା ବଂଶଧର ? ତାଙ୍କ ମୃତ୍ୟୁର ଦୀର୍ଘ ୩୨ ବର୍ଷ ପରେ ତାଙ୍କରି ଜନ୍ମମାଟିରେ, ତାଙ୍କରି ଭାଷା ଓ ସାହିତ୍ୟରେ ଏବେ ତାଙ୍କର ସ୍ମୃତିଚାରଣ ଆରମ୍ଭ ହୋଇଛି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ ! (୧) ଏହି ଦୀର୍ଘ ବତିଶ ବର୍ଷର ନୀରବତା ତାଙ୍କୁ ଅନ୍ଧକାରର ଗହ୍ଵରକୁ ଅଧିକ ଠେଲିଦେଇଛି । ମାତ୍ର ପ୍ରତିଭା ପାଖରେ ଏହି ବିସ୍କୃତିର ଅନ୍ଧକାର ହାର ମାନିଯାଏ । ଆଜି ତାହାହିଁ ହେଉଛି । ସମୟର କୁଲାରେ ପାଛୁଡ଼ା ହେବାପରେ ବୈଷ୍ଣବ ଚରଣଙ୍କ ପରି କେତୋଟି ଚାଉଳ କୁଣ୍ଡାସାଂଗରେ ଉଡ଼ି ନଯାଇ ରହିଯାଇଛି ।

 

ଏପର୍ଯ୍ୟନ୍ତ ବୈଷ୍ଣବ ଚରଣ ଦାସଙ୍କ ପୂର୍ଣ୍ଣାଙ୍ଗ ଜୀବନୀଗ୍ରନ୍ଥର ସଂଗ୍ରହ ଓ ରଚନା ତ ଦୂରର କଥା, ଏକ ସ୍ଵତନ୍ତ୍ର ଆଲୋଚନାଟିଏ ମଧ୍ୟ ଲେଖାଯାଇ ପାରି ନାହିଁ । ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକରେ ବୈଷ୍ଣବ ଚରଣ କମା ବା କୋତୋଟି ବାକ୍ୟ ମଧ୍ୟରେ ସୀମିତ ହୋଇ ରହିଛନ୍ତି । ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ପ୍ରଥମ ଔପନ୍ୟାସିକଙ୍କ ଅବସ୍ଥା ଏପରି ଶୋଚନୀୟ ହୋଇ ପଡ଼ିଛି ଭାବିଲେ, ମନରେ ସ୍ୱତଃ ଲଜ୍ଜା ଓ ସଂକୋଚ ଯାତ ହୁଏ । ଏଣୁ, ତାଙ୍କ ଜୀବନ ଓ ସାହିତ୍ୟକୃତି ପ୍ରସଂଗରେ ଏକ ପରିଚୟାତ୍ମକ ସୂଚନା ପ୍ରଦାନ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ।

 

ମସିହା -୧୮୯୯

ମାସ - ସେପ୍ଟେମ୍ବର

ତାରିଖ - ଦଶ

ବାର - ରବିବାର

ସମୟ - ରାତି ଆଠଘଣ୍ଟା ୩୬ ମିନିଟ୍

 

ଠିକ୍ ଏହି ସମୟରେ ବାଲେଶ୍ଵର ଜିଲ୍ଲାର ଭଦ୍ରକ ସହରସ୍ଥ ବଙ୍କ ସାହି ଗ୍ରାମରେ ପ୍ୟାରୀମୋହନ ପଟ୍ଟନାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ ସାରଦା ଦେବୀଙ୍କ ଗର୍ଭରୁ କଥାକାର ବୈଷ୍ଣବ ଚରଣଙ୍କ ଜନ୍ମ । ପ୍ୟାରୀମୋହନଙ୍କ ଇଚ୍ଛାରେ ତାଙ୍କ ପିଲାମାନେ ଭଗବାନଙ୍କ ‘ଦାସ’ ବା ‘ସେବକ’ ଭାବରେ ପରିଚିତ ହେଲେ । ଏଣୁ ତାଙ୍କର ଚାରିପୁତ୍ର ଆଉ ‘ପଟ୍ଟନାୟକ’ ସଂଜ୍ଞାରେ ପରିଚିତ ନ ହୋଇ ‘ଦାସ’ ସଂଜ୍ଞାରେ ପରିଚିତ ହେଲେ । ଏହି ଚାରିପୁତ୍ର ଯଥାକ୍ରମେ ହେଲେ ଗୋପାଳ ପ୍ରସାଦ ଦାସ, ବୈଷ୍ଣବ ଚରଣ ଦାସ, ନଦିୟା ବିହାରୀ ଦାସ ଓ ଗୋଲକ ବିହାରୀ ଦାସ । ପ୍ୟାରୀମୋହନ ପଟ୍ଟନାୟକଙ୍କର ଆଉ ତିନି ଭାଇ ଥିଲେ । ସେମାନେ ହେଲେ - ଗୌର ମୋହନ, ରାହାସ ବିହାରୀ ଓ ବିନୋଦ ବିହାରୀ । ଏହି ଗୌର ମୋହନ ପ୍ୟାରୀମୋହନଙ୍କ ଦ୍ୱିତୀୟ ପୁତ୍ର ବୈଷ୍ଣବ ଚରଣଙ୍କୁ ପୋଷ୍ୟପୁତ୍ର କରିନେଇଥିଲେ ।

 

ବୈଷ୍ଣବ ଚରଣ ଚାଟଶାଳୀ, ମାଇନର ଓ ଏଣ୍ଟ୍ରାନ୍ସ ପର୍ଯ୍ୟନ୍ତ ଭଦ୍ରକରେ ଅଧ୍ୟୟନ କରିଥିଲେ । ସେ ଯେତେବେଳେ ଭଦ୍ରକ ହାଇସ୍କୁଲରେ ଅଧ୍ୟୟନ କରୁଥିଲେ, ସେତେବେଳେ ଜାତୀୟ କବି ବାଞ୍ଛାନିଧି ଓ ଡକ୍ଟର ହରେକୃଷ୍ଣ ମହତାବ ସେହି ସ୍କୁଲରେ ପଢ଼ୁଥିଲେ । ବାଞ୍ଛାନିଧି ତାଙ୍କଠାରୁ ମାତ୍ର ଦୁଇବର୍ଷ ବଡ଼ ଥିଲେ । ବୈଷ୍ଣବ ଚରଣ ଓ ବାଞ୍ଛାନିଧି ଦୁହେଁ ଏକତ୍ର ବୈଷ୍ଣବ ଚରଣଙ୍କ ବାସଗୃହରେ ସଂଗୀତାଭ୍ୟାସ କରୁଥିଲେ । କାରଣ, ବାଞ୍ଛାନିଧିଙ୍କ ପିତା ଚିନ୍ତାମଣି ମହାନ୍ତି ଓ ଭଦ୍ରକ ହାଇସ୍କୁଲର ଶିକ୍ଷକ ଜଗତ ବଲ୍ଲଭ ଦାସ ଦୁହିଁଙ୍କ ସଙ୍ଗୀତଚର୍ଚ୍ଚାରେ ବାରମ୍ବାର ଚେତାବନୀ ଶୁଣାଉଥିଲେ (୨) ।

 

ବୈଷ୍ଣବ ଚରଣ ଜଣେ ମେଧାବୀ ଛାତ୍ର ଥିଲେ । ଏଣ୍ଟ୍ରାନ୍ସପର୍ଯ୍ୟନ୍ତ ସେ ବୃତ୍ତି ପାଉଥିଲେ । ସେ ୧୯୧୬ ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଟକରେ ରେଭେନ୍ସା କଲେଜରେ ବିଦ୍ୟାରମ୍ଭ କରିଥିଲେ । ସେ ୧୯୨୩ ମସିହାରେ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍‌.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ପରେ ଓଡ଼ିଆ ଭାଷା ଓ ସାହିତ୍ୟରେ ମଧ୍ୟ ଏମ୍‌.ଏ. ଡିଗ୍ରୀ ହାସଲ କରିଥି‌ଲେ । ରେଭେନ୍ସା କଲେଜରେ ପଢ଼ୁଥିବାବେଳେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ । ରେଭେନ୍ସା କଲେଜ ଛାତ୍ରାବାସରେ ଥିଲାବେଳେ ଥରେ ସେ ହଇଜା ରୋଗରେ ପଡ଼ିଥିଲେ ଓ ସୁବାସ ଚନ୍ଦ୍ର ବୋଷ୍ ତାଙ୍କର ଆରୋଗ୍ୟ ପର୍ଯ୍ୟନ୍ତ ବହୁ ସେବାଯତ୍ନ କରିଥିଲେ ।

 

୧୯୨୩ ମସିହାରେ ବିହାର-ଓଡ଼ିଶା ରାଜ୍ୟର ପୁଲିସ୍ ଚାକିରୀରେ ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ ଭାବରେ କଟକରେ ଯୋଗ ଦେଇଥିଲେ । ୧୯୨୮ରୁ ୧୯୨୯ ମସିହା ପର୍ଯ୍ୟନ୍ତ ସେ ଦୁଇବର୍ଷ ପାଇଁ ବିହାରର ମୁଙ୍ଗେର୍‌କୁ ସ୍ଥାନାନ୍ତରିତ ହୋଇଥିଲେ । ୧୯୨୯ରୁ ୧୯୩୦ ମସିହା ପର୍ଯ୍ୟନ୍ତ ବିହାରର କିସନଗଞ୍ଜକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କ କାର୍ଯ୍ୟକଳାପରେ ମୁଗ୍ଧ ହୋଇ ମୟୂରଭଞ୍ଜର ତତ୍କାଳୀନ ମହାରାଜା ଶ୍ରୀ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ତାଙ୍କୁ ଦୁଇବର୍ଷ ପାଇଁ ଅର୍ଥାତ୍ ୧୯୩୦ରୁ ୧୯୩୨ ମସିହା ପର୍ଯ୍ୟନ୍ତ ରାଜ୍ୟର ପୋଲିସ୍ ବାହିନୀକୁ ତାଲିମ୍ ଦେବାପାଇଁ ନିମନ୍ତ୍ରଣ କରିଥିଲେ । ସେଠାରୁ ୧୯୩୨ରେ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୩ ମସିହା ପର୍ଯ୍ୟନ୍ତ କିସନ୍‌ଗଞ୍ଜ (ବିହାର) ରେ ଡି.ଏସ୍‌.ପି ଭାବରେ ପୁଣି ଯୋଗଦେଲେ । ୧୯୩୪-୩୫ ମସିହାରେ ସେ ରାଞ୍ଚି ୧୯୩୫ ମସିହାଠାରୁ ୧୯୩୮ ମସିହା ପର୍ଯ୍ୟନ୍ତ କଟକରେ ରହି କାମ କରିଥିଲେ । ଏଠାରେ ଥିବାବେଳେ, ଅର୍ଥାତ୍ ୧୯୩୭ ମସିହାରେ ଲଣ୍ଡନରେ ସମ୍ରାଟ ଷଷ୍ଠ ଜର୍ଜଙ୍କର ରାଜାଭିଷେକରେ ଯୋଗଦେବା ପାଇଁ ଭାରତୀୟ ପୋଲିସ୍ ବାହିନୀ ତରଫରୁ ମନୋନୀତ ହୋଇଥିଲେ ଏବଂ ଲଣ୍ଡନ ଯାଇ ସମ୍ମାନିତ ହୋଇଥିଲେ । ଏଥିପାଇଁ ବକିଙ୍ଗହାମ୍ ପ୍ୟାଲେସ୍‌ରୁ ମେଡାଲ୍ ଓ ପ୍ରମାଣପତ୍ର ୧୯୩୭ ମସିହା ମଇମାସ ୧୨ ତାରିଖରେ ଲାଭ କରିଥିଲେ । ଏଥିପାଇଁ ଲଣ୍ଡନରେ ‘British Empire Service League’ ତରଫରୁ ଏହାର ଗ୍ରାଣ୍ଡ ପ୍ରେସିଡେଣ୍ଟ Field Marshal Lord Milne ମଧ୍ୟ ତାଙ୍କୁ ଏକ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ ।

 

୧୯୩୮ ମସିହାରେ ତାଙ୍କର ପଦୋନ୍ନତି ହେବାରୁ ସେ ଏସ.ପି. ହେଲେ । ୧୯୪୨ ମସିହା ପର୍ଯ୍ୟନ୍ତ ସମ୍ବଲପୁରରେ ଅବସ୍ଥାପିତ ହେଲାପରେ ୧୯୪୨ଠାରୁ ୪୬ ମସିହା ପର୍ଯ୍ୟନ୍ତ ପୁରୀ ଓ ୧୯୪୭ ମସିହାରେ କୋରାପୁଟରେ ଅବସ୍ଥାନ କରିଥିଲେ । ୧୯୪୭ ମସିହାରେ ବୈଷ୍ଣବ ଚରଣଙ୍କର ପୁନଶ୍ଚ ପଦୋନ୍ନତି ହେଲା । ସେ ଡି.ଆଇ.ଜି. (ସି.ଆଇ.ଡି.) ରୂପେ କଟକଠାରେ ଅବସ୍ଥାପିତ ହେଲେ । ୧୯୪୯ ମସିହାରୁ ୧୯୫୧ ମସିହା ପର୍ଯ୍ୟନ୍ତ ସମ୍ବଲପୁର ଓ ୧୯୫୧ ଠାରୁ ୧୯୫୨ ମସିହା ପର୍ଯ୍ୟନ୍ତ କଟକଠାରେ ଅବସ୍ଥାପିତ ହେଲେ । ଶେଷରେ ୧୯୫୩ ମସିହାରେ ସେ ଓଡ଼ିଶାର ଆଇ.ଜି. ପଦକୁ ଉନ୍ନୀତ ହେଲେ । ଜଣେ ଆଇ.ଜି. ଭାବରେ ବୈଷ୍ଣବ ଚରଣ ହେଉଛନ୍ତି ପ୍ରଥମ ଓଡ଼ିଆ ବ୍ୟକ୍ତି । ସେ ଦୀର୍ଘ ଏକତିରିଶ ବର୍ଷ କାଳ ପୋଲିସ୍‌ ବିଭାଗରେ ଡି.ଏସ୍‌.ପି, ଏସ୍‌.ପି, ଡି.ଆଇ.ଜି ଓ ଆଇ.ଜି ଭାବରେ କାର୍ଯ୍ୟକରି ୧୯୫୩ ମସିହାରେ ଅବସର ଗ୍ରହଣ କରିଥିଲେ ।

 

ଔପନ୍ୟାସିକ ବୈଷ୍ଣବଚରଣ ୧୯୨୪ ମସିହା ଜୁନ୍‌ ମାସରେ ଅବସରପ୍ରାପ୍ତ ଜିଲ୍ଲା ସେସନ୍‌ସ୍‌ ଜଜ୍‌ ଶ୍ରୀ ସୂର୍ଯ୍ୟମଣି ଦାସଙ୍କ ପ୍ରଥମ କନ୍ୟା ବସନ୍ତ କୁମାରୀଙ୍କୁ ବିବାହ କରିଥିଲେ । ବର୍ଷକପରେ ୧୯୨୫ ମସିହାରେ ତାଙ୍କ ଧର୍ମପତ୍ନୀ ଯେତେବେଳେ ପୁତ୍ରସନ୍ତାନ ଜନ୍ମକଲେ, ସେତେବେଳେ ସେ ମୃତ୍ୟୁବରଣ କରିଥିଲେ । ୧୯୨୭ ମସିହା ଫେବୃୟାରୀ ମାସରେ ସେ ପ୍ରଥମ ସ୍ତ୍ରୀ ବସନ୍ତ କୁମାରୀଙ୍କ କନିଷ୍ଠା ଭଗ୍ନୀ ବୀଣାପାଣି ଦାସଙ୍କୁ ଦ୍ୱିତୀୟଥର ପାଇଁ ବିବାହ କଲେ । ପ୍ରଥମ ସ୍ତ୍ରୀ ବସନ୍ତକୁମାରୀଙ୍କ ଗର୍ଭରୁ ଜାତ ପୁତ୍ରଙ୍କ ନାମ ନୀଳ ମାଧବ ଦାସ ଏବଂ ଏବେ ତାଙ୍କର ବୟସ ୬୫ ବର୍ଷ । ୨ୟ ସ୍ତ୍ରୀ ବୀଣାପାଣି ଦାସଙ୍କ ଗର୍ଭରୁ ବୈଷ୍ଣବ ଚରଣଙ୍କର ଚାରିପୁତ୍ର ଓ ଚାରିକନ୍ୟା ଜନ୍ମ ହୋଇଥିଲେ । ଏବେ ସମସ୍ତେ ପ୍ରାୟ ଉଚ୍ଚପଦସ୍ଥ ଚାକିରୀରେ ଆସୀନ ।

 

ପୂର୍ବରୁ କୁହାଯାଇଛି, ପିଲାଟି ଦିନରୁ ବୈଷ୍ଣବ ଚରଣଙ୍କର ସଂଗୀତ ପ୍ରତି ଗଭୀର ଶ୍ରଦ୍ଧାଥିଲା । ତେଣୁ ସେ ବାଞ୍ଛାନିଧିଙ୍କ ସହିତ ସଂଗୀତାଭ୍ୟାସ କରୁଥିଲେ । ପରେ ନିଷ୍ଠୁର ପୋଲିସ୍‌ ଚାକିରୀ ଜୀବନରେ ମଧ୍ୟ ସେ ସଂଗୀତାଭ୍ୟାସ ଓ ଚରନା କରୁଥିଲେ । ସଂଗୀତ ପ୍ରତି ଆଗ୍ରହ ଓ ସଂଗୀତ ବିଦ୍ୟାରେ ତାଙ୍କର ପ୍ରବେଶ ହେତୁ ସେ ‘ଉତ୍କଳ ନୃତ୍ୟ ସଂଗୀତ କଳା’ର କାର୍ଯ୍ୟକାରୀ ସମିତିର ସଦସ୍ୟ ଥିଲେ ଏବଂ ଆକାଶବାଣୀ କଟକ କେନ୍ଦ୍ରରେ Audition boardର ଜଣେ ସଦସ୍ୟ ଥିଲେ । ସେହିପରି ପ୍ରସିଦ୍ଧ ‘କଳା ବିକାଶ କେନ୍ଦ୍ର’ର ସେ ଅନ୍ୟତମ ପ୍ରତିଷ୍ଠା ସଦସ୍ୟ ଥିଲେ-। ସେ ମଧ୍ୟ ରେଭେନ୍‌ସା କଲେଜର ପରିଚାଳନା ସମିତିର ଜଣେ ସଦସ୍ୟ ଥିଲେ ।

 

ତାଙ୍କର ରୁଚିଥିଲା - ଶିକାର କରିବା, ମାଛ ଧରିବା, ଟେନିସ୍‌ ଖେଳିବା ଓ ବନ୍ଧୁ ମହଲରେ ଭୋଜି କରିବା । ସେ ଓଡ଼ିଶାରେ ପ୍ରଥମେ Golf ଖେଳ ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ସେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ପତ୍ରାଳାପ କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ-କବିଗୁରୁ ରବୀନ୍ଦ୍ରନାଥ ଠାକୁର, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସରଳା ଦେବୀ, ରମାଦେବୀ, ଗୋପାଳଚନ୍ଦ୍ର ପ୍ରହରାଜ, ଗୋଦାବରୀଶ ମିଶ୍ର ଓ ଚିନ୍ତାମଣି ଆଚାର୍ଯ୍ୟ ପ୍ରଭୃତି ।

 

ଯେତେବେଳେ ବୈଷ୍ଣବ ଚରଣ କୋରାପୁଟରେ ଏସ୍‌.ପି. ଥିଲେ, ସେତେବେଳେ ଜୟପୁରର ମହାରାଜଙ୍କ ଦରବାରରେ ଦୁର୍ଗାପୂଜାବେଳକୁ ଲାଖବିନ୍ଧା ପ୍ରତିଯୋଗିତା ହୋଇଥିଲା । ଏଥିରେ ସେ ପ୍ରଥମ ସ୍ଥାନ ଲାଭ କରିଥିଲେ । ତେଣୁ, ତାଙ୍କୁ ପଗଡ଼ି ଓ ସ୍ଵର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ଏ ଦିଗରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି । ପୂର୍ବରୁ କେବଳ ଇଂରେଜ ସାହେବମାନେ ଏହି ପଦକ ଲାଭ କରୁଥିଲେ ।

 

ଏହା ବ୍ୟତୀତ ୧୯୪୫ ମସିହା ଫେବୃୟାରୀ ମାସ ୨୭ ତାରିଖରେ ଓଡ଼ିଶାର ତତ୍‌କାଳୀନ ରାଜ୍ୟପାଳ W.H Lewisଙ୍କ ଠାରୁ civil Defence organisation of puri ତରଫରୁ ୧୯୪୩ ମସିହାଠାରୁ ୧୯୪୫ ମସିହାପାଇଁ ବୈଷ୍ଣବଚରଣ ‘ସନନ୍ଦ’ ଲାଭ କରିଥିଲେ ।

 

୧୯୫୮ ମସିହା ନଭେମ୍ବର ମାସ । ୯ ତାରିଖ । ସେହିଦିନ ବୈଷ୍ଣବ ଚରଣ ହୃଦରୋଗରେ ୫୯ ବର୍ଷ ବୟସରେ ସ୍ୱର୍ଗାରୋହଣ କରିଥିଲେ ।

 

।।ଦୁଇ।।

 

ସାହିତ୍ୟ ପ୍ରତି ବୈଷ୍ଣବ ଚରଣଙ୍କର ଛାତ୍ର ଅବସ୍ଥାରୁ ଆକର୍ଷଣ ଥିଲା । ପରେ ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଏମ୍‌. ଏ. ଡିଗ୍ରୀ ଲାଭ କରିଥିବାରୁ ଇଂରାଜୀ ଓ ଓଡ଼ିଆର ଭାଷା ଓ ସାହିତ୍ୟ ଦିଗରେ ତାଙ୍କର ଗଭୀର ଜ୍ଞାନର ପ୍ରବେଶ ଘଟିଲା । ପୂର୍ବର ‘ଆଗ୍ରହ’ ଓ ଏବର ‘ଅଧ୍ୟୟନ’ - ଏହି ଦୁଇ ସ୍ରୋତ ମିଶି ଯେଉଁ ସ୍ରୋତସ୍ଵିନୀ ସୃଷ୍ଟିହେଲା, ସେଥିରେ ତାଙ୍କର କେତୋଟି କବିତା, ଗୀତି. କବିତା, ଗଳ୍ପ, ନାଟକ ଓ ଉପନ୍ୟାସର ଡଙ୍ଗା ଚହଲି ଉଠିଲା ।

 

ବୈଷ୍ଣବ ଚରଣଙ୍କର ଯେତୋଟି ରଚନାକୃତି ମିଳିଛି, ତା’କୁ କବିତା, ଗୀତିକବିତା, ‘ଗଳ୍ପ’, ଉପନ୍ୟାସ ଓ ନାଟକ - ଏହିପରି ପାଞ୍ଚଟି ଭାଗରେ ବିଭକ୍ତ କରାଯାଇପାରେ । ବର୍ତ୍ତମାନ ପ୍ରତ୍ୟେକଟି ବିଭାଗ ଉପରେ କିଞ୍ଚିତ ସୂଚନା ଦିଆଯାଉଛି ।

 

(କ) କବିତା: ଅଧିକାଂଶ ଲେଖକଙ୍କର ଲେଖକ ଜୀବନ କବିତାରୁ ଆରମ୍ଭ ହୋଇଥାଏ । ସେହିପରି ବୈଷ୍ଣବଚରଣଙ୍କର ପ୍ରଥମ ସାହିତ୍ୟିକ ସ୍ଫୁରଣ ଘଟିଛି କବିତାରେ । ଏପର୍ଯ୍ୟନ୍ତ ତାଙ୍କର ଯେତୋଟି କବିତାର ସନ୍ଧାନ ମିଳିଛି, ସେଥିରୁ ଜଣାଯାଏ ଯେ ସେ ରେଭେନ୍‌ସା କଲେଜରେ ଅଧ୍ୟୟନ କରୁଥିବାବେଳେ କବିତା ରଚନା ଆରମ୍ଭ କରିଥିଲେ । ୧୯୧୮ ମସିହା ଫେବୃୟାରୀ ମାସରେ ଭଦ୍ରକରେ ସେ ‘ବିଳାପ’ ନାମରେ ଏକ କବିତା ରଚନା କରିଥିଲେ। ଏହାହିଁ ଏପର୍ଯ୍ୟନ୍ତ ମିଳିଥିବା ତାଙ୍କ କବିତାର ପ୍ରଥମ ରୂପ । ୧୯୧୯ ମସିହା ନଭେମ୍ବର ମାସରେ କଟକରେ ଅବସ୍ଥାନ ବେଳେ ‘ଆଶିଷମଣି’ ନାମରେ ଅନ୍ୟ ଏକ କବିତା ରଚନା କରିଥିଲେ । ତା’ ପରବର୍ଷ ଅର୍ଥାତ୍‌ ୧୯୨୦ ମସିହାରେ ସେ ‘ବଂଶୀ’ ‘ସୂତି’, ରାଧାଶ୍ୟାମ - ଶାରୀ ପ୍ରତି ଶୋକ, ଧ୍ରୁବତାରା, ନିରାଶ ପ୍ରଭୃତି କବିତା ରଚନା କରିଥିଲେ । ୧୯୨୧ ମସିହାରେ ‘ମୁଁ ନୂଆ ନାଉରୀ’, ‘ଆଜି ମୁଁ ଡାକିବିକି ବୋଲି’, ଆ ଆରେ ସଲାଜ ହସଟି ହସି ଏବଂ ୧୯୨୬ ମସିହାରେ ‘ଉଇଁଛି ସେ ଚାଳ’, ‘ଆଉ ନ ପାରିବି ଚାହିଁ’, ପ୍ରଭୃତି କବିତା କେତୋଟି ରଚିତ ହୋଇଛି । ଏହା ବ୍ୟତୀତ ତାଙ୍କର ଆଉ କେତୋଟି କବିତାର ମଧ୍ୟ ସନ୍ଧାନ ମିଳିଛି । ଯଥା -କି ଅଭାବେ ଏ ଭାବେ ସୁ, କହେ ହନୁମନ୍ତ, ଅଭିମାନେ, ଆଜି ଶୁଷ୍କମରୁ ସଲୀଳ ସାଗର, କି ଅଭାବେ ଭାବେ ମୁଁ, କେ ସେ ? ଓଡ଼ିଆ ପଖାଳ ଭାତ (‘ବାରୁଣୀ’ରେ ପ୍ରକାଶିତ), ଦୁଇବନ୍ଧୁ, କେଶିଆଈ (ଆଈଙ୍କ ଉଦ୍ଦେଶ୍ୟରେ ରଚିତ) ପ୍ରାଣ କେତେ ହୁନ୍ଦର, ମୋ କରମଟା କି ଲେଖାଥିଲା, ଭାଗ୍ୟେ ତୋର ବଜ୍ର ବରଷା ପ୍ରଭୃତି ।

 

ବୈଷ୍ଣବଚରଣଙ୍କ ପ୍ରଥମ ପତ୍ନୀ ବସନ୍ତକୁମାରୀଙ୍କ ଅକାଳ ବିୟୋଗରେ ଲେଖିଥିଲେ, ପୁରୁଣା ବୀଣାଟି ଯାଇଛି ଫାଟି ଗୋ, ଏକ ଶୋକଗୀତି, ତାଙ୍କ କବିତାର ନମୁନା ସ୍ଵରୂପ ୧୯୧୯ ମସିହା ସେପ୍ଟେମ୍ବର ମାସରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ଆଜି’ କବିତାଟିର ଦି’ ପଦ ଏଠାରେ ଉଦ୍ଧାର କରାଗଲା ।

 

‘‘(ଆଜି)      ନୈରାଶ୍ୟ କଦମ୍ବ ଶିରେ ତୁ କିଏରେ

ବୁଣିଦେଉ ମଧୁ ମୂରଲୀ ତାନ,

 

(ଆଜି)      ବାସନା ଅତଳ- ଯମୁନା ତରଙ୍ଗେ

ଭସାଇ ନେଉ ଏ ଦୁଃଖୀ ପରାଣ ?

 

(ଆଜି)      ଦୁଃଖଭର। ହୃଦୟ ମୋର ଗୋ

ଢାଳିବି କର ତୋରି ଚରଣେ,

 

(ଆଜି)      ଦୁଃଖଗଢ଼ା କୁସୁମ କଳିକା

ଅର୍ପିବି କି କହ ତୋର ଚରଣେ ?’’

 

ଜୀବନର ବିଭିନ୍ନ ଅନୁଭୂତି, ହସ-କାନ୍ଦ, ଆଶା-ନିରାଶା ତାଙ୍କର ଅଧିକାଂଶ କବିତାରେ ସୁସ୍ପଷ୍ଟ । ସେ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ବି ଆଶାର ସତ୍ତା ଅନୁଭବ କରିଛନ୍ତି ।

 

(ଖ) ଗୀତି କବିତା: ବୈଷ୍ଣବ ଚରଣଙ୍କ ପାଇଁ ‘ସଙ୍ଗୀତ’ ହେଲା ସାହିତ୍ୟ ରାଜ୍ୟର ପ୍ରବେଶତୋରଣ ସଦୃଶ । ଏହି ସଙ୍ଗୀତର ସ୍ଵର ହିଁ ତାଙ୍କୁ ସାହିତ୍ୟ ମନ୍ଦିରକୁ ଆକର୍ଷଣ କରି ଆଣିଥିଲା । ତାଙ୍କ ମନୋଜଗତରେ ଭାବନା ଓ କଳ୍ପନାର ଫୁଲ ପାଖୁଡ଼ାକୁ ଏହି ସଂଗୀତ ହିଁ ପ୍ରସ୍ଫୁଟିତ କରିପାରିଥିଲା । ତେଣୁ ସେ ସଙ୍ଗୀତଜ୍ଞ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ ମଧ୍ୟ, ଏହି ମାନସିକତା ହିଁ ତାଙ୍କ ଚିନ୍ତା ଓ ଚେତନାକୁ ସମୁଦ୍ରରେ ଭସାଇ ଦେଇଥିଲା ।

 

ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ‘ଆଜି ଆସରେ ରାସ ବିହାରୀ’ ଗୀତିକବିତାଟି ରଚିତ । ପୁଣି ‘ହଂସ କରେଟି ଭେଦ’, ‘ବିଜନେ ଗଗନେ ଚାରୁ’ ପ୍ରଭୃତି କେତୋଟି ଗୀତିକବିତା ଏହି ପ୍ରସଙ୍ଗରେ ପାଠକର ଦୃଷ୍ଟି ଆକର୍ଷଣ କରେ । ‘‘ଭାରତ ଜନନୀ ବନ୍ଧୁ’’ ଓ ‘‘ଏ କଟକ ଭୂମି’’ ଗୀତିକବିତା ଦୁଇଟିରେ ଦେଶାତ୍ମବୋଧର ସ୍ଵର ପ୍ରତିଧ୍ୱନିତ ହୋଇଛି ।

 

କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଉପଲକ୍ଷେ ବୈଷ୍ଣବଚରଣ ପ୍ରଶଂସାମୂଳକ ଗୀତିକବିତା ୧୬ ତାରିଖରେ ମୟୂରଭଞ୍ଜର ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଙ୍କୁ ପ୍ରଶସ୍ତି କରି ଜଣାଇଛନ୍ତି ।

 

‘‘ଧନ୍ୟ ଆଜି ଭଞ୍ଜଭୂମି ଏ ଉତ୍କଳେ

      ଉଚ୍ଚଶିର ଏ ମେଘାସନ,

ପୂର୍ଣ୍ଣକାମ ‘ପୂର୍ଣ୍ଣ’ - ‘ରାମ’ ଶୋଭ।କରୁ

      କରୁଛନ୍ତି ଆଶାବର୍ଷଣ

      ଚିରଜୀବୀ ହୁଅ ପ୍ରତାପ ।’’

 

କି ଅଛି ଆମ୍ଭର ଦେବୁଁ ଉପହାର

      ଘେନ ଏ ଭକତି ଅଞ୍ଜଳି

ଶରଧା- ସୁମନ ଆନନ୍ଦ ଅଶ୍ରୁରେ

      ଅଭିଷିକ୍ତ ଏ ଜୟମାଳୀ

      ରାଜ ମହାରାଜ ପ୍ରତାପ ।”

 

ଡକ୍ଟର ହେରେକୃଷ୍ଣ ମହତାବଙ୍କ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୧୯୪୯ ମସିହା ଡିସେମ୍ବର ମାସ ୨୬ ତାରିଖରେ ବୈଷ୍ଣବଚରଣ ଲେଖିଥିଲେ-

 

ଜୟ ହେ ଉତ୍କଳର ଜୟ - ପ୍ରଦୀପ

ଭାଜ ହେ ମହାତାପ ଶ୍ରୀ ମହତାପ

 

ଉତ୍କଳ-କେଶରୀ            ସଚୀବ ପ୍ରଧାନ

ଉଚିତ କଂଗ୍ରେସ ବିଧାନ,

ଆଜି ‘ଏକାବନେ’            ଏକାମ୍ର କାନନେ

ରାଜଧାନୀ କଲ ନିର୍ମାଣ,

ଉତ୍କଳର ଆଶା - ପାଦପ !”

 

ଆଉ କେତୋଟି ଗୀତିକବିତା ବିଭିନ୍ନ ପ୍ରଦର୍ଶନୀ ଉପଲକ୍ଷେ ରଚିତ । ବାଙ୍କୀଠାରେ କୃଷି ଓ ଶିଳ୍ପ ପ୍ରଦର୍ଶନୀ ଉପଲକ୍ଷେ ‘ଆବାହନୀ’ ଓ ‘ନାରୀଶାଖା’ ଏହିପରି ଦୁଇଟି ଗୀତିକବିତା ରଚନା କରିଥିବାର ଦେଖାଯାଏ । ଏଥିରେ ଓଡ଼ିଶାର ଗୌରବ ଓ ଓଡ଼ିଶାର ବୈଷିଷ୍ଟ୍ୟ ଚିତ୍ରିତ ହୋଇଅଛି ।

 

‘ଆବାହନୀ’ରୁ ଦି’ପଦ-

‘‘ଗାଅ ଜୟ ଜୟ, ଗାଅ ଜୟ ଜୟ

      ଜୟ ଜୟ ଉତ୍କଳ ଗାନ,

ଜୟ ଜୟ ସଂଗୀତ ସୁମଧୁର ଝଙ୍କୃତ

      ସୁଲଳିତ ସୁନ୍ଦର ତାନ (୦)

 

ପ୍ରସାରିତ ଅଭିନବ ଦର୍ଶନୀ ଭାସ୍କର-କରଜାଳ ନବୀନ ପ୍ରଦେଶେ

ପ୍ରସାରିତ ସୌରଭ ସୁମନ ସୁଶୋଭିତ ଦେଶୀୟ ଦ୍ରବ୍ୟ ବିଶେଷେ ।

 

ପ୍ରସାରିତ କୃଷିଜାତ ଶିଳ୍ପ ସୁବେଷ୍ଟନୀ

      କୀର୍ତ୍ତିତ ଜାତୀୟମାନ ।’’

 

ନାରୀଶକ୍ତି ଜାଗରଣକୁ ଉପଜୀବ୍ୟ କରି ‘ନାରୀଶାଖା’ ଶୀର୍ଷକରେ ଲେଖିଛନ୍ତି –

 

ଜାଗ ଉତ୍କଳ କାମିନୀ !

ପୂରୁବ ଆକାଶେ ଅରୂଣ ବିକାଶେ ଚାହାଁଲୋ ।,

ଚାହାଁଲୋ , ଚାହାଁଲୋ ।-।

(ଆଜି) ପାହିଛି ପରା ଯାମିନୀ ॥୪॥

ଘରେ ଧନ୍ଦି ହୋଇ ହୋଇ ଆଜୀବନ

ବାହାର ପବନ ହୋଇଛି ସ୍ଵପନ

ଖୋଜିଛି ତୋରଣ ଆଜି ଶୁଭକ୍ଷଣ,

ଜଣେ ନ ପଛାଅ ଭଗିନୀ ।’’

 

ଏହିସବୁ ଗୀତିକବିତା ପାଠକଲେ ଜାତୀୟକବି ସ୍ଵର୍ଗତ ବାଞ୍ଛାନିଧି ମହାନ୍ତି ଓ କାନ୍ତକବିଙ୍କର ପଦାବଳୀ ସ୍ମରଣ ହୁଏ । କେବଳ ଭାବ ନୁହେଁ, ଛନ୍ଦ ଏବଂ ଶବ୍ଦ ଚୟନ ଦିଗରୁ ମଧ୍ୟ ବହୁ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

 

(ଗ) ଗଳ୍ପ : ବୈଷ୍ଣବ ଚରଣଙ୍କ ଗଳ୍ପ ମୁକୁର, ବାରୁଣୀ, ଡଗର ଓ ଉତ୍କଳସାହିତ୍ୟରେ ପ୍ରକାଶ ପାଇଥିଲା । ‘ମାଷ୍ଟ୍ରାଣୀ’ ଗଳ୍ପଟି ‘ବାରୁଣୀ’ରେ ଓ ୧୯୫୬ ମସିହାରେ ଡଗରରେ ‘ଅଦ୍ୱିତୀୟା’ ଗଳ୍ପଟି ପ୍ରକାଶ ପାଇଥିଲା । ସେହିପରି ‘ପାଗଳା ରହିମ୍‌’, ପାଏ ନପାଏ, ଛାୟାନାଟ୍ୟ, ବଡ଼ଘର ପ୍ରଭୃତି ଗଳ୍ପ କେତୋଟି ବିଭିନ୍ନ ପ୍ରତିକାରେ ପ୍ରକାଶିତ । ଏବେ ବି ପାଣ୍ଡୁଲିପି ଆକାରରେ ଢିଙ୍କିଶାଳ ଓ ଶିବରାତ୍ରି ଗଳ୍ପଟି ରହିଛି । ସେ ବାରୁଣୀ ଗୋଷ୍ଠୀର ଅନ୍ୟତମ ସଦସ୍ୟ ଥିଲେ । ଏହି ଗଳ୍ପଗୁଡ଼ିକ ଦୁଃଷ୍ପ୍ରାପ୍ୟ ହେତୁ ଅଧିକ କିଛି ଲେଖବାକୁ ଏହି ଲେଖକ ଅକ୍ଷମ । ପରବର୍ତ୍ତୀ କାଳରେ ତାଙ୍କର ଗଳ୍ପପ୍ରତିଭା ପ୍ରସଙ୍ଗରେ ଆଲୋଚକମାନେ ଆଲୋଚନା କରିବେ ବୋଲି ଆଶା କରାଯାଏ-

 

(ଘ) ଭପନ୍ୟାସ : ୧୯୨୪-୨୬ ମସିହା ମଧ୍ୟରେ ଲିଖିତ ଓ ୧୯୩୧ ମସିହାରେ ପୁସ୍ତକ ଆକାରରେ ପ୍ରକାଶିତ ‘ବାସନ୍ତୀ’ ଉପନ୍ୟାସ ଓଡ଼ିଆ ଉପନ୍ୟାସ ରାଜ୍ୟରେ ଏକ ନୂତନ ପରୀକ୍ଷା । ଏହା ଏକ ଯୌଥ ଉଦ୍ୟମ । ଏହି ଉପନ୍ୟାସରେ ୯ ଜଣ ଲେଖକ ଲେଖିକା ମିଳିତ ହୋଇ ଏହି ଉପନ୍ୟାସଟି ରଚନା କରିଥିଲେ । ଏମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ଅନ୍ୟତମ । ଅନ୍ୟ ଆଠଜଣ ବ୍ୟକ୍ତି ହେଲେ - ଅନ୍ନଦା ଶଙ୍କର, କାଳିନ୍ଦୀ ଚରଣ, ସରଳା ଦେବୀ, ଶରଚ୍ଚନ୍ଦ୍ର, ମୂରଲୀ ଧର ମହାନ୍ତି, ସୁପ୍ରଭା, ପ୍ରତିଭା ଓ ହରିହର ମହାପାତ୍ର ସ୍ଵାଧୀନତା ପରବର୍ତ୍ତୀ ସମୟରେ ନାରୀଶିକ୍ଷାର ପ୍ରଚଳନ ହୋଇଥିଲେ ମଧ୍ୟ ଶିକ୍ଷିତ ନାରୀମାନଙ୍କର ସାମାଜିକ ସମ୍ମାନ ସ୍ଵୀକୃତି ଲାଭ କରି ନଥିଲା । ଏହା ହିଁ ‘ବାସନ୍ତୀ’ ଉପନ୍ୟାସର ମର୍ମବାଣୀ । ସମାଜର ଇଚ୍ଛା ବିରୁଦ୍ଧରେ ସମାଜ ସଂସ୍କାରବାଦୀ ବ୍ୟକ୍ତି ଦେବବ୍ରତ ବାସନ୍ତୀକୁ ବିବାହ କରିଛି । ଦୁହେଁ ସାମାଜିକ କୁସଂସ୍କାର ବିରୁଦ୍ଧରେ ଉଦ୍ୟମ କରିଛନ୍ତି । ଦୁହଁଙ୍କ ମଧ୍ୟରେ ଭୁଲ ବୁଝାମଣା ମଧ୍ୟରେ ଦୁହିଁଙ୍କର ବିଚ୍ଛେଦ ଓ ଶେଷରେ ପୁନର୍ମିଳନ ହୋଇଛି । ବୈଷ୍ଣବଚରଣ ଏହି ଉପନ୍ୟାସର ଶେଷ ଅଧ୍ୟାୟଟି ରଚନା କରିଥିଲେ ।

 

ସେହି ସମୟର ବିଶିଷ୍ଟ ସାହିତ୍ୟିକମାନଙ୍କ ସହିତ ତାଙ୍କର ସାରସ୍ଵତ ସଂପର୍କ ତାଙ୍କୁ କ୍ରମେ ଅଧିକ ନିମଜ୍ଜିତ କରିପାଇଲା । ଫଳରେ, କେବଳ କବିତା ଓ ଗୀତିକବିତା କ୍ଷେତ୍ରରେ ନୁହେଁ, ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରିବାକୁ ଏକ ଅନୁକୂଳ ପରିବେଶ ଲାଭ କରିପାରିଲେ । ଏହିପରି ଏକ ଅନୁକୂଳ ପରିବେଶରେ କଥାକାର ବୈଷ୍ଣବଚରଣ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ ‘ମନେ ମନେ’ ର ଶିଳାନ୍ୟାସ କରିଥିଲେ ।

 

‘ମନେ ମନେ’ ଏକ ପାରିବାରିକ ଉପନ୍ୟାସ । କନକ ଓ ନୀଳୁ ପିଲାଦିନରୁ ପ୍ରେମପାଶରେ ଆବଦ୍ଧ । ମାତ୍ର କନକ ଘଟଣାକ୍ରମେ ନିଧିବାବୁଙ୍କୁ ବିବାହ କରିବାରୁ କନକ ଓ ନୀଳୁବାବୁଙ୍କ ମଧ୍ୟରେ ସଂପର୍କ ସ୍ନେହ ମମତାରେ ନିର୍ମିତ ହୋଇଛି । କନକ ତା’ର ଅବିବାହିତା ନଣନ୍ଦ ରଙ୍ଗି ସହିତ ନୀଳୁର ବିବାହ ପାଇଁ ଉଦ୍ୟମ କରିଛି । କିନ୍ତୁ ନୀଳୁ ଅସମ୍ମତ ହେବାରୁ ନୀଳୁ, କମଳ, ରଙ୍ଗି ଓ ନିଧିବାବୁଙ୍କ ମନ ରାଜ୍ୟରେ ନାନାଦି ଭ୍ରାନ୍ତି, ଭୂଲ ବୁଝାମଣା ଓ ଅନ୍ତଦ୍ୱନ୍ଦ୍ୱର ସୃଷ୍ଟି ହୋଇଛି । ନିଧି କନକକୁ ଭୁଲ୍‌ ବୁଝିବାରୁ କନକର ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇଛି ଓ ସେ ଆତ୍ମହତ୍ୟା କରିଛି । ମାତ୍ର ରଂଗି ଓ ନୀଳୁକୁ ବିବାହ ଉଦ୍ଦେଶ୍ୟରେ ମିଳିତ କରାଇବା ପରେ କନକ ଚିରଦିନ ପାଇଁ ଆଖି ବୁଜିଛି ।

 

‘ମନେ ମନେ’ ଉପନ୍ୟାସ ପ୍ରସଂଗରେ ପ୍ରସିଦ୍ଧ ଆଲୋଚକ ପ୍ରଫେସର ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ‘ଆଧୁନିକ ଓଡ଼ିଆ ସାହିତ୍ୟ’ ଗ୍ରନ୍ଥରେ ଆଧୁନିକ ଓଡ଼ିଆ ଉପନ୍ୟାସ ଅଧୟନରେ ଲେଖିଛନ୍ତି - ‘‘ଉପନ୍ୟାସ ବର୍ଣ୍ଣିତ ଚରିତ୍ରମାନଙ୍କର ବିଭିନ୍ନ ପରିସ୍ଥିତିରେ ମାନସିକ କ୍ରିୟା- ପ୍ରତିକ୍ରିୟାର ବର୍ଣ୍ଣନା ହିଁ ଲେଖକଙ୍କର ଏହି ଉପନ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ।’’ × × × ଏହି ସଂକ୍ଷିପ୍ତ କଥାବସ୍ତୁର ତଥା ପ୍ରଣୟ ଓ ତଜ୍ଜନିତ ମୋହ, ଆସକ୍ତି ବର୍ଣ୍ଣନାରେ ଲେଖକଙ୍କର ସଂଯମ ପ୍ରଶଂସନୀୟ । ଅତ୍ୟାଧୁନିକ ମଧୁର ଜୀବନ ଚିତ୍ରରେ ଏହା ଚିତ୍ତାକର୍ଷକ ହୋଇପାରିଛି । ବିଶେଷତଃ ବଧୂ ଜୀବନରେ ଲଜ୍ଜା, ଦୁଃଖ, ଆସକ୍ତିର ସାର୍ଥକ ଚିତ୍ରଣ ଯୋଗୁଁ ଓଡ଼ିଆ ସାହିତ୍ୟର ଏହି ଉପନ୍ୟାସର ମହତ୍ୱ ସ୍ଵୀକୃତ । (୩)

 

ଓଡ଼ିଆ ସାହିତ୍ୟ ଇତିହାସର ରଚୟିତା ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କର ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ ଗ୍ରନ୍ଥରେ ସ୍ପଷ୍ଟ ଲେଖିଛନ୍ତି- ‘‘ଏ ଉପନ୍ୟାସଟି ତାଙ୍କ ପୂର୍ବ ସୂରୀମାନଙ୍କର ପରମ୍ପରା ଓ ଗତାନୁଗତିକତାଠାରୁ ଏକ ବଳିଷ୍ଠ ବ୍ୟତିକ୍ରମ । × × × ଏହି ବିୟୋଗାନ୍ତକ ଉପନ୍ୟାସଟି ଓଡ଼ିଆ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ କୃତି’’ (୪) ।

 

ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ଓ ଡକ୍ଟର ରମାକାନ୍ତ ବେହେରା (ବାଲେଶ୍ଵର ଜିଲ୍ଲାର କେତେକ ଔପନ୍ୟାସିକ ଓ ସେମାନଙ୍କ ଉପନ୍ୟାସ) ଏହି ‘ମନେ ମନେ’ ଉପନ୍ୟାସ ଓଡ଼ିଆ ସାହିତ୍ୟର ପ୍ରଥମ ମନସ୍ତାତ୍ୱିକ ବିଶ୍ଳେଷଣମୂଳକ ଉପନ୍ୟାସ ବୋଲି ମତ ପ୍ରକାଶ କରିଛନ୍ତି (୫) ।

 

ବୈଷ୍ଣବ ଚରଣଙ୍କ ସୁଖ୍ୟାତି ଆଣିବା ଦିଗରେ ‘ମନେ ମନେ’ ଉପନ୍ୟାସର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । କାରଣ ଯେତେ କବିତା ଓ ଗଳ୍ପ ଲେଖିଥିଲେ ମଧ୍ୟ ‘ମନେ ମନେ’ ତାଙ୍କୁ ଓଡ଼ିଆ ସାହିତ୍ୟର ଇତିହାସରେ ଅମର କରି ରଖିବ ।

 

୧୯୨୫ ମସିହାରେ ଯେତେବେଳେ ତାଙ୍କର ପ୍ରଥମ ସ୍ତ୍ରୀ ବସନ୍ତ କୁମାରୀଙ୍କର ମୃତ୍ୟୁ ଘଟିଛି, ତା’ ପରେ ପରେ ସେ ‘ମନେ ମନେ’ ଉପନ୍ୟାସ ରଚନା ଆରମ୍ଭ କରିଛନ୍ତି । ତେଣୁ, ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ମଧ୍ୟ ଏହାର ଉତ୍ସର୍ଗପତ୍ର ସେ ଲେଖିଛନ୍ତି - ‘‘ଦିନେ ଯେ ସବୁ ମୋର ଥିଲା, ଆଜି ସେ ସବୁ କେବଳ ସ୍ମୃତି, ସେହି ସବୁକୁ ‘ମନେ ମନେ’ ଉତ୍ସର୍ଗ କଲି ।’’ ତାଙ୍କର ଦ୍ୱିତୀୟ ପତ୍ନୀ ଶ୍ରୀମତୀ ବୀଣାପାଣି ଦାସ ଏହି ପ୍ରସଙ୍ଗରେ ମତ ଦିଅନ୍ତି - ‘‘ଯେତେଦୂର ଅନୁମାନ କରାଯାଏ, ‘ମନେ ମନେ’ ଉପନ୍ୟାସର କଥାବସ୍ତୁ ଏବଂ ଏହାର ରଚନାକୁ ତାଙ୍କର ପ୍ରଥମ ସ୍ତ୍ରୀ ସ୍ଵର୍ଗତା ବସନ୍ତ କୁମାରୀଙ୍କର ମୃତ୍ୟୁ ପ୍ରଭାବିତ କରିଥିଲା ।’’ (୬)

 

ଏହା ୧୯୨୫-୨୬ ମସିହା ପର୍ଯ୍ୟନ୍ତ ଲେଖା ଚାଲିଥିଲା । ୧୯୦୭ ମସିହାରେ ପ୍ରଥମଥର ପାଇଁ ମନମୋହନ ପ୍ରେସ୍‌, କଟକ ପ୍ରକାଶ କରିଥିଲେ ଓ ପରେ ୧୯୬୪ ମସିହାରେ ଏହାର ଦ୍ୱିତୀୟ ମୁଦ୍ରଣ ଶ୍ରୀ ସତ୍ୟ ନାରାୟଣ ପ୍ରେସ୍‌, କଟକରେ ମୁଦ୍ରିତ ହୋଇ ପ୍ରକାଶ ପାଇଥିଲା ।

 

ଏହି ‘ମନେ ମନେ’ ଉପନ୍ୟାସଟି ଚାରିଗୋଟି ଖଣ୍ଡରେ ବିଭକ୍ତ ଯଥା - ମେରାଭାଇରେ, ଠକ, ଠକପଣ ଓ ମନେ ମନେ । ଶେଷଭାଗର ନାମ ଅନୁସାରେ ସମଗ୍ର ଉପନ୍ୟାସର ଏପରି ନାମକରଣ ହୋଇଛି । ପ୍ରଥମ ଖଣ୍ଡ (ମେରା ଭାଇରେ)ରେ ପାଞ୍ଚଗୋଟି ପରିଚ୍ଛେଦ, ଦ୍ୱିତୀୟ ଖଣ୍ଡ (ଠକ)ରେ ଆଠଗୋଟି ପରିଚ୍ଛେଦ, ତୃତୀୟଖଣ୍ଡ (ଠକପଣ)ରେ ଛଅଗୋଟି ପରିଚ୍ଛେଦ ଏବଂ ଚତୁର୍ଥଖଣ୍ଡ (ମନେ ମନେ)ରେ ଛଅ ଗୋଟି ପରିଚ୍ଛେଦ ପତ୍ରସ୍ଥ ହୋଇଛି । ଅର୍ଥାତ୍‌ ଏହାର ସମଗ୍ର ପରିଚ୍ଛେଦର ସଂଖ୍ୟା ପଚିଶ ଏବଂ ପୁସ୍ତକଟିର ପୃଷ୍ଠାସଂଖ୍ୟା ୨୦୬ । ଏହି ‘ମନେ ମନେ’ ଉପନ୍ୟାସ ତତ୍‌କାଳୀନ ସାହିତ୍ୟ ଜଗତରେ ଏପରି ଆଲୋଡ଼ନ ସୃଷ୍ଟି କରିଥିଲା- ଯେ ବହୁ ବିଶିଷ୍ଟ ବ୍ୟକ୍ତି ଏହି ପ୍ରସଙ୍ଗରେ, ସେମାନଙ୍କ ଅଭିମତ ଜଣାଇଥିଲେ । ତନ୍ମଧ୍ୟରୁ ମଧୁସୂଦନ ଦାସ ୧୯୨୭ ମସିହା ଅକ୍ଟୋବର ୨୦ ତାରିଖରେ ଇନ୍‌ଲାଣ୍ଡ କାର୍ଡ଼ରେ ଯେଉଁ ମତାମତ ଜଣାଇଥିଲେ ସେଥିରେ ଲେଖାଥିଲା- ‘ମନେ ମନେ’ ପ୍ରେମିକ ପ୍ରେମିକାମାନଙ୍କର ପାଠୋପଯୋଗୀ ଖଣ୍ଡିଏ ଉଚ୍ଚ ଧରଣର ଓଡ଼ିଆ ଉପନ୍ୟାସ । × × × ପ୍ରେମ ମନୁଷ୍ୟର ସହଜ ଓ ପ୍ରତ୍ୟକ୍ଷ ଭାବରେ ଅସୀମ ସୁଖର ଜନ୍ମଦାତା । ମାତ୍ର ନରହନ୍ତା ସମାଜ ଏକ କୃତ୍ରିମ ବସ୍ତୁ । ମାନବ ପ୍ରକୃତିତଃ ସୁଖଲିପ୍‌ସୁ ଏବଂ ତାହାର ହୃଦୟ ପ୍ରେମପ୍ରତି ସ୍ଵତଃ ଆକୃଷ୍ଟ । × × × ମୁଁ ଏହି ଉପନ୍ୟାସ ଖଣ୍ଡିକ ପାଠକରି ପ୍ରଚୁର ଆନନ୍ଦ ଉପଭୋଗ କରିଅଛି ଏବଂ ଆଶାକରେ ଗ୍ରନ୍ଥକାରମାନେ ଏହିପରି ଅଧିକ ସଂଖ୍ୟକ ଉପନ୍ୟାସ ଲେଖି ଉତ୍କଳର ଉପନ୍ୟାସ ସାହିତ୍ୟିକୁ ଉତ୍କୃଷ୍ଟ ଫଳପୁଷ୍ପଶୋଭିତ କରିବେ ।’’ (୭)

 

ଶ୍ରୀ ଚନ୍ଦ୍ରଶେଖର ଦାସ ମଧ୍ୟ ୧୯୨୭ ମସିହା ଅଗଷ୍ଟ ୬ ତାରିଖରେ ଏକ କବିତାରେ ବୈଷ୍ଣବ ଚରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେଥିରେ ସେ ଲେଖିଥିଲେ-

 

‘‘ରାଜ କର୍ମଚାରୀ ଭାରସତ୍ତ୍ୱେ ‘ମନେ ମନେ’

ଲେଖିଲ ବଙ୍କିମ ସମ ପ୍ରଥମେ ଉତ୍କଳେ,

କି ଭାଷା- ସାହିତ୍ୟେ କିବା କଳ୍ପନା-କୌଶଳେ ।

ପ୍ରଥମ- ପ୍ରୟାସ- ବୃକ୍ଷ ଫୁଟିଅଛି ଫଳେ,

ଗୁଣ- ଅନୁପାତେ ଦୋଷ ସମଧିକ ନାହିଁ,

ଯେ ଯାହା କୁହନ୍ତୁ, ମୁହିଁ ମୁଗ୍ଧ -‘ମନେ ମନେ’ ।’’

 

ଏତଦ୍‌ବ୍ୟତୀତ ସେ ‘ସାନବଡ଼’ ନାମରେ ଏକ ଉପନ୍ୟାସ ‘ବାରୁଣୀ’ ପତ୍ରିକାରେ ଧାରାବାହିକ ଭାବେ ରଚନା କରୁଥିଲେ । ସେହିପରି କିନ୍ତୁ ଉପନ୍ୟାସଟି ‘ବାରୁଣୀ’ରେ ପ୍ରକାଶ ପାଉଥିଲା । ମାତ୍ର ଏହି ଦୁଇଟିଯାକ ଉପନ୍ୟାସ ଅସଂପୂର୍ଣ୍ଣ ।

 

(ଙ) ନାଟକ : ବୈଷ୍ଣବ ଚରଣଙ୍କର ଏପର୍ଯ୍ୟନ୍ତ କେବଳ ଗୋଟିଏ ନାଟକର ସନ୍ଧାନ ମିଳିଛି । ଏହା ପାଣ୍ଡୁଲିପି ଆକାରରେ ଥିଲେ ମଧ୍ୟ ଏକାଧିକବାର ବିଭିନ୍ନ ସ୍ଥାନରେ ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା । ଏହି ‘ପଦ୍ମାବତୀ’ ନାଟକ ୧୯୩୧ ମସିହାରେ ବାରିପଦାର ‘ପୂର୍ଣ୍ଣଚନ୍ଦ୍ର ଡ୍ରାମାଟିକ୍‌ ଆସୋସିଏସନ୍‌’ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ସେତେବେଳେ ସେ ମୟୂରଭଞ୍ଜର ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ଆହ୍ୱାନକ୍ରମେ ପୋଲିସ୍‌ ବାହିନୀଙ୍କୁ ତାଲିମ ଦେବାକୁ ବୈଷ୍ଣବ ଚରଣ ଦୁଇବର୍ଷ ପାଇଁ ଆସିଥିଲେ । କାଞ୍ଚିଦେଶର ରାଜକୁମାରୀ ‘ପଦ୍ମାବତୀ’ ଏହି ନାଟକର ନାୟିକା । ପିତା ନରସିଂହ ରାଓ ଓଡ଼ିଆଙ୍କୁ ଘୃଣା କରିଛନ୍ତି । ବିଶେଷତଃ ପୁରୁଷୋତ୍ତମ ଦେବଙ୍କୁ ଚଣ୍ଡାଳ ବୋଲି ଘୃଣା କରିଛନ୍ତି-। ଶେଷରେ ଯୁଦ୍ଧ ହୋଇଛି ଓ ପୁରୁଷୋତ୍ତମ ଦେବଙ୍କର ଜୟ ହୋଇଛି । ପଦ୍ମାବତୀଙ୍କୁ ଆଣି ଚଣ୍ଡାଳ ସହିତ ବିବାହ ପାଇଁ ଦେବାବେଳେ ଚତୁର ମନ୍ତ୍ରୀ ପୁରୁଷୋତ୍ତମଦେବଙ୍କ ହାତରେ ପଦ୍ମାବତୀଙ୍କୁ ଅର୍ପଣ କରିଛନ୍ତି । ୧୯୩୧ ମସିହାରେ ବାରିପଦାରେ ଯେତେବେଳେ ଏହା ଅଭିନୀତ ହେଲା, ସେତେବେଳେ ଏହାର ପାଞ୍ଚଟି ଅଙ୍କ ଥିଲା । ମାତ୍ର ଯେତେବେଳେ ୧୯୩୫ ମସିହାରେ ରାଞ୍ଚିର ସେକ୍ରେଟେରୀଏଟ୍‌ର ଓଡ଼ିଆ କର୍ମଚାରୀଙ୍କ ଦ୍ୱାରା ଏହା ଅଭିନୀତ ହେଲା, ସେତେବେଳେ ଏଥିରେ ୭ଟି ଅଙ୍କ ଥିଲା । ଏଥିରେ ପୁରୁଷମାନେ ମଧ୍ୟ ନାରୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ଲକ୍ଷ୍ୟ କରିବାର କଥା, ରାଞ୍ଚିରେ ଏହାର ଅଭିନୟ ବେଳେ Willioms ନାମକ ଇଂରାଜୀ ବ୍ୟକ୍ତି ମଧ୍ୟ ଏଥିରେ ଅଭିନୟ କରିଥିଲେ । ଏହି ନାଟକରେ ପନ୍ଦର ଗୋଟି ଗୀତ ରହିଛି । ଏହି ଗୀତଗୁଡ଼ିକ ଦେଶାତ୍ମବୋଧମୂଳକ, ଭକ୍ତିମୂଳକ, ପ୍ରେମମୂଳକ ଓ ହାସ୍ୟରସାତ୍ମକମୂଳକ । ହାସ୍ୟରସାତ୍ମକମୂଳକର କେତୋଟି ଦୃଷ୍ଟାନ୍ତ -

 

(କ) ‘‘ବଡ଼ଦାଣ୍ଡ ବଡ଼ଦେଉଳ ଠାକୁର

      ତୋହରି ଏକ ତୋ ସମାନ,

ସବୁବଡ଼ ତୋର ଓଡ଼ିଆ ଭାଇରେ ।

      ତୁ’ପୁଣି କାହାଠୁଁ ସାନ ।

 

ଭୂଭାରତେ ଜାତିଭେଦ ନାହିଁ

      ନାହିଁ ଏପରା ଦେଉଳକାର,

ନୀଳାଚଳ ବଡ଼ ଦେଉଳଟି ଏକା

      ଦୀନ ହୀନ ଓଡ଼ିଆର ।

ହିନ୍ଦୁ ଭାବନା ହିନ୍ଦୁ ସାଧନା ହିନ୍ଦୁ ଲୋତକ ଧାର ।’’

 

(ଖ) “ମୋର ହାତଧରି ବାଟ ବତାଇ ନିଅରେ ।

      ପଥଭୁଲା ପାନ୍ଥ ଡାକୁଛି,

ଆହା ବୋଲିବାକୁ ସାହା କେହି ନାହିଁ

      ତୁମ ବାନା ତଳେ ଲୋଟୁଛି

 

(ଗ) “କାହାକୁ ସଜନୀରେ ରଖିବୁ ଧରି ।

      ତୋ ପାଇଁ ବସନ୍ତ ଯିବଟି କି ଫେରି

ପରାଣସଙ୍ଗିନୀ ନିଜର ତୁ ନାହୁଁ,

      ଯଉବନ ନୁହେଁ କାହାର ନଜାଣୁଁ

ଆସିଲାଣି ମଧୁମାସରେ ଫୁଲହାସରେ

      ଲତା ହେଲେ କି ବତାସରେ,

ସାଜି ବସିଲାଣି ସଜ ବୁକୁପାରି ।’’

 

(ଙ) ‘‘ଆହା ମେରି ବିବିରେ ।

      ତା ସଙ୍ଗରେ ସମସରି ନାହିଁ ଏ ପୃଥିବୀରେ,

ସବୁଠାରୁ ସଂଗୀନ୍‌ ଗୁଣ ରାନ୍ଧିବାରେ ବଡ଼ ନିପୁଣ

ତା ଖଣ୍ଡି ପଲାତ ବଇଗନ୍‌ କବାକ କେବେ ନ ଭୁଲିବିରେ ।

ତା ସରି ପଖାଳ ଆଉ ବାଇଗଣ ପୋଡ଼ା ।

      କେବେ ନହୁ ଭୁଲିବିରେ ।

 

ବୈଷ୍ଣବ ଚରଣଙ୍କ ରଚିତ ପ୍ରବନ୍ଧ ବା ଆଲୋଚନାର କୌଣସି ଲେଖା ମିଳି ନାହିଁ । ତଥାପି ୧୯୫୩-୫୪ ମସିହାରେ କଟକର ଉତ୍କଳ ସଂଗୀତ ସମାଜର ବିଂଶ ବାର୍ଷିକ ଉତ୍ସବରେ ଅଭ୍ୟର୍ଥନା ସମିତିର ସଭାପତି ଭାବରେ ସେ ଯେଉଁ ସୁଦୀର୍ଘ ଲିଖିତ ଭାଷଣ ପାଠ କରିଥିଲେ, ସେଥିରେ ସଂଗୀତକଳା ବିଷୟରେ ସାରଗର୍ଭକ ପ୍ରବନ୍ଧ ଓ ବହୁ ତଥ୍ୟ ଏଥିରେ ପ୍ରକାଶର କରିଥିବାର ଲକ୍ଷ୍ୟ କରାଯାଏ । ଏଥିରୁ କିୟଦଂଶ ଏଠାରେ ପ୍ରଦାନ କରାଗଲେ ଅସମାଚୀନ ହେବ ନାହିଁ । ଯଥା - ‘‘ଯେ ପ୍ରଣବ ସେ ଓଁକାର, ତାହାହିଁ ସଂଗୀତ । ସାଧାରଣ ବିଶ୍ଵାସ ଭାଷା ଆଗ, ତା’ପରେ ସଂଗୀତର ସୃଷ୍ଟି କିନ୍ତୁ ବାସ୍ତବତାରେ ସଂଗୀତ ଆଗ ପରେ ଭାଷା, ସଂଗୀତରୁ ହିଁ ଭାଷାର ଉତ୍ପତ୍ତି, ସାହିତ୍ୟର ସୃଷ୍ଟି, ପରିପୁଷ୍ଟି । ପୃଥିବୀର ପ୍ରାଚୀନତମ ସାହିତ୍ୟ ଭାରତୀୟ ଆର୍ଯ୍ୟଙ୍କର ଧର୍ମଗ୍ରନ୍ଥ ବେଦ ତାହା ଗୀତିମୟ । ବେଦମାନଙ୍କ ମଧ୍ୟରେ ସାମବେଦ ବିଶେଷତଃ ଗାନବହୁଳ; ସଂଗୀତ ହେତୁ ଭଗବାନ କୃଷ୍ଣ ଗୀତାରେ କହଛନ୍ତି ‘‘ବେଦାନାଂ ସାମବେଦୋଽସ୍ମି’ ଅର୍ଥାତ୍‌ ବେଦମାନଙ୍କ ମଧ୍ୟରେ ସାମବେଦ ଅର୍ଥାତ୍‌ ମୁଁ ‘ସଂଗୀତମୟ’ ଇତ୍ୟାଦି -

 

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟହୁଏ ଯେ, ଆଧୁନିକ ଓଡ଼ିଆ ସାହିତ୍ୟରେ ଯେତେବେଳେ ସବୁଜ ଗୋଷ୍ଠୀ ଓ ବାରୁଣୀ ଗୋଷ୍ଠୀ ନେତୃତ୍ୱ ନେଉଥିଲା, ସେତେବେଳେ ସାହିତ୍ୟିକ ବୈଷ୍ଣବ ଚରଣ ଦାସଙ୍କ ଅବଦାନ କମ୍‌ ଗୁରୁତ୍ଵପୂର୍ଣ୍ଣ ନୁହେଁ । ସେ କେବଳ ଜଣେ ପ୍ରଥମ ଓଡ଼ିଆ ଆଇ. ଜି. ନୁହନ୍ତି, ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ଵିକ ଉପନ୍ୟାସର ରଚୟିତା ଓ ଓଡ଼ିଶାର Golf ଖେଳର ଉଦ୍‌ଗାତା । ଓଡ଼ିଶାରେ ସଂଗୀତକଳା ଦିଗରେ ତାଙ୍କର ଅବଦାନକୁ ମଧ୍ୟ ସ୍ଵୀକାର କରିବାକୁ ହେବ । ମାତ୍ର, ଓଡ଼ିଆ ସାହିତ୍ୟର ଇତିହାସରେ ସେ ଗୁରୁତ୍ୱପୂର୍ଣ୍ଣ ଭାବରେ ସ୍ଥାନ ଲାଭ କରିପାରି ନାହାନ୍ତି, କେବଳ ବାକ୍ୟଟିଏ ବା ଇତ୍ୟାଦି ମଧ୍ୟରେ ତାଙ୍କର ନାମ ସୀମିତ । କାରଣ,ଏଥିପାଇଁ ତାଙ୍କ ବିଷୟରେ ବିଭିନ୍ନ ତଥ୍ୟମୂଳକ ଆଲୋଚନା ପ୍ରକାଶ ପାଇ ନାହିଁ । ଆଶାକରାଯାଉ, ତମ ନିକଟ ଭବିଷ୍ୟତରେ ଓଡ଼ିଶାର ସଚେତନ ପାଠକ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏଥିପାଇଁ ତାଙ୍କ କୃତିଗୁଡ଼ିକ ଏକତ୍ର କରି ‘‘ବୈଷ୍ଣବ ଚରଣ ଗ୍ରନ୍ଥାବଳୀ’’ ପ୍ରକାଶ ଓ ତାଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ପ୍ରକାଶ ପାଇବା ଆବଶ୍ୟକ । ଏହା ବ୍ୟତୀତ ତାଙ୍କ କୃତି ଗୁଡ଼ିକ ଉପରେ ବିଭିନ୍ନ ଲେଖକଙ୍କ ଦ୍ଵାରା ରଚିତ ଏକ ଆଲୋଚନା ଗ୍ରନ୍ଥ ସଂକଳନର ଆବଶ୍ୟକତା ମଧ୍ୟ ଅନୁଭବ କରାଯାଉଛି । ଏପରି ହେଲେ କଥାକାର ବୈଷ୍ଣବ ଚରଣ ଆଉ ବିସ୍ମୃତିର କରାଳ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିବ ନାହିଁ । (ସ୍ୱର୍ଗତ ବୈଷ୍ଣବ ଚରଣ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ବୀଣାପାଣି ଦାସଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବାରୁ କୃତଜ୍ଞତା ଜଣାଉଛି ।)

 

ପାଦଟୀକା:

(୧)

‘ଭଦ୍ରକ ରବିବାସରୀୟ ସାହିତ୍ୟ ଚକ୍ର’ ଆନୁକୂଲ୍ୟରେ ତା ୨୩-୯-୯୦ ରିଖ (ରବିବାର) ଦିନ ମାସିକ ସାହିତ୍ୟ ଆସରରେ ବୈଷ୍ଣବ ଚରଣଙ୍କର ୯୧ତମ ଜୟନ୍ତୀ ଉତ୍ସବ ଓଡ଼ିଶାରେ ପ୍ରଥମଥର ପାଇଁ ପାଳିତ ହୋଇ ତାଙ୍କ ଜୀବନ ଓ ସାହିତ୍ୟକୃତି ଉପରେ ଆଲୋଚନା ହୋଇଥି‌ଲା ।

(୨)

ଏହି ଲେଖକରଚିତ ‘ଜାତୀୟ କବି ବାଞ୍ଛାନିଧି’ (ଅପର୍ଣ୍ଣା ପ୍ରକାଶନୀ, ଇରମ, ବାଲେଶ୍ଵର - ୧୯୮୭) ପୃ ୧୪-୧୫) ଦ୍ରଷ୍ଟବ୍ୟ ।

(୩)

ଆଧୁନିକ ଓଡ଼ିଆ ଉପନ୍ୟାସ (ଆଧୁନିକ ଓଡ଼ିଆ ସାହିତ୍ୟ) ଗ୍ରନ୍ଥ ମନ୍ଦିର - ୧୯୬୩ - ପୃ : ୨୩୮

(୪)

ଓଡ଼ିଆ ସାହିତ୍ୟର କ୍ରମବିକାଶ - ଅଗ୍ରଦୂତ ପ୍ରକାଶନୀ - କଟକ ୧୯୭୮ - ପୃ : ୩୧୦

(୫)

ବାଲେଶ୍ଵର ଜିଲ୍ଲା ଇତିବୃତ୍ତ - ବ୍ରହ୍ମପ୍ରକାଶନୀ - ୧୯୮୭ - ପୃ: ୨୬-୨୭

(୬)

ଶ୍ରୀମତୀ ବୀଣାପାଣି ଦାସଙ୍କ ସାକ୍ଷାତକାରରୁ ଉଦ୍ଧୃତ । ସାକ୍ଷାତ ସମୟ - ୧୯୯୦ ମସିହା ସେପ୍ଟେମ୍ବର ୯ ତାରିଖ ।

(୭)

ଶ୍ରୀ ମଧୁସୂଦନଙ୍କ ପତ୍ର (ତା ୨୦-୧୦-୨୭ ରିଖ) ରୁ ଉଦ୍ଧୃତ ।

 

ଚମ୍ପୁଆ ମହାବିଦ୍ୟାଳୟ ଜି.କେନ୍ଦୁଝର

 

***

 

ଈଶପ୍‌ଙ୍କ ନୀତି କଥା : ଓଡ଼ିଆ ଅନୁବାଦ ଓ ଅନୁସୃଜନ

କୃପାସିନ୍ଧୁ ମହାଳିକ

 

ପଶୁପକ୍ଷୀ ବା ଜଡ଼ବସ୍ତୁକୁ ନେଇ ନୀତିମୂଳକ ଗଳ୍ପ କହିବାରେ (AESOP) ହେଉଛନ୍ତି ପାଶ୍ଚାତ୍ୟର ସମ୍ରାଟ । ପ୍ରାଚ୍ୟଦେଶର ପଞ୍ଚତନ୍ତ୍ର ରଚୟିତା ବିଷ୍ଣୁଶର୍ମାଙ୍କ ସଙ୍ଗେ କେବଳ ତାଙ୍କର ତୁଳନା କରାଯାଇପାରେ । ଗଳ୍ପରେ ପଶୁପକ୍ଷୀମାନଙ୍କୁ ମାନବାୟିତ କରି, ନିର୍ଜୀବକୁ ସଜୀବ କରି, ସେମାନଙ୍କର ଆଚରଣ, କଥୋପକଥନ, ବ୍ୟବହାର ମାଧ୍ୟମରେ ସମସାମୟିକ ଲୋକ-ଜୀବନର ସ୍ୱରୂପକୁ ସୁନ୍ଦର ଭାବରେ ଫୁଟାଇଛନ୍ତି । ଈଶପ୍‌ କିନ୍ତୁ କୌଣସି ଗଳ୍ପ ନିଜେ ଲେଖିଯାଇ ନାହାନ୍ତି, ମୁହେଁ ମୁହେଁ କେବଳ କହି ଯାଇଛନ୍ତି । ତେଣୁ କେତେକ ପଣ୍ଡିତ କହନ୍ତି ଯେ ଈଶପ୍‌ ବୋଲି କୌଣସି ବ୍ୟକ୍ତି ନଥିଲେ । ଦେଶର ପ୍ରଚଳିତ ନୀତିଗର୍ଭ ମୂଳକ ଗଳ୍ପଗୁଡ଼ିକୁ ଈଶପ୍‌ ବୋଲି ଏକ କାଳ୍ପନିକ ବ୍ୟକ୍ତି ନାମରେ ଆରୋପିତ କରାଯାଇଛି । ଆଉ କେତେକ ପଣ୍ଡିତ କହନ୍ତି ଈଶପ୍‌ ବୋଲି ଜଣେ ବ୍ୟକ୍ତି ଥିଲେ । ସେ ଖ୍ରୀଷ୍ଟ ପୂର୍ବ ୯୨୦ରୁ ଖ୍ରୀଷ୍ଟପୂର୍ବ ୬୫୦ ମଧ୍ୟରେ ଜୀବିତ ଥିଲେ । ବିଶ୍ୱର ପ୍ରଥମ ଐତିହାସିକ ହେରୋଡଟାସ୍‌ (ଖ୍ରୀଷ୍ଟପୂର୍ବ ୫ମ ଶତକ)ଙ୍କ ମତରେ ‘‘ଈଶପ୍‌ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଲୋକ ଏବଂ ସେ ଥିଲେ ଜଣେ କ୍ରୀତଦାସ । ପ୍ଲୋଟାର୍କ Plutarch, ଖ୍ରୀଷ୍ଟପୂର୍ବ ୧ମ ଶତକ)ଙ୍କ ମତରେ ଈଶପ୍‌ ଖ୍ରୀ.ପୂ ଷଷ୍ଠ ଶତାବ୍ଦୀର ଲୁଦିଆର ରାଜା କ୍ରୁସାସ୍‌ଙ୍କ ରାଜସଭାରେ ଜଣେ ଉପଦେଷ୍ଟାଭାବେ କାର୍ଯ୍ୟ କରୁଥିଲେ ।’’ (୧)

 

ଈଶପ୍‌ ଗ୍ରୀସ୍‌ର Xanthus ନାମକ ଜଣେ ଧନୀ ବଣିକର କ୍ରିତଦାସ ଥିଲେ । ଦେଖିବାକୁ ବିକଳାଙ୍ଗ, ମାତ୍ର ତାଙ୍କର ବୁଦ୍ଧି ଓ ବଚନଭଙ୍ଗୀ ଥିଲା ଅସାଧାରଣ । ତେଣୁ ତାଙ୍କ ପ୍ରଭୁ Xanthus ତାଙ୍କୁ ଦାସତ୍ୱରୁ ମୁକ୍ତ କରିବା ପରେ ସେ ଲିଦିଆର ରାଜା କ୍ରୁସାସ୍‌ଙ୍କର ଉପଦେଷ୍ଟାଭାବେ ରାଜସଭା ମଣ୍ଡନ କରିଥିଲେ । ଏହି ସମୟରେ ସେ ପଶୁପକ୍ଷୀ ଓ ନରନାରୀମାନଙ୍କୁ ନେଇ ବହୁ Fable କହିଯାଇଥିଲେ । ତାଙ୍କର ସେହି ଗଳ୍ପଗୁଡ଼ିକୁ ବାବ୍ରିୟାସ୍‌ ନାମକ ଜଣେ ଗ୍ରୀକ୍‌ ପଣ୍ଡିତ ଖ୍ରୀ.ପୂ ୧ମ ଶତକରେ ଲୋକମୁଖରୁ ଲିପିବଦ୍ଧ କରିଥିଲେ । କିନ୍ତୁ ବାବ୍ରିୟାସଙ୍କର ସେହି ଗଳ୍ପ ସଂକଳନଟି ୧୯୪୪ ଖ୍ରୀଷ୍ଟାବ୍ଦରେ ମିଳିଥି‌ଲା । ଏହା ପରେ ପରେ ଫେବଲ୍‌ ସମ୍ରାଟଙ୍କ ସେହି ଫେବଲ୍‌ଗୁଡ଼ିକ ବିଖ୍ୟାତ ହୋଇଗଲା । ବର୍ତ୍ତମାନ ଓଡ଼ିଆ ସମେତ ଅନ୍ୟୂନ ୨୫୦ଟି ଭାଷାରେ ଏହାର ଅନୁଦିତ ରୂପ ସୁଲଭ୍ୟ ।

 

ଏହି ବିଶ୍ୱବିଖ୍ୟାତ ଈଶପ୍‌ କାହାଣୀ ଓଡ଼ିଆ ଅନୁବାଦ ଉନବିଂଶ ଶତାବ୍ଦୀର ଆଦ୍ୟଭାଗରେ ଇଂରେଜ ମିଶନାରୀମାନଙ୍କ ପାଠ୍ୟପୁସ୍ତକରେ ଦେଖାଯାଏ । ଈଶପ୍‌ଙ୍କ କାହାଣୀଗୁଡ଼ିକୁ ଓଡ଼ିଆ ସାହିତ୍ୟରେ ପ୍ରବେଶ କରାଇବାରେ ଏ. ସଟନ୍‌ ହେଉଛନ୍ତି ସର୍ବପ୍ରଥମ । ଇଂରେଜମାନଙ୍କ ଓଡ଼ିଶା ଅଧିକାର (୧୮୦୩) ପରେ ମିଶ୍‌ନାରୀମାନେ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ଓ ପାଠ୍ୟପୁସ୍ତକ ପ୍ରଣୟନ ମାଧ୍ୟମରେ ଧର୍ମ ପ୍ରଚାରକୁ ଏକ ସହଜ ଉପାୟ ମନେକରି ବାଇବେଲ୍‌ ଓ ନୀତିଗର୍ଭମୂଳକ ପୁସ୍ତକର ଓଡ଼ିଆ ଅନୁବାଦ କରି ପ୍ରଚାର କଲେ । ଉଚ୍ଚମନର ନୀତିଶିକ୍ଷାମୂଳକ ହିତୋପଦେଶ ପଞ୍ଚତନ୍ତ୍ର, ବେତାଳ ପଞ୍ଚବିଂଶତି, ଈଶପ୍‌ କାହାଣୀ ଆଦିକୁ ଓଡ଼ିଆରେ ଅନୁବାଦ କରି ବିଦ୍ୟାଳୟରେ ପାଠ୍ୟପୁସ୍ତକ ରୂପେ ପ୍ରଚଳନ କଲେ । ଏଥିପାଇଁ ୧୮୧୭ ମସିହାରେ ‘କଲିକତା ବୁକ୍‌ ସୋସାଇଟି’, ନାମରେ ଏକ ବେସରକାରୀ ସଂସ୍ଥାର ମଧ୍ୟ ପ୍ରତିଷ୍ଠା ହେଲା । ଏହି ଅନୁଷ୍ଠାନ ବିଦ୍ୟାଳୟଗୁଡ଼ିକୁ ଉପଯୁକ୍ତ ଅନୁବାଦପୁସ୍ତକ ଯୋଗାଇଦେବାର ଦାୟିତ୍ୱ ବହନ କରିଥିଲା । କିନ୍ତୁ ପାଠ୍ୟପୁସ୍ତକ ପ୍ରଣୟନ ପାଇଁ କୌଣସି ଧରାବନ୍ଧା ନିୟମ ନ ଥିବାରୁ ଉକ୍ତ ଅନୁଷ୍ଠାନ ତରଫରୁ କେତେଖଣ୍ଡ ବଙ୍ଗଳା ପୁସ୍ତକକୁ ଅନୁବାଦ କରି ବିଦ୍ୟାଳୟମାନଙ୍କୁ ଯୋଗାଇ ଦିଆଯାଉଥିଲା । ଏହି ସୂତ୍ରରେ ୧୮୩୯ ମସିହାରେ ତାରିଣୀ ଚରଣ ମିଶ୍ର, ରାଧାକାନ୍ତ ଦେବ ଓ ରାମକମଳ ସେନ୍‌ଙ୍କ ଦ୍ୱାରା ରଚିତ ‘‘ନୀତିକଥା’’ (ଈଶପ୍‌ କାହାଣୀର ଅନୁଦିତ ରୂପ)ର ତିନିଖଣ୍ଡ ପୁସ୍ତକକୁ ଆମ୍‌ସ ସଟନ୍‌ ଅନୁବାଦ କରିଥିଲେ । ୧୮୬୬ ମସିହା ବେଳକୁ ଏହାର ଚାରୋଟି ସଂସ୍କରଣ ପ୍ରକାଶିତ ହୋଇ ସାରିଥିଲା । (୨) ଏହି ସଂସ୍କରଣରେ ଯେଉଁ ନୀତିମୂଳକ ଓ ଉପଦେଶାତ୍ମକ ଗଳ୍ପଗୁଡ଼ିକ ପ୍ରଦତ୍ତ ହୋଇଥିଲା, ସେଗୁଡ଼ିକ ମଧ୍ୟରୁ ଦୁଇ କୁକୁଡ଼ା, କୌଣସି ହେଟାବାଘ, ଅହଙ୍କାର କଥା, କୁକ୍କୁର ଓ ତାହାର ପ୍ରତିବିମ୍ବ କଥା ପ୍ରଭୃତି ଈଶପ୍‌ କାହାଣୀର ଅନୁଦିତ ରୂପ । କିନ୍ତୁ ଏହି ଗଳ୍ପଗୁଡ଼ିକର ଭାଷା ଥିଲା ବଙ୍ଗଭାଷା ପ୍ରଭାବିତ । ଏହି ପାଠ୍ୟପୁସ୍ତକଗୁଡ଼ିକ ବିଦ୍ୟାଳୟର ଶିଶୁମାନଙ୍କ ପାଇଁ ଅଭିପ୍ରେତ ହୋଇଥିଲେବି ଏହାର ଭାଷା, ଶୈଳୀ ଓ ବିଷୟବସ୍ତୁ ଶିଶୁ ଉପଯୋଗୀ ହୋଇପାରି ନ ଥିଲା । କୁକ୍କୁର ଓ ତାହାର ପ୍ରତିବିମ୍ବ ରୂପକ କଥାର ରୂପରୁ ତାହା ଅନୁଭବ୍ୟ :

 

‘‘ଗୋଟିଏ କୁକ୍କୁର ଖଣ୍ଡେ ମାଂସ ମୁଖେ ଘେନି ଏକ ନଦୀ ପହଁରି ଯିବାବେଳେ ଜଳମଧ୍ୟରେ ଆପଣା ପ୍ରତିବିମ୍ବ ଦେଖିଲା । ଅତଏବ, ଆଉ ଗୋଟିଏ କୁକ୍କୁର ଉତ୍ତମ ମାଂସଖଣ୍ଡ ଗ୍ରହଣ କରିବା ଚେଷ୍ଟାରେ ମୁଖ ବିସ୍ତାର କରି ପ୍ରତିଆକ୍ରମଣ କଲା ଏବଂ ଭ୍ରମଦୃଷ୍ଟ ମାଂସଖଣ୍ଡ ସୁଦ୍ଧା ମିଳିଲା ନାହିଁ ।

 

ତାତ୍ପର୍ଯ୍ୟ ! ଯେଉଁ ବ୍ୟକ୍ତି ଅନୁଚିତ ଲୋଭକରେ, ତାହାର ଏହିରୂପ ଦୁର୍ଦ୍ଦଶା ହୁଏ ।

 

ଏତଦ୍‌ବ୍ୟତୀତ ସଟନ୍‌ଙ୍କ ‘ଓଡ଼ିଆ ଅଭିଧାନ’ (୧୮୪୧)ପ୍ରଥମ ଭାଗରେ ସନ୍ନିବେଶିତ ତିନୋଟି ଗଳ୍ପ ଈଶପ୍‌ କାହାଣୀ ଅନୁପ୍ରେରିତ । ଠେକୁଆ ଓ ବାଘୁଣୀ, ସ୍ତ୍ରୀ ଓ ହଂସୀ, ମଶକ ଓ ଷଣ୍ଢ ଗଳ୍ପରେ ଉଭୟ ଓଡ଼ିଆ ଓ ଇଂରାଜୀରେ ଉଦ୍ଧୃତି ଦିଆଯାଇ ଗଳ୍ପର ଶେଷରେ ଏକ ତାତ୍ପର୍ଯ୍ୟ ବା ଫଳଶ୍ରୁତି ସନ୍ନିବେଶିତ ହୋଇଛି (୩) ।

 

୧୮୩୦ ମସିହାଠାରୁ ୧୮୮୦ ମସିହା ପର୍ଯ୍ୟନ୍ତ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଯେଉଁ ଗଦ୍ୟ ରଚନା କରାଯାଉଥିଲା, ତାହା ପ୍ରାୟତଃ ଇଂରେଜ ମିଶନାରୀମାନଙ୍କ ଦ୍ୱାରା ଲିଖିତ ଏବଂ ବଙ୍ଗଳା ପୁସ୍ତକରୁ ଅନୁଦିତ । ଈଶପ୍‌ କାହାଣୀର ଭାଷାଥିଲା ବଙ୍ଗ ଭାଷା ପ୍ରଭାବିତ । ତେଣୁ ସଟନ୍‌ଙ୍କର ଈଶପ୍‌ କାହାଣୀର ଅନୁବାଦ ଶିଶୁମାନଙ୍କ ପାଇଁ ବିଶେଷ ଉପଯୋଗୀ ହୋଇପାରି ନଥିଲା । ଏହି ମିଶନାରୀମାନଙ୍କ ପରେ ଦେଶୀୟ ବ୍ୟକ୍ତିମାନେ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କଲେ । ଜନଶିକ୍ଷା ପ୍ରସାର, ଜ୍ଞାନ ବିଜ୍ଞାନ ପ୍ରତି ନବଜାଗ୍ରତ ଶ୍ରଦ୍ଧା, ପାଠ୍ୟପୁସ୍ତକ ରଚନା ନିମନ୍ତେ ସରକାରୀ ଉତ୍ସାହ ହେତୁ ଅଧିକ ସଂଖ୍ୟାରେ ଓଡ଼ିଆମାନେ ପାଠ୍ୟପୁସ୍ତକ ରଚନା କଲେ । ଫଳରେ ଈଶପ୍‌ ଫେବଲ୍‌ର ରୂପ ୧୮୮୦ ମସିହା ପରଠାରୁ Translation (ଅନୁବାଦ) ଏବଂ Transcreation (ଅନୁକୃତି) ଜରିଆରେ ବହୁ ପରିମାଣରେ ପ୍ରସାରିତ ହୋଇ ପାରିଥିଲା ।

 

ଇଂରେଜମାନଙ୍କ ଦ୍ୱାରା ୧୮୨୩ ମସିହାରେ କଟକ ଚ୍ୟାରିଟି ସ୍କୁଲ, ୧୮୫୩ ମହିହାରେ କଟକ, ପୁରୀ ଓ ବାଲେଶ୍ଵରରେ ଜିଲ୍ଲାସ୍କୁଲ୍‌, ୧୮୬୬ ମସିହାରେ ରେଭେନ୍‌ସା କଲେଜ ଏବଂ ୧୮୬୭ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠିତ ହେବା ଫଳରେ ଏକ ପାଶ୍ଚାତ୍ୟ ଭାବାପନ୍ନ ଶିକ୍ଷିତ ଗୋଷ୍ଠୀର ଅଭ୍ୟୁଦୟ ହେଲା । ସରକାର ମଧ୍ୟ ବୁଦ୍ଧିଜୀବୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ଘୋଷଣା କଲେ । ଫଳରେ ୧୮୮୦ ମସିହା ବେଳକୁ ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟର ଜନକ ମଧୁସୂଦନ, ଫକୀରମୋହନ, ପ୍ୟାରୀମୋହନ ଆଚାର୍ଯ୍ୟ, ଚନ୍ଦ୍ରମୋହନ ମହାରଣାଙ୍କ ଭଳି ସାହିତ୍ୟରଥୀମାନେ ପାଠ୍ୟପୁସ୍ତକ ପ୍ରଣୟନରେ ବିଶେଷ ଭୂମିକା ଗ୍ରହଣ କଲେ । ଏମାନେ ଶିଶୁମାନଙ୍କ ପାଇଁ ବିଶେଷକରି ନୀତି ଉପଦେଶମୂଳକ ଗଳ୍ପ ଓ କବିତାମାନ ରଚନା କଲେ । ପ୍ରାଚୀନ ନୀତିକଥା ସମ୍ବଳିତ ‘ଜାତକଗଳ୍ପ’, ‘ପଞ୍ଚତନ୍ତ୍ର’, ‘ହିତୋପଦେଶ’, ‘ବେତାଳ ପଞ୍ଚବିଂଶତି’ କଥା ସହିତ ପାଶ୍ଚାତ୍ୟ କଥାକାର ଈଶପ୍‌ କାହାଣୀର ଓଡ଼ିଆ ଅନୁବାଦ ଓ ମର୍ମାନୁବାଦ କଲେ ।

 

ଈଶପ୍‌ କାହାଣୀର ଓଡ଼ିଆ ଅନୁଦିତ ରୂପ ଅପେକ୍ଷା ଅନୁକୃତି (Transcreation) ବିଶେଷଭାବେ ଦେଖିବାକୁ ମିଳିଥାଏ । ୧୯୧୭ ମସିହାରେ ଚନ୍ଦ୍ରମୋହନ ମହାରଣା ପିଲାମାନଙ୍କୁ ନୀତି ଉପଦେଶ ଦେବା ଉଦ୍ଦେଶ୍ୟରେ ଯେଉଁ ‘କଥାବଳୀ’ ରଚନା କରିଥିଲେ ତା’ର ଗଦ୍ୟଭାଗରେ କେତେକ ଗଳ୍ପ ଈଶପ୍‌ ଫେବଲ୍‌ର ଭାଷାନ୍ତର । ‘ଜହ୍ନମାମୁଁ’ ଶିଶୁ ପତ୍ରିକାର ସଂପାଦକ ବାଳକୃଷ୍ଣ କର ଈଶପ୍‌ଙ୍କର ୧୪୦ଟି ଗଳ୍ପକୁ ନେଇ ନୀତିମଂଜରୀ ବା ଏସପ୍‌କଥା’ ନାମକ ଶିଶୁଗଳ୍ପ ପୁସ୍ତକ ରଚନା କରିଥିଲେ । ବାଙ୍କନିଧି ପଟ୍ଟନାୟକ ଈଶପ୍‌ଙ୍କର ଶହେଟି ଗଳ୍ପକୁ ଅନୁବାଦ କରି ‘କଥାଶତକ’ ନାମରେ ନାମିତ କରିଛନ୍ତି । ଶ୍ରୀଧର ଦାସଙ୍କ ଈଶପ୍‌ କାହାଣୀ (୧୯୭୩), ବିନୋଦ କାନୁନ୍‌ଗୋଙ୍କ ‘ଜ୍ଞାମଣ୍ଡଳ ସିରିଜ୍‌’ର ନିକିତି ତଉଲ ସାନବଡ଼କୁ’’ (୧୯୭୪), ଶରତ ମହାନ୍ତିଙ୍କ ‘ଏସପ୍‌ କାହାଣୀମାଳା’ (୧୯୯୫), ଚିତ୍ତରଂଜନ ଦାସଙ୍କ ‘ଏସପ କାହାଣୀ’ ଗୁଡ଼ିକ ମୁଖ୍ୟତଃ ଈଶପ୍‌ କାହାଣୀର ଭାଷାନ୍ତର । ଏମାନେ ଈଶପ୍‌ କାହାଣୀର ଉଭୟ ଭାବଗତ ଓ ରୂପଗତ ସାମଞ୍ଜସ୍ୟ ରଖି ସହଜ, ସୁବୋଧ୍ୟ ଓ ସରଳ ଭାଷାରେ ଅନୁବାଦ କରିଛନ୍ତି ।

 

କିନ୍ତୁ ଏହି ଅନୂଦିତ ରୂପ ଅପେକ୍ଷା ଏହାର ଅନୂକୃତି ରୂପ ବେଶୀ ପରିମାଣରେ ଲକ୍ଷ୍ୟ କରାଯାଏ । ମଧୁସୂଦନଙ୍କ ‘ବାଳବୋଧ’ (୧୯୧୭)ରେ ଲୋଭୀ କୁକୁର, ବେଙ୍ଗର ଅହଂକାର, ସିଂହ ଓ ବ୍ୟାଘ୍ର କଥା, ସୂର୍ଯ୍ୟ ଓ ପବନ, ବିଲେଇ ବେକରେ ଘଣ୍ଟି ବାନ୍ଧିବା, ଦୁଇବନ୍ଧୁ ଓ ଭାଲୁ ଏବଂ ‘ଶିଶୁବୋଧ’ (୧୯୨୩)ରେ ସିଂହ ଓ ମୂଷା, ବେଙ୍ଗ ଓ ଛଞ୍ଚାଣ ଆଦି ଗଳ୍ପଗୁଡ଼ିକ ଈଶପ୍‌ କାହାଣୀର ରୂପାନ୍ତର । ଗୋଦାବରୀଶ ମହାପାତ୍ରଙ୍କ ଈଶପ୍‌ କାହାଣୀ ଆଦର୍ଶରେ ରଚିତ ପଶୁପକ୍ଷୀ ସଂପର୍କୀୟ ନ’ଟି ଗଳ୍ପର ସଂକଳନ ‘କି କଥା ?’ (୧୯୬୧)ରେ ‘ଓଲାଗଧିଆ’, ଗଗନ ବିହାରୀ ମହାନ୍ତିଙ୍କ ‘ନୂଆଗପ ବହି’ (୧୯୭୩)ରେ ଗର୍ଭିତ ପ୍ରାୟ ଦଶଟି ଗଳ୍ପ ରଘୁନାଥ ରାଉତଙ୍କ ‘ଆମର କାହାଣୀ’ (୧ମ, ୨ୟ, ୩ୟ ଭାଗ, ୧୯୮୧)ରେ ଗର୍ଭିତ ଗଳ୍ପସବୁ ଏବଂ ମହପାତ୍ର ନୀଳମଣି ସାହୁଙ୍କ ‘ହଜିଥିଲେ ଖୋଜି ଆଣିବି’ (୧୯୯୬) ରେ ‘ସତ କୁରାଢ଼ୀ ଓ ମିଛ କୁରାଢ଼ୀ’ ଆଦି ଗଳ୍ପଗୁଡ଼ିକ ଈଶପ୍‌ କାହାଣୀର ଅନୁକୃତି ।

 

ସ୍ୱାଧୀନୋତ୍ତର ଓଡ଼ିଆ ପାଠ୍ୟପୁସ୍ତକରେ ନୀତିଶିକ୍ଷା, ସଦାଚାର, ଉପଦେଶ ତଥା ଆନନ୍ଦଦାନ ଉଦ୍ଦେଶ୍ୟରେ ଯେଉଁସବୁ ନୀତିଗର୍ଭିତ କାହାଣୀ ସ୍ଥାନିତ ହେଉଥିଲା, ସେଥିମଧ୍ୟରୁ ଈଶପ୍‌ କାହାଣୀର ଅନୁକୃତି ରୂପ ମୁଖ୍ୟଭୂମିକା ଗ୍ରହଣ କରିଥିଲା । ‘ଅଳସୁଆ ଦୁଃଖପାଏ’ (ସାହିତ୍ୟ-୩ୟ ଶ୍ରେଣୀ), ‘ଗୁପ୍ତଧନ’ (ସାହିତ୍ୟ- ୫ମ ଶ୍ରେଣୀ), ‘ପିମ୍ପୁଡି ଉପକାର ଶୁଝିଲା’ ଏବଂ ‘ଧାଇଁ ଆସ ହୋ ଧାଇଁ ଆସ’ (ମୋ ପାଠ ବହି ୨ୟ- ଭାଗ/ ପ୍ରଥମାର୍ଦ୍ଧ) ‘ମା ବେଙ୍ଗ ପେଟ ଫାଟିଲା’ ଏବଂ ‘କାହାର ଅନିଷ୍ଟ କର ନାହିଁ (ନୂଆ ପାଠ ବହି - ୨ୟ ଭାଗ/ ଦ୍ୱିତୀୟାର୍ଦ୍ଧ) ଆଦି ଗଳ୍ପଗୁଡ଼ିକ ଈଶପ୍‌ କାହାଣୀର ଓଡ଼ିଆ ଅନୁକୃତି ରୂପ ।

 

ଈଶପ୍‌ କାହାଣୀର ଆକ୍ଷରିକ ଅନୁବାଦ ବା ଅନୁକୃତି (Transcreation) ମାଧ୍ୟମରେ ଓଡ଼ିଆ ଶିଶୁଗଳ୍ପ ପ୍ରବେଶ କରିଥିଲେ ମଧ୍ୟ କେତେକ କ୍ଷେତ୍ରରେ ତାହାର ରୂପ ପରିବର୍ତ୍ତିତ ହୋଇଛି-। କେବଳ ଅପରିବର୍ତ୍ତିତ ରହିଛି ଅନ୍ତରଂଗ ଭାବ । ଗାଳ୍ପିକମାନେ ଈଶପ୍‌ କାହାଣୀକୁ ପଢ଼ି ବା ଶୁଣି ତାର ମର୍ମକୁ ଅପରିବର୍ତ୍ତିତ ରଖି କେତେକ ଚରିତ୍ରକୁ ପରିବର୍ତ୍ତନ କରିଛନ୍ତି, ଆଉ କେତେକ କଥାବସ୍ତୁରେ ସାମାନ୍ୟ ପରିବର୍ତ୍ତନ ଆନୟନ କରିଛନ୍ତି । ଏହା ମୌଳିକ ସ୍ଥିତି ଓ ସାଂପ୍ରତିକ ପରିବେଶ ଅନୁରୂପ ଅନୁସୃଜନର କାରଣ । ‘ବାଳବୋଧ’ରେ ମଧୁସୂଦନ ‘ଅହଂକାରୀ ବେଙ୍ଗ କଥା’ରେ ବଳଦ ପରିବର୍ତ୍ତେ ହାତୀକୁ ଗ୍ରହଣ କରିଛନ୍ତି । ଈଶପ୍‌ କାହାଣୀ ‘The Lion, the Bear and the Fox’ରେ ସିଂହ ଓ ଭାଲୁ ଗୋଟିଏ ଛେଳିଛୁଆକୁ ନେଇ ଲଢ଼େଇ କରୁଥିବା ବେଳେ ମଧୁସୂଦନଙ୍କ ଓଡ଼ିଆ ଗଳ୍ପ ସିଂହ ଓ ବ୍ୟାଘ୍ର କଥାରେ ଭାଲୁ ବଦଳରେ ବାଘ ଏବଂ ଛେଳି ବଦଳରେ ହରିଣକୁ ନେଇଛନ୍ତି । (୪) ଏଠାରେ ମଧୁସୂଦନ ଅନୁଭବ କରିଛନ୍ତି ଯେ ଈଶପ୍‌ଙ୍କ ଭାଲୁ ସିଂହର ସମାସ୍କନ୍ଧ ନୁହେଁ । ତେଣୁ ସିଂହର ସମାସ୍କନ୍ଧ ଚିରତ୍ର ରୂପେ ବାଘ ଚରିତ୍ରକୁ ଚିତ୍ରଣ କରି ନିଜର ଅନୁସୃଜନର ମୌଳିକତା ପ୍ରଦର୍ଶନ କରିଛନ୍ତି । ଗୋଦାବରୀଶଙ୍କ ‘ଓଲା ଗଧିଆ’ ଗଳ୍ପଟିରେ ଗଧଟି ଗଧିଆକୁ ତା’ର ଲାଞ୍ଜଆଡ଼ୁ ଖାଇବାକୁ କହି ଗଧିଆକୁ ଲାତ୍‌ ମାରିଛି । କିନ୍ତୁ ଈଶପ୍‌ଙ୍କ ‘The Ass and the Wolf’ ଗଳ୍ପରେ ଗଧ, ତା’ ଗୋଡ଼ରୁ କଣ୍ଟା ବାହାର କରିଦେବାକୁ କହି ଗଧିଆକୁ ଲାତ୍‌ ମାରିଛି । ଏହି ଅନୁସୃଜନଟି ଈଶପ୍‌ଙ୍କ ଗଳ୍ପଠାରୁ ଅଧିକ ମନୋରଂଜନଧର୍ମୀ ! ଏଥିରେ ଗଧିଆର ଓଲାତ୍ୱକୁ ତୀକ୍ଷ୍‍ଣ ଭାବରେ ଚିତ୍ରିତ କରି ଗୋଦାବରୀଶ ମୌଳିକତା ଦେଖାଇଛନ୍ତି । ଗଗନ ବିହାରୀ ମହାନ୍ତିଙ୍କ ‘ବଳଠାରୁ ବୁଦ୍ଧି ବଡ଼’ ଗଳ୍ପଟିରେ ଅନୁସୃଜନ ସାମଗ୍ରୀକ ପରିବର୍ତ୍ତନକୁ ଭିତ୍ତି କରିଛି । ସେ ଈଶପ୍‌ କାହାଣୀର ‘ଠେକୁଆ ଓ କଇଁଛ’ର ଦୌଡ଼ ପ୍ରତିଯୋଗିତାକୁ ଉତ୍ସଭାବେ ଗ୍ରହଣ କରି ଗଳ୍ପଟିକୁ ରଚନା କରିଛନ୍ତି । ଶିଆଳ ଓ କଙ୍କଡ଼ା ମଧ୍ୟରେ ଦୌଡ଼ ପ୍ରତିଯୋଗିତା ବେଳେ କଙ୍କଡ଼ା କୌଶଳରେ ଶିଆଳ ଓ ଲାଞ୍ଜକୁ କାମୁଡ଼ି ଧରିଛି । ଶିଆଳ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚି ଯେତେବେଳେ ପଛକୁ ଘୂରିପଡ଼ି ଦେଖୁଛି, କଙ୍କଡ଼ା ଆସୁଛି କି ନାହିଁ, ସେତେବେଳେ କଙ୍କଡ଼ା ତା ଲାଞ୍ଜରୁ ଖସିଯାଇ କହିଛି- ‘‘ଶିଆଳ ଭାଇ ତମେ ଆସିବା ଆଗରୁ ମୁଁ ଆସି ଏଇଠି ବସିଛି ।’’(୫) ଏଥିରେ ମୂଳ ତାତ୍ପର୍ଯ୍ୟ ବଳଠାରୁ ବୁଦ୍ଧି ବଡ଼ । ଈଶପ ଗଳ୍ପ ‘ଠେକୁଆ ଓ କଇଁଛ’ର, କିନ୍ତୁ ତାତ୍ପର୍ଯ୍ୟ ହେଲା କର୍ମଠର କାର୍ଯ୍ୟ ଧୀର ହେଲେ ବି ସେ ସବୁବେଳେ ଆଗୁଆ ଏବଂ ଅଳସୁଆ ସବୁବେଳେ ପଛ୍ଥୁଆ । ଏଠାରେ କେବଳ ଦୌଡ଼ ପ୍ରତିଯୋଗିତା ମୋଟିଫ୍‌ଗତ ସାମଞ୍ଜସ୍ୟ ରକ୍ଷିତ । ପୁଣି ଈଶପ୍‌ ଗଳ୍ପ ‘The lion and the three Bulls’ ର ତାତ୍ପର୍ଯ୍ୟକୁ ଅପରିବର୍ତ୍ତିତ ରଖି ଶ୍ରୀ ମହାନ୍ତି ତାଙ୍କ ଗଳ୍ପ ‘‘ମେଳ ଛାଡ଼ିବାର ଫଳ’’ରେ ବଳଦ ବଦଳରେ ଚାରି, ପାଞ୍ଚଟି ଛେଳି ଏବଂ ସିଂହ ବଦଳରେ ବାଘର ଅବତାରଣା କରିଛନ୍ତି । ଉଭୟ ଏ ଗଳ୍ପରେ କେବଳ ଏକତା ହିଁ, ବଳର ତାତ୍ପର୍ଯ୍ୟ ରକ୍ଷିତ ହୋଇଛି । ଏହିପରି ତାଙ୍କର ପ୍ରାୟତଃ ପ୍ରତି ଗଳ୍ପରେ ଅନୁସୃଜନତାର ରୂପ ଦେଖିବାକୁ ମିଳିଥାଏ । ରଘୁନାଥ ରାଉତଙ୍କ ‘ଆମର କାହାଣୀ’ର ଦୁଇଟି ଗଳ୍ପରେ ଈଶପ୍‌ଙ୍କ କାହାଣୀର ପରିବର୍ତ୍ତିତ ରୂପ ମଧ୍ୟ ଦେଖାଯାଏ । ‘‘ହିତେ ବିପରୀତ’’ ଗଳ୍ପରେ ଘୋଡ଼ାଟି ଗାର ଉପରେ ଈର୍ଷାନ୍ୱିତ ହୋଇ ମଣିଷର ସାହାଯ୍ୟ ନେଇଛି । କିନ୍ତୁ ମଣିଷ ଉଭୟକୁ ନିଜ କାମରେ ଲଗାଇବା ପାଇଁ ବାନ୍ଧି ରଖିଛି । (୬) ଈଶପ୍‌ କାହାଣୀରେ ଘୋଡ଼ାଟିର ବଣ ଘୁଷୁରୀ ଉପରେ ଈର୍ଷା ହେବାରୁ ସେ ମଣିଷର ସାହାଯ୍ୟ ନେଇ ଘୁଷୁରୀକୁ ମରାଇଛି । ହେଲେ ମଣିଷ ଆଉ ଘୋଡ଼ାକୁ ଛାଡ଼ି ନାହିଁ । (୭) ଏଠାରେ ଓଡ଼ିଆ ଗଳ୍ପରେ ବଣ ଘୁଷୁରୀ ପରିବର୍ତ୍ତେ ଗାଈକୁ ନିଆଯାଇଛି ଏବଂ ଦ୍ୱିତୀୟ ଶ୍ରେଣୀ ‘ନୂଆପାଠ ବହି’ ଦ୍ୱିତୀୟାର୍ଦ୍ଧରେ ଗର୍ଭିତ ଗଳ୍ପ କାହାର ଅନିଷ୍ଟ କର ନାହିଁ’ରେ ହରିଣକୁ ଗ୍ରହଣ କରାଯାଇଛି । ହିନ୍ଦୁ ସଂସ୍କୃତିରେ ଗାଈ ହେଉଛି ଦେବତା । ତେଣୁ ଶିକାରୀ ଗାଈକୁ ନମାରି ତାକୁ ବାନ୍ଧିଆଣିଛି, ତା ପାଖରୁ କ୍ଷୀର ଖାଇବା ପାଇଁ । ପୁଣି ଗାଈ ଓ ହରିଣ ପଡ଼ିଆରୁ ଘାସ ଖାଇ ଯାଉଥିବାରୁ ଘୋଡ଼ାର ସେମାନଙ୍କ ପ୍ରତି ଈର୍ଷାକୁ ଅଧିକ ବାସ୍ତବ କରିବା ପାଇଁ ଏପରି ପରିବର୍ତ୍ତନ କରାଯାଇଛି । ସେହିପରି ‘ଚତୁର ଗଞ୍ଜା’ରେ କଥାବସ୍ତୁଗତ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ବିଲୁଆ ଗଞ୍ଜାକୁ ଯେତେବେଳେ କହିଛି ମୋ ସହ ତମର କୁସ୍ତିଯୁଦ୍ଧ କରିବାପାଇଁ ଡାକୁଛ କି, ସେତେବେଳେ ଗଞ୍ଜାଟି କହିଛି- ହଁ ଯେ, ତୁମେପରା କହୁଥିଲ ଚିତାବାଘ ସହିତ ଲଢ଼ିବା ପାଇଁ ସେଥିପାଇଁ ବାଘମାମୁଁକୁ ଡାକୁଛି । ବିଲୁଆ କହିଲା ତାହା ଠିକ୍‌ ଯେ ତେବେ, ମୋତେ ଭାରି ଝାଡ଼ା ତଲବ୍ ଦେଲାଣି- ମୁଁ ଟିକେ ଝାଡ଼ା ଫେରିଆସେ । ଏହା କହି ବଣକୁ ଦୌଡ଼ିଲା । (୮) ଈଶପ୍‌ କାହାଣୀଟି କିନ୍ତୁ ଅନ୍ୟ ପ୍ରକାର । ଏହା ଗଞ୍ଜା, ବିଲୁଆ ଓ କୁକୁର ଚରିତ୍ରକୁ ନେଇ ରଚିତ । ଗଞ୍ଜା ଓ କୁକୁର ଦୁଇବନ୍ଧୁ । ଗଞ୍ଜାଟି ଗଛଉପରେ ଥିଲାବେଳେ ବିଲୁଆ ଆସି କହିଛି- ଭାଇ ତମର ସ୍ଵର ଏତେ ମଧୁର, ଟିକେ ତଳକୁ ଆସନ୍ତ ନାହିଁ, ମୁଁ ତମକୁ ଆଲିଙ୍ଗନ କରନ୍ତି । ଚତୁର ଗଞ୍ଜାଟି କିନ୍ତୁ କହିଛି, ମୋ ଦରୱାନ ତଳେ ଶୋଇଛି, ତାକୁ ଡାକିଦିଅ ସେ କବାଟ ଖୋଲିଲେ ମୁଁ ତଳକୁ ଯିବି । ବିଲୁଆ ସେଇୟା କରନ୍ତେ, କୁକୁର ଦୌଡ଼ଆସି ବିଲୁଆକୁ ମାଡ଼ି ବସିଲା । (୯) ଏଠାରେ ଓଡ଼ିଆ ଗଳ୍ପରେ ଅନ୍ତରଙ୍ଗ ତାତ୍ପର୍ଯ୍ୟଟିକୁ ଅକ୍ଷୁର୍ଣ୍ଣ ରଖି କଥାବସ୍ତୁଗତ ପରିବର୍ତ୍ତନ କରାଯାଇଛି । ଏପରି ଭାବରେ ଈଶପ୍‌ କାହାଣୀ ବହୁ ଅନୁସୃଜନ ମଧ୍ୟଦେଇ ଓଡ଼ିଆ ଶିଶୁ ସାହିତ୍ୟରେ ଏକ ମୁଖ୍ୟସ୍ଥାନ ଅଧିକାର କରି ପାରିଛି ।

 

ପାଦଟୀକା :

(1)

AESOP, the author of a collection of Greek Fables. Herodottus in the 5th C.B.C. said that he had lived in the 6th C.B.C and that he was a slave and plutarch in the Ist. C.A.D. made him adviser to croesus, the 6th C.B.C. king of Lydia. The New Britannica-P 12.

(୨)

ଡକ୍ଟର କୃତ୍ତିବାସ ନାୟକ- ଓଡ଼ିଆ ଶିଶୁ ସ୍ୱରୂପ ଓ ବିକାଶ- ପୃ.୧୪୮

(୩)

ଡକ୍ଟର ଶ୍ରୀନିବାସ ମିଶ୍ର - ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ (୧୮୧୦-୧୯୨୦)-ପୃ.୫୮

(୪)

ମଧୁସୂଦନ ଗ୍ରନ୍ଥାବଳୀ- ‘ବାଳବୋଧ’, ପୃ- ୪୧୨ରୁ ୪୪୩ ।

(୫)

ଗଗନ ବିହାରୀ ମହାନ୍ତି - ନୂଆ ଗପ ବହି (୧୯୭୩)

(୬)

ରଘୁନାଥ ରାଉତ - ଆମର କାହାଣୀ (୨ୟ) (୧୯୮୨) ପୃ-୮

(୭)

Edward J.Detmold - AESOPS Fables, P.94 ।

(୮)

ରଘୁନାଥ ରାଉତ - ଆମର କାହାଣୀ (୩ୟ) ୧୯୮୨ ପୃ-୨୬ ।

 

 

ଓଡ଼ିଆ ବିଭାଗ

ଶାନ୍ତିନିକେତନ (ପ:ବ:)

 

***

 

ସମାଲୋଚନାର ଦିଗନ୍ତ

ଡକ୍ଟର ଚକ୍ରପାଣି ମହାପାତ୍ର

 

ଚେତନାର ବିକାଶ ଫଳରେ ସଂସାରର ପରିଦୃଶ୍ୟମାନ ପ୍ରତ୍ୟେକ ସର୍ଜନାର ଆପାତତଃ ଦ୍ୱିବିଧ ଦିଗ ଯୁଗାନ୍ତରରୁ ସ୍ଵୀକୃତି ଲାଭ କରିଅଛି । ଏହି ବିଭିଧତା ଅନେକ ଶାବ୍ଦିକ ରୂପ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଲକ୍ଷ୍ୟ କରାଯାଏ, ଯଥା:-ସାଧାରଣ-ଅସାଧାରଣ, ସ୍ଥୂଳ-ସୂକ୍ଷ୍ମ, ବାହ୍ୟ-ଆଭ୍ୟନ୍ତରୀଣ; ବାଚ୍ୟ-ବ୍ୟଙ୍ଗ୍ୟ; ସାମାନ୍ୟ- ବିଶେଷ ଇତ୍ୟାଦି । ବାଗ୍‌ବୈଚିତ୍ର୍ୟ ହେତୁ ଶାବ୍ଦିକ ପ୍ରୟୋଗରେ ଭିନ୍ନତା ଦୃଷ୍ଟିଗୋଚର ହେଲେ ମଧ୍ୟ ଆଭିମୁଖ୍ୟ ଦୃଷ୍ଟିରୁ କେବଳ ଦ୍ୱବିଧତା ହିଁ ଆଧାରିତ ତଥା ପ୍ରତିଷ୍ଠିତ । ସାମଗ୍ରିକ ଦୃଷ୍ଟିରୁ ବିଚାର କଲେ ଦେଖାଯାଏ, ପ୍ରତ୍ୟେକ କ୍ଷେତ୍ରରେ ଜିଜ୍ଞାସୁ ଏବଂ ଅନିସନ୍ଧିତ୍ସୁ ବ୍ୟକ୍ତି ଆପାତତଃ ପରିଦୃଶ୍ୟମାନ ବାହ୍ୟରୂପରେ ସନ୍ତୁଷ୍ଟ ନ ହୋଇ ବାହ୍ୟରୂପର ଅନ୍ତରାଳରେ ବିଦ୍ୟମାନ ତଦଧିକ ତତ୍ତ୍ୱାର୍ଥ ଲାଭ ଆଶାରେ ମନ୍ଥନଶୀଳ ହୋଇଥାନ୍ତି । ଭାଷାନ୍ତରେ ପ୍ରକାଶ କଲେ ବ୍ୟକ୍ତି ବିଶେଷଙ୍କର ଜିଜ୍ଞାସାସମ୍ଭୂତ ମନ୍ଥନଶୀଳ ପ୍ରବୃତ୍ତିହିଁ ବସ୍ତୁରେ ଅନ୍ତର୍ନିହିତ ସତ୍ତାକୁ ଜନ୍ମ ଦେଇଥାଏ । ଅବଶ୍ୟ ଏହି କ୍ଷେତ୍ରରେ ତାରତମ୍ୟକୁ ଉପେକ୍ଷା କରାଯାଇ ନପାରେ, କିନ୍ତୁ ବ୍ୟାବହାରିକତା ଦୃଷ୍ଟିରୁ ପ୍ରତ୍ୟେକ ସୃଷ୍ଟିରେ ଉଭୟ ଦୃଷ୍ଟିର ଆବଶ୍ୟକତା ଅନୁଭୂତ ହୋଇଥାଏ । ବାହ୍ୟ ଏବଂ ଆଭ୍ୟନ୍ତରୀଣ ଉଭୟ ଦୃଷ୍ଟିରେ ସଂବନ୍ଧ ନହେଲେ କୌଣସି ସୃଷ୍ଟିକୁ ସାର୍ଥକ ଏବଂ ଶୁଭଙ୍କର କୁହାଯାଇ ନପାରେ, କାରଣ ଉଭୟ ଦିଗର ସୌଷ୍ଠବ ଉପରେ ହିଁ ସୃଷ୍ଟିର ଯଥାର୍ଥ୍ୟ ତଥା ସାଫଲ୍ୟ ନିର୍ଭରଶୀଳ । ସୃଷ୍ଟିରେ ଏହି ସୌଷ୍ଠବର ରକ୍ଷା ଏବଂ ପ୍ରତିଷ୍ଠା ପାଇଁ ଆବଶ୍ୟକ ହୋଇଥାଏ ସମାଲୋଚନା ।

 

ଯେ କୌଣସି ବସ୍ତୁ ବା କ୍ରିୟାର ଆଭିମୁଖ୍ୟ ଉଦ୍‌ଘାଟନ କରିବାକୁ ହେଲେ ଶବ୍ଦାର୍ଥ ବିବେଚନା ଏକାନ୍ତ ଆବଶ୍ୟକ ମନେହୁଏ । ଏହି ଦୃଷ୍ଟିରୁ ସମାଲୋଚନା କ୍ରିୟାର ଯଦି ଶାବ୍ଦିକ ବିବେଚନା କରାଯାଏ, ଦେଖାଯିବ ଶବ୍ଦଟି ସମ୍‌ ଉପସର୍ଗ + ଆ ଉପସର୍ଗ + ଲୁଚ୍‌ ଧାତୁ + ଲ୍ୟୁଟ୍‌ ପ୍ରତ୍ୟୟ + ଟାପ୍‌ ପ୍ରତ୍ୟୟର ସଂଯୋଗରେ ନିଷ୍ପନ୍ନ ଯାହାକି ସାଙ୍କେତିକ ଭାଷାରେ (ସମ୍‌ + ଅ + ଲୁଚ୍‌ + ଲ୍ୟୁଟ୍‌ + ଟାପ୍‌) । ଏହାର ସମ୍ଭାବ୍ୟ ଅର୍ଥ ହେବ ସମ୍‌- ସମ୍ୟକ୍‌ ଭାବରେ, ଆ-ସମନ୍ତାତ୍‌ (ସମସ୍ତ ଦିଗରୁ), ଲୁଚ୍‌ ଦୃଷ୍ଟିନିକ୍ଷେପ କରିବା, ଲ୍ୟୁଟ୍‌-କ୍ରିୟା ବା ଅବସର, ଟାପ୍‌-ସ୍ତ୍ରୀ ଲିଙ୍ଗାନ୍ତ ପ୍ରତ୍ୟୟ ଯାହାକି ଶାବ୍ଦିକ ଶୋଭା ବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ । ପ୍ରସ୍ତୁତ ବ୍ୟୁତ୍ପିତ୍ତିକୁ ଭାଷାନ୍ତରେ ପ୍ରକାଶ କରିବାକୁ ଗଲେ ସମାଲୋଚନାର ଅର୍ଥ କୌଣସି ସୃଷ୍ଟି (ବସ୍ତୁ ବା କ୍ରିୟା)ର ସମସ୍ତ ସମ୍ଭାବ୍ୟ ଦିଗପ୍ରତି ଯଥାର୍ଥ ଦୃଷ୍ଟି ନିକ୍ଷେପ କରିବା । କ୍ରିୟାବାଚକ ଶବ୍ଦ (ସମାଲୋଚନା)ଟିକୁ ସ୍ତ୍ରୀ ଲିଙ୍ଗର ପର୍ଯ୍ୟାୟଭୂକ୍ତ କରିବାରେ ମଧ୍ୟ ଏକ ବିଶେଷ କାରଣର ପ୍ରଚ୍ଛନ୍ନ ସ୍ଥିତି କେହି କେହି ସମୀକ୍ଷକ ଉଦ୍‌ଘାଟନ କରିଥିବା ଜଣାଯାଏ, ଯଥା- ସତି ଲିଙ୍ଗାନ୍ତରେ ଯତ୍ର ସ୍ତ୍ରୀଲିଙ୍ଗଞ୍ଚ ପ୍ରଯୁଜ୍ୟତେ ।

ଶୋଭା-ନିଷ୍ପତ୍ତୟେ, ଯସ୍ମାଦ୍‌ ସ୍ଵଭାବାତ୍‌ ସ୍ତ୍ରୀତି ପେଶଳମ୍‌ ।।

 

ଅର୍ଥାତ୍‌ କୌଣସି ଶବ୍ଦକୁ ଅନ୍ୟାନ୍ୟ ଲିଙ୍ଗରେ ବ୍ୟବହାର କରିବାର ଅବସର ଥିବା ସତ୍ତ୍ୱେ‌ ଶବ୍ଦଟିକୁ ଯେଉଁ ସ୍ତ୍ରୀଲିଙ୍ଗରେ ପ୍ରୟୋଗ କରାଯାଏ, ତାହା କେବଳ ସୌନ୍ଦର୍ଯ୍ୟ (କୋମଳତା) ବିଧାନ ନିମିତ୍ତ ଯେହେତୁ ସ୍ତ୍ରୀ ସ୍ଵଭାବତଃ ଲାଳିତ୍ୟର ପ୍ରତୀକ ।

 

ସଂସାରର ପ୍ରତ୍ୟେକ ପରିଦୃଶ୍ୟମାନ ତଥା ଅନୁଭୂୟମାନ୍‌ ବସ୍ତୁ ବା ସତ୍ତା ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସୃଷ୍ଟି । ତା’ ଛଡ଼ା ପ୍ରତ୍ୟେକ ସୃଷ୍ଟି ଅନ୍ୟଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ । ଭିନ୍ନତା ହେତୁ ପ୍ରତ୍ୟେକ ସୃଷ୍ଟି ଦ୍ରଷ୍ଟାର ଦୃଷ୍ଟି ଆକର୍ଷଣ କରିବା ଯେପରି ସ୍ଵାଭାବିକ, ଦୃଶ୍ୟର ବୈଚିତ୍ର୍ୟ ହେତୁ ଦ୍ରଷ୍ଟାର ପ୍ରତିକ୍ରିୟା ସୃଷ୍ଟି ହେବା ମଧ୍ୟ ସ୍ଵାଭାବିକ । ବସ୍ତୁ ବସ୍ତୁ ମଧ୍ୟରେ ପରିଦୃଷ୍ଟ ତଥା ଅନୁଭୂତ ଭିନ୍ନତା ଗ୍ରାହକତା ଦୃଷ୍ଟିରୁ ଏତେ ସ୍ଵାଭାବିକ୍ ଯେ ସ୍ଥଳବିଶେଷରେ ସେମାନଙ୍କ ମଧ୍ୟରେ ଲକ୍ଷିତ ଆପାତ ସାମ୍ୟ ବେଳେବେଳେ ବିସ୍ମ‌ୟ ସୃଷ୍ଟି କରିଥାଏ । ଏଣୁ ଯେକୌଣସି ସୃଷ୍ଟିର ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ରୂପକୁ ନେଇ କିମ୍ବା ବସ୍ତୁ ବସ୍ତୁ ମଧ୍ୟରେ ଥିବା ସାମ୍ୟ ବା ବୈଷମ୍ୟକୁ ନେଇ ସମାଲୋଚନା କରାଯାଇ ପାରେ । ଯେହେତୁ ବସ୍ତୁର ଆକୃତି କିମ୍ବା ପ୍ରକୃତି ସ୍ଥଳବିଶେଷରେ ଉଭୟକୁ ନେଇ ପ୍ରସ୍ତୁତ, ଏକ ସାଂକେତିକ ବା ଶାବ୍ଦିକ ଆଲ୍ଲେଖ୍ୟକୁ ମୋଟାମୋଟି ସମାଲୋଚନା ବା ଆଲୋଚନା କୁହାଯାଇ ପାରେ । ପରିଣତିସ୍ଵରୂପ, ଯେ କୌଣସି ବ୍ୟକ୍ତିର ଆକୃତି, ପ୍ରକୃତି କିମ୍ବା କୃତିତ୍ୱ ଏବଂ ଯେକୌଣସି ବସ୍ତୁ ବା କ୍ରିୟାର ବାହ୍ୟ ତଥା ଆଭ୍ୟନ୍ତରୀଣ ରୂପ ସମାଲୋଚନାର ଅନ୍ତର୍ଭୁକ୍ତ ହୋଇପାରେ, ଯେହେତୁ ଏହାର ପରିସର ଅସୀମ । ଏହା ସତ୍ତ୍ୱେ ପାରମ୍ପାରିକତା ଦୃଷ୍ଟିରୁ ସାହିତ୍ୟିକ ପରିସର ହିଁ ସମାଲୋଚନା ପାଇଁ ପ୍ରଶସ୍ତ ତଥା ବ୍ୟାପକ କ୍ଷେତ୍ର ରୂପେ ବହୁଳ ମାତ୍ରାରେ ଗୃହୀତ ତଥା ସ୍ଵୀକୃତ ।

 

ସମାଲୋଚନା ସହିତ ପ୍ରାୟ ସମାର୍ଥବାଚୀ ଶବ୍ଦ ହିସାବରେ ‘ଆଲୋଚନା’ ଶବ୍ଦଟି ମଧ୍ୟ ସୃଷ୍ଟି ଓ ଦୃଷ୍ଟି କ୍ଷେତ୍ରରେ ଗୃହୀତ ତଥା ସ୍ଵୀକୃତ । ଏହି ଶବ୍ଦଟିକୁ ଯଦି ତର୍ଜମା କରାଯାଏ ଆ ଉପସର୍ଗ + ଲୁଚ୍‌ ଧାତୁ + ଲ୍ୟୁଟ୍‌ ପ୍ରତ୍ୟୟ + ଟାପ୍‌ ପ୍ରତ୍ୟୟରୁ ନିଷ୍ପନ୍ନ ହୋଇଛି । ସାଙ୍କେତିକ ଭାଷାରେ ପ୍ରକାଶ କଲେ ଏହା ହେବ ଆ + ଲୁଚ୍‌ + ଲ୍ୟୁଟ + ଟାପ୍‌ । ଏହାର ଅର୍ଥ କୌଣସି ସୃଷ୍ଟିକୁ ପ୍ରତ୍ୟେକ ସମ୍ଭାବ୍ୟ ଦିଗରୁ ଦୃଷ୍ଟିନିକ୍ଷେପ କରିବା । ପ୍ରସ୍ତୁତ ସମୀକ୍ଷାରୁ ଯାହା ସ୍ପଷ୍ଟ ହେଲା, ଆଲୋଚନା ଏବଂ ସମାଲୋଚନା ମଧ୍ୟରେ ବିଶେଷ ପାର୍ଥକ୍ୟ ଏହି ଯେ ଆଲୋଚନାରେ ସୃଷ୍ଟିର ସମସ୍ତ ସମ୍ଭାବ୍ୟ ଦିଗ ପ୍ରତି ସାମାନ୍ୟ ଦୃଷ୍ଟିନିକ୍ଷେପର ଆବଶ୍ୟକତା ଥିବା ସ୍ଥଳେ ସମାଲୋଚନାରେ ସୃଷ୍ଟିର ସମସ୍ତ ସମ୍ଭାବ୍ୟ ଦିଗପ୍ରତି ସମ୍ୟକ୍‌ (ଉଚିତ, ବିଶେଷ) ଦୃଷ୍ଟିର ଆବଶ୍ୟକତା ଅନୁଭୂତ ହୋଇଥାଏ । ଶବ୍ଦଦ୍ୱୟର ଶବ୍ବାର୍ଥ ଦୃଷ୍ଟିରୁ ଉଭୟ ଶବ୍ଦମଧ୍ୟରେ ଏକ ବିଷେଷ ପାର୍ଥକ୍ୟ ଥିଲେ ମଧ୍ୟ ପ୍ରୟୋଗକ୍ଷେତ୍ରରେ, ଉଭୟ ଶବ୍ଦ ମଧ୍ୟରେ ପ୍ରତ୍ୟେକ ସ୍ଥଳରେ ସେମିତି କୌଣସି ବିଶେଷ ପାର୍ଥକ୍ୟ ଉପଲବ୍‌ଧ ହୋଇ ନ ଥାଏ । ଫଳରେ ତାତ୍ପର୍ଯ୍ୟର ସହିତ ଶବ୍ଦଦ୍ୱୟ ପ୍ରଯୁକ୍ତ ହୋଇଥିବା କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ର ବ୍ୟତୀତ ପ୍ରାୟ ସମସ୍ତ କ୍ଷେତ୍ରରେ ସମାଲୋଚନା ଓ ଆଲୋଚନା ଏକ ଅନ୍ୟର ପର୍ଯ୍ୟାୟବାଚୀ ଶବ୍ଦ ହିସାବରେ ଅଭିନ୍ନ ଭାବରେ ବ୍ୟବହୃତ ହେଉଥିବା ପରିଦୃଷ୍ଟ ହୁଏ ।

 

ଉପର୍ଯ୍ୟୁକ୍ତ ଦୃଷ୍ଟି କୋଣରୁ ବିଚାର କଲେ ଆଲୋଚନା ବା ସମାଲୋଚନା କହିଲେ କୌଣସି ସାହିତ୍ୟିକ ବା କାବ୍ୟିକ ସୃଷ୍ଟିର ସମସ୍ତ ସମ୍ଭାବ୍ୟ ଦିଗପ୍ରତି ସମ୍ୟକ୍‌ ଦୃଷ୍ଟିନିକ୍ଷେପ ପୂର୍ବକ ମନ୍ତବ୍ୟ ପ୍ରକାଶ କରିବା । ଏହି ପ୍ରକାଶନ ହୁଏତ ସାଙ୍କେତିକ ହୋଇପାରେ କିମ୍ବା ଶାବ୍ଦିକ ହୋଇପାରେ କିନ୍ତୁ ଦୃଷ୍ଟିଭଙ୍ଗୀର ସୂକ୍ଷ୍ମତା ହଁ ଏହି କ୍ଷେତ୍ରରେ ଅତ୍ୟାବଶ୍ୟକ ଉପାଦାନ । ଏହା ଏକ ସ୍ଵାଭାବିକ ପ୍ରବୃତ୍ତି ଯେ ବାହ୍ୟ କିମ୍ବା ଆଭିଧାନିକ ଦୃଷ୍ଟିରେ କୌଣସି ଜିଜ୍ଞାସୁ କେବେହେଲେ ପରିତୃଷ୍ଟ ହୋଇ ନ ପାରେ । ବୌଦ୍ଧିକ ପିପାସାର ତୃପ୍ତି ସର୍ବଦା ନିର୍ଭର କରିଥାଏ ଅନୁସନ୍ଧିତ୍ସା ଏବଂ ଜିଜ୍ଞାସା ଉପରେ । ଜିଜ୍ଞାସାର ପରଧି ଯେହେତୁ ଅସୀମ, ତେଣୁ ବ୍ୟକ୍ତି ସ୍ଵତଃ ସୃଷ୍ଟିର ଆଭ୍ୟନ୍ତରୀଣ ତଥା ସୂକ୍ଷ୍ମ‌ ପରିଧି ଭିତରକୁ ଆକୃଷ୍ଟ ହୋଇଯାଏ । ସମାଲୋଚନା ତା ପାଇଁ ଅନିବୀର୍ଯ୍ୟ ହୋଇଯାଏ-। ମନ୍ଥନ ଏବଂ ଆଲୋଡ଼ନ ଫଳରେ ସେ ବୌଦ୍ଧିକତାର ଏକ ବର୍ଣ୍ଣାଳୀ ଆବିଷ୍କାର କରେ ଏବଂ ତା’ରି ଭିତରେ ସେ ବହୁଧା ବିଭକ୍ତ ହୋଇଯାଏ ।

 

ପରିବର୍ତ୍ତନଶୀଳତା ଜଗତର ଧର୍ମ । ବ୍ୟାପକ ଅର୍ଥରେ ଯେକୌଣସି ପ୍ରକାର ପରିବର୍ତ୍ତନକୁ ଏକ ସୃଷ୍ଟି କୁହାଯାଇ ପାରେ । ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ମଣିଷର ପ୍ରତ୍ୟେକ କାର୍ଯ୍ୟକଳାପକୁ ମଧ୍ୟ ଏହି ବ୍ୟାପାରର ପର୍ଯ୍ୟାୟଭୂକ୍ତ କରାଯାଇପାରେ । ପ୍ରତ୍ୟେକ ସୃଷ୍ଟି ହୁଏତ ସାର୍ଥକ ହୋଇପାରେ, କିନ୍ତୁ ସଫଳ ହେବା ନିଶ୍ଚିତ ନୁହେଁ ଯାହାକି ତା’ର ସାରାସାର ନିରୂପଣରେ ହିଁ ପର୍ଯ୍ୟବସିତ ହୋଇଥାଏ । ସୃଷ୍ଟିର ସାରାସାର ନିରୂପଣ ବା ମୂଲ୍ୟାୟନ ପାଇଁ ସମାଲୋଚନା ଏକ ଅନିବାର୍ଯ୍ୟ ଆବଶ୍ୟକତା ।

 

ସୃଜନୀ ପ୍ରକ୍ରିୟାରେ ଯେକୌଣସି ବ୍ୟକ୍ତି ସ୍ରଷ୍ଟା ହୋଇପାରନ୍ତି ଏବଂ ତାଙ୍କର ସର୍ଜନ କ୍ଷେତ୍ରରେ ସେ ଏକାଙ୍ଗଚକ୍ରବର୍ତ୍ତୀ । କୌଣସିପ୍ରକାର ସୀମା ବା ଶୃଙ୍ଖଳାରେ ସୀମିତ ବା ଶୃଙ୍ଖଳିତ ହେବାପାଇଁ ସେ ବାଧ୍ୟ ନୁହଁନ୍ତି । ବିଶେଷତଃ, କାବ୍ୟସାହିତ୍ୟର ସଂସାର ଯେହେତୁ ଅସୀମ, ଅପାର ସେ ତହିଁରେ ସ୍ଵୟଂ ପ୍ରଜାପତି । କୌଣସିପ୍ରକାର ନିୟନ୍ତ୍ରଣ ତାଙ୍କ ପାଖରେ ପ୍ରଯୁଜ୍ୟ ନୁହେଁ ବରଂ ତାଙ୍କର ଦୃଷ୍ଟି ଭଙ୍ଗୀ ଓ କଳ୍ପନାବିଳାସକୁ ନେଇ ଆବଶ୍ୟକ ସ୍ଥଳେ ବିଶ୍ଵବ୍ରହ୍ମାଣ୍ଡ ପରିବର୍ତ୍ତିତ ହୋଇପାରେ । ସାହିତ୍ୟିକ, ସାହିତ୍ୟ ଜଗତରେ ସାର୍ବଭୌମ ସମ୍ରାଟ । ଧ୍ୱନି ବିଶାରଦ ଆନନ୍ଦବର୍ଦ୍ଧନଙ୍କ ଭାଷାରେ -

 

ଅପାରେ କାବ୍ୟ ସଂସାରେ କବି ରେବ ପ୍ରଜାପତିଃ

ଯଥାସ୍ମୈ ରୋଚତେ ବିଶ୍ଵଂ ତଥେଦଂ ପରିବର୍ତ୍ତତେ ॥

ଧ୍ୱନାଲୋକ

 

ଅର୍ଥାତ୍‌, କାବ୍ୟର ସଂସାର ଅପାର ହୋଇଥିବା ହେତୁ କବି ହିଁ ସ୍ଵୟଂ ପ୍ରଜାପତି । ତାଙ୍କର ରୁଚି (କଳ୍ପନା ବିଳାସ) ଅନୁସାରେ ଏହି ବିଶ୍ଵବ୍ରହ୍ମାଣ୍ଡ ପରିବର୍ତ୍ତିତ ହୋଇଥାଏ । ଅନନ୍ୟ ପ୍ରତିଭାସମ୍ପନ୍ନ କବିବର୍ଗଙ୍କର ସୃଜନୀ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ବା ବିଚ୍ୟୁତିକୁ ଅଙ୍ଗୁଳି ନିର୍ଦ୍ଦେଶର ଶରବ୍ୟ ନ କରିବା ପାଇଁ ହୁଏତ ଏପରି ଏକ ପାରମ୍ପରିକ ଶାସ୍ତ୍ରୀୟ ନିର୍ଦ୍ଦେଶକୁ କେତେକ କ୍ଷେତ୍ରରେ ମାନ୍ୟତା ଦିଆଯାଇପାରେ; କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏତାଦୃଶ ବିଜ୍ଞପ୍ତି ଆଶାତୀତ ବିଶୃଙ୍ଖଳା ସୃଷ୍ଟି କରିପାରେ । ଯେକୌଣସି ସ୍ତରର କବି ବା ସାହିତ୍ୟିକଙ୍କୁ ଏତାଦୃଶ ଅଧିକାର ସୃଜନୀ କ୍ଷେତ୍ରରେ ସମୃଦ୍ଧି ସାଧନ କରିବା ପରିବର୍ତ୍ତେ ହୁଏତ ଅବରୁଦ୍ଧି ସାଧନ କରିପାରେ । ଅସଂଯତ ଲେଖନୀ ଚାଳନାର ପରିଣତି ସ୍ଵରୂପ ସାହିତ୍ୟ ଓ ସୃଜନୀ ବିକଳାଙ୍ଗ ହୋଇଯାଇ ପାରେ-। ଏଣୁ ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ, ସମାଲୋଚନାରୂପକ ଏକ ନିରାପଦ ଅଙ୍କୁଶ, ଏକ ସଂସ୍କାରଧର୍ମୀ ନିୟନ୍ତ୍ରଣ । ପ୍ରତ୍ୟେକ ସୃଷ୍ଟିର ସଫଳତାର ପରୀକ୍ଷା ପାଇଁ ଆବଶ୍ୟକ ସମାଲୋଚନା-। ସମାଲୋଚନାର ଉଦ୍ଦେଶ୍ୟ, ସୃଷ୍ଟିର ଯଥାର୍ଥ୍ୟ ଉପରେ ସ୍ରଷ୍ଟାଙ୍କୁ ସଚେତନ କରିବା-। ସମାଲୋଚନାର ଆଭିମୁଖ୍ୟ ନୁହେଁ କୌଣସି ସ୍ରଷ୍ଟାଙ୍କ ପ୍ରତି ନିନ୍ଦା ବା ଭର୍ତ୍ସନାତ୍ମକ ମନ୍ତବ୍ୟ ପ୍ରକାଶ କରି ସୃଜନୀ କ୍ଷେତ୍ରରୁ ତାଙ୍କୁ ଉତ୍ସାରଣ କରିବା; ବରଂ ସୃଷ୍ଟିର ସମସ୍ତ ସମ୍ଭାବ୍ୟ ଦିଗପ୍ରତି ସମ୍ୟଗ୍‌ ଦୃଷ୍ଟିନିକ୍ଷେପ ପୂର୍ବକ ସ୍ରଷ୍ଟାଙ୍କ ସମକ୍ଷରେ ତାଙ୍କ ସୃଷ୍ଟିର ବାସ୍ତବରୂପ ଉଦ୍‌ଘାଟନ କରିବା । ସମାଲୋଚନା ଦ୍ଵାରା ସ୍ରଷ୍ଟା ନିଜେ ସଚେତନ ହେବା ବାଞ୍ଛନୀୟ ଯେ ଯଦି ତାଙ୍କର ସୃଷ୍ଟି କୌଣସି ପ୍ରକାର ଅଙ୍ଗ ବୈକଲ୍ୟରେ ରୁଗ୍‍ଣ ହୋଇଥାଏ ସେ ତା’ର ସଂଶୋଧନ କରିବେ ଏବଂ ପରବର୍ତ୍ତୀ ସୃଷ୍ଟି ଯେପରି ସର୍ବାଙ୍ଗ ସୁନ୍ଦର ହୁଏ ତା’ ପାଇଁ ଅତ୍ୟନ୍ତ ପ୍ରୟାସୀ ହେବେ । ମୋଟାମୋଟି, ସମାଲୋଚନାର ଆଭିମୁଖ୍ୟ ସୃଜନୀର ନିବାରଣ ନୁହେଁ ବରଂ ସୃଜନୀର ସଂସ୍କରଣ । ଏଣୁ ବିନା ଦ୍ୱିଧାରେ କୁହାଯାଇପାରେ ବିକାଶ ପାଇଁ ସମାଲୋଚନା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ, ଏକ ଅପରିହାର୍ଯ୍ୟ ଆବଶ୍ୟକତା ।

 

ସମାଲୋଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏକ ସୁସ୍ଥ ତଥା ବାସ୍ତବଧର୍ମୀ ସୃଜନୀ ପାଇଁ ସମାଲୋଚନାର ଉପସ୍ଥିତି ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ସମାଲୋଚନାର ସାର୍ଥକତା ଉପରେ ସଚେତନତା ଅଧିକ ମାତ୍ରାରେ ଗୁରୁତ୍ଵପୂର୍ଣ୍ଣ । ସମାଲେ।ଚନାର ସାର୍ଥକତା ନିର୍ଭର କରେ ସମାଲୋଚ୍ୟ ଏବଂ ସମାଲୋଚକଙ୍କର ସାର୍ଥକତାରେ । ଯେକୌଣସି ସୃଷ୍ଟି ବା ସାହିତ୍ୟିକ କୃତି ସମାଲୋଚ୍ୟ ହୋଇ ନ ପାରେ । ସମାଲୋଚ୍ୟ ହେବାପାଇଁ ଅନ୍ତତଃ ସୃଷ୍ଟିର ଏକ ମାନ ବା ଯୋଗ୍ୟତା ଥିବା ନିତାନ୍ତ ଆବଶ୍ୟକ । ଅତିମାତ୍ରାରେ ସାଧାରଣ ବା ରାଶିବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ କୌଣସି ବିକଳାଙ୍ଗ କୃତି କେବେହେଲେ ସମାଲୋଚ୍ୟ ହୋଇ ନପାରେ । ସାହିତ୍ୟଜଗତରେ ସାଧାରଣ ମାନ୍ୟତା ବା ଗ୍ରାହ୍ୟତା ନଥିବା କୌଣସି କୃତିକୁ ସମାଲୋଚନା କରିବା ନିରର୍ଥକ । ଯେଉଁ ସାହିତ୍ୟରେ ଅପରିହାର୍ଯ୍ୟ ଆବଶ୍ୟକ ଉପାଦାନ ସମୂହର ସ୍ଥିତି ସତ୍ତ୍ୱେ ସ୍ରଷ୍ଟାଜ୍ଞର ବିସ୍ମୃତି; ଅଜ୍ଞତା କିମ୍ବା ଉପେକ୍ଷାବଶତଃ କୌଣସି ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ ଉପାଦାନ ସନ୍ନିବେଶିତ ହୋଇପାରେ ନାହିଁ, ଯା’ରି ଫଳରେ ସାହିତ୍ୟିକ କୃତିଟି ସହୃଦୟବର୍ଗଙ୍କର ତୁଷ୍ଟିବିଧାନ କରିପାରୁ ନାହିଁ; ସେହି କ୍ଷେତ୍ରରେ ସୃଷ୍ଟିର ପୁନର୍ବିନ୍ୟାସ ବା ସଂସ୍କାର ପାଇଁ ଏକ ଦିଗ୍‌ଦର୍ଶନ ସ୍ଵରୂପ ସମାଲୋଚନା ଏକାନ୍ତ ଆବଶ୍ୟକ । ଉଦାହରଣ ସ୍ଵରୂପ କୌଣସି ଏକ ସାହିତ୍ୟିକ କୃତିରେ ଶାବ୍ଦିକ ସୌଷ୍ଠବ, ଆର୍ଥିକ ଗାମ୍ଭୀର୍ଯ୍ୟ, ଆଳଙ୍କାରିକ ସମୃଦ୍ଧି, ଛନ୍ଦୋବଦ୍ଧତା ତଥା ସର୍ବୋପରି ରସାତ୍ମକତା ଇତ୍ୟାଦି ମହନୀୟ କାବ୍ୟିକ ଉପାଦାନ ସମୂହ ଥିବା ସତ୍ତ୍ୱେ ଯଦି ପ୍ରାସଙ୍ଗିକତା କିମ୍ବା ସମସାମୟିକତା ଇତ୍ୟାଦି ଗୁଣଗୁଡ଼ିକର ଅଭାବରେ କୃତିଟି ନିଷ୍ପଭ୍ର ଜଣାପଡ଼ୁଥାଏ, ସେହି କ୍ଷେତ୍ରରେ ଚେତନାଉଦ୍ରେକକାରୀ ନିୟନ୍ତ୍ରଣାତ୍ମକ ମନ୍ତବ୍ୟ ଦ୍ୱାରା ସ୍ରଷ୍ଟାଙ୍କୁ ସଚେତନ କରିବା ହିଁ ସମାଲୋଚନାର ଧର୍ମ ଏବଂ ଆବଶ୍ୟକତା । ଏଣୁ, ସମାଲୋଚ୍ୟ ହେବାପାଇଁ ସୃଷ୍ଟିର ଆବଶ୍ୟକ ଯୋଗ୍ୟତା ଥିବା ଏକାନ୍ତ ଆବଶ୍ୟକ । ସାଧାରଣ ଦୃଷ୍ଟିରୁ କୌଣସି ସାହିତ୍ୟିକ କୃତି ସମାଲୋଚ୍ୟ ହେବାକୁ ହେଲେ ତାହା ଅନ୍ତତଃ ପ୍ରତିଭୋତ୍ପିତା ବା ଶକ୍ତି ସମ୍ଭୂତା ହୋଇଥିବା ଦରକାର । ଏହି ଶକ୍ତିର ସଂଜ୍ଞା ନିରୂପଣ କରିବାକୁ ଯାଇ ଆଳଙ୍କାରିକ ମମ୍ମଟ କହନ୍ତି ।

 

ଶକ୍ତିସ୍ତୁ କବିତ୍ୱ- ବୀଜରୂପା, ଯାମ୍‌ ବିନା କାବ୍ୟଂ ନ ପ୍ରସରେତ୍‌,

ପ୍ରସୃତଂ ଚେତ୍‌ ଅପହସନୀୟଂ ସ୍ୟାତ୍‌ ॥

‘‘କାବ୍ୟପ୍ରକାଶ’’

 

ଅର୍ଥାତ୍‌ କବିତ୍ୱ ପାଇଁ ବୀଜସ୍ଵରୂପା ହେଉଛି ଶକ୍ତି ଯ।’ର ଅନୁପସ୍ଥିତିରେ କବି କାବ୍ୟରଚନା କରିପାରେ ନାହିଁ, ଯଦିବା କୌଣସି ଆବେଶରେ କାବ୍ୟ ରଚନା କରେ ତାହା ଉପହାସ୍ୟ ହିଁ ହୋଇଥାଏ । ଏହି ଶକ୍ତି ଅନନ୍ୟରୂପା । ଏହାର ପ୍ରଶଂସାରେ କୁହାଯାଇଛି -

 

ନରତ୍ୱଂ ଦୁର୍ଲଭଂ ଲୋକେ ବିଦ୍ୟାତତ୍ର ସୁଦୁର୍ଲଭା

କବିତ୍ୱଂ ଦୁର୍ଲଭଂ ଲୋକେ ଶକ୍ତିସ୍ତତ୍ର ସୁଦୁର୍ଲଭା ॥

॥ଅଗ୍ନି ପୁରାଣ।।

 

ଅର୍ଥାତ୍‌, ସଂସାରରେ ନରତ୍ୱ ଦୁର୍ଲଭ ଏବଂ କ୍ରମାନ୍ଵୟରେ ତଦଧିକ ବିଦ୍ୟା, କବିତ୍ଵ ତଥା ଶକ୍ତି ଦୁର୍ଲଭ ଅଟେ ।

 

ପକ୍ଷାନ୍ତରେ, ସମାଲୋଚନା କ୍ଷେତ୍ରରେ ସମାଲୋଚ୍ୟର ଭୂମିକା ମଧ୍ୟ ତଦ୍ରୂପ ଗୁରୂତ୍ୱପୂର୍ଣ୍ଣ । ସମାଲୋଚକ ଉଦ୍ଦିଷ୍ଟ କୃତିର ସମସ୍ତ ସମ୍ଭାବ୍ୟ ଦିଗପ୍ରତି ଅନୁରୂପ ଗୁରୁତ୍ୱଆରୋପପୂର୍ବକ ମନ୍ତବ୍ୟ ଦେବା ଉଚିତ୍‌ । କୌଣସି ସାହିତ୍ୟିକଙ୍କ କୃତି ଉପରେ ସମାଲୋଚନା କରିବା ପୂର୍ବରୁ ସମାଲୋଚକ ସାହିତ୍ୟର ଉଦ୍ଦିଷ୍ଟ ବିଭାଗର ସମସ୍ତ ବିଭାବରେ ସ୍ଵକୀୟ ଯୋଗ୍ୟତା ଉପରେ ଆଶାନୁରୂପ ସଚେତନ ତଥା ଆସ୍ଥାବାନ୍‌ ଥିବା ନିତାନ୍ତ ଆବଶ୍ୟକ । ଉପେକ୍ଷାବଶତଃ କୌଣସି ବିଭାବ ଉପରେ ଗୁରୁତ୍ୱ ନ ଦେବା ଯେତିକି ନିନ୍ଦନୀୟ, ଅଜ୍ଞତାବଶତଃ କୌଣସି ବିଭାବକୁ ସ୍ପର୍ଶ କରି ନ ପାରିବା ସେତିକି ଦୟନୀୟ । ଏପରିକି କୌଣସି ବିଭାବସମ୍ବନ୍ଧୀୟ ବିସ୍ମୃତି ମଧ୍ୟ ସ୍ପୃହଣୀୟ ନୁହେଁ । ଏହି ଦୃଷ୍ଟିରୁ କୌଣସି ସାହିତ୍ୟିକ କୃତି ଉପରେ ସମୀକ୍ଷା କିମ୍ବା ସମାଲୋଚନା ରୂପକ ଗୁରୁଭୂମିକା ନିଜ ଉପରକୁ ନେବା ପୂର୍ବରୁ ସ୍ଵକୀୟ ଯୋଗ୍ୟତାର ନିରପେକ୍ଷ ତଥା ନିର୍ଭିକ ମୂଲ୍ୟାୟନ କରିବା ପ୍ରତ୍ୟେକ ସଚେତନ ସମାଲୋଚକଙ୍କର ନୈତିକ କର୍ତ୍ତବ୍ୟ ହେବା ଉଚିତ । ଆତ୍ମିକ ସମୀକ୍ଷା ସର୍ବଦା ନିରାପଦ । ଅନ୍ୟଥା, ଆବଶ୍ୟକ ଯୋଗ୍ୟତା ବିନା ସମାଲୋଚନା କ୍ଷେତ୍ରରେ ମାତ୍ରାଧି‌କ ଆଗ୍ରହ ଯେକୌଣସି ସମାଲୋଚକଙ୍କୁ ସମାଲୋଚ୍ୟ କରିଦେବା ବିଚିତ୍ର ନୁହେଁ । ଏପରି ସ୍ଥଳେ ସମାଲୋଚନା ଆଂଶିକତା ରୂପକ ବ୍ୟାଧିରେ ଆକ୍ରାନ୍ତ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି । ଯଦ୍ଦ୍ୱାରା, ସ୍ରଷ୍ଟା ତାଙ୍କର ବୈଧ କର୍ମପ୍ରତି ପ୍ରୋତ୍ସାହନ ପାଆନ୍ତି ନାହିଁ କିମ୍ବା ଅବୈଧ କର୍ମପ୍ରତି ପ୍ରତିଷେଧ ମଧ୍ୟ ପାଆନ୍ତି ନାହିଁ । ଫଳରେ, ସୃଜନୀ ପ୍ରତି ସ୍ରଷ୍ଟାଙ୍କର ଅନାସ୍ଥା ଆସେ ଏବଂ ସମାଲୋଚନାର ଆଭିମୁଖ୍ୟ ବ୍ୟାହତ ହୁଏ ।

 

ସୃଜନଶୀଳତା ଏକ ଅବିଚ୍ଛିନ୍ନ ଧାରା । କାଳାଦିରୁ କାଳାନ୍ତ ଯାଏଁ ସୃଜନୀର ସୀମା । ଅନାଦି ଏବଂ ଅନନ୍ତର ଏହି ଅକଳ୍ପନୀୟ ଦୀର୍ଘତା ମଧ୍ୟରେ ବର୍ତ୍ତମାନ ନାମକ ଗୋଟିଏ ଲେଖାଏଁ ବିନ୍ଦୁ ସମସାମୟିକତାର ଭିତ୍ତିରେ ସୃଜନୀ କ୍ଷେତ୍ରରେ ଅଙ୍କୁଶ ପ୍ରୟୋଗ କରିଥା’ନ୍ତି; କିନ୍ତୁ ଏହି ଅଙ୍କୁଶ ଯେ ସର୍ବଶକ୍ତିମାନ୍‌ ଏବଂ ଏହାର ପ୍ରୟୋଗ ଫଳରେ ସୃଜନୀର ଧାରା ଏକାବେଳକେ ଅବରୁଦ୍ଧ ହୋଇଯାଏ ସେହିପରି ଅବଶ୍ୟ ନୁହେଁ, ତଥାପି ରକ୍ଷଣଶୀଳ ବର୍ତ୍ତମାନର ସାମୟିକ ପ୍ରଭାବରେ ସୃଜନୀ ଆଂଶିକ ଭାବରେ ପ୍ରତିହତ ହେଉଥିବା ଅନୁଭବ କରାଯାଏ । ଏହା ସତ୍ତ୍ଵେ କେତେକ କୃତି ତ୍ରିକାଳଜୟୀ ରୂପେ କାଳାନ୍ତରରୁ ପ୍ରତିଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଏ । ସମସାମୟିକତାର ଦୃଷ୍ଟି ସେହି କୃତିଗୁଡ଼ିକୁ ପ୍ରଚଳିତ ମାନଦଣ୍ଡରେ ମାପିବାକୁ ସମର୍ଥ ହୋଇ ନଥାଏ । ଅତୀତର କେଉଁ ପ୍ରାଗୈତିହାସିକ କାଳରୁ ସେଇ କୃତିସମୂହ ସ୍ଵକୀୟ ମହିମାରେ କାନ୍ତ ଓ ଦୀପ୍ତ । ଅନେକ ବର୍ତ୍ତମାନକୁ ସେମାନେ ଅତିକ୍ରମ କରି କରି ନୂତନ ଭାବରେ ଉଦ୍ଭାବ୍ୟମାନ ମାନଦଣ୍ଡରେ ସ୍ଵକୀୟ ମୂଲ୍ୟାୟନ ପାଇଁ ଭବିଷ୍ୟତକୁ ପ୍ରତୀକ୍ଷା କରିଛନ୍ତି । ସମାଲୋଚନାର କାତ ସେହି କୃତିସମୂହକୁ ସ୍ପର୍ଶ କରିପାରେ ନାହିଁ । ଏପରି କ୍ଷେତ୍ରରେ ସମାଲୋଚନା କ୍ରିୟା ପ୍ରତିହତ ହୁଏ । ସେପରି କୃତିସମୂହକୁ ପ୍ରତିଭୋତ୍ଥିତ ଶକ୍ତିସମ୍ଭୂତ ତଥା ମହିମାନ୍ୱିତ ଅଥଚ ଅସମାଲୋଚ୍ୟ ରୂପେ ବାଦ୍‌ଦେବା ସ୍ଵାଭାବିକ ହୋଇପଡ଼େ । ସେମାନଙ୍କ ପାଇଁ ସୃଷ୍ଟି ହୁଏ ଏକ ସ୍ଵତନ୍ତ୍ର ଶ୍ରେଣୀ । ବେଦ ଓ ଉପନିଷଦ୍‌ ଇତ୍ୟାଦି କୃତି ସମୂହ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।

 

ବେଦ କିମ୍ବା ବୈଦିକ ସାହିତ୍ୟକୁ ଅସମାଲୋଚ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାର ଅନ୍ୟ ଏକ ଯଥାର୍ଥ୍ୟ ରହିଛି । ରଚନା ସମୟରେ ସମସାମୟିକ ସମାଜ ସହିତ ସମନ୍ଵୟ ରକ୍ଷାପୂର୍ବକ ସ୍ଵକୀୟ ଭାବକୁ ଜନସମାଜରେ ସଂକ୍ରମିତ କରିବାରେ ଏହି କୃତିସମୂହର ନିଶ୍ଚିତ ଭାବରେ ସାମର୍ଥ୍ୟ ଥିଲା; କିନ୍ତୁ ଯେଉଁ ସମୟରେ ଏହି କୃତିସମୂହକୁ ସଂକଳନ ଓ ସଂସ୍କରଣ ମାଧ୍ୟମରେ ଶ୍ରାବ୍ୟସ୍ତରରୁ ଦୃଶ୍ୟସ୍ତରକୁ ଅଣାଗଲା, ସେତେବେଳକୁ ସମାଜ ହୁଏତ ସେହି କୃତି ସମୂହର ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ନିଜର ସାମର୍ଥ୍ୟ ହରାଇ ସାରିଥିଲା । ବୋଧବ୍ୟତା ଓ ଗ୍ରାହକତାର ସୀମାରୁ ସମାଜ ଅପସୃତ ହୋଇ ସାରିଥିଲା । ଏଣୁ ସେହି କାଳଜୟୀ କୃତି ସମୂହକୁ ଅସମାଲୋଚ୍ୟ ରୂପେ ଗ୍ରହଣ କରିବା ସର୍ବଦା ନିରାପଦ ଏବଂ ସଙ୍ଗତ । ବେଦ ଓ ଉପନିଷଦ୍‌ ସମେତ ସେହିସ୍ତରୀୟ ଅନ୍ୟ କେତେକ ଅଲୌକିକ ସାହିତ୍ୟିକ କୃତି ବ୍ୟତୀତ ଏପରି କେତେକ କାବ୍ୟିକ କୃତି ପରିଲକ୍ଷିତ ହୁଏ ଯେଉଁଗୁଡ଼ିକୁ କି ସମାଲୋଚନାର ପ୍ରକୃଷ୍ଟ କ୍ଷେତ୍ର ରୂପେ ବିବେଚନା କରାଯାଇପାରେ । ଉଦାହରଣ ସ୍ଵରୂପ, ଶ୍ରୀମଦ୍ଭଗବତଗୀତା, ଶ୍ରୀଭାଗବତ, ଶିବାପରାଧ କ୍ଷମାପନସ୍ତୋତ୍ର, କୁମାର ସମ୍ଭବମ୍‌, ରାମଚରିତ ମାନସ ଇତ୍ୟାଦି । ଏହି କୃତିସମୂହ ଭାଷା ଓ ଭାବ ଦୃଷ୍ଟିରୁ ଅମୂଲ୍ୟ କାବ୍ୟିକ କୃତି ରୂପେ ଯୁଗାନ୍ତରରୁ ସାର୍ବଜନୀନ ଆଦୃତି ଓ ସ୍ଵୀକୃତି ପ୍ରାପ୍ତ ହୋଇଥିଲେ ମଧ୍ୟ ଗୁଣଦୋଷ ବିବେଚନ ଦୃଷ୍ଟିରୁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଶ କାବ୍ୟ ନୁହନ୍ତି; କିନ୍ତୁ ଏହି ସଦୋଷତା ଫଳରେ କୃତିଗୁଡ଼ିକର ସାମଗ୍ରିକ ସାହିତ୍ୟିକମାନ ନିର୍ଣ୍ଣୟରେ କୌଣସି ପ୍ରକାର ଅପକର୍ଷ ପରିଲକ୍ଷିତ କିମ୍ବା ଅନୁଭୂତ ହୁଏ ନାହିଁ । ସ୍ଵକୀୟ ନିଃସର୍ଗ ମହିମାରେ ଏହି କୃତିଗୁଡ଼ିକ ଭାସ୍ଵର । ସୁଦୂର ଅତୀତରୁ ଅଦ୍ୟାବଧି ଯେଉଁ ସାହିତ୍ୟ ଅଗଣିତ ଜନତାଙ୍କୁ ରସାନନ୍ଦରେ ପ୍ଲାବିତ କରି ଅତୀନ୍ଦ୍ରିୟାନୁ ଭୂତି ପ୍ରଦାନ କରିବାରେ ସଫଳ ହୋଇଛି ତାହା ଦୃଷ୍ଟି ଓ ବିମର୍ଶର ବହୁ ଊର୍ଦ୍ଧ୍ୱରେ । ସମାଲୋଚନାର ଦିଗନ୍ତ ପାଇଁ ତାହା ଅସ୍ପୃଶ୍ୟ, ଅପ୍ରାପ୍ୟ, ଅମାପ୍ୟ । ସ୍ଥାଳୀପୂଳାକ ନ୍ୟାୟରେ ନିମ୍ନୋକ୍ତ କେତେକ ପଙ୍‌କ୍ତି ଏହି ମନ୍ତବ୍ୟକୁ ପୁଷ୍ଟ କରିପାରେ;

 

ଶ୍ରୀମଦ୍ଭାଗବତ ଗୀତା -

ସମଗ୍ର ବିଶ୍ଵର କର୍ମ୍ମଯୋଗୀମାନଙ୍କ ପାଇଁ ଏକମାତ୍ର ପ୍ରାମାଣିକ ଶାସ୍ତ୍ରରୂପେ ସାର୍ବଜନୀନ ସ୍ଵୀକୃତି ପାଇଥିବା ସ୍ଥଳେ ଶ୍ରୀମଦ୍ଭଗବତଗୀତାର ଅନେକ ସ୍ଥଳରେ ବ୍ୟାକରଣଗତ ତ୍ରୁଟି ପରିଲକ୍ଷିତ ହୁଏ, ଯଥା-

 

ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ ।

ହେ କୃଷ୍ଣ, ହେ ଯାଦବ, ହେ ସଖେତି ।। ୧୧/୪୧

 

ଏହି ଶ୍ଳୋକରେ ଦ୍ୱିତୀୟ ‘ସଖେତି’ ଶବ୍ଦଟି ଅଶୁଦ୍ଧ । ଏହି ସ୍ଥଳରେ ସନ୍ଧିର ନିୟମ ଅନୁସାରେ ‘ସଖ ଇତି’ କିମ୍ବା ‘‘ସଖୟିତି’’ ହେବା କଥା; କିନ୍ତୁ ଭାବର ସ୍ୱତଃସ୍ଫୁର୍ତ୍ତି ଉଦ୍‌ଗୀରଣ ହେତୁ ଭାଷାଗତ ସୁଷ୍ଠୁତା ପ୍ରତି ଗୁରୁତ୍ୱ ଆରୋପ କରିବା ସମ୍ଭବପର ହୋଇପାରି ନାହିଁ ।

 

ଶ୍ରୀମଦ୍ଭାଗବତ -

ବିଦ୍‌ବତ୍ତାର କଷଟି ରୂପେ ପ୍ରସିଦ୍ଧି ଲାଭ କରିଥିବା ଭକ୍ତିଯୋଗର ପ୍ରାମାଣିକ ଶାସ୍ତ୍ର ଶ୍ରୀମଦ୍ଭଗବତରେ ମଧ୍ୟ ଭାଷାଗତ ତ୍ରୁଟି ପରିଲକ୍ଷିତ ହୁଏ । ୧୨ଶ ସ୍କନ୍ଧର ଶେଷ ପର୍ଯ୍ୟାୟରେ ଭଗବତ୍‌ ବନ୍ଦନା ପ୍ରସଙ୍ଗରେ ଯେଉଁ ସୁପରିଚିତ ଶ୍ଳୋକ ଦେଖାଯାଏ ତାହା ଅନେକ ଦୃଷ୍ଟିରୁ ପ୍ରମାଦପୂର୍ଣ୍ଣ, ଯଥା: -

ଯଂ ବ୍ରହ୍ମାବରୁଣେନ୍ଦ୍ର ରୁଦ୍ର ମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈଃ ସ୍ତବୈ

ର୍ବେଦୈଃ ସାଙ୍ଘପଦକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ.. ୧୨/ ୧୩/୧

 

ଏହି ଶ୍ଳୋକର ପ୍ରଥମ ପଙ୍‌କ୍ତିରେ ସମସ୍ତ ପଦ ଅନ୍ତର୍ଭୁକ୍ତ ହୋଇଥିବାରୁ ‘‘ବ୍ରହ୍ମା’’ ସ୍ଥଳରେ ‘ବ୍ରହ୍ମ’ ଏବଂ ‘‘ସ୍ତୁନ୍ୱନ୍ତି’’ ସ୍ଥଳରେ ‘ସ୍ତୁବନ୍ତି’ ହେବା କଥା ତଥା ଦ୍ୱିତୀୟ ପଙ୍‌କ୍ତିରେ ‘‘ଉପନିଷଦୈଃ’’ ସ୍ଥଳରେ ‘ଉପନିଷଦ୍ଭିଃ’ ହେବା ବିଧେୟ, କିନ୍ତୁ ଏହି କ୍ଷେତ୍ରରେ ଭଗବନ୍ମହିମାରେ ଆବିଷ୍ଟ ଭକ୍ତଙ୍କ ମାନସରେ ଭକ୍ତିଭାବର ପ୍ରାବଲ୍ୟ ତଥା ପ୍ଳାବନ ହେତୁ ଲୌକିକ ବ୍ୟାକରଣ ପ୍ରତି ଦୃଷ୍ଟିଦେବା ସମ୍ଭବ ହୋଇପାରି ନାହିଁ ।

 

ଶିବାପରାଧକ୍ଷମାପନ ସ୍ତୋତ୍ର -

ଜଗତ୍‌ଗୁରୁ ଶଙ୍କାରାଚାର୍ଯ୍ୟ ବିରଚିତ ଶିବାପରାଧକ୍ଷମାପନସ୍ତୋତ୍ର ଏକ ପ୍ରସିଦ୍ଧ ସ୍ତୋତ୍ର । ସନାତନ ଶୈବ ପରମ୍ପରାରେ ଏହା ଏକ ଉପାସ୍ୟ ସ୍ତୋତ୍ର ହିସାବରେ ଗୃହୀତ । ଏହି ସ୍ତୋତ୍ରରେ ମଧ୍ୟ ନିମ୍ନୋକ୍ତ ଶ୍ଳୋକ ପ୍ରମାଦଯୁକ୍ତ, ଯଥା-

 

ଶୈବୀଚିନ୍ତାବିହୀନମ୍‌ ମମ ହୃଦୟମହୋ ମାନ- ଗର୍ବାଧିରୂଢ଼ଂ.. ଶ୍ଳୋକ - ୩

 

ଏହି ଶ୍ଳୋକରେ ସମାସାନ୍ତର୍ଗତ ହୋଇଥିବାରୁ ‘ଶୈବୀ’ ଶବ୍ଦଟି ଏକ ଭ୍ରମାତ୍ମକ ଶବ୍ଦ । ଏହି ସ୍ଥଳରେ ‘ଶୈବ’ ଶବ୍ଦ ହିଁ ପ୍ରଯୁଜ୍ୟ; କିନ୍ତୁ ଭକ୍ତିସମ୍ବଳିତ ଭାବଗତ ସ୍ଫୁରଣ ହେତୁ ଭାଷା ସମ୍ବନ୍ଧୀୟ ସୌଷ୍ଠବକୁ ଜ୍ଞାତସାରରେ ଉପେକ୍ଷା କରାଯାଇଅଛି ।

 

କୁମାରସମ୍ଭବମ୍‌ -

କାଳିଦାସୀୟ କାବ୍ୟିକ କୃତି ମଧ୍ୟରେ ଅନ୍ୟତମ ‘କୁମାର-ସମ୍ଭବମ୍‌’ ମହାକାବ୍ୟରେ ମଧ୍ୟ ବ୍ୟାକରଣଗତ ତ୍ରୁଟି ପରିଲକ୍ଷିତ ହୁଏ । ମହାକାବ୍ୟର ଅନ୍ୟତମ ଅଂଶରୂପେ ସୁଖ୍ୟାତ ‘ତରିବିଳାପ’ର ନିମ୍ନୋକ୍ତ ପଙ୍‌କ୍ତିରେ ପ୍ରମାଦ ପରିଲକ୍ଷିତ ହୁଏ, ଯଥା: -

 

ପ୍ରତିପଦ୍ୟ ମନୋହରଂ ବପୁଃ

      ପୁନରପ୍ୟାଦିଶ ତାବଦୁଞ୍ଚିତଃ ।

ରତିଦୁତିପଦେଷୁ କୋକିଳାନ୍‌

      ମଧୁରାଳାପନିସର୍ଗ - ପଣ୍ଡିତାନ୍‌ ।। ୪/୧୬

 

ଏହି ଶ୍ଳୋକରେ ଭସ୍ମୀଭୂତ କାମଦେବ ପ୍ରତି ଶୋକବିହ୍ୱଳା ପତ୍ନୀ ‘ରତି’ର ସମ୍ବୋଧନରେ ଯେଉଁ ଆବେଗପୂର୍ଣ୍ଣ ଭାବପ୍ରବଣତା ଲକ୍ଷ୍ୟ କରାଯାଏ ସେହି ପରିପ୍ରେକ୍ଷାରେ ବ୍ୟାକରଣଗତ ସୌଷ୍ଠବ ପ୍ରତି ଗୁରୁତ୍ୱ ଆରୋପ କରିବା ସମ୍ଭବ ନୁହେଁ, ଏଣୁ ଏହି ଶ୍ଳୋକରେ ଜ୍ଞାତସାରରେ ‘ଦୂତି’ ଶବ୍ଦରେ ଦୀର୍ଘ ସ୍ଥାନରେ ହ୍ରସ୍ଵର ପ୍ରୟୋଗ କରାଯାଇଛି ।

 

ଶ୍ରୀରାମଚରିତ ମାନସ -

ଭକ୍ତିକବି ତୁଳସୀଦାସଙ୍କର ରାମଚରିତ ମାନସ ଅଗଣିତ ଭକ୍ତଙ୍କର ଭକ୍ତି ଭାବର ଏକ ଉତ୍ସରୂପେ ପରିଗଣିତ । ଅସଂଖ୍ୟ ଜନମାନସରେ ଭକ୍ତି ଭାବ ଉଦ୍ରେକ କରିବାରେ ଏହି କାବ୍ୟ ବହୁମାତ୍ରାରେ ସଫଳତା ଅର୍ଜନ କରିଛି । ମୂଳ ସଂସ୍କୃତ ରାମାୟଣର ମାନ୍ୟତା ଦେବାପାଇଁ ସନ୍ଥକବି ସୁଳସୀଦାସ ଗ୍ରନ୍ଥର କେତେକ ସ୍ଥଳରେ ସଂସ୍କୃତ ଶ୍ଳୋକ ସନ୍ନିବେଶିତ କରି ଅଛନ୍ତି; କିନ୍ତୁ ଅନେକ ସ୍ଥଳରେ ଶ୍ଳୋକଗୁଡ଼ିକରେ ପ୍ରମାଦ ପରିଲକ୍ଷିତ ହୁଏ । ଭଗବନ୍ମହିମା ବର୍ଣ୍ଣନ କରିବା ସମୟରେ ଭକ୍ତ କବି ମାନସରେ ଯେଉଁ ଆଲୋଡ଼ନ, ହୃଦୟରେ ଯେଉଁ ଉଦ୍‌ବେଳନ ଅବଶ୍ୟମ୍ଭାବୀ, ସେହିପରି ପ୍ରେକ୍ଷାରେ ଭାଷାଗତ ଔଚିତ୍ୟ ପ୍ରତି ସତର୍କତା ଅବଲମ୍ବନ କେବେହେଲେ ସମ୍ଭବ ନୁହେଁ । ଫଳରେ, ଜ୍ଞାତସାରରେ କବି ନିମ୍ନୋକ୍ତ ଶ୍ଳୋକର ପ୍ରଥମ ଶବ୍ଦରେ ବ୍ୟାକରଣଗତ ଶୁଦ୍ଧି ଦୃଷ୍ଟିରୁ ‘ଧାମାନଂ’ ସ୍ଥାନରେ ‘‘ଧାମଂ’’ ଶବ୍ଦ ପ୍ରୟୋଗ କରିଅଛନ୍ତି । ଯଥା -

 

ଅତୁଳିତ ବଳଧାମଂ ହେମଶୈଳାଭଦେହଂ

ଦନୁଜବନକୃଶାନୁଂ ଜ୍ଞାନିନାମ୍‌ ଅଗ୍ରଗଣ୍ୟଂ ।

ସକଳଗୁଣନିଧାନଂ ବାନରାଣାମଧୀଶଂ

ରଘୁପତି ପ୍ରିୟଭକ୍ତଂ ବାଢିଜାତଂ ନମାମି ॥୩॥

ଶ୍ଳୋକ-୩ ତୁଳସୀ ରାମାୟଣ, ସୁନ୍ଦରାକାଣ୍ଡ

 

ଉପର୍ଯ୍ୟୁକ୍ତ ଦୃଷ୍ଟାନ୍ତଗୁଡ଼ିକରୁ ତଦ୍‌ଯୁକ୍ତ କାବ୍ୟିକ କୃତିସମୂହକୁ ଦୋଷଯୁକ୍ତ ବୋଲି ବାହ୍ୟତଃ ପ୍ରତିପାଦନ କରାଯାଇପାରେ; କିନ୍ତୁ ତତ୍‌ ସଙ୍ଗେ ସଙ୍ଗେ ଏହା ମଧ୍ୟ ବିଚାର୍ଯ୍ୟ ଯେ ଭାବ ପ୍ରକାଶନ ସମୟରେ ସ୍ରଷ୍ଟାଙ୍କର ମାନସିକ ସ୍ଥିତି ମାତ୍ରାଧିକ ଭାବମୁଖୀ ହିଁ ହୋଇଯାଏ ଯା’ରି ଫଳରେ ବ୍ୟାକରଣଗତ ଶୁଦ୍ଧତା ଅପେକ୍ଷା ସ୍ରଷ୍ଟା ବା କବି ପଙ୍‌କ୍ତିର ଛନ୍ଦୋବଦ୍ଧତା ପ୍ରତି ବିଶେଷ ଯତ୍ନବାନ୍‌ ହୋଇଥାନ୍ତି ଯେହେତୁ ଛନ୍ଦୋବଦ୍ଧ ପଙ୍‌କ୍ତି ହିଁ ଭାବର ପରିପୋଷକ ତଥା ରସନିଷ୍ପତ୍ତିର ଅନୁରୂପକ । ଏଣୁ, ଅନେକ କବି ଜ୍ଞାତସାରରେ ବ୍ୟାକରଣଗତ ତ୍ରୁଟିକୁ ଭୃକ୍ଷେପ ନକରି ଛନ୍ଦୋବଦ୍ଧତା ପ୍ରତି ଗୁରୁତ୍ୱ ଦେଇଥା’ନ୍ତି । କୁହାଯାଏ, ‘‘ମାସମପିମସଂକୁର୍ଯ୍ୟାତ୍‌ ଛନ୍ଦୋଭଙ୍ଗମ୍‌ କଦାଚ ନ’’ ।

 

ସୁସଂଗଠିତ ପରମ୍ପରାର ଅନୁମୋଦନ ବା ସମର୍ଥନରେ ରଚିତ କୌଣସି କୃତି ପ୍ରାୟତଃ ସମାଲୋଚ୍ୟ ହୋଇ ନଥାଏ, କାରଣ ସେପରି ସୃଷ୍ଟି ସମାଲୋଚକର ଦୃଷ୍ଟି ଆକର୍ଷଣ କରି ନଥାଏ । ପରମ୍ପରାରୁ ବ୍ୟତିକ୍ରମ ସାବ୍ୟସ୍ତ ହେବା ପରେହିଁ କୌଣସି ସାହିତ୍ୟିକ କୃତି ସମାଲୋଚ୍ୟ ହୋଇଥାଏ କିନ୍ତୁ ପରମ୍ପରାକୁ ବିରୋଧ ବା ଲଙ୍ଘନ କରୁଥିବାରୁ ଯେ କୌଣସି କୃତି ନିଶ୍ଚିତ ଭାବରେ ସମାଲୋଚ୍ୟ; ଏବଂ ତା’କୁ ପରମ୍ପରାନୁଗାମୀ କରିବା ପାଇଁ ଅବଶ୍ୟ ନିୟନ୍ତ୍ରଣ ଆବଶ୍ୟକ; ସେପରି କୌଣସି ନିର୍ଦ୍ଦିଷ୍ଟ ନିୟମ ସ୍ପୃହଣୀୟ ନୁହେଁ । ରକ୍ଷଣଶୀଳ ମନୋଭାବ ଏପରି ପଦେକ୍ଷେପ ଗ୍ରହଣ କରିବାରେ କେତେକ କ୍ଷେତ୍ରରେ ସମାଲୋଚକଙ୍କୁ ପ୍ରଚୋଦିତ କରିଥାଏ । ଏହା କିନ୍ତୁ ସୃଜନୀର ବିକାଶ ଦିଗରେ ଏକ ଅନ୍ତରାୟ । ସର୍ବଦା ଯେ କୌଣସି ସାହିତ୍ୟର ଉପାସକ ଅବଶ୍ୟ ମନେ ରଖିବା ଉଚିତ ଯେ; ବୈପ୍ଲବିକ ଚେତନା ଏବଂ ପରମ୍ପରାର ବିଚ୍ୟୁତି ହିଁ ବିବର୍ତ୍ତନ ତଥା ବିକାଶର ଭିତ୍ତିଭୂମି । ଏହା ଉପରେ ହିଁ ପରିବର୍ତ୍ତନ ଆଧାରିତ ହୋଇଥାଏ ଏବଂ ପରମ୍ପରାର ବିଚ୍ୟୁତି ହିଁ ବିବର୍ତ୍ତନ ତଥା ବିକାଶର ଭିତ୍ତିଭୂମି । ଏହା ଉପରେ ହିଁ ପରିବର୍ତ୍ତନ ଆଧାରିତ ହୋଇଥାଏ ଏବଂ ପରିବର୍ତ୍ତନର ସ୍ଵୀକୃତିରେ ହିଁ ବିବିଧତା ସ୍ଥାନ ପାଇଥାଏ ଯାହାକି ବୌଦ୍ଧିକ ବିକାଶର ପାଥେୟ ରୂପେ ସାର୍ବଜନୀନ ପ୍ରତିଷ୍ଠା ଲାଭ କରିଅଛି । ଏଣୁ ପରମ୍ପରାନୁମୋଦିତ ପଦ୍ଧତି ସର୍ବଦା ଗ୍ରାହ୍ୟ ଓ ଆଦରଣୀୟ ଏବଂ ନୂତନ ଭାବରେ ଆବିର୍ଭୂତ ବ୍ୟତିକ୍ରମଗୁଡ଼ିକ ସର୍ବଦା ଆଗ୍ରାହ୍ୟ ଓ ଅନାଦରଣୀୟ ସେପରି କୌଣସି ଯାଥାର୍ଥ୍ୟ ନାହିଁ । ପ୍ରାଚୀନ ଓ ନୂତନ ଉଭୟ କୃତିର ସମାଲୋଚନା ବା ସାରାସାର ବିବେଚନ ହିଁ କୃତିର କୃତିତ୍ସ ନିର୍ବାଣରେ ପ୍ରକୃଷ୍ଟ ମାନଦଣ୍ଡ । ପରମ୍ପରାନୁମୋଦିତ ତଥା ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀ କାବ୍ୟାନୃଶୀଳନ କ୍ଷେତ୍ରରେ କେବେହେଲେ ଗ୍ରାହ୍ୟ ନୁହେଁ । ମହାକବି କାଳିଦାସଙ୍କ ଦୃଷ୍ଟିରେ :

 

ପୁରାଣମିତ୍ୟେବ ନ ସାଧୁସର୍ବମ୍‌ ନ ଚାପି କାବ୍ୟଂ ନବମିତ୍ୟ ବଦ୍ୟମ୍‌

ସନ୍ତଃ ପରୀକ୍ଷ୍ୟାନ୍ୟତରଦ୍ ଭଜନ୍ତେ ମୂଢ଼ଃ ପରପ୍ରତ୍ୟୟନେୟ ବୁଦ୍ଧିଃ ॥

ମାଳବିକାଗ୍ନିମିତ୍ରମ୍‌ ୧/ ୨                  ‘‘କାବ୍ୟପ୍ରକାଶ’’ ୧/ ୨

 

ଅର୍ଥାତ୍‌, ପ୍ରାଚୀନ ବୋଲି ସମସ୍ତ କୃତି ଉତ୍କୃଷ୍ଟ ନୁହେଁ କିମ୍ବା ଅର୍ବାଚୀନ ବୋଲି କୌଣସି କୃତି ଅନୁତ୍କୃଷ୍ଟ ନୁହେଁ; ସମାଲୋଚକବର୍ଗ ଉପଯୁକ୍ତ ପରୀକ୍ଷା ପରେ ଉଭୟ ମଧ୍ୟରୁ ଗୋଟାକୁ ଗ୍ରହଣ କରିଥାନ୍ତି କିନ୍ତୁ ମୂଢ଼ ପରମ୍ପରା ଓ ରକ୍ଷଣଶୀଳତାର କବଳରେ ଆକ୍ରାନ୍ତ ହୋଇ ପ୍ରତାରିତ ହୋଇଥାଏ ।

 

ସମାଲୋଚନା ସର୍ବଦା ସୃଷ୍ଟିନିଷ୍ଠ ହେବା ବିଧେୟ । ବେଳେବେଳେ ଦେଖାଯାଏ, କେତେକ ସମାଲୋଚକଙ୍କର ସମାଲୋଚନା ସୃଷ୍ଟିନିଷ୍ଠ ନହୋଇ ସ୍ରଷ୍ଟାନିଷ୍ଠ ହୋଇଥାଏ । ନିରପେକ୍ଷତା ଅବଲମ୍ବନରେ ଅସାମର୍ଥ୍ୟହିଁ ସମାଲୋଚନା କ୍ଷେତ୍ରରେ ଏପରି ବିଭ୍ରାଟ ସୃଷ୍ଟି କରିଥାଏ-। କେତେକ ଔପନ୍ୟାସିକ, ଗାଳ୍ପିକ, କବି ବା ନାଟ୍ୟକାର (ବ୍ୟାପକ ଅର୍ଥରେ ସାହିତ୍ୟିକ) ନିଜ ନିଜର କ୍ଷେତ୍ରରେ ଦୈବାତ୍‌ ବ୍ୟାବସାୟିକ ସଫଳତା ପାଇଯିବା ପରେ ସ୍ରଷ୍ଟା ତଥା ସମାଲୋଚକ ଉଭୟଙ୍କର ପ୍ରତିଷ୍ଠା ପାଇଁ ବେଳେ ବେଳେ ସମାଲୋଚନା ଆବଶ୍ୟକ ହୋଇଥାଏ । ଏପରି ସ୍ଥଳେ ଦେଖାଯାଏ, ତଥାକଥିତ ସମାଲୋଚକ ସ୍ରଷ୍ଟାଙ୍କର ସାମ୍ପ୍ରତିକ କୃତି ଉପରେ ଆବଶ୍ୟକ ଗୁରୁତ୍ୱ ବା ଦୃଷ୍ଟିଆରୋପ ନକରି ପୂର୍ବ କୃତିଗୁଡ଼ିକରୁ ଲବ୍ଧ ଭାବମୂର୍ତ୍ତିରେ ପ୍ରଭାବିତ ମନ୍ତବ୍ୟ ପ୍ରକାଶ କରିଥା’ନ୍ତି । ଏପରିକି ସ୍ଥଳ ବିଶେଷରେ ସ୍ରଷ୍ଟା ତାଙ୍କର ପୂର୍ବ ସ୍ଵୀକୃତ ବିଭାବରୁ ଅପସୃତ ହୋଇ ଯଦି ସାହିତ୍ୟର ଅନ୍ୟକୌଣସି ବିଭାବରେ ଲେଖନୀ ଚାଳନା କରନ୍ତି, ତେବେ ମଧ୍ୟ ତଥାକଥିତ ସମାଲୋଚକ, ଏହା ସୃଷ୍ଟିର ବୈଚିତ୍ର୍ୟ ଯେ, ସ୍ରଷ୍ଟାଙ୍କର ପୂର୍ବାର୍ଜିତ ସାହିତ୍ୟିକ ଭାବମୂର୍ତ୍ତିର ଆଧାରରେ ଭିନ୍ନ ବିଭାବ ଅନ୍ତର୍ଗତ ତଥା ବିଭ୍ନ ଦୃଷ୍ଟିସାପେକ୍ଷ ସାମ୍ପ୍ରତିକ କୃତିକୁ ମଧ୍ୟ ସମାଲୋଚନା କରନ୍ତି । ଏପରି ସ୍ଥଳେ ସମଗ୍ର ସୃଷ୍ଟି ଓ ଦୃଷ୍ଟିର ପରିଧିରେ ଆଲୋଡ଼ନ ସୃଷ୍ଟି ହୋଇଯାଏ । ସୃଜନୀର ସତତଚଞ୍ଚିଳ ପ୍ରବାହ କିୟତ୍‌କାଳ ପାଇଁ ସ୍ତିମିତ ହୋଇଯାଏ । ଏଣୁ ଏତାଦୃଶ ବିଡ଼ମ୍ବନାର ପରିହାର ପାଇଁ ତଥା ପ୍ରତ୍ୟେକ କ୍ଷେତ୍ରରେ ସୃଜନୀର ‘‘ଅବ୍ୟାହତ ତଥା ସ୍ୱାଭାବିକ ବିକାଶ ପାଇଁ ସମାଲୋଚନା ସ୍ରଷ୍ଟାନିଷ୍ଠ ହେବା ପରିବର୍ତ୍ତେ ଏକାନ୍ତ ଭାବେ ସୃଷ୍ଟିନିଷ୍ଠ ହେବା ବାଞ୍ଛନୀୟ ।

 

ନିତ୍ୟ ପରିବର୍ତ୍ତନଶୀଳ ଜଗତରେ ଦୁଇଟି ସୃଷ୍ଟି ମଧ୍ୟରେ ସାମ୍ୟ ନ ରହିବା ଏକାନ୍ତ ସ୍ଵାଭାବିକ, ଏପରିକି ଏକ ନିର୍ଦ୍ଦିଷ୍ଟ ସ୍ରଷ୍ଟାଙ୍କର ବିଭିନ୍ନ କୃତିରେ ଥିବା ବୈଷମ୍ୟ ଦ୍ରଷ୍ଟାର ଦୃଷ୍ଟି ସ୍ଵତଃ ଆକର୍ଷଣ କରିଥାଏ କାରଣ ଆଭିମୁଖ୍ୟର ଭିନ୍ନତା ସତ୍ତ୍ୱେ ସୃଷ୍ଟି ଓ ଦୃଷ୍ଟି କାଳର ପ୍ରତ୍ୟେକ ପର୍ଯ୍ୟାୟରେ ସମତାଳରେ ଗତି କରୁଥାନ୍ତି । ପ୍ରବହମାନତା ଯେପରି ପରିବର୍ତ୍ତନଶୀଳ ସୃଷ୍ଟିର ଏକନିଷ୍ଠ ଧର୍ମ, ସଂସ୍କାରଧର୍ମୀ ନିୟନ୍ତ୍ରଣ ସେହିପରି ସମାଲୋଚନାର ଏକନିଷ୍ଠ ଧର୍ମ । ପକ୍ଷାନ୍ତରେ ଚେତନାର ଶାବ୍ଦିକ ବା ସାଙ୍କେତିକ ପରିପ୍ରକାଶ ଯେପରି ସୃଷ୍ଟିର ସ୍ଵରୂପ, ବିକ୍ଷିପ୍ତ ଭାବରାଶିର ସୁବିନ୍ୟସ୍ତ ପ୍ରକାଶନ ପାଇଁ ଦିଗ୍‌ଦର୍ଶନ ସମାଲୋଚନାର ସ୍ଵରୂପ ହେବା ଉଚିତ କାରଣ ସୃଷ୍ଟି ଓ ଦୃଷ୍ଟିର ତାତ୍ତ୍ୱିକ ସମୀକ୍ଷା ଯାହା ବ୍ୟକ୍ତ କରେ, ସୃଷ୍ଟି ଦୃଷ୍ଟିକୁ ଆହ୍ୱାନ କରେ ଏବଂ ଦୃଷ୍ଟି ସୃଷ୍ଟିକୁ ପୁଷ୍ଟ କରେ । ଉଭୟଙ୍କର ପାରସ୍ପରିକ ପରିପୂରକତାରେ ସୃଜନୀ ମହିମାନ୍ୱିତ ହୋଇଯାଏ । ଏହା ଯଦିଓ ସୃଜନୀର ଏକାନ୍ତିକ ସ୍ଵରୂପ ହେବା ବିଧେୟ, ତଥାପି କ୍ଷେତ୍ରବିଶେଷର ବ୍ୟକ୍ତିବିଶେଷଙ୍କର ଅହେତୁକ ଅନୁପ୍ରବେଶ ଏବଂ ଅନଧିକାର ଫଳରେ ସୃଜନୀର ସେଇ ପ୍ରାକୃତ ସ୍ଵରୂପ ବେଳେ ବେଳେ କୃତ୍ରିମତାରେ ଆକ୍ରାନ୍ତ ହୋଇ ଯାଉଥିବାର ଲକ୍ଷ୍ୟ କରାଯାଏ । ସ୍ରଷ୍ଟା ଅପେକ୍ଷା ଦ୍ରଷ୍ଟା ବା ସମାଲୋଚକର ଅପେକ୍ଷାକୃତ ଅଧିକ ସହିଷ୍ଣୃତା ତଥା ଔଦାର୍ଯ୍ୟ ଆବଶ୍ୟକ ହେଉଥିବା ସ୍ଥଳେ ସମାଲୋଚକର ବକ୍ରଦୃଷ୍ଟିର ଶରବ୍ୟ ହେଉଥିବା ସ୍ରଷ୍ଟା ଅନେକ ସମୟରେ ଦୟନୀୟ ହୋଇଯିବା ବାସ୍ତବରେ କ୍ଷୋଭର ବିଷୟ । ଯେ କୌଣସି ଦ୍ରଷ୍ଟା ବା ସମାଲୋଚକ ଅବଶ୍ୟ ସଚେତନ ହେବା ଆବଶ୍ୟକ ଯେ କାବ୍ୟ ଜଗତରେ ଯେକୌଣସି ଅନବଦ୍ୟ ସୃଷ୍ଟି ଅତୀନ୍ଦ୍ରିୟାନୂଭୂତିର ଏକ ରେଖାଙ୍କିତ ରୂପ, ଜ୍ଞାତ ଓ ଅଜ୍ଞାତର ଏକ ମିଶ୍ର ପରିଣତି । ଏଣୁ, ଚେତନାର ଉଦ୍‌ବର୍ତ୍ତନ ଫଳରେ କୌଣସି କ୍ଷେତ୍ରରେ କୌଣସି ପ୍ରକାର ବିଚ୍ୟୁତି ବା ବ୍ୟତିକ୍ରମ ପରିଲକ୍ଷିତ ହେଲେ ତା’ ପ୍ରତି ଅଙ୍ଗୁଳିନିଦ୍ଦେଶପୂର୍ବକ ତା’କୁ ଉଦ୍‌ଘାଟିତ କରି ନିଜର ବୌଦ୍ଧିକତା ପ୍ରତି ଆସ୍ଥାବାନ୍‌ ହେବା ଅପେକ୍ଷା ସମ୍ବେଦନଶୀଳ ତଥା ଔଦାର୍ଯ୍ୟଶଂସୀ ମନୋଭାବ ମାଧ୍ୟମରେ କୃତିଟିକୁ ମାର୍ଜିତ କରିବାରେ ଦିଗ୍‌ଦର୍ଶନ ଦେବା ଅବଶ୍ୟ ଗୌରବର ବିଷୟ । ଯଥାର୍ଥରେ ଉଲ୍ଲେଖ ଅଛି :-

 

ଗଚ୍ଛତଃ ସ୍ଖଳନଂ କ୍ୱାପି ଭବତ୍ୟେବ ପ୍ରମାଦତଃ

ହସନ୍ତି ଦୁର୍ଜନାସ୍ତତ୍ର ସମାଦଧତି ସଜ୍ଜନାଃ ॥

 

ଅର୍ଥାତ୍‌, ଗମନଶୀଳ ବ୍ୟକ୍ତିର ପ୍ରମାଦବଶତଃ ବେଳେ ବେଳେ ସ୍ଖଳନ ହେବା ସ୍ଵାଭାବିକ୍‌, ଏପରି କ୍ଷେତ୍ରରେ ଦୁର୍ଜନ ଲୋକମାନେ ହିଁ ହସିଥାନ୍ତି; କିନ୍ତୁ ସଜ୍ଜନମାନେ ସମାଧାନ ପାଇଁ ପ୍ରେରଣା ଦେଇଥାନ୍ତି ।

 

ସହାୟକ ଗ୍ରନ୍ଥ :-

୧.

ଧ୍ୱନ୍ୟାଲୋକ

୨.

କାବ୍ୟ ପ୍ରକାଶ

୩.

ଅଗ୍ନି ପୁରାଣ

୪.

ଶ୍ରୀମଦ୍ଭାଗବତ ଗୀତା

୫.

ଶ୍ରୀମଦ୍ଭାଗବତ

୬.

କାଳିଦାସ ଗ୍ରନ୍ଥାବଳୀ

୭.

କୁମାର ସମ୍ଭବମ୍‌

୮.

ଶିବାପରାଧକ୍ଷମାପନ ସ୍ତୋତ୍ର

୯.

ଶ୍ରୀରାମ ଚରିତ ମାନସ

୧୦.

ମାଳବିକାଗ୍ନିମିତ୍ରମ୍‌

୧୧.

ସୂକ୍ତିମାଳା

୧୨.

ପ୍ରବନ୍ଧ ବାତାୟନ

 

 

ଅଧ୍ୟକ୍ଷ

ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ

ବଲାଙ୍ଗୀର

 

***

 

Unknown

ଉପନ୍ୟାସ ତଥ୍ୟ, ତତ୍ତ୍ୱ ସମୀକ୍ଷା

ଶ୍ରୀ ରମାକାନ୍ତ ରାଉତ

 

ପୃଷ୍ଠଭୂମି :

ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବରେ ଯେଉଁସବୁ ନୂତନ ସାହିତ୍ୟର ପ୍ରସ୍ଥ ଉନ୍ମୋଚିତ ହେଲା, ଉପନ୍ୟାସ ତନ୍ନଧ୍ୟରୁ ଅନ୍ୟତମ । କେବଳ ଭାରତରେ କାହିଁକି, ପୃଥିବୀର ଅନ୍ୟ ଯେକୌଣସି ଦେଶର ସାହିତ୍ୟରେ ଉପନ୍ୟାସର ସତ୍ତା ମିଳେନା । ଉପନ୍ୟାସ ସେ ଦୃଷ୍ଟିରୁ ସାହିତ୍ୟ ଜଗତରେ ଅର୍ବାଚୀନ । ହୁଏତ ଆବଶ୍ୟକତାର ନିଗଡ଼ରୁ ଉପନ୍ୟାସ ଆତ୍ମପ୍ରକାଶ କରିଛି । ମଧ୍ୟଯୁଗୀୟ ସାମାଜିକ ରକ୍ଷଣଶୀଳତା ଓ କୁସଂସ୍କାରର ନିଗଡ଼ରୁ ଓହରି ଆସିଥିବା ବ୍ୟକ୍ତି ସ୍ଵାତନ୍ତ୍ର୍ୟ ଏବଂ ପରିବର୍ତ୍ତିତ ରାଜନୈତିକ ତଥା ସାମାଜିକ ବ୍ୟବସ୍ଥାରେ ସାହିତ୍ୟ ମଧ୍ୟ କିଛିଟା ନୂତନତାର ରାହା ଖୋଜୁଥିଲା । ବୁଭୁକ୍ଷୁ ନିଷ୍ପେଷିତ ଜନତାର ମର୍ମ ବେଦନା, ନିମ୍ନ ଓ ନିମ୍ନମଧ୍ୟବିତ୍ତ ପରିବାରର ସମସ୍ୟା ଏବଂ ସାମାଜିକ ସଂଘର୍ଷକୁ ରୂପ ଦେବାଲାଗି ନାଟକ ପରି ଆଉ ଏକ ଗଣମାଧ୍ୟମର ଆବଶ୍ୟକତା ଉପଲବ୍ଧ ହେଲା, ଯେତେବେଳେ କି ୟୁରୋପରେ ଏକ ନୂତନ ସମାଜ, ଚଳନୀ, ରାଜନୈତିକ ଓ ସାମାଜିକ ବ୍ୟବସ୍ଥାଦି ମୁଣ୍ଡଟେକିବା ଆରମ୍ଭ କଲା । ସାମ୍ବାଦିକତା ସତେବେଳେ ପରିଣତ ପର୍ଯ୍ୟାୟକୁ ପଦାର୍ପଣ କରୁଥାଏ । ପାମ୍ପଲେଟ ବା ପ୍ରଚାରପତ୍ର ଆତ୍ମପ୍ରକାଶ କରିସାରିଥାଏ-। ଶିଳ୍ପବିପ୍ଲବ ଏବଂ ବୈଜ୍ଞାନିକ ତଥା ବୈଷୟିକ ଉନ୍ନତି ମଣିଷ ଜୀବନକୁ ବ୍ୟସ୍ତମୁଖର ଓ ପ୍ରତିଦ୍ୱନ୍ଦିତାର ରାଜରାସ୍ତାକୁ ଟାଣି ନେଇଥାଏ । ଜୀବନର ସମସ୍ୟା ଜଟିଳ ଓ ବ୍ୟସ୍ତମୁଖର, ସମୟର ପ୍ରତ୍ୟେକ ମୁହୂର୍ତ୍ତ ମଣିଷପାଇଁ ଉପଯୋଗର ବସ୍ତୁ ହୋଇସାରିଥାଏ । ତେଣୁ ପାଠକର ରୁଚି ଓ ଆବଶ୍ୟକତା ବିଭିନ୍ନ ଭାବେ ପ୍ରକଟିତ ହୋଇଥାଏ । ଏକ ନୂତନ ସମୟୋପଯୋଗୀ, ରୁଚିଶୀଳ, ସାହିତ୍ୟର ସମ୍ଭାବ୍ୟ ଦିଗନ୍ତ କ୍ରମଶଃ ସଂପ୍ରସାରିତ ହୋଇଆସୁଥାଏ ଏଇ ସାମାଜିକ ପରିବର୍ତ୍ତନ ଓ ସଂଘର୍ଷମୟ ସାହିତ୍ୟିକ ଆସରକୁ ଆସିବା ସକାଶେ । ଏଇ ନୂତନତାର ଏ ଉଦୟାଚଳରୁ ଉପନ୍ୟାସର ଉଦ୍‌ବେଳନ ହୋଇଥିଲା ।

 

କାବ୍ୟ ଓ ନାଟକକୁ କେମିତି ଏକ ଖାନଦାନୀ ବାତାବରଣ ଆଚ୍ଛନ୍ନ କରି ରଖିଥିଲା । ସାଧାରଣ ଜନତାର ପ୍ରବେଶ ବା ସେମାନଙ୍କ ଜୀବନ ସମସ୍ୟାଦିର ବର୍ଣ୍ଣନା ନିମନ୍ତେ ସାହିତ୍ୟରେ ପରିବେଶ ସୃଷ୍ଟି ହୋଇ ନଥିଲା । ପ୍ରେମ ରୋମାନ୍ସର ପରିପ୍ରକାଶ ନିମନ୍ତେ ଏଇ ସାଧାରଣ ଲୋକଙ୍କ ସକାଶେ ଏକ ମଧ୍ୟବିତ୍ତୀୟ ମାଧ୍ୟମର ଆବଶ୍ୟକତା ଥିଲା । ‘ବେଲେ ଲେଟର’ ମାନ ବେଶ୍‌ ଲୌକିକ ସ୍ପର୍ଶ ଓ ମନଛୁଆଁ ଭାଷାରେ ଲୋଖାଯାଉଥିଲା । ଦେବଦେବୀ, ରାଜାରାଣୀ, ରାଜକୁମାର ରାଜକୁମାରୀ, ଦିଗ୍‌ବିଜୟୀ ବୀର ଓ ଦୁଃସାହସୀ ନାଇଟଙ୍କ ସମ୍ପର୍କ ଅଲୌକିତ ଅଦ୍ଭୁତ କାହାଣୀମାନ କ୍ରମେ ଲୋକପ୍ରିୟତା ହରାଇ ଆସୁଥିଲା । ଜୀବନ ଅନିଶ୍ଚିତ ତଥା ପ୍ରତିଦ୍ୱନ୍ଦ୍ୱିତାର ତ୍ରିଛକି ରାସ୍ତାକୁ ଓହ୍ଲେଇ ଆସିଥିବା ହେତୁ ଏତେ ଦୀର୍ଘ ଓ କ୍ଲିଷ୍ଟ ସାହିତ୍ୟ, ଏତେ ଗୁରୁଗମ୍ଭୀର କାବ୍ୟ, ମହାକାବ୍ୟ, ପୂରାଣ, ଦର୍ଶନ ଓ ମହାନାଟକାଦି ଅଧ୍ୟୟନ ନିମନ୍ତେ ଏତେ ଧୈର୍ଯ୍ୟ ବା ମାନସିକ ପ୍ରସ୍ତୁତି ଓ ପର୍ଯ୍ୟାପ୍ତ ସମୟ ସବୁଶ୍ରେଣୀର ପାଠକମାନଙ୍କ ସକାଶେ ଉଦ୍ଦିଷ୍ଟ ନଥିଲା । ନୂତନ ଏକ ପାଠକ ଗୋଷ୍ଠୀ ସେତେବେଳେ ମୁଣ୍ଡ ଟେକୁଥିଲେ । ଉଚ୍ଚ ଓ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କ ନିମନ୍ତେ ପ୍ରେମ, ରୋମାନ୍ସସମ୍ବଳିତ ରମ୍ୟରଚନାର ଅହେତୁକ ଆବଶ୍ୟକତା ଥିଲା । ନିଜେ ରିଚାର୍ଡ଼ସନ କହିଛନ୍ତି ତାଙ୍କର ତିନିଜଣ – ‘‘Revealed me their love secrets in order to induce me to give them copies to write after or correct for answers to their love letters.’’ (୧) ନିଃସଙ୍କୋଚରେ ନିଜ ନିଜର ପ୍ରେମ କାହାଣୀ ତାଙ୍କ ତାଙ୍କ ଆଗରେ ସେମାନେ ପ୍ରକାଶ କରିଥିବା କଥା ନିଜେ ରିଚାର୍ଡ଼ସନ୍‌ ସ୍ଵୀକାର କରନ୍ତି । ପରେ ଏସବୁ ତାଙ୍କ ଉପନ୍ୟାସପାଇଁ କଞ୍ଚାମାଲ ହୋଇଥିଲା ।

 

ଅବଶ୍ୟ ଭାରତୀୟ ସାହିତ୍ୟରେ ଉପନ୍ୟାସ ନିମନ୍ତେ ପ୍ରଚୁର ଚରାଭୂଇଁ, ପ୍ରଶସ୍ତ ବହୁ ସମ୍ଭାବନା ଓ ଅନେକ ସଂକେତ ମହଜୁଦ ଥିଲା । ବୈଦିକ ଆଖ୍ୟାନ, ଉପନିଷଦୀୟ କାହାଣୀ, ରାମାୟଣ, ମହାଭାରତ ଓ ପୁରାଣ ଶାସ୍ତ୍ରାଦିର ଅଲୌକିକ ଘଟଣାର ଅନ୍ତରାଳରେ ଉପନ୍ୟାସ ଯେପରି ଆତ୍ମଗୋପନ କରିଥିଲା । ଦେବଦେବୀଙ୍କୁ ସ୍ମୃତି, ଭକ୍ତି, ଉପାସନା ଓ ଉଚ୍ଛ୍ୱାସ ବୈଦିକ କର୍ମକାଣ୍ଡ ତଥା ଭାକ୍ତିକ ଚେତନାରେ ଯେଉଁ ଅପ୍ରାକୃତିକ ଘନାବର୍ତ୍ତର ଯବନିକା ଉଦ୍‌ଭିନ୍ନ ହୋଇ, ଯେଉଁ ଅନନ୍ତ ସ୍ଵର ଝଙ୍କାର ଅନ୍ତରକୁ ସମ୍ମୋହିତ କରେ, ବ୍ୟକ୍ତିସତ୍ତାକୁ ରସାଣିତ କରେ ଏବଂ ଚିନ୍ତା ଚେତନାରେ ଆଲୋଡ଼ନ ଆଣେ; ହୁଏତ ବାସ୍ତବତାର ଘଟାଟୋପରେ ଅନୁରଂଜିତ, ମାନବିକ ବେଦନାସିକ୍ତ, କ୍ଳେଶ ନିପୀଡ଼ ନର ଜୀବନ୍ମୟ ମାର୍ମିକ ଅବବୋଧରୁ ଏପରି ନୂଆ ସୃଷ୍ଟି ସବୁ ଦାନା ବାନ୍ଧେ, ନୂତନ ସାହିତ୍ୟର ଦଧିଉନ୍ନତି ବସେ । ସଂସ୍କୃତ ଗଦ୍ୟ ସାହିତ୍ୟର ଶାସ୍ତ୍ରୀୟ ବିକାଶର ‘ପଞ୍ଚତନ୍ତ୍ରମ୍‌’, ‘କଥାସରିତ ସାଗର’, ‘ବେତାଳ ପଞ୍ଚବିଂଶତି’ , ‘ଦଶକୁମାର ଚରିତ’, ‘ବୌଦ୍ଧଜାତକ’, ‘ଲୋକଗପ’, ‘ଲୋକକଥା’, ‘କାହାଣୀ’, ‘କିଂବଦନ୍ତୀ’ , ‘ଓଷାବତ’ ଏବଂ ସର୍ବୋପରି ଉପନିଷଦର ଚମତ୍କାର ଆଖ୍ୟାନ ଉପନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ସ୍ପଷ୍ଟ ମୂଦ୍ରାଙ୍କ ବହନ କରିଥିବା କଥା ପ୍ରତୀତ ହୋଇଥାଏ ।

 

ସାମାଜିକ ସ୍ଥିତି ଓ ବୁନିୟାଦୀ

ପ୍ରଥମାବସ୍ଥାରେ ଉପନ୍ୟାସ ପଠନକୁ ବାସନ୍ଦ କରାଯାଇଥିଲା । ଆମେରିକୀୟ The Southern Literary ‘Messanger’ ରେ କୁହାଯାଇଥିଲା: ‘‘The day has passed when works of fiction could be dismissed with a contemptuous Sneer’’ (୨) ସମୟ ଥିଲା ଯେତେବେଳେ କି ଉପନ୍ୟାସ ଅଧ୍ୟୟନ ଏକ ପାପ ରୂପେ ପରିଗଣିତ ହେଉଥିଲା । ରକ୍ଷଣଶୀଳ ପରିବାରର ଲୋକେ ଏହାକୁ ଏକ ମାଦକ ଦ୍ରବ୍ୟ ବୋଲି ଏ କ୍ଷେତ୍ରରେ Democratic Review ? ପ୍ରିତିକ୍ରିୟା ମଧ୍ୟ ଉଲ୍ଲେଖନୀୟ । ‘‘What will he do with his passion beyond the grave ? Can he throw aside God’s truth and have fiction in heaven ? Can he have it in hell ? Though more filling there than in any other department of eternity’’ (୩)

 

କ୍ରମେ ଉପନ୍ୟାସ ରକ୍ଷଣଶୀଳତାରୁ ମୁକ୍ତିଲାଭକରି ଲୋକପ୍ରିୟ ହେବାକୁ ଲାଗିଲା । ଇଉରୋପୀୟ ସମ୍ଭ୍ରାନ୍ତ ପରିବାରରେ ଉପନ୍ୟାସ ସମାଦର ଲାଭ କଲା । ଅନେକ ସ୍ତ୍ରୀଲୋକ ଉପନ୍ୟାସ ରଚନା ଓ ପଠନ ଦିଗରେ ଆଗ୍ରହୀ ହେଲେ । ଜେନ୍‌ ଅଷ୍ଟିନ୍‌, ଜର୍ଜ ଏଲିଏଟ, ଏମିଲ ବ୍ରଣ୍ଟ, ଭର୍ଜିନିଆ ଉଲ୍‌ଫ ଏବଂ ପର୍ଲ. ଏସ୍‌ ପ୍ରମୁଖ ଔପନ୍ୟାସିକାବୃନ୍ଦ ବିଶ୍ଵ ପ୍ରସିଦ୍ଧି ଲାଭ କଲେ ଓ ଏହାକୁ ବିଶ୍ଵ ଦରବାରରେ ପହଞ୍ଚାଇଲେ ।

 

ଖୁବ୍‌ ବେଶୀ ଦିନର ନହେଲେ ବି ମାତ୍ର ଦୁଇ ଶତକର ଜନ୍ମ ଜାତକ ନେଇ, ଉପନ୍ୟାସ ଆମ ସମକ୍ଷରେ ଆତ୍ମପରିଚୟ ଦେଇଥାଏ । ତଥାପି ଏହା ଯେ ଏକାନ୍ତ ଅର୍ବାଚୀନ, ନିହାତି ବିସ୍ମୟ, ଅତି ଅତର୍କିତ ବା ଆକସ୍ମିକ ଭାବେ ସାହିତ୍ୟ ପରିସରକୁ ଅନୁପ୍ରବେଶ କରିଛି ତାହା ବି ନୁହେଁ । ସେଥିନିମନ୍ତେ ଏକ ନିରବଚ୍ଛିନ୍ନ ଉଦ୍ୟମ, ନିଃସର୍ତ୍ତ ନିଷ୍ଠା ଓ ଆନୁଷଙ୍ଗିକ ପୃଷ୍ଠଭୂମି ଢେର୍‌ ଦିନରୁ ପ୍ରସ୍ତୁତ ହୋଇ ଆସିଛି । ସବୁ ସାହିତ୍ୟିକ ରଚନା ପରି ଉପନ୍ୟାସ ଏକ କ୍ରମବର୍ଦ୍ଧମାନ ବିବର୍ତ୍ତିତ ପର୍ଯ୍ୟାୟରେ ବିକାଶ ଓ ପୁଷ୍ଟ ହୋଇଛି । କାବ୍ୟ, ନାଟକ, ପୁରାଣ, ଶାସ୍ତ୍ର, କାହାଣୀ, କିଂବଦନ୍ତୀ, ଆଖ୍ୟାନ ଓ ଆଖ୍ୟାୟିକାଦିରେ ଯେଉଁଠି ସମାଜ ଜୀବନ, ପ୍ରେମ, ପ୍ରଣୟ ଓ ରୋମାନ୍ସର ନିବିଡ଼ତା ଫୁଟିଉଠିଛି, ସଂହତି ଓ ସଂପର୍କର ଦ୍ୱନ୍ଦ୍ୱ ଯେଉଁଠି ଜନ୍ମିଛି, ମାନସିକ ସଂଘର୍ଷ ଓ ମାନବିକ ସମସ୍ୟାଦିର ସାନ୍ଦ୍ରତା ଯେଉଁଠି ଜୀବନର ସୂକ୍ଷ୍ମ ବର୍ଣ୍ଣାଳୀକୁ ସ୍ପର୍ଶ କରି ନୂତନ ସମସ୍ୟା ଉଦ୍ଭବ କରିଛି, ସେଠି ଉପନ୍ୟାସ ପ୍ରଚୁର ଉପାଦାନ ପାଇଯାଇଛି, ଗୋଟିକପରେ ଗୋଟିଏ ପାବଚ୍ଛ ସୃଷ୍ଟି ହୋଇଯାଇଛି ଏବଂ ଅସଂହତ ବା ବିକ୍ଷିପ୍ତଭାବେ ହେଲେ ବି ଉପନ୍ୟାସର ଅସ୍ପଷ୍ଟ ସ୍ଥିତି ଓ ଅସ୍ଥିର ଉଦ୍‌ବେଳନ କାନ ଡେରିଛି ପ୍ରଥମ ସୃଜନ ବେଣୁର ମାଙ୍ଗଳିକ ଧ୍ଵନିକୁ, ପ୍ରତୀକ୍ଷା କରିଛି ସେଇ ମାହେନ୍ଦ୍ର ମୁହୂର୍ତ୍ତକୁ, ଯାହା ହୁଏତ ସାକାର ହୋଇଥିବ କୌଣସି କ୍ଷଣଜନ୍ମା ସାରସ୍ଵତ ପ୍ରତିଭାଧାରୀଙ୍କ ଅମର ଲେଖନୀରେ, ଯିଏ ବହୁ ଅବିନ୍ୟସ୍ତ । ଉପାଦାନକୁ ଆହରଣ କରି ଅନେକ ଅଭିଜ୍ଞତାର ବାସ୍ତବ ଘଟଣାପ୍ରବାହ ସଂଗେ ଯୋଡ଼ି ଏକ ନୂତନ ସାରସ୍ଵତ ବିଭବର ବ୍ଲ ପ୍ରିଣ୍ଟ ଆଙ୍କିଥିବେ ଚିର ପ୍ରବହମାନ ସାହିତ୍ୟସ୍ରୋତକୁ ନୂଆ ରୁଚି, ନୂଆ ରୂପ, ନୂତନ ଶୈଳୀ, ନବୀନ ନିର୍ଯ୍ୟାସ ଓ ଅଭିନବ ଆତ୍ମିକତାରେ ସଞ୍ଚରଣ କରି । ତେଣୁ ଉପନ୍ୟାସ ନିଶ୍ଚିତ ଭାବେ ମହାକାଳର ଇଙ୍ଗିତ ଏବଂ ଅତି ଅନ୍ତରଙ୍ଗ ତଥା ସତର୍କ ସ୍ରଷ୍ଟାମାନସର ସମ୍ବେଦନଶୀଳ ତଥା ସ୍ନେହ ସୌହାର୍ଦ୍ଦର ନିବିଡ଼ ଆଲିମ୍ପନ, ଏକ ସତର୍କ ସାହିତ୍ୟିକ ଖସଡ଼ା ଯାହା ଯୁକ୍ତିନିଷ୍ଠତା, ନୈତିକତା, ସ୍ଖଳନ, ପାପ, ପୁଣ୍ୟ, ଦ୍ୱନ୍ଦ୍ୱ, ସଂଘର୍ଷରେ ପରିପୂର୍ଣ । ଜୀବନ ପରି ଉପନ୍ୟାସ ବହୁବର୍ଣ୍ଣ, ବହୁ ଦୃଷ୍ଟି, ବହୁ ବଳୟ, କଳ୍ପନା, ବାସ୍ତବତା, ଅନୁଭୂତି ଓ ଅଭିଜ୍ଞତାଦିରେ ପ୍ରସାରିତ । ତେଣୁ ଏହାର ବିକାଶ, ବୃଦ୍ଧି, ପରିଣତି, ପର୍ଯ୍ୟାୟ ବା ବିଲୟ ସଂଘଟିତ ହୁଏ, ତେଣୁ ଉପନ୍ୟାସ ଭିନ୍ନ ଭାବେ ପ୍ରତିଷ୍ଠିତ ହୋଇଥାଏ । ଉପନ୍ୟାସ ମଧ୍ୟ ଜୀବନ ପରି । ମହାକାଳର ଭ୍ରୂକୁଟୀରେ ଉତ୍‌ଥାନ ପତନର ସାମନା କରେ ।

 

ଉପନ୍ୟାସ ମଧ୍ୟଯୁଗୀୟ ରୋମାନ୍ସରୁ ଜନ୍ମଲାଭ କରିଥିବା କଥା କୁହାଯାଏ । ଇଂରାଜୀରେ ଏହାର ମୂଳଉତ୍ସ ଇତାଲୀୟ ‘Novelle’ରୁ ହୋଇଥିବା କଥା ଗୃହୀତ । ଏହାର ଅର୍ଥ ଏକ ସଂକ୍ଷିପ୍ତ ଓ ନୂତନ ଗଦ୍ୟରୀତି । କେହି କେହି ଉପନ୍ୟାସକୁ ‘Prose Fiction’ ବୋଲି କହିଥାନ୍ତି । କ୍ଷୁଦ୍ର ଗଳ୍ପ, କ୍ଷୁଦ୍ର ଉପନ୍ୟାସ (Novellete) ଓ ରୋମାନ୍ସ ଏହାର ପରିସରଭୁକ୍ତ । ସେ ଦଷ୍ଟିରୁ ‘Fiction’ କୁ କଥାସାହିତ୍ୟ କହିବା ଯୁକ୍ତିଯୁକ୍ତ । କିନ୍ତୁ ଅନେକ ଏକ ଉପନ୍ୟାସକୁ ଫିକ୍‌ସନ୍‌ କହୁଛନ୍ତି । ‘Fiction’ ନଭେଲର ପ୍ରତିଶବ୍ଦ ନୁହେଁ । ଉଇଳିୟମ ସିମ୍‌ଙ୍କ ମତରେ ଫିକ୍‌ସନ ହେଉଛି ଏକ ଆପାତଃ ସତ୍ୟ, ଯାହା ଇତର ବସ୍ତୁଠାରୁ ଭିନ୍ନ । ଆଲାନ କହନ୍ତି ‘‘Gulliver’s Travels’ is a work of ficnon not a novel”, ଯଦିଓ ସେଥିରେ ଲିଲିପୁଟିୟାନଙ୍କ ଜୀବନ ଚିତ୍ର ନିହିତ ।

 

‘ନାଟ୍ୟଶାସ୍ତ୍ରମ୍‌’ରେ, ‘‘ଉପନ୍ୟାସ ପ୍ରସାଦମ୍‌’’ (୫) ଏବଂ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ରେ ‘‘କିମିଦ ଉପନ୍ୟସ୍ତ’’ (୬)ର ପ୍ରୟୋଗରୁ ‘ଉପନ୍ୟାସ’ ଓ ‘ଉପନ୍ୟସ୍ତ’ର ପ୍ରୟୋଗ ଥିବା ସୂଚନା ମିଳୁଛି । ଆଲାନ୍‌ଙ୍କ ଯୁକ୍ତି ହେଲା ‘‘And great as his genius was, one feels that Swift could nener have been a novelist. Satire can only be a part of the novelist‘s make up : in Swift’s it was everything..’’ (୭) ଆଲାନ୍‌ ଉପନ୍ୟାସ ଓ ଫିକ୍‌ସନ ମଧ୍ୟରେ ଏକ ବ୍ୟବଧାନ ଦେଖିଛନ୍ତି । ତାଙ୍କ ମତରେ ଗଲିଭର ଟ୍ରାଭେଲ୍‌ସ ଏକ ଫିକ୍‌ସନ୍‌ ତେଣୁ ସ୍ଵିଫ୍ଟଙ୍କୁ ସେ ଜଣେ ଫିକ୍‌ସନ୍‌ ଲେଖକ ରୂପେ ଚିହ୍ନଟ କରନ୍ତି । ଖାଲି ବିଦ୍ରୂପ ବା ହାସ୍ୟରସାତ୍ମକ ରଚନାକୁ ନଭେଲ୍‌ କୁହାଯାଇ ନପାରେ । ତେବେ ଫିକ୍‌ସନ୍‌ ଓ ଉପନ୍ୟାସ ମଧ୍ୟରେ ତଫାତ୍‌ କେଉଁଠି ?

 

ଫିକ୍‌ସନ୍‌ ଫେବ୍ଲ‌ ଓ ରୋମାନ୍ସ :

ଫିକ୍‌ସନ୍‌ ଏକ ମିଶ୍ରକଳା, ଯାହା କେବଳ ଉପନ୍ୟାସକୁ ବୁଝାଏ ନାହିଁ । ଏହାକୁ ଉପନ୍ୟାସର ସ୍ଥୂଳରୂପ କହିଲେ ଭୁଲ ହେବ ନାହିଁ । ହୁଏତ ଫିକ୍‌ସନ୍‌ରେ କଥାସାହିତ୍ୟର ସମସ୍ତ ଲକ୍ଷଣ ନିହିତ । ରୋମାନ୍ସ, ଗାଥା, ରହସ୍ୟ ରୋମାଞ୍ଚ କାହାଣୀ, ଦିଗବିଜୟ ଓ ଅଭିଯାନ, ଚମକପ୍ରଦ ଘଟଣା ଏବଂ ଏପରିକି ନାଟକ ମଧ୍ୟ ଫିକ୍‌ସନ୍‌ ପର୍ଯ୍ୟାୟଭୁକ୍ତ । ଆଗେ ଫିକସନ ନାଟକପରି ପଦ୍ୟରେ ଲେଖାଯାଉଥିଲା । ‘ବେତାଳ ପଞ୍ଚବିଂଶତି’ ‘ଶୁକବିଳାସ’, ‘ବତ୍ରିଶ ସିଂହାସନ’, ‘ପଞ୍ଚତନ୍ତ୍ରମ୍‌’ ‘ଦଶକୁମାର ଚରିତ’, ‘ପୌରାଣିକ ଗଳ୍ପ’, ଲୋକକଥା, ଓ କାହାଣୀ ଆଦି ଫିକ୍‌ସନ୍‌ । ‘ଚତୁର ବିନୋଦ’ ମଧ୍ୟ ଏକ ଫିକ୍‌ସନ୍‌ ଏବଂ ନାରାୟଣାନନ୍ଦ ଅବଧୂତ ସ୍ଵାମୀଙ୍କ ‘ରୂଦ୍ର ସୁଧାନିଧିକୁ’ ଫିକ୍‌ସନ୍‌ କହିବା ଯୁକ୍ତିଯୁକ୍ତ । ପରୀଗପ, ଅସୁର ଅସୁରୁଣୀ ଗପ, ରାଜାରାଣୀ ଗପ ଆଦି ଫିକ୍‌ସନ୍‌ର ଅନ୍ତର୍ଗତ କରିବା ଅଯଥାର୍ଥ ନୁହେଁ । କଳ୍ପନାପ୍ରବଣ ବା Fictitions ବିଷୟବସ୍ତୁକୁ ଭିତ୍ତି କରି ବୋଧହୁଏ Fiction ଶବ୍ଦର ଉଦ୍ଭବ ହୋଇପାରିଥାଏ । ତେଣୁ ଉପନ୍ୟାସକୁ କେହି କେହି Prose Fiction ବୋଲି କହିଥାନ୍ତି ।

 

କଳ୍ପନା ଓ ବାସ୍ତବତା ଦୃଷ୍ଟିରୁ ଉପନ୍ୟାସର ଦ୍ୱିବିଧ ସ୍ଵରୂପ ପ୍ରକଟିତ । ରୋମାନ୍ସ ଓ ଫେବ୍ଲ ଉପନ୍ୟାସଠାରୁ ପୃଥକ ଓ ପୁରାତନ । ରୂପାୟନ କତିପୟ ଉପାଦାନ ଜୀବନ ପରି ପ୍ରତୀକ ହେଲେ ହେଁ ତାହା ଜୀବନ ନୁହେଁ, ଜୀବନର ଛାୟାଛବି ବା ପ୍ରହେଳିକା । ‘Fable’ ରେ ନୈତିକତାର ଛାପ ତୀବ୍ର ଥିଲେ ହେଁ, ରୋମାନ୍ସରେ ପ୍ରେମ ଓ ଆଦର୍ଶର ସ୍ପର୍ଶ ଅଧିକ । ଏଫ.ଆର୍‌. ଲିଭିସ ଓ ରିଚାର୍ଡ ଚେଜ୍‌ ପ୍ରମୁଖ ସମୀକ୍ଷକମାନେ ଫେବ୍ଲକୁ ଏକ ବିସ୍ତାରିତ ଅର୍ଥରେ ବ୍ୟବହାର କରନ୍ତି । ହେନେରୀ ଜେମ୍‌ସଙ୍କ ମତରେ: ‘‘There are two types of tastes in appreciation of imaginative literature: the taste for emotions or surprise and the taste for emotions of recognition’’ (୮) । କାଳ୍ପନିକ ସାହିତ୍ୟରେ ଦ୍ୱିବିଧ ରୁଚିର ଅବତାରଣା କରାଯାଇଥାଏ : ବିସ୍ମୟଭାବ ପରିପ୍ରକାଶ ପ୍ରବଣତା ଓ ସ୍ଵୀକୃତି ପ୍ରବଣତାର ଅଭିରୁଚିରେ ଜୀବନର ସତ୍ୟ ପ୍ରକାଶ ପାଏ । ପ୍ଲାଟୋଙ୍କ ‘False’ (ମିଥ୍ୟା) ଅବବୋଧ ଏବଂ ଆଉ ଟିକିଏ ସାଲିସ୍‌ ସ୍ତରକୁ ଖସିଆସି ଆରିଷ୍ଟଟ୍ଲ ଯେଉଁ Idea probablity ପ୍ରସଙ୍ଗ ଉତ୍‌ଥାପନ କଲେ ତା’ର ଲିତା ବିଲିତା ଧରି ଆଧୁନିକ ସାହିତ୍ୟରେ ତାର ପ୍ରୟୋଗ ସମ୍ଭବ ନୁହେଁ । ସାହିତ୍ୟ ଜୀବନର ପ୍ରତିଛବି ଆଙ୍କିବ, ତହିଁରେ ସତ୍ୟର ସ୍ଵରୂପ ପ୍ରକଟିତ ହେବ । ସେ ସତ୍ୟକୁ ବୈଜ୍ଞାନିକ ପଦ୍ଧତିରେ ଲାବୋରେଟରିରେ ପରୀକ୍ଷା କରାଯାଇ ପାରିବ ନାହିଁ । ସେଥିପାଇଁ ଭିନ୍ନ ପରିମାପକ ଅଛି । କଳା ଜୀବନକୁ ପ୍ରତିଫଳିତ କରେ; କିନ୍ତୁ ତାହା ଜୀବନର ଫଟୋକପି ନୁହେଁ, ତୈଳଚିତ୍ର ବା ଭାସ୍କର୍ଯ୍ୟ କହିଲେ ଚଳିବ । ହେନେରୀ ଜେମ୍ସ ତେଣୁ କଲେରିଜ୍‌ଙ୍କ ‘Willing suspension of disbelief’ କୁ ଫିକ୍‌ସନ୍‌ର ପ୍ରୟୋଗ କରିବାର ପକ୍ଷପାତି ନୁହଁନ୍ତି । ନଭେଲ୍‌ ଓ ଫିକ୍‌ସନ୍‌ର ତଫାତ୍‌ ବାରି ଜଣେ ସମୀକ୍ଷକ ମତ ଦିଅନ୍ତି; ‘‘Fiction is a material; Novel is a method of treatment’’. ଉପନ୍ୟାସ, ଫିକ୍‌ସନ୍‌ର ଚୌହଦୀ ମଧ୍ୟରେ ଥାଇ ଅନ୍ତତଃ ସୂକ୍ଷ୍ମତତ୍ତ୍ୱ ତଥା ଅନ୍ତର୍ବ୍ୟାପାର ସଂଗେ ସାମିଲ୍‌ ହୋଇଯାଏ । ଆଉ ଟିକିଏ ସ୍ପଷ୍ଟ ଭାବେ କହିଲେ, ପୂର୍ବେ ଯେଉଁ ପଦ୍ଧତି ପ୍ରସଙ୍ଗ ଉଠାଗଲା । ଜେମ୍‌ସ ତାକୁ ‘The refinement and ecstasies of method’ ବୋଲି କହନ୍ତି । ଆର୍‌ନଲ୍ଡ ବିନେଟ୍‌ ଏ ପ୍ରସଙ୍ଗରେ କହିଛନ୍ତି: ‘‘The Novelist is he, who having seen life and being so excited by it that he absolutely must transmit his vision to others, chooses narrative fiction as the liveliest vehicle for the relief on his feelings (୯) ।

 

ସିମ୍‌ସ୍‌ଙ୍କ ମତରେ ‘ancient epic’ ଓ ‘modern romance’ ମଧ୍ୟରେ ଯଦି ତର୍କଣା କରାଯାଏ, ତେଣୁ ରୋମାନ୍ସ ଅଧିକ ବୁନିୟାଦୀସମ୍ପନ୍ନ ଓ ଉପନ୍ୟାସଠାରୁ ଅଧିକ ଉଚ୍ଚତର କାବ୍ୟ । ତେଣୁ ଯଥାର୍ଥରେ କୁହାଯାଇଛି ‘‘The Novelist is essentially a Poet.’’ ସିମ୍‌ସ୍‌ଙ୍କ ଅଭିମତ ହେଲା, ଉଭୟ ରୋମାନ୍ସ ଓ ଉପନ୍ୟାସ ମଧ୍ୟରେ ତୁଳନାତ୍ମକ ସୂକ୍ଷ୍ଜ ବିଶ୍ଳେଷଣ କରିବା ସମୀକ୍ଷକଙ୍କର ଦାୟିତ୍ଵ ।

 

ଜେମ୍‌ସ୍‌ଙ୍କ ଦୃଷ୍ଟିକୋଣ

ଉପନ୍ୟାସକୁ ଏକ ସ୍ୱତନ୍ତ୍ର ସାହିତ୍ୟିକ ବିଭାବ (a special form) ର ମର୍ଯ୍ୟାଦା ବହୁତ ବିଳମ୍ବରେ ମିଳିଥିଲା । ୧୯୮୮ ମସିହାରେ ହେନେରୀ ଜେମ୍‌ସ୍‌ ଅଭିଯୋଗ କରି କହିଥିଲେ ଯେ ଇଂରାଜୀ ଉପନ୍ୟାସର କୌଣସି ପରମ୍ପରା, ବୁନିୟାଦୀ ସିଦ୍ଧାନ୍ତ (theory) ବା ପ୍ରମାଣ ପ୍ରତ୍ୟୟ (conviction) ନାହିଁ । (୧୦) ଏପରିକି ଫ୍ରାନ୍ସସରେ ମଧ୍ୟ ଉପନ୍ୟାସକୁ ସ୍ଵତନ୍ତ୍ର କଳାଭାବେ ଗ୍ରହଣ କରିନେବାର ସଚେତନତା ଅପେକ୍ଷାକୃତ ନୂଆଥିଲା । ଜେମ୍‌ସ୍‌ ଠିକ୍‌ ତାଙ୍କ ପୂର୍ବବର୍ତ୍ତୀ ମୁଷ୍ଟିମେୟ ଔପନ୍ୟାସିକ Ivan Turgenev, Gustav Flaubert de Maupassant ଙ୍କୁ ଉପନ୍ୟାସର ପ୍ରଥମ ତତ୍ତ୍ଵଜ୍ଞ ବୋଲି ଗ୍ରହଣ କରିଥ୍‌ଲେ ଏବଂ ସେ ୧୯୨୨ ମସିହାରେ ‘Nalf’ ଅକୃତ୍ରିମ ବୋଲି କହିଥିଲେ । ତାଙ୍କ ମତରେ ଉପନ୍ୟାସ ଏକ କଳା, ଯାହାର ଆଙ୍ଗିକ ସଂପର୍କରେ ଅଧିକ ତନ୍ନ ତନ୍ନ ପର୍ଯ୍ୟବେକ୍ଷଣ କରାଯିବା ବିଧେୟ । ଜେମ୍‌ସ୍‌ ଫୁବର୍ଟଙ୍କୁ ପୁରୁଣା ଗୁରୁ (Novelist’s novelist) ଜ୍ଞାନ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଶେଫ କନ୍ରାର୍ଡ, ଫୋର୍ଡ ମାଡନ୍ସ ଫୋର୍ଡ ପ୍ରମୁଖ ଉପନ୍ୟାସିକମାନେ ଜେମ୍‌ସ୍‌ ଓ ଊନବିଂଶ ଶତାବ୍ଦୀର ଫ୍ରେଞ୍ଚ ଔପନ୍ୟାସିକମାନଙ୍କୁ ଏ କ୍ଷେତ୍ରରେ ଆଦି ପ୍ରବକ୍ତା ରୂପେ ଗ୍ରହଣ କରିଥିଲେ । ଜେମ୍‌ସ୍‌ ଏପରି ବିସ୍ତାରିତ ଆନ୍ତର୍ଜାତିକ ଚିତ୍ର ଅନ୍ୟତ୍ର ପାଇ ନଥିଲେ, ଯାହା ସେ ସଂଦର୍ଶନ କରିଥିଲେ ଜୋଲାଁ ବଲ୍‌ଜାକ୍‌ ଓ ଫ୍ଲବର୍ଟଙ୍କ ଉପନ୍ୟାସରେ । ଏମାନେ ଅବଲୋକନ କରିଥିଲେ ‘‘life is more dreary, more sordid, more mean, and limited.’’ (୧୧) ଜୋଲାଁ ଜଣେ ବୈଜ୍ଞାନିକ ଓ ବଲ୍‌ଜାକ ଜଣେ ଐତିହାସିକ ଭାବେ ନିଜକୁ ନିରୂପଣ କରୁଥିବା ବେଳେ ଫ୍ଲବର୍ଟ ନିଜକୁ ମାନବିକ ପରିବେଶର ପ୍ରବକ୍ତା ଓ ଜଣେ ଶିଳ୍ପୀ ରୂପେ ନିଜକୁ ପ୍ରତିଷ୍ଠା କରିଥିଲେ । ତେଣୁ ଜେମ୍‌ସ୍‌ଙ୍କ ବଦ୍ଧଧାରଣା ଥିଲା ଯେ ସେ ଫ୍ଲବର୍ଟଙ୍କଠାରୁ ଔପନ୍ୟାସିକ ତଥ୍ୟ ଓ ତତ୍ତ୍ଵ ସଂପର୍କରେ ଯଥେଷ୍ଟ ଜ୍ଞାନ ଆହରଣ କରିପାରିବେ । ଉପନ୍ୟାସ ବିଜ୍ଞାନାଗାର ବା ଚିକିତ୍ସାଳୟ ନୁହେଁ ଯେଉଁଠି ବିସ୍ଫୋରଣ ବା ରାସାୟନିକ ପ୍ରକ୍ରିୟାର ଚମକ ସୃଷ୍ଟି କରିହେବ ଅଥବା ଟିକିନିଖି ଶାରୀରିକ ବ୍ୟବଚ୍ଛେଦ କରାଯାଇ ପାରିବ । ଏହା ଏକ ଭିନ୍ନ ଉପଚାର, ଜୀବନ୍ମୟ ଓ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବ, ଅନୁଧ୍ୟାନ ଓ ଅଧ୍ୟୟନର କଥା । ଜୀବନ ଅଧ୍ୟୟନ ଦ୍ୱାରା ତା’ର ନୀଚ୍ଚତା, ଘୃଣ୍ୟ, ନଗଣ୍ୟ, ସୀମିତ, ଶଙ୍କିତ ଦିଗ ପ୍ରତି ଦୃଷ୍ଟିନିବଦ୍ଧ କରିବା ଓ ତନ୍ମଧ୍ୟରୁ ଦେବତ୍ୱ ଓ ପାଶବିକତା ବା ଆସୁରିକ ପ୍ରବୃତ୍ତିର ସନ୍ଧାନ ସୂଚନା ଦେବା ଉପନ୍ୟାସର ଦିଗନ୍ତ ମଧ୍ୟରେ ସୀମାବଦ୍ଧ । ଔପନ୍ୟାସିକଙ୍କ କଳାକୁଶଳତା, ସଂବେଦନଶୀଳତା ଜୀବନର ପ୍ରତ୍ୟକ୍ଷ ଉପଲବ୍ଧି ଆଦି ଏହାର ପରିସରଭୁକ୍ତ । ସେଠି ଔପନ୍ୟାସିକଙ୍କ ବ୍ୟକ୍ତିସତ୍ତା ଉହ୍ୟ ରହିଯାଏ, ସେ ନିଜେ ଘଟଣାପ୍ରବାହଠାରୁ ନିର୍ଲିପ୍ତ ରହିଯାନ୍ତି, ଯଦିଓ ସମଗ୍ର ଘଟଣା ସଂଯୋଜନାରେ ସେ ହିଁ ସୂତ୍ରଧର । ଜୀବନ ସଂଗେ ପ୍ରତ୍ୟକ୍ଷ ଓ ପ୍ରକୃଷ୍ଟ ଅନୁଭୂତି ଆହରଣ କରି ସେ ତହିଁରେ ଗ୍ରନ୍ଥନ କରିଥାନ୍ତି । ତେଣୁ ଉପନ୍ୟାସରୁ, ଜେମ୍‌ସ୍‌ଙ୍କ ପରିଭାଷାରେ, a personal a direct impression of life. ଉପନ୍ୟାସକାର ଜୀବନ ସଂପର୍କରେ ଅନ୍ତରଙ୍ଗ ସଂପର୍କ ସ୍ଥାପନପୂର୍ବକ ସ୍ଵକୀୟ ଦୃଷ୍ଟିଭଙ୍ଗୀରେ ରସାଣିତ କରି ଜୀବନର ପ୍ରତିଲିପି ଆଙ୍କିବେ । ତେଣୁ ଉପନ୍ୟାସ ଜୈବିକ ବସ୍ତୁ ପରି ଉଦ୍ଭବ, ବିସ୍ତାର, ବିକାଶ ଓ ବିଲୟ ମଧ୍ୟରେ ଗତି କରିବ । ତା ନିଜର ଏକ ପାରିପାର୍ଶ୍ୱିକ ଜଗତ ଅଛି, ଏକ କେନ୍ଦ୍ର ଓ କକ୍ଷ ଅଛି ଯୋଉଠି ଉପନ୍ୟାସର ଚରିତ୍ରମାନେ ଗତାଗତ କରିବେ, କଳରୋଳ, ହସ କାନ୍ଦ, ଦ୍ୱନ୍ଦ୍ୱ ସଂଘର୍ଷରେ ଉଚ୍ଛନ୍ନ ହେବେ, ବିୟୋଗାନ୍ତ ନାଟକର ପର୍ବ ସୃଷ୍ଟି କରିବେ, ନିୟନ୍ତ୍ରିତ ହେବେ ନିୟତିର ଅଙ୍କୁଶରେ ଏବଂ ଶେଷରେ ଏକ ପରିଣତ ଅବସ୍ଥାରେ ପହଞ୍ଚିବେ । ଝଡ଼ ପରର ପରିଣତି, ଧ୍ଵଂସର ଅନ୍ତିମ ଲକ୍ଷ୍ୟ, ବିୟୋଗାନ୍ତକ ହେବା ଯେପରି ବାସ୍ତବ, ମିଳନାନ୍ତକ ହେବା ସେପରି ଆକସ୍ମିକ । ତେଣୁ ଉପନ୍ୟାସରେ ଏମିତି ଘଟଣା ଅଘଟଣ, ସତ୍ୟ ଅସତ୍ୟ, ନିତ୍ୟ ଅନିତ୍ୟ, ବାଞ୍ଛିତ ଅବାଞ୍ଛିତ ଜୀବନପରି, ଜଗତପରି ରୂପାୟିତ ହୋଇଯାଏ । ଏହା ତା’ର ସ୍ଵାଭାବିକ ଦିଗ । ଭାବପ୍ରବଣ ମନରେ ଢେର ଅକୁହା କଥା ଉଙ୍କି ମାରୁଥିଲେ ହେଁ ତା’ର ଯୁକ୍ତିନିଷ୍ଠ ସତର୍କ ଭାବ ବେଳେ ବେଳେ ଏସବୁକୁ ଚାପି ଦେବାର ଉପକ୍ରମ କରେ । ସମ୍ଭବତଃ ପରିଶେଷରେ ସେସବୁ ଉଦ୍‌ଗୀର୍ଣ୍ଣ ହୋଇଥାନ୍ତି । ଜେମ୍‌ସ୍‌ଙ୍କ ମତରେ ଉପନ୍ୟାସ, ଉପନ୍ୟାସଭିନ୍ନ ଅନ୍ୟକିଛି ନୁହେଁ, ସେଇ ତା’ର ଶ୍ରେଷ୍ଠ ପରିଚୟ ଯେପରି ରସାବଳୀକୁ କେବଳ ରସାବଳୀ ନାମରେ ଉପଭୋଗ କରାଯାଏ । ସ୍ଵାଦୁହିଁ ତା’ର ଶ୍ରେଷ୍ଠ ପରିଚୟ । ସୁବାସ ଗୋଲାପର ଏକମାତ୍ର ପରିଚୟ ଓ ସ୍ଵାତନ୍ତ୍ର୍ୟ ଯେହେତୂ ‘‘Rose in any other name smells sweet’’. ତେଣୁ ଗୋଲାପ ହିଁ ଗୋଲାପ । ଉପନ୍ୟାସ ବା ‘Novel’ ନିଶ୍ଚିତ ଏକ ଉତ୍ତୁଙ୍ଗ କଳା, ଅତି ବିଶାଳ ତା’ର ବ୍ୟାପ୍ତି, ପର୍ବତ ପରି ଅତଳଗାମୀ ଓ ନଭଶ୍ଚୁମ୍ବୀ, ସ୍ୱୟଂ ସଂପୂର୍ଣ୍ଣ ।

 

ସିମ୍ମସ୍‌ ଓ ହଓ୍ୱେଲ୍‌ସ ଉପନ୍ୟାସ ଏବଂ ରୋମାନ୍ସ ମଧ୍ୟରେ ଏକ ଦୂରନ୍ତ ବ୍ୟବଧାନ ଦର୍ଶାଇଥାନ୍ତି । କିନ୍ତୁ ଜେମ୍‌ସ୍‌ ଏ ବ୍ୟବଧାନର ପକ୍ଷପାତି ନୁହଁନ୍ତି । ତାଙ୍କ ମତରେ ଉପନ୍ୟାସ ଭଲ ଓ ମନ୍ଦ (good and bad) ଭେଦରେ ଦ୍ଵିବିଧ । ଉପନ୍ୟାସର ପରିଣତି ସଂପର୍କରେ ଅଷ୍ଟାଦଶ ଶତାବ୍ଦୀର ଦୃଷ୍ଟିକୋଣରେ ଏଇ ଭାବ ପ୍ରତିଫଳିତ ହୋଇଥିଲା । ଅସ୍କାର ଓ୍ୱାଇଲ୍ଡଙ୍କ ‘The Importance of Being Earnest ସଂପର୍କରେ ମିସ୍‌ ପ୍ରିଜ୍‌ମଙ୍କ ମନ୍ତବ୍ୟ : ‘‘The good ended happily, the bad unhappily, that is what fiction means’’ (୧୩) । ସେ ଦିଗରୁ ରୋମାନ୍ସକୁ ମନ୍ଦ ଉପନ୍ୟାସ ବୋଲି କୁହାଯାଏ : କାରଣ ବାସ୍ତବିକତାର ପରିପ୍ରେକ୍ଷୀରେ ରୋମାନ୍ସର ସ୍ଥାନ ନାହିଁ । ତାହା ଚିନ୍ତା ଓ ଅଭିପ୍ରାୟରେ ପ୍ରକଟିତ ହୋଇଥାଏ । ସେଠି କାରଣ, ଯୌକ୍ତିକତା ବା ନୀତିନିୟମର ସ୍ଥାନ ନଥାଏ । ଏ ସବୁ ଅଜବ ବା ଅବାସ୍ତବ କଥା । ବାସ୍ତବିକତା ସଂପର୍କରେ କୁହାଯାଇଛି: (୧୪) ‘‘The real that which presently known or is whithin the bounds of our first hand knowledge.’’ କିନ୍ତୁ ଆଡ୍‌ଭେଞ୍ଚର ବା ବିପଦଶଙ୍କୁଳ ଦୁଃସାହସିକ କାର୍ଯ୍ୟ ମାନବିକ ଚର୍ଯ୍ୟାର ଏକ ଭାବପ୍ରବଣ ପରିପ୍ରକାଶ, ଏକ ଅଟଳ ପ୍ରତିଜ୍ଞାବଦ୍ଧତାର ସାର୍ଥକ ପ୍ରତିଫଳନ, ଯାହାକୁ ଜୀବନ ଅନ୍ୱେଷାରୁ ପୃଥକ କରିହେବ ନାହିଁ । ଅନ୍ୟ ଭାଷାରେ କହିଲେ, ଏହା ବାସ୍ତବିକତାର ଏକ ଭିନ୍ନ ପରିପ୍ରକାଶ, ଯାହା ହୁଏତ ବାସ୍ତବ ଜୀବନର ଅନୁଭୂତି ନହେଲେ ବି ଏକ ବଳିଷ୍ଠ ମାନସିକ ରୋମନ୍ଥନର ମୂର୍ତ୍ତି ବିକାଶ । ଗୋଏଥଙ୍କ ମତରେ : ‘‘The artist’s work is real in so far as it is always true.” ସେଥିପାଇଁ ବୋଧହୁଏ କୁହାଯାଇଥାଏ, ଫିକ୍‌ସନ୍‌ରେ ନାମ ଓ ଧାମ ବ୍ୟତୀତ ଆଉସବୁ ସତ, ଯଦିଓ ଇତିହାସରେ କେବଳ ନାମ ଧାମହିଁ ସତ, ଆଉ ସବୁ ମିଛ ବା କାଳ୍ପନିକ । ତେଣୁ ଜେମ୍‌ସ୍‌ କହନ୍ତି, ଉପନ୍ୟାସ ସେଇହେତୁରୁ ‘‘apicture of the actual, the characteristic - a study of human types and passions of evolution of. personal relations : not an excision from life (୧୫) । କିନ୍ତୁ କଳା ମୁଖ୍ୟତଃ ମନୋନୟନ ବା ଆହରଣ ଦକ୍ଷତା ଉପରେ ନିର୍ଭର କରେ । ବଲଜାକଙ୍କ ଦୃଷ୍ଟିରେ ଉପନ୍ୟାସରେ ଆରୋପିତ ବସ୍ତୁ, ଘଟଣା ଓ କାର୍ଯ୍ୟକଳାପ ଯଥାଯଥଭାବେ ଗ୍ରନ୍ଥନ ହୋଇ ମୁଖ୍ୟସ୍ରୋତକୁ ତ୍ୱରାନ୍ୱିତ କରିବ । ଚରିତ୍ର, ଘଟଣା, ପରିବେଶ, ଗଳ୍ପାଂଶ, ଦ୍ୱନ୍ଦ୍ୱ, ସଂଘର୍ଷ ସବୁର ଅନ୍ତିମ ଉଦ୍ଦେଶ୍ୟ ପରିଣତି ଆଡ଼େ । ଆଚରଣ ସେସବୁର ଗତି ନିୟନ୍ତ୍ରଣ କରିବ । ତେଣୁ ଆରିଷ୍ଟଟ୍ଲଙ୍କ କଥାକୁ ଦୋହରେଇ ଜେମ୍‌ସ୍‌ କହନ୍ତି, The soul of a novel is its action (୧୬) । ଉପନ୍ୟାସର ମନୋନୟନ, ଗ୍ରନ୍ଥନ ଓ ସଂଯୋଜନାଦି ଲେଖକଙ୍କ ଦକ୍ଷତା ଉପରେ ନିର୍ଭର କରେ । ଏ ଦାୟିତ୍ୱ ଅତି ଗୁରୂତ୍ୱପୂର୍ଣ୍ଣ ଯେହେତୁ ସେ ଏ ଝାଟି ମାଟିର ଧରାରେ ପାରିଜାତ ଫୁଟାଇବ, ମଣିଷକୁ ଦେବତା ରୂପେ ଗଢ଼ି ତୋଳିବ, ନିଷ୍କରୁଣ ଓ ନିର୍ମମ ଅନ୍ତରରେ ଅନୁକଂପାର ଧାରା ବୁହାଇବ । ଏହା ଏକ ହୃଦୟସର୍ଜନାର କଳାକୌଶଳ, ଦୁରୂହ ବ୍ୟାଧି ଉପଶମର ଉପଚାର । ତେଣୁ ସେ ତା’ ଜଗତକୁ, ଚଉହଦୀକୁ, ଚରିତ୍ରଙ୍କୁ ଓ ସୃଷ୍ଟିକୁ ପରଖି ନେବା ଲୋଡ଼ା । ପାଠକକୁ ଆକୃଷ୍ଟ କରିବାକୁ ହେଲେ ଚଚିତ୍ରଗୁଡ଼ିକୁ ରକ୍ତମାଂସର ଆଢ଼େଣୀରେ ଢାଙ୍କି ଅନ୍ତରର ଭାଷା ଦେବାକୁ ହେବ କାଠ କଣ୍ଢେଇପରି ସଜେଇଦେଲେ ହେବ ନାହିଁ । ସେଇଥିପାଇଁ ‘ସ୍କାର୍‌ଲେଟ ଲେଟର’ ଚରିତ୍ରମାନେ ଏଠି ସେଠି ସବୁଠି ବିଚରଣ କରନ୍ତି, ସେମାନଙ୍କ ସମସ୍ୟା ଆମ ନିଜର ଭଳି ଲାଗେ କିନ୍ତୁ ‘The House of Seven Gable’sର ଚରିତ୍ରମାନେ କିମିତି ଅବାସ୍ତବ ଓ ଅଚିହ୍ନା ଲାଗନ୍ତି । ଏ ପ୍ରସଙ୍ଗରେ ସିଙ୍ଗର କହିଥିଲେ : That is why so few Tolstoy.scholars, Chekhov scholars. De Maupassant Scholars. But the disciples of Joyce have the spirit of scholars, and this kind of writing is not my cup of tea. (୧୭) । ‘ଛ ମାଣ ଆଠଗୁଣ୍ଠ’ର ଚମ୍ପା, ‘ମାଟିର ମଣିଷର’ ନେତ୍ରମଣି ଅଥବା ‘ଅମଡ଼ାବାଟ’ର ମାୟା ଚରିତ୍ର ଦେଖିଲେ ଆମେ ସଦାସର୍ବଦା ସଂପର୍କରେ ଆସୁଥିବା ଆମ ଗାଁର ଉଦ୍ଦଣ୍ଡୀ ସ୍ତ୍ରୀଲୋକଟି, ମୁଖରା ବୋହୂଟି ଆଉ ଖୁସିବାସୀ ଫୁଲେଇ ଝିଅଟିମାନ ଆପଣାଛାଏଁ ମନ ପର୍ଦ୍ଦାରେ ଝୁଙ୍କି ପଡ଼ନ୍ତି । ‘ଛ ମାଣ ଆଠଗୁଣ୍ଠ’ର ଅସୁର ଦୀଘି କଥା ପଢ଼ିଲେ ଆମ ମନରେ ଗାଁ ଗୋହିରୀର ଛାପ ପଡ଼ିଯାଏ । ଫକୀର ମୋହନଙ୍କ କାଳରାତ୍ରୀର ନିଛାଟିଆ ସ୍କୁଲ ଘରେ, ଯୋଉଠି ଗୋବିନ୍ଦା ବାରିକ ଧାରୁଆ ଖୁରରେ ସୁପ୍ତ ଚମ୍ପାର ତଣ୍ଟି କାଟି ହତ୍ୟା କରିଛି, ତା’ର କରୁଣ ବିଭତ୍ସ ଓ ମର୍ମନ୍ତୁଦ ଦୃଶ୍ୟ ଏବଂ କଚେରୀରେ ବିଚାର ପ୍ରସଙ୍ଗ ଫ୍ରେଞ୍ଜ କାଫ୍‌କାଙ୍କ ‘Trial’ ଉପନ୍ୟାସଠାରୁ ନ୍ୟୂନ ବୋଲି କହିପାରିବା ? ‘ରାଣ୍ଡିପୁଅ ଅନନ୍ତା, ରାମଚନ୍ଦ୍ର ମଙ୍ଗରାଜ, ହରି ମିଶ୍ର, ଛକଡ଼ି- ସମସ୍ତେ ତ ରକ୍ତମାଂସର ମଣିଷଟି ମାନ; ଏଇ ଗାଁ ଭୂଇଁରେ ନିତି ଆତଜାତ ହେଉଛନ୍ତି । ଧୋବୀ, ସନିଆଠାରୁ ଆରମ୍ଭ କରି ଝିଲି, ବିଲି, ଶୁକ୍ରୁଜାନି, ସାହୁକାର, ବଳିଦତ୍ତ, ସରୋଜିନୀ- ସମସ୍ତେ ତ ସେଇ ଏକା ଧାଡ଼ିରେ ଠିଆ ହୋଇଛନ୍ତି । କିଏ ନିରୀହକୁ ଶୋଷି, ଗରିବ ଗୁରୁବାଙ୍କ ତଣ୍ଟି କାଟି, ଖଟିଖିଆର ଭିଟାମାଟି ଝିଙ୍କିନେଇ ପୈଶାଚିକ ଆନନ୍ଦରେ ପରିତୃପ୍ତ ତ ଆଉ କିଏ ବଢ଼ି ଦାଢ଼ରୁ ଗାଁ’କୁ ବଞ୍ଚେଇବାକୁ ଯାଇ ଘାଇ ମୁହଁରେ ନିଜେ ଶୋଇପଡ଼ି କୁହାଟ ଛାଡ଼ୁଛି, ଆହୁରି ପକା, ଆହୁରି ଢାଳ ମାଟି । ଜୀଅନ୍ତା ପୋତି ହୋଇପଡ଼ିଛି ଘାଇ ବନ୍ଧରେ ସେଇ ବଗୁଲିଆ ଉଦ୍ଦଣ୍ତ ଟୋକା, ରାଣ୍ଡିପୁଅ ଅନନ୍ତା, ଯାଠିଁ ମାନବତାର ଏ ଦେବାବତରଣ ଏଯାଏ କେହି ଦେଖିପାରି ନ ଥିଲେ । ଶରତ ଚାଟାର୍ଜୀଙ୍କ ‘ପଣ୍ଡିତ ମୋଶାୟ’ର ଅନ୍ତିମ ଦୃଶ୍ୟ, ଯେତେବେଳେ ନାୟକ ବୃନ୍ଦାବନ ନିଜର ଏକମାତ୍ର କୁଳାଙ୍କୁର ଚରଣକୁ ଦାହ କରି ଫେରୁଛି । ଅହେତୁକ ଶୋକସନ୍ତାପ ଓ ଅତ୍ୟଧିକ ମମତାନ୍ଧତାରେ ଗାଁ ମୁଣ୍ଡରେ ବୁଲୁଥିବା ଲଙ୍ଗଳା ଶିଶୁ ଭିତରେ ଦେଖୁଛି ତା’ ପୁତ୍ରକୁ ଏବଂ ବକ୍ଷରେ ଜଡ଼େଇ ଧରି ବିଳାପମୁଖର ବୃନ୍ଦାବନକୁ ପଢ଼ିଲେ କୋଉ ପାଠକ ବା କୋଉ ପିତୃ ହୃଦୟ ବାଷ୍ପରୁଦ୍ଧ ହୋଇ ନ ଯିବ ! ‘ପାଥେର ପାଞ୍ଚାଲୀ’ ତ ଏଠି ସେଠି ସବୁଠି ସର୍ବଦା ବିଚରଣ କରୁଛି- ବିଭୂତି ଭୂଷଣଙ୍କ ପୋଥିର ଚୌହଦୀଠାରୁ ଢେର ଦୂରକୁ ବ୍ୟାପିଯାଇଛି ତା’ର ଜୟଯାତ୍ରା । ଏସବୁ କଳା । କୌଶଳ କଥାକାରଙ୍କ ଅନନ୍ୟ ଅନୁଭୂତି, ଦୂରଦୃଷ୍ଟି, ଅଧ୍ୟୟନ ଗଭୀରତା ଓ ଦକ୍ଷତାଦି ଉପରେ ନିର୍ଭର କରେ-। ଜୀବନ ସଙ୍ଗେ, ନିଜ ସୃଷ୍ଟି ସଙ୍ଗେ ଏବଂ ସେଥିରେ ଆଙ୍କିଥିବା ଚରିତ୍ରମାନଙ୍କ ନିବିଡ଼ ଅନ୍ତରଙ୍ଗତାର ପରିଣତି ଏ ସଫଳତା । ଉପନ୍ୟାସକାର ପ୍ରତ୍ୟେକ ପାଠକ ମନରେ ସେହି ଚରିତ୍ରମାନଙ୍କ ପ୍ରତି ଅନୁରକ୍ତି, ଅସୂୟା, ଦୟା, କରୁଣା ବା ଘୃଣାଭାବ ଜନ୍ମେଇଥାନ୍ତି । ଯେ କୌଣସି ଚରିତ୍ର ଦୋଷୀ ବା ନିର୍ଦ୍ଦୋଷ, ପାପୀ ବା ପୁଣ୍ୟାତ୍ମା ହୁଅନ୍ତୁ ପଛକେ ସେ ମଣିଷ ହେବା ଉଚିତ, ଯେପରି ମହାଭାରତର ଶକୁନି ବା ଯୁଧିଷ୍ଠିର, ସେକ୍ସପିଅର୍‌ଙ୍କ ଇୟାଗୋ ବା ଲେଡି ମାକ୍‌ବେଥ୍‌ । ସେଇ ପ୍ରସଙ୍ଗରେ କୁହାଯାଇଛି; ‘‘Like any other artist the novelist is a maker. He is making an imitation, an imitation of life of man on earth. He is making a working model of life as he Sees and feels it.’’ (୧୮) । ଉପନ୍ୟାସକାର କଳାକାରର ଆବେଗ, ଉତ୍କଣ୍ଠା ଓ କଳ୍ପନାବିଳାସକୁ ଅବଲମ୍ବନ କରି, ସ୍ରଷ୍ଟା ଓ ଦ୍ରଷ୍ଟାର ଅନ୍ତର୍ଦୃଷ୍ଟିରେ ରସାଣିତ କରି ଏବଂ ସଂସ୍କାରକ ବା ସମୀକ୍ଷକର ଶାସନୀୟ ମନୋଭାବ ପୋଷଣ କରି ନିଜ ସୃଷ୍ଟିକି ସର୍ବାଙ୍ଗସୁନ୍ଦର କରି ଗଢ଼ି ତୋଳିବାର ସଫଳ ପ୍ରୟାସ କରିଥାନ୍ତି । ରୁଚି, ବିନୋଦନ ଓ ଶିକ୍ଷଣୀୟ ଉପାଦାନାଦି ଉପନ୍ୟାସର ଅନ୍ୟାନ୍ୟ ଦିଗ ।

 

ଆଭିମୁଖ୍ୟ

ପ୍ରାଚୀନ ସାହିତ୍ୟରେ ଦୁଇଗୋଟି ଆଭିମୁଖ୍ୟ ସ୍ପଷ୍ଟ ଥିଲା ଆନନ୍ଦ ଓ ଉପଦେଶ (Instruction and delight) ତେଣୁ କାବ୍ୟଶାସ୍ତ୍ର ବିନୋଦନ ଦ୍ଵାରା ପ୍ରାଜ୍ଞମାନେ ସମୟ ଉପଭୋଗ କରୁଥିଲେ । କଳାରେ ବୌଦ୍ଧିକ ବାସ୍ତବତା (Intellectual reality) ନୈତିକତାକୁ ପ୍ରଭାବିତ କରେ । ଉପନ୍ୟାସର ଗୁଣାତ୍ମକ ମାନକ ହେଉଛି ଏହାର ସତ୍ୟନିଷ୍ଠତା, ଯାହା ରୁଚିବୋଧ, ଆଦର୍ଶ, ନୀତିନିଷ୍ଠତା ଏବଂ ବାସ୍ତବତା ସଂଗେ ସମନ୍ୱିତ । ଫିଲ୍‌ଡିଂସ, ରିଚାର୍ଡସନ୍‌, ସ୍ମଲେଟ୍‌ ଏବଂ ଭାରତୀୟ ସାହିତ୍ୟରେ ପ୍ରେମଚନ୍ଦ୍ର ଫକୀର ମୋହନ, ବଙ୍କିମ୍‌ ଚନ୍ଦ୍ର ବା ଶରତ ଚନ୍ଦ୍ର - କେବଳ ବାସ୍ତବବାଦୀ ବୀ ନୀତିବାଦୀ ନୁହଁନ୍ତି, ଆଦର୍ଶବାଦୀ ମଧ୍ୟ । ହେନେରୀଜେମ୍ସଙ୍କ ଦୃଷ୍ଟିରେ ନୈତିକତା କେବଳ ଧର୍ମାଚାର ନୁହେଁ, ଜୀବନର ମାର୍ଗଦର୍ଶନ । ସେଇ ପୃଷ୍ଠଭୂମି ଉପରେ ଠିଆହୋଇ ସଲ୍‌ମେନ୍‌ ରସ୍‌ଦି ଓ ତସ୍‌ଲିମା ଏତେ ହଟ୍ଟଗୋଳ ସୃଷ୍ଟିକରି ଧର୍ମୀୟ ରକ୍ଷଣଶୀଳତାର ଶରବ୍ୟ ହୋଇଛନ୍ତି । ଅନେକ ସମୟରେ ସ୍ଵୈରାଚାରୀ ସମାଜରେ ଯେତେବେଳେ ଲେଖକ ଲଗାମଛଡ଼ା ହେବାର ଉପକ୍ରମ କରିଛି, ଅରୁଚି ବୋଧ ଅଶାଳୀନତାଦି କଳାପାଇଁ ବିପଦ ସୃଷ୍ଟି କରି ଅନେକ ଅପସୃଷ୍ଟିକି ଜନ୍ମ ଦେଇଛି । ସାହିତ୍ୟରେ ଅଶ୍ଳୀଳତା କୌଣସିମତେ ସାଧାରଣ ନୈତିକ ସ୍ଖଳନଠାରୁ କମ୍‌ ଗର୍ହିତ ନୁହେଁ । ଏହା ସମାଜର ସବୁକିଛି କାବୁ କରିନିଏ । ପ୍ରଥମେ ସତ୍ୟକୁ ବଳି ଦିଆଯାଏ, ତା’ପରେ ସୁନ୍ଦର ଶିବ, ଶୃଙ୍ଖଳା ଏବଂ ତା’ପରେ ଇନ୍ଦ୍ରିୟ ଅନୁଭୂତି କାୟାବିସ୍ତାର କରି ସମସ୍ତ ଅସତ୍ୟ, ଅଶୁଭ ଓ ଅରୁଚିର ଦଧିନଉତି ବସାଇଦିଏ । ସେହି କାରଣରୁ ଏମିଲି ଜୋଲ୍ଲାଁଙ୍କୁ ସିଡନ୍‌ ଲିନିୟର୍‌ ସମାଲୋଚନା କରନ୍ତି: Zola was defiling the whole earth and slandering all humanity under the sacred names of naturalism, science and physiology. (୧୯) କିନ୍ତୁ ନାଚୁରାଲିଷ୍ଟମାନେ ଯୁକ୍ତିବାଢ଼ନ୍ତି ଯେ ଆହାର, ନିଦ୍ରାପରି ସେକ୍ସ ବା ମୈଥୁନ ଜୀବନ ପାଇଁ ଅପରିହାର୍ଯ୍ୟ, ସୃଷ୍ଟିରକ୍ଷା ନିମନ୍ତେ ଏକ ଜୈବିକ ପ୍ରକ୍ରିୟା । ତାକୁ ଜୀବନରୁ ବାଦ୍‌ ଦେଲେ ଜୀବନ ଅପୂର୍ଣ୍ଣ ରହିଯାଏ । କୁହାଯାଏ ମନୀଷୀ ଶଙ୍କର ସେଇ ଅଭିଜ୍ଞତା ଲାଭ ନିମନ୍ତେ ମୃତ ରାଜାଦେହକୁ ପ୍ରବେଶ କରିଥିଲେ-। ସେହି ଆଳରେ ଜୋଲାଁ, ଲରେନ୍ସ, ଓ୍ୱେଲ୍‌ସ ପ୍ରମୁଖ ନାଚୁରାଲିଷ୍ଟ କଥାକାରମାନେ ଏଇ ବାସ୍ତବବାଦୀ ପ୍ରକ୍ରିୟାକୁ ଅଗ୍ରାଧିକାର ଦେଇ କଳାରେ ଏକ ଅନୁରୂପ ପ୍ରସଙ୍ଗ (Exactitude) କୁ ଉତ୍‌ଥାପନ କରନ୍ତି । ଜୋଲାଁଙ୍କ ‘ଆନାକାରେନିନା’ ଏବଂ ଲରେନ୍ସଙ୍କ ‘ଲେଡି ଚାଟରଲିସ୍‌ ଲଭର୍‌ସ’ ଆଦି ଉପନ୍ୟାସରେ ନଗ୍ନ ଯୌନବର୍ଣ୍ଣନାକୁ ସେମାନେ ପ୍ରଶ୍ରୟ ଦେଇଛନ୍ତି । ଏହା ଜୀବନର ସ୍ଵାଭାବିକ ଦିଗ ବୋଲି ସେମାନେ କହନ୍ତି ।

 

କାବ୍ୟ, ନାଟକ, ଉପନ୍ୟାସ :

ହେନେରୀ ଜେମ୍‌ସ୍‌ ଉପନ୍ୟାସକୁ ସବୁଠୁ ସ୍ଵାଧୀନ, ସବୁଠୁଁ ନମନୀୟ, ସବୁଠୁଁ ବିସ୍ମୟକର ଓ ସବୁଠୁଁ ଅନନ୍ୟସାଧାରଣ ବୋଲି ଅଭିହିତ କରିଛନ୍ତି (୨୦) । ଏହାକୁ ସେ ଜୀବନର ପ୍ରତ୍ୟକ୍ଷ ପ୍ରତିଲିପି ଓ ବ୍ୟକ୍ତିକ ବୋଲି ଅନ୍ୟତ୍ର ପ୍ରକାଶ କରିଛନ୍ତି । ଏହା କବିତା ବା ନାଟକ ପରି ଏକ କ୍ଳାସିକ ଧାରା ବା ଶାସ୍ତ୍ରୀୟ ପରମ୍ପରା ଉପରେ ଅବଧାରିତ ନହୋଇ ସ୍ଵାଧୀନ ନମନୀୟ ଭାବେ ବିକଶିତ ହୋଇଛି । କିନ୍ତୁ କବିତା ସଂଗେ ଉପନ୍ୟାସର ଘନିଷ୍ଠ ସଂପର୍କ ଥିବା କଥା ଜେମ୍‌ସ୍‌ ସ୍ଵୀକାର କରନ୍ତି-। ଉଭୟ କବି (ବିଶେଷତଃ ହ୍ୟୁମ, ପାଉଣ୍ଡ, ଏଲିଏଟ) ଏବଂ ଔପନ୍ୟାସିକ (ଜେମ୍‌ସ, ଫ୍ଲବର୍ଟ)ଙ୍କ ପ୍ରେରଣାର ଉତ୍ସ ପ୍ରାୟ ଏକ । ଉଭୟ ରୋମାଣ୍ଟିକ ଅନୁପ୍ରେରଣାବାଦ (Romantic inspirationlism) କୁ ଯଥା ସମ୍ଭବ ପରିହାର କରିଥାନ୍ତି ଏବଂ କଳା ବଦଳରେ ଏକ କାରିଗରି କୌଶଳ (craftmanship) ପ୍ରଦର୍ଶନ ନିମନ୍ତେ ପ୍ରଯତ୍ନ କରିଥାନ୍ତି । ଆଧୁନିକ କବି ଓ ଉପନ୍ୟାସକାର ସେମାନଙ୍କ ସୃଷ୍ଟିକି ନୈବ୍ୟକ୍ତିକ କରିବା ଦିଗରେ ପ୍ରଯତ୍ନ କରିଥାନ୍ତି । ଜେମ୍‌ସ୍‌ ଜୟେସ ‘Clay’, ‘Arbay’ ଏବଂ ‘Sisters’ ରେ କବିତାର ସଂବେଗ ଓ ସଂବେଦନ ଥିବା କଥା ଓ୍ୱିମସାର୍ଟ ଓ ବୃକ୍‌ସ ମତ ଦିଅନ୍ତି ‘‘Yet the lyrics shares with the novel a common fictionality:” ତେଣୁ ଜେମ୍‌ସ୍‌ଙ୍କ ‘The Art of Fiction’ ମୁଖବନ୍ଧରେ Morris Roberts ଲେଖିଛନ୍ତି: ଉପନ୍ୟାସର ଗଠନଧାରା ସଂପର୍କରେ ଜେମ୍‌ସ୍‌ଙ୍କ ସଂପୃକ୍ତି: ‘‘Implies an elaborate art often close to poetry, the aim of which is the minimum of expressions’’ (୨୧)

 

ନାଟକ ଓ ଉପନ୍ୟାସ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଟାଣି W.H. Hudson କହନ୍ତି : ‘‘The Drama is most rigorous form of literary art; prose fiction is the loosest". (୨୨) ନାଟକର କେତେକ ଶାସ୍ତ୍ରୀୟଧାରା ଅଛି, ଯାହାକୁ ବାଦ୍‌ଦେଇ ନାଟକ ଠିଆ ହୋଇପାରିବ ନାହିଁ । ହୁଏତ ପାଶ୍ଚାତ୍ୟ ନାଟକ କ୍ଷେତ୍ରରେ ଆରିଷ୍ଟଲଙ୍କ ପରି ପ୍ରାଚ୍ୟ ନାଟ୍ୟ ପଦ୍ଧତିରେ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଏକ ମାଇଲସ୍ତମ୍ଭ । ତେଣୁ ନାଟ୍ୟକାରଙ୍କୁ କେତେକ ମୌଳିକ ବୈଷୟିକଜ୍ଞାନ ଅର୍ଜନ କରିବାକୁ ପଡ଼ିଥାଏ । ତା’ବ୍ୟତିରେକେ ସଫଳ ନାଟକ ସୃଷ୍ଟି କେବେ ସମ୍ଭବ ନୁହେଁ । ନାଟକ ଏକ ମିଶ୍ରକଳା (Multi art) । ଏଥିରେ ସାହିତ୍ୟ, ହାସ୍ୟ, କରୁଣ ଓ ବୀରରସ ସମେତ ମଞ୍ଚ ପରିପାଟୀ, ଆଲୋକ ସଜ୍ଜା, ଅଳଂକରଣ ଆଦି ସଂପର୍କରେ ଲେଖକଙ୍କର ଯଥେଷ୍ଟ ଧାରଣା ଥିବା ଆବଶ୍ୟକ । କାରଣ, ନାଟକର ସଫଳତା ଅଭିନୟ ବା ମଞ୍ଚ ପ୍ରଦର୍ଶନରେ ନିହିତ । ସଂଳାପ ସଂଯୋଜନା ମଧ୍ୟ ଏହି ନାଟ୍ୟକଳାର ଅଂଶବିଶେଷ । ଆଧୁନିକ ଚଳଚ୍ଚିତ୍ର ପୁରାତନ ନାଟକର ବିବର୍ତ୍ତନ ସ୍ଵରୂପ । ସୁତରାଂ ନାଟ୍ୟକାରଙ୍କୁ ଶୃଙ୍ଖଳାର ଖଣ୍ଡାଧାରରେ ଗତି କରିବାକୁ ପଡ଼ିଥାଏ । କିନ୍ତୁ ଉପନ୍ୟାସ । ନିମନ୍ତେ ସେମିତି କଠୋର ନୀତି ନିୟମ ଲାଗୁ ହୁଏ ନାହିଁ । ତେଣୁ ନାଟ୍ୟକାରଙ୍କ ତୁଳନାରେ ଔପନ୍ୟାସିକଙ୍କର ସ୍ଵାଧୀନତା ଯଥେଷ୍ଟ ଅଧିକ । ହଡ୍‌ସନ୍‌ ସେଇ ପ୍ରସଙ୍ଗରେ କହନ୍ତି; ଯାହା ଲେଖନୀରେ ସ୍ୟାହି ଅଛି, ଯାହା ପାଖରେ ଯଥେଷ୍ଟ କାଗଜ ଅଛି, ଲେଖିବା ପାଇଁ ଅବସର, ଧୈର୍ଯ୍ୟ ବା ସାମର୍ଥ୍ୟ ଅଛି ସେ ଅନାୟସରେ ଉପନ୍ୟାସ ଲେଖିପାରିବେ । କିନ୍ତୁ ମଞ୍ଚକୌଶଳ, ଫଟୋଗ୍ରାଫି, ସିନିକ ସ୍କିଲ ଆଦି ସକଳ ବିଷୟରେ ଜ୍ଞାନ ନଥିଲେ ନାଟକପାଖ ମାଡ଼ିହେବ ନାହିଁ ।

 

ତା ସତ୍ତ୍ୱେ Marion Crawford ଉପନ୍ୟାସକୁ ‘packet Theatre’ ବୋଲି ଅଭିହିତ କରିଛନ୍ତି । କଥାବସ୍ତୁ ଓ ଚରିତ୍ର ବ୍ୟତିରେକେ ରହସ୍ୟ ଉନ୍ମୋଚନ, ଶ୍ଳେଷ, ବିଦ୍ରୂପ, ଉତ୍କଣ୍ଠା, ଶୋକ, ବିୟୋଗ, ହାସ୍ୟ ଆଦି ପରିବେଷଣରେ ନାଟକର, ଉପନ୍ୟାସର ଖୁବ୍‌ ପାଖାପାଖି । ଏବେ ଉପନ୍ୟାସରେ ସଂଳାପର ବହୁଳ ପ୍ରୟୋଗ ଦେଖାଗଲାଣି । କେବଳ ଏବର ଉପନ୍ୟାସ କାହିଁକି ଜର୍ଜ ଏଲିଏଟ, ଜେନ୍‌ ଅଷ୍ଟିନ ପ୍ରମୁଖ ଔପନ୍ୟାସିକାଙ୍କ ଲେଖାରେ ବି ସଂଳାପ ଯଥେଷ୍ଟ ବ୍ୟବହାର ହୋଇଛି । ପ୍ଲଟ ଉଭୟ ନାଟକ ଓ ଉପନ୍ୟାସର ଅପରିହାର୍ଯ୍ୟ ବିଭାବ । କିନ୍ତୁ ଏବେ ବିନା ପ୍ଲଟରେ ଉପନ୍ୟାସ ଓ ପ୍ଲଟ ନଥାଇ ଉଦ୍ଭଟ ନାଟକ ଲେଖାଗଲାଣି । ହଡ୍‌ସନ୍‌ କହନ୍ତି :- ‘‘the novel deals with plot and action’’. ସଫୋକ୍ଳିସ ଏଇ ‘action’ କୁ ଇଡ଼ିପସ ମିଥ୍‌ର ବାସ୍ତବ ଜୀବନର ପ୍ରତିଫଳନ (a crucial instance of human life) ରୂପେ ଅବଲୋକନ କରିଛନ୍ତି । ଫର୍ଗୁସନ କହନ୍ତି ‘action’ କଥାବସ୍ତୁ ବା ପ୍ଲଟ ଉପରେ ଅବଧାରିତ ହୋଇଥାଏ । ତାର ସଂଜ୍ଞା ନିରୂପଣ କରିବା ଏତେଟା କଷ୍ଟ ନୁହେଁ ବୋଲି ସେ ଅନୁଭବ କରି କହନ୍ତି: ‘‘Thus by action, I do not mean the events of the story, but the focus or aim of psychic life from which the events in the situation result. (୨୩) । ନାଟକ ବା ଉପନ୍ୟାସରେ action ହେଉଛି ଲକ୍ଷ୍ୟ ବା ଆତ୍ମିକ ଜୀବନର ଅଧିଶ୍ରୟଣ ବିନ୍ଦୁ (focus) ଯେଉଁଥିରୁ ଘଟଣାପ୍ରବାହ ଉଭବ ହୁଏ । ଏଲିଏଟ ନାଟକରେ ବ୍ୟବହୃତ କବିତାକୁ ପ୍ରାୟୋଗିକ କବିତା ବା ‘applied poetry’ ଏବଂ ସାଧାରଣ କବିତାକୁ ଶୁଦ୍ଧ କବିତା (pure poetry) ବୋଲି ନାମିତ କରିଛନ୍ତି । ଜେମ୍‌ସ୍‌ ଓ ଏଲିଏଟଙ୍କ ଦୃଷ୍ଟିରେ ନାଟକ, କବିତା ଓ ଉପନ୍ୟାସ ମଧ୍ୟରେ ତଫାତ୍‌ ଏହିପରି : The differences between poetry and fiction, fiction and drama tend to become less share and less radically deep.’’ (୨୪) ।

 

ଜୀବନର ପ୍ରତିଛବି:

ଉପନ୍ୟାସ ଜୀବନର ଅନୁକରଣ କରିଥାଏ । ଏହା ପାର୍ଥିବ ଜୀବନର ଅବିକଳ ଅନୁକରଣ । ତେଣୁ ଉପନ୍ୟାସରେ ବାସ୍ତବତାର ଛାପ ଏତେ ଅଧିକ । ଉପନ୍ୟାସକାର ଜୀବନକୁ ଯେପରି ସଂଦର୍ଶନ କରନ୍ତି, ଅନୁଭବ କରନ୍ତି, ଯେପରି ଅନୁସନ୍ଧାନ ବା ଅନୁଧ୍ୟାନ କରନ୍ତି ସେହିପରି ଏକ ଫର୍ମାରେ ଜୀବନକୁ ଗଢ଼ନ୍ତି, ଅନୁରୂପ ପରିବେଶ, ଘଟଣାପ୍ରବାହ, ସ୍ଥାନ, କାଳ, ପାତ୍ର ଇତ୍ୟାଦି ସଂଗେ ସାମିଲ କରିଥାନ୍ତି । ଏଥିସକାଶେ ଲେଖକ ଆଗରୁ ପ୍ରରୋଚିତ ହୋଇଥାନ୍ତି ।

 

ତେଣୁ କଳାର ଏଇ ଆଭିମୁଖ୍ୟ (Motivition) ସଂପର୍କରେ ସ୍କଟଙ୍କ ଅଭିମତ: ‘‘It is a part of author's duty to afford satisfactory details upon the causes of the separate events he has recorded (୨୫) ! ଏଥିରୁ ଉପନ୍ୟାସର ନାନାବିଧ ସମସ୍ୟା ଯଥା ଚରିତ୍ରମାନଙ୍କର ମନସ୍ତାତ୍ତ୍ୱିକ । ସମସ୍ୟା, ମାନସିକ ଦ୍ୱନ୍ଦ୍ୱ ଆଦି ଉଦ୍ଭବ ହୋଇ ଉପନ୍ୟାସର ପ୍ରକ୍ରିୟା ଓ ପ୍ରତିକ୍ରିୟାକୁ ତ୍ୱରାନ୍ୱିତ ତଥା ସାକାର କରିବ । କଳା ଏକ ଜୈବିକ ସତ୍ତାର ପରିପୂର୍ଣ୍ଣତା ବା ଜୀବନର ସାମଗ୍ରିକତା ଉପରେ ପର୍ଯ୍ୟବସିତ ଥାଇ ତା’ର ଉତ୍ତରଣ ଘଟାଏ । ତେଣୁ ଜୀବନ ପରି ତା’ର ଏକ ବାସ୍ତବବାଦୀ ଚେହେରା ଅଛି । ସୁତରାଂ ଉପନ୍ୟାସର ଆତ୍ମା ବା soul ପ୍ରସଙ୍ଗ ଉତ୍‌ଥାପନ କରିବା କିଛି ଆଯୌକ୍ତିକ ନୁହେଁ । ଏହାର ବାହ୍ୟ ପରିପ୍ରକାଶରୁ ଅନ୍ତରାତ୍ମାର ବିକାଶ ବା ବିପରୀତ ପଦ୍ଧତିରେ ଉପନ୍ୟାସ ପରିଣତି ଆଡ଼କୁ ପ୍ରଧାବିତ ହୋଇଥାଏ । ସଫୋକ୍ଲିସ ପୌରାଣିକ ରୂପକଳ୍ପ ଓ ବିଧିବିଧାନ (myth and ritauls) କୁ ଯଥାର୍ଥ ଉପନ୍ୟାସ ସଙ୍ଗେ ସଂଶ୍ଲିଷ୍ଟ କରିପାରିଥାନ୍ତି । କିନ୍ତୁ ଗଭୀର ଅର୍ଥ ପ୍ରତୀତି ନିମନ୍ତେ ସେ ରୂପକ, ଅନୁପ୍ରାସ ଓ ଉପମା (୨୬) (allegory, trope and anagoge) କୁ ଅନୁମୋଦନ କରିଥିବା କଥା ଫର୍ଗୁସନ୍‌ଙ୍କର ହୃଦବୋଧ ହୋଇଥାଏ । Hazlit ଏ ପ୍ରସଙ୍ଗରେ କହନ୍ତି ଉପନ୍ୟାସ ‘man’, ‘manners’ ‘society’ ର ଅନୁକରଣ କରେ । ତାଙ୍କ ମତରେ କବିତାରେ ଆଧ୍ୟାତ୍ମିକତାର ସ୍ପର୍ଶ ଅଧିକ ଥିବା ସ୍ଥଳେ ଉପନ୍ୟାସ ବିଷୟରେ ତା’ଙ୍କ ଉକ୍ତି This savours more humanity. ଅ।ଉଜଣେ ଆଧୁନିକ ସମୀକ୍ଷକ Lionel Trilling ଙ୍କ ମତରେ ଗତ ଦୁଇ ଶତକର ଉପନ୍ୟାସ ନୈତିକ ଅବବୋଧର ବାହକ ରୂପେ କାର୍ଯ୍ୟ କରିଅଛି । ଉପନ୍ୟାସ ରସ ବା ନୀତି ଦୃଷ୍ଟିରୁ କେବେ ଏକ ପୂର୍ଣ୍ଣାଙ୍ଗ କଳାର ସ୍ଵୀକୃତି ଲାଭ କରିପାରି ନାହିଁ । ଏହାର ଅସଫଳତା ଓ ଦୋଷତ୍ରୁଟି ଆଦି ଜଳ ଜଳ ଫୁଟି ପଡ଼େ କିନ୍ତୁ ଏହା ଏକ ସାହିତ୍ୟିକ ବିଭାବ ଭାବେ ଯାହା ଦେଇଛି, ଅନ୍ୟ କୃତ୍ରାପି ତାହା ଆଶା କରାଯାଇ ପାରେନା । ତାହା ହେଉଛି, ସେଇ ଟ୍ରିଲଙ୍ଗଙ୍କ ଉକ୍ତିରେ : ‘‘The extent of human variety and the value of his variety’’ ‘‘ମାନବିକତାର ବୈଚିତ୍ର୍ୟ ଓ ତାର ମୂଲ୍ୟବୋଧ ଆଧୁନିକ ଉପନ୍ୟାସର ଅବଦାନ । ଆରିଷ୍ଟଟ୍ଲ ଯେଉଁ ଅନୁକରଣ କଥା କହିଛନ୍ତି ତାହା ବରଂ ଏକ ବିଶୁଦ୍ଧ ରୂପାନ୍ତର । ପ୍ଲାଟୋଙ୍କ ମତରେ ସବୁ କଳା ମିଥ୍ୟା ଓ ପ୍ରବଞ୍ଚନାପୂର୍ଣ୍ଣ, ତେଣୁ ହୋମର୍‌ଙ୍କ କବିତାକୁ ସେ ମିଥ୍ୟାପୂର୍ଣ୍ଣ ବୋଲି କହିଛନ୍ତି । ଆରିଷ୍ଟଟ୍ଲ ଏହାକୁ ଅସ୍ଵୀକାର କରି କହିଲେ ଯେ ସବୁ ଉଚ୍ଚ ସୃଷ୍ଟିରେ ଏକ ସତ୍ୟ ନିହିତ, ଯାହାକୁ ସେ ‘poetic truth’ ବା ସାରସ୍ୱତ ସତ୍ୟ ବୋଲି କହିଛନ୍ତି । ଏ ସତ୍ୟ କବିତା ପରି ନାଟକ, ଗଳ୍ପ ଓ ଉପନ୍ୟାସଆଦିରେ ନିହତ । ଗୋଏଥଙ୍କ ମତରେ (୨୭) ‘‘The artists’ work is real in so far as it is always true; idea in that it is never actual’’ ବାସ୍ତବତା, ଆଦର୍ଶ ଓ ସତ୍ୟ ଉପରେ ଅବଧାରିତ ହେତୁ ତାହା କେଵେ ଅବିକଳ ବା ଫଟୋକପି ହୋଇ ପାରିବ ନାହିଁ । କଳାକାର ତାକୁ ସ୍ଵୟଂସଂପୂର୍ଣ୍ଣ କରି ଦେଇଥାନ୍ତି । ଉପନ୍ୟାସରେ ଏହି ସତ୍ୟ ଏକ ଉତ୍ତୁଙ୍ଗ ସାରନିର୍ଯ୍ୟାସ ଓ ଏକାନ୍ତିକ ନିଷ୍ଠା ଉପରେ ପର୍ଯ୍ୟବସିତ, ଯାହାର ଶୁଦ୍ଧ ଅଭିଳାସ ଓ ଅଭିପ୍ରେରଣା, ଉଚ୍ଛ୍ୱାସ ଓ ନୀତିନିଷ୍ଠତା, ତନ୍ନିହିତ ନରନାରୀଙ୍କ ଜୀବନକୁ ଅନୁପ୍ରାଣିତ କରେ । ତେଣୁ ଯେତେ ପରିବର୍ତ୍ତନ ମଧ୍ୟ ଦେଇ ଗତି କଲେ ବି ଉକ୍ତ ସୃଷ୍ଟି ଓ ଚରିତ୍ରମାନେ ଚିରନ୍ତନ ଓ ନିତ୍ୟ ନୂତନ ପ୍ରତୀତ ହୁଅନ୍ତି । ସେଇ ସତ୍ୟ ଉପରେ ଅବଧାରିତ ରହି ‘ଶକୁନି’ ‘ଇୟାଗୋ’, ‘ଇଡିପସ’, ‘ବିଲ୍ୱମଙ୍ଗଳ’, ‘ଟମଜୋନସ’, ‘ଚମ୍ପା’ ବା ‘ସରଦେଈ’ ଏତେ ବାସ୍ତବ, ଏତେ କାଳଜୟୀ ଓ ଜୀବନ୍ତ ଜଣାଯାନ୍ତି । ସତ୍ୟନିଷ୍ଠ ଓ ନୈତିକତା ପରି ପ୍ରତ୍ୟେକ କଳାରେ ଏକ ସାତ୍ତ୍ଵିକ ଅନୁଭୂତି ଓ ଚେତନାର ଉଦ୍ରେକ ହୋଇଥାଏ । ତେଣୁ ଯେଉଁ କଳାକାର ସଫଳତାର ଶୀର୍ଷ ସ୍ପର୍ଶ କରିବାକୁ ଉଚ୍ଚାକାଂକ୍ଷୀ (୨୮) can neither be adverbs nor indifferent to ethic । କଳା ଜୀବନରୁ ବିକାଶ ଲାଭକରେ, ଜୀବନ ଦ୍ୱାରା ଓ ପୁଷ୍କଳ ହୁଏ ଓ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଏ । ତେଣୁ ଉପନ୍ୟାସରେ ଯେଉଁ ଜୀବନର ଅବତାରଣା କରାଯାଏ ତାହା ନୈତିକ ଉପାଦାନ-। ମୂଲ୍ୟବୋଧ ଲେଖକଙ୍କ ଅନ୍ତର୍ଦୃଷ୍ଟି ଏବଂ ତାଙ୍କ ଜୀବନଦର୍ଶନକୁ ପ୍ରତିଫଳନ କରିବା ଅସମ୍ଭବ ନୁହେଁ । ସେ ଦୃଷ୍ଟିରୁ କବିତା, ନାଟକ ଓ ଉପନ୍ୟାସ ମଧ୍ୟରେ ଅଦ୍ଭୁତ ମେଳ ଅଛି । ତାସତ୍ତ୍ୱେ‌ ପ୍ରତ୍ୟେକ ଏକ ସ୍ଵତନ୍ତ୍ରତା ବଜାୟ ରଖନ୍ତି, ନିଜସ୍ଵ ମହିମାରେ ସଂଦୀପ୍ତ ହୁଅନ୍ତି । ଯେତେ ନାଟକୀୟ ହେଲେ ବି କବିତା ବା ଉପନ୍ୟାସକୁ ନାଟକ କୁହାଯିବ ନାହିଁ - ଏହା ଜେମସ୍‌ଙ୍କ ମତ । କିନ୍ତୁ ସେଇ ସାଦୃଶ୍ୟର ଯେଉଁ ସମ୍ଭାବନା ନିହିତ ତାହା ଉପନ୍ୟାସ କ୍ଷେତ୍ରରେ ଅଧିକ । ଉପନ୍ୟାସର ଏକ ସୂକ୍ଷ୍ମ, ବୌଦ୍ଧିକ କେନ୍ଦ୍ରବିନ୍ଦୁ ନିହିତ, ଯାହାଉପରେ ପ୍ରତ୍ୟେକ ବସ୍ତୁ ଅବଧାରିତ ହୋଇଥାଏ । କେବଳ ଏହାର ଅଭାବ ହେତୁ “No other art could dramatise the individual at his finest’’ ଏବଂ ଏଇ କେନ୍ଦ୍ରୀୟ ବୌଦ୍ଧିକତାର ବିବିଧ ଅଭିପ୍ରାୟ ସଙ୍ଗେ ଜଡ଼ିତ । ଏହା କଳାପାଇଁ ଏକ ସୃଜନ କେନ୍ଦ୍ର ତିଆରି କରେ ଯାହା ପ୍ରତ୍ୟକ୍ଷ ଜୀବନରେ ନଥାଏ । ଏତଦ୍ୱାରା ଉପନ୍ୟାସର ମୂଲ୍ୟ ଓ ବୌଦ୍ଧିକ ଦିଗ ସ୍ପଷ୍ଟ ଉତ୍କୀର୍ଣ୍ଣ ହୋଇ ରହେ । ଅନ୍ୟ କୂତ୍ରାପି ତା’ର ସମ୍ଭାବନା ନଥାଏ । ତେଣୁ ଉପନ୍ୟାସ ନାଟକର ଘନିଷ୍ଠ ଓ କବିତାର ସମୀପବର୍ତ୍ତୀ ।

 

ସମୟ ସଂହତି:

ଇଂରାଜୀ ଉପନ୍ୟାସର ମହାନ ସ୍ରଷ୍ଟା ହେନେରୀ ଫିଲ୍‌ଡିଙ୍ଗସ ଉପନ୍ୟାସକୁ ଏକ ମିଳନାନ୍ତକ ମହାକାବ୍ୟ ବୋଲି ଅଭିହିତ କରିଛନ୍ତି । କେବଳ ଉପନ୍ୟାସ ନୁହେଁ ସମଗ୍ର ସାହିତ୍ୟର ସଂଜ୍ଞା ଓ ସଂହତିରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ତେଣୁ ପୂର୍ବେ ଯେଉଁ ଉପନ୍ୟାସକୁ କାବ୍ୟପରି ଏକ ଆର୍ଟର ସମ୍ମାନ ଦିଆଯାଉଥିଲା ଏବେ ତାକୁ କ୍ରାଫ୍ଟ କୁହାଗଲାଣି । ଉପନ୍ୟାସ ଆଧୁନିକ ଜଗତର, ସମାଜର, ଜୀବନର ମଣିଷର ଓ ଘଟଣା ପ୍ରବାହାଦିର ନଥିପତ୍ର ଭାବେ କାର୍ଯ୍ୟ କରି ଆସୁଛି । ସାଂପ୍ରତିକ ଜଗତର ବିବିଧ ଘଟଣାବଳୀ, ସମସ୍ୟା ଓ ଉପଚାରାଦି ସେଥିରେ ପ୍ରତିଫଳିତ ହେଉଛି । ବ୍ରିଟାନିକାରେ କୁହାଯାଇଛି : ଉପନ୍ୟାସ - ରାଜନୈତିକ, ସମାଜିକ, ଅର୍ଥନୈତିକ, ବୈଷୟିକ ଓ ଶୈକ୍ଷିକ ତଥା ଧର୍ମୀୟ ସମସ୍ୟାଦିର ପରିପ୍ରସାର ମାଧ୍ୟମ । ଜନ୍‌ ବୁନିଯାନଙ୍କ ‘Pilgrams progress’ ରେ ଲେଖକଙ୍କର ଏକ ବିଶେଷ ଉଦ୍ଦେଶ୍ୟର ପ୍ରତିଫଳନ ଘଟିଛି । ଏହା ଜୀବନର ନୈତିକ ମାନଦଣ୍ଡ ଓ ଧର୍ମୀୟ ପ୍ରଭାବ ସଂପର୍କରେ ଆଲୋକପାତ କରିଥାଏ । ଚରସଙ୍କ ‘canterbury Tales’ ରେ ପ୍ରାୟ ସେଇକଥା । କିନ୍ତୁ ଜନ୍‌ସ୍‌ଙ୍କ ‘Rasseals’ ଅଥବା ଭଲ୍ଟାୟାରଙ୍କ ‘Candide’ ରେ ଜୀବନର ସାଧାରଣ ପ୍ରସଙ୍ଗ ଉତ୍ଥାପିତ ହୋଇଛି । ତେଣୁ ଉପନ୍ୟାସର ଆତ୍ମା ଏସବୁରେ ବିରାଜମାନ କରିଥିବା କଥା ଅନେକ ଅନୁଭବ କରନ୍ତି । କିନ୍ତୁ ଆଧୁନିକ ଉପନ୍ୟାସର । ଅନେକ ଦିଗ ବାଦ୍‌ ପଡ଼ିଥିବା କଥା ସମୀକ୍ଷକମାନେ କହିଥାନ୍ତି । ହ’ଥର୍ଣ୍ଣଙ୍କ ଉପନ୍ୟାସର ମୁଖ୍ୟ ପ୍ରସଙ୍ଗ ହେଉଛି ଦ୍ୱନ୍ଦ୍ୱ । କିନ୍ତୁ ଏବେ ବହୁ ଉପନ୍ୟାସରେ ଚେତନାର ବିସ୍ଫୋରଣ ତଥା ଚରିତ୍ର ଭିତରେ ଏକ ମାନସିକ ରୋମନ୍ଥନ ଏବଂ ବୌଦ୍ଧିକ ବିଦ୍ରୂପର ଅନ୍ତଃସଂଘାତ ସଂଘଟିତ ହେଉଛି ଯେପରି ସମାସ୍‌ ହାର୍ଡ଼ିଙ୍କ ଚରିତ୍ରମାନେ ଏପରି ସଂଘର୍ଷମୟ ପରିବେଶରେ ପ୍ରକୃତିର ଟ୍ରାଜିକ ସ୍ରୋତରେ ନିପତିତ ହୋଇଥାନ୍ତି, ଯେଉଁଠୁ ଆଉ ନିସ୍ତାର ମିଳେନା, ଆଲବେୟାର କାମ୍ୟୁଙ୍କ ହିରୋ ଏମିତି ଚରମ ମାନସିକ ଯନ୍ତ୍ରଣାରେ ଛଟପଟ ହୁଏ । କାହ୍ନୁ ଚରଣଙ୍କ ‘ସନିଆ ଓ ଧୋବୀ’, ସୁରେନ୍ଦ୍ର ମହାନ୍ତିଙ୍କ ‘ସରଦେଈ' ଆଉ ‘ହାଫିଜ କାଦର’ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ବହୁ ମାନସିକ ଅନ୍ତର୍ଦ୍ୱନ୍ଦ୍ୱରେ ଉବେଇ ଟୁବେଇ ହୋଇ ଖୋଜିଛନ୍ତି ଜୀବନର ଅର୍ଥ, ରୋମନ୍ଥନ କରିଛନ୍ତି ଅନେକ ଅସନା ଅନୁଭୂତିର ବହଳ ମସୀକୁ, ଭଖାରିଛନ୍ତି ବିସ୍ମୃତିର ଚିତ୍ରପଟକୁ । ସବୁ ସତ୍ତ୍ଵେ ଉପନ୍ୟାସ ଯେଉଁ ଆଦିମ ଅଭୀପ୍ସା, ଯେଉଁ ମୌଳିକ ଆଭିମୁଖ୍ୟ, ଚିତ୍ତବିନୋଦନ ଏବଂ କିଛି ଅଙ୍ଗୀକାରବଦ୍ଧତା ପାଇଁ ଜନ୍ମ ନେଇଥିଲା ତାହା ଏଯାଏଁ ଲିଭି ଯାଇନି ସେଥିରୁ । ମନୋବିଶ୍ଳେଷଣ ଓ ଚାରିତ୍ରିକ ଜଟିଳତା ଏବଂ ଜୀବନର ଉଦ୍ଭଟତା ସତ୍ତ୍ୱେ ଉପନ୍ୟାସ ଏବେବି ସରସ ସୁନ୍ଦର ଓ କଳାତ୍ମକ ହେବା ସଂଗେ ସଂଗେ, ଜନ ଜୀବନକୁ ସବୁଠୁଁ ବେଶୀ ପ୍ରଭାବିତ କରୁଛି । ଖୁବ୍‌ ବେଶୀ ବାସ୍ତବ, ନିଚ୍ଛକ, ଲୌକିକ ବି ହୋଇ ପାରିଛି । ତେଣୁ ତାକୁ ‘‘Literature of escape’’ (୩୬) ବୋଲି କୁହାଯାଏ । କାରଣ ଏହା ବେଶୀ ଖୋଲା ଖୋଲି, ବେଶୀ ମୁକ୍ତ ଓ ଅବାଧ ବୋଲି । କାହାଲାଗି ତା ସିଂହଦ୍ୱାର ଅବରୁଦ୍ଧ ନୁହେଁ ଅଥଚ କାହାକୁ ସେ ଅଟକ ରଖେନା ତା ନିଷିଦ୍ଧ କୁହୁକ ଗଣ୍ଡି ମଧ୍ୟରେ ।

 

ଯେଉଁ ପଦ୍ଧତିରେ ଅଭିବ୍ୟକ୍ତ ହେଉ ପଛକେ, ଭପନ୍ୟାସରେ ଘଟଣାପ୍ରବାହ ଓ ଚରିତ୍ରମାନଙ୍କ ଭିତରେ ଏକ ଅନ୍ତଃ ସଂହତି ସଂଯୁକ୍ତ ହୋଇଥାଏ । ପ୍ରାଚୀନ ଉପନ୍ୟାସରେ ‘action’ ଉପରେ ଗୁରୁତ୍ୱ ଆରୋପ କରାଯାଉଥିବା ବେଳେ ଆଧୁନିକ ଉପନ୍ୟାସକୁ ପ୍ରତୀକ ବା ମିଥ୍‌ ଜରିଆରେ ଉପସ୍ଥାପନ କରାଯାଉଛି । ସେଇ ଅବସରରେ ଚରିତ୍ର ପରିବର୍ତ୍ତେ ଚେତନାର ଗୁରୁତ୍ୱ ଦିଆଯାଇ ଉପନ୍ୟାସରେ ଏକ ବୌଦ୍ଧିକ ବାତାବରଣ ସୃଷ୍ଟି ହେଉଛି ଏବଂ ଗଠନ ସୂତ୍ର ଅଧିକ ଜଟିଳ କରାଯାଇଛି । ଜେମ୍‌ସ୍‌ ଜୟେସ୍‌ ଓ ଭର୍ଜିନିଆ ଉଲ୍‌ଫ ସେଇ ପରିପ୍ରେକ୍ଷୀରେ ଚେତନା ପ୍ରବାହଧାରା (stream of consciousness) ନାମରେ ଏକ ଜଟିଳ ତତ୍ତ୍ୱର ପ୍ରୟୋଗ କରିଛନ୍ତି । ଏହା ଚେତନ ଓ ଅବଚେତନ ମନର ରୋମନ୍ଥନରୁ ଉଦ୍ଭୁତ । ଜେମ୍‌ସ୍‌ଙ୍କ ପରିଭାଷାରେ ଚେତନାପ୍ରବାହର ସ୍ଵରୂପ : ‘‘Consciousness then does not appear to itself, chopped up into bits... It is nothing jointed, it flows. A river or stream are the metaphors by which it is most naturally described. In talking of it hereafter, let us call it the stream of thought of consciousness or of subjective life (୩୧) । ସଂକ୍ଷେପରେ ଏଇ ହେଲା ଚେତନାପ୍ରବାହର ସ୍ଵରୂପ । ସାମାଜିକ ଦୃଶ୍ୟପଟ ବା ରାଜନୈତିକ ଉପଚାରକୁ ଉପନ୍ୟାସର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାଠାରୁ ଆରମ୍ଭ କରି ଆଧୁନିକ ଉପନ୍ୟାସ ମନସ୍ତାତ୍ତ୍ଵିକ ବୌଦ୍ଧିକ ଓ ବୈଜ୍ଞାନିକ ଘେରରେ ଆବଦ୍ଧ । ଉପନ୍ୟାସ ଜୀବନର ଉଦ୍ଭଟ ତଥା ଜଟିଳ ଗୋଲକ ଧନ୍ଦାରେ ଭାରାକ୍ରାନ୍ତ । ସାଂପ୍ରତିକ ଉପନ୍ୟାସର ପ୍ଲଟ ଏତେ ସରଳ ନୁହେଁ, ଗଳ୍ପାଂଶ ଏତେ ସହଜ ବା ଚରିତ୍ରମାନେ ଏତେ ସାଦାସିଧା ନୁହଁନ୍ତି । କିନ୍ତୁ ଏ ସବୁର ସଜ୍ଜୀକରଣ ବା ଉପସ୍ଥାପନ ନିମନ୍ତେ କେତେକ ନିୟମ ବିଦ୍ୟାମାନ, ଯାହା ଫଷ୍ଟରଙ୍କ ଭାଷାରେ (୩୨) ‘‘It is narrative of events arranged in their time sequence - dinner coming after breakfast, Tuesday after Monday, decay after death and son on. ଏସବୁ ବଦଳି ଉପନ୍ୟାସରେ ଏବେ ଯେଉଁ ଉଦ୍ଭଟତାର ବହଳ ଛାପ ଲାଗିଛି ତାହା ମଧ୍ୟ ଛାଡ଼ିବାକୁ ବେଶୀ ଦିନ ଲାଗିବ ନାହିଁ । ଏହାର ସ୍ଵରୂପ କାମ୍ୟୁଙ୍କ ଭାଷାରେ: (୩୩) In a Universe that is suddenly deprived of illusion and of light, man feels a stranger, this is an irremediable exile... This di-vorce between man and his life, the actor his setting, truly constitutes the feeling of absurdity. ସେହିପରି ଅତିବାସ୍ତବବାଦ ବା surrealism) ଏକ ବର୍ଣ୍ଣନା ଶୈଳୀ । ୧୯୨୪ ମସିହାରେ ଫ୍ରାନ୍ସର ଆନ୍ଦ୍ରବ୍ରେଟନ ଏହାର ପ୍ରକାଶ କଲେ । ସ୍ଥୂଳରେ ଏହାର ସଂଜ୍ଞା: (୩୪) School of art or literature that aims at producing irrational fantacies or hallucinatory and dreamlike effects’’ ସ୍ଵପ୍ନ, ଅବଚେତନ, ଚେତନ ଓ ଅଚେତନ ମନରେ ଏବଂ ଆହୁରି ଆହୁରି ଗଭୀର ତଥା ଜଟିଳ ମାନସିକ ପ୍ରକ୍ରିୟାର ବାଧାବିହୀନ ପରିପ୍ରକାଶ ଏଇ ଅତିବାସ୍ତବ ବା ଉଦ୍ଭଟ ଚିନ୍ତା ଚେତନାରେ ପ୍ରତିଫଳିତ ହୋଇଥାଏ । ସୁରରିୟାଲିଜମର ସ୍ଵରୂପ ଜଣେ ସମୀକ୍ଷକ ଏହିପରି କହିଛନ୍ତି: ‘‘A literary movement based on a psychological concept that purports to express the subconscious mind by images such as occur in unconscious working of mind’’ (୩୫) କାମ୍ୟ, କାଫ୍‌କା, ଜୟେସ୍‌, ସାର୍ତ୍ତ୍ରେ ପ୍ରମୁଖଙ୍କ ଉପନ୍ୟାସ ଏବଂ ଆୟୋନେସ୍କ, ବେକେଟ ଓ ସବର୍ଣ୍ଣଙ୍କ ନାଟକରେ ସୁରରିୟାଲିଜମ୍‌, ଚେତନାପ୍ରବାହ ଓ ଭଦ୍ଭଟାଦିର ପ୍ରୟୋଗ ଦେଖାଯାଏ । ଓଡ଼ିଆ ଉପନ୍ୟାସରେ ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ଗୋବିନ୍ଦ ଦାସ ଏବଂ ନାଟକ କ୍ଷେତ୍ରରେ ବିଜୟ ମିଶ୍ର, ମନୋରଂଜନ ଦାସ, ବିଶ୍ଵଜିତ ଦାସ ଓ କାର୍ତ୍ତିକ ଚନ୍ଦ୍ର ରଥ ଏହାର ପ୍ରୟୋଗ କରିଛନ୍ତି । ଆଧୁନିକ ସାହିତ୍ୟ ବହୁଧା ବିଭକ୍ତ । ବହୁ ତଥ୍ୟ, ତତ୍ତ୍ୱ, ବାଦ, ସମ୍ବାଦର ଘନଘଟା ଏହାକୁ ଗ୍ରାସ କରିଛି । ଡାରଓ୍ୱିନଙ୍କ ବିବର୍ତ୍ତନବାଦ, କିର୍କଗାର୍ଡ଼ଙ୍କ ସ୍ଥିତବାଦ, ମାର୍କସଙ୍କ ଦ୍ୱନ୍ଦ୍ୱିକ ବାସ୍ତବବାଦ (Dialeticical materialism) ଓ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ (Theory of reality) ସାହିତ୍ୟରେ ଆସର ଜମେଇ ସାରିଛି । ଏମିତି ଏକ ଚରମ ପରିବେଶର ସୂତ୍ରପାତ ହୋଇଛି, ଯେଉଁଠି ପାରିବାରିକ ସଂପର୍କ ଭୁଷୁଡ଼ି ପଡ଼ିଛି । ଯଥେଚ୍ଛାଚାର, ସ୍ଵୈରାଚାର, ବ୍ୟଭିଚାର, ପାଶବିକ ଆଚରଣ, ଯୌନ ଉଚ୍ଛୃଙ୍ଖଳତା, ନିଶା, ଡ୍ରଗ୍‌ସ ସଂଗେ ପ୍ରାଗୈତିହାସିକ ବର୍ବରତାର ପୁନରୁତ୍‌ଥାନ ଏବଂ କଳା, ସାହିତ୍ୟ, ସଂସ୍କୃତି, ଆଚାର ଓ ଆଚରଣାଦିରେ ଅପସଂସ୍କୃତି ଓ ଜାଗରଣାଦି, ପ୍ରାଧାନ୍ୟ ବିସ୍ତାର କରିଛି, ସେଠି ମଣିଷ ଆଉ ମଣିଷ ହୋଇ ରହି ନାହିଁ, ବୋଧହୁଏ ଏକ ପରିପୂର୍ଣ୍ଣ ସୋପାନରେ ପାଦ ଦେବାପରେ ପୁଣି ବିବର୍ତ୍ତନ କ୍ରମରେ ଖସି ଆସିଛି ସେଇ ପାଶବିକତାର ଅବକ୍ଷୟକୁ, ଯାହାକୁ ବେଲୋ କହିଛନ୍ତି ‘‘a human animal’’ ଏବଂ ସେଇ ସାମଲର କଥାରେ ‘‘What a wretched, itching, bleeding, needing, idiot genius of a creature we are dealing with here ? ଏଇ ହେଲା ଆମ ସମୟ, ସମାଜ, ଜୀବନ ଓ ଜଗତର ଚିତ୍ର ଯାହାକୁ ଉପନ୍ୟାସକାର ବର୍ଣ୍ଣନା କରିବା ଛଡ଼ା ଉପାୟାନ୍ତର ନାହିଁ ।

 

ମନସ୍ତତ୍ତ୍ୱ ଦର୍ଶନ ଓ ଚାରିତ୍ରିକ ଗୁମ୍ପନ:

ମନସ୍ତତ୍ତ୍ୱବିତ୍‌ ବିଶେଷତଃ ସିଗମଣ୍ଡ ଫ୍ରଏଡ଼, ୟୁଙ୍ଗ ଓ ହେଗେଲ, କିର୍କଗାର୍ଡ଼ ପ୍ରମୁଖ ଦାର୍ଶନିକ; ମାର୍କସ, ଏଞ୍ଜୋଲସ୍‌, ଗାନ୍ଧୀ, ଲୁଥର ପ୍ରମୁଖ ଚିନ୍ତାନାୟକ ଗାଲିଲିଓ, ଡାରଉଇନ, ଆଇନଷ୍ଟାଇନ ପ୍ରମୁଖ ବୈଜ୍ଞାନିକ ଉପନ୍ୟାସକୁ ଢେର ପ୍ରଭାବିତ କରିଛନ୍ତି । ଫ୍ରଏଡ଼ ଯୌନ ପ୍ରବୃତ୍ତି (sex instinct) ଯାହାକୁ ସେ Libido ବୋଲି କହିଲେ, ଏକ ଜୀବନୀ ଶକ୍ତି ବା ଜୈବିକ ଅଭୀପ୍ସା । ୟୁଙ୍ଗ ଏହାକୁ Elan vital କହି ଏକ ମନସ୍ତାତ୍ତ୍ୱିକ ଦୈହିକ ଶକ୍ତି ବୋଲି କହଲେ । ଫ୍ରଏଡ ‘d’ ମୌଳିକ କାମନା ଓ ‘ego’ ନୈତିକ ଅଭିପ୍ରାୟ ପରସ୍ପରବିରୋଧୀ ପ୍ରବୃତ୍ତି ଏବଂ ପ୍ରତିନିୟତ ଏମାନଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ସଂଘଟିତ ହୋଇ ଜୀବସତ୍ତାକୁ ବିପର୍ଯ୍ୟସ୍ତ କରିପକାଏ । ଏମାନଙ୍କର ମଣିଷର ଅବଚେତନ ମାନସରେ ବି ବହୁ ପ୍ରଭାବ ରହିଛି । ଏଇ ସବୁ ଅବଚେତନ ଅଭୀପ୍ସା ସ୍ଵପ୍ନରେ ପ୍ରତିଫଳିତ ହୋଇଥାଏ । ତେଣୁ ଅନେକ ସମୟରେ ଆମେ ୟେଉଁ ସ୍ଵପ୍ନ ଦେଖୁଁ ତାହା କେବେ କଳ୍ପନା କରିଥିବା କଥା ଆମର ସ୍ମରଣ ହୁଏ ନାହୁଁ । ସେକ୍ସ ଏଥିରେ ପ୍ରାଧାନ୍ୟ ବିସ୍ତାର କରେ ବୋଲି ଫ୍ରଏଡ଼ ବିଶ୍ଵାସ କରନ୍ତି ଏବଂ ତଦନୁଯାୟୀ, ଏଇ ଯୌନ ଅଭିଳାଷ ମା’-ପୁଅ ଓ ବାପ-ଝିଅଙ୍କ ମଧରେ ବି କାମ କରେ ବୋଲି କୁହାଯାଇଛି । ‘ଇଡିପସ’ ମିଥ୍‌ରୁ ‘ଇଡିପସ କମ୍ପଲେକ୍ସ’ କଥା କୁହାଯାଉଛି । ଏସବୁ ସେଇ ମନସ୍ତାତ୍ତ୍ଵିକ ଉପଚାରର କଥା, ସେଇ ଚେତନ ଓ ଅବଚେତନ ମନର ରୋମନ୍ଥନ ପ୍ରକ୍ରିୟାରୁ ଚେତନା । ପ୍ରବାହର ଧାରା (୩୭) Stream of consciousness ଜନ୍ମ ନିଏ ବୋଲି ଉଇଲିୟମ ଜେମ୍‌ସ୍‌ ପ୍ରମାଣ କରନ୍ତି । ଚେତନାର ପ୍ରବାହ ସ୍ଵରୂପ : ‘‘The unbroken flow of thought and awareness in’’ (୩୮) ଆଧୁନିକ ଉପନ୍ୟାସରେ ଏହା ଏକ ମୂର୍ଖ ବର୍ଣ୍ଣନାଶୈଳୀ ଭାବେ ଗୃହୀତ । କେହି କେହି ଏହାକୁ ‘interior monologue’ ବା ଆଭ୍ୟନ୍ତରୀଣ ଏକକ ସଂଳାପ ରୂପେ ଗ୍ରହଣ କରିଥାନ୍ତି-। ଜର୍ଜ ମେରେଡିଥ୍‌, ହେନେରୀ ଜେମ୍‌ସ୍‌, ଭର୍ଜିନିଆ ଉଲ୍ଡ ଏବଂ ଜେମ୍‌ସ୍‌ ଜେୟେସ୍‌ ଚେତନା ପ୍ରବାହର ବହୁଳ ପ୍ରୟୋଗ କରିଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ‘ନେତି ନେତି’, ଗୋପୀନାଥ ମହାନ୍ତିଙ୍କ ‘ଲୟ ବିଲୟ’ ଓ ‘ଦାନାପାଣି’, ଶାନ୍ତନୁ କମାର ଆଚାର୍ଯ୍ୟଙ୍କ ‘ଦକ୍ଷିଣାବର୍ତ୍ତ’ ପ୍ରଭୃତିରେ ଚେତନା ପ୍ରବାହର ଧାରା ପ୍ରୟୋଗ କରାଯାଇଛି । ଭର୍ଜିନିଆ ଉଲ୍ଡଙ୍କ ‘Light House’ ଓ ଜୟେସ୍‌ଙ୍କ ‘Ulysses’ ରେ ଏବଂ ଉଇଲିୟମ ଫକ୍‌ନର୍‌ଙ୍କ ‘The sound and Fury’ ରେ ଚେତନା ପ୍ରବାହର ବହୁଳ ପ୍ରୟୋଗ କରାଯାଇଛି । କାର୍ଲ ୟୁଙ୍ଗଙ୍କ ସମେତ ଆଲ୍‌ଫ୍ରେଡ଼ ଆଦଲେୟର ପ୍ରମୁଖ ଫ୍ରଏଡ଼୍‌ଙ୍କ ଯୌନ ପ୍ରବୃତ୍ତିର ଗୁରୁତ୍ୱକୁ ଅସ୍ଵୀକାର କରନ୍ତି । ନିଓ-ଫ୍ରଏଡ଼ିଆନ ମନସ୍ତତ୍ତ୍ୱବିତ୍‌, କାରେମ ହର୍ଣ୍ଣି, ଏରିକଫୋମ, କାର୍ଲ ରୋଜର ଏହାର ଏକ ସାଲିସ କରିଛନ୍ତି । ସେମାନଙ୍କ ମତରେ ଏକ ଜୈବିକ ପ୍ରବୃତ୍ତି ମଣିଷ ଚରିତ୍ରର ଶିଳାନ୍ୟାସ କରିଥାଏ । କିନ୍ତୁ ଏସବୁର ସର୍ଜନାତ୍ମକ ବ୍ୟକ୍ତିତ୍ୱ ଗଠନରେ କିଛି ଭୂମିକା ଥିବାକଥା ଜଣାଯାଏ ନାହିଁ, ଯଦିଓ ଏକ ବିଯୁକ୍ତ ବା ବିକଳାଙ୍ଗ ମାନବ ଚରିତ୍ର ଗଠନରେ ଏହାର ଅବଦାନ ଖୁବ୍‌ବେଶୀ । ଚେତନା ପ୍ରବାହ ପରି ଅତି ବାସ୍ତବବାଦ ବା ‘Surrealism’ ଆଉ ଏକ ବର୍ଣ୍ଣନାଧାରା ଯାହା ଆଧୁନିକ ସାହିତ୍ୟରେ ପ୍ରଭାବ ବିସ୍ତାର କରିଛି । ଚିତ୍ର, ଭାସ୍କର୍ଯ୍ୟ, ସାହିତ୍ୟ ଓ ଅନ୍ୟାନ୍ୟ କଳାରେ ଏଇ ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ । ଏହା ଏକ ମନସ୍ତାତ୍ତ୍ଵିକ ଉପଚାର ଏବଂ ସେଇ ଅବଚେତନ ମନର ସ୍ଵତଃ ପରିପ୍ରକାଶ (୩୯) (Automatic writing) । ଫ୍ରାନ୍ସର ଆନ୍ଦ୍ରେ ବ୍ରେଟନ ଏହାକୁ ପ୍ରଥମେ ୧୯୨୪ ମସିହାରେ ଆରମ୍ଭ କରିଥିଲେ । ଡାଇଲିନ୍‌ ଟମାସ କବିତା କ୍ଷେତ୍ରରେ ଏବଂ ସାଲଭେଦର ଜାଲି ପେଣ୍ଟିଂରେ ଏହାର ପ୍ରୟୋଗ କରିଥିଲେ । କୋଣାର୍କ ମନ୍ଦିରରେ ଯେଉଁ ନଗ୍ନ ଯୁଗନ୍ନଦ୍ଧ ଯୌନଚିତ୍ର ଏବଂ ରୀତିକାବ୍ୟମାନଙ୍କରେ ଯେଉଁସବୁ ଯୌନବର୍ଣ୍ଣନା, ନାରୀର ଅବୟବ, ଚିତ୍ରୋଦୟ ବନ୍ଧକାବ୍ୟ ଲେଖାଯାଇଛି ସେସବୁ ଏକ ଅତିବାସ୍ତବ ମାନସିକ ପ୍ରତିଫଳନ । ସୁରେନ୍ଦ୍ର ମହାନ୍ତିଙ୍କ ‘ମରାଳର ମୃତ୍ୟୁ’ ଗଳ୍ପ ଓ ଗୋପୀନାଥ ମହାନ୍ତିଙ୍କ ‘ଦାନାପାଣି’ର ବଳିଦତ୍ତ ବା ‘ସରୋଜିନୀ’ଙ୍କ ଚିନ୍ତା ଚେତନାରେ ଏଇ ସୁରିୟାଲିଷ୍ଟିକ୍‌ ଅବବୋଧ ଅତି ତୀବ୍ର ରୂପ ଗ୍ରହଣ କରିଛି । ଏସବୁ ମନସ୍ତାତ୍ତ୍ୱିକ ଉପଚାର ଆଧୁନିକ ଉପନ୍ୟାସକୁ କାବୁ କରି ରଖିଛି । ଜ୍ଞାନର ବିସ୍ଫୋରଣ, ବୈଜ୍ଞାନିକ ତଥା ମନୋବୈଜ୍ଞାନିକ- ଉନ୍ନତି ତଥା ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ସଂଗେ ଆଧୁନିକ ଉପନ୍ୟାସ ପାଦ ମେଳେଇ ଚାଲିଛି ।

 

ମୂଲ୍ୟବୋଧ, ପରିଣତି:

ଉପନ୍ୟାସର ଗୁଣାତ୍ମକ ଦିଗ ସଂପର୍କରେ ଫଷ୍ଟରଙ୍କ ଅଭିମତ ହେଲା ଯେ, ଗୋଟିଏ ଉପନ୍ୟାସ ସାଧାରଣ ସ୍ତରରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ପେଷାଦାର ନୀତିବାଦୀ ଦାର୍ଶନିକ ବା ରାଜନୈତିକ ଆଦର୍ଶବାଦର ଶସ୍ତା ଅବତାରଣା ବା ପ୍ରଚାର ଓ ସମାଜବାଦର ମାର୍କାକୁ ପରିହାର କରିବାକୁ ହେବ । ସେ ମଧ୍ୟ କହନ୍ତି ଯେ ପ୍ରାତ୍ୟହିକ କାରବାରରେ ଆମେ ଦୁଇଟି ଜୀବନ ସଂଶ୍ରବରେ ଆସିଥାଉଁ । ତାହା ହେଉଛି: ‘‘The life in time and life by values’’ ଯେଉଁ ମୂଲ୍ୟବୋଧର ଜୀବନ କଥା ସେ କହିଲେ ତାହାର ପରିମାପକ ବର୍ଷ, ମାସ, ଦିନ ବା ଦଣ୍ଡ ନୁହେଁ ବା ଆଉ ଟିକିଏ ସ୍ପଷ୍ଟ ରୂପ ଦେବାକୁ ହେଲେ ରବର୍ଟ ହେରିକ୍‌ଙ୍କୁ ଉଦ୍ଧାର କରିବାକୁ ପଡ଼ିବ: (୪୦) “In small proportions we beauties see/ But in short measure life may perfect be.’’ ତେଣୁ ଜୀବନର ସାନ୍ଦ୍ରତାକୁ ସୂକ୍ଷ୍ମ ଏକ ନିକିତିରେ ମାପିବାକୁ ହେବ, ଯାହା ଆଗାମୀ ଦିନ ସକାଶେ ଏକ ପରିସଂଖ୍ୟାନ ନଥି ନହୋଇ ଏକ ଉତ୍ତୁଙ୍ଗ ପ୍ରାଚୀର, ଏକ ଘନବାଦଲ ଏବଂ ଏକ ତେଜୋଦୀପ୍ତ ମାର୍ତ୍ତଣ୍ଡ ପରି ବିରାଜିବ । ଏଇ ମୂଲ୍ୟବୋଧ ସଂପର୍କରେ ହେନେରୀ ଜେମ୍‌ସ୍‌ଙ୍କ ମତ ହେଲା (୪୧) ‘‘The kind and degree of the artist is prime sensibility, which is the soil out of which his subject springs.” ମୂଲ୍ୟବୋଧର ପୂନ୍ନାଦି ଉପରେ ଉପନ୍ୟାସ ଅବଧାରିତ ହୋଇଥାଏ । ତେଣୁ ମୂଲ୍ୟବୋଧ ନଥାଇ କୌଣସି ସୃଷ୍ଟି କାଳଜୟୀ ହୋଇପାରିବ ନାହିଁ । ସଲବେଲୋଙ୍କ ଦୃଷ୍ଟିରେ କିଛି ସତ୍ୟର ଝଲକ ଓ ଅସଂଖ୍ୟ ମିଥ୍ୟାର ଆଟୋପରେ ଫେଣ୍ଟାଫେଣ୍ଟି ଜୀବନର ପ୍ରତିଲିପି ହେଉଛି ଉପନ୍ୟାସ । ଉପନ୍ୟାସକାର ଏଇ ସତ୍ୟ ଓ ମିଥ୍ୟାର ସଂହତି ରକ୍ଷା କରି ଜୀବନକୁ ପ୍ରକାଶ କରନ୍ତି । ଜଗତ, ଜୀବନ ଓ ବସ୍ତୁ ମଧ୍ୟରେ ନିହିତ ମୌଳିକ ଚିରନ୍ତନ ତଥା ଅପରିହାର୍ଯ୍ୟତାକୁ କଳା ପରିସ୍ଫୁଟ କରିଥାଏ । ସେ ଦିଗରୁ ଉପନ୍ୟାସର ଅଭିମୁଖ୍ୟରେ ବ୍ୟତିକ୍ରମ ନଥଲେ ବି ବେଲୋ ଉପନ୍ୟାସକୁ କାବ୍ୟ ନାଟକର ଉତ୍ତୁଙ୍ଗ ପରିବ୍ୟାପ୍ତି ସଂଗେ ନତୁବା ଏପିକ୍‌ କାବ୍ୟର ବିଶାଳତା ସଂଗେ ସମତୁଲ କରି ନାହାଁନ୍ତି । ତାଙ୍କ ଦୃଷ୍ଟିରେ “ଉପନ୍ୟାସ ଏକ ସଂକୀର୍ଣ୍ଣ ଚାଳିଘର, ଯେଉଁଠି ଆତ୍ମା ବିରାଜମାନ କରିଥାଏ ।’’ ସବୁ କଳାପରି ଉପନ୍ୟାସ ଦୃଶ୍ୟମାନ ବିଶ୍ଵରେ ଉଚ୍ଚତମ ନ୍ୟାୟ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଅବ୍ୟାହତ ରଖେ । ଏସବୁ ସତ୍ତ୍ଵେ ଆମ ସମୟ ଓ ସଂପର୍କର ଅତି ଅବକ୍ଷୟ ତଥା ଦୟନୀୟ ଚିତ୍ର ସେ ଆଙ୍କିଛନ୍ତି । ମଣିଷ ଆଜି ପୃଥିବୀର ଧ୍ୱଂସ ଆସନ୍ନ ବୋଲି ଏକ ଅନିଶ୍ଚିତ ଆତଙ୍କରେ ବିବ୍ରତ, ତା ଆଗରେ ନିଉୟର୍କର ନଭଶ୍ଚୁମ୍ବୀ ପ୍ରାସାଦ, ଲଣ୍ଡନ ବ୍ରିଜ ଏବଂ ଇରାକର ସୁଡ଼ଙ୍ଗ ପ୍ରାସାଦ ସବୁ ଭୁଷୁଡ଼ି ପଡ଼ୁଛି । ଅସୁମାରୀ ଶବ ସତ୍କାର ପରେ ଅସଂଖ୍ୟ । ଶୋକାର୍ତ୍ତ ଜନତାର ପଟୁଆର ତା ଆଖି ସାମ୍ନାରେ ଝଲସି ଯାଉଛି ଏବଂ ସେ ନିଜେ ‘walking by the deadman’s casket sees his own symbolic death’ । ସବୁ ପ୍ରାଚୁର୍ଯ୍ୟ ଭିତରେ ମଣିଷ ଆଜି ବଡ଼ ନିଃସଙ୍ଗ, ଖୁବ୍‌ ଅସହାୟ ବି । ସବୁ ହରାଇ ସେ ଯେପରି ଏକ ଅନ୍ତଃସାରଶୂନ୍ୟ ଥାଟ ଧରି ପଡ଼ି ରହିଛି । ତାଠୁଁ ସେଇ ଆଦିବର୍ବରତା, ସେଇ ଜାନ୍ତବ ବିଭତ୍ସତା, ସେଇ ସରୀସୃପୀ ଜୈବିକ କ୍ଷୁଧା, ଯାହାକୁ ବେଲୋଙ୍କର ଏକ ଚରିତ୍ର କହେ: ‘When night comes on and he feels like howling from his window like a wolf’ (୪୨) । ଏଇ ପାଶବିକ ଆଚରଣ ତଥା ଜଘନ୍ୟ ଜାନ୍ତବ କାମନା ତଥା ମାନବିକତାର ଚରମ ଅବକ୍ଷୟରୁ ସେଇ ପ୍ରାଗୈତିହାସିକ ଅସଭ୍ୟତାଆଡ଼କୁ ଝିଙ୍କି ନେଇଛି । ସିରିଲ୍‌ କାନୋଲି ତାଙ୍କ ‘Horizon’ ଉପନ୍ୟାସରେ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି କହନ୍ତି : ‘It is closing time in the garden of West and from now on an artist will be judged, only by reasonance of hissolitude or the quality of his despair’ (୪୩) । ତେଣୁ କଳାକାର ପାଇଁ ହତାଶା ନିଃସଙ୍ଗତା, ଅସହାୟତାଦି ନେତିବାଦ ଛଡ଼ା ଅନ୍ୟ କିଛି ଉପାଦାନ ନଥିବା ଏବଂ ପାଶ୍ଚାତ୍ୟ ସାରସ୍ଵତ ଉଦ୍ୟାନର ଦ୍ୱାର ରୁଦ୍ଧ ହୋଇ ଆସୁଥିବ । ‘The boat’ ଉପନ୍ୟାସରେ ହାର୍ଟଲି ମଧ୍ୟ କହିଛନ୍ତି: It was a death wish. He could not face modern life... and the boat was his way out, a symbol of absolute peace, where no one could get at him’ (୪୪) । ସ୍ଥୂଳଭାବେ ଆଧୁନିକ ଜୀବନ, ଜଗତ ଓ ସମୟର ଦୁର୍ବହତା ସଂପର୍କରେ ଏହା ଯେପରି ଆଜିର ଚିତ୍ର । ତା ସତ୍ତ୍ୱେ ବି ବେଲୋଙ୍କ ଉଇଲହେମ ସକଳ ନୈରାଶ୍ୟ ଓ ଅବସାଦ ମଧ୍ୟରେ ଏକ ସୁଗନ୍ଧି ସୁରଭିରେ ବିଭୋର ହୋଇପଡ଼େ, ଏକ ଶୁଭ ଆଲୋକରଶ୍ମୀରେ ତା’ ଅବଶ, ଆର୍ଦ୍ର, ଚକ୍ଷୁ ଚଳଚଞ୍ଚଳ ହୋଇ ଉଠେ ଏବଂ ଏକ ଶାଶ୍ୱତ ସାମୁଦ୍ରିକ ସଙ୍ଗୀତର ଗମ୍ଭୀର ଆବେଦନରେ ଆମ୍ବା ଉଦ୍‌ବେଳି ଉଠେ । Kenneth Allosop ତାଙ୍କ ‘The Angry Decode’ ରେ ଆଧୁନିକ ମାନସିକତାକୁ ବିରୋଧାଭାସ ବା Dissentients ବୋଲି କହନ୍ତି । ‘‘I use that word in preference to dissenter because that implies and organised block separation from the establishment, whereas, dissentience has a more modulated meaning, more to disagree with majority sentiments and opinions ’’ (୪୫) । ସେମାନେ ହୁଏତ କ୍ରୋଧୀ ତରୁଣ (angry youngmen), ଯିଏ ସାହିତ୍ୟ, ସମାଜ, ଦପ୍ତର, ସଂସ୍କୃତି, ଚଳନୀକୁ ଅନେକାଂଶରେ ଥରେଇ ଦେଇଛନ୍ତି । କାମ୍ୟୁଙ୍କ The stranger ବା ବେଲୋଙ୍କ Dangling man ଭୟଙ୍କର ବ୍ୟବସ୍ଥାରେ ଉଦାସ ଜୀବନ ନିଭୃତ ଓ ଅନ୍ତରୀଣ ବାତାବରଣ ତଥା ଅବସାଦଭରା ଦୁନିଆର ଚିତ୍ର ପ୍ରତିଫଳିତ । ‘‘seize the Day’’ ର ନାୟକ ଟମ୍‌କିନ ମୁହଁରେ ସମୟ ସଂପର୍କରେ କୁହାଯାଇଛି : "The real universe. That is the present moment. The past is no good to us. The future is full of anxiety. Only the present is real and here and now. Seize the day" (୪୬) ସେଇ ସମୟର ସଦୁପଯୋଗ ସକାଶେ ଆଧୁନିକ ମଣିଷ ବ୍ୟାକୁଳ । ଟମି ଉଇଲିହେମ ଈଶ୍ଵରଙ୍କୁ ପ୍ରାର୍ଥନା କରେ: ହେ ପରମ ପିତା ! ସବୁ ସମୟ ଓ ଜୀବନ ମୋର ବ୍ୟର୍ଥ ହୋଇଛି । ମୋତେ ସେଥିରୁ ଉଦ୍ଧାର କର ଏବଂ ଏକ ନୂଆ ଜୀବନ ପାଇଁ ମୁଁ ଆଦିଷ୍ଟ ହୁଏ । ମୋ ପ୍ରତି କରୁଣା କର ପ୍ରଭୋ ! ସବୁ ଭୌତିକତାର ଅନ୍ତିମ ଅନୁଶୋଚନା ଓ ଅନୁକମ୍ପାର ଅଂତରାଳରେ ଅନ୍ତିମ ପରିଣତି ଉପନ୍ୟାସକୁ ନୂଆ ମୋଡ଼ ଦେଇଛି । ଯୋସେଫ କର୍ନ୍ରାର୍ଡ଼ ଏହାକୁ ସ୍ପଷ୍ଟ କରି କହନ୍ତି: ଆମର ସବୁ ଅନୁଶୋଚନା, ଅନୁକମ୍ପା ଓ ସମସ୍ତ ଦୁଃଖ ବିପଦର ଅନ୍ତରାଳରେ ସମସ୍ତଙ୍କୁ ସଂପ୍ରୀତି ଓ ବନ୍ଧୁତ୍ୱ ବନ୍ଧନରେ ଆବଦ୍ଧ କରିବାର ଅଭୀସ୍ପା ଏବଂ ମଣିଷ ଅନ୍ତରକୁ କାବୁ କରିଥିବା ନିଃସଙ୍ଗତା, ନିଃସହାୟତା, ଅନ୍ତରୀଣତାଦିକୁ ଦୂରେଇ ନେବାର ପ୍ରଚ୍ଛନ୍ନ ସମ୍ଭାବନା ନିହିତ । ‘‘Which binds together all all humanity... the dead to living and the living to the unborne” (୪୭) ଏହାହିଁ ଉପନ୍ୟାସର କେନ୍ଦ୍ରବିନ୍ଦୁ । ଖାଲି ଉପନ୍ୟାସ କାହିଁକି, ଆଜିର ବିଭ୍ରାନ୍ତ ମଣିଷ ଓ ସମଗ୍ର ସାହିତ୍ୟ ପାଇଁ ଏହା ଏକ ଚରମ ସନ୍ଦେଶ ।

 

ସହାୟକ ଗ୍ରନ୍ଥସୂଚୀ

(୧)

ରିଚାର୍ଡ଼ସନ : ‘‘I was not more than thirteen when three of these women unknown to each other having a high opinion on my taciturnity revealed to me their love secrets in order to induce me to give them copies write after or correct for answer to their lovers’ letters’’.

(୨)

ପ୍ରିଟ୍‌କର୍ଡ଼ ଜନ୍‌ପଲ୍‌ : Critisism in America, Lyllabooks, Ludhiana, 1970.

(୩)

ପ୍ରିଟ୍‌କର୍ଡ଼ ଜନ୍‌ପଲ୍‌ : ତତ୍ରୈବ ।

(୪)

ଆଲାନ ୱାଲ୍‌ଟର : The English Novels: A short critical History, Phoenix House, London, 1960

(୫)

ଭରତ ମୁନି : ନାଟ୍ୟଶାସ୍ତ୍ରମ୍‌- ୧ମ ଭ।ଗ, ଓଡ଼ିଶା ସାହିତ୍ୟ ଏକ।ଡେମୀ, ଭୁବନେଶ୍ୱର, ୧୯୮୬ ।

(୬)

କାଳିଦାସ : ଅଭିଜ୍ଞାନ ଶାକୁନ୍ତଳମ୍‌, ସାହିତ୍ୟ ଏକାଡେମୀ ନିଉଦିଲ୍ଲୀ, ୧୯୬୫ ।

(୭)

ଆଲାନ ଓ୍ୱାଲ୍‌ଟର : The English Novel: A short critical History.

(୮)

ପ୍ରିଟ୍‌କର୍ଡ଼ ଜନ୍‌ପଲ୍‌ : Criticism in America.

(୯)

ବିନେଟ ଆରନଲ୍‌ଡ଼ : Citation from Elizabeth, Drew’s The Novel, A Lawrrel Edition, Newyork, 1969.

(୧୦)

ଜେମ୍‌ସ୍‌ ହେନେରୀ :The Art of Fiction and other Essays Ed. Marris Robert Newyork, 1948.

(୧୧)

ଉଇଲିୟମ କେ.ଓ୍ୱିମସାର୍ଟ ଓ କ୍ଲାଏନ୍ଥ ବୃକ୍‌ସ : Literary criticism: A short History OxFord IBH publishing co. Ltd. Cal. 1974.

(୧୨)

ପ୍ରିଟ୍‌କର୍ଡ଼ ଜନ୍‌ପଲ୍‌ : Criticism in Amentca.

(୧୩)

ଏଲିଜାବେଥ ଡ଼୍ରୁ : The Novel, Laurrel Edition, 1969.

(୧୪)

ପ୍ରିଟ୍‌କର୍ଡ଼ ଜନପଲ୍‌ : Criticism in America.

(୧୫)

ପ୍ରିଟ୍‌କର୍ଡ଼ ଜନପଲ୍‌ : ତତ୍ରୈବ ।

(୧୬)

ଉଇମ୍‌ସାର୍ଟ କେ. ଉଇଲିୟମ୍‌ : Literary Criticism: A short History.

(୧୭)

ସିଙ୍ଗର ଆଇଜାକ୍‌ ଭସେବିସ : ‘A Real Writer Hipnotises You’: An Interview by Katha Pallitt, Span, August, 1981 USA Information Service.

(୧୮)

ଆଲାନ ୱାଲ୍‌ଟର : English Novel: A short critical History.

(୧୯)

ପ୍ରିଟ୍‌କର୍ଡ଼ ଜନ୍‌ପଲ୍‌ : Criticism in America, Lylla Book Depot Ludhiana 1970.

(୨୦)

ଉଇମସାଟ କେ. ଉଇଲିୟମ ଓ ବୃକ୍ସ କ୍ଲାଏନ୍ଥ : Literary Criticism :A short History .

(୨୧)

ଉଇମସାର୍ଟ କେ. ଉଇଲିୟମ ଓ ବୁକ୍ସ କ୍ଲାଏନ୍ତ : ତତ୍ରୈବ ।

(୨୨)

ହଡ଼ସନ ଡବ୍ଲ୍ୟୁ.ଏଚ୍‌ : An Introduction to the Study of Literature.

(୨୩)

ଉଇମସାର୍ଟ କେ. ଉଇଲିୟମ ଓ ବୁକ୍ସ କ୍ଲାଏନ୍ଥ :Literary Criticism : A Short History.

(୨୪)

ଉଇମସାର୍ଟ କେ. ଉଇଲିୟମ ଓ ବୃକ୍ସ କ୍ଲାଏନ୍ଥ : ତତ୍ରୈବ ।

(୨୫)

ହଡ଼ସନ ଡବ୍ଲ୍ୟୁ .ଏଚ. : An Introduction to the Study of Literature.

(୨୬)

ଉଇମସାର୍ଟ କେ. ଉଇଲିୟମ ଓ ବୃକ୍ସ କ୍ଲାଏନ୍ଥ : Literary Criticism : A Short History .

(୨୭)

ହଡ଼ସନ ଡବ୍ଲ୍ୟୁ.ଏଚ୍‌ : An Introduction to the Study of Literature.

(୨୮)

ହଡ଼୍‌ସନ୍‌ ଡବ୍ଲ୍ୟୁ,ଏଚ୍‌: ତତ୍ରୈବ ।

(୨୯)

ଜେମସ୍‌ ହେନେରୀ : The Art of Fiction.

(୩୦)

ଡ୍ରୁ ଏଲିଜାବେଥ : The Novel.

(୩୧)

ଜେମସ୍‌ ଉଇଲିୟମ : Principles of Psychology Cited by WalterAllen in The Novel - A Critical History.

(୩୨)

ଫୋଷ୍ଟର ଇ.ଏମ୍‌. : A Spects of Novel, Penguine Books, 1964.

(୩୩)

କାମ୍ୟୁ ଆଲ୍‌ ବେୟର : The Myth of Syphus, Cited from Abram’s Glossary of Literary Terms.

(୩୪).

ବେଟେନ୍‌ ଆନ୍ଦର : The Penguine Modern English Dictionary

(୩୫)

ପ୍ରସାଦ ବି. : A Background to the Study of English Literature Macmillan Co. Of India, 1975.

(୩୬)

ବେଲୋ ସଲ : Novel Lecture American Review, USA Information Service, Winter, 1978.

(୩୭)

ଜେମସ୍‌ ଓ୍ୱିଲିୟମ : Streams of thought of Consciousness or of subjective life. ‘‘Principles of Psychology.’’

(୩୮)

ଆବ୍ରାମ ଏମ.ଏଚ୍‌. : A Glessary of Literary Terms - Macmillan, India Ltd. 1971.

(୩୯)

ଆବ୍ରାମ ଏମ୍‌ଏଚ୍‌. : ତତ୍ରୈବ ।

୪୦)

ଜନ୍‌ ବେନ୍‌ସନ : The Noble Nature - Cited from-F.T. Palgrave’s the Golden Treasure, London Oxford University Press, 1965.

(୪୧)

ଜେମସ୍‌ ହେନେରୀ : The Artof Fiction.

(୪୨)

ଜୋସେଫ୍‌ ଅପଷ୍ଟାଇନ : The American Review, Winter 1978.

(୪୩)

କାନୋଲି ସିରିଲ୍‌ : Pelican Guide to English Literature, Vol.- VILEd. Borrisford, 1966.

(୪୪)

ଏଲ୍‌.ପି. ହାର୍ଟଲେ : ‘The Boat’ cited by Borrisford.

(୪୫)

ଆଲ୍‌ସପ କେନେଥି‌ : The Angry Decade : A Survey of Cultureal Revolt of Fifties, London, 1958.

(୪୬)

ବେଲୋସଲ୍‌ : Seize the day, The Penguine Modem classic Newyork, 1984.

(୪୭)

କର୍ନ୍ରାର୍ଡ଼ ଜୋସେଫ୍‌ : Cited by Saul Bellow in ‘Nobel Lecture’ Amercian

Review, 1978.

 

 

 

ଘ.ନ. ୩ ଆର୍‌, ୫/୪

କଳ୍ପନାଛକ, ଭୁବନେଶ୍ୱର - ୭୫୧୦୧୪

 

***

 

ସାକ୍ଷାତକାର

ଦାଶରଥି‌ ପଟ୍ଟନାୟକ : ଏକ ସାରସ୍ଵତ ତପସ୍ୱୀ

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

 

ଶ୍ରୀଯୁକ୍ତ ଦାଶରଥି‌ ପଟ୍ଟନାୟକ ମୋ ଆଖିକୁ ଗୋଟାପଣେ କବିଟିଏ ଭଳି ଦେଖାଯାଆନ୍ତି-। କବିତା ଲେଖି କବି-ପଦ ପାଇଥିବା କବି ନୁହଁନ୍ତି କବି ଭଳି ଜୀବନ ବଞ୍ଚୁଥି‌ବା ସାରସ୍ଵତ ତପସ୍ୱୀଟିଏ ଦାଶରଥି‌ ପଟ୍ଟନାୟକ । ବହୁବାର ତାଙ୍କୁ ଭେଟିଛି । ସେ ମୋ ଘରକୁ ଯାଇଛନ୍ତି, ଦିନଦିନ ରହିଛନ୍ତି । ତାଙ୍କର ପରମ ଧ୍ୟେୟ ସଂଗ୍ରହାଳୟ ପୁରୁଣା ପତ୍ରପତ୍ରିକା, ବହି ଏପରିକି ଓଡ଼ିଆରେ ଛପା ହୋଇଥିବା ନିମନ୍ତ୍ରଣପତ୍ର ପର୍ଯ୍ୟନ୍ତ ଆଣିଛନ୍ତି । ବାରଂବାର ଅନୁରୋଧ କରିଛନ୍ତି ତାଙ୍କ ଭାଷାରେ ଉଦୟପୁର ନୂଆଗାଁରେ ପାଦ ପକେଇବାକୁ । ମାତ୍ର ମୁଁ ଯାଇପାରି ନଥିଲି, କୌଣସି ନା କୌଣସି କାରଣରୁ । ଏପରିକି ତାଙ୍କଦ୍ଵାରା ପ୍ରତିଷ୍ଠିତ ଯଦୁମଣି ସାହିତ୍ୟ ସଂସଦ ପକ୍ଷରୁ ମୋତେ ସମ୍ବର୍ଦ୍ଧିତ କରାଗଲା, ମାତ୍ର ବିଡ଼ମ୍ବନା ଯେ ଅସୁସ୍ଥ ହୋଇ ଯାଇପାରିଲି ନାହିଁ ।

 

ଗତ ୬-୧୦-୯୬ ଦିନ ରାମଚନ୍ଦ୍ର ଭବନ, କଟକରେ ପ୍ରଚେତା ସାହିତ୍ୟ ସଂସଦ, ଚନ୍ଦନା ମର୍ମବାଣୀ, ଭଦ୍ରଖ, ମନସ୍ୱିନୀ ପ୍ରଭୃତି ସାହିତ୍ୟ ଅନୁଷ୍ଠାନ ଏବଂ ତରୁଣ ଲେଖକ ଲେଖିକା ମିଳିତ ଉଦ୍ୟମରେ ଏକ ସାରସ୍ଵତ ଉତ୍ସବରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ୯୦ ତମ ଜୟନ୍ତୀ ଉପଲକ୍ଷରେ ସଂବର୍ଦ୍ଧିତ କରାଗଲା । ମୁଁ ବକ୍ତାଭାବରେ ଯୋଗ ଦେଇଥିଲି । ସଭାଟିର ଆୟୋଜକମାନେ ତରୁଣ-ତରୁଣୀ, ଯୁବକ-ଯୁବତୀ ସବୁର ଭିତରେ ପ୍ରଚଣ୍ଡ ଅନୁରାଗ, ଉତ୍ସାହ । ସଂପ୍ରତି ସେମାନେ ପ୍ରତିଷ୍ଠିତ ହୋଇ ନଥି‌ଲେ ହେଁ ଆଗାମୀ କାଳ ସେଇ ପ୍ରତିଭା-ପୁରୁଷମାନଙ୍କର ଉଚ୍ଚାରଣରେ ମୁଖରିତ ହେବ, ଏଥି‌ରେ ସନ୍ଦେହର ଅବକାଶ ନାହିଁ । ସେଠାରେ ମଧ୍ୟ ସେଇ ନିମନ୍ତ୍ରଣ । ଯିବାକୁ ସଂକଳ୍ପ କଲି । ନିଜେ ଯାଇଥାନ୍ତି, ବ୍ୟକ୍ତିଗତ ବ୍ୟବସ୍ଥାରେ । ମାତ୍ର ଏକଦା ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି ଏବଂ ମୋର ଯାଇ ତାଙ୍କୁ ଏକାଡେମୀର ଜଣେ ପ୍ରତିନିଧିଭାବରେ ଭେଟିବା ଅଧିକ ସମ୍ମାନସ୍ପଦ ଓ ମହତ୍ଵପୂର୍ଣ୍ଣ ହେବ ଭାବି ତଥା ତାଙ୍କର ବ୍ୟକ୍ତିତ୍ୱ ଓ ନିଷ୍ଠାପୂର୍ଣ୍ଣ ଅନୁରାଗ, ଅନ୍ତରଙ୍ଗ ଆଳାପ- ଆଲୋଚନା ମାଧ୍ୟମରେ ଲିପିବଦ୍ଧ କରି ତାଙ୍କର ଏକନିଷ୍ଠ ପ୍ରୟାସରେ ପ୍ରତିଷ୍ଠିତ ସାହିତ୍ୟ ସଂସଦ, ସଂଗ୍ରହାଳୟ ଓ ପାଠାଗାର ସଂବନ୍ଧରେ ତଥ୍ୟାଦି ସଂଗ୍ରହ କରିବାକୁ ଗତ ୪ ଫେବୃୟାରୀ ୧୯୯୭ ଦିନ ଭେଟିଥି‌ଲି । ୯୦/ ୯୧ ବର୍ଷର ଶରୀର ଦୃଷ୍ଟିରୁ ଅତି ଦୁର୍ବଳ ଓ ରୁଗ୍‍ଣ ହୋଇଥି‌ଲେ ହେଁ ପରିପୂର୍ଣ୍ଣ ଯୁବକସୁଲଭ ଦମ୍ଭ ଏବଂ ଉତ୍ସାହର ଅଧିକାରୀ ଶ୍ରୀ ପଟ୍ଟନାୟକ । ମୋ ସହିତ ପଥପ୍ରଦର୍ଶନ ଓ ଶ୍ରୀଅରବିନ୍ଦ ସଂଗ୍ରହାଳୟ, ବାଞ୍ଚାନିଧି ପାଠାଗାର ଏବଂ ଯଦୁମଣି ସାହିତ୍ୟ ସଂସଦ ବୁଲେଇ ଦେଖେଇବାକୁ ଥିଲେ ସାମୟିକ ସାରସ୍ଵତ ପତ୍ରିକା “ଚନ୍ଦନାର ସଂପାଦିକା, ସୁ-କବୟିତ୍ରୀ, ସୁ- ଲେଖିକା ସୁରଂଜନା ଏହି ତିନୋଟି ଅନୁଷ୍ଠାନ ଉନ୍ନିଦ୍ର, ଅଭୁକ୍ତ ରହି ନିଃସ୍ଵାର୍ଥପର ଭାବରେ ଅକ୍ଳାନ୍ତ ପରିଶ୍ରମର ଫଳ ଭାବରେ ପ୍ରତିଷ୍ଠା କରିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ତିନୋଟି ଅନୁଷ୍ଠାନ ପ୍ରତ୍ୟେକ ଦୃଷ୍ଟିରୁ ପରସ୍ପର ସହିତ ସଂଲଗ୍ନ ଏବଂ ନାନା ପରିପନ୍ଥୀ ସ୍ଥିତିରେ ମଧ୍ୟ ସାଧୁ ସଂକଳ୍ପ ଲାଗି ସବୁକିଛି ସଂଭବ ବୋଲି ପ୍ରତିପାଦିତ କରୁଥି‌ବା ତିନୋଟି ତୀର୍ଥଭୁମି । ସବୁ ଶ୍ରୀ ପଟ୍ଟନାୟକଙ୍କ ଭାଷାରେ ଭିକ୍ଷାରେ ସଂଭବ ହୋଇଛି । ତାହା ତାଙ୍କର ପ୍ରିୟକର୍ମ । ବିନା ଭିକ୍ଷା ଏବଂ ନିଃସ୍ଵାର୍ଥପର ନିଷ୍ଠାରେ ଏକ ଅନୁଷ୍ଠାନ ଗଢ଼ିଉଠିବା ସମ୍ଭବ ନୁହେଁ ବୋଲି ପ୍ରଚଣ୍ଡ ଆସ୍ଥା ଓ ବିଶ୍ଵାସର ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକ ।

 

ସଂପ୍ରତି ସଂଗ୍ରହାଳୟରେ ଆପାତତଃ ପାଞ୍ଚହଜାର ତାଳପତ୍ର ପୋଥି‌, ତା ଭିତରେ ଅନେକ ଚିତ୍ରପୋଥି‌ ପ୍ରସ୍ତର ଯୁଗୀନ ଓ ପ୍ରାଗୈତିହାସିକ ବହୁ ଅସ୍ତ୍ରଶସ୍ତ୍ର ଓ ଉପକରଣ, ଅଳଂକାର, ବାଦ୍ୟଯନ୍ତ୍ର, ମାଟି, ପଥର, ଚିତ୍ର, ଧାତୁ, କପଡ଼ା, କାଠ ବାଉଁଶରେ ଅଙ୍କିତ ପାଚୀନକାଳଠାରୁ ଆଧୁନିକ କାଳ ପର୍ଯ୍ୟନ୍ତ ଅଗଣିତ କଳାକୃତି, ମଧ୍ୟ ଯୁଗଠାରୁ ଆଧୁନିକ କାଳ ଯାଏଁ ବହୁ ପ୍ରସ୍ତର ମୂର୍ତ୍ତି, ପ୍ରାକ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟ ଠାରୁ ଆଧୁନିକ କାଳ ପର୍ଯ୍ୟନ୍ତ, କିଛି ମୋଗଲ ମରହଟ୍ଟା କାଳର ରୂପା, ତମ୍ୱା, କଂସାର ବହୁବିଧ ମୁଦ୍ରା, ଡାକଟିକଟ, ପ୍ରାୟ ପାଞ୍ଚଶହ ପ୍ରକାରର ମାଟି ଦୀପ, ପାଣିରେ ଭାସୁଥିବା ପଥର ପ୍ରଭୃତି ସଂଗୃହୀତ ହୋଇ ରହିଛି । ଗ୍ରନ୍ଥାଗାରରେ ଅନ୍ୟୂନ ୫୦,୦୦୦ ଅମୂଲ୍ୟ ଗ୍ରନ୍ଥ, ପ୍ରାୟ ୭୦,୦୦୦ ପତ୍ରପତ୍ରିକା, ପ୍ରାୟ ୩୦୦୦ ପ୍ରାଚୀନ ନଥିପତ୍ର ଗଚ୍ଛିତ ହୋଇ ରହିଛି, ଯାହା ଅନୁରାଗୀ ଗବେଷକ, ଛାତ୍ରଙ୍କ ପାଇଁ ଯେଉଁଭଳି ଅମୂଲ୍ୟ ଓ ପରମ ସହାୟକ, ସାଧାରଣ ପରିଦର୍ଶକଙ୍କ ନିମନ୍ତେ ମଧ୍ୟ ଆକର୍ଷଣର ସାମଗ୍ରୀ । ଶ୍ରୀଯୁକ୍ତ ପଟ୍ଟନାୟକ ଅର୍ଥ ଓ ପ୍ରତିପତ୍ତି, ଶିକ୍ଷା ଆଦି ଦୃଷ୍ଟିରୁ ଅତି ସାଧାରଣ । ଏହି ପ୍ରବାଦପୁରୁଷ ୧୯୦୭ ମସିହାରେ ଜନ୍ମ ଗ୍ରହଣ କରିଥି‌ଲେ । ପରିଧାନ ଅତ୍ୟନ୍ତ ସାଧାରଣ, ଦୁଇଟି. ଖଦୀ ଗାମୁଛା, ଖଣ୍ଡିଏ ପିନ୍ଧିବାକୁ ଖଣ୍ଡିଏ କାନ୍ଧରେ ପଡ଼ିଥିବ, ଆଉ ଖଣ୍ଡିଏ ଠେକା, ବାଉଁଶ ଠେଙ୍ଗାଟିଏ । କାନ୍ଧରେ ଅଖା ମୁଣିଟିଏ; ସଂଗ୍ରହାଳୟ ବା ପାଠାଗାର ପାଇଁ ଯେତେବେଳେ ଯାହାମିଳୁ ସେଥିରେ ପୂରେଇ ଆପେ ଉଠେଇ ଚାଲିଥି‌ବେ । ଗୋଟାଏ ଆଖି ଦୃଷ୍ଟିହୀନ । ଭିକ୍ଷା ତାଙ୍କର ବୃତ୍ତି ଓ ଧର୍ମ ବୋଲି କହନ୍ତି ସେ, ଯେଉଁ ଭିକ୍ଷା ପେଟ ପିଠି ପାଇଁ ନୁହେଁ ତାଙ୍କର ଭିକ୍ଷା ଆଗାମୀ କାଳକୁ ପ୍ରଜ୍ଞା-ଉତ୍ତରିତ କରିବା ଉଦ୍ଦେଶ୍ୟରେ ଅତୀତର ଅନୁରାଗମୟ ସଂରକ୍ଷଣର ପ୍ରଚେଷ୍ଟା ପାଇଁ ସମର୍ପିତ । ଜାଗତିକ ବିଚାରରେ ସେ ଅତି ଦରିଦ୍ର । ପୈତୃକ କୌଣସି ସଂପତ୍ତି ତାଙ୍କୁ ଉତ୍ତରାଧିକାର ସୂତ୍ରରେ ମିଳି ନାହିଁ, ଯାହା ଉଲ୍ଲେଖନୀୟ । ଶିକ୍ଷାଗତ ଯୋଗ୍ୟତା ହେଲା ସପ୍ତମ ଶ୍ରେଣୀ, ତାପରେ ଅଭାବ ହେତୁ ପଢ଼ିବା ସମ୍ଭବ ହୋଇ ନାହିଁ । ସେ ତାଙ୍କର କର୍ମଜୀବନ ଚାଷ ଜମିରୁ ଆରମ୍ଭ କରି ପୋଲିସ୍‌ କନେଷ୍ଟବଲ, ପ୍ରାଇମେରୀ ସ୍କୁଲ ଶିକ୍ଷକ, ଫରେଷ୍ଟ ଗାର୍ଡ଼, ସରବରାକାର । ସେ ଏକ ସ୍କୁଲ ମଧ୍ୟ ପ୍ରତିଷ୍ଠା କରିଥି‌ଲେ ଏବଂ ବିନୋବା ତାଙ୍କର ଭୂମିଦାନ ଆନ୍ଦୋଳନର ଏକ ସାଧାରଣ କର୍ମୀ ଭାବରେ କଟେଇଥି‌ଲେ । ଏ ସବୁ ଅସ୍ଥାୟୀ । କ୍ଷେତ୍ର ସୀମାବଦ୍ଧ । ଅସୀମ ଅନନ୍ତ ଲାଗି ହୃଦୟ ବ୍ୟାକୁଳ ଥିଲା । ସବୁକାଳ ଲାଗି ଧ୍ୟେୟ ଥିଲା, ଅନୁରାଗ ଥିଲା । ଏକ ରାଜ୍ୟର ହୃଦୟବନ୍ତ ଏହି ମଣିଷକୁ ଅତ୍ୟନ୍ତ ଶ୍ରଦ୍ଧାରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଅସିତ ମୁଖାର୍ଜୀ ଯଥାର୍ଥରେ ‘ଖୁଣ୍ଟାତଡ଼ା ରାଜା’ ବୋଲି କହିଛନ୍ତି ।

 

ସଂଗ୍ରହାଳୟ ଶ୍ରୀ ଅରବିନ୍ଦଙ୍କ ନାମରେ ନାମିତ, ବାଞ୍ଛାନିଧି ପାଠାଗାର ତାଙ୍କର ସ୍ଵର୍ଗୀୟ ପିତା ବାଞ୍ଚାନିଧି ପଟ୍ଟନାୟକଙ୍କର ସ୍ମୃତି ପ୍ରତି ସମର୍ପିତ, ଯଦୁମଣି ସାହିତ୍ୟ ସଂସଦ ଓଡ଼ିଶାର ଅତ୍ୟନ୍ତ ପ୍ରିୟ କବି, ନିର୍ଭୀକ ଶାଣିତ ବ୍ୟଙ୍ଗ କାର ‘ଯଦୁମଣି’ଙ୍କ ପ୍ରତି ସମର୍ପିତ ।

 

ଏକ ନିଃସ୍ଵାର୍ଥପର କର୍ମଯୋଗୀ ଦାଶରଥି‌ ପଟ୍ଟନାୟକ । ତାଙ୍କ ସଂବନ୍ଧରେ ବହୁ ସାର୍ଥକ, ଭାବମୟ ତଥା ସୂଚନାତ୍ମକ ଲେଖା ପ୍ରକାଶିତ ହୋଇଛି । ସେସବୁକୁ ପୁଣି କିଛି ଆବେଗମୟ ଶୈଳୀରେ ଲେଖିବା ନିଷ୍ପ୍ରୟୋଜନ । ସବୁଠାରୁ ଚିନ୍ତାର ବିଷୟ ହେଲା, ଏହି ମହତ୍ଵପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକ କେଉଁପରି ବଂଚିରହିବେ ସେ କଥା ବିଚାରଣୀୟ । ସରକାରୀ ବେସରକାରୀ ସାହାଯ୍ୟ, ଏକ ନ୍ୟାସମଣ୍ଡଳୀ ଗଠନ, ଯାହା ବର୍ଷକୁ ଥରେ ହେଉପଛେ, ଯଦୁମଣି ସାହିତ୍ୟ ସଂସଦର ବାର୍ଷିକୋତ୍ସବ ବେଳେ ବସି ଅନୁଷ୍ଠାନମାନଙ୍କର ବିକାଶ ଓ ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇପାରିବେ ଏବଂ ଅନୁଷ୍ଠାନମାନଙ୍କର ପରିଚାଳନା ତଦାରଖ କରି ପାରିବେ । ଏହି ସମାରୋହରେ କବି ଲେଖକ ସମାବେଶ ଏବଂ ବହୁ ସାରସ୍ଵତ ପୁରୁଷଙ୍କୁ ଅଭିନନ୍ଦିତ କରାଯାଇଥାଏ । ଶ୍ରୀ ପଟ୍ଟନାୟକଙ୍କର ଯେ କେହି ଉତ୍ତରାଧିକାରୀ ନିଃସ୍ଵାର୍ଥପର ଭାବରେ ଏ ସବୁର ଦାୟିତ୍ଵ ନେଲେ, ଉଦରପୋଷଣ ଏବଂ ଖ୍ୟାତିପାଇଁ ମଧ୍ୟ କୌଣସି ଅସୁବିଧା ରହିବ ନାହିଁ । ତେବେ ସବୁ କିଛି ସଂଦେହାସ୍ପଦ । ଏକ ତପୋଭୂମିର ଋଷି ଆଶ୍ରମ ଭଳି ମନେ ହେଉଥି‌ବା ଏବଂ ଏକାସାଙ୍ଗରେ ସବୁତୀର୍ଥ ଦର୍ଶନର ସୌଭାଗ୍ୟ ଓ ଆନନ୍ଦ ଦେଇଥିବା ଏହି କ୍ଷେତ୍ର ଏହି ବୃଦ୍ଧ ଋଷିଙ୍କର ମହାପ୍ରୟାଣପରେ ବିଲୀନ ହୋଇ ଯିବକି ବୋଲି ଆଶଂକା ହେଉଛି । ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି ଏ ଆଶଂକା ଅସତ୍ୟ ହେଉ ।

 

ଶ୍ରୀଯୁକ୍ତ ପଟ୍ଟନାୟକ ଆମର ପହଞ୍ଚିଲା ଦିନ ଅସୁସ୍ଥ ଥିଲେ । ତଥାପି ନୟାଗଡ଼ର କୌଣସି ଏକ ଅନୁଷ୍ଠାନରେ ମୁଖ୍ୟ ଅତିଥି‌ ଭାବରେ ଯୋଗ ଦେବେ ବୋଲି ପ୍ରସ୍ତୁତ ହୋଇଥିଲେ । ତାଙ୍କର ଅନ୍ତହୀନ ଅଭାବ ଭିତରେ ଭାବମୟ ଚିତ୍ତ କେବଳ ମାତ୍ର ଉପଲବ୍ଧର ସାମଗ୍ରୀ; ତାକୁ ଭାଷାରେ ପ୍ରକାଶତ କରିବା ସଂଭବ ନୁହେଁ । ମୁଁ ତାଙ୍କର ଅନୁରୋଧ ରକ୍ଷାକରି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବରେ ସେଠାରେ ପହଞ୍ଚୁଛି ଦେଖି ସେ ଯେପରି ଆନନ୍ଦିତ ଓ ଉତ୍‌ଫୁଲ୍ଲ ହେଲେ, ତାହା ଅଚିନ୍ତନୀୟ । ସାହିତ୍ୟ ଏକାଡେମୀ ପକ୍ଷରୁ ସେ ୧୮-୩-୭୬ରେ ଅଭିନନ୍ଦିତ ହୋଇଥିବା ବିଷୟ ବହୁବାର ଉଲ୍ଲେଖ କରିଥିବେ । ସେଠାରେ ପହଞ୍ଚି ମୁଁ କେଉଁପରି ଆନନ୍ଦ ଲାଭ କରି କୃତ୍ୟକୃତ୍ୟ ହୋଇଛି, ତାହା କିନ୍ତୁ ପ୍ରକାଶ କରିପାରି ନାହିଁ । ସେ ଆନନ୍ଦାନୁଭୂତି ମୋର ହୃଦୟରେ ଶ୍ୟାମଳ, ପୁଷ୍ପିତ ହୋଇ ସଜୈବ ରହିଥିବ ।

 

ତାଙ୍କ ସହିତ ଠିକ୍‌ ତ ସାକ୍ଷାତ୍‌କାର ନୁହେଁ, ଅନ୍ତରଙ୍ଗ ବାର୍ତ୍ତାଳାପରୁ ଯେଉଁ କେତୋଟି ଆସ୍ଥାପୂର୍ଣ୍ଣ ସୁଉକ୍ତି ଶୁଣିବାର ସୁ-ଅବସର ମିଳିଥିଲା ଉଦ୍ଧାର କରୁଛି, ତାହା ବ୍ୟକ୍ତି ଜୀବନରେ ମଧ୍ୟ ଗ୍ରହଣୀୟ ଏବଂ ତାହା ତାଙ୍କର ମହତ୍ତ୍ଵର ମଧ୍ୟ ଛଳନାହୀନ ପରିଚୟ ।

 

ତାଙ୍କ ମତରେ ବ୍ୟକ୍ତିର ବ୍ୟକ୍ତିଗତ ଉଦ୍ୟମ ହିଁ ତା’ର ସବୁ କର୍ମରେ ସହାୟକ ହୋଇଥାଏ-। ତାଙ୍କ ଭାଷାରେ ମୋର୍‌ ସବୁଠୁଁ ପ୍ରିୟ କାର୍ଯ୍ୟ ଭିକ୍ଷା, ଏହା ମୋର ଧର୍ମ । ବିନା ଭିକ୍ଷାରେ ନିଃସ୍ଵାର୍ଥପର ଅନୁଷ୍ଠାନଟିଏ ଗଢ଼ିବା ଅସମ୍ଭବ । ମୁଁ ମୋର ନିଜ ଖର୍ଚ୍ଚ, ଲୁଗାପଟା ଆଦି ମଧ୍ୟ ଭିକ୍ଷାରୁ ସଂଗ୍ରହ କରିଥାଏ । ତାଙ୍କର ବିଶ୍ୱାସରେ ସବୁ କବି ଲେଖକ, ତାଙ୍କପାଇଁ ନାରାୟଣ-ସଦୃଶ । ଭଗବାନଙ୍କୁ ସେ ସବୁ କବି ଲେଖକଙ୍କ ଭିତରେ ଦେଖିଥାଆନ୍ତି । ଆପଣାର ନିଷ୍ଠା ଥିବ ଏବଂ ବାଧା ଦେବାକୁ ଶତ୍ରୁଥି‌ବେ, ସେଭଳି ସ୍ଥିତିରେ କାର୍ଯ୍ୟ ଅଧିକ ସଫଳ ଓ ସାର୍ଥକ ହୋଇଥାଏ । କହିଲେ, ମୋ ପିନ୍ଧିବାକୁ ଗାନ୍ଧୀ ଚାଦର (ଖଦୀ ଗାମୁଛା) ହେଲେ ହେଲା । ଲକ୍ଷ୍ମୀ ଓ ସରସ୍ଵତୀ ଏକାଠି ରହନ୍ତି ନାହିଁ ବୋଲି ପ୍ରବାଦ ଅଛି । ମାତ୍ର ସେ କହିଲେ ଏଠି ଲକ୍ଷ୍ମୀ ଓ ସରସ୍ଵତୀ ଏକାଠି ରହନ୍ତି । ଅନୁରୋଧ କଲେ - ଥରେ ଆସ, ଏଠି ସାତ ଆଠ ଦିନ ରହ, ଜାଣିବ ଲକ୍ଷ୍ମୀ ସରସ୍ଵତୀ ଏଠି କେମିତି ଏକାଠି ରହନ୍ତି । ଯେତିକି ଦରକାର ନିହାତି, ସେତକ ଅବଶ୍ୟ ମିଳିବ । ଅଧିକକୁ ଲୋଭକଲେ ଦୁଃଖ ! ଏତେ କଥା କାହିଁକି ଯେ-ତମେ କିଛି ଦେଲ, ତା ସାଙ୍ଗକୁ ଥାକେ ବହି ମଧ୍ୟ ଆଣି ଦେଇଛ-ଲକ୍ଷ୍ମୀ ସରସ୍ୱତୀ ଏକାଠି ଆସିଲେ ନା ନାଇଁ ? ଆଉ ହସିଲେ । ସେ ହସ, ସେ ରେଖାଙ୍କିତ ନିର୍ମଳ ସ୍ନେହୀ ମୁହଁ, ସେ ଉଲ୍ଲାସ ପାଶୋର ଯିବ ନାହିଁ । ମନେ ଥିବ ଥିବା ଯାଏଁ ।

 

***

 

ଏକାଡେମୀ ସମାଚାର

କବିତା ପାଠୋତ୍ସବ

ଉତ୍କଳଦିବସ ହୀରକଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ୨-୪-୯୭ ତାରିଖ ଅପରାହ୍ନ ଚାରିଘଣ୍ଟା ସମୟରେ ପାରାଦୀପସ୍ଥ ଜୟଦେବ ସଦନରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକୀଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ସଭାପତିତ୍ୱ କରିଥି‌ଲେ ଏବଂ ଡକ୍ଟର ଫନୀ ମହାନ୍ତି ସମ୍ମାନିତ ଅତିଥି‌ ଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । କବି ଡକ୍ଟର ଫନୀ ମହାନ୍ତି ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ କବିମାନଙ୍କୁ ଜୀବନର ମୂଲ୍ୟବୋଧର ସ୍ଵୀକୃତି ପ୍ରତି ସଚେତନ ରହିବାକୁ ହେବ । ସାହିତ୍ୟର ପ୍ରବହମାନ ବେଗରେ ସ୍ରଷ୍ଟା ସାମିଲ ହେବା ଉଚିତ ।

 

ସ୍ଵରଚିତ ଓଡ଼ିଆ କବିତା ଆବୃତ୍ତି କରିଥିବା ନିମନ୍ତ୍ରିତ କବିମାନେ ହେଲେ ଶ୍ରୀ ହରିହର ମିଶ୍ର, ଡକ୍ଟର ଫନୀ ମହାନ୍ତି, ଡକ୍ଟର ମନୋରମା ମହାପାତ୍ର (ବିଶ୍ଵାଳ), ଡକ୍ଟର ଆଶୁତୋଷ ପରିଡ଼ା, ଡକ୍ଟର ଶତୁଘ୍ନ ପାଣ୍ଡବ, ଶ୍ରୀ କ୍ଷୀରୋଦ ପରିଡ଼ା, ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ଦୁର୍ଗାଚରଣ ଷଡ଼ଙ୍ଗୀ, ଶ୍ରୀ ଶଶାଙ୍କ ଚୂଡ଼ାମଣି, ଶ୍ରୀ ସୂର୍ଯ୍ୟ ମିଶ୍ର, ଶ୍ରୀ ଭିକାରୀ ଧଳ, ଶ୍ରୀ ଅଜିତ ଦାସ ମହାପାତ୍ର, ଶ୍ରୀ ସମରେନ୍ଦ୍ର ମହାପାତ୍ର, ଶ୍ରୀମତୀ ତୁଳସୀ ଦାସ, ଡକ୍ଟର ପ୍ରତିଭା ଶତପଥୀ, ଶ୍ରୀ ପୀତାମ୍ବର ତରାଇ, ଶ୍ରୀ ରବି ସ୍ୱାଇଁ, ଶ୍ରୀମତୀ ଅପର୍ଣ୍ଣା ମହାନ୍ତି, ଶ୍ରୀ ଦିଲୀପ ସ୍ଵାଇଁ, ଶ୍ରୀ ଭଗବାନ ମହାପାତ୍ର, ଶ୍ରୀ ବିଭୁପ୍ରସାଦ ତରାଇ, ଶ୍ରୀ ଅଲେଖଚନ୍ଦ୍ର ବେହେରା, ଶ୍ରୀ ଦୀପକ ମହାପାତ୍ର ଶ୍ରୀ ନୀଳମଣି ଦତ୍ତ, ଶ୍ରୀମତୀ ଅନ୍ନପୂର୍ଣ୍ଣା ନନ୍ଦ, ଶ୍ରୀମତୀ ନଳିନୀ ବେହେରା, ଶ୍ରୀମତୀ ଅନିମା ଦାସ, ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି, ଶାଣ୍ଡିଲ୍ୟ ପ୍ରଫୁଲ ପଟ୍ଟନାୟକ ।

 

କବି ବ୍ରଜନାଥ ବଡ଼ଜେନା ଜୟନ୍ତୀ

ମହାବିଷୁବ ସଂକ୍ରାନ୍ତି ବସରରେ ଢେଙ୍କାନାଳର ଗୋପବନ୍ଧୁ ଟାଉନହଲ୍‌ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ତା୧୪-୪-୯୭ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି‌ ଭାବେ ଓଡ଼ିଶାର ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶେଖ୍‌ ମତଲୁବ୍‌ ଅଲ୍ଲୀ ଯୋଗଦେଇ ବ୍ରଜନାଥ ବଡ଼ଜେନାଙ୍କର କାବ୍ୟିକ ଆବେଗ, ରସବୋଧ, ନିର୍ଭୀକ ସମାଲୋଚନାମୂଳକ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ଓ ବୈପ୍ଳବିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ବ୍ରଜନାଥ ତାଙ୍କ ରଚିତ ‘ଚତୁର ବିନୋଦ’ ଏବଂ ‘ସମର ତରଙ୍ଗ’ରେ ଲୋକଭାଷା ବ୍ୟବହାର କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ପାରିଥି‌ବା ଦର୍ଶାଇ କବିଙ୍କ ରଚିତ ସମସ୍ତ ରଚନାବଳୀ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଅଧିକ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।

 

ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡକ୍ଟର ପ୍ରଫୁଲ କୁମାର ମହାନ୍ତି ଯୋଗଦେଇ କବି ବ୍ରଜନାଥ ବଡ଼ଜେନା ଓଡ଼ିଆ କବିତାର ଇତିହାସରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନର ଅଧିକାରୀ ବୋଲି ମତପ୍ରକାଶ କରିଥି‌ଲେ । ତାଙ୍କ ଭାଷଣ ପ୍ରସଙ୍ଗରେ ସେ କହିଲେ ଯେ, ଦାରିଦ୍ର୍ୟର କଷାଘାତ ସହି ଦେଶ ଓ ଜାତି ପାଇଁ ମହତ୍ୱ ଓ ପ୍ରେମ ପ୍ରକାଶ କରିବାରେ ତାଙ୍କର ଅବଦାନ ଅନସ୍ଵୀକାର୍ଯ୍ୟ । ତାଙ୍କର ଦୁଇଟି କୃତି ଓଡ଼ିଆ ଭାଷା ତଥା ସାହିତ୍ୟ ପାଇଁ ବରଦାନ । ପ୍ରଥମଟି ‘ସମର ତରଙ୍ଗ’ ଯାହା ଓଡ଼ିଆ କବିତାରେ ଦେଶାତ୍ମବୋଧ ଓ ସମର ସାହିତ୍ୟର ଅମର କାବ୍ୟ ଏବଂ ଅନ୍ୟଟି ‘‘ଚତୁର ବିନୋଦ ଯାହା ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରଥମ ପ୍ରକାଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ସୁବେଦାର ରାଜାରାମ ଯେତେବେଳେ ରାଜସ୍ଵ ଅନାଦେୟରେ ଢେଙ୍କାନାଳ ଆକ୍ରମଣ କରନ୍ତି ତତ୍‌କାଳୀନ ରାଜା ବାହୁବଳେନ୍ଦ୍ର ମହେନ୍ଦ୍ର ବାହାଦୁର ସୈନିକମାନଙ୍କର ମନୋବଳ ଜାଗ୍ରତ କରି ତାଙ୍କୁ ମରହଟ୍ଟା ଆକ୍ରମଣ ପ୍ରତିହତ କରିବା ପାଇଁ ନିୟୋଜିତ କରନ୍ତି । ଦେଶପ୍ରେମ ଓ ଯୁଦ୍ଧବର୍ଣ୍ଣନା ‘ସମର ତରଙ୍ଗ’ ର ଐକାନ୍ତିକ ଗୁଣ । ବ୍ରଜନାଥ ବଡ଼ଜେନା ଓଡ଼ିଆ ଛଡ଼ା ଅନେକ ଭାଷା ଯଥା-ହିନ୍ଦୀ, ମରାଠୀ, ମାଗଧି ପ୍ରଭୃତି ଜାଣିଥି‌ଲେ ଏବଂ ବିଭିନ୍ନ ଭାଷାରୁ ଶବ୍ଦ ଗ୍ରହଣ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ପୁରୀ ମନ୍ଦିରର ପ୍ରଚାର ଓ ପ୍ରସାର ପାଇଁ ସେ କାର୍ଯ୍ୟ କରିଥିଲେ-। ବିଭିନ୍ନ ସଂସ୍କୃତିର ସାରମର୍ମ ଗ୍ରହଣ କରି ଓଡ଼ିଆ ଜଗନ୍ନାଥ ସଂସ୍କୃତିର ମହାନତା ଦେଖାଇଥି‌ଲେ । ଶବ୍ଦଚୟନ, ଛନ୍ଦ ସୃଷ୍ଟି ଓ ବର୍ଣ୍ଣନାର ଚାତୁରୀ ବଡ଼ଜେନାଙ୍କୁ ଓଡ଼ିଆ ସାହିତ୍ୟରେ ଅମର କରିଛି ।

 

ତାଙ୍କର ସ୍ମୃତିଚାରଣ କଲାବେଳେ ଅନ୍ତତଃ ଏତିକି ମନେ ରଖିବାକୁ ହେବ ଯେ ଦରିଦ୍ର ପରିବାରରେ ଜନ୍ମ ହୋଇ ଯେଉଁ କବି ଏତେଭାଷା ଆୟତ୍ତ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥି‌ଲେ ସେ ବ୍ୟକ୍ତି ଏକ ବିରାଟ ସ୍ଵାଭିମାନୀ ପ୍ରତିଭା । ସେପରି ପ୍ରତିଭାର ଗୁଣଗ୍ରାହୀ ପର୍ଯ୍ୟାୟକୁ ଉଠିବାକୁ ହେଲେ ଓଡ଼ିଆ ଜାତି ନିଜକୁ ଅଧ୍ୟବସାୟ ଓ ନିଷ୍ଠାପର ସାଧନା ଦ୍ୱାରା ପ୍ରସ୍ତୁତ କରିବାକୁ ହେବ ।

 

ରାଜ୍ୟ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ସମ୍ମାନିତ ଅତିଥି‌ ଓ ସମ୍ମାନିତ ବକ୍ତାଭାବେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ କବି ବଡ଼ଜେନାଙ୍କ ସାହିତ୍ୟିକ କୃତି ଓ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବସନ୍ତ କୁମାର ମହାପାତ୍ର ଏବଂ ଶ୍ରୀ ମନୋରଞ୍ଜନ ନନ୍ଦ ଉଦ୍‌ବୋଧନ ଦେଇଥିଲେ । ଡକ୍ଟର ଉଦ୍ଧବ ଚରଣ ନାୟକଙ୍କ ଦ୍ୱାରା କବି ବ୍ରଜନାଥ ବଡ଼ଜେନାଙ୍କ ସଂପର୍କରେ ରଚିତ ପୁସ୍ତକକୁ ମୁଖ୍ୟଅତିଥି‌ ଶ୍ରୀ ଅଲ୍ଲୀ ଉନ୍ମୋଚନ କରିଥି‌ଲେ । ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରି କହିଲେ, ଯେ ବ୍ରଜନାଥ ନିଜ କାବ୍ୟିକ ଜୀବନର ସ୍ଵାଭିମାନ ଓ ଏକାଗ୍ରତାକୁ କୌଣସିମତେ ସାଲିସ୍‌ କରି ନଥି‌ବାରୁ ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିଥି‌ଲେ । କିନ୍ତୁ ତାହା ତାଙ୍କ ସର୍ଜନାତ୍ମକ କଳାକୁ ଅଧିକ ଶାଣିତ କରିଥିଲା ସିନା ପ୍ରତିହତ କରି ନଥିଲା । ‘ସମର ତରଙ୍ଗ’ ଓଡ଼ିଆ ଜାତିର ବୀରତ୍ୱ ଓ ସାହସକୁ ପ୍ରତିପାଦିତ କରିବା ସହ ତତ୍‌କାଳୀନ ସମୟର ସାଂସ୍କୃତିକ ଇତିହାସ ରୂପେ ପରିଗଣିତ ବୋଲି ସେ କହିଥିଲେ-

 

ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ କାଳିଚରଣ ମହାନ୍ତି ଉପସ୍ଥିତ ଅତିଥି‌ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥି‌ଲା ।

 

ଓଡ଼ିଆ ଭାଷାର ସରଳୀକରଣ ଏବଂ କଥିତ ଓ ଲିଖିତ ଭାଷା ମଧ୍ୟରେ ସମନ୍ଵୟ ସ୍ଥାପନ ଶୀର୍ଷକ କର୍ମଶାଳା

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୩-୫-୯୭ ଓ ୪-୫-୯୭ ତାରିଖରେ ‘ଓଡ଼ିଆ ଭାଷାର ସରଳୀକରଣ ଏବଂ ଲିଖିତ ଓ କଥିତ ଭାଷା ମଧ୍ୟରେ ସମନ୍ଵୟ ସ୍ଥାପନ’ ଶୀର୍ଷକ ଏକ ଦୁଇଦିନିଆ ଆଲୋଚନାଚକ୍ର ସ୍ଥାନୀୟ ପାନ୍ଥନିବାସ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଅତିରିକ୍ତ ମୁଖ୍ୟ ଶାସନ (ଏବର ମୁଖ୍ୟ ଶାସନ ସଚିବ) ସଚିବ ଶ୍ରୀ ସୁଧାଂଶୁ ଭୂଷଣ ମିଶ୍ର ଓଡ଼ିଆ ଭାଷାର ସରଳୀକରଣ ତଥା ବିକାଶ ନିମନ୍ତେ ରାଜ୍ୟରେ ପାଠାଗାରର ବହୁଳ ପ୍ରତିଷ୍ଠା ତଥା ନୂତନ ଶବ୍ଦକୋଷ ପ୍ରଣୟନ ଉପରେ ଗୁରୁତ୍ଵ ଦେଇଥିଲେ । ସାହିତ୍ୟ ସମାଜର ପ୍ରତିଛବି ବହନ କରେ, ବିଭିନ୍ନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିବେଶର ପରିବର୍ତ୍ତନ ଭେଦରେ ସାହିତ୍ୟିକ ଆଭିମୁଖ୍ୟର ଅନୁରୂପ ପରିବର୍ତ୍ତନ ଘଟେ । ସାହିତ୍ୟର ଅଖଣ୍ଡ ପ୍ରବାହ ମଧ୍ୟରେ ନୂତନତାର ସତ୍ତାକୁ ସ୍ପଷ୍ଟ ରୂପେ ନିର୍ଦ୍ଦେଶ କରିବା ଦିଗରେ ଲେଖକର ଗୁରୁଦାୟିତ୍ଵ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ । ଆଲୋଚନାର ଆରମ୍ଭରେ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରସଙ୍ଗରେ ଏପରି ଏକ କର୍ମଶାଳାର ଗୁରୁତ୍ୱ ସଂପର୍କରେ ସୂଚନା ପ୍ରଦାନ କରିଥି‌ଲେ । ଆଲୋଚନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡକ୍ଟର ଅର୍ଚ୍ଚନା ନାୟକ । ଅଦ୍ୟ ସୂଚନା ଦେବା ଅବସରରେ ସଂଯୋଜିକା ଡକ୍ଟର ନାୟକ କହିଥିଲେ ଯେ ଯାହାକୁ ଏବେ ମାନକ ଓଡ଼ିଆଭାଷା କୁହାଯାଉଛି ତାହା ଦୀର୍ଘ ଛଅଶହ ବର୍ଷ ସାଧନାର ଫଳଶ୍ରୁତି । ସଂସ୍କୃତଠାରୁ ଉତ୍ପନ୍ନ ହୋଇ ଏବଂ ଏହା ସହ ଦୀର୍ଘକାଳ ନିକଟରେ ରହି ପ୍ରତିଷ୍ଠିତ ହୋଇଥିବା ଓଡ଼ିଆ ଭାଷା ସମୟକ୍ରମେ ଆରବୀ, ପାର୍ସି, ପର୍ତ୍ତୃଗୀଜ, ଇଂରେଜ ଏବଂ ଅନ୍ୟ ଭାଷାମାନଙ୍କର ସଂସ୍ରବରେ ଆସି ଆପଣାକୁ ପରିପୁଷ୍ଟ କରିଛି । ଆଦିବାସୀ ଭାଷୀ ମଧ୍ୟ ଏହାକୁ ବହୁ ଭାବରେ ପ୍ରଭାବିତ କରିଛି । ଭାଷାର ସରଳୀକରଣ ପ୍ରତ୍ୟେକ ସ୍ତରରେ ହେବା ଆବଶ୍ୟକ । ଭାଷାର ସରଳୀକରଣ ଅପେକ୍ଷା ଶୁଦ୍ଧତା ଉପରେ ଗୁରୂତ୍ୱ ଦେବା ଅଧିକ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

 

ପ୍ରଥମ ଦିନର ପୂର୍ବାହ୍ନ ଅଧିବେଶନରେ ଓଡ଼ିଆ ଭାଷାର ସରଳୀକରଣ ସଂପର୍କରେ ପ୍ରଥମେ ଆଲୋଚନା ଆରମ୍ଭ କରି ରାଜସ୍ଵ ପର୍ଷଦର ସଦସ୍ୟ ଶ୍ରୀ ସହଦେବ ସାହୁ କହିଲେ ଯେ, ସରକାରୀ ସ୍ତରରେ ଓଡ଼ିଆ ଭାଷାର ସରଳୀକରଣ ହେଲେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ କୌଣସି ମଧ୍ୟସ୍ଥର ଆବଶ୍ୟକତା ରହିବ ନାହିଁ । ବର୍ତ୍ତମାନ ଓଡ଼ିଆ ଭାଷାରେ ଅନ୍ୟ ଭାଷାର ବହୁ ଶବ୍ଦ ବ୍ୟବହାର କରାଯାଉଅଛି । ତେଣୁ ଅନୁବାଦ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ଉଚିତ । ଭାଷା ସରଳ, ସାବଲୀଳ ଏବଂ ସହଜବୋଧ ହେଲେ ସାହିତ୍ୟ ସମସ୍ତଙ୍କର ଆଦର ଲାଭ କରିଥାଏ । ସ୍କୁଲ ସ୍ତରରେ କମ୍ପ୍ୟୁଟର ଶିକ୍ଷାଦାନ ଉପରେ ସେ ଗୁରୁତ୍ୱଆରୋପ କରିଥିଲେ । ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାରେ ଭଲ ମାର୍କ ଦିଆଯାଇ ଛାତ୍ରମାନଙ୍କୁ ଓଡ଼ିଆଭାଷା ପ୍ରତି ଉତ୍ସାହିତ କରାଯିବା ଉଚିତ-। ଓଡ଼ିଆରେ ଜ୍ଞାନଗର୍ଭିତ ତଥ୍ୟାତ୍ମକ ଚିତ୍ରସମ୍ବଳିତ ବିଭିନ୍ନ ପୁସ୍ତକ ପ୍ରକାଶ କରାଗଲେ ବିକଳ୍ପ ଭାଷାର ପୁସ୍ତକ ଓଡ଼ିଆ ପୁସ୍ତକର ସ୍ଥାନ ଅଧିକାର କରିବ ନାହିଁ । ବର୍ଣ୍ଣାଶୁଦ୍ଧିର ଦୂରୀକରଣ ପାଇଁ ସରକାରଙ୍କ ତରଫରୁ କମ୍ପ୍ୟୁଟର ଅଭିଧାନ ସଂଯୋଗ କରିବା ଆବଶ୍ୟକ । ପ୍ରଶାସନିକ ଶବ୍ଦକୋଷକୁ ସରଳ କରିବା ପ୍ରଥମ କର୍ତ୍ତବ୍ୟ ।

 

ଅଧ୍ୟାପକ ଶାନ୍ତନୁ କୁମାର ଆଚାର୍ଯ୍ୟ ଆଲୋଚନା ପ୍ରସଙ୍ଗରେ କହିଲେ ଯେ, ତିନିଗୋଟି ସ୍ତରରେ ଭାଷାକୁ ସରଳୀକରଣ କରଯାଇପାରେ । ତାହା ହେଲା ସରକାରୀ ଭାଷା, ପାଠ୍ୟପୁସ୍ତକର ଭାଷା ଏବଂ ସୃଜନାତ୍ମକ ସାହିତ୍ୟର ଭାଷା । ଓଡ଼ିଆ ଭାଷାକୁ ସରଳୀକରଣ କରିବା ସହ ପଶ୍ଚିମଓଡ଼ିଶା ଓ ଆଦିବାସୀ ଭାଷାକୁ ଏହା ସହ ସାମିଲ କରିବା ଉଚିତ । ସରଳତା ସହ ଭାଷାର ଭାବଗାମ୍ଭୀର୍ଯ୍ୟତା ପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ ।

 

ଓଡ଼ିଆଭାଷାକୁ ଶବ୍ଦମୟ ନକରି ଭାବମୟ କରାଯିବା ଉଚିତ ବୋଲି ଅନ୍ୟତମ ଆଲୋଚକ ଡକ୍ଟର ହୃଷୀକେଶ ପଣ୍ଡା ମତବ୍ୟକ୍ତ କରିଥିଲେ । ଓଡ଼ିଆ ଭାଷା ନିଜସ୍ଵ ଶବ୍ଦ ସମ୍ଭାରରେ ବେଶ ପରିପୁଷ୍ଟ । ଏଥି‌ରେ ଯଥେଷ୍ଟ ଶୁଦ୍ଧ ସରଳ ପରିଭାଷା ପୂରି ରହିଛି । ତେଣୁ ନିଜସ୍ଵଭାଷା ବଦଳରେ ଅନ୍ୟଭାଷା ପ୍ରୟୋଗ କରିବା ଆଦୌ ସ୍ପୃହଣୀୟ ନୁହେଁ । ଏହା ଏକ ଭୁଲ ବୋଲି କୁହାଯାଇପାରେ । ଭୁଲ୍‌ ଭାଷା ଅସୁନ୍ଦର । ତେଣୁ ତାହା ଅସାହିତ୍ୟ ।

 

ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି କହିଲେ, ପ୍ରତ୍ୟେକ ଲେଖକର ଭାଷା ତା’ନିଜର । ଏହା ତା’ ଅନୁଭୂତି ତା’ ମାନସିକତା ନିକଟରେ ନିର୍ଭର କରେ । ଏହା ଗଛ ଭଳି ନିର୍ଦ୍ଦିଷ୍ଟ ସମୟରେ ବଢ଼ିଚାଲେ-। ଏଠାରେ ସରଳୀକରଣ ପ୍ରକ୍ରିୟା କାର୍ଯ୍ୟ କରିବ ନାହିଁ । ଭାଷାର ସରଳୀକରଣ ପାଇଁ ସୋଫେଷ୍ଟିକେଟେଡ଼୍‌ ମ୍ୟାସିନାରୀର ବ୍ୟବହାର ଏକାନ୍ତ ଅପରିହାର୍ଯ୍ୟ । ସର୍ବୋପରି ଭାଷା ସୃଷ୍ଟିରେ ଲେଖକ ନିଜେ ସଚେତନ ହେବା ଉଚିତ । ଅନ୍ୟତମ ଆଲୋଚକ ପ୍ରଫୁଲ ତ୍ରିପାଠୀ କହିଲେ ଯେ ମଣିଷ ମାତ୍ରେଇ ସରଳତାର ପ୍ରେମିକ । ତା’ର ପ୍ରୟୋଜନ ଅନୁସାରେ ଭାଷା ସରଳ ବା ଜଟିଳ ହୋଇଥାଏ । ଭାଷା ସରଳୀକରଣ ପାଇଁ ସନ୍ଧି ସମାସାଦି ଶବ୍ଦମାନଙ୍କର ବ୍ୟବହାର ସର୍ବାଦୌ ବର୍ଜନୀୟ । ପ୍ରଚଳନ ହେଉ ନଥିବା ଶବ୍ଦକୁ ବ୍ୟବହାର କରିବା ଅନୁଚିତ ।

 

ଆଲୋଚନାର ପ୍ରତିକ୍ରିୟାରେ ଶ୍ରୀ ଚନ୍ଦ୍ରଶେଖର ରଥ ଭାଷା ସରଳୀକରଣ ପ୍ରସଙ୍ଗରେ କହିଲେ, କେବେ କୌଣସି ଭାଷା ସମପରିମାଣରେ ସମସ୍ତଙ୍କୁ ବୋଧଗମ୍ୟ ହେବ ନାହିଁ । ଗୋଟିଏ ବାକ୍ୟ ଦୁଇଜଣ ବ୍ୟକ୍ତି ଏକପ୍ରକାର କହିବେ ନାହିଁ । ତେଣୁ ସର୍ବଜନବୋଧ୍ୟ ଭାଷା ସମ୍ଭବ ନୁହେଁ । ବାହ୍ୟଶବ୍ଦର ବ୍ୟବହାରକୁ ଯଥାସମ୍ଭବ ପରିତ୍ୟାଗ କରାଗଲେ ଏବଂ ଅନୁବାଦ ସମୟରେ ଭାବକୁ ଗୁରୁତ୍ୱ ଦେଲେ ଭାଷା କିଛି ଅଂଶରେ ସରଳ ଓ ସହଜବୋଧ ହୋଇପାରିବ । ଭାଷାକୁ ସରଳୀକରଣ କରିବା ପରିବର୍ତ୍ତେ ଆମେ ଶିକ୍ଷିତମାନେ ବିକୃତ କରୁଅଛୁ । ଏହା ଥିଲା ସରୋଜ ରଞ୍ଜନ ମହାନ୍ତିଙ୍କ ମତ । ଇଂରେଜୀ, ଆଦିବାସୀ ବା ପ୍ରାନ୍ତୀୟ ଭାଷାକୁ ନିଜ ଭାଷାରେ ଭାବରକ୍ଷା କରି ପ୍ରୟୋଗ କଲେ ଭାଷା କ୍ଳିଷ୍ଟ ପରିବର୍ତ୍ତେ ସରଳ ଏବଂ ସହଜ ବୋଧ୍ୟ ହୋଇଥାଏ । ଅନ୍ୟତମ ଆଲୋଚକ ବୈଷ୍ଣବ ପରିଡ଼ା କହିଲେ ଯେ, ଓଡ଼ିଆ ଭାଷା ବହୁ ସଂଘାତ ମଧ୍ୟରେ ଗତି କରିଛି । ବର୍ତ୍ତମାନ ସୁଦ୍ଧା ଏହା ସଂସ୍କୃତ ଭାଷାଠାରୁ ଆପଣାକୁ ମୁକ୍ତ କରିପାରି ନାହିଁ । ଭାଷାକୁ ସହଜ କରିବା ପାଇଁ ପ୍ରଥମେ ପ୍ରଶାସକ ଏବଂ ଜନସାଧାରଣଙ୍କ ଭିତରେ ଥିବା ଭାଷାଗତ ବ୍ୟବଧାନକୁ ଦୂର କରିବା ନିତାନ୍ତ ଆବଶ୍ୟକ ।

 

ଉକ୍ତଦିନ ଅପରାହ୍ନ ଅଧିବେଶନରେ କଥିତ ଓ ଲିଖିତ ଭାଷା ମଧ୍ୟରେ ସମନ୍ନୟ ସ୍ଥାପନ ବିଷୟରେ ଆଲୋଚନା ଆରମ୍ଭ କରି ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରାଥମିକ ସ୍ତରରେ ବିଦ୍ୟାଳୟମାନଙ୍କରେ ବ୍ୟାକରଣ ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରିଥି‌ଲେ । ସେ କହିଲେ ଯେ ଯେକୌଣସି ଭାଷାର କଥିତ ଭାଷା -ଲିଖିତ ଭାଷାଠାରୁ ସରଳ । ଲିଖିତ ଭାଷା କଥିତ ଭାଷାଠାରୁ ପ୍ରାୟ ଭିନ୍ନ ନୁହେଁ । ଉଭୟ ବ୍ୟାକରଣ ନିୟମବଦ୍ଧ । କଥିତକୁ ଲିଖିତ ଭାଷା ସହ ମିଶାଇବା ପାଇଁ ବଳିଷ୍ଠ ପ୍ରତିଭାର ପ୍ରୟୋଜନ ରହିଛି । ରବୀନ୍ଦ୍ରନାଥ ସେଭଳି ପ୍ରତିଭାର ଅଧିକାରୀ ହୋଇ ସମନନ୍ୱୟ ଆଣିଥି‌ଲେ ବଙ୍ଗଳା ଭାଷାରେ । ଆଲୋଚକ ଚିତ୍ତରଂଜନ ଦାସ କହିଲେ, ଯେ ସର୍ଜନାତ୍ମକ ସାହିତ୍ୟରେ ଶୈଳୀ ଗୌଣ ହେବା ବିଧେୟ । ସାହିତ୍ୟ ଶବ୍ଦମୟ ନହୋଇ ଭାବମୟ ହେବା ଉଚିତ । ଭାବସ୍ପଷ୍ଟ ନହୋଇ ଶୈଳୀରେ ବାନ୍ଧିହେଲେ ସାହିତ୍ୟ ଦୁର୍ବୋଧ୍ୟ ହୋଇଥାଏ । ଲେଖକର ଭାଷାଜ୍ଞାନ ବ୍ୟାପକ ହେଲେ ଆଧୁନିକ ଭାଷା ଦେଶଜ ଶବ୍ଦପୁଞ୍ଜରେ ଋଦ୍ଧିମନ୍ତ ହୋଇପାରିବ ମହମ୍ମଦ ଅମିନ୍‌ ଆଲୋଚକ ଭାବେ ଯୋଗଦାନ କରି କହିଥି‌ଲେ, ଲୋକଙ୍କ ଉନ୍ନତି ପାଇଁ କଥିତ ଓ ଲିଖିତ ଭାଷାର ସମନ୍ୱୟ ହେବା ଆବଶ୍ୟକ । ଲିଖିତ ଭାଷାର କ୍ଳିଷ୍ଠତା ଯୋଗୁ ଆଇନ କାନୁନ୍‌ ଜନସମାଜର ବହୁ ଦୂରରେ ରହୁଛି । ସରଳୀକରଣ ପ୍ରକ୍ରିୟା ଏବଂ ଲିଖିତ ଓ କଥିତ ଭାଷାର ସମନ୍ୱୟ ମାଧ୍ୟମରେ ଏହାର ପ୍ରତିକାର ଆବଶ୍ୟକ ।

 

କଥିତ ଭାଷା ଆଞ୍ଚଳିକ ଭାଷାସମୂହ ହୋଇଥିବାରୁ ଗୋଟିଏ ସ୍ଥାନର ଭାଷା ଅନ୍ୟସ୍ଥାନରେ ବୁଝିହେବା କଷ୍ଟକର ବୋଲି କାହ୍ନୁ ଚରଣ ପଟ୍ଟନାୟକ ମତପ୍ରଦାନ କରିଥି‌ଲେ । ସାରଳାଙ୍କ ସମୟରେ ଲିଖିତ ଓଡ଼ିଆ ଭାଷାର ସ୍ଵୟଂସଂପୂର୍ଣ୍ଣ ରୂପ ମିଳେ ବୋଲି ଶ୍ରୀମତୀ ସଂଧ୍ୟା ମହାନ୍ତି ମତପ୍ରଦାନ କରିଥିଲେ । ତାଙ୍କ ମତରେ ମାଦଳା ପାଞ୍ଜିରେ ଲିଖିତ ଓ କଥିତ ଭାଷାର ସମନ୍ଵୟ ପରିଲକ୍ଷିତ ହୁଏ । ଅନ୍ୟତମ ଆଲୋଚକ ମହାପାତ୍ର ନୀଳମଣି ସାହୁ କହିଲେ, ଯେ କଥିତ ଓ ଲିଖିତ ଭାଷାକୁ ଏକ ଭୂମିକୁ ଆଣିବାର ଦୁଇଜଣ ବିଚକ୍ଷଣ ପ୍ରତିଭା ହେଉଛନ୍ତି ଜଗନ୍ନାଥ ଦାସ ଓ ଭୀମ ଭୋଇ । ସମାଜ ଭଳି ସାହିତ୍ୟରେ ବିଦଗ୍ଧ ଓ ପ୍ରାକୃତିକ ଭାଷା ରହିଛି । ବିଦଗ୍ଧରେ ଥାଏ ଐଶ୍ଵର୍ଯ୍ୟ ଏବଂ ପ୍ରାକୃତିରେ ଥାଏ ମାଧୁର୍ଯ୍ୟ । ଡକ୍ଟର ସିଦ୍ଧେଶ୍ଵର ମହାପାତ୍ର କହିଲେ, ଯେ କଥିତ ଭାଷାରେ ବ୍ୟଞ୍ଚନା ଭରି ରହିଛି । ଏହା ବ୍ୟାକରଣ ନିୟମାବଦ୍ଧ ନୁହେଁ । ଏଥିରେ ଲିଖିତ ଓ କଥିତ ଉଭୟ ଭାଷାର ସମନ୍ଵୟ ଘଟିଛି । ଡକ୍ଟର କିଶୋର ଚନ୍ଦ୍ର ପାଢ଼ୀ ତାଙ୍କର ଆଲୋଚନା ପ୍ରସଙ୍ଗରେ ଅଭିମତ ଦେଲେ ଯେ ସମାଜରେ ସବୁ ଶ୍ରେଣୀଙ୍କ ପାଇଁ ସାହିତ୍ୟ ସୃଷ୍ଟି ହେବା ଆବଶ୍ୟକ । ଭାଷା କେବଳ ଶୈଳୀସର୍ବସ୍ଵ ନ ହୋଇ ବା ନିରୂତା ଇଂରେଜୀର ଅନୁକରଣ ନକରି ସାହିତ୍ୟ ସୃଷ୍ଟି କରିବା ଆବଶ୍ୟକ ।

 

ତା ୪-୫-୯୭ ରିଖ ପୂର୍ବାହ୍ନରେ ‘ଓଡ଼ିଆ ଭାଷା ସରଳୀକରଣରେ ଗଣମାଧ୍ୟମର ଭାଷା ଓ ଭୂମିକା’ ସଂପର୍କରେ ଆଲୋଚନାର ଆୟୋଜନ କରାଯାଇଥିଲା । ଅଧିବେଶନ ଆରମ୍ଭରେ ଏକାଡେମୀ ସଚିବ ସ୍ଵାଗତ ଭାଷଣ ପ୍ରଦାନ କରିଥି‌ଲେ ।

 

ଭାଷଣ ପ୍ରସଙ୍ଗରେ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଲେ, ଯେ ମଣିଷକୁ ମଣିଷ ସହ ଯୋଡ଼ିବାରେ ଭାଷା ଏକ ବଳିଷ୍ଠ ମାଧ୍ୟମ । ଭାଷାକୁ ସହଜବୋଧଗମ୍ୟ କରିବାରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ସମ୍ବାଦପତ୍ରର ସଂଖ୍ୟା ଏବେ କାଗଜକଲମରେ ଅଧିକ । ଗତ କେତେବର୍ଷ ହେଲା ସମ୍ବାଦପତ୍ରକୁ ଶିଳ୍ପ ଭାବରେ ଗ୍ରହଣ କରାଯିବା ପରେ ଏହି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ତଥାପି ସମ୍ବାଦପତ୍ର ପ୍ରକାଶନରେ ବହୁପ୍ରକାର ତ୍ରୁଟି ରହିଯାଇଛି, ଯେଉଁଥିପାଇଁ ଅଧିକ ସମ୍ବଳ ଆବଶ୍ୟକ । ସମସ୍ତ ତ୍ରୁଟି ଦୂର ହୋଇ ସମ୍ବାଦପତ୍ର ଶିଳ୍ପ ଯଦି ଉନ୍ନତ ହୋଇପାରିବ ତେବେ ଭାଷା ସରଳୀକରଣ ପ୍ରକ୍ରିୟାରେ ଏହି ଗଣମାଧ୍ୟମ ମୁଖ୍ୟଭୂମିକା ଗ୍ରହଣ କରିପାରିବ ।

 

ଦ୍ୱିତୀୟ ଦିବସର ଅନ୍ୟତମ ଆଲୋଚକ ଶ୍ରୀ ଚନ୍ଦ୍ରଶେଖର ରଥ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗଣମାଧ୍ୟମ କହିଲେ ଆମେ ବୁଝୁ ଗଣଭାଷା । ଗଣଭାଷାକୁ ମୂଳରୁ ଆମେ ସ୍ଵୀକାର କରୁଥିବାରୁ ବିଶ୍ଵ।ସ କରୁଛୁ ଯେ ଭାଷା ନିଶ୍ଚିତ ଭାବେ ସଂସ୍ଥାର ହୋଇପାରିବ । ପାଠକ ଶୁଣିବାକୁ ଚାହୁଁଥି‌ବା କଥା ଏବଂ ସାମ୍ବାଦିକ ଶୁଣେଇବାକୁ ଚାହୁଁଥି‌ବା ତଥ୍ୟ ମଧ୍ୟରେ ସମନ୍ୱୟ ହୋଇପାରିବ । ସମ୍ବାଦପତ୍ର ଗଣମାଧ୍ୟମର ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ସମ୍ବାଦପତ୍ରରେ ନିରୂତା ତଥ୍ୟ ବିତରଣ କଲାବେଳେ ଭାଷାପ୍ରତି ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ଶ୍ରୀ ପ୍ରଦ୍ୟୁମ୍ନ କିଶୋର ବଳ କହିଲେ, ଯେ ଖବରକାଗଜ ପ୍ରଥମ ଗଣମାଧ୍ୟମ ନୁହେଁ । ଏହା କେବଳ ପଢ଼ିପାରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । କଥିତ ଭାଷା ଓ ଲିଖିତ ଭାଷାର ସମନ୍ୱୟ କେବଳ ସମ୍ବାଦପତ୍ର ମାଧ୍ୟମରେ ହିଁ ସମ୍ଭବ ହୋଇଥାଏ । ସମ୍ବାଦପତ୍ର ପାଇଁ ସ୍ଵତନ୍ତ୍ର ଅଭିଧାନର ଆବଶ୍ୟକତା ଅନ୍ତର ବୋଲି ସେ ମତ ଦେଇଥିଲେ । ଶ୍ରୀ ସାତକଡ଼ି ହୋତା କହିଲେ, ଯେ ଭାଷାର ପରିବର୍ତ୍ତନ ଏକ ପ୍ରାକୃତିକ ସତ୍ୟ । ସହଜରେ ଭାବ ପ୍ରକାଶ କରୁଥି‌ବା ଭାଷା ହିଁ ଦେଶରେ ଦୀର୍ଘକାଳ ତିଷ୍ଠି ରହେ । ଭାଷା ସରଳୀକରଣରେ ଗଣମାଧ୍ୟମ ଖବରକାଗଜର ଭୂମିକା ଯଥେଷ୍ଟ ଗୁରୂତ୍ୱପୂର୍ଣ୍ଣ । ତେଣୁ ସମ୍ବାଦପତ୍ରର ଭାଷା ଅତି ସହଜ ଓ ସର୍ବଜନବୋଧଗମ୍ୟ ହେବା ଉଚିତ ।

 

ଅନ୍ୟତମ ଆଲୋଚକ ଶ୍ରୀ ସରୋଜ ରଞ୍ଜନ ମହାନ୍ତି କହିଲେ, ଯେ ସମ୍ବାଦପତ୍ରକୁ ଏବେ ଏକ ଶିଳ୍ପ ଭାବରେ ଗ୍ରହଣ କରାଗଲାଣି । ବଜାର ଅର୍ଥନୀତି ଦ୍ୱାରା ସମ୍ବାଦପତ୍ରର ଭାଷା ନିୟନ୍ତ୍ରିତ ହେବା କଥା କହିବା ଏକ ଅବିମୃଶ୍ୟକାରିତା । କାରଣ ସମ୍ବାଦପତ୍ରର ନିଜସ୍ଵ ଏକ ଗାମ୍ଭୀର୍ଯ୍ୟ ଅଛି । ଏହାର ଭାଷା ସମ୍ଭ୍ରାନ୍ତ ହେବାକୁ ବାଧ୍ୟ । ଲୋକମୁଖର ଭାଷାକୁ ଖବରକାଗଜରେ ସ୍ଥାନ ଦେଲେ ଏହା ଅଧିକ ଉପଯୋଗୀ ହୋଇପାରିବ ।

 

ଡକ୍ଟର ଆଦିକନ୍ଦ ସାହୁ ତାଙ୍କ ଅଭିଭାଷଣରେ କହିଲେ, ଯେ ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ କଲାବେଳେ ଅନୁବାଦ ପ୍ରଥମତଃ ସରଳ ହେବା ଆବଶ୍ୟକ । ମୁଖ୍ୟ ଗଣମାଧ୍ୟମ ସମ୍ବାଦପତ୍ରର ଭାଷା ସହଜ ଓ ସୁବୋଧ୍ୟ ହେବା ଉଚିତ । ସମ୍ବାଦପତ୍ର ଏକ ସଂକୁଚିତ ଦୃଷ୍ଟିକୋଣ ନ ନେଇ ବିଶ୍ଵ ଦୃଷ୍ଟିକୁ ପ୍ରସାରିତ କରିବା ଆବଶ୍ୟକ ।

 

ଉକ୍ତଦିନ ଅପରାହ୍ନ ଅଧିବେଶନରେ ଓଡ଼ିଆ ଭାଷାର ସରଳୀକରଣରେ ପାରିଭାଷିକ ଶବ୍ଦାବଳୀ ମାନକ ଲିଖନବିଧି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି‌ରେ ଅଂଶଗ୍ରହଣ କରି ଡକ୍ଟର ଖଗେଶ୍ୱର ମହାପାତ୍ର, ଡକ୍ଟର ବାସୁଦେବ ସାହୁ, ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ ଓ ଡକ୍ଟର ପ୍ରଫୁଲ କୁମାର ତ୍ରିପାଠୀ ପ୍ରମୁଖ ଆଲୋଚକମାନେ ପାରିଭାଷିକ ଶବ୍ଦାବଳୀ ନବୀକରଣ ଓ ଓଡ଼ିଆ ଭାଷାର ମାନକ ଲିଖନ ବିଧି ଉପରେ ଗୁରୁତ୍ୱ ଆରୋପ କରିଥି‌ଲେ । ପରିଶେଷରେ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ବିଜ୍ଞ ସମାଲୋଚକ ତଥା ସୁଧୀମଣ୍ତଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

କବି ଦୀନକୃଷ୍ଣ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ଜଳେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ୧୧-୫-୯୭ ତାରିଖ ଅପରାହ୍ନ ତିନିଘଣ୍ଟା ସମୟରେ ଏକ ସାହିତ୍ୟ- ସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ଵତ ଉତ୍ସବରେ ଡକ୍ଟର ନଗେନ୍ଦ୍ର ନାଥ ପ୍ରଧାନ ମୁଖ୍ୟବକ୍ତା, ଡକ୍ଟର ଭାଗବତ ବେହେରା ସମ୍ମାନିତ ବକ୍ତା ଓ କବି ବ୍ରଜେନ୍ଦ୍ର ଦତ୍ତ ସମ୍ମାନିତ ଅତିଥି‌ଭାବେ ଯୋଗଦାନ କରିଥିଲେ । ଡକ୍ଟର ଶ୍ରୀକାନ୍ତ ଚରଣ ପାତ୍ରଙ୍କ ପୌରୋହତ୍ୟରେ ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଭାଷଣ ପ୍ରସଙ୍ଗରେ କହିଲେ, ଯେ କବି ଦୀନକୃଷ୍ଣ ଥିଲେ ଅଲୌକିକ ପ୍ରତିଭାସଂପନ୍ନ କାବ୍ୟଶିଳ୍ପୀ । ରୀତିଯୁଗର ଅନନ୍ୟ କବି ଦୀନକୃଷ୍ଣ ସ୍ଵକୀୟ ପ୍ରତିଭା ବଳରେ ସାରସ୍ଵତ କୃତି ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଜାଗରଣ ଆଣିବାକୁ ଚେଷ୍ଟା କରିଥି‌ଲେ । ଆଧ୍ୟାତ୍ମିକ ଭାବଧାରାରେ ପରିପୁଷ୍ଟ ତାଙ୍କର ପ୍ରତ୍ୟେକ କୃତି ଆଦର୍ଶର ଦ୍ୟୋତକ ଅଟେ-

କବି ବ୍ରଜେନ୍ଦ୍ର ଦତ୍ତ ସମ୍ମାନିତ ଅତିଥି‌ ଭାବେ ଯୋଗଦାନ କରି କହିଥିଲେ, ଯେ ରୀତିଯୁଗୀୟ କବି ଦୀନକୃଷ୍ଣ ନୈସର୍ଗିକ ପ୍ରତିଭାର ଅଧିକାରୀ ଥିଲେ । ସଂସ୍କୃତ ସାହିତ୍ୟର ଆଦର୍ଶରେ ରାଧାକୃଷ୍ଣଙ୍କ ଅଲୌକିକ ପ୍ରେମକୁ ଆଧାର କରି ସେ ନୂତନ ସ୍ଵାଦ କାବ୍ୟଗ୍ରନ୍ଥ ରଚନା କରିଯାଇଛନ୍ତି । ଆଳଙ୍କାରିକ ବିଦଗ୍ଧତା ଏବଂ ବର୍ଣ୍ଣନା ଚାତୁରୀରେ ସେ ଥିଲେ ଅନନ୍ୟ ।

 

ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିବା ଅବସରରେ କହିଲେ, ଯେ କବି ଦୀନକୃଷ୍ଣଙ୍କ ଶୈଳୀଗତ ଲାଳିତ୍ୟପୂର୍ଣ୍ଣ ଓ ଆଧ୍ୟାତ୍ମିକ ଭାବଧାରାରେ ପରିପୁଷ୍ଟ କାବ୍ୟଗୁଡ଼ିକ ଓଡ଼ିଆ ବାଣୀ ଭଣ୍ଡାରକୁ ଅପରୂପ ସୌନ୍ଦର୍ଯ୍ୟରେ ବିଭୂଷିତ କରିଯାଇଛି । ଶେଷରେ ଦୀନକୃଷ୍ଣ ସଂଗୀତ କଳାମନ୍ଦିର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ତେରଜଣ କୃତୀ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ତା୧୨-୫-୯୭ରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥ ରବୀନ୍ଦ୍ରମଣ୍ଡପଠାରେ ଏକ ନୂତନ ସ୍ଵାଦପୂର୍ଣ୍ଣ ଚିତ୍ତାକର୍ଷକ ସୁଦୃଶ୍ୟ ମଞ୍ଚର ଆୟୋଜନ କରାଯାଇଥିଲା । ବ୍ରାହ୍ମମୁହୂର୍ତ୍ତ ଅରଣ୍ୟଦୃଶ୍ୟ ସହ ସଭାମଞ୍ଚରୁ ଓଁକାର ଧ୍ଵନି ଓ ବଂଶୀସ୍ଵନ ମାଧ୍ୟମରେ ଉଷାଆବାହନ କରାଯାଇ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୯୩ ଓ ୧୯୯୪ ମସିହା ଦୁଇବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିଥି‌ଲେ । ପୁରସ୍କାର ବାବଦରେ ପ୍ରତି ଲେଖକ/ଲେଖିକାଙ୍କୁ ନଗଦ ଦଶହଜାର ଟଙ୍କା ସହ ଉପାୟନ, ମାନପତ୍ର ଓ ଏକାଡେମୀ ପ୍ରକାଶିତ କିଛି ପୁସ୍ତକ ଦିଆଯାଇଥିଲା-

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଉପରେ ଗୁରୁତ୍ୱ ଦେଇ କହିଲେ, ଯେ ଏକାଡେମୀ ପକ୍ଷରୁ ଓଡ଼ିଶାର ଭାବଗତ ଏକତା ପାଇଁ ପ୍ରତିବର୍ଷ ସାହିତ୍ୟ ସମ୍ମିଳନୀର ଆୟୋଜନ କରାଯାଉ । ଏହା କଟକ-ଭୁବନେଶ୍ଵର ମଧ୍ୟରେ ସୀମିତ ରଖା ନଯାଇ ରାଜ୍ୟର ସୀମାନ୍ତ ବା ଉପାନ୍ତ ଅଞ୍ଚଳରେ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥି‌ଲେ । ସମସ୍ତେ ଓଡ଼ିଆ ଭାଷାରେ ଚିଠିପତ୍ର ଲେଖନ୍ତୁ ବୋଲି ପରାମର୍ଶ ଦେବା ସହିତ ଓଡ଼ିଆ ଟାଇପ୍‌ ରାଇଟର ପ୍ରଚଳନ ଉପରେ ସର୍ବାଧିକ ଗୁରୁତ୍ଵ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ଏକାଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଶ୍ରୀ ପଟ୍ଟନାୟକ ଆହୁରି ଅନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବାକୁ ପରାମର୍ଶ ଦେଇଥିଲେ ।

 

୧୯୯୩ ଓ ୧୯୯୪ ମସିହା ପାଇଁ ପୁରସ୍କୃତ ହୋଇଥିବା ଲେଖକ/ଲେଖିକାଙ୍କ ନାମ ନିମ୍ନରେ ପ୍ରଦତ୍ତ କରାଗଲା ।

 

୧୯୯୩

୧.

ଶ୍ରୀ ହରପ୍ରସାଦ ଦାସ

ମନ୍ତ୍ରପାଠ (କବିତା ସଙ୍କଳନ)

୨.

ଡକ୍ଟର ରାମଚନ୍ଦ୍ର ବେହେରା

ଅଭିନୟ ପରିଧି (ଉପନ୍ୟାସ)

୩.

ଡକ୍ଟର ହେମନ୍ତ କୁମାର ଦାସ

ଦୁନିଆ (ନାଟକ)

୪.

ଶ୍ରୀମତୀ ସରୋଜିନୀ ସାହୁ

ଅମୃତ ପ୍ରତୀକ୍ଷାରେ (ଗଳ୍ପ ସଂକଳନ)

୫.

ଡକ୍ଟର ଗଙ୍ଗାଧର ବଳ

ରୀତିକାବ୍ୟ ସଂପର୍କରେ (ସମାଲୋଚନା)

୬.

ଡକ୍ଟର ଦୀନନାଥ ପାଠୀ

ଦିଗପହଣ୍ଡିର ଡ୍ରଇଁମାଷ୍ଟ୍ରେ (ଆତ୍ମଜୀବନୀ)

 

୧୯୯୪

୧.

ଡକ୍ଟର ଶରତଚନ୍ଦ୍ର ପ୍ରଧାନ

ଯଯାତି (କାବ୍ୟଗ୍ରନ୍ଥ)

୨.

ଶ୍ରୀ ବିପିନ ବିହାରୀ ମିଶ୍ର

ସହରର ଉପକଣ୍ଠେ (ଉପନ୍ୟାସ)

୩.

ଶ୍ରୀ ଶଙ୍କର ପ୍ରସାଦ ତ୍ରିପାଠୀ

ଶୁଣିବା ହେଉ କାହାଣୀ (ନାଟକ)

୪.

ଶ୍ରୀ ଦେବ୍ରାଜ ଲେଙ୍କା

ଗାଁ ଗାଁ ଆହା ଆହା (ଗଳ୍ପ ସଂକଳନ)

୫.

ଶ୍ରୀ ଶତ୍ରୁଘ୍ନ ନାଥ

ବିଶ୍ଵ ଓ ବ୍ୟକ୍ତି (ପ୍ରବନ୍ଧ ସଂକଳନ)

୬.

ଡକ୍ଟର ଶ୍ରଦ୍ଧାକର ସୁପକାର (ମରଣୋତ୍ତର)

ଅସ୍ତରାଗ (ଆତ୍ମଜୀବନୀ)

୭.

ଶ୍ରୀମତୀ ସରଳା ପତ୍ରୀ

ଆମେ ସବୁ ଏକ (ଶିଶୁଗଳ୍ପ ସଂକଳନ)

 

ଉତ୍ସବ ଶେଷରେ ଡକ୍ଟର ଖଗେଶ୍ଵର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ଅବସରରେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ, ଯେ ସାହିତ୍ୟିକମାନେ ଯୁଗେ ଯୁଗେ ସଭ୍ୟତା ସଂସ୍କୃତି ଓ ଭାଷାର ଟେକ ରଖି ଆସିଛନ୍ତି । ସାରଳା ଦାସଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗପର୍ଯ୍ୟନ୍ତ ସାହିତ୍ୟିକମାନେ ହିଁ ଓଡ଼ିଶାର ସଂସ୍କୃତ ଓ ଜାତୀୟତାକୁ ଉଜ୍ଜୀବିତ କରି ରଖି ଆସିଛନ୍ତି । ପୁରସ୍କାର ପ୍ରଦାନ ନିୟମିତ ହେବା ଦିଗରେ ଗୁରୁତ୍ୱ ଆରୋପ କରିବା ସହ ନୂତନ ସ୍ଵାଦ ଓ ଶୈଳୀରେ ପ୍ରଥମଥର ପାଇଁ ଅନୁଷ୍ଠିତ ଏଭଳି ଉତ୍ସବର ଉଚ୍ଚ ପ୍ରଶଂସା କରିଥିଲେ ।

 

ସାର୍‌ ବାସୁଦେବ ସୁଢଳ ଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାର୍‌ ବାସୁଦେବ ସୁଢଳ ଦେବଙ୍କ ଜୟନ୍ତୀ ପାଳନ ଅବସରରେ । ତା୧୬-୫-୯୭ରିଖ ସଂଧ୍ୟା ଛଅ ଘଣ୍ଟା ସମୟରେ ଦେବଗଡ଼ସ୍ଥ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାହିତ୍ୟସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ଵତ ସଂଧ୍ୟାରେ ଦେବଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଚିନ୍ତାମଣି ଦାସ ମୁଖ୍ୟଅତିଥି‌ ଭାବେ ଯୋଗଦାନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥି‌ଲେ । ପ୍ରଫେସର ବୈରାଗୀ ଚରଣ ଜେନା ଏବଂ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ଯଥାକ୍ରମେ ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥି‌ଲେ । ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସଭା ଆରମ୍ଭରେ ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ପ୍ରଫେସର ବୈରାଗୀ ଚରଣ ଜେନା ଏହି ସାରସ୍ଵତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି କବି ସାର୍‌ ବାସୁଦେବ ସୁଢଳ ଦେବଙ୍କୁ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ବୋଲି ବର୍ଣ୍ଣନା କରିଥି‌ଲେ । ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଏବଂ ଗଭୀର ସାହିତ୍ୟ ଅନୁରାଗ ପାଇଁ ସେ ସ୍ମରଣୀୟ । ସାହିତ୍ୟ ଦର୍ପଣର ଅନୁସରଣରେ ତାଙ୍କ ରଚିତ ‘ଅଳଙ୍କାର ବୋଧୋଦୟ’ ଗ୍ରନ୍ଥଟି ତାଙ୍କର ଏକ ସାର୍ଥକ ସୃଷ୍ଟି ।

 

ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ଶ୍ରୀ ପ୍ରସନ୍ନ ପାଟଶାଣୀ କହିଲେ, ଯେ ଓଡ଼ିଆ ସାହିତ୍ୟର ପ୍ରଭୂତ ଉନ୍ନତି ସାଧନ କରିବାରେ ରାଜା ବାସୁଦେବ ସୁଢଳ ଦେବଙ୍କର କାର୍ଯ୍ୟ ପ୍ରସଂଶସନୀୟ । ସେ ବାମଣ୍ଡାରେ ପ୍ରଥମ ମୁଦ୍ରା ଯନ୍ତ୍ର ପ୍ରତିଷ୍ଠା କରି ବିଜୁଳି, ଉତ୍କଳ ମଧୁପ ଓ ଦୁଷ୍ପ୍ରାପ୍ୟ ପୁସ୍ତକର ମୁଦ୍ରଣ ଓ ପ୍ରକାଶନ କରିପାରିଥିଲେ ।

 

ସନ୍ଥକବି ଭୀମ ଭୋଇ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କଳିଙ୍ଗ ସାହିତ୍ୟ ସମାଜ ବ୍ରହ୍ମପୁରଙ୍କ ମିଳିତ ଆନୁକୂଲ୍ୟରେ ତା୨୨-୫ -୯୭ରିଖରେ ସ୍ଥାନୀୟ ହୋଟେଲ ମୋତି ସଭା ଗୃହରେ ସନ୍ଥକବି ଭୀମ ଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ‘ସନ୍ଥକବିଙ୍କ ସୃଷ୍ଟି’ ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।

 

ପୂର୍ବାହ୍ନ ଦଶଘଣ୍ଟା ସମୟରେ ବରିଷ୍ଠ ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର ସନ୍ଥକବିଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଆଲୋଚନାଚକ୍ରର ପ୍ରାରମ୍ଭରେ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଏକାଡେମୀର ଆଭିମୁଖ୍ୟ ତଥା ପବିତ୍ର ବୈଶାଖୀ ପୂର୍ଣ୍ଣିମା ତିଥି‌ରେ ସନ୍ଥକବିଙ୍କ ଜୟନ୍ତୀ ଅବସରରେ ସନ୍ଥକବିଙ୍କ ସାହିତ୍ୟ ସୃଷ୍ଟି ସଂପର୍କରେ ଆୟୋଜିତ ଆଲୋଚନାଚକ୍ରର ବୈଶିଷ୍ଟ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସାଧାରଣ ଲୋକଟିଏ କବି ହେବାର ସୌଭାଗ୍ୟର ଉଦାହରଣ ରହିଛି କିନ୍ତୁ କବିଟିଏ ଈଶ୍ଵର ହୋଇ ପୂଜାପାଇବା ଭାଗ୍ୟ କେବଳ ଭୀମ ଭୋଇଙ୍କର ଥିଲା । ଉଦ୍‌ଘାଟନୀ ବକ୍ତବ୍ୟ ପ୍ରଦାନ କରି ଡକ୍ଟର ସୀତାକାନ୍ତ ମହାପାତ୍ର । ସନ୍ଥକବିଙ୍କ ସୃଷ୍ଟି ବିଶ୍ଵ ସାହିତ୍ୟରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ ।

 

ଡକ୍ଟର ବନମାଳୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଆଧୁନିକ କବିତାରେ ଭୀମ ଭୋଇ ଏକ ବିସ୍ମୟ ପ୍ରତିଭା’, ଶ୍ରୀମତୀ ବିଧୂପ୍ରଭା ରଥ ‘ସନ୍ଥକବି ଭୀମ ଭୋଇଙ୍କ ରହସ୍ୟବାଦୀ ଚେତନାର ଏକ ମୂର୍ତ୍ତି ପ୍ରଖ୍ୟାପକ’ ଶୀର୍ଷକ ସ୍ଵରଚିତ ପ୍ରବନ୍ଧମାନ ପାଠ କରିଥି‌ଲେ । ପଠିତ ପ୍ରବନ୍ଧଗୁଡ଼ିକ ଉପରେ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ଏକ ସାରଗର୍ଭକ ଆଲୋଚନା କରିଥିଲେ ।

 

ଆଲୋଚନାଚକ୍ରର ସଭାପତି ଡକ୍ଟର ବନମାଳୀ ରଥ ତାଙ୍କର ସଭାପତିତ୍ୱ ଅଭିଭାଷଣରେ ଭୀମ ଭୋଇଙ୍କ ସାହିତ୍ୟସୃଷ୍ଟି ସଂପର୍କରେ ସୁଦୀର୍ଘ ଆଲୋଚନା କରି ସନ୍ଥକବି ଭୀମ ଭୋଇଙ୍କୁ ଓଡ଼ିଆ ସାହିତ୍ୟରେ ଉପଯୁକ୍ତ ସ୍ଥାନ ଦିଆଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।

 

ଅପରାହ୍ନ ଛଅ ଘଣ୍ଟା ସମୟରେ ଡକ୍ଟର ସୌଭାଗ୍ୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସନ୍ଥକବିଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଏକାଡେମୀ ପକ୍ଷରୁ ନିମନ୍ତ୍ରିତ ବହୁ ବରିଷ୍ଠ ସାହିତ୍ୟିକ ତଥା ଅତିଥି‌ମାନେ ସନ୍ଥକବିଙ୍କ ତୈଳଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସନ୍ଥକବିଙ୍କୁ ସେମାନଙ୍କର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜୟନ୍ତୀ ଉତ୍ସବର ପ୍ରାରମ୍ଭରେ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଓଡ଼ିଶା ସାହିତ୍ୟ ଏକାଡେମୀ କିଭଳି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଛି ତାହା ଜଣାଇଥି‌ଲେ । ଜୟନ୍ତୀ ସଭାର ସମ୍ମାନିତ ବକ୍ତା ପ୍ରଫେସର ଚନ୍ଦ୍ରଶେଖର ରଥ ଭାଷଣ ପ୍ରସଙ୍ଗରେ ସନ୍ଥକବିଙ୍କ ସାହିତ୍ୟ, ଦର୍ଶନ ଓ ବ୍ୟକ୍ତିଗତ ଜୀବନୀ ଉପରେ ଆଲୋକପାତ କରିଥିଲେ । ତାଙ୍କର ସୃଷ୍ଟି ସମ୍ଭାର ଓଡ଼ିଆ ସାହିତ୍ୟର ଏକ ଅନବଦ୍ୟ ଭଣ୍ଡାର । ଭୀମ ଭୋଇଙ୍କ ଶେଷ ରଚନା ସ୍ତୁତିଚିନ୍ତାମଣି ଆଗାମୀ ବଂଶଧରମାନେ ପାଠକଲେ ସନ୍ଥକବିଙ୍କ ପ୍ରତି ପ୍ରକୃତରେ ସମ୍ମାନ ଦିଆଯିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି‌ ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀ ସନ୍ଥକବିଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ଜୟନ୍ତୀ ସଭାର ସଭାପତି ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ତାଙ୍କ ସଭାପତି ଅଭିଭାଷଣରେ କବିଙ୍କ ସାହିତ୍ୟକୃତି ସଂପର୍କରେ ଆଲୋକପାତ କରିଥିଲେ ।

 

ଆଲୋଚନାଚକ୍ରର ଶେଷରେ କଳିଙ୍ଗ ସାହିତ୍ୟ ସମାଜର ସଂପାଦକ ଶ୍ରୀ ଦେବରାଜ ସାହୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବ୍ରହ୍ମପୁରଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବାରୁ ଏକାଡେମୀକୁ ଧନ୍ୟବାଦ ଜଣାଇ ଏହା ବ୍ରହ୍ମପୁରବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସୁରେନ୍ଦ୍ର ମହାନ୍ତି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୨୧-୬-୯୭ରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ କକ୍ଷରେ ଔପନ୍ୟାସିକ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । ମୁଖ୍ୟଅତିଥି‌ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜୟନ୍ତୀ ସଭାକୁ ଉଦ୍‌ଘାଟନ କରିଥି‌ଲେ ଭୁବନେଶ୍ୱର ସାଂସଦ ତଥା ‘ସମ୍ବାଦ’ ଓ ‘ସନ୍‌ଟାଇମ୍ସ’ର ସଂପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି ସଭାରେ ପୌରୋହିତ୍ୟ କରିଥଲେ ପ୍ରଖ୍ୟାତ ଗାଳ୍ପିକା ଶ୍ରୀମତୀ ବୀଣାପାଣି ମହାନ୍ତି । ଜୟନ୍ତୀ ସଭାରେ ଉପସ୍ଥିତ ସାହିତ୍ୟିକ, ସାମ୍ବାଦିକ ଓ ଅତିଥିମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଵାଗତ କରି ପ୍ରାରମ୍ଭରେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥି‌ଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ।

 

ମୁଖ୍ୟଅତିଥି‌ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି ଅବସରରେ ସ୍ଵର୍ଗତ କଥାକାରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥି‌ଲେ ଯେ ସୁରେନ୍ଦ୍ର ମହାନ୍ତି ଥିଲେ ଏକ ପ୍ରଚଣ୍ଡ ପ୍ରତିଭାର ପ୍ରମାଣ । ସେ ଥି‌ଲେ ଏକାଧାରରେ ସବୁକିଛି । ଅନ୍ୟତମ ବକ୍ତା ପ୍ରଶାସକ ତଥା କବି ରାଜେନ୍ଦ୍ର କିଶୋର ପଣ୍ଡା ସ୍ମୃତିଚାରଣ ପୂର୍ବକ ସେ ଏକ ନିରୂତା ବ୍ୟକ୍ତିତ୍ୱ ବୋଲି ପ୍ରତିପାଦନ କରିଥି‌ଲେ । ଶ୍ରୀ ଦାଶ ବେନେହୁର, ଶ୍ରୀ ସୌରୀନ୍ଦ୍ର ବାରିକ, ଶ୍ରୀ ବରେନ୍ଦ୍ର କୃଷ୍ଣ ଧଳ, ଶ୍ରୀ ଗୌରହରି ଦାସ ଓ ଶ୍ରୀ ରମାକାନ୍ତ ରାଉତ ପ୍ରମୁଖ ଓଡ଼ିଆ ସାହିତ୍ୟର ଏହି ପ୍ରଥିତଯଶା ସ୍ରଷ୍ଟାଙ୍କ ପ୍ରତି ଜୟନ୍ତୀ ବାସରେ ଶ୍ରଦ୍ଧା ସୁମନ ଜ୍ଞାପନ କରି ନିବିଡ଼ରୁ ନିବିଡ଼ତାର ସ୍ମୃତି ଚାରଣ କରିଥିଲେ ।

 

ସଭାର ପ୍ରାରମ୍ଭରେ ଓଡ଼ିଆ ସାହିତ୍ୟ ଆକାଶର ଏକ ଧ୍ରୁବତାରା, ସ୍ୱାଭିମାନର ପ୍ରତୀକ, ଅମରସ୍ରଷ୍ଟାଙ୍କ କନ୍ୟା ତଥା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଆବେଗଭରା କଣ୍ଠରେ ନିଜ ପିତାଙ୍କ ସ୍ମୃତି ଚାରଣପୂର୍ବକ କହିଥି‌ଲେ ‘‘ମୋ ପାଇଁ ସେ ଥିଲେ ବରଗଛ, ଯାହାର ଶିରାପ୍ରଶିରା ଏବେ ବି ମୋ ଶରୀରରେ ପ୍ରବାହିତ ଏବଂ ଯାହାର ଓହଳରେ ମୁଁ ପିଲାଦିନୁ ଖେଳିଛି ବୁଲିଛି ଓ ବଡ଼ ହୋଇଛି, ବାପାଙ୍କଠାରୁ ବଞ୍ଚିବାର, ସମାଜରେ ମଣିଷଟିଏ ପରି ମଣିଷ ହେବାର ଯେଉଁ ଅନନ୍ୟ ସତ୍ତାଟିଏ ପାଇଛି, ସେହି ସ୍ମୃତିକ ଉଦ୍ଧାର କରି ସେ କହିଲେ, ଯେ ମୁଁ ହେଉଛି ବାପାର ଝିଅ । ସେ ମତେ ବଞ୍ଚିବାକୁ ଶିଖାଇଥି‌ଲେ । ଶିଖାଇଥି‌ଲେ ସଂଗ୍ରାମ କରିବାକୁ-। ତାଙ୍କ ମତରେ ସଂଗ୍ରାମ ବିନା ସଂଗ୍ରାମ ଜୀବନ ନୁହେଁ । ସଂଗ୍ରାମ ମଧ୍ୟରେ ନିଜକୁ ହଜାଇ ଦେଲେ ପ୍ରକୃତ ଜୀବନକୁ ଉପଭୋଗ କରିହୁଏ । ଜୀବନରେ ସର୍ବଦା ସତ କହିବାକୁ ସେ ମୋତେ ଶିଖାଇଥି‌ଲେ ।

 

ଶେଷରେ ସଭାପତି ଅଭିଭାଷଣ ପ୍ରଦାନ କରି ଗାଳ୍ପିକା ବୀଣାପାଣି ମହାନ୍ତି ତାଙ୍କ ସାରସ୍ଵତ ଜୀବନ ସହ ସୁରେନ୍ଦ୍ରବାବୁଙ୍କ ସଂପର୍କ ବିଷୟ ଅବତାରଣା କରିଥି‌ଲେ । ପରେ ପରେ ସାରସ୍ଵତ ସଂସାର ପକ୍ଷରୁ ଏହି ଅମ୍ଳାନ ପ୍ରତିଭା ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଧନ୍ୟବାଦ ଅର୍ପଣ କରିଥି‌ଲେ ସାହିତ୍ୟ ଏକାଡେମୀର ସଭ୍ୟ ଡକ୍ଟର ମହେନ୍ଦ୍ର ମିଶ୍ର ।

 

ବୟୋଜ୍ୟେଷ୍ଠ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା୨୪-୬-୯୭ରିଖରେ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ ଆୟୋଜିତ ଏକ ସାରସ୍ଵତ ଉତ୍ସବରେ ଦଶଜଣ ବରିଷ୍ଠ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ସଂସ୍କୃତିମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଂହ ମୁଖ୍ୟଅତିଥି‌ ରୂପେ ଯୋଗ ଦେଇଥିଲେ । ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଶ୍ରୀ ସିଂହ କହିଥି‌ଲେ, ଯେ ଆଜିର ସମାଜରେ ଯେଉଁ ବ୍ୟବସ୍ଥା ଚାଲିଛି ତା’ର ସମାଧାନ କେବଳ ସମ୍ବିଧାନର ପରିବର୍ତ୍ତନ ଦ୍ୱାରା ହେବ ନାହିଁ । ସାହିତ୍ୟିକମାନେ ଲେଖା ମାଧ୍ୟମରେ ଜନସଚେତନତା ସୃଷ୍ଟି କରି ସମାଜର ପରିବର୍ତ୍ତନ ଆଣିପାରିବେ । ଯେଉଁ ଲେଖକମାନେ ନିଜର ସାଧନା ବଳରେ ଜନସାଧାରଣଙ୍କ ପ୍ରିୟ ହୋଇପାରିଛନ୍ତି ତା’ ଠାରୁ ଆଉ କୌଣସି ବଡ଼ ପୁରସ୍କାର ନାହିଁ ବୋଲି ସେ କହିଥି‌ଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଅସିତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥି‌ଲେ । ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରସଙ୍ଗରେ ଏକବିଂଶ ଶତାବ୍ଦୀର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ପରିବର୍ତ୍ତନର ଆହ୍ୱାନକୁ କେବଳ ଲେଖକମାନେ ହିଁ ମୁକାବିଲା କରିପାରିବେ ବୋଲି ଅଭିମତ ପୋଷଣ କରିଥିଲେ ।

 

୧୯୯୬ ମସିହା ପାଇଁ ଏକାଡେମୀ ପକ୍ଷରୁ ଏଥର ସମ୍ବର୍ଦ୍ଧିତ ହୋଇଥିବା ଦଶଜଣ ଲେଖକ/ଲେଖିକାମାନେ ହେଲେ ସର୍ବଶ୍ରୀ ଚନ୍ଦ୍ରମଣି ପଣ୍ଡା, ଗଣନାଥ ଦାସ, ଗୋଲୋକଚନ୍ଦ୍ର ମହାନ୍ତି, ପଦ୍ମଲୋଚନ ପାଢ଼ୀ, ରଘୁନାଥ ପଟ୍ଟନାୟକ, ଗଙ୍ଗାଧର ଶତପଥୀ, ଶୈଳରାଣୀ ମିଶ୍ର, ସ୍ଵର୍ଗତ କୃପାମୟ ମହାପାତ୍ର, ପ୍ରଫୁଲ୍ଲ ଦାସ ଓ ଧନେଶ୍ୱର ପାଣି । ସମ୍ବର୍ଦ୍ଧିତ ସାହିତ୍ୟିକମାନଙ୍କୁ ଏକ ହଜାର ଟଙ୍କା, ଏକ ଉତ୍ତରୀୟ ଓ ତାମ୍ରଫଳକ ପ୍ରଦାନ କରାଯାଇଥିଲା । ଏହି ଉତ୍ସବ ଅବସରରେ କଟକସ୍ଥ ଭ୍ରାତୃ ସ୍ମୃତି ଟ୍ରଷ୍ଟ ଆନୁକୂଲ୍ୟରେ ଯୁବ ଗାଳ୍ପିକ ସାରଦାପ୍ରସାଦ ମିଶ୍ରଙ୍କୁ ୧୯୯୫ ମସିହାର ଭ୍ରାତୃ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ବାବଦ ତାଙ୍କୁ ପାଞ୍ଚହଜାର ଟଙ୍କା, ଏକ ତାମ୍ରଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।

 

କବି ବିକ୍ରମ ଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜର୍ଷି କବି ବିକ୍ରମ ଦେବ ବର୍ମାଙ୍କ ୧୨୮ ତମ ଜୟନ୍ତୀ ପାଳନ ଅବସରରେ ରାଜପୁରସ୍ଥ ଟାଉନହଲ୍‌ରେ ୨୮-୬-୯୭ ତାରିଖ ଅପରାହ୍ନ ଛଅ ଘଣ୍ଟା ସମୟରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।

 

ଏହି ଆଲୋଚନାଚକ୍ରରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଜୀବ ଚୋପ୍ରା ମୁଖ୍ୟଅତିଥି‌ ଭାବରେ ଯୋଗଦାନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥି‌ଲେ । ଅଧ୍ୟାପକ ଶରତ କୁମାର ମହାନ୍ତି ଓ ଅଧ୍ୟାପକ ଶ୍ରୀଯୁକ୍ତ ଶିବରାମ ପାତ୍ର ଏଥି‌ରେ ସମ୍ମାନିତ ଆଲୋଚକ ଭାବେ ଯୋଗଦାନ କରି କବି ବର୍ମା ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଓ ବିଦ୍‌ବତ୍ତା ପାଇଁ କିଭଳି ଏ ଜାତିର ନମସ୍ୟ ତାହା ପ୍ରତିପାଦନ କରିଥିଲେ । ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ଆଲୋଚନାଚକ୍ରରେ ବିକ୍ରମ ଦେବଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଧାରିତ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଖଗେଶ୍ଵର ମହାପାତ୍ର କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥି‌ଲେ । ଶ୍ରୀଯୁକ୍ତ ସାହୁ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ, ଯେ ଏହି ମହାନ୍‌ ସାରସ୍ଵତ । ସାଧକ ମହାରାଜା ବିକ୍ରମ ଦେବବର୍ମା ଓଡ଼ିଆ ଓ ତେଲୁଗୁ ଭାଷାରେ ଥି‌ଲେ ଜଣେ ବିଦ୍ୱାନ । ଓଡ଼ିଆ ସଂସ୍କୃତିର ସେ ଥିଲେ ଦିଗ୍‌ଦର୍ଶକ ଓ ସଂରକ୍ଷକ । ଆନ୍ଧ୍ର ଓ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ ସଂହତି ଓ ସମନ୍ଵୟର ପ୍ରତିଷ୍ଠା ପାଇଁ ତାଙ୍କର ଉଦ୍ୟମ ଅବିସ୍କରଣୀୟ । ଏହି ମହାରାଜାଙ୍କ ପୃଷ୍ଠପୋଷକତାରେ ତେଲୁଗୁଭାଷୀ ଅଞ୍ଚଳରେ ଶିକ୍ଷା, ସ୍ଵାସ୍ଥ୍ୟ, ଭାଷା, ସାହିତ୍ୟ ଓ ସଂସ୍କୃତିର ଯଥେଷ୍ଟ ସମୃଦ୍ଧି ଘଟିଥିଲା ।

 

ସଭା ଆରମ୍ଭରେ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରଚ୍ଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବହୁ ସୁଧୀ ସାହିତ୍ୟପ୍ରେମୀ ଏହି ସାରସ୍ଵତ ସଂଧ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ ।

 

***